ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଲୁଟେରା। ଖଣ୍ଡଗିରି ଛକରେ ଥିବା ହାର୍ଡୱେର ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ। ଦୋକାନ ଛାତ ଉପରୁ ଆଜବେଷ୍ଟେସ କାଟି ଲୁଟିଛନ୍ତି ଲୁଟେରା। ଲକ୍ଷାଧିକ ଟଙ୍କା ସହ କିଛି ଦାମୀ ଜିନିଷ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ଏ ନେଇ ଆଜି ସକାଳୁ ଦୋକାନ ମାଲିକ ଖବର ପାଇବା ପରେ ଖଣ୍ଡଗିରି ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଛାନବିନ ଜାରି ରଖିଛି । ନିକଟରେ ଥିବା କିଛି ସିସିଟିଭି ଯାଞ୍ଚ କରାଯାଇଛି। କିନ୍ତୁ ବଡ଼ କଥା ହେଉଛି ଶନିବାର ରାତିରେ ବିଭିନ୍ନ ଛକ ବଜାରରେ ପୋଲିସ ପାଇଁତରା ମାରିବା ସହ ଚେକିଂ ବ୍ଲକିଂରେ ବ୍ୟସ୍ତ ଥିବା ବେଳେ ଜାତୀୟ ରାଜପଥ କଡରେ ଏଭଳି ଘଟଣା ଘଟିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ ।
ରଣକ୍ଷେତ୍ର ପାଲଟିଲା ଗାଁ , ୮୫ ଗ୍ରାମବାସୀଙ୍କୁ ହତ୍ୟା କଲେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ
ନନ୍ଦିଘୋଷ ବ୍ୟୁରୋ : ସୁଡାନର ଏକ ଗାଁରେ ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀଙ୍କ ସମୁହ ଆକ୍ରମଣରେ ପାଖାପାଖି ୮୫ଜଣଙ୍କ ମୃତ୍ୟୁ ଘଟିଛି । ମହିଳା ଓ ଶିଶୁଙ୍କୁ ବି ଛାଡିଲେନି ଆରଏସଏଫ୍ ବାହିନୀ । ଗାଁରେ ପଶି ଆତଙ୍କ ଖେଳାଇବା ସହ ଘରଗୁଡିକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଅଧିକାରୀ ମାନଙ୍କ ସୂଚନା ଅନୁଯାୟୀ, ୧୮ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ଏହା ସବୁଠୁ ଭୟଙ୍କର ଘଟଣା । ସୁଡାନର ବୈଦେଶିକ ମନ୍ତ୍ରାଳୟଙ୍କ ଅନୁଯାୟୀ, ବିଦ୍ରୋହୀ ଅର୍ଦ୍ଧ ସାମରିକ ବାହିନୀ ( ଆରଏସଏଫ୍ )ଙ୍କ ଏହି ଆକ୍ରମଣରେ ୧୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ରହିଛି ଯେ, ପୂର୍ବବର୍ଷ ଏପ୍ରିଲରେ ଯୁଦ୍ଧ ଆରମ୍ଭ ପରେ ପରେ ଆରଏସଏଫଙ୍କ ବିରୋଧରେ ବାରମ୍ୱାର ଗଣହତ୍ୟା, ବଳାତ୍କାର ଏବଂ ଅନ୍ୟ ଗମ୍ଭୀର ଆରୋପ ଲାଗି ଆସିଛି । ରିପୋର୍ଟ ମୁତାବକ, ଏହି ଗଣହତ୍ୟା ଘଟଣା ବିଷୟରେ ବୟାନ ଦେଇ ୩ ଗ୍ରାମବାସୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଆରଏସଏଫ୍ ସେନା ଗାଁ ଭିତରେ ପଶି ପ୍ରଥମେ ଆଖିବୁଜା ଗୁଳି ଚଳାଇଥିଲେ ଏବଂ ଲୁଟପାଟ କରିଥିଲେ । ରିପୋର୍ଟ ଅନୁସାରେ ହସ୍ପିଟାଲରେ ୮୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଶବ ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୪ ମହିଳା ଏବଂ ନାବାଳକ ଥିଲେ ।
ଦିନକୁ ଦିନ ସୁଡାନର ପରିସ୍ଥିତି ଖରାପ ହେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ସ୍ଥାନାନ୍ତରଣ ସଂଗଠନ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ପରଠୁ ୧୦.୭ ନିୟୁତରୁ ଅଧିକ ଲୋକ ନିଜ ଘର ଛାଡି ପଳାୟନ କରିବାକୁ ବାଦ୍ଧ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ମିଲିୟନରୁ ଅଧିକ ଲୋକ ପଡୋଶୀ ଦେଶକୁ ପଳାୟନ କରିଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ : କମଳା ହାରିସଙ୍କ ବିରୋଧରେ ଟ୍ରମ୍ପଙ୍କ ଜୋରଦାର ପ୍ରସ୍ତୁତି
ଓ୍ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହେବ ଏଥର ଜୋରଦାର ଲଢେଇ। ଭାରତୀୟ ବଂଶୋଦ୍ଭବ ନେତା କମଳା ହାରିସ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କମଳା ହାରିସଙ୍କ ବିରୋଧରେ ପ୍ରଚାର କରିବାକୁ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଅସ୍ତ୍ର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ପୂର୍ବତନ ଡେମେକ୍ରାଟ୍ ସାଂସଦ ତୁଳସୀ ଗାବାର୍ଡଙ୍କୁ ଏଥିଲାଗି ପ୍ରସ୍ତୁତ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କମଳା ହାରିସଙ୍କ ବିପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଡିବେଟକୁ ଅତି ଗୁରୁତର ସହ ନେଇଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
କମଳା ହାରିସ ମତଦାତାଙ୍କୁ ଲୁଭାଇବାକୁ ଲାଗି ପଡିଛନ୍ତି। ସେପଟେ ସମସ୍ତ ନଜର ଆସନ୍ତା ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଡିବେଟ ଉପରେ ରହିଛି। ଯେଉଥିରେ ପ୍ରଥମଥର ଲାଗି ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ମୁକାବିଲା ହେବ। ଆଉ ଉଭୟ ବିଭିନ୍ନ ପ୍ରସଙ୍ଗ ନେଇ ନିଜ ନିଜ ମତ ଜନତାଙ୍କ ନିକଟରେ ରଖିବେ। ତେବେ ଡିବେଟ ଲାଗି ତୁଲସୀ ଗାବାର୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ଲାଗି ଡିବେଟ ପ୍ରସ୍ତୁତି କରୁଥିବା ଖବର ଶୁଣିବାକୁ ମିଲୁଛି।
୨୦୧୯ରେ ତୁଳସୀ ଗାବାର୍ଡ କମଳା ହାରିସଙ୍କୁ ଏକ ଡିବେଟରେ ଅନେକ ବ୍ୟବଧାନରେ ପଛରେ ପକାଇ ଦେଇଥିଲେ। ତୁଳସୀ ଯେମିତି ପୂର୍ବରୁ କମଳାକୁ ଡିବେଟରେ ପଛରେ ପକାଇ ଦେଇଥିଲେ ସେହିପରି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଡିବେଟରେ ସେ କମଳା ହାରିସଙ୍କୁ ପଛରେ ପକାଇ ଭୋଟରଙ୍କୁ ଲୁଭାଇବାକୁ ଉଦ୍ୟମ କରିବେ ବୋଲି ଆଶା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଗଣମାଧ୍ୟମ ସୂଚନା ଅନୁସାରେ ଏହି କାମ ଲାଗି ପୂର୍ବତୁ ଡେମୋକ୍ରେଟ ସାଂସଦ ତୁଳସୀ ଗାବାର୍ଡ ଡୋନାଲ୍ଟ ଟ୍ରମ୍ପଙ୍କୁ ସହାୟତା କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ। ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ ଝିଙ୍ଗିଆ ଓରାମ। ସୁନ୍ଦରଗଡ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୁଏଲ ଓରାମଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବାଚସ୍ପତିଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟ ବି କରିଛନ୍ତି ଶେଷ ଦର୍ଶନ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ଏକ୍ସରେ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

