ନନ୍ଦିଘୋଷ ବ୍ୟୁରୋ: ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପୋଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ଗାଁର ଏକ ଖୋଲା ପଡିଆରେ ପଡିଥିଲା ମୃତଦେହ। ମୃତଦେହ ନିକଟରୁ ମିଳିଛି ସର୍ଭିସ ରିଭଲଭର। କିଏ ଓ କାହିଁକି ଗୁଳି କରିଛି ତାର କାରଣ ଅସ୍ପଷ୍ଟ ରହିଛି। ଦୁଇ ମୃତଦେହକୁ ବିନିକା ଡାକ୍ତରଖାନାରେ ରଖାଯାଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଥିବାବେଳେ, ଅନ୍ୟ ଜଣେ ତାଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳୀରେ ସୋନପୁର ଏସପି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର?
ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଜର୍ଜରିତ ବାଂଲାଦେଶରେ ସରକାର ଗଠନ ପ୍ରକ୍ରିୟା। ତେବେ ଏହା ସତ୍ତ୍ବେ ଦେଶରେ ସ୍ଥିରତା ଆସିବ କି ନାହିଁ ତାହାକୁ ନେଇ ସସପେନସ। ସେପଟେ ଶେଖ ହସିନାଙ୍କ ଇସ୍ତଫା ପରେ ବି ଦେଶରେ ଥମୁନି ହିଂସା। ଆଶ୍ରୟ ନେବା ଲାଗି ବ୍ରିଟେନ ନିକଟରେ ହସିନା ଅନୁରୋଧ କରିଥିଲେ ବି ବିଭିନ୍ନ କାରଣରୁ ତାହା ସମ୍ଭବ ହୋଇପାରିନାହିଁ। ଭାରତରେ ଆଉ କିଛିଦିନ ରହିପାରନ୍ତି ହସିନା। ବିଭିନ୍ନ ସ୍ଥାନରେ ଇସ୍କନ ମନ୍ଦିରରେ ହୋଇଛି ଭଙ୍ଗାରୁଜା।
ବାଂଲାଦେଶରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣି ପାରିବ କି ଅନ୍ତରୀଣ ସରକାର? ବାଂଲାଦେଶରେ ଗଣହିଂସା ଘଟଣାରେ ସେନାର ରହିଛି କି ହାତ? ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଥିବା ନେଇ ଘୋଷଣା କରିବାକୁ ସେନାମୁଖ୍ଯ ୱାକର ଉସ ଜମାନ କିଏ? ହସିନାଙ୍କୁ ହଟାଇବା ଲାଗି ମୁସଲିମ ମୌଳବାଦୀ କରିଥିଲେ କି ଯୋଜନା? ଏପରି କିଛି ପ୍ରସଙ୍ଗ ଏବେ ବାଂଲାଦେଶର ଭବିଷ୍ଯତ ନେଇ ଉଠାଇଛି ପ୍ରଶ୍ନ।
ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ଯ ଉପଦେଷ୍ଟା ହେବେ ନୋବେଲ ବିଜେତା ଡକ୍ଟର ମହମ୍ମଦ ୟୁନୁସ। ଦାରିଦ୍ର୍ଯ ବିରୋଧରେ ସଂଗ୍ରାମ କରି ନୋବେଲ ପୁରସ୍କାର ଲାଭ କରିଥିବା ୟୁନୁସଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ରୁଜୁ କରିଥିଲେ। ଆନ୍ଦୋଳନକାରୀ ଏକ ଜେଲକୁ ଭାଙ୍ଗିଦେବାରୁ ସେଥିରେ ଥିବା ୫ଶହରୁ ଅଧିକ କଏଦୀ ଫେରାର ହୋଇଯାଇଛନ୍ତି। ତେଣେ ବ୍ରିଟେନରେ ଶରଣ ନେବାକୁ ହସିନା ଚାହିଁଥିଲେ ବି ସେହି ଦେଶରୁ ସବୁଜ ସଙ୍କେତ ମିଳିନାହିଁ । ନିୟମ ଅନୁସାରେ ଶରଣାର୍ଥୀଙ୍କୁ ଆଶ୍ରୟ ମିଳିବ ନାହିଁ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟର୍ମର। କୌଣସି ଦେଶର ନାଗରିକଙ୍କୁ ତାଙ୍କ ଦେଶରେ ସୁରକ୍ଷା ଦିଆଯାଇଥାଏ ମାତ୍ର ଶରଣ କିମ୍ବା ଅସ୍ଥାୟୀ ଆଶ୍ରୟ ହେବା ଲାଗି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛି ବ୍ରିଟେନ।
ସମସ୍ତ ହିଂସାର ନିରପେକ୍ଷ, ସ୍ବଚ୍ଛ ତଦନ୍ତ କରାଯାଉ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ତେଣେ ଆମେରିକାର ଏକ କନସୁଲେଟ ଉପରେ ଆକ୍ରମଣ କରିଛନ୍ତି କିଛି ଆନ୍ଦୋଳନକାରୀ। ସେପଟେ ହସିନାଙ୍କ ଭିସାକୁ ରଦ୍ଦ କରିଛି ଆମେରିକା। ତାଙ୍କୁ ଗାଦିଚ୍ଯୁତ କରିବା ମୂଳରେ ପାଶ୍ଚାତ୍ଯ ରାଷ୍ଟ୍ରର ହାତ ଥିବା ନେଇ ଅଭିଯୋଗ ଥିଲା। ହସିନାଙ୍କ ଗାଦିଚ୍ଯୁତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାସିତ ଲେଖିକା ତସଲିମା ନସରିନ। ସେ କହିଛନ୍ତି- ହସିନା ଯେପରି ମୌଳବାଦୀଙ୍କୁ ତୋଷଣ କରିବା ଲାଗି ତାଙ୍କୁ ଦେଶରେ ସୁରକ୍ଷା ଦେଇ ନଥିଲେ ଠିକ୍ ସେପରି ସେହି ମୌଳବାଦୀଙ୍କ ଶିକାର ହୋଇଛନ୍ତି ହସିନା। ତେଣ ହସିନାଙ୍କ ପୁଅ ସଜୀବ ୱାଜେଦ ଜୟ କହିଛନ୍ତି- ମା ହସିନା କିଛି ଭୁଲ୍ କରିନାହାନ୍ତି। ସେ ଉତ୍ତମ ଶାସକ ଥିଲେ।
ବାଂଲାଦେଶ ହିଂସା ମୂଳରେ ଆତଙ୍କୀ ସଂଗଠନ ଜମାଏତ-ଇ- ଇସଲାମି ବାଂଲାଦେଶର ଇସଲାମି ଛାତ୍ର ଶିବିର ବା ଆଇସିଏସର ହାତ ଥିବା ଜଣାପଡିଛି। ଏହି ସଂଗଠନ ପାକିସ୍ତାନୀ ଆଇଏସଆଇ ଆଦର୍ଶରେ ଅନୁପ୍ରାଣୀତ। କିଛିଦିନ ତଳେ ତାଙ୍କୁ ଗାଦିଚ୍ଯୁତ କରିବା ଲାଗି ଷଡଯନ୍ତ୍ର ରଚାଯାଇଥିବା ନେଇ କହିଥିଲେ ହସିନା। ସଂରକ୍ଷଣ ଆନ୍ଦୋଳନ ପଛରେ ଅସାମାଜିକ ଶକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି।ବାଂଲାଦେଶର ରାଜନୈତିକ ଇତିହାସ ରକ୍ତାକ୍ତ। ବାରମ୍ବାର ସାମରିକ ଶାସକଙ୍କ ଦ୍ବାରା ଗାଦିଚ୍ଯୁତ ହୋଇଛନ୍ତି ଗଣତାନ୍ତ୍ରିକ ସରକାର। ଶିକାର ହୋଇଛନ୍ତି ବହୁ ଶାସକ। ଦେଶକୁ ତାନାଶାହୀ ଆଡକୁ ନେବାକୁ ସେନା ନେଇଛି ବାରମ୍ବାର ପ୍ରମୁଖ ଭୂମିକା।
NH-55 ସମ୍ପ୍ରସାରଣକୁ ବିରୋଧ, ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ଆସିଲା ନୋଟିସ
ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ହୋଇପଡିଛନ୍ତି ପାରାଦୀପ ବାସିନ୍ଦା। ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ନୋଟିସ ପରେ ବଢୁଛି ଅସନ୍ତୋଷ। ନୋଟିସ ଦେଇ ୭ ଦିନ ଭିତରେ ଘର ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ ହୋଇଛି। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହ ନେଇ ଲୋକେ ଉଠାଇଲେ ପ୍ରଶ୍ନ।
ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ପାରାଦୀପ ବାସିନ୍ଦା। ରାଜପଥ ନିକଟରେ ଘର କରିଥିବା ଲୋକଙ୍କ ପ୍ଲଟକୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରାଯାଇଥିବା ନୋଟିସ ଦେଇ ୭ ଦିନ ଭିତରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି ଏନଏଚଏଆଇ। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଚଣ୍ଡିଖୋଲ ଠାରୁ ପାରାଦୀପ ଅଠରବାଙ୍କି ପର୍ଯ୍ୟନ୍ତ NH-55 ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ୮ ଲେନ ବିଶିଷ୍ଟ କରାଯାଉଛି। ରାସ୍ତାର ଉଭୟ ପଟରେ ଦୁଇ ଲେନ୍ ଲେଖାଏଁ ବଢାଯାଉଛି କିନ୍ତୁ ପାରାଦୀପର ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ରାସ୍ତାକୁ ଏନଏଚଏଆଇ କର୍ତ୍ତୃପକ୍ଷ ଗୋଟିଏ ପଟରେ ନେବାକୁ ଡିଜାଇନ କରାଯାଇଛି।
ପାରାଦୀପ ବନ୍ଦରକୁ ଦୈନିକ ୨୦ ହଜାରରୁ ଉର୍ଦ୍ଧ୍ବ ଭାରିଯାନ ଚଳାଚଳ କରୁଛି, ଏଥିପାଇଁ ଥିବା ୪ ଲେନ୍ ବିଶିଷ୍ଟ ରାସ୍ତା ପର୍ଯ୍ୟାପ୍ତ ହେଉନଥିବା ବେଳେ ଏହାକୁ ୮ ଲେନ୍ କରିବା ଘୋଷଣାକୁ ସବୁ ମହଲରୁ ସ୍ବାଗତ କରାଯାଇଛି। କିନ୍ତୁ NHAI ନିଜର ସରକାରୀ ଜାଗା ଛାଡି ପ୍ରାଇଭେଟ ଜମିରେ ଘର କରିଥିବା ଲୋକଙ୍କୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରିଥିବା ଦର୍ଶାଇ ୭ ଦିନ ଭିତରେ ଘର ଭାଙ୍ଗିବା ପାଇଁ ନୋଟିସ କରିଥିବା ଅଭିଯୋଗ ହୋଇଛି। ଯଦି ନିଷ୍ପତ୍ତିର ପୂର୍ଣ୍ଣ ବିଚାର କରା ନଯାଏ , ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଯେଉଁମାନେ ସରକାରୀ ଜାଗାରେ ଘର କରିଛନ୍ତି ସେମାନଙ୍କର ଭଙ୍ଗାଯିବ ଏବଂ ଯାହାର ନିଜସ୍ବ ଜାଗା ଅଛି ସେମାନଙ୍କୁ ସରକାରୀ ନିୟମ ଅନୁଯାଇ କ୍ଷତିପୂରଣ ଦିଆଯିବ ବୋଲି NHAI ପ୍ରୋଜେକ୍ଟ ଡାଇରେକ୍ଟର ଜେ ପି ବର୍ମା କହିଛନ୍ତି।
ସହାୟତା ଅପେକ୍ଷାରେ ସ୍ବପ୍ନାରାଣୀ
ନନ୍ଦିଘୋଷ ବ୍ୟୁରୋ: ଦିନେ ଘରର ସବୁ କାମ କରୁଥିଲେ ଆଜି ଶଯ୍ଯାଶାୟୀ। ଦଇବର ବଡ ବିଚିତ୍ର ବିଚାର । ଦୁଇ ବର୍ଷ ହେବ ବୋନ ଟ୍ୟୁମରରେ ପୀଡିତ ଯାଜପୁର ବିଞ୍ଝାରପୁର ଫତେପୁରର ସ୍ୱପ୍ନାରାଣୀ ରଣା। ଦିନ ମଜୁରିଆ ଭାବେ କାମ କରନ୍ତି ସ୍ବପ୍ନାଙ୍କ ସ୍ବାମୀ। BSKY କାର୍ଡରୁ ଚିକିତ୍ସା ହୋଇଥିଲେ ମଧ୍ଯ ଆହୁରି ଅଧିକ ଅର୍ଥର ଆବଶ୍ଯକତା ପଡୁଛି। ଆର୍ଥିକ ସହାୟତା ପାଇଁ ପିରବାର ଲୋକେ ନିବେଦନ କରିଛନ୍ତି।
ଦଇବର ବିଚାର ବଡ ବିଚିତ୍ର। ଓଳିଏ ଖାଇ ଓଳିଏ ଉପାସ ରହୁଥିବା ଗରିବ ପରିବାର ଉପରେ ରୋଗ ସାଜିଛି ଦାଉ। ଘରର ସମସ୍ତ କାର୍ଯ୍ୟ କରୁଥିବା ଲୋକଟି ଆଜି ଶଯ୍ୟାଶାୟୀ। ଯାଜପୁର ବିଞ୍ଝାରପୁର ବ୍ଲକ ଫତେପୁରର ସ୍ୱପ୍ନାରାଣୀ ରଣା। ବୋନ ଟ୍ୟୁମରରେ ପୀଡିତ ସ୍ବପ୍ନାରାଣୀଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ପରିବାର କହିଲେ ସ୍ଵାମୀ , ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ। ସ୍ଵାମୀ ଉଦକର ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ଚଳେ ପରିବାର। ଦୁଇ ବର୍ଷ ପୂର୍ବରୁ ସ୍ବପ୍ନାରାଣୀଙ୍କର ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ଅନ୍ଯକୁ ନେହୁରା ହେଉଛନ୍ତି ପରିବାର ।
ଟଙ୍କା ଅଭାବରୁ ପିଲାଙ୍କର ପାଢ ପଠା ମଧ୍ଯ ଠିକରେ ହୋଇପାରୁନି। ଅନ୍ୟପଟେ ମାଆର ଏଭଳି ଅବସ୍ଥା ସମୟରେ ଘରର ସମସ୍ତ କାମ କରୁଛି କୁନି ଝିଅ। ମାଆଙ୍କ ସେବାରେ ଲାଗିଥିବାରୁ ଝିଅ ମଧ୍ଯ ପାଠ ପଢିପାରୁନି। ଘରର ଏଭଳି ପରିସ୍ଥିତିରେ ଉଦକର ମଧ୍ଯ ବାହାରକୁ କାମ କରିବାକୁ ଯାଇପାରୁନାହାନ୍ତି। ସ୍ଥିତି ଏମିତି ହେଲାଣି ଓଳିଏ ଖାଇଲେ ଆଉ ଓଲିଏ ଉପାସ ରହିବାକୁ ପଡୁଛି। BSKY କାର୍ଡରୁ ଚିକିତ୍ସା ହୋଇଥିଲେ ମଧ୍ଯ ଆହୁରି ଅଧିକ ଅର୍ଥର ଆବଶ୍ଯକତା ପଡୁଛି।
ରାଜ୍ୟରେ ଆଉ ତିନିଦିନ ଛେଚିବ
ନନ୍ଦିଘୋଷ ବ୍ୟୁରୋ: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନଚାପରେଖା । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ । ଆସନ୍ତା କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ନୟାଗଡ, ଅନୁଗୁଳ, ବୈାଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି । ପ୍ରଭାବରେ କମିବ ଦୃଶ୍ୟମାନ ଦୂରତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଭାଙ୍ଗିବ କଚ୍ଚା ଘର, ପ୍ରଭାବିତ ହେବ କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳବନ୍ଦୀ ସ୍ଥିତି । ପାହାଡିଆ ଅଞ୍ଚଳରେ ଭୂସ୍ଖଳର ପରିସ୍ଥିତି ଉପୁଜିପାରେ । ସେହିଭଳି ପ୍ରବଳ ବର୍ଷା ନେଇ ୧୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପୁରୀ , ଜଗତସିଂହପୁର,କେନ୍ଦ୍ରାପଡା, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର,ଢେଙ୍କାନାଳ, ସମ୍ବଲପୁର, ବରଗଡ, ସୋନପୁର,ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ରାୟଗଡା ଓ ଦେଓଗଡ ରେ ପ୍ରବଳ ବର୍ଷା ଅର୍ଥାତ ୭ ରୁ ୧୧ ସେମି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି ହୋଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ସେପଟେ ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।
https://www.youtube.com/watch?v=MkfxTbgRWkw
ଗ୍ଯାସ ଲିକ୍ ଘଟି ଜଣେ ମୃତ, ୫ ଶ୍ରମିକ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ବୁଢୀପଦର ଓଡିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ବଡ଼ ଅଘଟଣ। କାର୍ବନ ମନୋକ୍ସସାଇଡ ଗ୍ୟାସ ଲିକ କରିବାରୁ ୫ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଜଣେ ଶ୍ରମିକ ମୃତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ମାନଙ୍କୁ ଝାରସଗୁଡା ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ବ୍ରଜରାଜନଗରର ବରୁଣ ପ୍ରଧାନ। ସେ ଜଣେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକଙ୍କ ମଧ୍ଯରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ରମିକ ମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ରାଶି ସହିତ ମାସିକ ୨୦ ହଜାର ଟଙ୍କା ପାଇଁ ଦାହି କରିଛନ୍ତି ।
ରାଇଝରଣରେ ସାମୟିକ ଭାବେ ସ୍ଥଗିତ ହେଲା ଟ୍ରକ୍ ମାଲିକଙ୍କ ଧାରଣା
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ରାଇଝରଣରେ ସାମୟିକ ଭାବେ ସ୍ଥଗିତ ହେଲା ଟ୍ରକ୍ ମାଲିକଙ୍କ ଧାରଣା। ପ୍ରଶାସନ ସହ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖାଯାଇଛି। ଯଦି ଦାବି ପୂରଣ ନହୁଏ ତେବେ ୮ ତାରିଖରେ ଟ୍ରକ ମାଲିକ ରାଇଝରଣରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଟ୍ରକ୍ ମାଲିକ।
ଅନୁଗୁଳ ଛେଣ୍ଡିପଦା ବ୍ଲକ ରାଇଝରଣରେ ଡାଲା ଟ୍ରକକୁ ଲୋଡିଙ୍ଗ ଦେବା ଦାବିରେ ଅର୍ଥନୈତିକ ଅବରୋଧ କରିଥିଲେ ଟ୍ରକ ମାଲିକ। ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା ପରେ ଟ୍ରକ ମାଲିକ ମାନେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ l ଛେଣ୍ଡିପଦା ଟ୍ରକ ମାଲିକ ତଥା ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଶତାଧିକ ଟ୍ରକ ମାଲିକ ରାଇଝରଣରେ ଧାରଣା ଦେଇଥିଲେ l କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଖଣିରେ ସେମାନଙ୍କ ଟ୍ରକ ଲୋଡିଙ୍ଗ କରୁଥିବା ବେଳେ, ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଥିବା ଟ୍ରକକୁ ଲୋଡିଙ୍ଗ ଦେବାକୁ ଦାବି କରି ଆସୁଛନ୍ତି ଟ୍ରକ ମାଲିକ। ହେଲେ କୌଣସି ସୁଫଳ ମିଳୁନଥିବାରୁ ଧାରଣା ଦେଇଥିଲେ ଟ୍ରକ ମାଲିକ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖିଛନ୍ତି ଟ୍ରକ୍ ମାଲିକ।
କେନ୍ଦୁପତ୍ରରୁ ଜିଏସଟି ହଟାଇବା ଦାବି ପ୍ରସଙ୍ଗ, ବିଜେପିକୁ ସମାଲୋଚନା କଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ । ବିଜେପିକୁ ସମାଲୋଚନା କଲା ବିଜେଡି। କେନ୍ଦୁପତ୍ରରୁ ଜିଏସଟି ହଟାଇବା ଦାବି ପ୍ରସଙ୍ଗ । କେନ୍ଦୁପତ୍ରରୁ ଜିଏସଟି ହଟାଇବାକୁ ପ୍ରତିଶୃତି ଦେଇଥିଲା ବିଜେପି । ୨୦୧୯ରେ ବିଜେପି ପ୍ରତିଶୃତି ଦେଇଥିଲା । ପଦମପୁର ଉପନିର୍ବାଚନ ସମୟରେ ବି ପ୍ରତିଶୃତି ଦେଇଥିଲା । ୨୦୧୬-୧୭ରେ କେନ୍ଦୁପତ୍ରରେ ଜିଏସଟି ଲାଗିନଥିଲା । ଜିଏସଟି ଲାଗିବା ପରେ ବ୍ୟବସାୟ କମିବାରେ ଲାଗିଛି । କେନ୍ଦୁପତ୍ର ତୋଳାଳିଙ୍କୁ ନବୀନ ଶତପ୍ରତିଶତ ବୋନସ ଦେଇଥିଲେ । କର୍ମଚାରୀଙ୍କୁ ନବୀନ ୨୫ ପ୍ରତିଶତ ବୋନସ ଦେଇଥିଲେ । ଜିଏସଟି ଲାଗିବା ଯୋଗୁ କେନ୍ଦୁପତ୍ର ତୋଳାଳିଙ୍କ ଲାଭ କମିଛି ।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ହିଂସାକାଣ୍ଡକୁ ନେଇ ଭାରତ ସୀମାରେ ଆଲର୍ଟ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଏବଂ ହିଂସାକାଣ୍ଡକୁ ନେଇ ଭାରତ ସୀମାରେ ଆଲର୍ଟ। ଭାରତରେ ଅନୁପ୍ରବେଶ ଆଶଙ୍କା ସୃଷ୍ଟି ହୋଇଛି। ଏହି ଅନୁପ୍ରବେଶ ର ମୁଖ୍ଯ ମାଧ୍ୟମ ଏବେ ଜଳପଥ ବା ସମୁଦ୍ର ମଧ୍ଯ ଦେଇ ହୋଇପାରେ। ଏଭଳି ସ୍ଥିତିରେ ସମୁଦ୍ର କୂଳବର୍ତ୍ତୀ ସାମୁଦ୍ରିକ ଥାନା ଗୁଡିକୁ ମଧ୍ଯ ସଜାଗ କରାଯାଇଛି। ତେବେ ଏହି ଅନୁପ୍ରବେଶକୁ ରୋକିବାର ପ୍ରମୁଖ ଭୁମିକା ଏବେ ମତ୍ସ୍ୟଜୀବୀଙ୍କ ହାତରେ। ପାରାଦ୍ଵୀପ ମାଛଧରା ବନ୍ଦରରୁ ଦୈନିକ ୨୦ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇଥାନ୍ତି। ତେଣୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବର୍ଷକୁ ଦୁଇଥର ମତ୍ସ୍ୟଜୀବୀ ମାନଙ୍କୁ ପ୍ରସିକ୍ଷଣ କରାଯାଉଛି। ମତ୍ସ୍ୟଜୀବୀ ସବୁବେଳେ ସଚେତନ ଅଛନ୍ତି , ଯେ କୌଣସି ମୁହୁର୍ତ୍ତ ରେ କିଛି ବି ଘଟଣା ସେମାନଙ୍କ ନଜରକୁ ଆସେ, ତେବେ ସେମାନେ ସାଙ୍ଗେ ସାଙ୍ଗେ ବୋଟ ମାଲିକ, ମତ୍ସ୍ଯ ବିଭାଗ ଓ କୋଷ୍ଟଗାର୍ଡ କୁ ଜଣାଇ ଦିଆଯିବ ବୋଲି ସିଫ୍ ନେଟ ମତ୍ସ୍ଯ ବିଭାଗ ଅଧିକାରୀ ଓ ଓଡିଶା ସାମୁଦ୍ରିକ ମତ୍ସ୍ଯ ଉତ୍ପାଦକ ସଂଘ ପକ୍ଷରୁ କୁହାଯାଇଛି।
ବାଂଲାଦେଶ ହିଂସା ପରେ କୋଲକତା ସହ ଅନ୍ଯ ଜିଲ୍ଲାକୁ ଟ୍ରେନ ଚଳାଚଳ ବନ୍ଦ। ବସ୍ ଓ ବିମାନ ଚଳାଚଳ ବି ସ୍ଥଗିତ ରହିଛି। ସୁନ୍ଦରବନ ସମୁଦ୍ରରେ ତଟରକ୍ଷୀ ବାହିନୀ ସଜାଗ ରହିଛି। ସମସ୍ତ ଟ୍ରେନ, ଯାତ୍ରୀବାହି ବସ ଏବଂ ବିମାନ ସେବାକୁ ସ୍ଥଗିତ ରଖାଯାଇଛି । କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଛି। କୋଲକାତାସ୍ଥିତ ଦକ୍ଷିଣ କୋଲକାତାରେ ଥିବା ପାର୍କ ସର୍କସ ଅଂଚଳରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।
ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ନୀରଜ
ନନ୍ଦିଘୋଷ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ ସିଧାସଳଖ ଫାଇନାଲକୁ ଗଲେ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା । ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଯୋଗ୍ଯତା ପର୍ଯ୍ୟାୟରୁ ସିଧା ଫାଇନାଲକୁ ଯାଇଛନ୍ତି ନୀରଜ । ପ୍ରଥମ ଥ୍ରୋରେ ହିଁ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଥ୍ରୋରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଗୌରବ ଆଣିଛନ୍ତି ନୀରଜ ।

