spot_img
Home Blog Page 1622

ଜାମୁ କାଶ୍ମୀର କିସ୍ତୱାଡରେ ସୁରକ୍ଷାକର୍ମୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ ,୨ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆଜି ମଧ୍ୟ ଗୁଳିବିନିମୟ ଜାରି ରହିଛି। କିସ୍ତୱାଡରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କୀ। କିସ୍ତୱାଡ ଅଂଚଳରେ କିଛି ଆତଙ୍କୀ ଲୁଚିଥିବା ଖବର ପାଇ ଘେରାଉ କରିଛନ୍ତି ସେନାର ଯବାନ।ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଗତକାଲି ଅନନ୍ତନାଗ ଜିଲ୍ଲାର ଅହଲାନ ଗଡୋଲେ ଅଂଚଳରେ ଘଟିଥିଲା ଗୁଳିବିନିମୟ।

ଗୁଳିବିନିମୟରେ ୨ ଯବାନ ସହିଦ ହୋଇଥିବାବେଳେ ଜଣେ ସ୍ଥାନୀୟ ନାଗରିଙ୍କ ମଧ୍ୟ ମୃତ୍ଯୁ ଘଟିଥିଲା।ଏହି ଅଂଚଳ ଦେଇ ସେନାର ଯବାନ ଯାଉଥିବାବେଳେ ଆତଙ୍କୀ ଟାର୍ଗେଟ କରିଥିଲେ। ଜଙ୍ଗଲରେ ଲୁଚିଥିବା ଆତଙ୍କୀଙ୍କୁ ଧରିବାକୁ
ଗତ କାଲିଠାରୁ ଚାଲିଥିଲା ଜୋରଦାର ଅପରେସନ। ୨୦୨୩ରେ କୋକେରନାଗ ଜଙ୍ଗଲରେ ଆତଙ୍କୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ।ଏଥିରେ ଜଣେ କମାଣ୍ଡିଂ ଅଫିସର, ଜଣେ ମେଜର ଏବଂ ଜଣେ ଡିଏସପି ସହିଦ ହୋଇଥିଲେ।

ହତ୍ଯାକାରୀକୁ ଧରାଇଦେଲା ବ୍ଲୁଟୁଥ ଇୟରଫୋନ

କୋଲକାତା : ଇୟରଫୋନରୁ ଧରାପଡ଼ିଲା ହତ୍ଯାକାରୀ। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ଯା ଘଟଣାରେ ଧରାପଡ଼ିଛି ଅଭିଯୁକ୍ତ।ଅଭିଯୁକ୍ତ ସଂଜୟ ରୟକୁ ପୋଲିସ ଗତକାଲି ଗିରଫ କରି କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତ ହତ୍ଯାକାରୀକୁ ଅଦାଲତ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଛନ୍ତି। ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଇୟରଫୋନରୁ ଅଭିଯୁକ୍ତକୁ ଠାବ କରିଥିଲା ପୋଲିସ। କ୍ରାଇମ ସିନ ନିକଟରୁ ମିଳିଥିବା ବ୍ଲୁଟୁଥ୍ ଇୟରଫଓନର ଏକ ଭାଙ୍ଗିଯାଇଥିବା ଖଣ୍ଡକୁ ନେଇ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା ପୋଲିସ।

ଘଟଣା ପରେ ସିସିଟିଭିକୁ ଯାଞ୍ଚବେଳେ ସନ୍ଦିଗ୍ଧ ଅଭିଯୁକ୍ତ ସେମିନାର ହଲ ନିକଟରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତ ସହ ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ପଚରାଉଚରା ଲାଗି ଡାକିଥିଲେ। ଏହି ସମୟରେ ପୋଲିସ ସମସ୍ତଙ୍କ ଫୋନ ଜବତ କରିଥିଲେ। ଜଣେ ପୋଲିସ କର୍ମଚାରୀ ବ୍ଲୁଟୁଥ ଇୟରଫୋନକୁ ସମସ୍ତ ସନ୍ଦିଗ୍ଧଙ୍କ ଫୋନ ସହ ସଂଯୋଗ କରିବାକୁ ଉଦ୍ୟମ କରିଥିଲେ। ଆଉ ସେହି ଇୟରଫୋନ ଅଭିଯୁକ୍ତ ସଂଜୟର ଫୋନ ସହ ଯୋଡ଼ି ହୋଇଥିଲା। ଏହାପରେ ପୋଲିସ ତୁରନ୍ତ ସଂଜୟ ରୟକୁ ଗିରଫ କରିଥିଲା। ପଚରାଉଚରା ବେଳେ ସଂଜୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ଯା କରିଥିବା ମାନିଥିବା ଜଣାପଡ଼ିଛି।

ଅଜବ ଗଜବ ଉତ୍ତରପ୍ରଦେଶ, ଲାଞ୍ଚରେ ନେଲେ ୫ କିଲୋ ଆଳୁ     

ବିହାର :  ଉତ୍ତରପ୍ରଦେଶର କନୌଜରେ ଲାଞ୍ଚ ମାଗୁଥିବା ପୋଲିସ କର୍ମଚାରୀଙ୍କ ଅଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଲାଞ୍ଚରେ ଟଙ୍କା ନୁହେଁ ବରଂ ଆଳୁ ମାଗୁଥିବା ଶୁଣିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଅଡିଓ ଭାଇରାଲ ହେବା ପରେ ଏହି ପୋଲିସ ଅଫିସରଙ୍କୁ ସସପେଣ୍ଡ କରି ଦେଇଛନ୍ତି ଏସପି ।

ସୂଚନା ମୁତାବକ, କନୌଜର ସୌରିଖ ଥାନା ଅଧିକାରୀ ଲାଞ୍ଚରେ ୫ କିଲୋ ଆଳୁ ମାଗିଥିବା ଜଣା ପଡିଛି । ଯାହା ପରେ ଏସପି ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରି ଦେଇଛନ୍ତି । ଏହି ଲାଞ୍ଚୁଆ ପୋଲିସ ଅଧିକାରୀ ହେଉଛନ୍ତି ଏସଆଇ ରାମକୃପାଲ ।  ଏହି ଭାଇରାଲ ଅଡିଓରେ ସେ ପାଞ୍ଚ କିଲୋ ଆଳୁ ଦେବାକୁ ଡିମାଣ୍ଡ କରିଛନ୍ତି ।  ଏହି ଅଜବ ଗଜବ ଡିମାଣ୍ଡର କଥୋପକଥନରେ ଅଭିଯୋଗକାରୀ ୫ କିଲୋ ଆଳୁ ଦେବାକୁ ଅସମର୍ଥ ଥିବା କହି ଏହା ବଦଳରେ ୨ କିଲୋ ଆଳୁ ଦେଇପାରିବେ ବୋଲି କହିଛି । କିନ୍ତୁ ଏହା ଶୁଣି ରାଗିଯାଇଥିଲେ ପୋଲିସ ବାବୁ। ଶେଷରେ ୩ କେଜି ଆଳୁରେ ମୂଲଚାଲ ଶେଷ ହୋଇଥିଲା । ଏପରି ଲାଞ୍ଚ ଡିଲିଂ କଥାକୁ ନେଇ ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ପୋଲିସ ଅଧିକାରୀ ସ୍ୱୀକାର କରିଛନ୍ତି ।

ଅନ୍ୟପକ୍ଷେ ଭାଇରାଲ ଅଡ଼ିଓରେ ଥାନା ଅଧିକାରୀ କୌଣସି କାମକୁ ନେଇ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା  । ସେଥିପାଇଁ ଏହାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା କରାଯାଉଛି । ଅନେକ ଲୋକ ଆଳୁକୁ କୋଡ ଓ୍ୱାଡ୍ ବୋଲି କହୁଛନ୍ତି । ଯାହାଦ୍ୱାରା ପରିବା ନାଁରେ ଅନ୍ୟକିଛି ଡିଲ୍ କରାଯାଉଥିବା ଚର୍ଚ୍ଚା ହେଉଛି ।

ଦେଶ ଛାଡୁଥିବା ରୋହିଙ୍ଗ୍ୟାଙ୍କ ଉପରେ ଡ୍ରୋନ୍ ଆକ୍ରମଣ, ୧୫୦ ନିହତ

ନନ୍ଦିଘୋଷ ବ୍ୟୁରୋ : ମିଆଁମାରର ଅଳ୍ପସଂଖ୍ୟକ ସମୁଦାୟ ବିଶିଷ୍ଟ ମୁସଲିମ୍ ରୋହିଙ୍ଗ୍ୟା ନାଗରିକ ଦେଶ ଛାଡୁଥିବା ବେଳେ ଡ୍ରୋନ୍ ଆକ୍ରମଣ । ଯେଉଁଥିରେ ପାଖାପାଖି ୧୫୦ ରୋହିଙ୍ଗ୍ୟା ନାଗରିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମହିଳା,  ଶିଶୁଙ୍କ ଠୁ ଆରମ୍ଭ କରି ବୃଦ୍ଧ ମଧ୍ୟ ଥିଲେ  ଏବଂ ନଦୀ କୂଳରେ ଏମାନଙ୍କ ଶବ ଛିନ୍ନଭିନ୍ନ ହୋଇ ପଡିଥିବା ଦେଖିବାକୁ ମିଳିଛି ।

ଡ୍ରୋନ୍ ଆକ୍ରମଣ ବିଷୟରେ ସୂଚନା ଦେଇ ଚାରିଜଣ ସାକ୍ଷୀ ଏବଂ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଏହି ରୋହିଙ୍ଗ୍ୟା ମୁସଲମାନମାନେ ପଡୋଶୀ ମୁସଲିମ୍ ଦେଶ ବାଂଲାଦେଶ ଯିବାକୁ ଚେଷ୍ଟା କରୁଥିଲେ। ଏହି ଲୋକମାନେ ବାଂଲାଦେଶର ନଫ୍ ନଦୀ ପାର ହୋଇ ମାଉଁଣ୍ଡୋ ସହରରୁ ଖସିଯିବାକୁ ଚେଷ୍ଟା କରୁଥିଲେ। ଅନ୍ୟପକ୍ଷେ ରାଜ୍ୟର ରାଖୀନ୍ ଜାତିର ସାମରିକ ବାହିନୀ ଅରାକାନ୍ ସେନା ରୋହିଙ୍ଗ୍ୟା ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ନୁହେଁ ବୋଲି ମନା କରିଦେଇଛି ।

ଜଙ୍ଗଲରୁ କଙ୍କାଳ ଉଦ୍ଧାର, ଘଟଣାସ୍ଥଳରେ ପୋଲିିସର ତଦନ୍ତ ଜାରି

ଦିଗପହଣ୍ଡି : ଦିଗପହଣ୍ଡି ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ କଙ୍କାଳ ଉଦ୍ଧାର। ମଣିଷ କଙ୍କାଳ ଓ ଖପୁରୀ ସହ ସାଇକେଲ ଦେଖିବାକୁ ମିଳିଛି। ଜଙ୍ଗଲକୁ ଗାଁର କିଛି ଲୋକ ଯାଇଥିବା ବେଳେ ଖପୁରୀ ଓ କଙ୍କାଳ ପଡ଼ିଥିବା ଦେଖି ପାଟପୁର ପୋଲିସକୁ ଖବର ଦେଇଥିଲେ। ପାଟପୁର ଥାନା ଅଧିକାରୀ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାଖରେ ପଡିଥିବା ସାଇକେଲଟି ଲେଡିଜ୍ ସାଇକେଲ ହୋଇଥିବାରୁ ଏହି କଙ୍କାଳଟି ଯୁବତୀଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ପାଟପୁର ଥାନା ଅଞ୍ଚଳରେ ନିଖୋଜ ହୋଇଥିବା ଏତଲା ତାଲିକା ସହ ସ୍ଥାନୀୟ ଅଞ୍ଚଳରୁ ନିଖୋଜ ଥିବା ଲୋକଙ୍କ ବିଷୟରେ ପଚରାଉଚରା କରୁଛି ପାଟପୁର ପୋଲିସ ।

ପରମ୍ପରା ଅନୁଯାୟୀ ପୁରୀରେ ଆଜିଠୁ ରଥଭଙ୍ଗା କାମ ଆରମ୍ଭ

ପୁରୀ : ପରମ୍ପରା ଅନୁସାରେ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରୁଛନ୍ତି । ପ୍ରଥମେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର କଳସରୁ ଭଙ୍ଗା କାମ ଆରମ୍ଭ ହୋଇଛି । ମୁଖ୍ୟ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଦେଶକ୍ରମେ ୮ ଜଣ ପ୍ରମୁଖ ଭୋଇ ଉପସ୍ଥିତ ରହି ରଥଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି । ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ କରିଥାଏ । ଏବଂ ଅନ୍ୟ ଟୁକୁରା କାଠ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଜାଳ ଭାବେ ବ୍ୟବହାର ହୋଇଥାଏ ।

ବାଂଲାଦେଶରେ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ,ଢାକାରେ ବଡ଼ ଧରଣର ବିକ୍ଷୋଭ

ଢାକା : ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକୁ ନେଲେ ଢାକା ଏବଂ ବିଦେଶରେ ବଡ଼ଧରଣର  ବିକ୍ଷୋଭ ପ୍ରଦର୍ଶନ  । ଏହାକୁ ନେଇ ଭାରତ ସକାର ପଶୋଡୀ ଦେଶରେ କଡ଼ା ନଜର ରଖିଛି । ଶନିବାର ବାଂଲାଦେଶରେ ହିନ୍ଦୁ ସମୁଦାୟରେ ଗଣହତ୍ୟା ବିରୋଧରେ ଢାକା ଏବଂ ଅନ୍ୟ ଦେଶ ମାନଙ୍କରେ ରହୁଥିବା ହିନ୍ଦୁ ସମୁଦାୟ ସମୁହ ବିକ୍ଷୋଭ କରିଛନ୍ତି । ରାଜନୈତିକ ଅଶାନ୍ତ ରାଷ୍ଟ୍ର ମାନଙ୍କରେ ହିନ୍ଦୁ ମନ୍ଦିରକୁ  ନଷ୍ଟ କରିବା ବିରୋଧରେ ମଧ୍ୟ ବିକ୍ଷୋଭ କରାଯାଇଛି ।  ହିନ୍ଦୁ ସମୁଦାୟର ସଦସ୍ୟଙ୍କ ହତ୍ୟା ପରେ ଏହାକୁ ବିରୋଧ କରି ଢାକାରେ ପ୍ରବଳ ସଂଖ୍ୟାରେ ହିନ୍ଦୁ ଏକତ୍ରିତ ହୋଇଛନ୍ତି । ଏହି ରାଲିରେ ବିଭୋକ୍ଷକାରୀ ମାନେ ହାତରେ ‘ହିନ୍ଦୁମାନଙ୍କୁ ବଞ୍ଚିବାର ଅଧିକାର ଅଛି ’ ଲେଖା ଥିବା ବ୍ୟାନର ଧରି ବିକ୍ଷୋଭ କରୁଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଚଟଗାଁରେ ପ୍ରବଳ ସଂଖ୍ୟାରେ ବିକ୍ଷୋଭକାରୀମାନେ ସ୍ଥାନୀୟ ଅଧିକାରୀଙ୍କୁ ବିଶ୍ୱ ସଂଗଠନ ଠାରୁ ସୁରକ୍ଷା  ପାଇଁ  ଏବଂ ମନ୍ଦିରଗୁଡିକର ସୁରକ୍ଷା ପାଇଁ ଦାବି କରିଥିଲେ । ଏହାସହ ଲଣ୍ଡନ ଏବଂ ଫିନଲ୍ୟାଣ୍ଡ ସହ  ଅନ୍ୟ ଦେଶ ମାନଙ୍କରେ ମଧ୍ୟ ହିନ୍ଦୁଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଂଲାଦେଶର ନୂଆ ଅନ୍ତରୀଣ ସରକାରଙ୍କୁ ହିନ୍ଦୁଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି ।

ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ କେ. ନଟୱର ସିଂଙ୍କ ଦେହାନ୍ତ । ଗୁରଗ୍ରାମ୍‌ର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂହ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଥିଲେ ନଟୱର ସିଂ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।

ଆଜି ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି। ନଟୱର ସିଂଙ୍କ ସମ୍ପୂର୍ଣ୍ଣ ନାମ କୁୱଁର ନଟୱର ସିଂ। ପୂର୍ବତନ କଂଗ୍ରେସ ସାଂସଦ ତଥା ରାଜ୍ୟସଭା ସଦସ୍ୟ ନଟୱର ସିଂ ୨୦୦୪-୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୟୁପିଏ ସରକାରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ।

ସେ ୧୯୬୬ରୁ ୧୯୭୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟାଳୟ ସହିତ ଜଡିତ ଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ନଟୱର ସିଂଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

କୂଟନୀତିଜ୍ଞଙ୍କ ଠାରୁ ରାଜନେତା ପର୍ଯ୍ୟନ୍ତ ଯାତ୍ରା: ନଟୱର ସିଂ ଜଣେ ଭାରତୀୟ କୂଟନୀତିଜ୍ଞ ତଥା ଦକ୍ଷ ରାଜନେତା ଥିଲେ । ସେ ୧୯୫୩ରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ । ୟୁନିସେଫର କାର୍ଯ୍ୟନିର୍ବାହୀ ବୋର୍ଡରେ ଭାରତର ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ୧୯୬୩ରୁ ୧୯୬୬ ମଧ୍ୟରେ ମିଳିତ ଜାତିସଂଘର ଅନେକ କମିଟିରେ କାର୍ଯ୍ୟ କରିଥିଲେ । ୧୯୬୬ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ନିୟୋଜିତ କରାଯାଇଥିଲା । ୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ପୋଲାଣ୍ଡଓ ୧୯୮୦ରୁ ୧୯୮୨ ପର୍ଯ୍ୟନ୍ତପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ନଟୱର ସିଂ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଧ୍ୟ ସେ ସଚିବ ରହିଥିଲେ । ୧୯୮୪ ମସିହାରେ ନଟୱର ସିଂଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ମନମୋହନ ସିଂ ସରକାରରେ ନଟୱର କ୍ୟାବିନେଟ ମନ୍ତ୍ରୀ ଥିଲେ:୧୯୮୪ରେ ସେ ସରକାରୀ ଚାକିରି ଛାଡି କଂଗ୍ରେସର ହାତ ଧରିଥିଲେ । ରାଜସ୍ଥାନର ଭରତପୁର ନିର୍ବାଚନମଣ୍ଡଳୀରୁ ଏମପି ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୫ରେ, ସେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୧୯୮୬ରେ ସେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୯୧ରେ ସେ କଂଗ୍ରେସ ହାତ ଛାଡି ଅଲ ଇଣ୍ଡିଆ ଇନ୍ଦିରା କଂଗ୍ରେସ ଦଳ ଗଠନ କରିଥିଲେ । ପୁଣି ୧୯୯୮ରେ ସେ କଂଗ୍ରେସକୁ ଫେରିଥିଲେ । ୧୯୯୮ରେ ସାଧାରଣ ନିର୍ବାଚନ ଲଢି ଭରତପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨ରେ ସେ ରାଜ୍ୟସବାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ମନମୋହନ ସିଂ ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ।

ନିଜ ଲେଖନି ପୁସ୍ତକକୁ ନେଇ ଥିଲେ ଚର୍ଚ୍ଚାରେଭାରତୀୟ ବୈଦେଶିକ ନୀତିରେ ନଟଓ୍ବର ସିଂଙ୍କ ଗଭୀର ଛାପ ଛାଡିଛନ୍ତି । ସେ ନେହେରୁ-ଗାନ୍ଧୀ ପରିବାରର ଘନିଷ୍ଠ ଥିଲେ । ଲେଖାଲେଖି ପ୍ରତି ନଟଓ୍ବର ବେଶ ଆଗ୍ରହୀ ଥିଲେ । ଏଥିପାଇଁ ସେ ନିଜକୁ ଜଣେ ଭଲ ଲେଖକ ଭାବେ ମଧ୍ୟ ପରିଚିତ କରାଇଥିଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ତାଙ୍କ ଆତ୍ମଜୀବନୀ ‘ଓ୍ବାନ ଲାଇଫ ଇଜ ନଟ୍‌ ଏନଫ’ ପୁସ୍ତକକୁ ନେଇ ବିବାଦରେ ଥିଲେ ।

ଆଜି ପ୍ଯାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି; କ୍ରୀଡ଼ା ମହାକୁମ୍ଭର ସମାପନ ଉତ୍ସବ

ପ୍ଯାରିସ : ଆଜି ପ୍ଯାରିସ ଅଲିମ୍ପିକ୍ସର କ୍ଲୋଜିଂ ସେରିମୋନି। କ୍ରୀଡ଼ା ମହାକୁମ୍ଭର ସମାପନ ଉତ୍ସବ। ସମାପନ ସମାରୋହରେ ଭାରତର ଧ୍ଵଜାବାହକ ହେବେ ୨ ଖେଳାଳି। ସୁଟର ମନୁ ଭାକର ଏବଂ ଭାରତୀୟ ପୁରୁଷ ହକିର ଗୋଲକିପର ଶ୍ରୀଜେଶ ତ୍ରିରଙ୍ଗା ଲହରାଇବେ। ଅଲିମ୍ପିକ୍ସରେ ୨୨ ବର୍ଷୀୟା ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ଦୁଇଟି ବ୍ରୋଂଜ ପଦକ ହାସଲ କରିଛନ୍ତି। ସେହିପରି ହକିଷ୍ଟାର ଶ୍ରୀଜେଶଙ୍କ ଖେଳ ସମସ୍ତ ଭାରତୀୟଙ୍କ ମନ ମୋହିଛି।

ଗୋଲକିପର ଭାବେ ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଶ୍ରୀଜେଶଙ୍କ ମୁଖ୍ୟ ଭୂମିକା ରହିିଥିଲା। ହକିରେ ଭାରତୀୟ ଦଳ ବ୍ରୋଂଜ ପଦକ ହାସଲ କରିଛି। ପ୍ଯାରିସ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଗତକାଲି ସୁଦ୍ଧା ସମ୍ପନ୍ନ ହୋଇଛି। ଉଦଯାପନୀ ଉତ୍ସବରେ ଧ୍ଵଜବାହକ ଭାବେ ଚୟନ କରାଯାଇଥିବାରୁ ଏହି ସମ୍ମାନ ଲାଗି ଖୁସି ପ୍ରକଟ କରିଛନ୍ତି ଦୁଇ ଖେଳାଳି। ଭାରତର ଜାତୀୟ ପତାକା ଧରିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ଶ୍ରୀଜେଶ।

ଅଲିମ୍ପିକ୍ସରେ ନିଜଦେଶ ପାଇଁ ପ୍ରତିନିଧିତ୍ଵ କରିବା ସମସ୍ତ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜେଶ। ଆଉ ଏହି ସମ୍ମାନର ସ୍ଵତନ୍ତ୍ରତା ସବୁଠାରୁ ଅଲଗା ବୋଲି ସେ କହିଛନ୍ତି। କ୍ଲୋଜିଂ ସେରିମୋନିରେ ଦେଖିବାକୁ ମିଳିବ ରଂଗାରଂଗ କାର୍ଯ୍ୟକ୍ରମ। ହଲିଉଡ ଷ୍ଟାର ଟମ କ୍ରୁସ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହାସହ ଆମେରିକୀୟ ଗାୟିକା ବିଲି ଏଲିସ ଓ ଗାୟକ ସ୍ନୁପ ଡଗ ସଂଗୀତ ପରିବେଶ କରିବେ। ବେଶ ରୋମାଞ୍ଚକର ହେବ ଏହି ଉଦଯାପନୀ ଉତ୍ସବ

ହିଣ୍ଡନବର୍ଗର ଆରୋପର ଉତ୍ତର ଦେଲେ ସେବି ଅଧ୍ୟକ୍ଷ, କହିଲେ ସବୁ ମିଛ

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଭାରତରେ ଫୁଟିଲା ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ବୋମା। ଏଥର କମ୍ପାନୀ ଯାହାର ଖୁଲାସା କରିଛି, ତାହା ପୂର୍ବଥର ଭଳି ଆଦାନୀ ଗୃପର ନିଦ ହଜାଇ ଦେବା ଭଳି ହୋଇଛି। ଏହି ରିପୋର୍ଟରେ ହିଣ୍ଡେନବର୍ଗ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀ ଧଓ୍ବଲ ବୁଚଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରିପୋର୍ଟରେ ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ତାଙ୍କ ସ୍ବାମୀଙ୍କ ନାଁ ଆଦାନୀ ସ୍କାମ ସହ ଜଡିତ ଥିବା କୁହାଯାଇଛି। ସେବି ଅଧ୍ୟକ୍ଷ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ତାଙ୍କ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଛନ୍ତି । ସେ ଏହି ବୟାନକୁ ମିଛ, ଏଥିରେ କୌଣସି ସତ୍ୟତା ନାହିଁ ଏବଂ ତାଙ୍କ ଜୀବନ ଓ ଆର୍ଥିକ ଅବସ୍ଥା ଏକ ଖୋଲା ପୁସ୍ତକ ବୋଲି ବୋଲି କହିଛନ୍ତି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଆଦାନୀ ଗୃପର ଜାଲ କମ୍ପାନୀରେ ମାଧବୀ ଓ ତାଙ୍କ ସ୍ବାମୀଙ୍କର ଅଂଶଧନ ରହିଥିଲା। ତେଣୁ ଆଦାନୀ ମାମଲାରେ ସେବି ସେଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କୋଟିପତି ଶିଳ୍ପପତି ଗୌତମ ଆଦାନୀଙ୍କ ଗୃପ କମ୍ପାନୀ ଉପରେ ପୂର୍ବ ରିପୋର୍ଟ ପ୍ରକାଶର ୧୮ ମାସ ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ହିଣ୍ଡେନବର୍ଗ। ଏହି ରିପୋର୍ଟ ପ୍ରକାଶ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମରିସସରେ ଆଦାନୀ ଗୃପର କଳା ଟଙ୍କା ନେଟଓ୍ବର୍କ ବିଷୟରେ ସୂଚନା ଦିଆଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

ରିପୋର୍ଟରେ କୁହାଯାଇଛି ଯେ, ଆଦାନୀ ସ୍କାମରେ ବ୍ୟବହୃତ ବିଦେଶୀ ସଂସ୍ଥା ଗୁଡ଼ିକରେ ସେବି ଅଧ୍ୟକ୍ଷା ଏବଂ ତାଙ୍କର ସ୍ବାମୀଙ୍କର ସେୟାର ରହିଛି। ଏହି ସଂସ୍ଥା ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ଦ୍ବାରା ପରିଚାଳିତ ହେଉଥିବା କୁହାଯାଇଛି। ସେବୀ ଅଧ୍ୟକ୍ଷା ମାଧବୀ ତାଙ୍କ ଅଂଶଧନକୁ ତାଙ୍କ ସ୍ବାମୀଙ୍କୁ ହସ୍ତାନ୍ତର କରିଥିଲେ। ସିଙ୍ଗାପୁରର ଆଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ମାଧବୀଙ୍କର ଶହେ ପ୍ରତିଶତ ଅଂଶଧନ ରହିଥିଲା। ତେବେ ସେବି ଅଧ୍ୟକ୍ଷା ହେବାର ଦୁଇ ସପ୍ତାହ ପୂର୍ବରୁ ଏହି କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ବାମୀଙ୍କ ନାଁକୁ ହସ୍ତାନ୍ତର କରିଥିଲେ ମାଧବୀ। ଗତବର୍ଷ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗୃପ ବିରୋଧରେ ଷ୍ଟକ୍ ହେରଫେର ଏବଂ ଆକାଉଣ୍ଟସରେ ଜାଲିଆତି କରିଥିବା ଭଳି ରିପୋର୍ଟ ପ୍ରକାଶ ପାଇଥିଲା।