ନନ୍ଦିଘୋଷ ବ୍ୟୁରୋ : ବିଜେପି କରୁଛି ଅଯଥା ରାଜନୀତି । ହେଲିକପ୍ଟରରେ କାର୍ତ୍ତିକ ପାଣ୍ଡିଆନଙ୍କ ବୁଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ । ହେଲିକପ୍ଟର ଖର୍ଚ୍ଚ ତଦନ୍ତ ନେଇ ଅଯଥା ରାଜନୀତି କରୁଛନ୍ତି ସରକାର । ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ ୧୫ ଦିନ ଭିତରେ ୪ ଥର କହିଲେଣି । ବିଜେପି ବିରୋଧୀ ଦଳରେ ଥିବା ବେଳେ ଏନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲା । ଯାହାର ଉତ୍ତର ରଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ନିର୍ଦ୍ଦେଶରେ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ କରିଥିଲେ ବୋଲି ସ୍ପଷ୍ଟ କରିଥିଲେ ନବୀନ । ଏବେ ସରକାରରେ ଅଛି ବିଜେପି । ଯେତେ ତଦନ୍ତ କରିବା କଥା କରିପାରନ୍ତି । ଏନେଇ ମନ୍ତ୍ରୀ ବାରମ୍ବାର କହିବା ଆବଶ୍ୟକତା ନାହିଁ । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ପରିବହନ ମନ୍ତ୍ରୀ ଏପରି କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।
ଉତ୍ତରପ୍ରଦେଶରେ ଭୀଷଣ ସଡ଼କ ଦୁର୍ଘଟଣା, ବସ- ପିକଅପ ଭ୍ୟାନ୍ ଧକ୍କାରେ ୧୦ ମୃତ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବୁଲନ୍ଦଶହର ଜିଲ୍ଲାର ସଲେମପୁର ଥାନା ନିକଟରେ ବସ୍ ସହ ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ପୋଲିସ ଆହତ ମାନଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ଅନ୍ୟପଟେ ମୃତକଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ଦିଆଯାଇଛି ।
ଦୁର୍ଘଟଣା ଖବର ଶୁଣି ମୃତକ ଏବଂ ଆହତଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ କ୍ରୋଧିତ ଲୋକ ମାନେ ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ସେମାନଙ୍କୁ କୌଣସି ପ୍ରକାର ବୁଝାସୁଝା କରି ଶାନ୍ତ କରିବା ସହ ଟ୍ରାଫିକ ଜାମ୍ ହଟାଇଥିଲେ ।
ତେଜିଲା ଝାଡ଼ଖଣ୍ଡ ରାଜନୀତି : ୬ ଜେଏମଏମ ବିଧାୟକଙ୍କ ସହ ଦିଲ୍ଲୀ ଗଲେ ଚମ୍ପାଇ ସୋରେନ
ରାଞ୍ଚି : ଝାଡ଼ଖଣ୍ଡରେ ତେଜିଲା ରାଜନୀତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬ ବିଧାୟକଙ୍କୁ ନେଇ ଆଜି ସକାଳୁ ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଦିଲ୍ଲୀରେ ବିଜେପିର ପ୍ରମୁଖ ନେତାଙ୍କ ସହ ସାକ୍ଷାତ କରିପାରନ୍ତି ଚମ୍ପାଇ। ନିଜର କିଛି କର୍ମଚାରୀଙ୍କୁ ନେଇ ଦିଲ୍ଲୀ ଯାଇଛନ୍ତି ଚମ୍ପାଇ ସୋରେନ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଚମ୍ପାଇ।
ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନି। ଏହି ସମସ୍ତ ବିଧାୟକ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ଯାଇଥିବା ବିଧାୟକ ହେଲେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଏବଂ ସମୀର ମହାନ୍ତି। ଗତକାଲି ରାତିରୁ ଚମ୍ପାଇ କୋଲକାତାରେ ଏକ ହୋଟେଲରେ ରହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ଚମ୍ପାଇ।ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସାମ ଯିବାର ମଧ୍ୟ ସମ୍ଭାବନା ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଝାଡ଼ଖଣ୍ଡ ପ୍ରଭାରୀ ରହିଛନ୍ତି। ଝାଡ଼ଖଣ୍ଡରେ ହେମନ୍ତ ସୋରେନ ଜେଲରୁ ବାହାରିବା ପରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବା ଶୁଣିବାକୁ ମିଳୁଛି।
ସେପଟେ ଚମ୍ପାଇଙ୍କ ଦିଲ୍ଲୀଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଝାଡଖଣ୍ଡ ବିଜେପି ପୂର୍ବତନ ଅଧ୍ୟକ୍ଷ ଦୀପକ ପ୍ରକାଶ। ଚମ୍ପାଇଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଯେପରି ହଟାଗଲା ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ବିଜେପି ସଭାପତି। ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ। ଚମ୍ପାଇ ଗତ ୨ ଫେବୃଆରୀରୁ ୩ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ଝାଡ଼ଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ଚମ୍ପାଇ। ଝାଡ଼ଖଣ୍ଡର ଜଣେ ବରିଷ୍ଠ ରାଜନେତା ହିସାବରେ ଚମ୍ପାଇ ସୋରେନ ପରିଗଣିତ ହେଉଛନ୍ତି।
ଅଜୟଙ୍କୁ ‘ହାଲୋ’ କହିଲେନି ବୋଲି ବିଜୟ ରାଜଙ୍କୁ ଫିଲ୍ମରୁ ଆଉଟ୍ କଲେ ପ୍ରଡ୍ୟୁସର !
ନୂଆଦିଲ୍ଲୀ : ଅଜୟ ଦେବଗନଙ୍କ ଅପକମିଙ୍ଗ ପିଲ୍ମ ‘ସନ ଅଫ ସରଦାର-୨’ ରୁ ବିଜୟ ରାଜଙ୍କୁ ହଟାଇ ଦିଆଯାଇଛି । ଏକ ରିପୋର୍ଟ ଅନୁସାରେ, ଅଜୟଙ୍କ ସହ ଫିଲ୍ମର ପ୍ରଯୋଜନା କରୁଥିବା କୁମାର ମଙ୍ଗତ କହିଛନ୍ତି ଯେ, ତାଙ୍କ ବ୍ୟବହାର ଏବଂ ଅଯଥା ଦାବି ଯୋଗୁଁ ବିଜୟ ରାଜଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଛି । ଅନ୍ୟପଟେ ବିଜୟ କହିଛନ୍ତି ଯେ, ଫିଲ୍ମ ସେଟରେ ସେ ହାଲୋ କହିଲେନି ବୋଲି ତାଙ୍କୁ ଫିଲ୍ମରୁ ଆଉଟ କରିଛନ୍ତି ପ୍ରଡ୍ୟୁସର । ଏବେ ଫିଲ୍ମରେ ବିଜୟଙ୍କ ସ୍ଥାନରେ ସଞ୍ଜୟ ମିଶ୍ରାଙ୍କୁ ଦିଆଯାଇଛି , ଯାହାର ସୁଟିଂ ୟୁକେରେ ଚାଲିଛି ।
ଅନ୍ୟପକ୍ଷେ କୁମାର ମଙ୍ଗତ ପାଠକ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିଜୟ ରାଜଙ୍କୁ ତାଙ୍କ ଦୁର୍ବ୍ୟବହାର କାରଣରୁ ଫିଲ୍ମରୁ ଆଉଟ୍ କରାଯାଇଛି । ଏହା ଛଡା ସେ ବଡ଼ ରୁମ୍ ଏବଂ ଭ୍ୟାନିଟି ଭ୍ୟାନ୍ ପାଇଁ ଦାବି କରୁଥିଲେ । ଏଥି ସହ ସେ ସର୍ବଦା ସ୍ପର୍ଟ ବୟ ପାଇଁ ମଧ୍ୟ ଅଧିକ ଟଙ୍କା ପାଇଁ ଡିମାଣ୍ଡ କରୁଥିଲେ । ବିଜୟଙ୍କ ସ୍ପର୍ଟ ବୟଙ୍କୁ ପ୍ରତିଦିନ ରାତିରେ ୨୦ହଜାର ଟଙ୍କା ଦିଆଯାଉଥିଲା । ଯାହା ବଡ଼ ଅଭିନେତାଙ୍କ ତୁଳନାରେ ବହୁତ ଅଧିକ ଅଟେ ।
ବିଜୟ ତାଙ୍କ ପ୍ରତିରକ୍ଷାରେ କହିଛନ୍ତି ଯେ ଯେତେବେଳେ ସେ ସୁଟିଂ ସେଟରେ ପହଞ୍ଚିଥିଲେ ସେତେବେଳେ ରବି କିଶନ, ନିର୍ଦ୍ଦେଶକ ବିଜୟ ଆରୋଡ଼ା ଏବଂ କୁମାର ସମେତ ଅନ୍ୟମାନେ ତାଙ୍କୁ ଭେଟିଥିଲେ। ସେ କହିଛନ୍ତି, “ମୁଁ ଭ୍ୟାନରୁ ବାହାରି ଅଜୟ ଦେବଗନଙ୍କୁ ପ୍ରାୟ ୨୫ ମିଟର ଦୂରରେ ଠିଆ ହେବାର ଦେଖିଲି, କାରଣ ସେ ବ୍ୟସ୍ତ ଥିଲେ ତେଣୁ ମୁଁ ତାଙ୍କୁ ହ୍ୟାଲୋ କହି ନ ଥିଲି ଏବଂ ମୁଁ ମୋର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିଥିଲି। ଏବଂ ଏହି ଘଟଣାର ୨୫ ମିନିଟ ପରେ କୁମାର ମଙ୍ଗତ ମୋ ପାଖକୁ ଆସି କହିଥିଲେ ଯେ ଆମେ ଆପଣଙ୍କୁ ଫିଲ୍ମରୁ ହଟାଉଛୁ।
ସେ ଆହୁରି କହିଛନ୍ତି, “ମୋ ପକ୍ଷରୁ ଏକମାତ୍ର ଭୁଲ ଆଚରଣ ଥିଲା ଯେ ମୁଁ ଅଜୟ ଦେବଗନଙ୍କୁ ହ୍ୟାଲୋ କରି ନାହିଁ। ମୁଁ କ୍ରୁଙ୍କୁ ମଧ୍ୟ ଭେଟି ନଥିଲି । ସେଟରେ ପହଞ୍ଚିବାର ୩୦ ମିନିଟ ପରେ ମୋତେ ଫିଲ୍ମରୁ ହଟାଇ ଦିଆଯାଇଥିଲା । ଏମାନେ ଶକ୍ତିଶାଳୀ ଲୋକ, ସେମାନେ କିଛି କରିପାରିବେ । ବିଜୟ କହିଛନ୍ତି ଯେ, ତାଙ୍କୁ ଅଗଷ୍ଟ ୪ ତାରିଖ ଅପରାହ୍ନରେ ଫିଲ୍ମରୁ ହଟାଇ ଦିଆଯାଇଛି।
ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ସ୍ତ୍ରୀ-୨ ; ୩ ଦିନରେ ୧୦୦ କୋଟି ପାର୍
ନୂଆଦିଲ୍ଲୀ : ଶ୍ରଦ୍ଧା କପୁରଙ୍କ ବଲିଉଡ୍ ଫିଲ୍ମ ‘ସ୍ତ୍ରୀ ୨: ସିର୍କଟେ କା ଆତଙ୍କ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଶ୍ରଦ୍ଧା କପୁର, ରାଜକୁମାର ରାଓଙ୍କ ସହ ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଏବଂ ତମନ୍ନା ଭାଟିଆଙ୍କ ଅଭିନୟ ଲୋକଙ୍କୁ ଆକର୍ଷିତ କରିଛି। ଲୋକମାନେ ଏହି ହରର୍-କମେଡି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ଅକ୍ଷୟ କୁମାର ଏବଂ ଜନ୍ ଆବ୍ରାହମ୍ଙ୍କ ପରି ତାରକାଙ୍କ ଆକ୍ସନ ଫିଲ୍ମ ଯାହା କରିପାରି ନାହିଁ, ତାହା ଶ୍ରଦ୍ଧାଙ୍କ ହରର୍-କମେଡି ଫିଲ୍ମ କରି ଦେଖେଇଛି।
ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ବହୁତ ଆଗରେ ଅଛି । ଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ସ୍ତ୍ରୀ ୨’ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଛି। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ମୋଟ ୭୬.୫ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି ଏବଂ ଏହି ଶାହରୁଖ ଖାନଙ୍କ ‘ପଠାନ’ର ପ୍ରଥମ ଦିନର ରେକର୍ଡ ମଧ୍ୟ ଭାଙ୍ଗିଛି।
ସାକନିକଙ୍କ ରିପୋର୍ଟ ଅନୁସାରେ, ପ୍ରଥମ ଦିନରେ ‘ସ୍ତ୍ରୀ ୨’ ୬୦.୩ କୋଟି ଟଙ୍କା ଆୟ କରି ଇତିହାସ ରଚିଥିଲା । ଦ୍ୱିତୀୟ ଦିନରେ ଫିଲ୍ମ ୩୧.୪ କୋଟି ଏବଂ ତୃତୀୟ ଦିନ ଅର୍ଥାତ୍ ଶନିବାର ଦିନ ୪୪ କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ କଲେକ୍ସନ ୧୩୫.୭ କୋଟିରେ ପହଞ୍ଚିଛି । ସେପଟେ ଫିଲ୍ମ ‘ସ୍ତ୍ରୀ’, ‘ବାଲା’ ପରେ ନିର୍ଦ୍ଦେଶକ ଅମର କୌଶିକଙ୍କ ‘ସ୍ତ୍ରୀ ୨’ ହେଉଛି ତୃତୀୟ ଚଳଚ୍ଚିତ୍ର, ଯାହା ୧୦୦କୋଟି ଟଙ୍କାର ପାର୍ କରିଛି।
ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହରର୍-କମେଡି ଫିଲ୍ମ ଏହାର ବଜେଟ୍ ବାହାର କରିସାରିଛି। ଏହି ଫିଲ୍ମ ୨୦୨୪ ବର୍ଷର ସବୁଠାରୁ ଚଞ୍ଚଳ ୧୦୦ କୋଟି ଟଙ୍କାର ଫିଲ୍ମ ହୋଇପାରିଛି। ଏହି ଫିଲ୍ମକୁ ‘ସୁପର୍ହିଟ୍’ ଟ୍ୟାଗ୍ ମଧ୍ୟ ଦିଆଯାଇଛି। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି।

