spot_img
Home Blog Page 1497

ଆସନ୍ତା ୨୫ରେ ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଗତକାଲି ସରିଛି ଦ୍ଵିତୀୟ ପର୍ଯ୍ଯାୟ ପ୍ରଚାର। ଦ୍ଵିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ପ୍ରମୁଖଙ୍କ ସହ ପ୍ରାର୍ଥୀ ଜୋରଦାର ପ୍ରଚାର କରିଥିଲେ। ସେପଟେ ଆସନ୍ତାକାଲି ଭୋଟଗ୍ରହଣ ଥିବାରୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ପାର୍ଟି। ଜିଲ୍ଲା ପ୍ର

ଆସନ୍ତାକାଲି ରଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ବଡଗାମ, ଗନ୍ଦେରବଲ ଜିଲ୍ଲାରେ ଭୋଟଗ୍ରହଣ ହେବ। ଆସନ୍ତାକାଲି ୨୫ ତାରିଖରେ ଜାମ୍ମୁ କାଶ୍ମୀର ୨୬ ଆସନରେ ହେବ ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ୨୩୯ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି। ବୁଧବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟରଙ୍କ ମଧ୍ୟରେ ୧୮ରୁ ୧୯ ବର୍ଷ ବୟସର ୧ ଲକ୍ଷ ୨୦ ହଜାର ଭୋଟର ରହିଛନ୍ତି।

ଆତଙ୍କବାଦୀ ସଙ୍ଗଠନ ହେଜବୁଲ୍ଲା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୨୭୪ ମୃତ

ନୂଆଦିଲ୍ଲୀ:  ହେଜବୁଲ୍ଲା ଉପରେ ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକ । ଅଢ଼େଇ ଶହରୁ ଅଧିକ ଲୋକଙ୍କ ମୃତ୍ଯୁ । ୭ ଶହରୁ ଅଧିକ ଲୋକ ଆହତ । ଲେବାନନର ଦକ୍ଷିଣ ଅଞ୍ଚଳରେ ସକାଳୁ ଚାଲିଛି ଜୋରଦାର ଆକ୍ରମଣ । ବର୍ତ୍ତମାନ ସୁଦ୍ଧା ୨୭୪ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ମେଡିକାଲ କର୍ମଚାରୀ ରହିଛନ୍ତି ।

ଗାଜା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠାରୁ ଏହା ସବୁଠାରୁ ଭୟାନକ ଆକ୍ରମଣ ବୋଲି କୁହାଯାଉଛି । ପାଖାପାଖି ଲେବାନନର ୩ ଶହରୁ ଅଧିକ ସ୍ଥାନକୁ ଟାର୍ଗେଟ କରି ହୋଇଛି ଏହି ଏୟାର ଷ୍ଟ୍ରାଇକ । ମିସାଇଲ ଓ ରକେଟ ଦ୍ଵାରା ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପୂର୍ବରୁ ଲେବାନନର ବାସିନ୍ଦାଙ୍କୁ ଇସ୍ରାଏଲ ପକ୍ଷରୁ ଆଲର୍ଟ ମେସେଜ୍ ମଧ୍ୟ ପଠାଯାଇଥିଲା ।

ଇସ୍ରାଏଲ ଆକ୍ରମଣ ପରେ ଲେବାନନରେ ଆଜି ଓ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦେଇଛି ଲେବାନନ ସରକାର । ଦୋକାନ ବଜାର ମଧ୍ୟ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଇସ୍ରାଏଲର ଏହି ଆକ୍ରମଣ ପରେ ହେଜବୁଲ୍ଲା ମଧ୍ୟ ପ୍ରତି ଆକ୍ରମଣ କରିଛି । ଏୟାର ଷ୍ଟ୍ରାଇକ ପରେ ଲେବାନନ ତରଫରୁ ୩୫ ରକେଟ ମାଡ଼ କରାଯାଇଥିଲା । ତେବେ ଇସ୍ରାଏଲରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ରାଜଧାନୀ ବେରୁତ ଓ ଅନ୍ୟ ଅଂଚଳରେ ଲୋକଙ୍କୁ ଲ୍ଯାଣ୍ଡଲାଇନ ଜରିଆରେ ଆକ୍ରମଣ ନେଇ ଆଲର୍ଟ ମେସେଜ ଆସିଥିଲା । କିଛି ଦିନ ପୂର୍ବୁର ହେଜବୁଲ୍ଲାକୁ ଟାର୍ଗେଟ କରି ପେଜର ଓ ୱାକିଟକି ହମଲା ହୋଇଥିଲା । ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ ।

ଭରତପୁର ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

କଟକ: ଭରତପୁର ଥାନା ଘଟଣା ନେଇ ନିଜ ଆଡୁ କରିଥିବା ମାମଲାର ଶୁଣାଣି କରି ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ କରିବା ପାଇଁ ସିଧା ସିଧା ମନା କରି ଦେଇଛନ୍ତି କୋର୍ଟ । ତେବେ ଘଟଣାରେ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଆମିକସ କ୍ଯୁରି ଭାବେ ନିଯୁକ୍ତ କରିଛନ୍ତି ଉଚ୍ଚ ନ୍ଯାୟାଳୟ ।

ହାଇକୋର୍ଟର ମୁଖ୍ଯ ବିଚାରପତି ଚକ୍ରଧାରୀ ଶରଣ ସିଂ ଓ ବରିଷ୍ଠ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ବେଳେ ପୋଲିସ ଥାନାର ବ୍ଯବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ କରିଛନ୍ତି ଯେ, ରାତି ଅଧରେ ଦୁଇ ଜଣ ଥାନାରେ ଅଘଟଣ ଘଟାଇବା ପାଇଁ ଯୋଜନା କରି ଥାନାକୁ ଯାଇଥିଲେ କି ? ଥାନା ଭିତରେ ସେଦିନ ଯାହା ଘଟିଲା ତାହା ଏପର୍ଯ୍ୟନ୍ତ ରହସ୍ଯ ହୋଇ ରହିଛି । ଏହାର ସଠିକ ତଦନ୍ତ ହେବା ଆବଶ୍ଯକ ଅଛି । ଏଥିସହ ଥାନାରେ ସିସିଟିଭି ନଥିବା ନେଇ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ ।

ରାଜ୍ଯ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଛି, ରାଜ୍ଯରେ ୬୫୦ଟି ଥାନା ଥିବାବେଳେ ସେଥିମଧ୍ଯରୁ ୫୯୩ଟି ଥାନାରେ ସିସିଟିଭି ଅଛି । ବାକି ୫୭ଟି ଥାନାରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ସିସିଟିଭି ସଂପର୍କରେ ଅଦାଲତରେ ଦାଖଲ କରିବା ପାଇଁ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ସଂପୃକ୍ତ କ୍ଯାପେଟନ, ତାଙ୍କ ବାନ୍ଧବୀ ବା ରୋଡ ରୋମିଓଙ୍କ ପରିଚୟ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅଦାଲତ କଟକଣା ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ ତାରିଖରେ କରାଯିବ ।

ସୂଚନାଯୋଗ୍ୟ, ଗତ ବିଧାନସଭା ଅଧିବେଶନ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଗୃହକୁ ରାଜ୍ୟର ଥାନାଗୁଡିକରେ ସିସିଟିଭି ଷ୍ଟାଟସ ନେଇ ଉତ୍ତର ରଖିଥିଲେ । ଉତ୍ତରରେ କହିଥିଲେ ଯେ, ରାଜ୍ୟର ସବୁ ଥାନାରେ ସିସିଟିଭି ରହିଛି । ଏହାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ବଲିଉଡ଼ ଫିଲ୍ମ ‘ଲାପତା ଲେଡିଜ’କୁ ଓସ୍କାର ଏଣ୍ଟ୍ରି

ମୁମ୍ବାଇ: ଅଭିନେତା ଆମୀର ଖାଁଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ଫିଲ୍ମ ‘ଲାପତା ଲେଡିଜ’କୁ ମିଳିଛି ଓସ୍କାର ଏଣ୍ଟ୍ରି । ଫଳରେ କିରଣଙ୍କ ସ୍ବପ୍ନ ପୂରଣ ହୋଇଛି ବୋଲି କୁହାଯାଉଛି । ଓସ୍କାର ଆୱାର୍ଡ ୨୦୨୫ ପାଇଁ ‘ଲାପତା ଲେଡିଜ’ ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗରେ ଟିକେଟ ପାଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ନେଇ ଘୋଷଣା କରିଛନ୍ତି ।

‘ଲାପତା ଲେଡିଜ’ ଆମୀର ଖାଁଙ୍କ ପ୍ରଡକ୍ସନ ବ୍ଯାନରରେ ନିର୍ମାଣ କରାଯାଇଛି । ଏହି ଫିଲ୍ମ ସମାଲୋଚକ ଓ ଦର୍ଶକଙ୍କଠାରୁ ଡେର ଭଲ ପାଇବା ସହ ଅନେକ ପୁରସ୍କାର ହାସଲ କରିଛି । ଏହି ଫିଲ୍ମକୁ କିରଣ ରାଓ ନିର୍ଦ୍ଦେଶନା ଦେଇଛନ୍ତି ।

ଚଳଚ୍ଚିତ୍ରଟି ଗତ ମାର୍ଚ୍ଚ ପହିଲାରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରରେ ନିତାଂଶୀ ଗୋୟଲ, ପ୍ରତିଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ଗ୍ରାମାଞ୍ଚଳର କାହାଣୀ ପ୍ରଦର୍ଶିତ ହୋଇଛି । ମାତ୍ର ୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୨୧ କୋଟିରୁ ଅଧିକ ଆୟ କରିଥିଲା । ଅତ୍ୟନ୍ତ ହାସ୍ଯରସ୍ଯରେ ଭରପୂର ଥିବାରୁ ସବୁ ମହଲରେ ଫିଲ୍ମଟି ପ୍ରଶଂସା ସାଉଁଟିଥିଲା । ୨୦୨୫ ମାର୍ଚ୍ଚ ୨ ରବିବାର ଦିନ ୯୭ତମ ଓସ୍କାର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।

ଅଭିଯୋଗ ପ୍ରକୋଷ୍ଠକୁ ଆସି ମହିଳା ହଟହଟା, ମିଳିଲାନି ମୁଖ୍ୟମନ୍ତ୍ରୀ ଦେଖା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବାକୁ ଆସି ମହିଳା ହଟହଟା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ନପାଇ ନିରାଶ । ଏମିତି ଅଭିଯୋଗ ଆଣିଛନ୍ତି କଟକର ଜଣେ ମହିଳା । ମହିଳା ଆଣିଥିବା ଅଭିଯୋଗ ଗୃହ ବିଭାଗ ଅଧୀନର ଥିଲା । ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ବି ଉପସ୍ଥିତ ଥିଲେ । ହେଲେ ଅଭିଯୋଗକାରୀଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ନଶୁଣି, ଶୁଣିଥିଲେ ବିଭାଗୀୟ ଅଧିକାରୀ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ଜଣଙ୍କ ।

ଅଭିଯୋଗ ଅନୁସାରେ, ସ୍ବାମୀଙ୍କ ବିୟୋଗ ପରେ ଥଇଥାନ ଯୋଜନାରେ ଚାକିରି ପାଇଁ ୪ ବର୍ଷ ଧରି ଦୌଡୁଛନ୍ତି କଟକର ସସ୍ମିତା ସାବତ । କଟକରେ ଅଗ୍ନିଶମ ଅଧିକାରୀ ଥିବା ତାଙ୍କ ସ୍ବାମୀଙ୍କର ଡ୍ୟୁଟି ସମୟରେ ବିୟୋଗ ଘଟିଥିଲା । ଅନୁକମ୍ପା ମୂଳକ ଚାକିରି ପାଇଁ ଗୁହାରୀ କରୁଥିଲେ ବି କେହି ଶୁଣୁ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇବାକୁ ଆସିଥିଲେ । ହେଲେ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କୁ ମୁଖ୍ୟମନ୍ତ୍ରୀ ସହ ଭେଟିବାର ସୁଯୋଗ ମିଳିଲା ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘଦିନ ପରେ ପୁଣି ଖୋଲିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ହଜାରେରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ଅଧିକାରୀ । ଦିବ୍ୟାଙ୍ଗ, ଅବହେଳିତ, ପଛୁଆ ବର୍ଗ ଓ ମହିଳାଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲକ୍ଷ୍ୟରେ ସରକାର କାମ କରୁଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି । ଆଗକୁ ଜିଲ୍ଲାସ୍ତରରେ ବି ଅଭିଯୋଗ ଶୁଣାଣି ହେବ ବୋଲି ଜଣାପଡ଼ିଛି । ଆଜି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର: ଭାରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଦୋଳନରୁ ଓହରିଲା ବିଜେଡି

ଭୁବନେଶ୍ବର: ବିଜେଡି ଦାବି ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରାକର । ଦାବି ପୂରଣ ହୋଇଥିବାରୁ ଆସନ୍ତାକାଲି ଭୁବନେଶ୍ବର ବନ୍ଦ ନିଷ୍ପତ୍ତିରୁ ଓହରିଛି ବିଜେଡି । ଭରତପୁର ଥାନା ଘଟଣାରେ ନବୀନ ପଟ୍ଟନାୟକଙ୍କ ଦାବି ରାଜ୍ୟ ସରକାର ମାନି ନେଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଜେଡି କହିଛି, ନିହାତି ଆବଶ୍ୟକ ନ ହେଲେ ଦାୟିତ୍ଵ ସଂପନ୍ନ ଦଳ ଭାବେ ଜନ ସାଧାରଣଙ୍କୁ ଅସୁବିଧାରେ ପକାଇବାକୁ ଉଚିତ ମନେ କରୁନାହୁଁ । ଡେରି ହେଲେ ବି ନବୀନଙ୍କ ଦାବି ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୬୦ ଦିନ ଭିତରେ ଘଟଣାର ନିରପେକ୍ଷ ତଦନ୍ତର ରେଜଲ୍ଟକୁ ଅପେକ୍ଷା କରିଛି ଦଳ । ପୀଡ଼ିତାଙ୍କୁ ନ୍ୟାୟ ନମିଳିଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ, ଅପରାଧୀଙ୍କ ପାଇଁ ଦୃଷ୍ଟାନ୍ତ ହୋଇଥାନ୍ତା ବୋଲି ବିଜେଡି କହିଛି ।

ଭରତପୁର ଥାନା ଲଜ୍ଜା ଘଟଣାରେ ବିଜେଡି ଆସନ୍ତାକାଲି ଭୁବନେଶ୍ଵର ବନ୍ଦ କରିବନି । ନବୀନ ପଟ୍ଟନାୟକଙ୍କ ଦାବିକୁ ମାନି ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଭୁବନେଶ୍ଵର ବନ୍ଦ ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛି ବିଜେଡି । ପୀଡ଼ିତାଙ୍କ ନ୍ୟାୟ ପାଇଁ ନିର୍ଦ୍ଧାରିତ ୬୦ ଦିନକୁ ଅପେକ୍ଷା କରିଛି । ପୂର୍ବରୁ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଶ୍ନ ଉଠିଥିଲା, ପୋଲିସ ବିରୋଧରେ ପୋଲିସ କିପରି ତଦନ୍ତ କରିବ । ତେଣୁ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ତାକୁ ରାଜ୍ୟ ସରକାର ମାନି ନେଇଛନ୍ତି ।

ସେପଟେ ବିଜେପି ସରକାର ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଥିଲେ ରାଜ୍ୟପାଳଙ୍କ ପୁଅ । ନ୍ୟାୟ ପାଇଁ ପ୍ରବଳ ଦାବି ପରେ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ୧୫ ଦିନରେ ରିପୋର୍ଟ ଆସିବା କଥା, କିନ୍ତୁ ଏଯାଏଁ ରିପୋର୍ଟ ଆସିନି । ଏଥିସହ ରାଉରକେଲା ନାବାଳିକା ଗଣଦୁଷ୍କର୍ମ, ନବରଙ୍ଗପୁରରେ ଭାତ୍ରା ସମ୍ପ୍ରଦାୟର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ, ଭରତପୁର ଥାନା ଲଜ୍ଜା ପରି ଘଟଣା ଖବରର ଶିରୋନାମା ପାଲଟିଛି । ବିଜେଡି ଦାବି କରିଛି, କାହାଣୀ ନ କହି ରାଜ୍ୟ ସରକାର କାମ କରନ୍ତୁ ଓ ଦିନ ନ ଗଡ଼ାଇ ତୁରନ୍ତ ନ୍ୟାୟ ଦିଅନ୍ତୁ ।

ବିଜେପି ସରକାର ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ଭରତପୁର ଥାନା ଘଟଣା ୧୪ ତାରିଖ ରାତିରେ ହୋଇଥିବା ବେଳେ ୧୭ ତାରିଖରେ ସୁଭଦ୍ରା ଯୋଜନା ପାଇଁ ମୋଦିଙ୍କ ଗସ୍ତ ଥିବାରୁ ଏହାକୁ ଚାପି ଦେବାକୁ ଚେଷ୍ଟା କରିଥିଲା ବିଜେପି । ବିଜେଡି ପକ୍ଷରୁ ସନ୍ଦେହ କରାଯାଇଛି,  ୪ ଦିନ ହେଲାଣି ପୋଲିସ ପୀଡ଼ିତାଙ୍କ ଏକପାଖିଆ ଭିଡିଓ ଭାଇରାଲ୍ କରି ତାଙ୍କର ଚରିତ୍ର ସଂହାର କରୁଛି । ପ୍ରମାଣ ନଷ୍ଟ କରାଯାଉଥିବା ବି ଦଳ ସନ୍ଦେହ କରିଛି । ତେଣୁ ନ୍ୟାୟିକ ତଦନ୍ତ ପୂର୍ବରୁ ଟର୍ମସ ଅଫ ରେଫରାନ୍ସ ଘୋଷଣା କରି କୋର୍ଟ ଆଗରେ ଅନ୍ତରୀଣ ରିପୋର୍ଟ ରଖାଯାଉ ବୋଲି ଦଳ ଦାବି କରିଛି ।

ରାଜନୀତି ନୁହେଁ, ବରଂ ପୀଡ଼ିତାଙ୍କୁ ନ୍ୟାୟ ଓ ମହିଳାଙ୍କ ସମ୍ମାନ ରକ୍ଷା ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ଫୋକସରେ ରହି ଆସିଛି । ହେଲେ ବିଜେପି ସରକାରର ପ୍ରଥମ ୧୦୦ ଦିନରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଯୋଗୁଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେଉଛି ।

ଚିକିଟି ମଦମୃତ୍ୟୁ ପରେ ବି ପଶୁନି ଚେତା, ଏବେ ବି ଗାଁ ଗାଁରେ ଚାଲିଛି ବେଆଇନ ଦେଶୀ ମଦ ଭାଟି

ଗଞ୍ଜାମ: ଚିକିଟି ମଦମୃତ୍ଯୁ ପରେ ବି ଚେତୁ ନାହାନ୍ତି ଲୋକେ । ଏବେ ବି ଆସିକା ସମେତ ଧରାକୋଟ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ଦେଶୀ ମଦ ରନ୍ଧା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ମଦ ଜବତ କରାଯିବା ସହିତ ପୋଚ ନଷ୍ଟ କରାଯାଉଛି । ଅନେକ ସ୍ଥାନରୁ ବେଆଇନ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ ମଧ୍ଯ କରାଯାଉଛି । ହେଲେ ବେଧଡକ ଭାବେ ଚାଲିଛି ମଦ ରନ୍ଧା । ଅବକାରୀ ବିଭାଗ ଅଗୋଚରରେ ନା ସଲାସୁତରାରେ ଏହି ବେଆଇନ ଦେଶ ମଦ ବେପାର ହେଉଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଚିକିଟି ମଦ ଟ୍ରାଜେଡି ନେଲା ୫ ଜୀବନ । ସାରା ଦେଶର ସିରୋନାମା ପାଲଟିଲା ଚିକିଟି ଅଞ୍ଚଳ । ଏହା ପରେ ବି ଗଞ୍ଜାମ ଜିଲ୍ଲରୀ ବିଭିନ୍ନ ଅଞ୍ଚଳରେ ଏବେ ବି ଚାଲିଛି ବେଆଇନ ଦେଶୀ ମଦ ଭାଟି । ବିଶେଷ କାି ଆସିକା ଓ ଧରାକୋଟ ଅଞ୍ଚଳରେ ବେଧଡକ ଚୋରା ମଦ ବେପାର ଚାଲିଛି ।

ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଆସିକାର ବିଭିନ୍ନ ଜାଗାରେ ବେଆଇନ ମଦ ତିଆରି କରାଯାଉଥିବା ନେଇ ଅଭିଯୋଗ ହେଉଛି । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରି ମଦ ଜବତ କରାଯିବା ସହିତ ପୋଚ ନଷ୍ଟ କରାଯାଉଛି । ଅନେକ ସ୍ଥାନରୁ ବେଆଇନ ମଦ ପ୍ରସ୍ତୁତକାରୀ ମାନଙ୍କୁ ଗିରଫ କରୁଛି ଅବକାରୀ ପୋଲିସ । ଗିରଫ ପରେ ବି ଚୋରା ମଦ କାରବାରକାରୀଙ୍କ ମନରେ ନାହିଁ ଟିକେବି ଭୟ । ଜେଲରୁ ବାହାରିବା ପରେ ପୁଣି ଆରମ୍ଭ କରି ଦେଉଛନ୍ତି ବେପାର ।

ଏବେ ପ୍ରଶ୍ନ ଉଠୁଛି ବେଆଇନ ମଦ ରନ୍ଧାର କେବେ ହେବ ଅନ୍ତ । କାରଣ ବିଷାକ୍ତ ମଦ ପିଇବା ପରେ ଅନେକ ସମୟରେ ଲୋକ ଅସୁସ୍ଥ ହେଉଛନ୍ତି । ଚିକିଟି ଘଟଣା ୫ଟି ପରିବାରକୁ ଖାରଖାର କରି ଦେଇଛି । ହେଲେ ବେଆଇନ ମଦରନ୍ଧା ଉପରେ କାହିଁକି ରୋକ ଲାଗି ପାରୁନି ତାକୁ ନେଇ ବିଚାର କରାଯିବାର ସମୟ ଆସିଛି । ନିର୍ବାଚନ ବେଳେ ବିଜେପି ସରକାର ବେଆଇନ ଭାବେ ରନ୍ଧା ହେଉଥିବା ମଦ ଉପରେ ରୋକ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏବେ ପାଣିର ଗାର ପାଲଟିଥିବା ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।

ଅପରପକ୍ଷେ ଚିକିଟି ମଦ ମୃତ୍ୟୁ ପରଠୁ ଆକ୍ସନ ମୁଡରେ ରହିଛି ଆସିକା ଅବକାରୀ ବିଭାଗ । ସବୁଠି ଚାଲିଛି ଧରପଗଡ l ବିଭିନ୍ନ ସ୍ଥାନରୁ ଜବତ ହେଇଛି ବେଆଇନ ରନ୍ଧା ମଦ । ଗତ ଅଗଷ୍ଟ ୧୯ ତାରିଖରୁ ଆଜି ଯାଏଁ ଆସିକା ରେଞ୍ଜ ଓ ସେକ୍ସସନରେ ମୋଟ ୨୯ଟି ସ୍ଥାନରେ ଚଢ଼ାଉ ହୋଇଛି । ଏହାକୁ ନେଇ ୨୯ଟି ମାମଲା ରେଜିଷ୍ଟେସନ ହୋଇଥିବା ବେଳେ ୧୨ଟି ମାମଲା ରୁଜୁ ହୋଇଛି । ଏହାସହ ବେଆଇନ ଚୋରା ମଦ ପ୍ରସ୍ତୁତି ଓ ବିକ୍ରୟରେ ୨୧ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣା ସ୍ଥଳରୁ ଜବତ ମୋଟ ୪୫ ହଜlର ଆଠ ଶହ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୧୬ ଶହ ୧୮ ଲିଟର ମଦ ଜବତ କରିଛି ଅବକାରୀ ବିଭାଗ ।

ଗାଡି ଧକ୍କା ଦେବା ପରେ ମାଡ଼ ମାରି ଫେରାର ହୋଇଗଲେ, ଇଟାଭାଟି ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ବର: ପ୍ରଥମେ ଗାଡି ଧକ୍କା ଦେଲେ । ତା’ପରେ ଉଠାଇ ନେଇ ନିସ୍ତୁକ ମାଡ ମାରି ଇଟାଭାଟି ପାଖରେ ଫିଙ୍ଗି ଦେଇ ଫେରାର ହେଲେ ଦୁର୍ବୃତ୍ତ । ଗାଡି ଧକ୍କା ଓ ମାଡ ଯୋଗୁଁ ଗୁରୁତର ଶ୍ରମିକଙ୍କ ଶେଷରେ ହୋଇଗଲା ମୃତ୍ୟୁ । ଏମିତି ଘଟଣା ଘଟିଛି ବାଲେଶ୍ବର ଉପକଣ୍ଠରେ ।

ଅଭିଯୋଗ ଅନୁସାରେ ପଶ୍ଚିମବଙ୍ଗ ଝାଡ଼ଗ୍ରାମର ଟିକୁ ସିଂ, ବାଲେଶ୍ବର ଉପଖଣ୍ଡରେ ଇଟାଭାଟି ଶ୍ରମିକ ଭାବେ କାମ କରୁଥିଲେ । ଟିକୁ ବାଲେଶ୍ବରରୁ ଏକ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ କଣ୍ଟାବଣିଆ ଛକରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା ।

ହେଲେ ବାଇକ ଆରୋହୀମାନେ ତାଙ୍କୁ ମେଡିକାଲ ନେବା ବଦଳରେ ରାସ୍ତାରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଟିକୁଙ୍କୁ ଇଟାଭାଟି ନିକଟରେ ଛାଡି ଫେରାର ହୋଇଯାଇଥିଲେ ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଟିକୁଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତ ବାଇକ ଆରୋହୀଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ବର ଜିପିଆରଏସ ଲେଜର ସ୍କାନିଂ

କୋଣାର୍କ: ସୂର୍ଯ୍ୟମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵର ହେଲା ଜିପିଆରଏସ୍ ଲେଜର ସ୍କାନିଂ । ଶୀଘ୍ର ସୂର୍ଯ୍ୟମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵର ଆଜି ଭୂତଳ ଜିପିଆରଏସ ଲେଜର ସ୍କାନିଂ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପୁରୀ ସର୍କଲର ଅଧୀକ୍ଷକ ଡିବି ଗଡନାୟକ ଓ ଡେପୁଟି ଇଂଜିନିଅର ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ହାଇଦ୍ରାବାଦ ସ୍ଥିତ ନ୍ଯାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ NGRIର ୩ ଜଣିଆ ବୈଜ୍ଞାନିକଙ୍କୁ ଟିମ ଏହି ଲେଜର ସ୍କାନିଂ ଆରମ୍ଭ କରିଛନ୍ତି ।

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ଵର ଜିପିଆରଏସ ଲେଜର ସ୍କାନିଂ ଦ୍ୱାରା ଭୂତଳ ସର୍ବେକ୍ଷେଣ କରାଯାଇଛି । ବରିଷ୍ଠ ବୈଜ୍ଞାନିକ ଡକ୍ଟର ଏ.କେ. ପାଣ୍ଡେଙ୍କ ସମେତ ବୈଜ୍ଞାନିକ ନୀଲେଶ କୁମାର ଜୈସ୍ଵାରା ଓ ବୈଜ୍ଞାନିକ ସତୀଶ ଚନ୍ଦ୍ର ବର୍ମା ପ୍ରମୁଖ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ଜିପିଆରଏସ ଲେଜର ସ୍କାନିଂ କରିଥିଲେ ।

ମେସିନ ମାଧ୍ୟମରେ ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଅନୁଧ୍ୟାନ କରି ମାଟି ତଳେ କିଛି ଭଗ୍ନ ମନ୍ଦିର କି କୌଣସି ନିର୍ମାଣ ସୌଧ ରହିଛି, ତାକୁ ଟିକିନିଖି ଅନୁଧ୍ୟାନ କରି ଭୂତଳ ସର୍ବେକ୍ଷେଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସର୍ବେକ୍ଷଣ ପରେ ଜଣାପଡିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବ ମାଟି ତଳେ କ’ଣ ରହିଛି ତାହା ଜଣାପଡ଼ିବ । ଅତ୍ୟାଧୁନିକ ଜିପିଆରଏସ ଲେଜର ସ୍କାନିଂ ରିପୋର୍ଟ ମିଳିବା ପରେ ସୂର୍ଯ୍ୟମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ।

ଆଇସିଏମଆର୍ ରିପୋର୍ଟ: କାମ ଦେଉନି ନିମୋନିଆ, ଟାଇଫଏଡ ଔଷଧ

ଭୁବନେଶ୍ବର: କଷ୍ଟସାଧ୍ୟ ହେଲାଣି ନିମୋନିଆ, ଟାଇଫଏଡ୍ ପରି ରୋଗର ଚିକିତ୍ସା । ରକ୍ତ ସଂକ୍ରମଣ, ପରିସ୍ରା ନଳୀରେ ସଂକ୍ରମଣର ଚିକିତ୍ସା ବି ଧୀରେ ଧୀରେ ହେଉଛି କଷ୍ଟସାଧ୍ୟ । କାରଣ ଏହି ସବୁ ରୋଗର ଚିକିତ୍ସା ପାଇଁ ଯେଉଁ ଆଣ୍ଟିବାଓଟିକ୍ସ ବ୍ୟବହାର କରାଯାଏ, ତାହା ଆଉ କାମ କରୁନି ।

ଯେଉଁ ବ୍ୟାକଟେରିଆ ଯୋଗୁଁ ଏହି ସବୁ ରୋଗ ହେଉଛି, ସେହି ବ୍ୟାକଟେରିଆ ଆଣ୍ଟିବାଓଟିକ୍ସ ରେଜିଷ୍ଟାନ୍ସ ହୋଇ ଗଲେଣି । ଅର୍ଥାତ ସେହି ବ୍ୟାକଟେରିଆ ଉପରେ ଆଣ୍ଟିବାଓଟିକ୍ସ କାମ କରୁନି ।

ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ଏହି ରିପୋର୍ଟ ଦେଇଛି । ଏହାକୁ ନେଇ ଚିକିତ୍ସା କ୍ଷେତ୍ରରେ ବଡ଼ ଚିନ୍ତା ପ୍ରକାଶ ପାଇଛି । ଶ୍ଵାସଜନିତ ସଂକ୍ରମଣ, ସେପସିସ୍‌, ଡାଇରିଆ କ୍ଷେତ୍ରରେ ବି ଏପରି ହେଉଛି । ୨୦ ପ୍ରତିଶତ ବି କାମ ଦେଉନି ଆଣ୍ଟିବାଓଟିକ୍ସ । ସାରା ଦେଶରେ ୨୦୨୩ ଜାନୁଆରୀରୁ ଡିସେମ୍ଵର ମଧ୍ୟରେ ସଂଗୃହୀତ ତଥ୍ୟରୁ ଏହି ରିପୋର୍ଟ ତିଆରି ହୋଇଛି । ତୁରନ୍ତ ଏହାର ବିକଳ୍ପ ବାହାର କରିବାକରୁ ରିପୋର୍ଟରେ କୁହାଯାଇଛି । ଏହାସହ ଆଣ୍ଟିବାଓଟିକ୍ସର ବ୍ୟବହାର ଉପରେ କଡ଼ା କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛି ଆଇସିଏମଆର୍ ।