ମୟୂରଭଞ୍ଜ: ମୂର୍ତ୍ତି ଭସାଣ ବେଳେ ଦୁଇ ଗୋଷ୍ଠୀ ମୁଁହାମୁହିଁ। ଛୁରା ମାଡ଼ରେ ଉଭୟ ପକ୍ଷର ୩ ଜଣ ଆହତ। ବାରିପଦାରେ ଗଣେଶ ପୂଜା ଭସାଣବେଳେ ଦୁଇ ଗୋଷ୍ଠୀ ମୁଁହାମୁଁହି ହୋଇଥିଲେ। ଆହତ ଦୁଇ ଜଣ ହେଲେ ପିଆରଏମ ହସ୍ପିଟାଲର ସିକ୍ୟୁରୀଟି ଗାର୍ଡ ଚୈତନ୍ୟ ମୁଖୀ ଓ ଅଜୁ ମୁଖୀ। ବୁଧବାର ରାତି ପ୍ରାୟ ୧୦ସମୟରେ ଶୁନଗଡ଼ିଆ ଅଞ୍ଚଳରେ ଗଣେଶ ପୂଜା ମୂର୍ତ୍ତି ଭସାଣି ବେଳେ ରାସ୍ତା ଜାମ ହେବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁଁହାମୁହିଁ ହୋଇଥିଲେ। ଯାହାକୁ ନେଇ ଶୁନଗଡ଼ିଆ ଅଞ୍ଚଳର ଆକାଶ ମୁଖୀ ଓ କୁନ୍ଦନ ମୁଖୀ ତାଙ୍କ ସାଙ୍ଗମାନଙ୍କ ସହିତ ଦୁଇ ଜଣଙ୍କୁ ଛୁରା ମାଡ଼ କରିଥିଲେ। ଏହାକୁ ନେଇ ଅନ୍ୟ ଗୋଷ୍ଠୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଯାହା ଫଳରେ ସମୁଦାୟ ୩ଜଣ ଆହତ ହୋଇଛନ୍ତି। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ପରେ ଆହତଙ୍କୁ ଚିକିତ୍ସା ଲାଗି ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ, ୨ ମୃତ
ଗଞ୍ଜାମ: ଗଞ୍ଜାମ ପିତଳ ଅଞ୍ଚଳରେ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ଯାନ। ଏଥିରେ ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଏକ ପନିପରିବା ବୋଝେଇ ପିକଅପ୍ ଭ୍ଯାନ ବ୍ରହ୍ମପୁର ଯାଉଥିବାବେଳେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଭ୍ଯାନରେ ବସିଥିବା ୨ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଗତ ମଧ୍ୟ ରାତ୍ରିରେ ହିଞ୍ଜିଳି ଥାନା ପିତଳ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା।
ରାସ୍ତା ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ଗଲେ ୫
ଜଳେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ସ୍ଥିତି ଜଟିଳ । ସୁବର୍ଣ୍ଣରେଖାରେ ବନ୍ୟା ପାଣି ଆସି ଗାଁ ଗଣ୍ଡାରେ ପଶିଛି । ରାସ୍ତା ପାଣିରେ ବୁଡିଛି । କେଉଁଠି ବିଲ କେଉଁଠି ରାସ୍ତା କିଛି ଜଣାପଡୁନାହିଁ । ଏମିତି ସ୍ଥିତିରେ ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୫ ଜଣ ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ରହିଛି । ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲିଆପାଳ ବ୍ଲକର ୭ଟି ପଞ୍ଚାୟତ ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଅନେକ ମୁଖ୍ୟ ରାସ୍ତାରେ ୩ରୁ ୪ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । କୁହ୍ଲାଚଡ ଗ୍ରାମରୁ ୨ ଜଣ ପୁରୁଷ ୩ ଜଣ ମହିଳା ରାଶନ ସାମଗ୍ରୀ ପାଇଁ ବାଲିଆପାଳ ଆସୁଥିଲେ । ଏହି ସମୟରେ କୁହ୍ଲାଚଡ ଜାମକୁଣ୍ଡା ରାସ୍ତାରେ ପ୍ରବାହିତ ହେଉଥିବା ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।
ପୁଣି ଥରିଲା ଲେବାନନ, ଓ୍ବାକିଟକି ବିସ୍ଫୋରଣରେ ତିନି ମୃତ
ନୂଆଦିଲ୍ଲୀ: ବିସ୍ଫୋରଣରେ ପୁଣି ଥରିଲା ଲେବାନନ । ଆଜି ୱାକିଟକିରେ ହୋଇଛି ବିସ୍ଫୋରଣ । ଆଇକମ ଡିଭାଇସରେ ବିସ୍ଫୋରଣ ହୋଇ ୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି । ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ପକେଟ୍ ବୋମା ଦ୍ଵାରା ବିସ୍ଫୋରଣ କରାଯାଇଛି । ଗୋଟି ଗୋଟି କରି ଏକାଧିକ ୱାକିଟକି ବ୍ଲାଷ୍ଟ ହୋଇଥିଲା ।
ଗତକାଲି ଲେବାନନରେ ପେଜର ବିସ୍ଫୋରଣ ଘଟିଥିଲା । ଏଥିରେ ୧୨ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଥିଲେ। ଏକାଥରକେ ଗୋଟିଏ ସମୟରେ ଏହି ସବୁ ପେଜରରେ ବିସ୍ଫୋରଣ ଘଟିଥିଲା । ଗତକାଲିର ବିସ୍ଫୋରଣରେ ୨ ଶହରୁ ଅଧିକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବିସ୍ଫୋରଣକୁ ନେଇ ଇସ୍ରାଏଲକୁ ଟାର୍ଗେଟ କରିଛି ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହେଜବୁଲ୍ଲା । ପେଜର ଏବଂ ୱାକିଟକିରୁ ହ୍ଯାକ୍ କରି ଏହି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି । ହ୍ଯାକ୍ କରି ପେଜର ଓ ୱାକିଟକିରେ ଥିବା ଲିଥିୟମ ବ୍ଯାଟେରୀଙ୍କୁ ଏତେ ମାତ୍ରାରେ ଗରମ କରାଯାଉଛି ଯେ ଏହି ବ୍ଯାଟେରୀରେ ବିସ୍ଫୋରଣ ଘଟୁଛି ।
ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ବିଜେପି ନେତାଙ୍କୁ ଛି ଛି…
ଜୟପୁର: ବିଜେପି ନେତାଙ୍କୁ ମହଙ୍ଗା ପଡିଛି ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର । ସୁଭଦ୍ରା ଯୋଜନା ଶୁଭାରମ୍ଭ ବେଳେ ଜୟପୁର ବିଜେପି ନେତା ଗୌତମ ସାମନ୍ତରାଏଙ୍କ ଅଶୋଭନୀୟ ଆଚରଣ ତାଙ୍କ ପାଇଁ ଅଡୁଆ ବଢ଼ାଇଛି । ଗତକାଲି ଗୌତମଙ୍କ ବିରୋଧରେ ଥାନରେ ଏତଲା ଦେଇଥିଲେ ଜୟପୁର ବିଡିଓ । ସେପଟେ ଘଟଣାକୁ ନେଇ ସବୁ ସ୍ତରରେ ଦୃଢ ନିନ୍ଦା କରାଯିବା ସହ ପ୍ରତିବାଦର ସ୍ବର ଉଠିଛି ।
ଆଜି ବିଜେପି ନେତାଙ୍କ ଦାଦାଗିରି ବିରୋଧରେ ଜୟପୁର ବ୍ଲକର ସମସ୍ତ ଜନ ପ୍ରତିନିଧି ଧାରଣା ଦେଇଛନ୍ତି । ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଜିଲ୍ଲା ପରିଷଦ ସଭ୍ୟ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି । ଏପରିକି ସରକାରୀ ଅଧିକାରୀଙ୍କୁ ଅଶୋଭନୀୟ ଆଚରଣ ସହିତ ଦାଦାଗିରି ଦେଖାଇଥିବା ବିଜେପି ନେତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।
ଜୟପୁର ବିଡିଓ ଶକ୍ତି ମହାପାତ୍ର ଜଣେ ଯୁବ ଅଫିସର । ସେ ବ୍ଲକ ପାଇଁ ବହୁତ ଭଲ କାମ କରୁଥିବା ବେଳେ ବିଜେପି ନେତାଙ୍କ ଏପରି ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ବ୍ଲକ ଉପାଧ୍ୟକ୍ଷ । କିଛି ଗୁଣ୍ଡା ଶ୍ରେଣୀର ବିଜେପି ନେତା ନିଜକୁ ଦେଖାଇ ହେବା ପାଇଁ ଏପରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନିପତି । ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ଦୁର୍ବ୍ୟବହାର ବିରୋଧରେ ବିଜେପିର ରାଜ୍ଯ ନେତୃତ୍ବକୁ ଜଣାଇବେ ବାଲି କହିଛନ୍ତି ତାରା । ସେପଟେ ବିଡିଓଙ୍କୁ ଚିହ୍ନି ନାହାନ୍ତି କି କାହାକୁ କିଛି ଆକ୍ଷେପ କରିନାହାନ୍ତି ବୋଲି କହିଛନ୍ତି ଗୌତମ ସାମନ୍ତରାଏ ।
ସରିଲା ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ
ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଆଜି ହୋଇଛି ପ୍ରାରମ୍ଭିକ ଯାଞ୍ଚ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସଆଇ ନେତୃତ୍ୱରେ କରାଯାଇଛି ଯାଞ୍ଚ । ରତ୍ନଭଣ୍ଡାର ଭିତରେ ଆଉ ସୁଡଙ୍ଗ ଅଛି କି ନାହିଁ ? ଆଉ କିଛି ରତ୍ନ ଅଳଙ୍କାର ଭଣ୍ଡାରରେ ରହିଛି କି ? ଏସବୁକୁ ନେଇ ଚତୁର୍ଥ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ ଆରମ୍ଭ କରିଛି ଏଏସଆଇ ।
ଯାଞ୍ଚ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ଠିକ୍ ଅପରାହ୍ନ ଗୋଟାଏରେ ଏଏସଆଇର ଅତରିକ୍ତ ମହାନିର୍ଦ୍ଦେଶକ ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଓ ଶ୍ରୀମନ୍ଦିର ପ୍ରଶାସନର ୧୪ ଜଣଙ୍କୁ ମିଶାଇ ମୋଟ ୨୬ ଜଣିଆ ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ବାହାର ଓ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇ ଆରମ୍ଭ ହୋଇଥିଲା ବୈଷୟିକ ଯାଞ୍ଚ । ତା’ ପୂର୍ବରୁ ଓଡ୍ରାଫ, ଅଗ୍ନି ନିର୍ବାନକ ଯନ୍ତ୍ର ଓ ସ୍ନେକ୍ ହେଲପ୍ ଲାଇନର ସଦସ୍ୟ ଭିତରକୁ ଯାଇଥିଲେ । ଆଜି ଜିପିଆର ସର୍ଭେ ହୋଇନାହିଁ । ଭିତର ରତ୍ନଭଣ୍ଡାରର ଭରଟିକାଲ୍ ଓ ହରାଇଜୋଣ୍ଟାଲ ଯାଞ୍ଚ ପରେ କେଉଁ ଧରଣର ଓ କେତେ ଓଜନ ବିଶିଷ୍ଟ ମେସିନ୍ ବ୍ୟବହାର କରାଯିବ ତାହା ନିଷ୍ପତ୍ତି ନିଆଯିବ ।
ଆଜି ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି । ଏନଜିଆରଆଇ ଟିମ୍ ଶୀଘ୍ର ଜିପିଆର ସର୍ଭେ କରିବେ । ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହୋଇଥିବା କହିଛନ୍ତି ତଦାରଖ କମିଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ଜିପିଆରଏସ ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ । ୨୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଅନୁରୋଧ କରିଛନ୍ତି ଜଷ୍ଟିସ ବିଶ୍ବାନାଥ । କେବଳ ଯାଞ୍ଚ ନୁହେଁ ଭିତର ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ଷ୍ଟ୍ରକଚରାଲ୍ ଯାଞ୍ଚ ଆରମ୍ଭ ହୋଇଛି । ଭିତର ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର ମଧ୍ୟ ଯାଞ୍ଚ ବେଳେ ଉପସ୍ଥିତ ରହିଥିଲେ । ମହାପ୍ରଭୁଙ୍କ ସେବାପୂଜା, ରୀତିନୀତି ଓ ଧର୍ମୀୟ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କରାଯାଇଛି ।

