spot_img
Home Blog Page 1494

ଚାଇଲ୍ଡ ପର୍ଣ୍ଣ ଦେଖିବା, ଦେଖାଇବା, ଡାଉନଲୋଡ୍ ଓ ଫରୱାର୍ଡ କରିବା ଅପରାଧ, ‘ସୁପ୍ରିମ’ ରାୟକୁ ସବୁ ମହଲରେ ସ୍ବାଗତ

ଭୁବନେଶ୍ବର:  ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ । ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଓ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏହାକୁ ଦେଖିବା, ଦେଖେଇବା, ଅପଲୋଡ ଓ ଡାଉନଲୋଡ କରିବା ସହ ଏଭଳି ଦୃଶ୍ୟ ବାବଦରେ ଜାଣିବା ପରେ ଅଥରିଟିଙ୍କୁ ନ ଜଣାଇବା ବି ଏକ ଅପରାଧ ଭାବେ ବିବେଚନା କରାଯିବ । ଆଇନଜୀବୀ, ସାଇବର ଏକ୍ସପର୍ଟ ଏବଂ ଶିଶୁ ସୁରକ୍ଷା ବିଶେଷଜ୍ଞ ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ରୋକିବା ସମାଜରେ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ।

ଚାଇଲ୍ଡ ପର୍ଣ୍ଣଗ୍ରାଫିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଦେଖିବା, ଦେଖେଇବା, ଅପଲୋଡ, ଡାଉନଲୋଡ ଅପରାଧ ଭାବେ ବିବେଚିତ । ଅଜାଣତରେ ଆସୁଥିବା ଭିଡିଓ ବାବଦରେ ଅଥରିଟିକୁ ଜଣାଇବା ବାଧ୍ୟତାମୂଳକ । ଉଲ୍ଲଂଘନ କଲେ ଆଇଟି ଆକ୍ଟ, ପସ୍କୋ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଦଣ୍ଡନୀୟ । ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ । ସେମାନଙ୍କ ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଓ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ । ଏହାର ଉଲ୍ଲଙ୍ଘନ କଲେ ଭାରତୀୟ ନ୍ୟାୟ ସଂହିତା ଏବଂ ଆଇଟି ଆକ୍ଟ ଅନୁସାରେ ବି ମାମଲା ରୁଜୁ ହେବ ।

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ । ଧାରା ୧୪ ଓ ୧୫ ଅନୁଯାୟୀ, ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି, ସେୟାର କରନ୍ତି କିମ୍ବା ଦେଖନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ (ବିକ୍ରୟ / କ୍ରୟ) ପାଇଁ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖନ୍ତି, ତେବେ ଅତି କମରେ ତିନି ବର୍ଷ ଜେଲ ବା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନର ବ୍ୟବସ୍ଥା ଅଛି । ଯଦି ଦ୍ୱିତୀୟ ଥର ପାଇଁ ସେହି ବ୍ୟକ୍ତି ଏପରି କରନ୍ତି ତେବେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ । ଧିରେ ଧିରେ ଆଇନ ଶକ୍ତ ହେଉଥିଲେ ବି ଶିଶୁମାନଙ୍କୁ ସୁରକ୍ଷା ଦେବା ଦିଗରେ ସମସ୍ତଙ୍କ ସାମାଜିକ ମୂଲ୍ୟବୋଧ ରହିବା ଜରୁରୀ ବୋଲି ଶିଶୁ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।

ଦେଶରେ ପର୍ଣ୍ଣ ଭିଡିଓ ତିଆରି, ପ୍ରକାଶନ ଓ ପ୍ରସାରଣ ଉପରେ ନିଷେଧାଦେଶ ରହିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ର ଧାରା ୧୭ ଓ ୬୭ A ରେ ମଧ୍ୟ ୩ ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି ।

ଭରତପୁର ପୀଡ଼ିତାଙ୍କୁ ମିଳିଲା ପିଏସଓ

ଭୁବନେଶ୍ବର: ଭରତପୁର ଘଟଣା ପୀଡ଼ିତାଙ୍କୁ ମିଳିଲା ସୁରକ୍ଷା । କମିଶନରେଟ ପୋଲିସ ଯୋଗାଇଦେଲା ପିଏସଓ । ପୀଡ଼ିତାଙ୍କ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ବରେ ରହିବେ ପିଏସଓ । ଗତ ୨୧ ତାରିଖରୁ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଯୋଗାଇ ଦିଆଯାଇଥିଲା ସୁରକ୍ଷା । ଆବଶ୍ୟକ ପଡ଼ିଲେ ନେବେ କହି ପିଏସଓ ନେବାକୁ ମନା କରିଥିଲେ ଦୁହେଁ ।

କାଲି ପୁଣି ଗଣମାଧ୍ୟମ ଆଗରେ ଜୀବନ ବିପଦରେ ଥିବା କଥା କହିବା ପରେ ପୀଡ଼ିତାଙ୍କୁ ପିଏସଓ ଯୋଗାଇଛି କମିଶନରେଟ ପୋଲିସ । ପୀଡ଼ିତା ଜଣକ ମହିଳା ପିଏସଓ ନେଇଥିବା ବେଳେ ଏଯାଏଁ ପିଏସଓ ନେବାକୁ ରାଜି ନାହାନ୍ତି କ୍ୟାପଟେନ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ ହେବ ବିଜେଡି, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ବର: ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ତୃଣମୂଳସ୍ତରରେ ବିଜେଡି ସଂଗଠନକୁ ଅଧିକ ଚଳଚଞ୍ଜଳ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ରାଜ୍ଯରେ ଭୁଶୁଡ଼ି ଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ୧୦୦ ଦିନିଆ ବିଜେପି ସରକାରର ବିଫଳତା ଲୋକଙ୍କୁ କହିବେ ନବୀନ । ଯାହାକୁ ନେଇ ଶାସକ ଦଳ ଛାନିଆ ହୋଇ ପଡ଼ିଥିବା ବେଳେ ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି ।

ବିଜେଡି ଫୋକସରେ ନବୀନଙ୍କ ଜିଲ୍ଲା ଗସ୍ତ । ନଭେମ୍ବର ପ୍ରଥମ ସପ୍ତାହ ପାଇଁ ପ୍ରସ୍ତୁତି ଶେଷ । ସଂଗଠନକୁ ଚଳଚଞ୍ଚଳ କରିବାକୁ ମାରାଥନ ଅଭିଯାନ । ଏବେଠୁ ଶାସକ ଶିବିରରେ ପଶିଲାଣି ଛାନିଆ । ନଭେମ୍ବର ପ୍ରଥମ ସପ୍ତାହରେ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିପାଇଁ ବଡ଼ ପ୍ଲାନ କରିଛି ବିଜେଡି । ଶଙ୍ଖଭବନରେ ବିଭିନ୍ନ ଜିଲ୍ଲାର ସମୀକ୍ଷା ସହ ରଣନୀତି ପ୍ରସ୍ତୁତ କରାଯାଉଛି ।  ଜିଲ୍ଲା ଗସ୍ତରେ ଯାଇ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସଂଗଠିତ କରିବା ସହ ଲୋକଙ୍କ ସୁଖଦୁଃଖ ପଚାରି ବୁଝିବେ ନବୀନ । ନବୀନଙ୍କ ଗସ୍ତ ନେଇ ବିଜେଡି ଶିବିରରେ ଭରପୁର ଉତ୍ସାହ ଦେଖିବାକୁ ମିଳିଲାଣି । ଦଳ କହିଛି, ଏବେ ବି ନବୀନ ଓଡ଼ିଶାର ସର୍ବମାନ୍ୟ ନେତା ହୋଇ ଲୋକଙ୍କ ହୃଦୟରେ ରହିଛନ୍ତି । ତାଙ୍କ ଗ୍ରହଣୀୟତା ଆଜି ବି ସବୁ ରାଜନେତାଙ୍କଠାରୁ ଆଗରେ ।

ନବୀନଙ୍କ ୨୪ ବର୍ଷ ଶାସନ ସମୟରେ ବିଶ୍ବରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାଠୁ ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଦେଶକୁ ବାଟ ଦେଖାଇଛି । ରାଜ୍ଯର ନିରନ୍ତର ବିକାଶ ସହିତ ଆର୍ଥିକ ପରିଚାଳନା ସବୁଠି ପ୍ରଶଂସିତ ହୋଇଛି । ଶାସକ ଦଳ ଭାବେ ବିଜେଡି ଯେପରି ସେବା କରୁଥିଲା ବିରୋଧୀ ଦଳ ଭାବେ ମଧ୍ଯ ଦାୟିତ୍ବ ସଂପାଦନ କରୁଛି । ବିଜେଡି ସୁପ୍ରିମୋଙ୍କ ଜିଲ୍ଲାଗସ୍ତ କାର୍ଯ୍ଯକ୍ରମକୁ ନେଇ ରାଜ୍ଯ ରାଜନୀତି ବି ବେଶ ଚଳଚଞ୍ଚଳ ହେଲାଣି ।

ଗତ ସାଧାରଣ ନିର୍ବାଚନରେ ଶାସକ ଦଳଠୁ ଅଧିକ ଭୋଟ ପାଇଛି ବିଜେଡି । ପୂର୍ବଭଳି ଜନସେବାକୁ ଆଧାର କରି କିଭଳି ଦଳକୁ ଅଧିକ ସଂଗଠିତ କରାଯିବ ସେ ନେଇ ଜିଲ୍ଲା ଗସ୍ତ ବେଳେ ନେତା ଓ କର୍ମୀଙ୍କୁ ଗୁରମନ୍ତ୍ର ଦେବେ ନବୀନ ।

ଆଉ ନାହିଁ ବାର୍ଡ ଫ୍ଲୁ ଡର: ବିନ୍ଦାସ ଖଆନ୍ତୁ ଚିକେନ ଓ ଅଣ୍ଡା

ଭୁବନେଶ୍ବର: ବିନ୍ଦାସ୍ ଖାଆନ୍ତୁ ଚିକେନ ଓ ଅଣ୍ଡା । ବାର୍ଡ଼ ଫ୍ଲୁ ମୁକ୍ତ ହେଲାଣି ବ୍ରଏଲର ଚିକେନ୍‌ । ଚିକେନ କି ଅଣ୍ଡା ଯାହା ଖାଇଲେ କିଛି ବିପଦ ନାହିଁ । ସରକାର ଏହା ସ୍ପଷ୍ଟ କରିଛନ୍ତି । ଚଳିତବର୍ଷ ଯେଉଁ ଅଞ୍ଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା, ସେଠାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି । ସେପଟେ ବାର୍ଡ ଫ୍ଲୁ ଭୟ ଦୂର କରିବାକୁ ବିଭିନ୍ନ କୁକୁଡ଼ା ସଂଘ ତରଫରୁ ଲୋକଙ୍କୁ ମାଗଣାରେ ଚିକେନ୍‌ ପକୋଡ଼ା ଓ ଶସ୍ତାରେ ଚିକେନ୍‌ ମଧ୍ୟ ଯୋଗାଇ ଦିଆଯାଉଛି । ଏବେ ଗ୍ରାହକ, ହୋଟେଲ ବ୍ୟବସାୟୀ, ଫାର୍ମ ମାଲିକ ସମସ୍ତେ ଆଶ୍ଵସ୍ତ ।

ଏବେ ବିନା ଭୟରେ ଚିକେନ ଖାଆନ୍ତୁ, ଅଣ୍ଡା ବି ଖାଆନ୍ତୁ । କିଛି ଅସୁବିଧା ନାହିଁ । କାରଣ ବାର୍ଡ଼ ଫ୍ଲୁ ଆଉ ନାହିଁ । ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟରେ ଉତ୍ପାଦନ ହେଉଥିବା ବ୍ରଏଲର ଚିକେନ୍‌ କି ଅଣ୍ଡାରେ ଆଉ କୌଣସି ପ୍ରକାର ସଂକ୍ରମଣ ନାହିଁ । ଏ ବର୍ଷ ପୁରୀ ଜିଲ୍ଲାରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଦେଖା ଦେଇଥିଲା । ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଉଥିଲା । ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଅଧିକ ଉତ୍ତାପରେ ଚିକେନକୁ ଭଲ ଭାବେ ରୋଷେଇ କରି ଖାଇଲେ କିଛି ଅସୁବିଧା  ନାହିଁ । ରାଜ୍ୟର ବ୍ରଏଲର୍ ଚିକେନ କି ଅଣ୍ଡାରେ କୌଣସି ସଂକ୍ରମଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ବାର୍ଡ ଫ୍ଲୁ ଭୟ ଯୋଗୁଁ ମାସେ ହେଲାଣି ଚିକେନ୍‌ ବେପାର ମାନ୍ଦା ଥିଲା । ଚିକେନ୍‌ ରେଟ୍ ଖସି ଯାଇଥିଲା । ଚିକେନ କେଜି ୨୦୦ ଟଙ୍କାରୁ ଖସି ୧୨୦ରୁ ୧୬୦ ଟଙ୍କାରେ ପହଞ୍ଚିଥିଲା । ତଥାପି ଗ୍ରାହକ ଆସୁ ନଥିଲେ । ବାର୍ଡ ଫ୍ଲୁ ଭୟ ଦୂର ପରେ ଗତ ରବିବାରରୁ ଧୀରେ ଧୀରେ ଗ୍ରାହକ ଆସିଲେଣି । ତେଣୁ ବ୍ରଏଲର ଫାର୍ମ ମାଲିକ, ବ୍ୟବସାୟୀ ଏପରିକି ହୋଟେଲ ବ୍ୟବସାୟୀ ବି ଆଶ୍ଵସ୍ତ ହୋଇଛନ୍ତି । ଖସି ଥିବା ରେଟ୍ ପୁଣି ପୁରୁଣା ସ୍ତରକୁ ଆସିବାରେ ଲାଗିଛି । ଖାସି ମାଂସ ରେଟ ଅଧିକ ରହୁଥିବାରୁ ଓ ବରଫ ଦିଆ ମାଛ ଆନ୍ଧ୍ରରୁ ଆସୁଥିବାରୁ ଚିକେନ ହିଁ ଲୋକଙ୍କ ପ୍ରଥମ ପସନ୍ଦ ରହିଛି ।

ନିୟନ୍ତ୍ରଣ ବାହାରେ ଦରଦାମ, ରାଜ୍ୟ ସରକାରଙ୍କ ପଦକ୍ଷେପ ଶୂନ

ଭୁବନେଶ୍ବର: ନିୟନ୍ତ୍ରଣକୁ ଆସୁନି ଅତ୍ୟାବଶ୍ୟକ ସାମଗ୍ରୀର ଦର । କମିବ କ’ଣ ବରଂ ହୁହୁ ହୋଇ ବଢ଼ିଚାଲିଛି । ଲୋକଙ୍କୁ କନ୍ଦାଇଲାଣି ପିଆଜ ଓ ରସୁଣ ଦର । ପିଆଜ କେଜି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରସୁଣ କିଲୋ ହେଲାଣି ୪୦୦ ଟଙ୍କାରୁ ଅଧିକ । ଏହାସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହେଲାଣି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଭଣ୍ଡାରରୁ ଅଳ୍ପ କିଛି ଲୋକଙ୍କୁ ପିଆଜ ବିକିବାକୁ ନିଷ୍ପତ୍ତି ନେଇଥିବା ବେଳେ, ଓଡିଶା ସରକାରଙ୍କ ପଦକ୍ଷେପ କିନ୍ତୁ ଶୂନ । ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ବ୍ୟବସାୟୀ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଡ଼ି ଚାଲିଛି ଦିନ ପରେ ଦିନ, ମାସ ପରେ ମାସ । ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଦରଦାମ ଆକାଶଛୁଆଁ, କାନ୍ଦୁଛନ୍ତି ସାଧାରଣ ପରିବାର। କିଣି ହେଉନି ତେଜରାତିଠୁ ଆରମ୍ଭ କରି ପନିପରିବା । ଭାଉ ଦେଖାଇଲେଣି ପିଆଜ ରସୁଣ । କ’ଣ କିଣିବେ, କ’ଣ ଖାଇବେ, କେମିତି ଚାଲିବ ପରିବାର । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢୁଥିବା ବେଳେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ସଂଘ । କେମିତି ସ୍ବାଭାବିକ୍ ହେବ ସ୍ଥିତି, ସେ ନେଇ କାହାର ଚିନ୍ତା ନାହିଁ । ସମ୍ପୂର୍ଣ୍ଣ କର୍ପୋରେଟ ହାଉସ ଅଧୀନରେ ବଜାର ଦର । ପିଆଜର ସର୍ବନିମ୍ନ ଏକ୍ସପୋର୍ଟ ମୂଲ୍ୟ ସରକାର ଉଠାଇବା ପରେ କର୍ପୋରେଟ ହାଉସ ଲାଭବାନ ହେଉଛନ୍ତି । ପିଆଜ ବିଦେଶକୁ ରପ୍ତାନୀ ହେଉଥିବାରୁ ବଢ଼ି ଚାଲିଛି ଦାମ । ରସୁଣର ସ୍ଥିତି ମଧ୍ୟ ଠିକ୍ ସେୟା । ଅଳ୍ପ ମୂଲ୍ୟରେ ରସୁଣ କିଣି ପାଞ୍ଚ ଗୁଣ ମୂଲ୍ୟରେ ବିକୁଛନ୍ତି କର୍ପୋରେଟ ହାଉସ । କିନ୍ତୁ ଏ ଦିଗରେ କିଛି ପଦକ୍ଷେପ ନେଉନାହାନ୍ତି ସରକାର । ଅନ୍ୟପଟେ ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଗ୍ରାହକଙ୍କ ମଧ୍ୟରେ ତେଜିବାରେ ଲାଗିଲାଣି ଅସନ୍ତୋଷ । ତେଣୁ ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବା ସହ ସମାଧାନର ବାଟ ବାହାର କରିବାକୁ ଦାବି କରିଛି ବ୍ୟବସାୟୀ ସଂଘ ।

ସେପଟେ ଦରଦାମ ବୃଦ୍ଧିକୁ ନେଇ ଛାଟିପିଟି ହେଲେଣି ଖାଉଟି । ହେଲେ ନିଦା ବିଷ୍ଣୁପରି ବସିଛନ୍ତି ସରକାର । ଲଗାତର ଦାବି ସତ୍ତ୍ବେ ବି ସରକାରଙ୍କ ଉପରେ ପଡୁନି ପ୍ରଭାବ । କେବଳ କର୍ପୋରେଟ ହାଉସର ସ୍ବାର୍ଥ ପାଇଁ ସାଧାରଣ ଲୋକେ ବଳି ପଡୁଥିବା ଅଭିଯୋଗ କରିଛି ନାଗରିକ ସୁରକ୍ଷା ମଞ୍ଚ । ଯଦି ଦରଦାମ ହ୍ରାସ ନପାଏ, ତେବେ ଜନ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ସୁରକ୍ଷା ମଞ୍ଚ । ଅନ୍ୟପଟେ ଯୁବ ବର୍ଗ ମଧ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି ନିଜର ଅସନ୍ତୋଷ ।

ଖାଇବା ତେଲରେ ୨୦ ପ୍ରତିଶତ ଆମଦାନୀ ଶୁଳ୍କ ବସିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବ୍ୟବସାୟୀ ସଂଘ । ଖାଇବା ତେଲର ୪୫ ଦିନର ଷ୍ଟକ ପୂର୍ବ ରେଟରେ ଥିଲେ ମଧ୍ୟ ଏହାକୁ ୨୦ ପ୍ରତିଶତ ଅଧିକ ରେଟରେ ବିକ୍ରି କରାଯାଉଛି । ଯାହା ଉପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଯେଉଁଠି ଶ୍ରେଣୀଗୃହରେ ପାଠପଢ଼ା, ସେଇଟା ହଷ୍ଟେଲ: ଅବ୍ୟବସ୍ଥା ଘେରରେ ସଂସ୍କୃତ ବିଦ୍ୟାଳୟ

କେନ୍ଦୁଝର: ଶ୍ରେଣୀ ଗୃହ ଗୋଟିଏ । ସେଇଠି ପଢ଼ୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ସେହି ଶ୍ରେଣୀ ଗୃହ ପାଲଟିଛି ଛାତ୍ରଙ୍କ ପାଇଁ ହଷ୍ଟେଲ ରୁମ୍ । ଏମିତି ଅବ୍ୟବସ୍ଥାରେ ଚାଲିଛି କେନ୍ଦୁଝର ହାଟଡିହି କଳିଙ୍ଗା ପଞ୍ଚାୟତ କଇଥଗଡିଆ ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟରେ ।

ବିଦ୍ୟାଳୟର ନାହିଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ। ଗୋଟିଏ ଘରେ ଚାଲିଛି ୩ଟି ଶ୍ରେଣୀ ପିଲାଙ୍କ ପାଠପଢା । ଯେଉଁ ଘରେ ଦିନରେ ପାଠ ପଢା ହେଉଛି, ସେହି ଘରକୁ ରାତିରେ ହଷ୍ଟେଲ ଭାବେ ବ୍ଯବହାର କରୁଛନ୍ତି ଛାତ୍ର । ଏମିତି ଦୟନୀୟ ସ୍ଥିତିରେ ଚାଲିଛି ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟ । ସ୍କୁଲରେ ୬୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ବିଜେଡି ସରକାର ସମୟରେ ଏହାକୁ 5Tରେ ସାମିଲ କରାଯାଇ ସ୍କୁଲ ରୁପାନ୍ତରଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏଥିରେ ୩ଟି ଶ୍ରେଣୀଗୃହରେ ଆଜବେଷ୍ଟସ ପକାଯାଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ଦିନ କେଇଟା ଭିତରେ ଛପର ଉଡିଗଲା । ବିଡିଓ ଓ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଏଷ୍ଟିମେଟ ପ୍ରସ୍ତୁତି କରି ଅନୁମୋଦନ ପାଇଁ ଜିଲ୍ଲା ଅଫିସକୁ ପଠାଇଥିଲେ । ଏହା ଭିତରେ  ୬ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା ଅନୁମୋଦନ ହୋଇ ଆସିପାରିଲାନି ।

୮ମ, ୯ମ ଓ ୧୦ମ ଶ୍ରେଣୀର ପିଲାମାନେ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି । ଏହା ଏକ ଆବାଶିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ପିଲାମାନେ ସେହି ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଲାଭ ସହିତ ରାତ୍ରୀଯାପନ କରୁଛନ୍ତି । ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ସେ କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବିଦ୍ୟାୟଳର ଦୟନୀୟ ସ୍ଥିତି ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଭଳି ପାଠପଢା ଜାରି ରହିଲେ ପିଲାଙ୍କ ଭବିଷ୍ଯତ ଅନ୍ଧାର ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ

ଗଜପତି: ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ । ବିଜେଡି ସରକାର ସମୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଚାଷୀଙ୍କ ମନୋବଳ ସୁଦୃଢ କରିଥିଲା । ଡିଆରସିଏସ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ସହକାରୀ ନିବନ୍ଧକଙ୍କ ଦାୟିତ୍ୱରେ ପରିଚାଳିତ ହୋଇଆସୁଛି । ଏହାର ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛନ୍ତି ଚାଷୀ ସଂଗଠନ ଓ ସ୍ଥାନୀୟ ବୁଦ୍ଧିଜୀବୀ ।

କୃଷି ବିକାଶ କ୍ଷେତ୍ରରେ ସମବାୟ ସମିତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ମାଧ୍ୟମରେ ସରକାରଙ୍କ ସହାୟତା ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚିଥାଏ । ଦାର୍ଘ ଦିନର ଦାବି ପରେ ବିଜେଡି ସରକାର ସମୟରେ ଗଜପତିରେ ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ସରକାର ବଦଳି ଯାଇଛି । ତେଣୁ କାର୍ଯ୍ୟାଳୟ କେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସେ ନେଇ ଚିନ୍ତାରେ ଚାଷୀ ।

ଦୀର୍ଘ ବର୍ଷ ଧରି ଜିଲ୍ଲାର ବିଭିନ୍ନ ସମବାୟ ସମିତିର ବାର୍ଷିକ ହିସାବ ତନଖି ହୋଇ ପାରୁ ନଥିଲା । ତେଣୁ ଉପ ନିବନ୍ଧକ କାର୍ଯ୍ୟାଳୟ ସହ ସମାନ୍ତରାଳରେ ସମବାୟ ସମିତିର ସହକାରୀ ଅଡିଟର ଜେନେରାଲ କାର୍ଯ୍ୟାଳୟ ମଧ୍ୟ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଗୋଟିଏ ପରିସରରେ ସମବାୟ ସମିତି ସମୂହଙ୍କ ଉପ ନିବନ୍ଧକ, ସହକାରୀ ନିବନ୍ଧକ ଓ ସହକାରୀ ଅଡିଟର ଜେନେରାଲ କାର୍ଯ୍ୟାଳୟ ପ୍ରତିଷ୍ଠା କରି ଚାଷୀଙ୍କୁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ଚାଷୀଭାଇଙ୍କ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ଆଶା କରାଯାଇଛି ।

ଆବାସ ଯୋଜନାରେ ଦୁର୍ନୀତି: ପୁରୁଣା ଘରେ ନୂଆ ବିଲ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍

ସୋନପୁର: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ l ପୁରୁଣା ଘରକୁ ନୂଆ ଦେଖାଇ ୧ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ପୂଜାରୀ ସାହାଜ ବାହାଲ ଗାଁରୁ l ଗାଁର ପାର୍ବତୀ ଯଗଦଲାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଅlବlସ ଯୋଜନାରେ ଟଙ୍କା ଆସିଥିଲା । ଦୁଇଟି କିସ୍ତି ଟଙ୍କା ୧ ଲକ୍ଷରୁ ଊର୍ଦ୍ଧ୍ବ ଥିଲା । ପାର୍ବତୀ ଗୋଟିଏ କିସ୍ତି ଟଙ୍କା ପାଇଥିବା ବେଳେ ଘର ହେଇଯାଇଛି ବୋଲି ଆଉ ଟଙ୍କା ଆସିଲାନି । କିନ୍ତୁ ବିଲରେ ୨ଟି କିସ୍ତିର ଟଙ୍କା ଆସିଛି । ବଳକା ଟଙ୍କା ତାଙ୍କୁ ବିଭାଗୀୟ ଅଧିକାରୀ ନଦେଇ ହେରଫେର କରିଥିବା ସେ ଅଭିଯୋଗ କରିଛନ୍ତି ।

ଘର ଛାତ ପକାଇବା ପାଇଁ ଟଙ୍କା ଆସିବାକୁ ଅନାଇ ବସିଛନ୍ତି ପାର୍ବତୀ । ସେପଟେ ପୁରୁଣା ଘରକୁ ନୂଆ ଦେଖାଇ ଟଙ୍କା ନେଇ ଛୁ ବିଭାଗୀୟ ଅଧିକାରୀ । ଏକ ଲକ୍ଷରୁ ଅଧିକ ଟଙ୍କାର ବିଲ, ହେଲେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିନି ଟଙ୍କା । ଘର ତିଆରି କାମ ବି ସରିନି । କିନ୍ତୁ ଘର ହୋଇଗଲା ବୋଲି ବିଲ୍ ହୋଇଛି । ପାର୍ବତୀଙ୍କ ନାଁରେ ପ୍ରଧାନମନ୍ତ୍ରୀ ଅlବlସ ଯୋଜନା ଆସିଥିଲା । ଦୁଇଟି କିସ୍ତି ପାଇଛନ୍ତି ବୋଲି ବିଲ୍ ମଧ୍ଯ ହୋଇଥିଲା । କିନ୍ତୁ ମହିଳା ଜଣଙ୍କ ତାଙ୍କ ଶ୍ବଶୁରଙ୍କ ଘର ଟଙ୍କା ମିଶାଇ ୬୦ ହଜାର ଟଙ୍କା ଉଠାଇଛନ୍ତି । ବଳକା ଟଙ୍କା ଘୋଟାଲା ହୋଇଥିଲା ଅଭିଯୋଗ କରିଛନ୍ତି ।

ପୁରୁଣା ଘର ଦେଖାଇ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିଥିବା ଗାଁର ଯୁବକ ସରୋଜ ବାରିକ ବିଡିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ପୁରୁଣା ଘରେ ଦୁଇ ଦୁଇ ଥର କେମିତି ବିଲ୍ ହେଲା ବୋଲି ପ୍ରଶ୍ନ ଉଠିଛି l ଏନେଇ ତଦନ୍ତ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ବିନିକା ବିଡିଓ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଦୁର୍ନୀତିର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହିତାଧିକାରୀ ।

କାଲିଠୁ ୧୦ ହଜାର ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଏମସା ନମାନିବାକୁ ଚେତାବନୀ

ଭୁବେନଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଛି ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହେବେ ୧୫ ହଜାର କର୍ମଚାରୀ । ଏସମା ଆଦେଶକୁ ବି ମାନିବେନି ବୋଲି ଚେତାବନୀ ଦେଇଛି ସଂଘ । ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି ସହ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି ।

ସେହିପରି ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସିଏଚଓ ପଦବୀରୁ ଫେରାଇ ଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ସଂଘ ଦାବି କରିଛି । ଏନଏଚଏମ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚଓଙ୍କୁ ନିଯୁକ୍ତି ଦାବି କରିଛି ସଂଘ ।

୨୫ ଓ ୨୬ ତାରିଖ ଦୁଇଦିନ ଆନ୍ଦୋଳନ ଚାଲିବ । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଯଦି ସରକାର ଦାବି ନଶୁଣନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ ରୋଗୀ ସେବା ବନ୍ଦ କରିଦିଆଯିବ ବୋଲି ମହାସଂଘ ଚେତାବନୀ ଦେଇଛି ।

ଦେଢ଼ ଲକ୍ଷରୁ ଅଧିକ ଟଙ୍କାରେ ଇ-ଓ୍ବେଷ୍ଟ ବିକ୍ରି କଲା ବିଏମସି

ଭୁବନେଶ୍ବର: ବିଏମସି ବିକ୍ରି କଲା ଇ- ୱେଷ୍ଟ୍ । ଇ-ବର୍ଜ୍ୟରୁ ମିଳିଲା ଦେଢ଼ ଲକ୍ଷରୁ ଅଧିକ ଟଙ୍କା । ସଂଗୃହୀତ ଇଲେକ୍ଟ୍ରୋନିକ୍‌ ବର୍ଜ୍ୟ ସୀକୃତିପ୍ରାପ୍ତ ପୁନଃଚକ୍ରଣକାରୀ ସଂସ୍ଥାକୁ ବିକ୍ରି କରି ସେ ବାବଦକୁ ଏହି ଅର୍ଥ ବିଏମସି ପାଇଛି । ଗତ ୬ ମାସ ମଧ୍ୟରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ହୋଇଥିବା ୧୦ ହଜାର ୩ ଶହ କେଜିର ଏହି ଇ-ବର୍ଜ୍ୟ ବିକ୍ରି କରାଯାଇଛି ।

ଏହି ଇ-ବର୍ଜ୍ୟରେ ରହିଛି ବିଦ୍ୟୁତ୍ ବଲ୍, କେବୁଲ୍, ଟିଭି, ଲାପଟପ୍, ମୋବାଇଲ, ଇଣ୍ଡକ୍‌ସନ୍ ଚୁଲା, ମଶା ଧୂପ ଦେବା ରିଫିଲ, ମଶାମରା ବ୍ୟାଟ୍ ଇତ୍ୟାଦି । ପ୍ରତି ଶନିବାର ୪୩୫ଟି ସଫେଇ ଗାଡିରେ ଥିବା ସତନ୍ତ୍ର ଇ-ବର୍ଜ୍ୟ ଡଷ୍ଟବିନରେ ଏହି ବର୍ଜ୍ୟବସ୍ତୁ କର୍ମୀଙ୍କ ଦ୍ବାରା ସଂଗ୍ରହ କରାଯାଉଛି । ଯେଉଁ ଅଞ୍ଚଳକୁ ଗାଡି ଯାଇପାରୁ ନାହିଁ, ସେ ଅଞ୍ଚଳରୁ ଟ୍ରଲି ଜରିଆରେ ସମସ୍ତ ପ୍ରକାର ବର୍ଜ୍ୟ ସଂଗ୍ରହ କରାଯାଉଛି । ଏହି ବର୍ଜ୍ୟ ଭୁବନେଶ୍ବରର ସମୁଦାୟ ୨୨ଟି ସଂପଦ କେନ୍ଦ୍ରରେ ସଂଗ୍ରହ ହୋଇ ନୟାପଲ୍ଲୀରେ ସବୁ ବର୍ଜ୍ୟର ବର୍ଗୀକରଣ କରାଯାଉଛି ।

ବିଏମସିର ଦୈନିକ ବର୍ଜ୍ୟ ସଂଗ୍ରହରେ ସମସ୍ତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାର ଅଞ୍ଚଳରୁ ସଂଗ୍ରହ କରାଯାଏ । ବିଶେଷକରି ଯେଉଁସବୁ ଅନୁଷ୍ଠାନରେ ଏହି ପ୍ରକାରର ବର୍ଜ୍ୟ ରହିଛି, ସେମାନେ ‘ସଫା ଭୁବନେଶ୍ବର ଆପ’ ମାଧ୍ଯମରେ ବିଏମସିକୁ ଯୋଗାଯୋଗ କରିବାକୁ କୁହାଯାଉଛି । ନିଜ ଅଞ୍ଚଳର ସ୍ୱଚ୍ଛ ସାଥୀଙ୍କ ସହ‌ଯୋଗ ନେଇ ଓ କ୍ୟୁଆର୍ କୋଡ୍ ସ୍କାନ୍ କରି ଜଣାଇ ପାରିବେ । ଭୁବନେଶ୍ବରର ପରିମଳ ଦାୟିତ୍ବ ଏକ ଜନ ଆନ୍ଦୋଳନ, ଏଥିରେ ଅଧିକରୁ ଅଧିକ ନାଗରିକଙ୍କ ସହଯୋଗ ପାଇଁ ବିଏମସି ଅନୁରୋଧ କରିଛି ।