spot_img
Home Blog Page 1592

୨୩ରେ ସ୍ଥାନାନ୍ତର ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଦୁକ

ପୁରୀ:  ଆସନ୍ତା ୨୩ରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଓ ସିନ୍ଦୁକ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଖାଲି ଆଲମିରା ଓ ସିନ୍ଦୁକଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ l ଏହି ଦିନ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି  l

୨୩ ତାରିଖ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏରୁ  ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ଓ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି ।

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ଗର୍ଜନ, ଅକଳରେ ସରକାର

ଭୁବନେଶ୍ବର: ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ହୁଲସ୍ତୁଲ ହୋଇଛି ଗୃହ । ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ସରକାରଙ୍କୁ ଯେଉଁ ପ୍ରଶ୍ନ ବିଜେଡି ପଚାରିଥିଲା, ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ତାହାର ଉତ୍ତର ମାଗିଛି । ଓଡିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା, ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ, ବିରୋଧୀ ଦଳ ନେତା ଗିରଫ ନେଇ ସଂସଦୀୟ ମନ୍ତ୍ରୀଙ୍କ ବିବୃତିକୁ ବାଦ ଦେବାକୁ ଦାବି କରିଛି ବିଜେଡି । ଅନ୍ୟପଟେ ଛାତ୍ର କଂଗ୍ରେସ ନିର୍ବାଚନ କରିବା ଦାବିରେ ହଟ୍ଟଗୋଳ କରିଛି କଂଗ୍ରେସ । ବିରୋଧୀଙ୍କ ସରକାର ବିରୋଧୀ ଗର୍ଜନ ଶାସକ ଦଳକୁ ଗୃହରେ ଅକଳରେ ପକାଇଛି ।

୨୦ ଦିନର ବ୍ରେକ ପରେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପ୍ରଥମ ଦିନ ୪ ମିନିଟ ଚାଲି ୪ଟା ଯାଏଁ ମୁଲତବୀ ହେଲା ଗୃହ । ଚାଲିପାରିଲାନି ପ୍ରଶ୍ନକାଳ, ଶୂନ୍ୟକାଳ । ଆଲୋଚନା ହୋଇପାରିଲାନି ମୁଲତବୀ ପ୍ରସ୍ତାବ । ଶୋକ ପ୍ରସ୍ତାବ ସରୁ ସରୁ ମୁଖ୍ଯ ବିରୋଧୀ ବିଜେଡି ପ୍ରଥମ ପର୍ଯ୍ୟାୟରେ ସରକାରଙ୍କୁ ପଚାରିଥିବା ୩ଟି ପ୍ରଶ୍ନର ଉତ୍ତର ମାଗିଥିଲା । ନିଜ ଆସନରେ ଛିଡ଼ା ହୋଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସ୍ବର ଉତ୍ତୋଳନ କରିଥିଲେ ।

ପ୍ରଥମ ପ୍ରସଙ୍ଗଟି ହେଲା ରାଜ୍ୟପାଳଙ୍କ ପୁଅ ଓଡିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ ସରକାର କହିଥିଲେ ଜିଲ୍ଲାପାଳ ୧୫ ଦିନ ଭିତରେ ରିପୋର୍ଟ  ଦେବେ ବୋଲି । ସେ ରିପୋର୍ଟର କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ପ୍ରମିଳା । ସେହିପରି ଦ୍ବିତୀୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେଡି ଯେଉଁ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା ସେ ସମ୍ପର୍କରେ ବାଚସ୍ପତି କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରିଥିଲେ ପ୍ରମିଳା । ବିଧାନସଭା ଚାଲୁଥିବା ସମୟରେ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା କରିଥିଲେ । ଯାହା ବିରୋଧରେ ବିଜେଡ଼ି ପ୍ରଥମ ପର୍ଯ୍ୟାୟରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା ।

ବିଜେଡି ପଚାରିଥିବା ତୃତୀୟ ପ୍ରସଙ୍ଗଟି ହେଲା ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ । ଯାହା ବିରୋଧୀ ଦଳ ନେତାଙ୍କ ପ୍ରତି ଘୋର ଅପମାନଜନକ ଟିପ୍ପଣୀ ଥିଲା । ତାକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବିଜେଡି ଦାବି କରିଥିଲା । ତାକୁ ପରୀକ୍ଷା କରି ପଦକ୍ଷେପ ନେବେ ବୋଲି ବାଚସ୍ପତି କହିଥିଲେ । ଏ ସମ୍ପର୍କରେ ଷ୍ଟାଟସ କ’ଣ ବୋଲି ପଚାରିଥିଲେ ବିଜେଡି ନେତା । ଗୃହରେ ବିଜେଡିର ଏହି ୩ଟି ପ୍ରଶ୍ନରେ ଘାଇଲା ହୋଇଥିଲା ସରକାରୀ ଦଳ ।

ସେପଟେ କଂଗ୍ରେସ ମଧ୍ୟ ଗୃହ ଆରମ୍ଭରୁ ଆକ୍ରମଣାତ୍ମକ ଭୂମିକାରେ ନଜର ଆସିଥିଲା । ଛାତ୍ର କଂଗ୍ରେସ ନିର୍ବାଚନ ଚଳିତବର୍ଷ କରାଯାଉ ବୋଲି ଦାବି କରି କଂଗ୍ରେସର ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନୂଆ ସରକାର ନିର୍ବାଚନୀ ପ୍ରତିଶୃତି ଦେଇଥିଲେ । ହେଲେ ସରକାରକୁ ଆସିଲା ପରେ ଏବର୍ଷ ଛାତ୍ର ନିର୍ବାଚନ ହେବ ନାହିଁ କହି ନିଜ ପ୍ରତିଶୃତିରେ ଖିଲାପ କଲେ । ଯାହାକୁ ଦୃଢ ବିରୋଧ କରିଛି କଂଗ୍ରେସ । ବିଜେଡି କହିଛି, ତୃଣମୂଳସ୍ତରରେ ନବୀନ ପଟ୍ଟନାୟକଙ୍କ ପ୍ରତି ଛାତ୍ର ସମାଜର ଭଲ ପାଇବା ଅତୁଟ ରହିଛି । ବିଜୁ ଛାତ୍ର ଜନତା ଦଳର ସଂଗଠନ ମଜଭୁତ ରହିଛି । ସରକାରଙ୍କୁ ହାରିବା ଭୟ ଘାରିଛି । ସେଥିପାଇଁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ପଛଘୁଞ୍ଚା ଦେଉଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ର ସମାଜକୁ ଏ ବାବଦରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଦାବି କରିଛନ୍ତି । ସେପଟେ ସରକାରୀ ଦଳ କହିଛି, ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ସକାରାତ୍ମକ ଅଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ଆକ୍ରମଣାତ୍ମକ ଭୂମିକା ଶାସକ ବିଜେପିକୁ ଚିନ୍ତାରେ ପକାଇଛି । ଆଗକୁ ଗ୍ୟହ କେମିତି ଚାଲୁଛି ଦେଖିବାକୁ ବାକି ରହିଲା ।

ସାମ୍ବାଦିକ ସ୍ବାସ୍ଥ୍ୟବୀମା ୨୦ ଲକ୍ଷ କରିବା ସହ ବାପାମାଆଙ୍କୁ ସାମିଲ କରିବାକୁ ତାରାଙ୍କ ଦାବି

ଭୁବନେଶ୍ବର: ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମାର ଅବଧି । ତୁରନ୍ତ ସାମ୍ବାଦିକଙ୍କୁ ୨୦ ଲକ୍ଷ ବୀମା ସହ ବାପା ମାଆଙ୍କୁ ଏଥିରେ ସାମିଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ଆଜି ବିଧାନସଭାରେ ସାମ୍ବାଦିଙ୍କ ପ୍ରସଙ୍ଗ ଉଠାଇବା ସହ ଏପରି ଦାବି କରିଛନ୍ତି ତାରା । ସେ କହିଛନ୍ତି,  ସାମ୍ବାଦିକମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବର୍ତ୍ତମାନ ସାମ୍ବାଦିକ ବୀମା ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ହୋଇଛି । ଏହି ରାଶିକୁ ବୃଦ୍ଧି କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ତାରା ଦାବି କରିଛନ୍ତି ।

ରାଜସ୍ଥାନରେ ବିକ୍ରି ହେଉଛନ୍ତି ସୁନ୍ଦରଗଡ଼ର ନାବାଳିକା

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକା ଚାଲାଣ ରାକେଟ ସକ୍ରିୟ । ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ରାଜସ୍ଥାନରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ । ରାଜସ୍ଥାନରେ ବିକ୍ରି ହୋଇଥିବା ଦୁଇ ନାବାଳିକାଙ୍କୁ କୁତ୍ରା ପୁଲିସ ଉଦ୍ଧାର କରିବା ସହ ୬ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଦ୍ଧାର ହୋଇଥିବା ଦୁଇ ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ସୁନ୍ଦରଗଡ଼ରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅତି ଗରିବ ଓ ଅସହାୟ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ହୋଇଛି ଅଭିଯୋଗ । ନାବାଳିକାଙ୍କୁ ପ୍ରଥମେ ଚିହ୍ନଟ କରିବା ପରେ ସେମାନଙ୍କୁ ଭଲ ଦରମାରେ କାମ ଯୋଗାଇ ଦେବାର ପ୍ରତିଶୃତି ଦିଆଯାଇଥାଏ । ଏପରିକି ରେଲୱେ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରୁ ମଧ୍ୟ ନାବାଳିକାଙ୍କୁ ଚିହ୍ନଟ କରି ଚାଲାଣ କରାଯାଉଛି । ପରେ ସେମାନଙ୍କୁ ରାଜସ୍ଥାନରେ ଅଢେଇ ଲକ୍ଷରୁ ସାଢେ ତିନି ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ପୋଲିସ ଏକ ନାବାଳିକା ଚାଲାଣ ରାକେଟକୁ ଧରିବା ପରେ ଏହି ମାନବ ଚଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ଓ ରାଜସ୍ଥାନ ଅଞ୍ଚଳର ୨ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଓଡ଼ିଶା ଓ ରାଞ୍ଚିରୁ ସିମବକ୍ସ ଜବତ ଘଟଣାରେ ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ !

ଭୁବନେଶ୍ବର: କଟକ, ଭୁବନେଶ୍ବର ପରେ ରାଞ୍ଚିରେ ଆତଙ୍କବାଦୀ ଚେର । ସିମବକ୍ସ ଧନ୍ଦାରେ ଅଣ୍ଡରୱାର୍ଲଡ ଲିଙ୍କ । ଖୁବଶୀଘ୍ର ରାଜୁକୁ ଜେରା କରିବ NIA । ରାଞ୍ଚି ଭଡାଘରୁ ସ୍ପେଶାଲ ଟିମ ହାତରେ ଲାଗିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଅସାଦୁରର ଫନ୍ଦିରେ ଫସିଗଲା ଫେରିବାଲା ରାଜୁ ।

ଓଡିଶା ପରେ ଝାଡ଼ଖଣ୍ଡରୁ ମିଳିଲା ସିମବକ୍ସ ସେଟଅପ୍ । ଆତଙ୍କବାଦୀ ଲିଙ୍କ ନେଇ ପ୍ରମାଣ ମିଳିବା ପରେ ଓଡିଶା ଆସିବ NIA । ଜେରା ବେଳେ ଅଣ୍ଡରୱାର୍ଲଡ ଡନଙ୍କ ସମ୍ପୃକ୍ତି ନେଇ ମିଳିଛି ସୂଚନା । ଝାଡ଼ଖଣ୍ଡ ରାଞ୍ଚି ବିର୍ଷା ମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘରେ ଖଞ୍ଜା ହୋଇଥିଲା ୫ଟି ସିମବକ୍ସ । ସ୍ପେଶାଲ ସ୍କ୍ବାଡ, ଲକ୍ଷ୍ମୀସାଗର ଓ ରାଞ୍ଚି ପୋଲିସ ଗତକାଲିଠାରୁ ସ୍ଲିପର ସେଲ ରାଜୁ ମଣ୍ଡଲକୁ ନେଇ ରାଞ୍ଚି ସ୍ଥିତ ଭଡା ଘରେ ଚଢ଼ାଉ କରିବା ପରେ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବୈଦୁତିକ ଉପକରଣ । ପାଖାପାଖି ବର୍ଷେ ହେଲା ଅସାଦୁର ବେପାର କରିବାକୁ କହି ଏଠାରେ ନେଇଥିଲା ଘରଭଡା । ମୁସଲିମ ଲୋକେ ଅଧିକ ଏହିଠାରେ ରହୁଥିବାରୁ ଅସାଦୁର ନେଇଥିଲା ଫାଇଦା ।

ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ପୋଲିସ ଟିମ । ତୃତୀୟ ଦିନ ରିମାଣ୍ଡ ବେଳେ ରାଞ୍ଚି ଘରୁ ଆତଙ୍କବାଦୀ ଲିଙ୍କ ଓ ସିଡ଼ିଆର ରିପୋର୍ଟରୁ ଇଣ୍ଟରନ୍ୟାସନ୍ୟାଲ କଲ ହେଉଥିବା ଜାଣିବାକୁ ପାଇଛି ପୋଲିସ ।

ପ୍ରଥମେ ମଙ୍ଗରାଜ ପଏଣ୍ଟ, ତା’ପରେ ମଧୁପାଟଣା ଆଉ ଏବେ ରାଞ୍ଚିରୁ ମିଳିଲା ସିମବକ୍ସ ଆଡ୍ଡା । କେବଳ ସେତିକି ନୁହେଁ, ସ୍ଲିପର ସେଲ ଭାବେ କାମ କରୁଥିବା ରାଜୁର ମାଷ୍ଟରମାଇଣ୍ଡ ଥିବା ଅସାଦୁର ଜମାନ କଟକ ରୋଡରେ ରହୁଥିବା ଲିଙ୍ଗରାଜ ହୋଟେଲ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ଜଣେ ବିଦେଶୀ ଭାବେ ଅସାଦୁର ସେହି ହୋଟେଲରେ ରହୁଥିଲେ ସୁଦ୍ଧା ଫର୍ମ-C ପୂରଣ କରି ନଥିଲା ହୋଟେଲ । ଫଳରେ ପୂରା ସିଣ୍ଡିକେଟ ଜାଣିବାରେ ବିଫଳ ହୋଇଥିଲା ପୋଲିସ । ଫେଲ ମାରିଥିଲା ଗୁଇନ୍ଦା । ଡିସେମ୍ବରରେ ବାଂଲାଦେଶର ୩୦ ବର୍ଷୀୟ ଅସାଦୁର ଜମାନ କଟକ ଆସିଥିଲା । ଭିସାର ବୈଧତା ଆସନ୍ତା ଅକ୍ଟୋବର ୨୪ ତାରିଖ ପର୍ଯ୍ୟନ୍ତ ରହିଥିଲା । ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅଗରତାଲା ଦେଇ ଭାରତ ଆସି ଡିସେମ୍ବର ୨୪ ତାରିଖରେ ପୁଣି ବଂଲାଦେଶ ଫେରିଥିଲା । କୋଡ଼ୱାର୍ଡରେ ଚାଲିଥିଲା ସିମବକ୍ସ କାରବାର ।  ବାଂଲାଦେଶ, ପାକିସ୍ତାନ ସହ ଚାଇନାକୁ ଏହି ସିମବକ୍ସ ଦ୍ୱାରା କରାଯାଉଥିଲା କଲ ।

ଓଡିଶା ଓ ରାଞ୍ଚିରେ ବସିଥିବା ସିମବକ୍ସ ମେଣ୍ଟେନାନ୍ସ ଓ ଷ୍ଟାଫ ପେମେଣ୍ଟ ପାଇଁ ହାୱାଲା ଜରିଆରେ ଆସୁଥିଲା ଟଙ୍କା । ଆକାଉଣ୍ଟରେ କାରବାର ହୋଇ ନଥିବାରୁ ପୋଲିସର ତଦନ୍ତ ପାଇଁ ସୃଷ୍ଟି ହୋଇଛି ବଡ଼ ଚ୍ୟାଲେଞ୍ଜ ।

ପାଣିଗ୍ରାହୀ ପରିବାର ପାଇଁ ଅଶୁଭ ରାକ୍ଷୀପୂର୍ଣ୍ଣିମା: ରକ୍ତରଞ୍ଜିତ ହେଲା ପରିବାର, ୧୭ ବର୍ଷ ପୂର୍ବେ…

ବ୍ରହ୍ମପୁର: ବ୍ରହ୍ମପୁରର ପାଣିଗ୍ରାହୀ ପରିବାର । ରାକ୍ଷୀ ପୂର୍ଣ୍ଣିମା ପାଣିଗ୍ରାହୀ ପରିବାର ପାଇଁ ପୁଣି ଥରେ ଅଶୁଭ ସାବ୍ୟସ୍ତ ହୋଇଛି । ୧୭ ବର୍ଷ ପୂର୍ବେ ସେହି ରାକ୍ଷୀରେ ଯାଇଥିଲା ଜେଜେଙ୍କ ଜୀବନ । ଏବେ ପୁଣି ସେହି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତରଞ୍ଜିତ ହେଲା ପରିବାର । ବ୍ରହ୍ମପୁର ବଡ଼ବଜାର ଥାନା ଜଗନ୍ନଥ ବିହାର ସପ୍ତମ ଲାଇନରେ ଭଉଣୀର ଜୀବନ ନେଲା ଭାଇ । ହତ୍ଯାକାଣ୍ଡ ଘଟାଇବା ପରେ ହତ୍ଯାକାରୀ ଭାଇର ବି ଦୁର୍ଘଟଣାରେ ଯାଇଛି ଜୀବନ। ସେପଟେ ଆକ୍ରମଣରେ ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛି ସାନ ଭାଇ ।

ଜଗନ୍ନାଥ ବିହାରରେ ବଡ଼ ଭାଇ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ଘରେ ଚାଲିଥିଲା ଶ୍ରାଦ୍ଧ । ରାକ୍ଷୀ ପୂର୍ଣ୍ଣିମାରେ ହେଉଥିବା ଏହି ଶ୍ରାଦ୍ଧରେ ଯୋଗ ଦେଇଥିଲେ ତାଙ୍କର ୩ ଭାଇ ସତ୍ଯନାରାୟଣ, ରବୀନ୍ଦ୍ର ଓ ପ୍ରଦୀପଙ୍କ ପରିବାର । ଉପର ମହଲାରେ ପିଲାମାନେ ଖେଳୁଥିବାବେଳେ ହଠାତ ସତ୍ଯନାରାୟଙ୍କ ପୁଅ ଆଶୁତୋଷ ରବୀନ୍ଦ୍ରଙ୍କ ଝିଅ ପ୍ରଯୁକ୍ତାଙ୍କୁ ଛୁରୀରେ କରିଥିଲେ ଆକ୍ରମଣ । ଏଥିରେ ପ୍ରଯୁକ୍ତଙ୍କ ମୃତ୍ଯୁ ହୋଇଥିବାବେଳେ ହତ୍ଯାକାଣ୍ଡ ଘଟାଇ ଫେରାର ଥିବା ଆଶୁତୋଷଙ୍କ ବସ ଧକ୍କାରେ ମୃତ୍ଯୁ ଘଟିଛି । ପ୍ରଯୁକ୍ତାଙ୍କୁ ଆକ୍ରମଣ ବେଳେ  ବାଧା ଦେବାରୁ ଯାଇ ପ୍ରଦୀପଙ୍କ କୁନିପୁଅ ଆୟୁଷ୍ମାନ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

୧୭ ବର୍ଷ ପରେ ପୁଣି ପରିବାରର ଦୁଇ ଜଣଙ୍କ ମୃତ୍ଯୁ ଘଟିଛି । ଆଶୁତୋଷ ଓ ପ୍ରଯୁକ୍ତା ଘରର ଏକମାତ୍ର ସନ୍ତାନ ଥିବାରୁ ରାକ୍ଷୀ ପୂର୍ଣ୍ଣିମାରେ ଉଭୟଙ୍କ ମୃତ୍ଯୁ ପରେ ନିଃସନ୍ତାନ ହୋଇଯାଇଛନ୍ତି ସତ୍ଯନାରାୟଣ ଓ ରବୀନ୍ଦ୍ରଙ୍କ ପରିବାର । ବାପାଙ୍କ ଶ୍ରାଦ୍ଧ ପାଇଁ ଲୋଚାପଡ଼ାରୁ ବଡ଼ଭାଇଙ୍କ ଘରକୁ ଆସିଥିଲେ । ହେଲେ କିଏ ଜାଣିଥିଲା ଏପରି ଅଘଟଣ ଘଟିବ ବୋଲି । ଏହି ହତ୍ଯାକାଣ୍ଡ ପଛରେ କୌଣସି କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଆୟୁଷ୍ମାନ ସୁସ୍ଥ ହେବା ପରେ ତାଙ୍କ ବୟାନ ହିଁ ଘଟଣାର ରହସ୍ଯ ଉନ୍ମୋଚନ କରିପାରିବ ବୋଲି କହିଛନ୍ତି ଏସପି ।

ଧସୁଛି ମାଟି, ମୃତ୍ୟୁପଥ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ

ଯାଜପୁର: ମରଣଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ । ଯାଜପୁର ପାଣିକୋଇଲି ଥାନା ଷଠିପୁର ବ୍ରଜନଗରରେ ରାସ୍ତା ତଳୁ ଧସୁଛି ମାଟି । ବିପଦରେ ଯାତାୟତ କରୁଛନ୍ତି ଲକ୍ଷ ଲକ୍ଷ ଲୋକ। ରାଜପଥର ବିଭିନ୍ନ ସ୍ଥାନରେ ଏପରି ଅବସ୍ଥା ଦେଖାଯାଉଥିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ନିଘା ନାହିଁ । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ । କେତେବେଳେ ବ୍ରିଜ ଭୁଶୁଡି ପଡୁଛି ତ କେତେବେଳେ ରାସ୍ତାରୁ ମାଟି ଧସୁଛି । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ । ପ୍ରତିଦିନ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ହଜାର ହଜାର ଯାନବାହନ । ଗତବର୍ଷ ଜୁଲାଇ ମାସରେ କୁଆଖିଆ ନିକଟରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ପାଣିକୋଇଲି ଥାନା ସଠିପୁର ବ୍ରଜନଗର ନିକଟରେ ରାସ୍ତା ତଳୁ ମାଟି ଧସି ଯାଇଛି । ଫଳରେ ଯାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । କେତେବେଳେ ଯେ ବଡ଼ ଦୁର୍ଘଟଣା ନ ଘଟିବ ତାହା କହିହେବ ନାହିଁ । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରି ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

କୋଲକାତାରୁ ଚେନ୍ନାଇ ବା ପୂର୍ବ ଭାରତକୁ ଦକ୍ଷିଣ ଭାରତ ସହ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରିଥାଏ । ଏହି ରାଜପଥ ଏବେ ପାଲଟିଛି ମୃତ୍ୟୁପଥ । ବର୍ଷେ ତଳେ କୁଆଖିଆ ନିକଟରେ ଭୁଶୁଡି ପଡ଼ିଥିବା ବ୍ରିଜର ଏଯାଏଁ ମରାମତି ହୋଇନାହିଁ । ସେପଟେ ସଠିପୁର ବ୍ରଜନଗର ନିକଟରେ ରାସ୍ତା ତଳୁ ମାଟି ଧସିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି । ତେବେ ଶୀଘ୍ର ସମସ୍ଯାର ସମାଧାନ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

୧୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ରାଜନଗରରେ ଉଦବେଗଜନକ ସ୍ଥିତିରେ ଝାଡ଼ାବାନ୍ତି, ନାବାଳକ ମୃତ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରବ୍ଲକରେ ଉଦବେଗଜନକ ସ୍ଥିତିରେ ଝାଡାବାନ୍ତି । ବ୍ଲକର ଭିତରଗଡ ପଞ୍ଚାୟତ ଚାରିପୋଖରୀଆ ଗାଁରେ ଝାଡାବାନ୍ତିରେ ୧୫୦ରୁ ଅଧିକ ଲୋକ ଆକ୍ରାନ୍ତ । ଗତକାଲି ଜଣେ ୯ ବର୍ଷର ନାବାଳକ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।

ରାଜନଗର ଅଞ୍ଚଳରେ ଝାଡବାନ୍ତି ବ୍ୟାପିବାରେ ଲାଗିଛି । ଚଳିତମାସ ୨ ତାରିଖରେ ମୟୂରଭଞ୍ଜ ଅଞ୍ଚଳରୁ ଆସି କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ଓଭରହେଡ଼ ଟାଙ୍କିର ପାଣି ଦୂଷିତ ଥିବା ସ୍ପଷ୍ଟ ହୋଇଥିଲା । ପ୍ରାୟ ଦେଢଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲ ସମେତ କେନ୍ଦ୍ରାପଡ଼ାର ବିଭିନ୍ନ ଡାକ୍ତରଖନାରେ ଚିକିତ୍ସିତ ହେଉଛନ୍ତି । ରାଜନଗର ମେଡିକାଲର ଦୁଇଟି ଡାକ୍ତରୀ ଟିମ ଗାଁରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଅନ୍ୟପଟେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଗାଁରେ ଘରକୁ ଘର ବୁଲି ଓଆରେସ ଦେବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।

କାଶୀପୁରରେ ଝାଡ଼ାବାନ୍ତିରେ ଗଲା ଜଣଙ୍କ ଜୀବନ !

ସେହିକରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରେ ଝାଡାବାନ୍ତି ବ୍ୟାପୀ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଶଙ୍କରଡା ପଞ୍ଚାୟତ ରାଉଳି ଗାଁର ଓ୍ବେଣ୍ଡି ମାଝୀ ହୋଇଥିବା ବେଳେ ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଓ୍ବେଣ୍ଡିଙ୍କ ମୃତ୍ୟୁ ଘଟିଛି । ସେହିପରି ୭ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ କାଶୀପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

କାଶୀପୁର ଗାଁକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ପାନୀୟ ଜଳ ନମୁନା ସଂଗ୍ରହ କରିଥିଲେ । ପରୀକ୍ଷା ପରେ ପାଣି ସମ୍ପୂର୍ଣ୍ଣ ଠିକ ଥିବା ଓ ଡାଇରିଆରେ ବୃଦ୍ଧାଙ୍କ ମୃତ୍ୟୁ ହୋଇ ନଥିବା ସ୍ପଷ୍ଟ କରି କାଶୀପୁର ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସଧିକାରୀ ନେତ୍ରାନନ୍ଦ ନାୟକ ।

ପ୍ରେମକୁ ମିଳିଲାନି ସ୍ବୀକୃତି, ଟ୍ରେନ୍ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ

କେସିଙ୍ଗା: ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ସତ ଜନମର ସାଥୀ ହେବେ ବୋଲି ପରସ୍ପରକୁ କଥା ଦେଇଥିଲେ । ହେଲେ ସେମାନଙ୍କ ପ୍ରେମକୁ ମିଳି ନଥିଲା ପାରିବାରର ସ୍ବୀକୃତି । ଫଳରେ ଶେଷ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ କରିଛନ୍ତି ଉଦ୍ୟମ । ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ । ତେଲ ନଦୀ ଉପରେ ନିର୍ମାଣ ହୋଇଥିବା ରେଳ ବ୍ରିଜରେ ଟ୍ରେନ୍ ଆଗକୁ ଡେଇଁଛନ୍ତି ପ୍ରେମୀ ଯୁଗଳ । ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୁରୀ ବେଳାଭୂମିରୁ ଖପୁରୀ ସହ ଶରୀରର ବିଭିନ୍ନ ଅଂଶ ଉଦ୍ଧାର

ପୁରୀ: ପୁରୀ ବେଳାଭୂମିରୁ ଉଦ୍ଧାର ହେଲେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ  । ଗତକାଲି ବିଳମ୍ବିତ ରାତିରେ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରୁ ଏହି ମଣିଷ ଖପୁରୀ ସହ ଶରୀରର ଅଂଶ ମିଳିଛି ।

ଖପୁରୀଟି ଏକ ପୁରୁଷର ବୋଲି ସାର୍ଟରୁ ଅନୁମାନ କରାଯାଉଛି । ଏହି ମୃତ ଦେହଟି ବଳିଆପଣ୍ଡା ଥାନା ଅଞ୍ଚଳରେ ପଡିଥିଲା । ବଳିଆପଣ୍ଡା ଥାନା ପୋଲିସ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏଫଏମଡି ଡିପାର୍ଟମେଣ୍ଟକୁ ପଠାଯାଇଛି । ରିପୋର୍ଟ ଆଧାରରେ ତଦନ୍ତ କରାଯିବ।

ମୃତଦେହଟି କାହାର ତାହା ଜଣାପଡିନାହିଁ । ମୃତ ଦେହର ପରିଚୟ ଖୋଜିବା ପୁରୀ ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ହୋଇଛି । ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ହେଲେ ଆଜି ମିଳିଥିବା ଦେହାବଶଷର ପରିଚୟ ମିଳିନାହିଁ ।