spot_img
Home Blog Page 1572

ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା ନେଇ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ

କୋଲକାତା : ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ପଶ୍ଚିମବଙ୍ଗ ବନ୍ଦ। ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପଶ୍ଚିଂବଗ ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏ ବନ୍ଦ ପାଳନ କରୁଛି ପଶ୍ଚିମବଂଗ ବିଜେପି। ବିଭିନ୍ନ ସ୍ଥାନରେ କାଁଭାଁ ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟ ପରିବହନର କିଛି ବସକୁ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ଛାତ୍ର ସଂଗଠନ ପକ୍ଷରୁ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଗତକାଲି ନବାନ୍ନ ଅଭିଯାନ ପରେ ଆଜି ପଶ୍ଚିମବଙ୍ଗ ବିଜେପି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପଶ୍ଚିମବଂଗରେ ବନ୍ଦ ପାଳନ ଚାଲିଛି। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି । ଛାତ୍ରଛାତ୍ରୀ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି।

ବନ୍ୟଜନ୍ତୁ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ : ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର

ଭୁବନେଶ୍ୱର : ବନ୍ୟଜନ୍ତୁ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ। ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର। ଅଭୟାରଣ୍ୟରେ ବୁଲିବେ ସ୍ନିଫର ଡଗ ସ୍କ୍ୱାର୍ଡ। ପ୍ରାଥମିକ ପର୍ଯ୍ୟୟରେ ୭ଟି ବନଖଣ୍ଡରେ ୧୦ କୁକୁର ଛଡ଼ାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁଗୁଳ, ଢେଙ୍କାନାଳ, ହୀରାକୁଦ, ବାଲେଶ୍ୱର ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ ଦେବା କାମ କରିବେ। ଏଥିପାଇଁ ସଂସ୍ଥା ପାଖରେ ୧୦ ବର୍ଷର ଅଭିଜ୍ଞତା ସହ ସୈନ୍ୟବାହିନୀ, ପୋଲିସ ଓ ଜଙ୍ଗଲ ବିଭାଗକୁ ତାଲିମପ୍ରାପ୍ତ କୁକୁର ଯୋଗାଇଥିବେ। ସନ୍ଧାନୀ କୁକୁର ଅଭୟାରଣ୍ୟରେ ଆହତ ବନ୍ୟାଜନ୍ତୁଙ୍କୁ ଟ୍ରାକ କରିବା ସହ ଶିକାରୀଙ୍କ ଉପରେ ନଜର ରଖିପାରିବ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ : ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ। ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି। ଏହି ପରମ୍ପରାକୁ ସ୍ମରଣ କରି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ।

ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯାଏ। ପରେ ରାମକୃଷ୍ଣ ପାଲିଙ୍କିରେ ବିଜେ କରି ବଡ଼ଛତା ନିକଟରେ କୋଳି ବିକା ନୀତି ସମ୍ପନ୍ନ କରିବା ପରେ ସନ୍ଧ୍ୟାଧୂପରେ ବନଭୋଜି ବେଶ ସହ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବା ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ।

ଏହାଛଡ଼ା ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ଦଣ୍ତାୟମାନ ଅବସ୍ଥାରେ ରଖାଯାଇଥାଏ। ଆଜି ବନଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି କାଳୀୟଦଳନ ବେଶ ଓ ପରେ ପ୍ରଳମ୍ୱାଶୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି। ଏହି ବେଶ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି।

ଭୁବନେଶ୍ଵର ବିମାନବନ୍ଦରୁ ସୁନା ଠାବ ଘଟଣା : ଓଜନ ଚାଲିଛି, ହିସାବ ଛିଡୁନି !

ଭୁବନେଶ୍ୱର : ଓଜନ ଚାଲିଛି, ହିସାବ ଛିଡୁନି ! ୮୦ କେଜିରୁ ଉର୍ଦ୍ଧ ସୁନା ଓ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ରୂପା ବିମାନବନ୍ଦରରୁ ଆସୁଥିବା ବେଳେ ସିଟି ଜିଏସଟି ବିଭାଗ ଧରିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁନା ସ୍ଥାନରେ ରୂପା ଦେଖାଇ ଟିକସ ଫାଙ୍କିବାକୁ ଉଦ୍ୟମ ହେଉଥିବା ସନ୍ଦେହ । ଆଜି ପୁଣି ଜବତ ସୁନାର ଛାନଭିନ ଚାଲିଛି  । ସିଟି ଜିଏସଟି ଅଫିସର ରାତି ତମାମ କାଗଜପତ୍ର ଯାଞ୍ଚ କରୁଛନ୍ତି । ଓଜନ ସୁନା ସହ ମେଳ ଖାଉନି ଟ୍ୟାକ୍ସ ଇନଭଏସ।

କିଛି କିଛି ଦୋକାନୀଙ୍କ ସୁନାର ପାଖାପାଖି ସମାନ ରହିଥିବା ବେଳେ, ଅଧିକାଂଶ ଙ୍କର ଟ୍ୟାକ୍ସ ଫାଙ୍କିଥିବାର ଆଶଙ୍କା କରୁଛି ଏନ୍ଫୋର୍ସ ଟିମ । ତେବେ ଛୋଟ ଛୋଟ ଦୋକାନୀଙ୍କୁ ଢାଲ କରି ସୁନା ଚାଲାଣର କଥା ସାମ୍ନାକୁ ଆସିଥିବା ବେଳେ, ସୁନା ସ୍ଥାନରେ ରୁପାକୁ ଦେଖାଇ ଚାଲାଣର ବାସ୍ନା ପାଇଛି ତଦନ୍ତକାରୀ ସଂସ୍ଥା  । ରୁପା କଏନର ୬୦ ପ୍ରତିଶତ ହିସାବ ମିଳି ପାରୁନଥିବା ବେଳେ ଏହା ଉପରେ ମୋଟା ଅଙ୍କର ଫାଇନ ପକାଇବା ସହ ଖୁବଶୀଘ୍ର ସୁନାକୁ ନେଇ ତନାଘନା ଆରମ୍ଭ ହେବ। ଗତକାଲି ସୁନା ଦୋକାନୀଙ୍କୁ ଡକାଇ ପଚରାଉଚରା କରାଯାଇଛି ।

CHSEର ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ CHSEର ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଘର ସମେତ ଏକକାଳୀନ ୩ ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ। ସ୍ପେଶାଲ ଜଜ୍ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଶେଖରପୁର ସ୍ଥିତ କାନନ ବିହାର ଫେଜ ୨ ସ୍ଥିତ ଘର, ଜଗତସିଂହପୁର ସ୍ଥିତ କେଉପଦାରେ ଥିବା ପୈତୃକ ଘର ଓ ସାମନ୍ତରାପୁରରେ ଥିବା CHSE ଅଫିସରେ ଏକକାଳୀନ ରେଡ଼ କରାଯାଉଛି । ୩ ଜଣ ଡ଼ିଏସପିଙ୍କ ନେତୃତ୍ୱରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ASI ଓ ଅନ୍ୟାନ୍ୟ ଷ୍ଟାଫ ରେଡ଼ ମାରୁଛନ୍ତି। ପୂର୍ବରୁ ବାବୁଙ୍କ ନାଁରେ ପିଟିସନ ଭିଜିଲାନ୍ସ ନିକଟରେ ପଡିଥିଲା । ଯାହାକୁ ଆଧାର କରି ଆଜି ସକାଳୁ ରେଡ୍ କରୁଛି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ୩ ଟି ଟିମ ।

ଆଜିଠୁ ପ୍ଯାରିସ ପାରାଅଲିମ୍ପିକ୍ସ-୨୦୨୪; ଭାରତରୁ ଯାଇଛନ୍ତି ୮୪ ଜଣିଆ ଟିମ୍

ପ୍ଯାରିସ : ଆଜିଠୁ ବିଶ୍ବ ପାରା କ୍ରୀଡ଼ାର ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ଆରମ୍ଭ ହେଉଛି ପ୍ଯାରିସ ପାରାଅଲିମ୍ପିକ୍ସ । ପ୍ଯାରିସ ଅଲିମ୍ପିକ୍ସ ଶେଷ ହେବାର ପ୍ରାୟ ୩ ସପ୍ତାହ ପରେ ସମାନ ଭେନ୍ଯୁରେ ଆଜିଠୁ ପାରାଅଲିମ୍ପିକ୍ସର ୧୭ତମ ସଂସ୍କରଣ ଆରମ୍ଭ ହେଉଛି । ଆଜି ରାତିରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ଉତ୍ସବ ପରେଡରେ ଭାରତର ସୁମିତ ଆଣ୍ଟିଲ ଓ ଭାଗ୍ଯଶ୍ରୀ ଯାଦବ ତ୍ରିରଙ୍ଗା ବାହକ ରହିବେ । ଏହି ପ୍ରତିଯୋଗିତାକୁ ଭାରତରୁ ଯାଇଛନ୍ତି ୮୪ ଜଣ କ୍ରୀଡ଼ାବିତ ।

ପାରାଅଲିମ୍ପିକ୍ସ ଇତିହାସରେ ଏହା ଭାରତର ସର୍ବବୃହତ ଦଳ ଭାବେ ବିବେଚିତ ହେଉଛି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତର ୫୪ ଜଣିଆ ଦଳ ଭାଗ ନେଇଥିଲେ । ଏଥର ପ୍ଯାରିସ ଯାଇଥିବା ୮୪ ଜଣିଆ ଟିମରେ ୫୨ ଜଣ ପୁରୁଷ ଓ ୩୨ ଜଣ ମହିଳା କ୍ରୀଡାବିତ ରହିଛନ୍ତି । ୧୨ଟି କ୍ରୀଡ଼ାରେ ଭାରତୀୟ କ୍ରୀଡାବିତ ଭାଗନେବେ । ଦୌଡ଼କୁଦରେ ସର୍ବାଧିକ ୩୮ ଜଣ କ୍ରୀଡ଼ାବିତ ରହିଥିବାବେଳେ ୩ଟି ନୂଆ କ୍ରୀଡ଼ାରେ ଭାରତ ପ୍ରତିନିଧିତ୍ବ କରିବ । ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ୧୯ଟି ପଦକ ଜିତିଥିଲା । ୨୦୨୩ ପାରା ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ୧୧ଟି ପଦକ ବିଜୟ ଲାଭ କରିଥିଲା । ତେଣୁ ଏଥର ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ହେବ ବୋଲି ଖେଳାଳି ଆଶା ରଖିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଚ୍ଛେଦ ହେଲା କଟକ ଶଙ୍କରପୁର ବାଦାମବାଡି ପୂଜା ମଣ୍ଡପ

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ଶଙ୍କରପୁର ବାଦାମବାଡି ପୂଜା ମଣ୍ଡପକୁ ଉଚ୍ଛେଦ କରାଯାଇଛି। ଏକ ଜନସ୍ବାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ହାଇକୋର୍ଟ ବାଦାମବାଡିରୁ ଲିଙ୍କ ରୋଡ ମଧ୍ଯରେ ନାଳ ଉପରେ ଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଏହି ପୂଜା ମଣ୍ଡପକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଓ ପୋଲିସ ଉଦ୍ୟମ କରି ବିଫଳ ହୋଇଥିଲେ। ଗତକାଲି ୩ ପ୍ଲାଟୁନ ଫୋର୍ସ ସହ ଆସି ପ୍ରଶାସନ ଏହି ମଣ୍ଡପକୁ ମାପଚୁପ କରିବା ପରେ ଭଙ୍ଗା କାମ ଆରମ୍ଭ ହୋଇଥିଲା। ମଣ୍ଡପ ଉଚ୍ଛେଦକୁ ବିରୋଧ କରିଥିଲେ ପୂଜା କମିଟି ସଦସ୍ଯ ଓ ସାହି ବାସିନ୍ଦା। ତେବେ ଘଟଣାସ୍ଥଳରେ କମିଶନରେଟ ପୋଲିସର ଏସିପିଙ୍କ ସହ ସିଏମସି ଡେପୁଟି କମିଶନର ଉପସ୍ଥିତ ରହି ଲୋକମାନଙ୍କୁ ବୁଝାସୁଝା କରିଥିଲେ।

ଲଘୁଚାପ ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା, ଆଜିଠୁ ଆହୁରି ବଢିବ ପରିମାଣ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା । ଆଜିଠୁ ପରିମାଣ ଆହୁରି ବଢିବା ସହ ଦକ୍ଷିଣ ଓଡ଼ିଶାରେ ବଡ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୨୯ରୁ ୩୧ ଯାଏଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଜି ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା କରାଯାଇଥିବାବେଳେ ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ବର୍ତ୍ତମାନ ଉତ୍ତର ପଶ୍ଚିମ ଝାଡ଼ଖଣ୍ଡ ଉପରେ ରହିଛି ଲଘୁଚାପ। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

କାଲିପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଯାହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡ଼ିଶାରେ ଏହି ଲଘୁଚାପ ପ୍ରଭାବ ସର୍ବାଧିକ ରହିବ । ଆସନ୍ତା ୩୧ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ । ୩୦ ଓ ୩୧ ତାରିଖରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ପ୍ରବଳ ବର୍ଷା ଫଳରେ ଫଳରେ ନଦୀ ଫୁଲିବା ସହ ବନ୍ୟା ଆଶଙ୍କା ରହିଛି।

କାଲି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍!

ନୂଆଦିଲ୍ଲୀ : ଆସନ୍ତାକାଲି ବିଜେପିରେ ମିଶିବେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ୍ । ଆଜି ସେ ଜେଏମଏମ ଏବଂ ହେମନ୍ତଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଇସ୍ତଫା ଦେବାପରେ କାଲି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇପାରନ୍ତି । ଚମ୍ପାଇ ସୋରେନ ବିଜେପିରେ ମିଶିବା ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବଶ୍ୱଶର୍ମା ସୂଚନା ଦେଇଥିଲେ । ସୋମବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ ଚମ୍ପାଇ। ଭବିଷ୍ୟତ ରଣନୀତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।

ଚମ୍ପାଇଙ୍କ ସହ ତାଙ୍କ ପୁଅ ବାବୁଲାଲ ସୋରେନ ମଧ୍ଯ ବିଜେପିରେ ସାମିଲ ହେବେ । ଆଜି ଚମ୍ପାଇ ସୋରେନ ଦିଲ୍ଲୀରୁ ଝାଡ଼ଖଣ୍ଡ ଫେରି ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି । ଝାଡ଼ଖଣ୍ଡର ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚମ୍ପାଇ ସୋରେନ। ଦୁର୍ନୀତି ଅଭିଯୋଗରେ ହେମନ୍ତ ସୋରେନ ଜେଲ ଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ। ତେବେ ହେମନ୍ତ ଜେଲରୁ ବାହାରିବା ପରେ ଚମ୍ପାଇଙ୍କୁ ପଦ ଛାଡିବାକୁ ପଡିଥିଲା। ଜେଏମଏମରେ ବିଦ୍ରୋହୀ ଭାବେ ଚମ୍ପାଇ ସୋରେନ ଗତ ୧୦ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ୩ ଦିନ କ୍ୟାମ୍ପ କରି ଝାଡ଼ଖଣ୍ଡ ଫେରିବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

ବିଜେପି ସରକାରରେ ମହିଳା ଅସୁରକ୍ଷିତ: ବିଜେଡି

ଭୁବନେଶ୍ବର: ବିଜେପି ସରକାରରେ ମହିଳା ଅସୁରକ୍ଷିତ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏମିତି ଅଭିଯୋଗ କରି ମୋହନ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପସିତା ସାହୁ ସରକାରଙ୍କ ଉପରେ ବର୍ଷିଛନ୍ତି ।

୨୬ ତାରିଖ ରାତିରେ ଜଣେ ମହିଳା ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନାର ଜଣେ ଇନ୍ସପେକ୍ଟର ତାଙ୍କ ଏତଲାକୁ ଗ୍ରହଣ କରି ନଥିଲେ । ସେତିକି ନୁହେଁ, ଏତଲାକୁ ଚିରି ଦେବା ସହ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବାର ଅଭିଯୋଗ କରିଛି ବିଜେଡି । ବିଜେଡି ସରକାର ସମୟରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବେଳେ ବିଜେପି ସରକାରରେ ମହିଳା ନିଜକୁ ଅସୁରକ୍ଷିତ ମଣୁଥିବା ଇପସିତା ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବେଳେ ଏପରି ବିଶୃଙ୍ଖଳା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଖଣ୍ଡଗିରି ଥାନାର ଇନ୍ସପେକ୍ଟର ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ତରଫରୁ ସେ ଦାବି କରିଛନ୍ତି ।