spot_img
Home Blog Page 1579

ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ରର ମଂଜୁରୀ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେଲା ନୂଆ ପେନସନ ଯୋଜନା। ୟୁନିଫାଏଡ୍ ପେନସନ ସ୍କିମ UPSକୁ ମଂଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। କ୍ଯାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହି ଯୋଜନା ଅନ୍ତର୍ଗତ କୌଣସି କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ ପର୍ଯ୍ୟନ୍ତ ଚାକିରୀ କରି ଅବସର ନେଇଥାନ୍ତି ତାହେଲେ, ସେ କରିଥିବା ପ୍ରଥମ ଚାକିରୀର ଅନ୍ତିମ ଶେଷ ୧୨ ମାସର ମୂଳ ଦରମାର ୫୦ ପ୍ରତିଶତ ପେନସନ ଭାବେ ପାଇବେ। ଯଦି କୌଣସି ପେନସନଭୋଗୀଙ୍କ ମୃତ୍ଯୁ ହୋଇଯାଏ ତେବେ ତାଙ୍କ ପରିବାରକୁ କର୍ମଚାରୀଙ୍କ ମୃତ୍ଯୁ ପର୍ଯ୍ୟନ୍ତ ମିଳିବାକୁ ଥିବା ପେନସନର ୬୦ ପ୍ରତିଶତ ପରିବାରକୁ ମିଳିବ। ଯଦି ଜଣେ ୧୦ ବର୍ଷ ପରେ ଚାକିରୀ ଛାଡ଼ି ଦିଅନ୍ତି ତାଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସରକାରୀ କର୍ମଚାରୀଙ୍କ ଲାଗି ଘୋଷଣା କରିଛନ୍ତି ୟୁନିଫାଏଡ ପେନସନ ସ୍କିମକୁ ମଂଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖ ୨୦୨୫ରୁ ଯୋଜନା ଲାଗୁ ହେବ। ଯୋଜନାରେ ପ୍ରାୟ କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। କର୍ମଚାରୀଙ୍କ ପାଖରେ ଏନପିଏସ ଏବଂ ୟୁପିଏସ ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ପଡ଼ିବ। ୟୁନିଫାଏଡ ପେନସନ ସ୍କିମରେ ମହଙ୍ଗା ଇଣ୍ଡେକସେସନର ଲାଭ ବି ମିଳିବ।

 

 

ଆଳୁ ସମସ୍ୟା ନେଇ ରାଜ୍ୟ ସରକାରକୁ ଘେରିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଆଳୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। କହିଛନ୍ତି, ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ସରକାର ଆସିବାର ୩ ମାସ ଭିତରେ ଆଳୁ ସମସ୍ୟା ସମ୍ଭାଳି ପାରିଲେ ନାହିଁ। ଆଗକୁ କଣ କରିବେ ବୋଲି ପ୍ରଶ୍ନ କରିଛି ଦଳ।   ଆସନ୍ତା ୫ ବର୍ଷ ମଧ୍ୟରେ ବାହାର ରାଜ୍ୟରୁ ଗୋଟିଏ ଟ୍ରିପ ଆଳୁ ନଆଣି ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ଉତ୍ପାଦନ କରିପାରିଲେ ଜାଣିବୁ ବିଜେପି ଓଡ଼ିଆ ଅସ୍ମିତା ଧାରକ ଓ ବାହାକ। ୫ ବର୍ଷ ଧୈର୍ଯ୍ୟର ସହ ଅପେକ୍ଷା କରିବୁ ଯଦି ତୁମ ସରକାର ପାଞ୍ଚ ବର୍ଷ ଚାଲେ। ଗତ ୨୪ବର୍ଷ ଭିତରେ ନବୀନ ପଟ୍ଟନାୟକ ଚାଉଳ ଉତ୍ପାଦନରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିଥିଲେ। ଖାଦ୍ୟଶସ୍ୟ ଯେତେବେଳେ ୫୦ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ତାକୁ ୧୫୦ ଲକ୍ଷ ମେଟ୍ରିକଟନରେ ପହଞ୍ଚାଇଥିଲେ। ବହୁତ କ୍ଷେତ୍ରରେ ଆହୁକୁ ଯାଇଛି ରାଜ୍ୟ। ଆଳୁ ଯେଉଁଠି ଅଧିକ ଉତ୍ପାଦନ ହେଉଛି ସେଠୁ ଆସି ରାଜ୍ୟରେ କେମିତି ବିକ୍ରି ବଟା ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ। ଓଡ଼ିଶାରେ ଆଳୁ ଯେତିକି ଉତ୍ପାଦନ ହେଉଛି। ତାହା ବର୍ଷକୁ ପାଖାପାଖି ୭ରୁ ୮ ମାସ ଚାଲିବା ପାଇ ଯଥେଷ୍ଟ। ୪ରୁ ୫ ମାସ ବାହାର ରାଜ୍ୟରେ ଆମଦାନୀ ହୁଏ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ।

 

ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ପାଲଟିଛି ମୃତ୍ଯୁର ହଟସ୍ପଟ୍ । ଲଗାତର କିଛିଦିନ ହେଲା ଭରା ନଈକୁ ଡେଇଁ ଆତ୍ମହତ୍ଯା କରୁଛନ୍ତି ଲୋକେ। ସେପଟେ ଆଜି ପୁଣି ଜଣେ ଛାତ୍ରୀ ବ୍ରିଜ ଉପରେ ସାଇକେଲ ରଖି ବ୍ରିଜ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କର ମିଳିନି ପତ୍ତା । ବାରମ୍ବାର ଏପରି ଅଭିଯୋଗ ପରେ ବ୍ଯାରିକେଡ ସହ ସଚେତନତା ପାଇଁ ବିଭିନ୍ନ ମହଲରୁ ଉଠିଛି ଦାବି।

ମହାନଦୀ ପାଲଟିଛି ଆତ୍ମହତ୍ଯାର ହଟସ୍ପଟ୍ । ସମ୍ବଲପୁର ଦ୍ବିତୀୟ ସେତୁରୁ ଡେଇଁ ଜୀବନ ହାରୁଛନ୍ତି ଅନେକ । ପୁଣି ଜଣେ ଛାତ୍ରୀଙ୍କ ଜୀବନ ନେଇଛି ଭରାନଈ । ସଚେତନତା ଓ ସୁରକ୍ଷା ପାଇଁ ବିଭିନ୍ନ ମହଲରୁ ଦାବି । ସମୟ ସକାଳ ୬ଟା । ସମ୍ବଲପୁର ଚାଉଁରପୁର ବ୍ରିଜ ନିକଟରେ ପହଞ୍ଚିଥିଲେ ହିନ୍ଦୀ ହାଇସ୍କୁଲର କାଜଲ ସାହାଣୀ । ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ । ମଣ୍ଣିଂୱାକ୍ କରୁଥିବା କିଛି ଲୋକ ପାଟି କରି ତାଙ୍କୁ ଅଟକାଇବା ପୂର୍ବରୁ ମହାନଦୀର ଭରା ନଈକୁ ଲମ୍ଫ ମାରିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆରମ୍ଭ କରିଦେଇଥିଲେ ଉଦ୍ଧାର କାର୍ଯ୍ଯ । ହେଲେ କାହିଁକି ଛାତ୍ରୀ ଜଣକ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ଥିବାବେଳେ ଝିଅକୁ ନପାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।

ସମ୍ବଲପୁର ମହାନଦୀ ଦ୍ଵିତୀୟ ସେତୁରେ ବାରମ୍ବାର ଏପରି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ହୀରାକୁଦ ପାଣି ଛାଡ଼ିଲେ ବଢୁଛି ଆତ୍ମହତ୍ୟା। ବାରମ୍ବାର ଅଭିଯୋଗ ପରେ ମଧ୍ଯ ବ୍ରିଜରେ ନା ଲାଗିଛି ସିସିଟିଭି ନା ହୋଇଛି ବ୍ଯାରିକେଡ। ଗତ ଦୁଇବର୍ଷ ମଧ୍ଯରେ ୧୦ ଜଣ ଯୁବତୀ ଏହି ବ୍ରିଜରୁ ଡେଇଁ ଆତ୍ମହତ୍ଯା କରିଥିଲେ ସୁଦ୍ଧା ପ୍ରଶାସନ ଚୁପ ବସିଥିବାରୁ ତୁରନ୍ତ ସୁରକ୍ଷା ବ୍ଯବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି । ହୀରାକୁଦ ପାଣି ଛାଡ଼ିଲେ ବଢୁଛି ମହାନଦୀର ଜଳସ୍ତର। ଆଉ ସେହି ସମୟରେ ଘଟୁଛି ଆତ୍ମହତ୍ଯା ପରି ଅଘଟଣ । ତେଣୁ ସଚେତନ ସହ ଏହି ସମୟରେ ସୁରକ୍ଷାକୁ କଡ଼ାକଡ଼ି କରିବାର ଆବଶ୍ଯକତା ରହିଛି ।

 

 

କଳାହାଣ୍ଡି ଜିଲ୍ଲା ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଟିପାସ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ। ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟିଙ୍ଗୋପଖାନ ଗାଁର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ୩୦  ଜଣ ପ୍ରଭାବିତଙ୍କୁ  ୧୫ଦିନ ନପୁରୁଣୁ ଏବେ ଜୟପାଟଣା ବ୍ଲକର ଭାଟିପାସ ଗାଁରେ ଝାଡ଼ା ବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ରାସ୍ତାଘାଟ  ନଥିବାରୁ  ଏହି ଗାଁରେ ବାଇକ ଯୋଗେ  ରୋଗୀମାନଙ୍କୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଝାଡା ବାନ୍ତି ଯୋଗୁ  ୨୯ ତାରିଖ ଦିନ ସମ୍ବାରୁ ମାଝୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ  ୨୨ ତାରିଖ ଦିନ ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଉମର ମାଝୀଙ୍କ ମୃତ୍ୟୁ  ହୋଇଥିବା ସୂଚନା ରହିଛି  । ଏ ପର୍ଯ୍ୟନ୍ତ ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜୟପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରି ଟିମ୍ ଏହି ଗାଁ ରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଛନ୍ତି ।

 

 

ଧର୍ମଶାଳା ବିଜେପି ଦୁଇଫାଳ

ନନ୍ଦିଘୋଷ ବ୍ୟୁରୋ: ଧର୍ମଶାଳା ବିଜେପି ଦୁଇଫାଳ । ସ୍ମିତାରାଣୀ ହତ୍ୟାକାଣ୍ଡର ଅନ୍ଯତମ ଅଭିଯୁକ୍ତ ରୁପେଶ ଭଦ୍ରଙ୍କୁ ନେଇ ତେଜୁଛି ଗୋଷ୍ଠୀ କନ୍ଦଳ । ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁଙ୍କ ସହଯୋଗରେ ରୁପେଶ ଭଦ୍ର ଠିକାଦାରୀ କରୁଥିବା ଅଭିଯୋଗ କରିଛି ଧର୍ମଶାଳା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଧର୍ମଶାଳା ବିଜେପି ଆଣିଥିବା ଅଭିଯୋଗ ଅନୁସାରେ, ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ସେତେବେଳେ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ରୁପେଶ ଭଦ୍ର। ଜେଲରୁ ଫେରି ଏବେ ପୁଣିଥରେ ସେ ଠିକାଦାର କାମରେ ମାତିଛନ୍ତି। ଏଥିପାଇଁ ତାଙ୍କୁ ବିଧାୟକ ହିଂମାଶୁ ସାହୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ବିଧାୟକ କାହିଁକି ଏଭଳି ଜଣେ ଅଭିଯୁକ୍ତଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଛି ଧର୍ମଶାଳା ବିଜେପି। ତୁରନ୍ତ ରୁପେଶଙ୍କ ଠିକାଦାର କାମକୁ ବନ୍ଦ କରିବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ବିଜେପିର ସମସ୍ତ ନେତୃବୃନ୍ଦ  ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । ପୂର୍ବରୁ ହିଂମାଶୁ ବିଜେପିରେ ଥିଲେ। ତାଙ୍କୁ ଟିକେଟ ନମିଳିବା ପରେ ସ୍ବାଧୀନ ଭାବେ ଲଢି ଧର୍ମଶାଳାରୁ ବିଜୟୀ ହୋଇଛନ୍ତି। ଏବେ ସେ ବିଜେପିକୁ ସମର୍ଥନ ମଧ୍ଯ କରୁଛନ୍ତି। ହେଲେ ଏବେ ଧର୍ମଶାଳା ବିଜେପିର ଆଭିମୁଖ୍ଯ ଦଳରେ ସବୁକିଛି ଠିକ ଚାଲିନଥିବା ଦର୍ଶାଉଛନ୍ତି । ଖୋଦ ତାଙ୍କରି ଦଳର ନେତା ତାଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିବା ବର୍ଷିବା ଦଳର କନ୍ଦଳକୁ ପଦାରେ ପକାଇଛି ।

ଆର୍ଯ୍ୟସମାଜର ଶ୍ରାବଣୀ ପର୍ବ  

ନନ୍ଦିଘୋଷ ବ୍ୟୁରୋ: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ମାନଙ୍କରେ ବୈଦିକ ଶ୍ରାବଣୀ ଉପାକର୍ମ ପର୍ବ ସାରା ଓଡ଼ିଶାରେ ଚାଲିଛି । ଶନିବାର ପୂର୍ବାହ୍ନରେ ଶହୀଦନଗର ଆର୍ଯ୍ୟସମାଜ ସଭା ମଣ୍ଡପରେ ଶ୍ରାବଣୀ ପର୍ବର ଷଷ୍ଠ ଦିବସରେ ଡଃ ଇଞ୍ଜିନିୟର ପ୍ରିୟବ୍ରତ ଦାସଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇଥିଲା । “ବେଦ” ଅପୌରେତେୟ, ଏହା ସ୍ୱୟଂ ପରମାତ୍ମାଙ୍କର ବାଣୀ । ଏହା ବିଶ୍ୱର ପ୍ରତ୍ୟେକ ଜୀବ ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଏଭଳି କହିଥିଲେ ପ୍ରିୟବ୍ରତ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର  । ସେ ନିଜର ବକ୍ତବ୍ୟରେ କହିଲେ ଯେ, ଭଗବାନ ତଥାଗତ ବୁଦ୍ଧଙ୍କ ଜନ୍ମର ୩୦୦ ବର୍ଷ ପରେ, ଅଚାର୍ଯ୍ୟ ଶଙ୍କରଙ୍କର ପ୍ରକଟ ହୋଇଥିଲେ । ଏହାପରେ ହିନ୍ଦୁଧର୍ମର ସୁରକ୍ଷା ପାଇଁ ତାଙ୍କର ୩୨ବର୍ଷ ଜୀବନକାଳ ଥିଲା ଭାରତ ବର୍ଷ ପାଇଁ ଆଶୀର୍ବାଦର ବର୍ଷ । କିନ୍ତୁ ଆଚାର୍ଯ୍ୟ ଶଙ୍କର ବେଦର ବାଣୀକୁ ସାଧାରଣ ଜନତାଙ୍କ ନିକଟରେ ପହାଇବା ପରିର୍ବେ ସେ ପ୍ରସ୍ଥାନତ୍ରୟୀ, ଗୀତା ବ୍ରହ୍ମସୂତ୍ର ଓ ଉପନିଷଦ ଉପରେ ଗୁରୁତ୍ୱ ଦେଲେ । ୬୦୦ ବର୍ଷ ତଳେ ଆଚାର୍ଯ୍ୟ ସାୟାଣ, ମହିଧର ଏପରିକି ଜର୍ମାନୀ ବିଦ୍ୱାନ ମ୍ୟାକ୍ସମୁଲାର ବେଦର ବାଖ୍ୟା କରିଛନ୍ତି । କିନ୍ତୁ ୨୦୦ ବର୍ଷ ତଳେ ମହର୍ଷି ଦୟାନନ୍ଦଙ୍କ ଆବିର୍ଭାବ ହେବା ପରେ ସେ, ହିଁ ଗୁରୁ ବିରଜାନନ୍ଦଙ୍କ ଠାରୁ ବେଦଜ୍ଞାନ ପ୍ରାପ୍ତ ହୋଇ, ବେଦକୁ ସାଧାରଣ ଜନତାଙ୍କ ବୁଝିବା ଭାଷାରେ ବେଦଭାଷ୍ୟ କଲେ, ଯାହା ର୍ବମାନ ସୁଦ୍ଧା ଭାରତ ବର୍ଷରେ ସର୍ବମାନ୍ୟ ହୋଇ ରହିଛି । ଏହି ଅବସରରେ ଡଃ ଜ୍ଞାନେନ୍ଦ୍ରଙ୍କୁ ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ଇଞ୍ଜିନିୟର ପ୍ରିୟବ୍ରତ ଦାସ ଉରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅନ୍ୟତମ ଅତିଥି ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ଆଜିର ସମାଜରେ ଶିକ୍ଷିତ ମଣିଷଙ୍କ ଭିତରେ ଚାଲିଥିବା କୁସଂସ୍କାରର ନମୁନା ଦେଇଥିଲେ । ସେ ଆହୁରି କହିଲେ ଯେ, ବେଦ, ଜ୍ଞାନ ବିଜ୍ଞାନର ଗ୍ରନ୍ଥ । ପ୍ରତ୍ୟେକ ବ୍ୟକ୍ତି ନିଜର କଲ୍ୟାଣ ଓ ବିଶ୍ୱର କଲ୍ୟାଣ ପାଇଁ ଏହା ଅଧ୍ୟୟନ କରିବା ଉଚିତ୍ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବୀରେନ୍ଦ୍ର କୁମାର କର ସ୍ୱାଗତ ଭାଷଣ ଓ ସୁନିଲ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁକୁଳ ଆମସେନାର ବ୍ରହ୍ମଚାରୀମାନେ ଭଜନ ଓ ଶାନ୍ତିପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟସମାଜ, ଶହୀଦ ନଗରର ବରିଷ୍ଠ ସଦସ୍ୟ ସୁଧାକର ପତ୍ରୀ, ଅନିରୁଦ୍ଧ ପଟ୍ଟନାୟକ, ଶ୍ରୀମତୀ ସୁପ୍ରିୟା ରଥ, ଜୟନ୍ତ ଦେ, ସିଦ୍ଧାର୍ଥ ରଥ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ଶ୍ରାବଣୀ ପର୍ବ ଆସନ୍ତା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍‌ଯାପିତ ହେବ ବୋଲି ଉପସଭାପତି ଇଂ ବ୍ରଜବନ୍ଧୁ ପଣ୍ଡା ଜଣାଇଛନ୍ତି ।

ପାଦେ ପାଦେରେ ବିପଦ, ମରଣଯନ୍ତା ପାଲଟିଛି ରାସ୍ତା

ନନ୍ଦିଘୋଷ ବ୍ୟୁରୋ: ମରଣଯନ୍ତା ପାଲଟିଛି ନବରଙ୍ଗପୁର ଓ ଡାବୁଗାଁକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତାରେ ସୃଷ୍ଟି ହୋଇଛି ବଡ ବଡ ଗର୍ତ୍ତ । ମୈଦଲପୁର – ସେମଳା ଠାରୁ କଣ୍ଟାଗାଁ ପର୍ଯ୍ଯନ୍ତ ୧୫ କିଲୋମିଟର ରାସ୍ତା ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣା ହୋଇନଥିବାରୁ ବିପର୍ଯ୍ଯସ୍ତ ହୋଇପଡିଛି । ଫଳରେ ପ୍ରତିଦିନ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି।

ମରଣଯନ୍ତା ପାଲଟିଛି ରାସ୍ତା । ପାଦେ ପାଦେ ବିପଦ । ରାସ୍ତାରେ ସୃଷ୍ଟି ହୋଇଛି ବଡ ବଡ ଗର୍ତ୍ତ । ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଏ ହେଉଛି ନବରଙ୍ଗପୁର ଓ ଡାବୁଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୃଶ୍ଯ । ନବରଙ୍ଗପୁର ଜିଲ୍ଲାର ଗୁରୁତ୍ଵପୂର୍ଣ୍ଣ ରାସ୍ତା ହେଉଛି ଏହି ରାସ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ହେଲେ ମୈଦଲପୁର – ସେମଳା ଠାରୁ କଣ୍ଟାଗାଁ ପର୍ଯ୍ଯନ୍ତ ୧୫ କିଲୋମିଟର ରାସ୍ତା ଦୀର୍ଘ ବର୍ଷ ହେବ ନିର୍ମାଣ ନହୋଇ ପଡିରହିଛି। ବର୍ଷା ଦିନେ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ପ୍ରତିଦିନ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ରାସ୍ତା ଉପରେ ୩୦ଗୋଟି ଗଁ ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଶୋଚନୀୟ ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ତୁରନ୍ତ ରାସ୍ତାର ମରାମତି ପାଇଁ ସାଧାରଣରେ ଦାବି ଜୋର ଧରିଛି ।

ପୂଜାରୀଗୁଡା, ଅଞ୍ଚଳଗୁମା, କଣ୍ଟାଗାଁ, ମୈଦଲପୁର ରାସ୍ତା କାମ ପାଇଁ ପୂର୍ବ ସରକାର ୩୫ କୋଟି ଟଙ୍କା ଅନୁଦାନ ଦେଇଥିଲେ । ୧୮ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥାନ୍ତା । ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏପର୍ଯ୍ଯନ୍ତ ରାସ୍ତା କାମ ହୋଇପାରିନାହିଁ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ କହିବା ଅନୁସାରେ ଏହି ରାସ୍ତା କାମ ପାଇଁ ବୈଠକରେ ଅନେକ ଥର ଦାବି କରାଯାଇଥିଲେ ମଧ୍ଯ ଏପର୍ଯ୍ଯନ୍ତ ସୁଫଳ ମିଳିପାରିନାହିଁ । ଅନ୍ଯପଟେ ଏହି ରାସ୍ତା କାମ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଛି ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ପଲିଗ୍ରାଫ ଟେଷ୍ଟ ନାଁ ଶୁଣି କାନ୍ଦିଲା ସଞ୍ଜୟ

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ଯା ମାମଲା। ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟ ଓ ଅନ୍ଯ ୬ ଅଭିଯୁକ୍ତଙ୍କ ହୋଇଛି ପଲିଗ୍ରାଫ ଟେଷ୍ଟ। ଏହି ୬ ଜଣଙ୍କ ମଧ୍ଯରେ ଅଛନ୍ତି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷ। ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବରେଟୋରୀର ଏକ ମେଡିକାଲ ଟିମ କରିଛନ୍ତି ପଲିଗ୍ରାଫ ଟେଷ୍ଟ। ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ତଦନ୍ତଯୋଗ୍ଯ ନଥିକୁ ସିବିଆଇକୁ ହସ୍ତାନ୍ତର କରିଛି ଏସଆଇଟି।  ଆର୍ଥିକ ଅନିୟମିତତାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ କରିବ ସିବିଆଇ। ଗତକାଲି  ଦୁଷ୍କର୍ମ ଓ ହତ୍ଯା ଘଟଣାରେ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଥିଲା ଅଭିଯୁକ୍ତ ସଞ୍ଜୟ ରୟ। ପଶ୍ଚିମବଙ୍ଗର ସିଆଲଦାର ଅତିରିକ୍ତ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ବିଚାର ବିଭାଗୀୟ ହେପାଜତକୁ ଯିବା ଲାଗି ଅନୁମତି ଦେଇଥିଲେ। ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଥିଲା।

କାଲି ବିଜେଡିର ପ୍ରଶିକ୍ଷଣ ଶିବିର

ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ଆସନ୍ତାକାଲି ବିଜେଡି ପକ୍ଷରୁ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ହେବ । ଉଦଘାଟନ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜଣେ ପ୍ରଭାବଶାଳୀ ପ୍ରତିନିଧି କିପରି ହେବେ- ସେନେଇ ପ୍ରଶିକ୍ଷଣ ଦିଆଯିବ । ଶୂନ୍ଯକାଳ, ସ୍ପେସାଲ ସବମିସନ ଆଦି ସମ୍ପର୍କରେ ତାଲିମ ଦିଆଯିବ । ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ଦେବେ ପ୍ରଶିକ୍ଷଣ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ସନ୍ତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ସୋସିଆଲ ମିଡିଆ ସମ୍ପର୍କରେ ବିଧାୟକଙ୍କୁ ଦିଆଯିବ ତାଲିମ । ବଜେଟ ପ୍ରକ୍ରିୟା, ଧ୍ଯାନ ଆକର୍ଷଣ ଆଦି ସମ୍ପର୍କରେ ବିଧାୟକଙ୍କୁ ସୂଚନା ଦିଆଯିବ ।

ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେବ ସିରିଜ ଲଘୁଚାପ । ସେପ୍ଟେମ୍ବର ପ୍ରଥମ ସପ୍ତାହ ଯାଏଁ ହେବ ନିର୍ଧୁମ ବର୍ଷା । ଆଜି ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ରୂପ ନେବ । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୮ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର, ମୟୂରଭଞ୍ଜ,  କଟକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨ଶହ ମିଲିମିଟର ଯାଏଁ ବର୍ଷାହେବ । ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ ଏବଂ କାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ୨୬ ତାରିଖରେ କେନ୍ଦୁଝର ଏବଂ ମୟୁରଭଞ୍ଜାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ୨୭ ଏବଂ ୨୮ ତାରିଖରେ ବର୍ଷା କମିବା ସହ ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପୁଣି ନିର୍ଧୁମ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ ୧ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।