spot_img
Home Blog Page 1642

ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି

ସମ୍ବଲପୁର: ଘରୋଇ କଳହରୁ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି। ମହାନଦୀର ଦ୍ୱିତୀୟ ସେତୁ ଉପରୁ ଗତକାଲି ବିଳମ୍ବିତ ରାତିରେ ଡେଇଁ ନିଖୋଜ ଥିଲେ  ।

ରାତି ପ୍ରାୟ ଗୋଟାଏ ସମୟରେ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ l ସ୍ଥାନୀୟ ଲୋକେ ପାଟି ଶୁଣି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  । ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି  । ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିଲେ l

ଇସ୍ରାଏଲ ରାଜଧାନୀ ତେଲ ଆଭିଭକୁ ବିମାନ ଚଳାଚଳ ବନ୍ଦ କଲା ଏୟାର ଇଣ୍ଡିଆ

ଜେରୁଜେଲମ: ମଧ୍ଯପ୍ରାଚ୍ଯରେ ସଙ୍କଟ ଘନେଇବା ପରେ ଇସ୍ରାଏଲ ରାଜଧାନୀ ତେଲ ଆଭିଭକୁ ବିମାନ ଚଳାଚଳ ବନ୍ଦ କରିଛି ଏୟାର ଇଣ୍ଡିଆ। ଆସନ୍ତା ଅଗଷ୍ଟ ୮ ଯାଏ ଭାରତରୁ ତେଲ ଆଭିଭ ଯାଉଥିବା ଏବଂ ସେଠାରୁ ଭାରତ ଆସୁଥିବା ବିମାନର ଚଳାଚଳ ବନ୍ଦ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

ଗତ ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ଯରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଥିବାବେଳେ ଥମିବାର ନାଁ ନେଉନାହିଁ ଯୁଦ୍ଧ। ସେପଟେ ଇରାନ ଉପରେ ବିମାନ ଚଳାଚଳ ବାତିଲ କରିଛନ୍ତି ଆମେରିକା ଓ ୟୁରୋପୀୟ ରାଷ୍ଟ୍ର। ଜର୍ମାନୀର ଲୁଫ୍‌ଥାନ୍‌ସା, ଆମେରିକାର ୟୁନାଇଟେଡ ଏୟାରଲାଇନ୍ସ, ଇଟାଲିର ଆଇଟିଏ ଏୟାରୱେଜ ବି ତେଲଆଭିବକୁ ବିମାନ ସେବା ରଦ୍ଦ କରିଛନ୍ତି।

ଗତ ୧ ତାରିଖରେ ଇସ୍ରାଏଲ ଉପରେ ସିଧାସଳଖ ହମଲା କରିବା ଲାଗି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖୋମେନୀଙ୍କ ନିର୍ଦ୍ଦେଶ ପରେ ମଧ୍ଯପ୍ରାଚ୍ଯରେ ବଢିଥିଲା ଅସ୍ଥିରତା। ହମାସ ନେତା ଇସମାଇଲ ହାନିଏଙ୍କୁ ହତ୍ଯା ପ୍ରତିବାଦରେ ଇସ୍ରାଏଲ ଉପରେ ହମଲା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ। ଇସମାଇଲଙ୍କ ମୃତ୍ଯୁ ଘଟଣା ପରେ ପରେ ଇରାନର ସୁପ୍ରିମ ନ୍ଯାସନାଲ ସିକ୍ଯୁରିଟି କାଉନସିଲର ଏକ ଜରୁରୀ ବୈଠକ ଡାକି ସେଠାରେ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଖୋମେନି ନିର୍ଦ୍ଦେଶ ଦେଇଥିଲେ। ଇସ୍ରାଏଲ କିମ୍ବା ଆମେରିକାର ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ରିଭଲ୍ଯୁସନାରୀ ଗାର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଖୋମେନୀ।

ମହୀଶୂରରେ ବିଜେପି ବିରୋଧରେ ଅହିନ୍ଦା ସଂଗଠନର ଗର୍ଜନ

ମହୀଶୂର: କର୍ଣ୍ଣାଟକ ମହୀଶୂରରେ ନାଟକୀୟ ମୋଡ ନେଲା ମୁଡା ସ୍କାମ । ମହୀଶୂରରେ ବିଜେପି ବିରୋଧରେ ଅହିନ୍ଦା ସଂଗଠନର ଗର୍ଜନ । ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ମହୀଶୂରରେ ବିଜେପି ଅଫିସ ଘେରାଉ କରିବ ଅହିନ୍ଦା ସଂଗଠନ । ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାରେ ଦୁର୍ନୀତି ଅଭିଯୋଗ ଆଣି ସିଦ୍ଦରମୈୟା ସରକାରଙ୍କୁ ବିଜେପି ବଦନାମ କରିବା ଲାଗି ଯୋଜନା କରୁଛି ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ ।

ସେପଟେ ଦୁର୍ନୀତି ବିରୋଧରେ ଏନଡିଏ ପକ୍ଷରୁ ବେଙ୍ଗାଳୁରୁରୁ ମହୀଶୂରକୁ ୭ ଦିନିଆ ପଦଯାତ୍ରା କରିବେ ଏନଡିଏ କର୍ମୀ । ଅହିନ୍ଦା ସଂଗଠନର କର୍ମୀମାନେ ମହୀଶୂରସ୍ଥିତ ଲକ୍ଷ୍ମୀପୁରମ ବିଜେପି କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଂଖ୍ଯାଲଘୁ, ପଛୁଆ ବର୍ଗ ଓ ଦଳିତ ବର୍ଗଙ୍କ ପ୍ରତିନିଧିତ୍ବ କରିଆସୁଛି ଅହିନ୍ଦା ସଂଗଠନ ।

କର୍ଣ୍ଣାଟକ ରାଜ୍ଯ ପଛୁଆବର୍ଗ ସଚେତନ ଫୋରମ ସଭାପତି କେ.ଏସ. ଶିବରାମ କହିଛନ୍ତି- ସିଦ୍ଦରମୈୟାଙ୍କୁ ଅଯଥାରେ ବିଜେପି କର୍ମୀ ନିନ୍ଦିତ କରିଆସୁଛନ୍ତି । ଦୁର୍ନୀତି ନାମରେ ସରକାରଙ୍କୁ ବଦନାମ କରିବା ଲାଗି ସେମାନେ ଷଡ଼ଯନ୍ତ୍ର ଚଳାଇଛନ୍ତି । ମହୀଶୂରରେ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଜମି ବଦଳରେ ଜମି ଯୋଗାଇବା ଘଟଣାରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରୁଛି ବିଜେପି । ଅହିନ୍ଦା ସଂଗଠନରେ ସାମିଲ ଅଛନ୍ତି ଡିଏସଏସ, ଜିଲ୍ଲା ଉପରା ସଂଘ, ଜିଲ୍ଲା କୁମ୍ବାରା ସଂଘ, ଜିଲ୍ଲା ବିଶ୍ବକର୍ମୀ ସଂଘ ଓ ବିଭିନ୍ନ ମୁସଲିମ ସଂଗଠନ । ମୁଡା ସ୍କାମର ପରିମାଣ ୫ ହଜାର କୋଟି ଟଙ୍କା ହେବ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।

ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି.ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି

ଭୁବନେଶ୍ବର: ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି. ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ୧୯୯୦ ବ୍ଯାଚର ବରିଷ୍ଠ ଆଇପିଏସ ଅଧିକାରୀ ୱାଇ.ବି. ଖୁରାନିଆ। ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟ ସ୍ପେସାଲ ଡିଜି ଭାବରେ କାର୍ଯ୍ୟରତ ଥିଲେ ଖୁରାନିଆ।

ତାଙ୍କ ଫେରିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ପ୍ରସ୍ତାବକୁ ମିଳିଥିଲା ଅନୁମୋଦନ। ଓଡ଼ିଶାରେ ଥିବାବେଳେ ସେ ନୟାଗଡ, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ପଦରେ ଅବସ୍ଥାପିତ ଥିଲେ। ଏହା ସହ ସଦର୍ଣ୍ଣ ରେଞ୍ଜ ଓ ନର୍ଦର୍ଣ୍ଣ ରେଞ୍ଜରେ ସେ ଡିଆଇଜି, ଅତିରିକ୍ତ ଡିଆଇଜି, ଅତିରିକ୍ତ ସିପି ସମେତ ଭୁବନେଶ୍ବର ଓ କଟକ ସିପି ଭାବେ କାର୍ଯ୍ୟରତ ଥିଲେ। ସେ ବିପିଏସପିଏ ତଥା ଆଇଜି ଟ୍ରେନିଂ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ।

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

କଲୋମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ସଂଘର୍ଷ ପୂର୍ଣ୍ଣ ପ୍ରଥମ ଦିନିକିଆ ଟାଇ ହୋଇଛି । ପ୍ରଥମେ ବ୍ଯାଟିଂ କରି ୮ ୱିକେଟ ହରାଇ ୫୦ ଓଭରରେ ଶ୍ରୀଲଙ୍କା କରିଥିଲା ୨୩୦ ରନ୍ । ୨୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ସମାନ ୨୩୦ ରନ୍ କରି ଅଲଆଉଟ ହୋଇଯାଇଥିଲା ।

ଦଳ ୪୭.୫ ଓଭରରେ ସମସ୍ତ ୱିକେଟ ହରାଇ ୨୩୦ ରନ କରିଥିଲା । ଶୁବମ୍ ଦୁବେଙ୍କ ଲଢୁଆ ୨୫ ରନ୍ କାମ ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା । ଭାରତର ସ୍କୋର ୨୩୦ ଥିବା ବେଳେ ଏଲବିଡବ୍ଲୁ ହୋଇ ଯାଇଥିଲେ ଶିବମ । ଏହାଥିଲା ଭାରତର ନବମ ଓ୍ବିକେଟ ପତନ । ଶେଷ ବ୍ଯାଟ୍ସମ୍ୟାନ ଭାବେ କ୍ରିଜକୁ ଆସିଥିଲେ ଅର୍ଶଦୀପ ସିଂହ । ହେଲେ ସେ ମଧ୍ୟ ଏଲବିଡବ୍ଲୁ ହୋଇଯିବା ସହ ଡକରେ ଆଉଟ୍ ହୋଇଥିଲେ ।

ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଥିଲା ଶ୍ରୀଲଙ୍କା । ତେବେ ନିଶଙ୍କାଙ୍କ ଲଢୁଆ ୫୬ ରନ୍ ଓ ୱାଲେଗେଙ୍କ ଲଢୁଆ ୬୭ ରନ୍ ସହାୟତାରେ ଶ୍ରୀଲଙ୍କା ୨୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ଓ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ସିରାଜ, ଦୁବେ, ୱାସିଂଟନ ଓ କୁଳଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

୨୩୧ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓ୍ଲାଇଥିବା ଭାରତର ଦୁଇ ଓପନର ଭଲ ଷ୍ଟ୍ରାଟ ଦେଇଥିଲେ । ରୋହିତ ଏବଂ ଗିଲ ଯୋଡ଼ି ୧୦ ଓଭରରେ ୭୬ ରନ୍ ସଂଗ୍ରହ କରିଥିଲେ । ରୋହିତ ୫୮ ରନ୍ କରି ପ୍ଯାଭଲିଅନକୁ ଫେରିବା ପରେ ପରେ ଧର୍ଯ୍ୟର ସହ ଖେଳୁଥିବା ଗିଲ୍ ୧୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ କ୍ରିଜକୁ ଆସିଥିବା ୱାସିଂଟନ ସୁନ୍ଦର ମାତ୍ର ୫ ରନ୍ କରି ଆଉଟ ହୋଇଯାଇଥିଲେ । କୋହଲି ଭଲ ଖେଳୁଥିବା ବେଳେ ୨୪ ରନ୍ କରି ଏଲବିଡବ୍ଲୁ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟାସ୍ ଆୟାର ୨୩ ରନ୍ ବୋଲ୍ଡ ହୋଇଯାଇଥିଲେ । କେ.ଏଲ୍. ରାହୁଲ ଓ ଅକ୍ଷର ପଟେଲଙ୍କ ଯୋଡ଼ି ଧୀରେ ଧୀରେ ଜମି ଆସୁଥିବା ବେଳେ ୩୧ ରନ୍ କରି ରାହୁଲ ଆଉଟ ହୋଇଯାଇଥିଲେ । ପରେ ପରେ ଅକ୍ଷର ପଟେଲ ମଧ୍ଯ ୩୩ ରନ୍ କରି ପାଭେଲିୟନକୁ ଫେରି ଯାଇଥିଲେ । ଫଳରେ ଭାରତୀୟ ଦଳ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଏମିତି ଲାଗୁଥିଲା ଭାରତ ମ୍ୟାଚ୍ ହାରିଯିବ । ହେଲେ ଶୁଭମ ଦୁବେଙ୍କ ଲଢୁଆ ୨୫ ରନ୍ ସହାୟତାରେ ଭାରତ ୨୩୦ ରନ୍ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ୨ଟି ବଲରେ ଲଗାତର ୨ଟି ୱିକେଟ ପତନ ଫଳରେ ଭାରତର ବିଜୟ ଆଶା ମଉଳି ଯାଇଥିଲା ।

ଶ୍ରୀଲଙ୍କା ପକ୍ଷରୁ ୱାଲେଲାଗେ ପ୍ରଥମ ୨ଟି ୱିକେଟ ନେଇଥିଲେ । ସେହିଭଳି ହର୍ଷରଙ୍ଗା ଓ ଅସଲଙ୍କା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଫର୍ଣ୍ଣାଡୋ ଓ ଧନଞ୍ଜୟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ନବୀନଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା

ଭୁବନେଶ୍ବର: ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା । ଏହି ଅବସରରେ ଏକାଠି ହୋଇ କାମ କରିବାକୁ ନବୀନ ସବୁ ନେତାଙ୍କୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ, ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନକୁ ସୁଦୃଢ କରନ୍ତୁ । ଲୋକମାନଙ୍କ ସେବା କରନ୍ତୁ । ବିଜୁ ଜନତା ଦଳ ପୁଣି କ୍ଷମତାକୁ ଫେରିବ ବୋଲି କହିଥିଲେ ନବୀନ । ଏହା ପୂର୍ବରୁ ଶଙ୍ଖ ଭବନରେ ଗଞ୍ଜାମର ବିଜେଡି ନେତାଙ୍କ ବୈଠକ ହୋଇଥିଲା ।

ନବୀନଙ୍କୁ ଭେଟିଥିବା ନେତାମାନେ ହେଲେ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ବିକ୍ରମ ଆରୁଖ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,  ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ କିଛି ପୂର୍ବତନ ବିଧାୟକ ମଧ୍ଯ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ।

ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ବର: ମୟୂରଭଞ୍ଜ ବିଜେଡି କର୍ମକର୍ତ୍ତାଙ୍କ ସହ ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଲୋକଙ୍କ ପାଇଁ କାମ ଜାରି ରଖିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ତଥା ଜନସାଧାରଣ ବିଶେଷ କରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାର ସମୟରେ ନିଆଯାଇଥିବା ପଦକ୍ଷେପ ପାଇଁ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ଜିଲ୍ଲାର ବିଜେଡି ନେତା । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲ୍ଲାର ବିକାଶରେ ମାଇଲ୍‌ଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଛନ୍ତି ।

ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟାଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲ୍ଲାବାସୀ ସବୁ ଦିନ ମନେରଖିବେ ବୋଲି ସେମାନେ କହିଥିଲେ । ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲ୍ଲାବାସୀ ସହଯୋଗ କରିଆସିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ମୁର୍ମୁ, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ଵର ପାତ୍ର, ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ବିଧାୟକ ପ୍ରାର୍ଥୀ ସୋମନାଥ ସୋରେନ୍, ଦେବାଶିଷ ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନଗୋ, ଅନସୂୟା ପାତ୍ର, ବାରିପଦା ମ୍ଯୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଦେବାଶିଷ ମହାନ୍ତି ଓ ଜିଲ୍ଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ସାଂପ୍ରତିକ ରାଜନୈତିକ ସ୍ଥିତି ନେଇ ଆଲୋଚନା କରିଥିଲେ ।

ଓ୍ବାଇନାଡ ବିପର୍ଯ୍ୟୟ: କେରଳରୁ ଭୁବନେଶ୍ବର ଆସୁଛି ବିଷ୍ଣୁପ୍ରସାଦଙ୍କ ମୃତଦେହ

ଭୁବନେଶ୍ବର: ୱାୟନାଡ଼ ଭୂସ୍ଖଳରେ ମୃତ୍ଯୁବରଣ କରିଥିବା ଡାକ୍ତର ବିଷ୍ଣଉପ୍ରସାଦ ଚିନାରାଙ୍କ ମୃତଦେହ ଆଜି ସକାଳ ୧୧ଟାରେ କେରଳରୁ ଭୁବନେଶ୍ବର ଅଭିମୁଖେ ବାହାରିଛି । କେରଳ ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏହି ଆମ୍ବୁଲାନ୍ସରେ ତିନି ଜଣ ଡ୍ରାଇଭର ଅଛନ୍ତି । ଆମ୍ବୁଲାନ୍ସ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କ ଘରକୁ ନିଆଯିବ ।

ସଡ଼କ ପଥରେ କେରଳରୁ ଭୁବନେଶ୍ବର ପହଞ୍ଚିବାକୁ ୩୪ ଘଣ୍ଟା ସମୟ ଲାଗିବ । ପରେ ପୁରୀରେ ଶେଷକୃତ୍ଯ ସମ୍ପନ୍ନ କରାଯିବ । ଏବାବଦ ସମସ୍ତ ଖର୍ଚ୍ଚ ରାଜ୍ଯ ସରକାର ବହନ କରୁଛନ୍ତି ବୋଲି ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଛନ୍ତି । ରାଜ୍ଯ ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଓ ସ୍ବାସ୍ଥ୍ଯ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ୟ ପ୍ରଧାନ କେରଳ ଯାଇଛନ୍ତି । ଡାକ୍ତର ଚିନାରାଙ୍କ ପତ୍ନୀ ପ୍ରିୟଦର୍ଶନୀ ପାଲ ସୁସ୍ଥ ହୋଇସାରିଛନ୍ତି । ନିଜ ପରିବାର ସହ ଆସନ୍ତାକାଲି ଭୁବନେଶ୍ବର ଫେରିବେ ।

ତେବେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କୁ ଏପର୍ଯ୍ଯନ୍ତ ଠାବ କରାଯାଇପାରିନାହିଁ । ତାଙ୍କ ପରିବାର ବି ଓ୍ବାୟନାଡ଼ରେ ଅଛନ୍ତି । ଡାକ୍ତର ସ୍ବୀକୃତି ମହାପାତ୍ର ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଭୂସ୍ଖଳନରେ ତାଙ୍କ ଫୁସଫୁସ ଭିତରକୁ ମାଟି ପଶିଯାଇଛି । ଡାକ୍ତରଙ୍କ ଉଦ୍ଯମ କ୍ରମେ କିଛି ମାଟି ସଫା କରାଯାଇଥିଲେ ମଧ୍ଯ ଏବେ ବି ଅଳ୍ପ କିଛି ମାଟି ରହିଯାଇଛି । ତାଙ୍କ ସ୍ବାସ୍ଥ୍ଯବସ୍ଥା ଏବେ ସ୍ଥିର ରହିଛି । ତାଙ୍କ ମାନସିକ ସାହସ ଦେବା ପାଇଁ ତାଙ୍କର ତିନି ଜଣ ସହପାଠୀ ତାଙ୍କ ସହ ରହିଛନ୍ତି । କେରଳର ଏକ ଉଚ୍ଚସ୍ତରୀୟ ଟିମ୍ ଭୂସ୍ଖଳନ କ୍ଷତିଗ୍ରସ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛନ୍ତି ।

ଜାଗାବାଡ଼ିର ପୁନଃମୂଲ୍ୟାୟନ କରିବେ ରାଜ୍ୟ ସରକାର, ବଢ଼ିବ ଜମି ଦର !

ଭୁବନେଶ୍ବର: ରାଜ୍ୟରେ ଜାଗାବାଡ଼ିର ପୁନଃମୂଲ୍ୟାୟନ କରାଯିବ । ନୂତନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ଥିତି ଅନୁଧ୍ୟାନ କରିବା ଓ ସରକାରଙ୍କୁ ପ୍ରସ୍ତାବ ଦେବାକୁ ରାଜସ୍ବ ବିଭାଗ ଗଢିଛି ଉଚ୍ଚସ୍ତରୀୟ କମିଟି । ଜବରଦଖଲ ଉଚ୍ଛେଦକୁ ନେଇ ରାଜସ୍ବ ବିଭାଗର ନିଷ୍ପତ୍ତି ପରେ ଏବେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ହୋଇଛି କମିଟି । ରାଜସ୍ବ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଟକ ସବ-ରେଜିଷ୍ଟ୍ରାର, ସମ୍ବଲପୁର, ବ୍ରହ୍ମପୁର ଡେପୁଟି ଆଇଜିଆର୍ ଓ ଆଇଜିଆର୍ ସଦସ୍ୟ ଅଛନ୍ତି । ଭୁବନେଶ୍ବର ଦେଶର ଦାମିକିଆ ସହର ତାଲିକାରେ ଆଗରେ ଥିବା ବେଳେ ଏବେ ପୁଣି ସରକାରଙ୍କ ପୁନଃମୂଲ୍ୟାୟନ ନିଷ୍ପତ୍ତି ଜମି ଦରକୁ ଆକାଶଛୁଆଁ କରିବ । ବେଞ୍ଚମାର୍କ ଭାଲ୍ଯୁଏସନ କରିବା ପୂର୍ବରୁ ସରକାର ଏଥିପାଇଁ ସ୍ପଷ୍ଟ ନୀତି ଆଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପୁଣି ବଢିବ ଜମି ଦର ! ଭୁବନେଶ୍ବର ସମେତ ସାରା ରାଜ୍ୟରେ ସ୍ଥାବର ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ଆଉ ଥରେ କରିବେ ସରକାର । ଦର ବଢାଇବା ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇ ରାଜସ୍ବ ବିଭାଗ ଗଠନ କରିଛି ଉଚ୍ଚସ୍ତରୀୟ କମିଟି । ଭୁବନେଶ୍ବରରେ ଜମି ଦର ଉଚ୍ଚା ଥିବା ବେଳେ କାହା ସ୍ବାର୍ଥରେ ପୁଣି ଦର ବଢାଇବାକୁ ଚିନ୍ତା କରୁଛନ୍ତି ସରକାର ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜମି ଦର ବଢିଲେ ସହରରେ ରହିବା ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ସ୍ବପ୍ନ ହୋଇଯିବ ବୋଲି  ଆଶଙ୍କା ପ୍ରକାଶ ପାଇଛି ।

ଜାଗାବାଡ଼ିର ପୁନଃମୂଲ୍ୟାୟନ ନିର୍ଦ୍ଧାରଣ କରିବାକୁ ରାଜସ୍ବ ବିଭାଗ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ଏଥିରେ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଶଶଧର ବେହେରା ଅଧ୍ୟକ୍ଷ ଥିବା ବେଳେ ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ ସଦସ୍ଯ-ସଚିବ ଭାବେ କାମ କରିବେ । କମିଟିରେ ସଦସ୍ୟ ଭାବେ ଆଇଜିଆର ସୁବ୍ରତ ଶତପଥି, କଟକ ଡିଏସଆର୍ ଗୋପବନ୍ଧୁ ପରିଡ଼ା, ଦକ୍ଷିଣାଞ୍ଚଳ ଡେପୁଟି ଆଇଜିଆର୍ ଶ୍ରୀକାନ୍ତ କୁମାର ବେଉରା ଏବଂ ସମ୍ବଲପୁର ଡେପୁଟି ଆଇଜିଆର ଦେବରଞ୍ଜନ ମହାନ୍ତି ଅଛନ୍ତି । ଜମିର ଦର ପୁନଃ-ନିର୍ଦ୍ଧାରଣ ପୂର୍ବରୁ ସରକାର ସ୍ବତନ୍ତ୍ର ନୀତି ଆଣିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।

୨୦୧୦ରେ ଶେଷ ଥର ପାଇଁ ସରକାର ଜାଗାବାଡ଼ି ବା ସ୍ଥାବର ସମ୍ପତ୍ତି ବେଞ୍ଚମାର୍କ ଭାଲ୍ୟୁଏସନ କରିଥିଲେ । ସେହି ଅନୁସାରେ ରାଜ୍ୟ ସାରା ଜମି କିଣାବିକା ହେଉଛି । ପୁଣି ଥରେ ପୁନଃ ମୂଲ୍ୟାୟନ ହେଲେ ଜମି ଦର ବଢିବା ନିଶ୍ଚିତ । ଏହାଦ୍ବାରା ସରକାରଙ୍କୁ ଅଧିକ ରାଜସ୍ବ ମିଳିବ, ହେଲେ ସାଧାରଣ ଲୋକ ହଇରାଣ ହେବେ ।

ଭୁବନେଶ୍ବରର ପ୍ରମୁଖ ଜାଗାରେ ସରକାରୀ ମୂଲ୍ୟ ଏକର ପିଛା ୧୫ କୋଟି ଥିବା ବେଳେ ଅସଲରେ କିଣାବିକା ମୂଲ୍ୟ ପ୍ରାୟ ୫୦ କୋଟି ହେବ । ରାଜଧାନୀ ସମେତ ରାଜ୍ୟର ସବୁ ସହରରେ ସ୍ଥିତି ଏପରି ରହିଛି । ଏଭଳି ସ୍ଥିତିରେ ସରକାର ପୁଣି ଦର ବଢାଇବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦରବୃଦ୍ଧି ସମୟରେ ଏହା ବୋଝ ଉପରେ ନଳିତା ବିଡ଼ା ଭଳି ହେବ ।

‘ରାଜ୍ୟସଭାରେ ସଂଖ୍ୟା ବଢ଼ାଇବାକୁ ଗଣତନ୍ତ୍ରକୁ ଅପମାନିତ କରୁଛି ବିଜେପି’

ଭୁବନେଶ୍ବର:  ଗଣତନ୍ତ୍ର ବ୍ୟବସ୍ଥାକୁ ଅପମାନ । ସାଧାରଣ ଜନତାଙ୍କ ପ୍ରତି ବିଶ୍ବାସଘାତ । ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେବା ସହିତ ବିଜେଡି ଛାଡ଼ି ବିଜେପିରେ ମମତା ମହାନ୍ତ ସାମିଲ ହେବା ପରେ ଚାଲିଛି ଏହି ଚର୍ଚ୍ଚା । ରାଜ୍ଯସଭାରେ ନିଜର ସଂଖ୍ଯା ନ ଥିବାରୁ ଅନ୍ଯ ଦଳର ସାଂସଦଙ୍କୁ ଆଣି ନିଜ ଦଳରେ ମିଶାଉଛି ବିଜେପି । ପଦ୍ମ ଦଳର ଏହି ରଣନୀତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ସେପଟେ ବିଜେଡି କହିଛି- ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ବିଶ୍ବାସ ରହିଛି । କେହି ଦଳ ଛାଡ଼ି ପଳାଇଲେ, କିଛି ଫରକ ପଡ଼ିବନି ।

ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ବିଜେଡି ଓ ସାଂସଦ ପଦରୁ ଇସ୍ତଫା ଦେବା ପରେ ମମତା ବିଜେପିରେ ମିଶିବା । କଟୁ ସମାଲୋଚନା କଲେ କଂଗ୍ରେସ ନେତା ଶ୍ରୀକାନ୍ତ । କହିଲେ, ରାଜ୍ୟସଭାରେ ସଂଖ୍ୟା ନ ଥିବାରୁ ବିଜେପି ଅନ୍ୟ ଦଳର ନେତାଙ୍କ ଉପରେ ଭରଷା କରିଛି । ଯଦି ସତ ସାହସ ଅଛି ତେବେ ବିଜେଡ଼ି ଦ୍ବାରା ଦୁଇ ଥର ରାଜ୍ୟସଭାକୁ ଯାଇଥିବା ସାଂସଦଙ୍କୁ ଫେରାଇ ଦେଉ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀକାନ୍ତ । ଏହାସହ ବଜେଟକୁ ନେଇ ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି ଶ୍ରୀକାନ୍ତ । କହିଛନ୍ତି,  କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି । ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା କି ସ୍ବତନ୍ତ୍ର ପ୍ୟାକେଜ ଦିଆ ନଯିବାକୁ ନେଇ ଉଠାଇଲେ ପ୍ରଶ୍ନ ।

ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି- ଯେଉଁମାନେ ରଙ୍ଗ ବଦଳାନ୍ତି, ସେମାନଙ୍କ ଚରିତ୍ର ସେପରି । ବିଜେଡି ଆଜି ବି ଶକ୍ତିଶାଳୀ ଅଛି । ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ଲୋକଙ୍କ ବିଶ୍ୱାସ । କିଏ ଦଳ ଛାଡ଼ି ପଳାଇଲେ ବିଜେଡି ଉପରେ କିଛି ଫରକ ପଡ଼ିବନି । ଯାହାର ସ୍ଥିତି ଟଳମଳ, ସେମାନେ ପ୍ରଲୋଭିତ ହୋଇ ବିଜେପିକୁ ଯାଉଛନ୍ତି । ନିର୍ବାଚନରେ ହାରଜିତ ଲାଗି ରହିଥାଏ । ଲୋକ ଭୋଟ ଦେଇ ବିଜେପିକୁ କ୍ଷମତାସୀନ କରିଛନ୍ତି । ଏବେ ଅନୁଭବ କରି ସାରିଲେଣି, କେମିତି ଚାଲିଛି ସରକାର ।

ବିଧାନସଭାରେ ୫୧ ବିଧାୟକ ଓ ରାଜ୍ୟସଭାରେ ୮ ଜଣ ସାଂସଦଙ୍କ ସହ ବିଜେଡି ସଶକ୍ତ ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ସ୍ବର ସାଜିଛି । ରାଜ୍ୟର ସ୍ବାର୍ଥକୁ ନେଇ ଲଢେଇ ଜାରି ରଖିଛି, ଆଗକୁ ବି ରହିବ । ମମତା ମହାନ୍ତଙ୍କ ବିଶ୍ବାସ ଘାତକତା ପରେ ମୟୂରଭଞ୍ଜର ନେତାମାନେ ଶଙ୍ଖଭବନରେ ଏକାଠି ହୋଇ ଏନେଇ ଆଲୋଚନା କରିଛନ୍ତି ।