spot_img
Home Blog Page 1503

ପ୍ରଥମ ଦିନରେ ରତ୍ନଭଣ୍ଡାରରେ ୩ ଘଣ୍ଟା ୫୦ ମିନିଟ ସର୍ଭେ

ପୁରୀ: ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରଥମ ଦିନର ଯାଞ୍ଚ । ୩ ଘଣ୍ଟା ୫୦ ମିନିଟ ସର୍ଭେ ପରେ ସମ୍ପୂର୍ଣ୍ଣ ଡାଟା କରାଯାଇଛି କଏଦ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ ସର୍ଭେ କରିଥିବାବେଳେ ୩ ଦିନ ପର୍ଯ୍ୟନ୍ତ ସର୍ଭେ କରିବେ ବୋଲି ସୂଚନା ଦେଇଛନ୍ତି l

ଆଜି ପ୍ରଥମ ଦିନରେ ସର୍ଭେ ପୂର୍ଣ୍ଣାଙ୍ଗ ହୋଇ ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ଏହି ସର୍ଭେ ସ୍ୱତନ୍ତ୍ର ମେସିନ ଦ୍ୱାରା କରାଯାଉଥିବା ବେଳେ ୩ ଦିନ ସର୍ଭେ ପରେ ସଂଗୃହିତ ଡାଟାକୁ ତର୍ଜମା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ l ଭଣ୍ଡାର ଘର ଯାଞ୍ଚ ନେଇ ଦିନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା । ଏଥିପାଇଁ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସହଯୋଗ ଲୋଡ଼ିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସିଏସଆଇଆର ଓ ଏନଜିଆଇଆରର ଅଧିକାରୀଙ୍କ ସହ ୨୬ ଜଣିଆ ଟିମ ଭିତର ଭଣ୍ଡାର ଘରେ ସର୍ଭେ କରୁଛନ୍ତି । ନିରୀକ୍ଷଣ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଥିଲା ବୈଠକ l ବୈଠକରେ ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

ଆଧାର କାର୍ଡ ନଥିବା ଲକ୍ଷାଧିକ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ !

ଭୁବନେଶ୍ବର: ରାସନ କାର୍ଡ ପାଇଁ ଇ-କେଓ୍ବାଇସି ସରକାର ବାଧ୍ୟତାମୂଳକ କରିଥିବା ବେଳେ ଆଧାର କାର୍ଡ ନଥିବା ଲକ୍ଷାଧିକ ହିତାଧିକାରୀ ଏଥିରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନେକ ଲୋକଙ୍କ ବାୟୋମେଟ୍ରିକ ହୋଇ ପାରି ନଥିବାରୁ ଆଗକୁ ରାସନ ମିଳି ନପାରେ ବୋଲି ଅନେକ ଆଶଙ୍କା କଲେଣି । ଏହି ସମୟରେ ଯୋଗ୍ୟ ହିତାଧିକାରୀଙ୍କ ସପକ୍ଷରେ ବାହାରିଛି ଲୋକଶକ୍ତି ଅଭିଯାନ ଓ ଓଡିଶା ଖାଦ୍ୟ ଅଧିକାର ଅଭିଯାନ । ରାସନ କାର୍ଡ ସହିତ ଆଧାର କାର୍ଡକୁ ଯୋଡିବା ଯୋଗୁଁ ଲକ୍ଷାଧିକ ହିତାଧିକାରୀ ରାସନରୁ ବଞ୍ଚିତ ହେବେ ବୋଲି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା  ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି ।

ସମସ୍ଯାରେ ଛନ୍ଦି ହୋଇପଡିଛନ୍ତି ଗରିବ । ସୁଭଦ୍ରା ଯୋଜନା ସାଙ୍ଗକୁ ରାସନ କାର୍ଡରେ ଇ-କେଓ୍ବାଇସି ବ୍ୟବସ୍ଥା ଗରିବଙ୍କୁ ଦେଉଛି ଡିଜିଟାଲ ଯନ୍ତ୍ରଣା । ଯେଉଁମାନଙ୍କ ଆଧାର କାର୍ଡ ନାହିଁ କି ବାୟୋମେଟ୍ରିକ ବ୍ୟବସ୍ଥା ନାହିଁ, ସେମାନେ ରାସନ ପାଇବାରୁ ବଞ୍ଚିତ ହେବେ । ୨୦୨୨ରେ ହାଇକୋର୍ଟ ଏମାନଙ୍କ ସପକ୍ଷରେ ରାୟ ଦେବା ପରେ ତତ୍କାଳୀନ ନବୀନ ସରକାର ଏମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ । ହେଲେ ଏବେ ସରକାର ବଦଳିବା ପରେ ବଦଳିଗଲା ନିଷ୍ପତ୍ତି । ଇ-କେଓ୍ବାଇସି ବାଧ୍ୟତାମୂଳକ ହୋଇଥିବା ବେଳେ ୧ ଲକ୍ଷ ୪୭ ହଜାର ଲୋକ ଏଥିରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏବେ ଇ-କେଓ୍ବାଇସି ହୋଇ ନପାରିଲେ ବି ଯୋଗ୍ୟ ହିତାଧିକାରୀଙ୍କୁ ରାସନ ପାଇବାରୁ ବଞ୍ଚିତ କରା ନଯାଉ ବୋଲି କହିଛନ୍ତି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ।

୨୫ ସେପ୍ଟେମ୍ବର ସୁଦ୍ଧା ଇ-କେଓ୍ବାଇସି ନ ହେଲେ ରାସନ ବନ୍ଦ ହୋଇଯିବ ବୋଲି ଗାଁ ଗଣ୍ଡାରେ ପ୍ରଚାର ଚାଲିଛି । ସୋସିଆଲ ମିଡିଆରେ ଖାଦ୍ୟ ଯୋଗାଣ ବିଭାଗର ଏ ସମ୍ପର୍କୀତ ନୋଟିସ ବି ଘୁରି ବୁଲୁଛି । ଏବେ ବି ଅନେକ ଲୋକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଥିବା ବେଳେ ଏପରି କଟକଣା ଯୋଗୁଁ ଲକ୍ଷାଧିକ ଲୋକ ହଇରାଣ ହେବେ । ଇ-କେଓ୍ବାଇସି ଯୋଗୁଁ ରାସନ ଦୋକାନ ସାମ୍ନାରେ ପ୍ରବାସୀ ଶ୍ରମିକ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ସମେତ ଅବହେଳିତ ବର୍ଗ ହାଇରାଣ ହରକତ ହେଉଛନ୍ତି । ଆଧାର କାର୍ଡ ନଥିଲେ ବି କାହାକୁ ରାସନ ପାଇବାରେ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଆଧାର କାର୍ଡ ନଥିବା ଲକ୍ଷାଧିକ ଲୋକଙ୍କୁ ବଞ୍ଚିତ କରା ନଯାଉ ଓ ଇ-କେଓ୍ବାଇସି ପ୍ରକ୍ରିୟା ବନ୍ଦ କରିବାକୁ ଖାଦ୍ୟ ଅଧିକାର ଅଭିଯାନ ଦାବି କରିଛି ।

୨୦୨୧ ଜନଗଣନା କେନ୍ଦ୍ର ସରକାର କରି ନଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରରୁ ବାଦ୍ ପଡ଼ିଥିବା ସମସ୍ତଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ଉଚିତ ।

କେନ୍ଦ୍ରର ଦାବି ଧୂଆଁବାଣ: ଅଭିବୃଦ୍ଧିରେ ୨୫ ପ୍ରତିଶତ ଅବଦାନ ଦେଇ ପାରିନି ମାନ୍ୟୁଫାକ୍ଚରିଂ ଶିଳ୍ପ

ଭୁବନେଶ୍ବର: ଦେଶର ଅଭିବୃଦ୍ଧିରେ ୨୫ ପ୍ରତିଶତ ଅବଦାନ ଦେଇପାରିନି ମାନ୍ୟୁଫାକ୍ଚରିଂ ଶିଳ୍ପ । ୧୦ ବର୍ଷ ଭିତରେ ମାତ୍ର ୧୭.୭ ପ୍ରତିଶତ ମାନ୍ୟୁଫାକ୍ଚରିଂ ଶିଳ୍ପ ବୃଦ୍ଧି ଘଟିଛି । ଏଥିପାଇଁ ଦାୟୀ କେନ୍ଦ୍ର ସରକାରଙ୍କ ନୀତି । ଦେଶର ଅଭିବୃଦ୍ଧିରେ ୨୫ ପ୍ରତିଶତରୁ ଅଧିକ ମାନ୍ୟୁଫାକ୍ଚରିଂ ଶିଳ୍ପ ଯୋଗଦାନ କରିବ ବୋଲି କେନ୍ଦ୍ର ସରକାରଙ୍କ ୨୦୧୪ ଦାବି ଏବେ ଧୂଆଁବାଣରେ ପରିଣତ ହୋଇଛି । ଯେ ପର୍ଯ୍ୟନ୍ତ କୃଷି ଓ ସେବା କ୍ଷେତ୍ର ସହିତ ଶିଳ୍ପ କ୍ଷେତ୍ରକୁ ଯୋଡ଼ି ନ ଦିଆଯାଇଛି ସେ ପର୍ଯ୍ୟନ୍ତ ମାନ୍ୟୁଫାକ୍ଚରିଂ ଶିଳ୍ପ ଦେଶରେ ଉଧେଇ ପାରିବନି ।

୨୦୧୪ ଏନଡିଏ ସରକାରଙ୍କ ପ୍ରଥମ ପାଳି । କହିଥିଲେ ଦେଶର ମୋଟ ଅଭିବୃଦ୍ଧିରେ ୨୫ ପ୍ରତିଶତରୁ ଅଧିକ ଅବଦାନ ରଖିବ ମାନ୍ୟୁଫାକ୍ଚରିଂ ଶିଳ୍ପ । ୧୦ ବର୍ଷ ପରେ ହେଇଛି କ’ଣ ? ମେକ୍-ଇନ୍-ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଯେତେ ଯାହା କଲେ ଉତ୍ପାଦନ ଶିଳ୍ପର ଯୋଗଦାନ ମାତ୍ର ୧୭.୭ ପ୍ରତିଶତ । ଯାହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ନୀତି ଉପରେ ଉଠିଛି ପ୍ରଶ୍ନ ।

ଖଣି ସରୁଛି, ଶିଳ୍ପ ପ୍ରତିଷ୍ଠା ହେଉଛି । ହେଲେ ବେରୋଜଗାରୀ ଯାଉନି କି ଲୋକଙ୍କ କ୍ରୟଶକ୍ତି ବଢୁନି । ଅଭିଯୋଗ ହୋଇଛି, କ୍ରୋନି କ୍ୟାପିଟାଲିଜିମ୍ ଯୋଗୁଁ ଉତ୍ପାଦନ ଶିଳ୍ପ ଆଶାନୁରୂପ ଉଧେଇ ପାରୁନାହାନ୍ତି । ଅର୍ଥାତ ରାଜନୈତିକ ଓ ବ୍ଯବସାୟୀ ବର୍ଗଙ୍କ ଭିତିରି ବୁଝାମଣା ଯୋଗୁଁ ଶିଳ୍ପ ସଂସ୍ଥା ଆଗକୁ ବଢିପାରୁ ନାହାଁନ୍ତି । କିଛି ମୁଷ୍ଟିମେୟ ପୁଞ୍ଜିପତି ଷ୍ଟକ ବଜାରରେ ନିଜ ଅଂଶଧନକୁ ଏପଟ ସେପଟ କରି ଅଭିବୃଦ୍ଧିର ଚିତ୍ର ଆଙ୍କୁଛନ୍ତି । ଭାରତ କୃଷି ପ୍ରଧାନ ରାଷ୍ଟ୍ର ହୋଇ ବି କୃଷି କ୍ଷେତ୍ର ସହିତ ଶିଳ୍ପକୁ କେନ୍ଦ୍ର ସରକାର ଯୋଡି ହେଲା ଭଳି କୌଣସି ନୀତି କରିନାହାନ୍ତି । ଏବେ ବି ଚୀନରୁ ଆମଦାନୀ ନ ହେଲେ ଉତ୍ପାଦନ ହୋଇପାରୁନି । ଯେ ପର୍ଯ୍ୟନ୍ତ କୃଷି, ସେବା କ୍ଷେତ୍ରକୁ ସମନ୍ବିତ ଭାବେ ଶିଳ୍ପ କ୍ଷେତ୍ର ସହିତ ସାମିଲ କରା ନଯିବ ସେ ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧିରେ ମାନ୍ୟୁଫାକ୍ଚରିଂ ଜଗତ ଆଖଦୃର୍ଶିଆ ଅବଦାନ କରିପାରିବନି ।

ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ଏମଏସଏମଇ ଶିଳ୍ପର ବଡ଼ ଯୋଗଦାନ କରିଥାଏ । ଦେଶରେ ୧୧ କୋଟି ନିଯୁକ୍ତି ଏହି ଶିଳ୍ପ ଦେଇଛି । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭସ୍ ଦେବା ପାଇଁ ନୀତି ନିର୍ଦ୍ଧାରଣ କଲେ । ଏବେ ଶିଳ୍ପରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଚଳିତ ଥର ବଜେଟରେ ୨ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । କିନ୍ତୁ ମୂଳ କଥା ହେଉଛି, ଯେ ପର୍ଯ୍ୟନ୍ତ ଶ୍ରମ ଆଇନରେ ସଂସ୍କାର ନ ଆସିଛି ସେ ପର୍ଯ୍ୟନ୍ତ ଉତ୍ପାଦନ ଆଶାଜନକ ହେବ ନାହିଁ ।

ଏ କଥା ସତ ଯେ, ପ୍ରତିବର୍ଷ ମାନ୍ୟୁଫାକ୍ଚରିଂ ଶିଳ୍ପ ପ୍ରାୟ ୪.୫ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଛି । କୋଭିଡ ପରେ ଇଉରୋପରେ ଯୁଦ୍ଧ ସ୍ଥିତି ଓ ଆମେରିକାରେ ମାନ୍ଦାବସ୍ଥା ଯୋଗୁଁ ଭାରତର ରପ୍ତାନୀ ପ୍ରଭାବିତ ହୋଇଛି । ଅନ୍ୟ ରାଜ୍ୟରେ ଏମଏସଏମଇ ଶିଳ୍ପ ଭଲ ବିକାଶ କରିଥିବାବେଳେ ଓଡ଼ିଶା ପଛୁଆ ରହିଛି । ଯେ ପର୍ଯ୍ୟନ୍ତ ସରକାରୀ ପ୍ରୋତ୍ସାହନ ଓ ଇଜ୍-ଅଫ୍-ଡୁଇଙ୍ଗ ଏକସାଥିରେ ଗତି ନ କରିବ ସେ ପର୍ଯ୍ୟନ୍ତ ମୋଟ ଜିଡିପିରେ ମାନ୍ୟୁଫାକ୍ଚରିଂ ଶିଳ୍ପର ଯୋଗଦାନ ଆଶାନୁରୂପ ବଢିବନି ।

ରାଜ୍ୟ ହେଉ କି କେନ୍ଦ୍ର ଶାସିତ ଅଞ୍ଚଳ । ସବୁଠି ଭାରି ଶିଳ୍ପ କରିବା ସମ୍ଭବ ନୁହେଁ । ଏ କଥା ବି ସତ ଭାରି ଶିଳ୍ପ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସମାନ ଭାବେ ଗୁରୁତ୍ବ ନ ଦେଲେ ବେରୋଜଗାରୀ ଦୂର କରି ହେବ ନାହିଁ ।

ଉଚ୍ଛେଦ ଜମି ପୁଣି ଜବରଦଖଲ, ନନ୍ଦିଘୋଷରେ ଖବର ପ୍ରସାରଣ ପରେ ପୁଣି ଉଚ୍ଛେଦ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ରାଜଧାନୀ ଛାତି ଉପରେ ସରକାରୀ ଜମି ଜବରଦଖଲ । ନୟାପଲ୍ଲୀ ବେହେରା ସାହିର ପ୍ଲଟ ନମ୍ବର ୫୨୮ରେ ହୋଇଥିବା ଜବର ଦଖଲ ୨୦୧୮ରେ ଉଚ୍ଛେଦ ହେବା ପରେ ପୁଣି ଥରେ ତାହା ମାଫିଆଙ୍କ କବ୍ଜାରେ । ଏନେଇ ନନ୍ଦିଘୋଷ ଟିଭି ଖବର ପ୍ରସାରଣ କରିଥିଲା । ବିଏମସି, ବିଡ଼ିଏ ଓ ଜିଏ ବିଭାଗ ଏହାକୁ ଜବରଦଖଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଜି ବିଡ଼ିଏ ପକ୍ଷରୁ ସରକାରୀ ସମ୍ପତ୍ତି ବୋଲି ସାଇନ ବୋର୍ଡ଼ ଲଗାଯାଇଛି । ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ଅଧିକାରୀ କହିଛନ୍ତି ।

ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହି, ଓ୍ବାର୍ଡ଼ ନମ୍ବର ୩୮ରେ ସରକାରୀ ଜମି ଜବରଦଖଲ । ୨୦୧୮ରେ ସରକାର ଏହାକୁ ଉଚ୍ଛେଦ କରି ପାଚେରୀ ବୁଲାଇ ଥିଲେ । ହେଲେ ସରକାରୀ ଜମିରେ ନିଜର ମିଛ ଅଧିକାର ସାବ୍ୟସ୍ତ ଆଳରେ ପୁଣି ଗଢି ଉଠିଲା ଘର । ଖୁଲମଖୁଲ୍ଲା ସମସ୍ତଙ୍କ ଜାଣତରେ ଚାଲିଲା ଜବରଦଖଲ । ଗତ ୧୪ ତାରିଖରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଚେତିଛନ୍ତି ସରକାର । ଆଜି ବିଡିଏ ପକ୍ଷରୁ ସରକାରୀ ସମ୍ପତ୍ତିର ବୋର୍ଡ଼ ଲାଗିଛି । ଶୀଘ୍ର ଉଚ୍ଛେଦ ପ୍ରକ୍ରିୟା ହେବ ବୋଲି ବିଡିଏ ଅଧିକାରୀ ବିଭୁ ପ୍ରସାଦ ରଥ କହିଛନ୍ତି ।

୨୦୧୮ରେ ନୟାପଲ୍ଲୀ ବେହେରା ସାହିର ସରକାରୀ ଜାଗା ପ୍ଲଟ ନମ୍ବର ୫୨୮ ଜବରଦଖଲ ମୁକ୍ତ ହୋଇଥିଲା । ହେଲେ ୬ ମାସ ହେଲା ସେହି ଜାଗାରେ କିଛି ଲୋକ ମନଇଚ୍ଛା ଘର ତିଆରି ଆରମ୍ଭ କରିଥିଲେ । ଗଢ଼ି ଉଠିଥିଲା କଂକ୍ରିଟ ଘର ସହ ଗ୍ରାନାଇଟ ଟାଇଲ ଯୁକ୍ତ ବଡ଼ ବଡ଼ ଘର । ବହୁତଳ ପ୍ରାସାଦର ମୂଳଦୁଆ ବି ପଡ଼ିଥିଲା । ସରକାରୀ ଜାଗାରେ ଏସବୁ କିପରି ସମ୍ଭବ ହେଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିଲେ । କାର୍ଯ୍ୟାନୁଷ୍ଠାନ ଲାଗି ମେୟର ପ୍ରତିଶ୍ରୁତି ଦେଇଥିଲେ । ଆଜି ବିଡ଼ିଏ ଟିମ୍ ପହଞ୍ଚିବା ପରେ ଜବରଦଖଲକାରୀମାନେ ଏହାକୁ ବିରୋଧ କରିଥିଲେ । କୋର୍ଟରେ ମାମଲା ଥିବା କଥା କହି ନିଜ ଅଧିକାର ଜାହିର କରିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ଓ ବିଡ଼ିଏ ଟିମ ଉପସ୍ଥିତିରେ ସରକାରୀ ସମ୍ପତ୍ତିର ବୋର୍ଡ଼ ଲାଗିଛି । ପ୍ରଭାବଶାଳୀ ଲୋକ ବହୁତଳ ପ୍ରାସାଦର ମୂଳଦୁଆ ପକାଇଥିବା ବେଳେ ଖବର ପ୍ରସାରଣ ପରେ ଏଥିରୁ ନିବୃତ୍ତ ରହିଛନ୍ତି । ହେଲେ ଏହା କେବେ ଉଚ୍ଛେଦ ହେବ, ତାହା ସନ୍ଦେହରେ ରହିଛି ।

ରାଜ୍ୟରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବାକୁ ମୋହନ ସରକାର ସ୍ଲୋଗାନ ଦେଉଥିବା ବେଳେ ରାଜଧାନୀରେ ଚାଲିଛି ଖୁଲମଖୁଲା କାରବାର । ସରକାରୀ ଜାଗା କେବେ ଜବରଦଖଲରୁ ମୁକ୍ତ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଲିଟେରାରୀ ଫେଷ୍ଟିଭାଲ ‘ଅ’ରେ ଯୋଗଦେଇ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କଲେ ନବୀନ

ଭୁବନେଶ୍ବର: ରାଜ୍ଯରେ ବିଗିଡ଼ିଛି ଆଇନଶୃଙ୍ଖଳା ସ୍ଥିତି, ବଢ଼ିଛି ଦୁର୍ନୀତି । ଆଇନଶୃଙ୍ଖଳା ନିୟନ୍ତ୍ରଣରେ ୧୦୦ ଦିନର ମୋହନ ସରକାର ବିଫଳ ହୋଇଛନ୍ତି । ଭୁବନେଶ୍ବରରେ ଆୟୋଜିତ ଲିଟେରାରୀ ଫେଷ୍ଟିଭାଲ ‘ଅ’ରେ ଯୋଗ ଦେଇ ଏମିତି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ପୁରୀରେ ରାଜ୍ଯପାଳଙ୍କ ପୁଅ ଯେପରି ଜଣେ ସରକାରୀ କର୍ମଚାରୀଙ୍କୁ ମାଡମାରିଲେ ତାହା ନିନ୍ଦନୀୟ । ଭରତପୁର ଥାନାରେ ଯେଉଁ ଘଟଣା ଘଟିଛି ତାହା ରାଜ୍ଯର ଆଇନଶୃଙ୍ଖଳା ସ୍ଥିତିକୁ ପଦାରେ ପକାଇଛି ।

ଉତ୍ସବରେ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡିରେକ୍ଟର ପ୍ରଭୁ ଚାୱାଲା ଯୋଗ ଦେଇଥିଲେ । ରାଜ୍ଯର ପ୍ରମୁଖ ସାହିତ୍ଯିକ ବି ଏହି ଉତ୍ସବରେ ସାମିଲ ହୋଇଥିଲେ । ପ୍ରଭୂ ଚାଓ୍ବାଲାଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, ମୋହନ ସରକାରକୁ ବର୍ତ୍ତମାନ କୌଣସି ମାର୍କ ଦେବା ଠିକ ହେବ ନାହିଁ । କିଛିଦିନ ପରେ ଆକଳନ କରିବା ଠିକ ହେବ । ତେବେ ସରକାରରେ ସବୁ କଥା ଠିକ ଚାଲି ନଥିବା ନବୀନ କହିଛନ୍ତି ।

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା: ବିଜେଡିର ରାଜଭବନ ଘେରାଉ, କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅତ୍ୟାଚାର ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜୁ ଜନତା ଦଳ । ଆଜି ମହିଳା ବିଜେଡି ପକ୍ଷରୁ ରାଜଭବନ ଘେରାଉ କରାଯାଇଥିଲା । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଏଥିରେ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି । ସେପଟେ ଏହି ମାମଲାରେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ ।

ପୋଲିସ କିପରି କରିବ ପୋଲିସ ବିରୋଧରେ ତଦନ୍ତ ?

ନିଲମ୍ବନ କ’ଣ ଅଲ୍ଟିମେଟ୍ ପନିସମେଣ୍ଟ ?

କାହିଁକି ନିରପେକ୍ଷତା ବଜାୟ ରଖିବାକୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଉ ନାହାନ୍ତି ରାଜ୍ୟ ସରକାର ?

କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ବର୍ବରତା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ବିଜେଡିର ଶତାଧିକ କର୍ମୀ, ନେତା ଓ ମହିଳା ଓ୍ବିଙ୍ଗ ବିରାଟ ପଟୁଆରରେ ଆସି ରାଜଭବନ ଘେରାଉ କରିଛନ୍ତି । ମୋହନ ସରକାରକୁ ଶହେ ଦିନ ବିତିଲାଣି । ଏହି ଶହେ ଦିନ ଭିତରେ ରାଜ୍ୟର ଆଇନଶୃଙ୍ଖଳା ଭୁଶୁଡ଼ି ଯିବାର ଯଥେଷ୍ଟ ନଜିର ରହିଛି । ରଥଯାତ୍ରା ସମୟରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଦାସ ମାଡ଼ ମାରିଲେ । ସେ ସମୟରେ ୧୫ ଦିନ ଭିତରେ ଜିଲ୍ଲାପାଳ ସ୍ତରୀୟ ତଦନ୍ତ ରିପୋର୍ଟ ଆସିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିବୃତି ଦେଇଥିଲେ । ହେଲେ ଦୁଇ ମାସ ବିତି ଗଲାଣି । ନା ପ୍ରକାଶ ପାଇଲା ରିପୋର୍ଟ ନା ନ୍ୟାୟ ପାଇଲେ ବୈକୁଣ୍ଠ । ଏହା ପରେ ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦେଲା ପୋଲିସ । ଏହି ସମ୍ବେଦନଶୀଳ ଘଟଣାରେ ବିରୋଧୀଙ୍କ ଚାପ ଯୋଗୁଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟ ପୋଲିସର ଗୋଟେ ଶାଖା ଅନ୍ୟ ଏକ ଶାଖା ବିରୋଧରେ ନିରପେକ୍ଷ ତଦନ୍ତ କରିବା ନେଇ ସନ୍ଦେହ ଘନୀଭୂତ ହୋଇଛି ।  ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରର ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରତପତ୍ର ପ୍ରଦାନ କରିଛି ବିଜେଡି । ଏହି ଆନ୍ଦୋଳନକୁ ବିଜେଡି ଗାଁ ଗାଁରେ ବ୍ୟାପକ କରିବ ବୋଲି ଚେତାବନୀ ଦେଇଛି ।

ସେପଟେ ଭରତପୁର ଘଟଣାକୁ ନେଇ ଯୁବ କଂଗ୍ରେସ ମୋହନ ସରକାର ବିରୋଧରେ କରିଛି ହଲ୍ଲା ବୋଲ । ନାରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ, ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଦାବି କରିଛି ଯବୁ କଂଗ୍ରେସ । ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଘେରାଉ କରିବା ସହ ଟମାଟୋ ଓ ଅଣ୍ଡା ମାଡ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମଜିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ମାଡିଯାଇଥିଲେ ଶତାଧିକ ଯୁବ କଂଗ୍ରେସ କର୍ମୀ ଓ ନେତା । ଏହି ସମୟରେ ପୋଲିସ ଓ ଯୁବ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଦସ୍ତି ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ସେପଟେ ଭରତପୁର ଥାନା ଘଟଣାକୁ ନେଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।

ଭରତପର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ଆକ୍ସନ ମୁଡ଼କୁ ଆସିଛନ୍ତି ବିରୋଧୀ । ଶହେ ଦିନର ମୋହନ ସରକାର ନାରୀ ସୁରକ୍ଷା ଓ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ ହୋଇ ବ୍ୟାକଫୁଟରେ ରଖିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି ।

ଭରତପୁର ମାମଲାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅଙ୍କ ଉଦବେଗ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି । ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ଆପଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଆପଣଙ୍କ ଉପରେ ଅନେକ ଅଶା ଭରସା ରହିଛି । ଭୁବନେଶ୍ବରର ଭରତପୁର ଥାନାରେ ଜଣେ ଝିଅ ପ୍ରତି ପୋଲିସ ଦ୍ବାରା ହୋଇଥିବା ବର୍ବରୋଚିତ ଅଶାଳୀନ ବ୍ୟବହାର ବାବଦରେ ସେ ଝିଅ କହୁଥିବା ସୋସିଆଲ ମିଡିଆରୁ ଶୁଣି ମୁଁ ଖୁବ ଦୁଃଖିତ । ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ବରେ ଥିବା ପୋଲିସର ବ୍ୟବହାର ଯଦି ମହିଳାଙ୍କ କ୍ଷେତ୍ରରେ ଏପରି ହେବ, ତେବେ ମହିଳାମାନେ ଏହି ପୁରୁଷ କୈନ୍ଦ୍ରିକ ସମାଜରେ କିପରି ବଞ୍ଚିବେ ?

ଅନେକ ବର୍ଷ ପୂର୍ବେ କୃଷ୍ଣାଙ୍କ ବାପା ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କୁ ପାଖରୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିଥିବାରୁ ମୋହନ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ଆଶା କରିଥିବା କହିଛନ୍ତି କୃଷ୍ଣା । ସେ କହିଛନ୍ତି, ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହାତ୍ମା ଗାନ୍ଧୀ କହିଥିଲେ ‘ରାତିରେ ଝିଅଟିଏ ନିର୍ବିଘ୍ନରେ ଯେଉଁଦିନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ସେହିଦିନ ଯାଇ ବୁଝିବାକୁ ହେବ ଏଦେଶକୁ ସ୍ୱାଧୀନତା ମିଳିଛି ।’ ରାଜଧାନୀର ଛାତି ଉପରେ ଯେଉଁ ହୃଦୟ ବିଦାରକ ଘଟଣା ଝିଅଟି ସହ ଘଟିଲା, ସେଥିରେ କ’ଣ ନିଜକୁ ସ୍ବାଧୀନ ବୋଲି କହି ପାରିବା ? ଆମ ଦେଶ ପାଇଁ ତିଳ ତିଳ ଜଳି ଆମକୁ ବ୍ରିଟିଶ କବଳରୁ ମୁକ୍ତି କରି ଆମରି ହାତରେ ଆମ ଶାସନ ଡୋରି ଟେକି ଦେଇଥିବା ମହାତ୍ମା ଗାନ୍ଧିଙ୍କ ଆତ୍ମା ଏ ଘଟଣା ଦେଖି ଉପରେ ରହି କାନ୍ଦୁଥୁବ ନିଶ୍ଚେ ।

ବାରାଣସୀଠାରେ ଉତ୍ତରପ୍ରଦେଶ ସରକାର ଓ ରେଳ ବିଭାଗ ପକ୍ଷରୁ ଅନୈତିକ ଭାବରେ ଗାନ୍ଧୀ-ବିନୋବା-ଜୟପ୍ରକାଶଙ୍କ ସର୍ବୋଦୟ ସାଧନା କେନ୍ଦ୍ର ଉପରେ ବୁଲଡୋଜର ଚଲା ଯାଇଥିବା ଘଟଣାକୁ ବିରୋଧ କରି ସତ୍ୟାଗ୍ରହରେ ବସିଥିଲେ । ଏହି ସମୟରେ  ଓଡ଼ିଶାର ଏହି ମର୍ମନ୍ତୁଦ ଘଟଣା ମୋତେ ଥରାଇ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୃଷ୍ଣା ।

ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମକକ୍ଷ ଭାବରେ ସମ୍ମାନ ଦେଉଥିବା ଆଦିବାସୀ ସମାଜର ଜଣେ ପୁଅ ହିସାବରେ ଏହି ଦୁଃଖଦ ଘଟଣାରେ ସମସ୍ତଙ୍କ ପ୍ରତି ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖିଥିବା କହିଛନ୍ତି କୃଷ୍ଣା ।

ଭରତପୁର ମାମଲା: କିଏ ଛାଡୁଛି ବ୍ୟାକ୍ ଟୁ ବ୍ୟାକ୍ ଭିଡିଓ, ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ବର: ପ୍ରଥମେ ରାସ୍ତା ଉପରେ ଗଣ୍ଡଗୋଳର ଭିଡିଓ ଆସିଲା । ତା’ପରେ ବାରରେ ନାଚଗୀତ ଓ ଖାଇବା ପିଇବା ବିଲ । ପୁଣି ପରେ ପରେ ଆସିଲା ଥାନା ଭିତରର କିଛି ଭିଡିଓ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଗତକାଲିଠୁ ସାମ୍ନାକୁ ଆସୁଛି ସିରିଜ ଭିଡିଓ । ତେବେ କିଏ ଓ କାହିଁକି ଏମିତି ଭିଡିଓ ଭାଇରାଲ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏପଟେ ରାସ୍ତାରେ ଅସଦାଚରଣ ଅଭିଯୋଗ ଘଟଣାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପବରେ ଖିଆପିଆ ନାଚଗୀତ । ରାସ୍ତାରେ ବଚସା ଆଉ ଠେଲାପେଲା । ଥାନା ଭିତରେ କଥା କଟାକଟି । ହେଲେ କୋଉଁଠୁ ଆସୁଛି ଏ ଭିଡିଓ । କିଏ କରୁଛି ଭାଇରାଲ ? ଭାଇରାଲ କରିବା ପଛର ଉଦ୍ଦେଶ୍ଯ କ’ଣ ? ଗତକାଲିଠୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏମିତି ମାଳମାଳ ଭିଡିଓ । ମେଜର ଓ ତାଙ୍କ ବାନ୍ଧବୀ ଯେଉଁ ହୋଟେଲରେ ଖିଆପିଆ କରୁଥିଲେ ସେଠାର ସିସିଟିଭି ଫୁଟେଜଠୁ ଆରମ୍ଭ କରି ଖାଇବା ବିଲ୍ ପର୍ଯ୍ଯନ୍ତ ସବୁ ଭାଇରାଲ ହେବାରେ ଲାଗିଛି । ରାସ୍ତାରେ ଯେଉଁମାନଙ୍କ ସହ ବଚସା ଓ ଠେଲାପେଲା ହୋଇଥିଲା ଓ ଥାନା ଭିତରର କିଛି ଭିଡିଓ ବି ସାମ୍ନାକୁ ଆସିଛି । ହେଲେ ଏସବୁ ନା ମେଜର କରିଛନ୍ତି ନା ତାଙ୍କ ବାନ୍ଧବୀ । ଏଥିରୁ ସ୍ପଷ୍ଟ ହେଉଛି ଅପରପକ୍ଷଙ୍କ ମୋବାଇଲରୁ ହିଁ ଆସିଛି । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଫୋନ କୁଆଡ଼େ ଗଲା ? ସେଥିରେ ରେକର୍ଡ ହୋଇଥିବା ଭିଡିଓରେ କ’ଣ ଅଛି ? ଏଣୁ ପ୍ରଶ୍ନ ଉଠୁଛି- ଗୋଟିଏ ପକ୍ଷର ଭିଡିଓ ଛାଡ଼ି ପୀଡ଼ିତାଙ୍କୁ ବଦନାମ କରିବାକୁ ହେଉଛି କି ଷଡଯନ୍ତ୍ର ? କାହାର ଏମିତି ମନ୍ଦ ଉଦ୍ଦେଶ୍ୟ ? ଏସବୁ ଦେଖିଲେ ଲାଗୁଛି ଯେ ଭରତପୁର ଘଟଣାକୁ ନେଇ ଦୁଇଟି ଗୋଷ୍ଠୀ ସିଧା ମୁହାଁମୁହିଁ ହେଲେଣି । ଘଟଣାର ତଦନ୍ତ ଦାବି ହୋଇଥିବାବେଳେ ବାନ୍ଧବୀଙ୍କ ବାପା କହିଛନ୍ତି, ଲୋକଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରାଯାଉଛି । ଝିଅର ଦାନ୍ତ ଭାଙ୍ଗିଛି, ଦେହସାରା ମାଡ଼ ହୋଇଛି । ସେ କିପରି ପୋଲିସକୁ ପିଟିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବାପା ।

ଏପଟେ ମେଜର ଆଉ ବାନ୍ଧବୀଙ୍କ ସହ ରାସ୍ତାରେ ଅସଦାଚରଣ ଓ ଗଣ୍ଡଗୋଳ ଅଭିଯୋଗ ଘଟଣାରେ ୭ ରୋଡ୍ ରୋମିଓଙ୍କୁ ବାନ୍ଧିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ଇଞ୍ଜିନିୟରିଂ ଛାତ୍ର । ତଥ୍ୟ ପ୍ରମାଣ ଆଧାରରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି । ତେବେ ସେମାନଙ୍କୁ ଫସାଇ ଦିଆଯାଇଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି ଗିରଫ ଅଭିଯୁକ୍ତ । ଏପଟେ ଥାନାରେ ନିର୍ଯାତନା ଅଭିଯୋଗର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ନିଲମ୍ବିତ ପୋଲିସ ଅଧିକାରୀଙ୍କ ବୟାନ ରେକର୍ଡ ସହ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଚରାଉଚରା କରାଯାଇଛି । ଥାନାରୁ ସମସ୍ତ ଦସ୍ତାବିଜ ସଂଗ୍ରହ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍ । ଅନ୍ୟପଟେ ନିଲମ୍ବିତ ପୋଲିସ ଏସଆଇ ବୈଶାଳିନୀ ପଣ୍ଡାଙ୍କ ପରିବାର ପୋଲିସ କମିଶନରଙ୍କୁ ସକ୍ଷାତ କରି ଝିଅ ନିର୍ଦ୍ଦୋଶ ବୋଲି ଦର୍ଶାଇଛନ୍ତି ।

ଦିନକୁ ଦିନ ଗୋଳିଆ ହେଉଛି ଭରତପୁର ଝମେଲା । ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

ଏନଏଲସି କୋଇଲା ଖଣିରେ ଜନ ଆନ୍ଦୋଳନ: ଖଣି ଭିତରକୁ ଧସେଇ ପଶିଲେ ଲୋକେ, ପୋଲିସ ସହ ଠେଲାପେଲା

ରେଙ୍ଗାଲି: ସମ୍ବଲପୁର ରେଙ୍ଗାଲିରେ ଥିବା ଏନଏଲସି କୋଇଲା ଖଣିରେ ଜନ ଆନ୍ଦୋଳନ । କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ କୋଇଲା ଖଣି ଭିତରକୁ ଧସେଇ ପଶିଲେ ଅଞ୍ଚଳବାସୀ । ପୋଲିସ-ଆନ୍ଦୋଳନକାରୀଙ୍କ ମଧ୍ଯରେ ଠେଲାପେଲା । ବିସ୍ଥାପନ ପରେ ବି କୌଣସି ସୁବିଧା କମ୍ପାନୀ ଦେଉ ନଥିବା ଅଭିଯୋଗ କରି ଦେଖା ଦେଇଛି ବିରାଟ ଜନ ଆନ୍ଦୋଳନ ।

ଅଭିଯୋଗ ଅନୁସାରେ, ସମ୍ବଲପୁର ରେଙ୍ଗାଲି ଖିଣ୍ଡାକୁ ଏନଏଲସି କମ୍ପାନୀ ଆସିବା ପରେ ଆରମ୍ଭ ହୋଇଥିଲା କୋଇଲା ଉତ୍ତୋଳନ । ଖଣି ପାଇଁ ଜଙ୍ଗଲ ସଫା ହେଲା, ଅନେକ ଲୋକ ଘର ଦ୍ବାର ହରାଇଲେ । ହେଲେ କମ୍ପାନୀ ଦେଇଥିବା ପ୍ରତଶ୍ରୁତି ପୂରାଣ କରି ନଥିବାରୁ ଆରମ୍ଭ ହୋଇଛି ଜନ ଆନ୍ଦୋଳନ । କେନ୍ଦ୍ରୀୟ ସଂସ୍ଥା ଏନଏଲସି ହଜାର ହଜାର ମାଟ୍ରିକ ଟନ କୋଇଲା ନେବା ପରେ ମଧ୍ୟ ଅଞ୍ଚଳବାସୀଙ୍କ ଦୁଃଖ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଖିଣ୍ଡା ଅଞ୍ଚଳର ୪ଟି ପଞ୍ଚାୟତବାସୀ କ୍ଷତିପୂରଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଅଞ୍ଚଳବାସୀଙ୍କୁ ସମର୍ଥନ କରିଛନ୍ତି ରେଙ୍ଗାଲି ବିଜେଡି ବିଧାୟକ ସୁଦର୍ଶନ ହରିପାଲ ଏବଂ ପୂର୍ବତନ ବିଧାୟକl ଦୀପାଳି ଦାସ । ସମସ୍ତ ବିସ୍ଥାପିତ ପରିବାରକୁ ଚାକିରି, କ୍ଷତିପୂରଣ ସହ ଅଞ୍ଚଳରେ ସିଏସଆଣ ମାଧ୍ୟମରେ ଲୋକଙ୍କ ପାଇଁ ସେବା ଯୋଗାଇ ଦେବାକୁ ଦାବି ହୋଇଛି । ହେଲେ ୫ ବର୍ଷ ହୋଇଗଲା କମ୍ପାନୀ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଦାବି ପୂରଣ ନହେବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଦେଲେ ଦମ୍ପତି

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବା ପରେ ସ୍ବାମୀ ବି ଆପଣାଇଲେ ସମାନ ରାସ୍ତା । ଘଟଣା ଘଟିଛି, ଆନନ୍ଦପୁର ଥାନା ସଢ଼ଙ୍ଗୀ ଗାଁରେ । ବିଷ ପିଇ ଉଭୟ ସ୍ବାମୀ, ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ମୋହନ ହୋ ଏବଂ ତାଙ୍କ ପତ୍ନୀ ରଜନୀ ।

ମିଳିଥିବା ଖବର ଅନୁସାରେ, ଗତ ଗୁରୁବାର ଗାଁରେ ବିଶ୍ବକର୍ମା ପୂଜା ଭସାଣ  ହେଉଥିଲା । ବାଉଁଶଗଡ ଗାଁରେ ବାପ ଘରେ ରହୁଥିବା ସ୍ତ୍ରୀ ରଜନୀ ନିକଟକୁ ଯାଇଥିଲେ ମୋହନ । ସେଠାରେ ପହଞ୍ଚିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ରଜନୀ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ତ୍ରୀର ମୃତ୍ଯୁ ଖବର ସହି ନପାରି ମୋହନ ମଧ୍ୟ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।