spot_img
Home Blog Page 1549

ପତାକା ବନ୍ଧାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବାରଙ୍ଗ: ପତାକା ବାନ୍ଧିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗତକାଲି ରାତିରେ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟସ୍ଥ ଏଏଚପି ହାଉସିଂ କଲୋନୀରେ ଗୋଷ୍ଠୀ ସଂଘର୍ଷ ହୋଇଛି ।

ଏଏଚପି ହାଉସିଂ କଲୋନୀର ସମସ୍ତ ଘର ସାମ୍ନାରେ ପତାକା ଲଗାଇଥିଲେ କିଛି ଲୋକ  । ଯାହାକୁ କଲୋନୀ ଲୋକେ ବିରୋଧ କରିଥିଲେ । ତେବେ କ’ଣ ପାଇଁ ପତାକା ଲାଗିବନି ବୋଲି କହି ଗୋଟିଏ ଗୋଷ୍ଠୀ ଜୋରଜବରଦସ୍ତ ପତାକା ଲଗାଇବାକ ଚେଷ୍ଟା କରିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତୀ ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ଘଟଣା ଉଗ୍ରରୂପ ନେବା ସହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।

ଘଟଣାକୁ ନେଇ ଉଭୟ ପକ୍ଷ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛି ।

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କେନ୍ଦୁଝର ସରକାରୀ ବାସଭବନ ସମେତ ଭୁବେନେଶ୍ୱରସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଉଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି ।

କେନ୍ଦୁଝରରେ ଥିବା ଅଫିସ ସହ ସରକାରୀ ବାସଭବନ, ଲକ୍ଷ୍ମୀସାଗରରେ ଥିବା  ବାସଭବନ, ଶ୍ୱଶୁର ଘର, ଜାଗମରା ବାସଭବନ, ଝାରପଡା ଜେଲ ପୁରୁଣା କ୍ୱାର୍ଟର୍ସ, ଭଦ୍ରକରେ ଥିବା ପୈତୃକ ଘରେ ଚଢ଼ାଉ ହେଉଛି । ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଭୁବନେଶ୍ଵର ଝାରପଡ଼ାରେ ୪ ମହଲା ବିଶିଷ୍ଟ କୋଠା, ୩୩୦୦ ବର୍ଗ ଫୁଟର କୋଠାର ଦାମ ପ୍ରାୟ ଦେଢ଼ କୋଟି ଟଙ୍କା । ଭୁବନେଶ୍ଵର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶ୍ଵର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର ଆକଳନ ଚାଲିଛି । ଏବେ ବି ଚଢ଼ାଉ ଚାଲିଛି ।

୨୦୦୧ରେ କୁଚିଣ୍ଡା ସବ୍ ଜେଲର ଆସିଷ୍ଟାଣ୍ଟ ଭାବେ ସତ୍ୟପ୍ରକାଶ ସ୍ଵାଇଁ ଚାକିରି ଆରମ୍ଭ କରିଥିଲେ । ଗତ ଜୁନରେ ସେ କେନ୍ଦୁଝର ଜିଲ୍ଲା କାରାଗାରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ ।

ଋଷ-ୟୁକ୍ରେନ ଯୁଦ୍ଧର ହେବ ଅନ୍ତ, ମଧ୍ୟସ୍ଥି ସାଜିବ ଭାରତ !

ମସ୍କୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ହେବାର ସଙ୍କେତ । ନିଜେ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିରି ପୁଟିନ୍ ଦେଇଛନ୍ତି ବଡ଼ ବୟାନ । ପ୍ରଥମ ଥର ପାଇଁ ଶାନ୍ତିର ସଙ୍କେତ ଦେଇଥିବା ପୁଟିନ ଭାରତର ନାଁ ନେଇଛନ୍ତି । ପୁଟିନ କହିଛନ୍ତି, ଭାରତ ଯୁଦ୍ଧ ସମାପ୍ତିର ମଧ୍ୟସ୍ଥି ସାଜିପାରେ । ଏହାସହ ବ୍ରାଜିଲ ଓ ଚାଇନା ମଧ୍ୟ ମଧ୍ୟସ୍ଥି ହେବା ନେଇ ପୁଟିନ ସୂଚନା ଦେଇଛନ୍ତି ।

ଗତ ଅଢେଇ ବର୍ଷରୁ ଅଧିକ ହେବ ଦୁଇ ଦେଶ ମଧ୍ୟ ଲାଗି ଯୁଦ୍ଧ ଲାଗି ରହିଛି । ଏସବୁ ମଧ୍ୟରେ ଶାନ୍ତି ଆଲୋଚନା ସପକ୍ଷରେ ସଙ୍କେତ ଦେଇଛନ୍ତି ପୁଟିନ । ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ଶାନ୍ତି ଆଲୋଚନା ନେଇ ବୈଠକ ବସିଥିଲା । ଏହି ସମୟରେ ଋଷ ଓ ୟୁକ୍ରେନର ବୁଝାମଣାରେ ସାମିଲ ଥିବା ଅଧିକାରୀ ମଧ୍ୟରେ ଗୋଟିଏ ଚୁକ୍ତି କରାଯାଇଥିଲା । ହେଲେ ଏହା କେବେ ବି କାର୍ଯ୍ୟକାରୀ ହୋଇପାରିନି । ଉକ୍ତ ବୁଝାମଣା ପତ୍ରରେ ଥିବା ବିଷୟ ବସ୍ତୁକୁ ଏବେ ଆଲୋଚନାର ମୂଳଢାଞ୍ଚା ଭାବେ ନିଆଯାଇପାରେ । ଭାରତ, ଚାଇନା ଓ ବ୍ରାଜିଲ ଏହି ସମ୍ଭାବ୍ୟ ଶାନ୍ତି ଆଲୋଚନାର ମଧ୍ୟସ୍ଥି ବି ସାଜି ପାରିବେ ବୋଲି ପୁଟିନ ମତ ରଖିଛନ୍ତି ।

ଆଜି ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ

ଭୁବନେଶ୍ବର: ଆଜି ବିଧାନସଭାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଦ୍ଯାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ଯାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ, କ୍ରୀଡ଼ା ଓ ଯୁବକଲ୍ଯାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି ।

ସେହିପରି ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରତାରଣା, ରେଭେନ୍ସା ନାମ ପରିବର୍ତ୍ତନ ପରି ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇ ପାରନ୍ତି ବିରୋଧୀ । ଏପରିକି ମୁଲତବି ପ୍ରସ୍ତାବ ମଧ୍ୟ ଦେଇପାରନ୍ତି ବିରୋଧୀ ।

ଖାଦ୍ଯ ଯୋଗାଣ ମନ୍ତ୍ରୀଙ୍କୁ ଖାଦ୍ୟ ଆୟୋଗ ଅଧ୍ଯକ୍ଷଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ବର: ଖାଦ୍ଯ ସୁରକ୍ଷା କମିଶନ ଅଧ୍ଯକ୍ଷ ନିଯୁକ୍ତି ପ୍ରସଙ୍ଗରେ ଖାଦ୍ଯ ଯୋଗାଣ ମନ୍ତ୍ରୀ ଦେଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଆୟୋଗ ଅଧ୍ଯକ୍ଷ ଅବନୀ ସାହୁ । କହିଛନ୍ତି, ପୂର୍ବ ସରକାର ଦେଇଥିବା ଗାଇଡଲାଇନ ଅନୁଯାୟୀ ଚାକିରି କରିଥିଲି । କାହାକୁ ଠକି କି ଚାକିରି କରିନାହିଁ । ମୋ ନାଁକୁ ନେଇ ବିଧାନସଭାରେ ମନ୍ତ୍ରୀ ଏଭଳି ଚର୍ଚ୍ଚା କରିବା ଲାଗି ଧନ୍ଯବାଦ । ବିଏ ପଢି ଏତେ ବଡ଼ ଚାକିରି କରିବା କଥାକୁ ଧନ୍ୟବାଦ ଜଣାଉଛି ।

ଏହାସହ ହରିୟାଣା, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଛତିଶଗଡ଼ରେ ନିଜ ଦଳର ଫୁଡ ଅଫିସର ଅଛନ୍ତି । ସେମାନେ କ’ଣ ପାଠ ପଢ଼ିଛନ୍ତି ସେ ନେଇ ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଅବନୀ ଚ୍ଯାଲେଞ୍ଜ କରିଛନ୍ତି । ପୂର୍ବ ସରକାରରେ ଯଦି ଜାଲିଆତି ହୋଇଛି ତେବେ ଏହାର ତଦନ୍ତ କର । ସବୁ ସତ ସାମ୍ନାକୁ ଆସିଯିବ । ମିଛରେ ବାହାସ୍ଫୋଟ ମାରିଲେ କିଛି ଲାଭ ନାହିଁ । ତଦନ୍ତ କଲେ ସହଯୋଗ କରିବି ।

ଗତକାଲି ପ୍ରଶ୍ନୋତ୍ତର କାଳରେ ଖାଦ୍ଯ ସୁରକ୍ଷା କମିଶନ ଅଧ୍ଯକ୍ଷଙ୍କ ନିଯୁକ୍ତି ନେଇ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଆରୋପ ଲଗାଇଥିଲେ । ଯୋଗ୍ୟତା ଥିବା ଲୋକଙ୍କୁ ବାଦ ଦେଇ ପୂର୍ବ ସରକାର ଜଣେ କୋଇଲା ଚୋରକୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ସେ ପାଉଁଶ ପୋଖରୀରେ ପକାଏ । ଯେଉଁ ପଦ ପାଇଁ IFS ମାନେ ଆବେଦନ କରିଥିଲେ, ସେଥିରେ ଜଣେ ବିଏ ପାସ କୋଇଲା ଚୋରକୁ କାହିଁକି ନିଯୁକ୍ତି ଦେଇ ମାସକୁ ୩ ଲକ୍ଷ ଟଙ୍କା ଦିଆଯାଉଥିଲା ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଆରୋପ ଲଗାଇଥିଲେ ।

ସାଇବର ଅପରାଧୀଙ୍କ ନୂଆ ଚାଲ ମୋବାଇଲ ସ୍ପୁଫିଂ: ଘରେ ଥାଇ ବି ଆପଣ ହୋଇଯିବେ ଆତଙ୍କବାଦୀ

ଭୁବନେଶ୍ବର: ସାଇବର ଅପରାଧୀଙ୍କ ନୂଆଚାଲ । ଆପଣଙ୍କ ମୋବାଇଲରୁ କଲ ଯାଇ ଅପରାଧ ଘଟିଥିବ କିନ୍ତୁ ଆପଣ ଜାଣି ନଥିବେ । ଆପଣଙ୍କ ମୋବାଇଲ ସିମ୍କୁ ସାଇବର ଅପରାଧୀ କ୍ଲୋନିଂ କରି ହ୍ବାଟ୍ସଆପ ହାଇଜାକ କରିଦେଉଛନ୍ତି । ଏପରିକି ଆପଣଙ୍କ ସ୍ବରକୁ କ୍ଲୋନିଂ କରି ଅପରାଧୀକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଛି । ଯାହା ବିଷୟରେ ଆପଣ କେବେ ବି କଳ୍ପନା କରି ନଥିବେ । ଯାହାକୁ ମୋବାଇଲ ସ୍ପୁଫିଂ ବୋଲି ନାମକରଣ କରାଯାଇଛି । ଅର୍ଥାତ ମୋବାଇଲ ଧୋକାବାଜି । କ’ଣ ଏହି ଧୋକାବାଜି ଜାଣନ୍ତୁ ଏହି ରିପୋର୍ଟରୁ ।

ଆପଣ ଘରେ ବସିଥିବେ, ଆଉଟ ଗୋଇଂ କଲ୍ କରି ନଥିବେ । ଅଥଚ ଆପଣ ବିମାନ ଭିତରେ ବମ୍ ରଖିଥିବା ନେଇ ଧରାପଡ଼ିବେ । ପୋଲିସ ଆସି ଆପଣଙ୍କୁ ବାନ୍ଧିବ । ଆଉ ଆପଣଙ୍କ ନାଁରେ ଯୋଡ଼ି ହୋଇଯିବ ଆତଭ୍କବାଦୀ ଟ୍ୟାଗ୍ । ରାତି ପାହିଲାବେଳକୁ ଆପଣଙ୍କୁ ଆସିବ ଶହ ଶହ ଅଫିସ, କଚେରୀ ଓ ବଡ଼ ବଡ଼ ଲୋକଙ୍କ କଲ୍ । ଯାହାଙ୍କୁ କେବେ ବି ଆପଣ ଯୋଗାଯୋଗ କରି ନଥିବେ । ଏପରି ହେଲେ ଜାଣିବେ ଯେ, ଆପଣଙ୍କ ହ୍ବାଟସ୍ଆପ୍ ହାଇଜାକ ହେବା ସହ ଆପଣ ମୋବାଇଲ ସ୍ପୁଫିଂର ଶିକାର ହୋଇଛନ୍ତି ।

ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ୍ ଆପଣଙ୍କ ପାଖରେ ଥିଲେ ବି ଅତି ସହଜରେ ସାଇବର ଅପରାଧୀ କ୍ଲୋନିଂ କରି ତାକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏପରି କି ଆପଣଙ୍କ ସ୍ବର ବି କ୍ଲୋନିଂହେଉଛି । ସାଇବର ଅପରାଧର ନୂଆ ଗବେଷଣାରୁ ଜଣାପଡ଼ିଛି । ଫ୍ରିରେ ଏପରି ବହୁତ ଆପ୍ ସାଇବର ଅପରାଧୀ ଇଣ୍ଟରନେଟରେ ଛାଡ଼ୁଛନ୍ତି । କେତେବେଳେ ଆପଣଙ୍କ ମୋବାଇଲ ଆପ୍ ଅପଡେଟ୍ କଲା ବେଳେ ଅଟୋ ଡାଉନଲୋଡ ହେଉଯାଉଛି ନଚେତ୍ କିଛି ଦରକାରୀ ଆପ୍ ବ୍ୟବହାର ଯୋଗ୍ୟ ବୋଲି ଭାବି ଆପଣ ଡାଉନଲୋଡ କରୁଛନ୍ତି । ଉଭୟ କ୍ଷେତ୍ରରେ ଆପଣ ବିପଦକୁ ଡାକୁଛନ୍ତି । ଏପରି କି ମୋବାଇଲ ନମ୍ବର ଓ ସିମ୍କୁ କ୍ଲୋନିଂ କରିବା ପରେ ଆପଣଙ୍କ ଇ-ମେଲ୍କୁ ଅତି ସହଜରେ ଆକସେସ୍ କରିପାରୁଛନ୍ତି ସାଇବର ଅପରାଧୀ । ଏପରି ଜଣାପଡ଼ିଲେ ତୁରନ୍ତୁ ସାଇବର ଅପରାଧୀ ନିୟନ୍ତ୍ରଣ କେନ୍ଦ୍ର ୧୯୩୦କୁ କଲ୍ କରି ଜଣାଇବାକୁ ପରାମର୍ଶ ।

କେବଳ ସିମ୍ କ୍ଲୋନିଂ ହେଉନି । ସ୍ବରକୁ ବି ଅତି ସହଜରେ କ୍ଲୋନିଂ କରି ଦେଉଛନ୍ତି ସାଇବର ଅପରାଧୀ । ଯାହା କି ଆପଣ କେବେ ବି କଳ୍ପନା କରି ନଥିବେ । ବିଦେଶରେ ଯଦି କେହି ଆପଣଙ୍କ ଆତ୍ମୀୟ ଅଛନ୍ତି ତା’ହେଲେ ତାଙ୍କ ଟୋନରେ ଆପଣଙ୍କୁ ଯୋଗାଯୋଗ କରି ମୋଟା ଅର୍ଥ ଅତି ସହଜରେ ଠକି ନେଉଛନ୍ତି ସାଇବର ଲୁଟେରା ।

ପୂର୍ବତନ ପୋଲିସ ପ୍ରଶାସକଙ୍କ ମତରେ ଏପରି ଘଟଣା କାହା ସହିତ ବି ଘଟିପାରେ । ଯଦି କେହି ବି ୧୯୩୦ ବିଷୟରେ ଜାଣିନାହାନ୍ତି ତା’ହେଲେ ତାଙ୍କ ସହ ଏପରି ଘଟିଲେ ସ୍ଥାନୀୟ ଥାନା ବା ଫାଣ୍ଡିରେ ନିଜ ମୋବାଇଲ ନମ୍ବରଟି ଦେଇ ଗୋଟିଏ ଅଭିଯୋଗ ପତ୍ର ଦେଇପାରିବେ । ଏପରି କଲେ ନିଜକୁ ଆଇନର ଫାଶରୁ ମୁକୁଳାଇ ହେବ । ଡେରି କଲେ ଭୟଙ୍କର ହେବ ପରିଣତି ।

ବିଶେଷଜ୍ଞଙ୍କ ମତରେ ପ୍ଲେଷ୍ଟୋରରେ ମିଳୁଥିବା ଫ୍ରି-ଆପ୍କୁ ଡାଉନଲୋଡ କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପ୍ ବିକଶିତ କରିଥିବା କମ୍ପାନୀ ଉପରେ ସନ୍ଦେହ ହେଉଛି ତା’ହେଲେ ତାକୁ ଆଦୌ ଡାଉନଲୋଡ କରନ୍ତୁନି । ଡିଜିଟାଲ ବିପ୍ଳବକୁ ରୋକି ହେବନି । କିନ୍ତୁ ସତର୍କ ନ ରହିଲେ ବିନା ଦୋଷରେ ଜେଲ୍ ଯିବା ସାର ହେବ ।

କେଜ୍ରିଓ୍ବାଲଙ୍କ ଜାମିନ ସଂକ୍ରାନ୍ତ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ସଂକ୍ରାନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ କରିଛନ୍ତି ଭର୍ତ୍ସନା । କେଜ୍ରିଓ୍ବାଲଙ୍କୁ ପୁନର୍ବାର ଗିରଫ କରାଯିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାର ଥିଲା । ମାତ୍ର କାହିଁକି ସିବିଆଇ ଏହା କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ସମ୍ଭବତଃ ଆସନ୍ତା ମଙ୍ଗଳବାର ଜାମିନ ସଂକ୍ରାନ୍ତରେ ରାୟ ଦେଇପାରନ୍ତି କୋର୍ଟ ।

ମଦନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳି ସାରିଛି । ମାତ୍ର ସିବିଆଇ ଗିରଫ କରିବା ଯୋଗୁଁ ତାଙ୍କୁ ଜାମିନ ମିଳିପାରିନାହିଁ । ଏକ ସ୍ପେସାଲ ଲିଭ୍ ପିଟିସନ ଅନୁସାରେ ଉଭୟ ଗିରଫଦାରୀ ଓ ଅନ୍ଯାନ୍ୟ ରିମାଣ୍ଡ ଆଦେଶନାମା ବିରୋଧରେ ଆବେଦନ କରିଥିଲେ କେଜ୍ରିଓ୍ବାଲ ।

ସେପଟେ ସିବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ମଦନୀତି ମାମଲାରେ ରାଜନୈତିକସ୍ତରରେ ହଟଚମଟ ସୃଷ୍ଟି କରିବାକୁ କେଜ୍ରିଓ୍ବାଲ ଚାହୁଁଛନ୍ତି । ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ତାଙ୍କୁ ଗିରଫ କରିଥିଲା ଇଡି । କେଜ୍ରିଓ୍ବାଲ ତିହାର ଜେଲରେ ଥିବା ବେଳେ ତାଙ୍କୁ ଗତ ଜୁନ ୨୫ରେ ଗିରଫ କରିଥିଲା ସିବିଆଇ ।

ଦିଲ୍ଲୀ ମଦନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଗତ ଅଗଷ୍ଟ ୯ରେ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଗତବର୍ଷ ଅକ୍ଟୋବର ୪ରେ ଗିରଫ ସଞ୍ଜୟ ସିଂଙ୍କୁ ଏପ୍ରିଲ ୩ରେ ମିଳିଥିଲା ଜାମିନ । ସେହିପରି ଗତ ମାର୍ଚ୍ଚ ୧୫ରେ ଗିରଫ ବିଆରଏସ ନେତ୍ରୀ କେ. କବିତାଙ୍କୁ ଗତ ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଦେଇଥିଲେ ଜାମିନ।

ସୁଭଦ୍ରା ଯନ୍ତ୍ରଣା: ସାରା ରାଜ୍ଯରୁ ଅବ୍ଯବସ୍ଥା ଓ ଅସନ୍ତୋଷର ଖବର

ଭୁବନେଶ୍ବର: ଚାରିଆଡୁ ଆସୁଛି ସୁଭଦ୍ରା ଯନ୍ତ୍ରଣା ଖବର । ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଯାଇ ନୟାନ୍ତ ହେଲେଣି ଲୋକେ । ଆଧାରକାର୍ଡ ସଂଶୋଧନ, ଆଧାର ସହ ବ୍ଯାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ମୋବାଇଲ ଫୋନ ସଂଯୋଗ ଓ ବ୍ଯାଙ୍କ ଜମାଖାତା ସହ ମୋବାଇଲ ଫୋନ ଲିଙ୍କ । ଏସବୁ ସୁଧାରିବାକୁ ଯାଇ ହନ୍ତସନ୍ତ ମହିଳା । ପିଲାଛୁଆଙ୍କୁ ଧରି କିଏ ରାତି ତମାମ ପୋଷ୍ଟ ଅଫିସ ଆଗରେ ଅପେକ୍ଷା କରିଛି ତ ଆଉ କିଏ ବ୍ଯାଙ୍କ ଓ ମୋ ସେବା କେନ୍ଦ୍ର ଆଗରେ ଧାଡ଼ି ଲଗାଇଛି । ସେବା ମିଳିବାରେ ଅବ୍ଯବସ୍ଥାରୁ ସାଧାରଣରେ ଅସନ୍ତୋଷ ତେଜୁଛି । ବ୍ୟବସ୍ଥାକୁ ଆହୁରି ସରଳ ଓ ସୁବିଧାଜନକ କରିବାକୁ ଲୋକେ ଦାବି କରିଛନ୍ତି । ପଞ୍ଚାୟତସ୍ତରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି ।

ସୁନ୍ଦରଗଡ଼ରୁ କୋରାପୁଟ, ବାଲେଶ୍ଵରରୁ ଗଞ୍ଜାମ । ସବୁଠି ସୁଭଦ୍ରା ଅବ୍ଯବସ୍ଥା । ହଇରାଣ ହେଉଛନ୍ତି ମାଆ ଓ ଭଉଣୀ । ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଦିନରାତି ଧାଡି ଲଗାଇଛନ୍ତି । କେବଳ ଏହି ୪ ଜିଲ୍ଲା ନୁହଁ । ସାରା ରାଜ୍ଯରେ ସମାନ ଦୃଶ୍ୟ । ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ କରିବାକୁ ଆସି ନୟାନ୍ତ ମହିଳା । କେଉଁଠି ଓ୍ବେବସାଇଟ ଖୋଲୁନି ତ ଆଉ କେଉଁଠି ଆଧାରକାର୍ଡ ଅପଡେଟ୍ ନାହିଁ । କାହାର ବ୍ଯାଙ୍କ ଖାତା ସହ ଆଧାର କାର୍ଡ ଲିଙ୍କ ହୋଇନି ତ ଆଉ କାହାର ଆଧାରକାର୍ଡ ସହ ଫୋନ୍ ନମ୍ବର ଲିଙ୍କ୍ ନାହିଁ । ଆଧାରକାର୍ଡ ସଂଶୋଧନ ପାଇଁ ଲାଗିଛି ଲମ୍ବା ଲାଇନ । ମଧ୍ଯରାତ୍ରିରୁ ପୋଷ୍ଟ ଅଫିସ ସାମ୍ନାରେ ଲଗାଇଛନ୍ତି ଧାଡ଼ି । ପୋଷ୍ଟ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଅନେକ ଯନ୍ତ୍ରଣା ଭୋଗୁଛନ୍ତି । ଲମ୍ବା ଲାଇନରେ ଠିଆ ହେଲେ ସୁଦ୍ଧା ହୋଇପାରୁନି ସଂଶୋଧନ । ୨ ଦିନ ଧରି ଧାଡ଼ିରେ ଠିଆ ହୋଇ ବି ଆଧାର ନମ୍ବର ସଂଶୋଧନ ହୋଇପାରୁନି ।

ଜନସେବା କେନ୍ଦ୍ର ଓ ପୋଷ୍ଟ ଅଫିସ ଆଗରେ ଲମ୍ବା ଲାଇନ । କିନ୍ତୁ ଖୋଲୁନି ସୁଭଦ୍ରା ପୋର୍ଟାଲ । କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ଏହାକୁ ନେଇ ବ୍ଯାପକ ଅସନ୍ତୋଷ । ଆଧାର ସହ ମୋବାଇଲ ଲିଙ୍କ କରିବାକୁ ଆସି ହନ୍ତସନ୍ତ ହେଉଛନ୍ତି ମହିଳା । ସେହିପରି ଗଞ୍ଜାମ ଆସିକାରେ ମହିଳାଙ୍କ ସମସ୍ୟା ନକହିବା ଭଲ । ସମାନ ଅବସ୍ଥା ରାଉରକେଲାରେ । ଉଦିତନଗର ଆଧାର କାର୍ଡ ସଂଶୋଧନ କେନ୍ଦ୍ରରେ ଲାଗିଥିଲା ପ୍ରବଳ ଭିଡ । ଗୋଟିଏ ଅଫିସରୁ ଅନ୍ଯ ଅଫିସକୁ ଦୌଡି ମହିଳାମାନେ ହେଉଛନ୍ତି ହଇରାଣ ।

ଗତକାଲି ମଧ୍ଯ ରାଜ୍ଯର ବିଭିନ୍ନ ସ୍ଥାନରୁ ଅବ୍ଯବସ୍ଥାର ଖବର ଲାଗି ରହିଥିଲା । ଆଧାର କାର୍ଡ ସହ ବ୍ୟାଙ୍କ ପାସବୁକ ଲିଙ୍କ ଲାଗି ଲମ୍ବା ଧାଡିରେ ଛିଡା ହୋଇଥିଲେ ମହିଳା l ହେଲେ ଅଧାରୁ ଖରାପ ହେଲା ଆଧାର କେନ୍ଦ୍ର ମେସିନ l ଦୂରଦୁରାନ୍ତର ଆସିଥିବା ମହିଳା ନିରାଶ ହୋଇ ଫେରିଥିଲେ । ରାଜଧାନୀ ଭୁବନେଶ୍ଵରରେ ମଧ୍ଯ ସମାନ ଅବସ୍ଥା । ଆଧାର କେନ୍ଦ୍ରରେ ନାହିଁ ନଥିବା ଭିଡ଼ । ବାଲେଶ୍ଵର ସୋରରେ ଆଧାର କାର୍ଡ ସଂଶୋଧନ ପାଇଁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗିଥିଲା ଲମ୍ବା ଲାଇନ । ଭଦ୍ରକ ଆରଡ଼ିରେ ସମାନ ଅବସ୍ଥା । କୋରାପୁଟ ପଟାଙ୍ଗିରେ ଅଫିସ ଖୋଲିବା ମାତ୍ରେ ଲୋକେ ଦୌଡ଼ି ଭିତରକୁ ପଶିଥିଲେ । ଯାଜପୁର ମୁଖ୍ୟ ଡାକଘରେ ମଧ୍ଯ ଆଧାର ଲିଙ୍କ୍ କରିବାକୁ ଜମିଥିଲା ପ୍ରବଳ ଭିଡ । ହେଲେ ଏସବୁ ମଧ୍ଯରେ ସୁଭଦ୍ରା ଯୋଜନାରେ ଆବେଦନ ଲାଗି ନିର୍ଦ୍ଦିଷ୍ଟ ଶେଷ ତାରିଖ ନାହିଁ ବୋଲି କହିଛନ୍ତି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେପ୍ଟେମ୍ବର ୧୭ ପରେ ମଧ୍ଯ ଆବେଦନ କଲେ ଯୋଜନାର ଲାଭ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସଂସଦରେ ୱାକଫ ବିଲକୁ ବିରୋଧ କରିବ ବିଜେଡି: ନବୀନ

ଭୁବନେଶ୍ବର: ୱାକଫ ବିଲକୁ ସଂସଦରେ ଦୃଢ ବିରୋଧ କରିବ ବିଜେଡି । ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଯୋଗଦେଇ ଏହା କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି- ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପ୍ରଥମ କାମ ବୋଲି କହିଛନ୍ତି ନବୀନ । ସେପଟେ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ୱାକଫ ବିଲ ଆଣିବାକୁ ଏନଡିଏ ସରକାର ଉଦ୍ୟମ କରୁଛନ୍ତି । ହେଲେ ସଂସଦରେ ବିଲକୁ ବିଜେଡି କରିବ ବିରୋଧ । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି । ବିଜେଡି ସଂଖ୍ୟଲଘୁ ସେଲ ବୈଠକରେ ଯୋଗଦେଇ ନବୀନ କହିଛନ୍ତି,  ଏ ଦେଶ ଆମର, ଏ ମାଟି ଆମର । ଏ ଭାବନା ନେଇ ଗୌରବ ବୃଦ୍ଧି ପାଇଁ କାମ କରିବାକୁ ହେବ । ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିପାରିଛି । ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ପଡିବ । କାର୍ଯ୍ୟକ୍ରମରେ ବୌଦ୍ଧ, ଶିଖ, ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମର ପ୍ରତିନିଧିମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ମିଛ କହି ଲୋକଙ୍କୁ ଭୁଆଁ ବୁଲାଇ ବିଜେପି ସରକାରକୁ ଆସିଛି । ବିଜେଡି ସବୁବେଳେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଆସିଛି । ବର୍ତ୍ତମାନର ସରକାର ଯେଉଁଭଳି ମନୋଭାବ ରଖୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଭାରତରେ ସବୁ ଧର୍ମର ଲୋକଙ୍କ ଅଧିକାର ରହିଥିବା ବେଳେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ସେ କହିଛନ୍ତି, ପ୍ରାର୍ଥନା ବେଳେ ଭଙ୍ଗାରୁଜା ହେଉଛି । ନମାଜ ପଢିବାକୁ ଦିଆଯାଉ ନାହିଁ। ଏହା କି ପ୍ରକାର ମାନସିକତା ? ବିଜୁ ବାବୁଙ୍କ ସମୟରୁ ଧର୍ମ ନିରପେକ୍ଷତାକୁ ବିଜେଡି ସମର୍ଥନ କରିଆସିଛି । ଓଡ଼ିଶାରେ ଶାନ୍ତିର ବାତାବରଣକୁ ଭାଙ୍ଗିବାକୁ ଦିଆଯିବ ନାହିଁ । ସଂଖ୍ୟାଲଘୁ ସେଲର ସଦସ୍ଯମାନେ ଭାଇଚାରା ରକ୍ଷା କରିବାକୁ ପ୍ରସ୍ତାବ ପାସ୍ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେଡି ସଂଖ୍ୟାଲଘୁ ସେଲର ବୈଠକରେ ଦଳର ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା, ସାଙ୍ଗଠନିକ ପ୍ରସଙ୍ଗ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କହିବା ସହ ଆଗକୁ ଲୋକଙ୍କ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମହିଳା, ଶିଶୁ ଓ ଆଦିବାସୀଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ରାଜ୍ୟରେ ଢିଲା ହୋଇ ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି । ମହିଳା, ଶିଶୁ ଓ ଆଦିବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର । ଏହି କାରଣରୁ ୩ ମାସ ଭିତରେ ବାଲେଶ୍ଵର ରେମୁଣାରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସହିତ ଭୁବନେଶ୍ୱର, ପାଟଣାରେ ନାବାଳିକା ଦୁଷ୍କର୍ମ ଭଳି ଘଟଣା ଘଟିଛି । ମୁଲତବି ଆଲୋଚନାରେ ସରକାରଙ୍କୁ ଭର୍ତ୍ସନା କରିବା ସହିତ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ ମୋହନ ସରକାରଙ୍କୁ ସମାଲୋଚନା କରି ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ଭଳି ଆଇନ ଆଣିବାକୁ ଦାବି କରିଛି ।

ରାଜ୍ୟ ସରକାର ନା ପୀଡିତଙ୍କୁ ସୁରକ୍ଷା ଦେଇ ପାରୁଛନ୍ତି ନା ସେମାନଙ୍କ ପରିବାର ସହ ଠିଆ ହେଉଛନ୍ତି । ରେମୁଣା, ଭୁବନେଶ୍ୱର, ପାଟଣା ଓ ସମ୍ବଲପୁର ଘଟଣାର ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୁଲତବି ଆଲୋଚନାରେ ଭାଗ ନେଇ ପ୍ରମିଳା ଅଭିଯୋଗ କରିଛନ୍ତି, ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବା ବଦଳରେ ଶାସକ ବିଜେପି ୨୪ ବର୍ଷର ବିଜେଡି ସରକାରର ନାଁ ଜପି ଜପି ୫ ବର୍ଷ ବିତାଇ ଦେବ । ବିଜେଡି ସରକାର ଅମଳରେ ଘଟଣାକୁ ଚପାଇ ଦିଆ ଯାଉ ନଥିଲା । ମାମଲା ସଂଖ୍ୟା ବଢୁଥିଲା ସତ, କିନ୍ତୁ ପୋଲିସ ଉପରେ ଲୋକଙ୍କ ଭରସା ଥିଲା । ଏବେର ସରକାର ସେ ଦିଗରେ କିଛି କରୁନାହାନ୍ତି । କାହାକୁ ସୁରକ୍ଷା ଦେଇ ପାରୁନାହାନ୍ତି ।

ପ୍ରମିଳା କଟାକ୍ଷ କରିଛନ୍ତି, ଅଫିସରଙ୍କ ଲେଖାକୁ ମନ୍ତ୍ରୀ କେବଳ ପଢି ଦେଲେ ହେବନି । ମହିଳାଙ୍କୁ ସୁରକ୍ଷା ଦେବାକୁ ପଡ଼ିବ । ବିଜେଡି ଅମଳର ନ୍ୟାୟିକ ନୀତିକୁ ନେଇ ସରକାର ଯଦି କାର୍ଯ୍ୟ କରନ୍ତି ତେବେ ସମସ୍ତଙ୍କୁ ସୁରକ୍ଷା ଦେଇ ପାରିବେ । ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ନବୀନ ସରକାର ସ୍ଵତନ୍ତ୍ର ଡେସ୍କ ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ଏବେ ନୀରବ କାହିଁକି ? ରେମୁଣା, ଭୁବନେଶ୍ୱର, ସମ୍ବଲପୁର ଓ ପାଟଣl ମାମଲାରେ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଥିଲେ ପ୍ରମିଳା ।

ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛି  l ମୁଲତବି ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟିକା ସୋଫିଆ  ଫିରଦୋଶ କହିଛନ୍ତି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଯେମିତି ଅଛି, ମତେ ଡର ଲlଗୁଛି l ଗୃହରେ ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ, ସମେତ ୧୧ ଜଣ ମହିଳା ଅଛନ୍ତି l ଦେଶର ରାଷ୍ଟ୍ରପତି ମଧ୍ୟ ଓଡ଼ିଆ । ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ଚିନ୍ତା ପ୍ରକଟ କରନ୍ତୁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଅଛି । ମହିଳାଙ୍କ ସୁରକ୍ଷା ପାଇଁ ଗୋଟେ ସ୍ଵତନ୍ତ୍ର ବିଲ ଅଣାଯାଉ l ପଶ୍ଚିମବଙ୍ଗ ସରକାର ଭଳି ଓଡ଼ିଶାରେ ଏକ କଡ଼ା ବିଲ ଆଣିବାକୁ ସେ ଦାବି କରିଛନ୍ତି ।

ଗୃହ ବିଭାଗ ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି ଅନୁପସ୍ଥିତ ଥିବାରୁ ତାଙ୍କ ତରଫରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ଆଶ୍ଵାସନା ଦେଇଛନ୍ତି, ଅପରାଧୀଙ୍କ ବିରୋଧରେ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି ଅଛି ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।