spot_img
Home Blog Page 1651

ସୁନ୍ଦରଗଡରେ ୨୪ ଘଣ୍ଟା ପରେ ହଟିଲା ରାସ୍ତାରୋକ, ସ୍ବାଭାବିକ ହେଲା ଗାଡି ଚଳାଚଳ

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ଗଏକନପାଲି ନିକଟରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା। ୨୪ ଘଣ୍ଟା ପରେ ହଟିଲା ରାସ୍ତାରୋକ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ହେମଗିରି ତହସିଲଦାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଥିଲେ ଉତ୍ତ୍ଯକ୍ତ ଲୋକେ। ଗାଁ ଲୋକଙ୍କ ସହ ସୁନ୍ଦରଗଡ଼ ସଦର ଏସଡିପିଓ, ହେମଗିରି ବିଡିଓ ଏବଂ ତହସିଲଦାରଙ୍କ ଆଲୋଚନା ପରେ ଦାବି ପୂରଣ ନେଇ ପ୍ରତିଶୃତି ଦେଇଥିଲେ। ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ କୋଇଲା ପରିବହନ ପାଇଁ ସ୍ବତନ୍ତ୍ର କୋଲ କରିଡ଼ର ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ୪ ଲକ୍ଷ ବଦଳରେ ୫୦ ଲକ୍ଷ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, ବ୍ରେକ ଡାଉନ୍ ଗାଡ଼ି ଗୁଡ଼ିକୁ ରାସ୍ତାରେ ୧ ଘଣ୍ଟାରେ ହଟାଇବା ପାଇଁ କ୍ରେନ୍ ବ୍ୟବସ୍ଥା , ଏମସିଏଲ୍ ପକ୍ଷରୁ ରାସ୍ତାରେ ସୁକ୍ୟୁରିଟି ଗାର୍ଡ ନିଯୁକ୍ତି ଏବଂ ଗାଡ଼ି ମାଲିକ ସଂଘ ମାନଙ୍କ ପକ୍ଷରୁ ସହାୟତା ରାଶି ୩ ଲକ୍ଷ ଲେଖାଏଁ ପ୍ରଦାନ ଆଦି ଦାବି ଉପରେ ଆଲୋଚନା ହୋଇଥିଲା। ତହସିଲଦାର ସକାଳ ୯ ଟା ରୁ ୧୦ଟା ୩୦ ଏବଂ ଅପରାହ୍ନ ୪ଟା ରୁ ସଂଧ୍ୟା ୭ ଟା ଯାଏଁ ନୋ ଏଣ୍ଟ୍ରି ରହିବା ପାଇଁ ପ୍ରତିଶ୍ରୁତି ଦେବା ସହ ବାକି ସମସ୍ତ ଦାବି ଗୁଡ଼ିକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୦ ତାରିଖ ଆଲୋଚନା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ଏହା ସହିତ ଟ୍ରକ ମାଲିକ ସଂଘ ବିଜି ଏମଏସ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ମୃତ ବ୍ୟକ୍ତିଙ୍କ ପରିବାରକୁ ପ୍ରଦାନ କରାଯିବା ସହିତ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ଅନ୍ତେଷ୍ଟି କ୍ରିୟା ପାଇଁ ପ୍ରଦାନ କରାଯାଇଥିଲା।

ଅଧାରେ ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଜଣେ ହବିଷ୍ଯାଳି ମୃତ

ଖୋର୍ଦ୍ଧା: ଅଧାରେ ରହିଗଲା ଜଗା ଦର୍ଶନ। ପୁରୀ ଯାଉଥିବା ବେଳେ ହବିଷ୍ଯାଳିଙ୍କ ଅଟୋ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଜଣେ ହବିଷ୍ଯାଳିଙ୍କ ମୃତ୍ଯୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କୟଥ ପଲା ଗାଁର ୮ ଜଣ ହବିଷ୍ୟାଳୀ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଦୀକ୍ଷିତ ପଡା ନିକଟରେ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତ ହବିଷ୍ୟାଳୀ ଜଣଙ୍କ ସୁଷମା ସାମନ୍ତରାୟ। ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ଘରୋଇ ମାଟିରେ ସମ୍ମାନ ବଞ୍ଚାଇବ କି ଭାରତ ?

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ନ୍ଯୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟର ଗୁରୁତ୍ବପୂର୍ଣ୍ଣ ଦିନ । ଅନ୍ତିମ ମ୍ଯାଚକୁ ଜିତିବାକୁ ଭାରତ ପାଖରେ ରହିଛି ବଡ଼ ସୁଯୋଗ । ଆଜି ତୃତୀୟ ଦିନରେ ନ୍ଯୁଜିଲାଣ୍ଡ ଦ୍ବିତୀୟ ଇନିଂସ ଖେଳ ଜାରି ରଖିବ। ଶନିବାର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୯ ୱିକେଟ ହରାଇ ୧୭୧ ରନ୍ କରିଛି । ଏବେ ଭାରତଠାରୁ ନ୍ଯୁଜିଲାଣ୍ଡ ୧୪୩ ରନ ଆଗରେ ରହିଛି ।

ଆଜି ନ୍ଯୁଜିଲାଣ୍ଡର ଗୋଟିଏ ୱିକେଟ ନେଇ ଅଲଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ଜିତିବାକୁ ଲକ୍ଷ୍ଯ ରଖିଛି । ଭାରତ ଦ୍ୱିତୀୟ ଦିନରେ ୪ ୱିକେଟ୍ ହରାଇ ୮୪ ରନ୍ରୁ ଖେଳିବା ଆରମ୍ଭ କରିଥିଲା। ଶୁଭମାନ ଗିଲ ଏବଂ ଋଷଭ ପନ୍ତ ଭାରତ ପାଇଁ ୯୬ ରନର ଭାଗିଦାରୀ କରିଥିଲେ । ପରେ ନିୟମିତ ଭାବେ ୱିକେଟ ପଡ଼ିବା ସହ ଟିମ୍ ଇଣ୍ଡିଆ ୨୬୩ ରନ୍ରେ ଅଲଆଉଟ୍ ହୋଇଥିଲା। ଦ୍ବିତୀୟ ଇନିଂସରେ ନ୍ଯୁଜିଲାଣ୍ଡକୁ ଝଟକା ପରେ ଝଟକା ଦେଇଛନ୍ତି ଜାଡେଜା । ରବିନ୍ଦ୍ର ଜାଡେଜାଙ୍କୁ ୪ଟି ୱିକେଟ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ୩, ଆକାଶଦୀପ ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ଆଜିର ଖେଳ ଉପରେ ସମସ୍ତଙ୍କର ନଜର ରହିଥିବାବେଳେ ଭାରତର ଭାଗ୍ଯ ବ୍ଯାଟ୍ସମ୍ଯାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି ।

ଆଜିଠୁ ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମଫିଲପ୍

ଭୁବନେଶ୍ୱର : ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ। ରେଗୁଲାର ଓ ଏକ୍ସ-ରେଗୁଲାର୍ ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ । ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍ ଯୋଗେ ଫର୍ମପୂରଣ କରିବାକୁ ସୁଯୋଗ ମିଳିବ ।

ଫର୍ମଫିଲପ ସଂକ୍ରାନ୍ତରେ ଅନଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦ୍ଦେଶାବଳୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି । କରେସପଣ୍ଡେଣ୍ଟ କୋର୍ସରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନରେ ଫର୍ମପୂରଣ କରିପାରିବେ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଦୁଇ ଜୀବନ ଯିବା ପରେ ଚେତିଲା ପ୍ରଶାସନ, ତରବରିଆ ଭାବେ ହେଲା ଚାଉଳ ବଣ୍ଟା

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁପରେ ପ୍ରଶାସନର ଚେତା ପଶିଛି । ଗତ ୩ ମାସ ଧରି ରାସନ ମିଳୁ ନଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ହଠାତ ତରବରିଆ ଭାବେ ଗତକାଲି ସନ୍ଧ୍ୟାରେ ଚାଉଳ ବଣ୍ଟାଯାଇଛି । ତାହାପୁଣି ଗଦାପୁର ପଞ୍ଚାୟତରେ ନୁହେଁ । ୯ କିମି ଦୂର ବ୍ରାହ୍ମଣୀଗାଁ ପଞ୍ଚାୟତରେ ଚାଉଳ ଦିଆଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ନୂଆ ସରକାରଙ୍କ ମୁଖା ଖୋଲି ଦେଇଛି ମାଣ୍ଡିପଙ୍କ ଗାଁ ଲୋକଙ୍କ ପେଟର ଭୋକ

କନ୍ଧମାଳ: ଦାରିଙ୍ଗବାଡ଼ିର ମାଣ୍ଡିପଙ୍କା ଗାଁରେ କେମିତି ବିତୁଛି ଜୀବନ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ନନ୍ଦିଘୋଷ ଟିଭି । ଗାଁ ଲୋକଙ୍କ ସହ କଥା ହେବା ସହ ଦୁଃଖ ଶୁଣିଛି । ଏହି ସମୟରେ ଲୋକଙ୍କ ଅଭିଯୋଗ ନୂଆ ସରକାରର ମୁଖା ଖୋଲି ଦେଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନଙ୍କୁ ୩ ମାସ ହେଲା ମିଳୁନି ରାସନ ଚାଉଳ । ଫଳରେ ବଞ୍ଚିବାକୁ ବାଧ୍ୟ ହୋଇ ଆମ୍ବ ଟାକୁଆକୁ ଆଶ୍ରା କରିଛନ୍ତି ଲୋକେ । ଅନ୍ୟପଟେ ବିପଦ ବେଳେ ନନ୍ଦିଘୋଷ ଟିଭିକୁ ପାଖରେ ପାଇ ସେମାନେ ଖୁସିପ୍ରକାଶ କରିଛନ୍ତି ।

ଜୀବନର ଫର୍ଦ୍ଦେ ଷଡ଼ଯନ୍ତ୍ର ହୋଇପାରେ, ଅଭାବର ଅଲିଖିତ ସଜ୍ଞା ବି ସାଜିପାରେ । ଭୋକ ଯେବେ ଆଁ କରେ, ଭଉଁରୀ ଭିତରେ ଜୀବନ ଭଗ୍ନାଂଶ ଭଳି ଭାଙ୍ଗିଯାଏ । ଭୋକର ଭୁଗୋଳ କଳଙ୍କର ଇତିହାସ ହୋଇ ବଦନାମର ଟିପାଟିଏ ହୋଇଯାଏ । ଭୋକ ଆସିଲେ ଜଣାପଡ଼େନି ସଜ-ବାସି, ଗରମ-ଥଣ୍ଡା, ସୁଆଦିଆ-ଅସୁଆଦିଆ, ଲୁଣିଆ-ଅଲଣିଆ । ଠିକ୍ ଏଇ ଯେମିତି ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁର କାହାଣୀ । ଏମାନଙ୍କୁ ଦରକାର ଖାଲି ଖାଦ୍ୟ ଆଉ ଖାଦ୍ୟ । ସେଇଥିପାଇଁ ତ ଆଜି ଆମ୍ବ ଟାକୁଆ ଜାଉ ଖାଇ ଜୀବନ ହରାଇ ଦେଇଛନ୍ତି ଏହି ଗାଁର ଦୁଇ ମହିଳା ।

ଆମ୍ବ ଟାକୁଆର ଅନେକ କାହାଣୀ ଭିତରେ ଗାଁକୁ ଯାଇ ଲୋକଙ୍କଠୁ ଭୋକର ସତ ଶୁଣିଛି ନନ୍ଦିଘୋଷ ଟିଭି । ଆଉ ସେ ସତ ଆପଣଙ୍କୁ ବି ଦୁଇ ମିନିଟ ଭାବିବାକୁ ବାଧ୍ୟ କରିବ । ପ୍ରକୃତ କଥା ହେଲା କେହି ଏଠି ଖୁସିରେ କି ପାରମ୍ପରିକ ଖାଦ୍ୟ ଭାବେ ଆମ୍ବ ଟାକୁଆ ଜାଉ ଖାଇ ନଥିଲେ । ଭୋକର ତାଡ଼ନା ଆଗରେ ଖାଇବାକୁ ବାଧ୍ୟ ହୋଇଥିଲେ । କାରଣ ଗଲା ୩ ମାସ ହେଲା ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ କାଣିଚାଏ ଚାଉଳ ବି ଦେଇ ନଥିଲେ ସରକାର । ଲଗାତାର ଚାଉଳ ନମିଳିବାରୁ ବାଧ୍ୟ ହୋଇ ଆମ୍ବ ଟାକୁଆକୁ ଆଶ୍ରା କରିଥିଲେ ଲୋକ । ଆଉ ତାରି ଫଳାଫଳ ଏବେ ସାରା ରାଜ୍ୟ ଦେଖୁଛି ।

କାହିଁକି ଆମ୍ବ ଟାକୁଆ ଜାଉ ଖାଆନ୍ତି ଆଦିବାସୀ ? ଏସବୁର ଉତ୍ତର ଖୋଜିଛି ନନ୍ଦିଘୋଷ ଟିଭି । ଆଗରୁ ଆଦିବାସୀମାନେ ଆମ୍ବ ଟାକୁଆ ଜାଉ ଖାଉଥିଲେ ହେଁ ଗତ ଦୁଇ ଦଶନ୍ଧି ଧରି ଏଥିରେ ପରିବର୍ତ୍ତନ ଆସିଥିଲା । ନବୀନ ସରକାରଙ୍କ ଟଙ୍କିକିଆ ଚାଉଳ ସେମାନଙ୍କ ଜୀବନକୁ ନୂଆ ମୋଡ ଦେଇଥିଲା । ଭୋକ ମେଣ୍ଟାଇବାକୁ ଆମ୍ବ ଟାକୁଆ ଛାଡ଼ି ଭାତ ଖାଉଥିଲେ ଲୋକେ । ସେବେଠୁ ସବୁ ଠିକଠାକ ଚାଲିଥିଲା । ହେଲେ ଗତ ୩ ମାସ ହେଲା ନୂଆ ସରକାରର ନୂଆ ନିୟମ ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ରାସନ ଚାଉଳ ମିଳୁ ନଥିବାରୁ ଶେଷରେ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ଏପଟେ ଆମ୍ବ ଟାକୁଆ ନଖାଇବାକୁ ସଚେତନ କରୁଥିବା କହିଛନ୍ତି ସ୍ଥାନୀୟ ଆଶାକର୍ମୀ ।

ଆମ୍ବ ଟାକୁଆର ପ୍ରସ୍ତୁତି ବି ବେଶ ଜଟିଳ । ଏଥିପାଇଁ ପ୍ରାୟ ସପ୍ତାହେ ସମୟ ଲାଗିଥାଏ । ଲୋକଙ୍କ ଦୁର୍ଦ୍ଦଶା ବେଳେ ଗାଁରେ ପହଞ୍ଚିଛି ଦୁଃଖ ଶୁଣିଛି ନନ୍ଦିଘୋଷ ଟିଭି । ଏଥିପାଇଁ ଗାଁ ଲୋକ ଖୁସି ପ୍ରକାଶ କରିବା ସହ ନୂଆ ସରକାର ଠିକ୍ ସମୟରେ ଚାଉଳ ଦେବାକୁ ଦାବି କରିଛନ୍ତି ।

ଛତିଶଗଡ଼ କବଜାରେ ମହାନଦୀ; ଓଡିଶା ସରକାରଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ ଘାଇଲା ହେଉଛି ଓଡ଼ିଶା । ରାଜ୍ଯବାସୀଙ୍କ ସ୍ବାର୍ଥ ପୂରଣରେ ଫେଲ ଡବଲ ଇଞ୍ଜିନ ସରକାର । ରାଜ୍ଯର ଲାଇଫ ଲାଇନ ମହାନଦୀ ହୋଇଥିଲେ ବି ଛତିଶଗଡ଼ ଦୟାରେ ମିଳୁଛି ପାଣି । ଯାହା ବି ମିଳୁଛି ତାହା ପ୍ରଦୂଷିତ । ଏହାକୁ ନେଇ ଦିଆଯାଇଛି ଆନ୍ଦୋଳନ ଡାକରା । ସେପଟେ ପ୍ରଦୂଷଣ ପ୍ରସଙ୍ଗରେ ସତର୍କ କରାଇଛନ୍ତି ପରିବେଶବିତ ।

ମହାନଦୀକୁ ପାଣି ଛାଡୁନି ଛତିଶଗଡ଼ । ଯେତିକି ପାଣି ଆସୁଛି ତାହା ବି ପ୍ରଦୂଷିତ । ଓଡିଶାକୁ ପଡ଼ୋଶୀ ରାଜ୍ଯ ଦେଉଛି ଡବଲ ଝଟକା । ଆଖିବୁଜା ନିର୍ମାଣ ଚାଲିଛି ବ୍ଯାରେଜ ଓ ଡ୍ଯାମ । ଯେତିକି ପାଣି ଆସୁଛି ତାହା ବି ହେଉନି ବ୍ଯବହାର ଉପଯୋଗୀ । ଶିଳ୍ପସଂସ୍ଥା ଓ କୃଷିରେ ବ୍ୟବହାର ହେଉଥିବା କୀଟନାଶକଯୁକ୍ତ ଜଳ ମହାନଦୀରେ ମିଶି ଜଳ ପ୍ରଦୂଷିତ ହେଉଛି । ସେପଟେ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ଯ ବିଜେପି ସରକାର । ସମାଧାନ କରିବାରେ ଫେଲ ଟ୍ରିପଲ ଇଞ୍ଜିନ ସରକାର । ପ୍ରତିବାଦରେ ମହାନଦୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ପଦଯାତ୍ରା କରି ଜନ ଆନ୍ଦୋଳନ ଗଢି ତୋଳିବାକୁ ଯୋଜନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସେପଟେ ବିଷାକ୍ତ ପାଣିକୁ ନେଇ ସତର୍କ କରାଇଛନ୍ତି ପରିବେଶବିତ ।

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ମନମାନି ଓ ଓଡିଶା ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯବାସୀ । ପୂର୍ବ ସରକାର ସମୟରେ ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଚାପ ସୃଷ୍ଟି କରାଯାଉଥିଲା । ଏବେ କେନ୍ଦ୍ର ସମେତ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଥିଲେ ମଧ୍ୟ ମୋହନ ସରକାରଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି କହିଛି ସିଟିଜେନସ ଫୋରମ । ରାଜସ୍ୱ ମନ୍ତ୍ରୀଙ୍କ କହିବା କଥା ଶୀଘ୍ର ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରାଯିବ ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲର ଅଧ୍ୟକ୍ଷ ପଦ ବହୁ ମାସ ଧରି ଖାଲି ପଡିଥିବା ବେଳେ ଛତିଶଗଡ଼ ମନଇଚ୍ଛା ନିର୍ମାଣ କରି ଜଳ ଅଟକାଉଛି । ଶିଳ୍ପ ସଂସ୍ଥା ବି ବଢ଼ାଇ ଚାଲିଛନ୍ତି ପ୍ରଦୂଷଣ ।

ଆମ୍ଵ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: କଟା ଘାରେ ଚୂନ ଲେପିଲା ମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ବର: ଆମ୍ଵ ଟାକୁଆ ଜାଉ ଖାଇ ମୃତ୍ୟୁ, ରାଜ୍ୟ ପାଇଁ ଲଜ୍ଜା । ଘଟଣାକୁ ଗୁରୁତର ସହିତ ନେଇ ତ୍ରୁଟି ସୁଧାରିବାକୁ ପଦକ୍ଷେପ ନେବା ବଦଳରେ ଭୁରୁଡ଼ି ମାରୁଛନ୍ତି ରାଜ୍ୟ ସରକାର । ମନ୍ତ୍ରୀ ଏପରିକି ଉପମୁଖ୍ୟମନ୍ତ୍ରୀ ବି ଅବାନ୍ତର, ହାସ୍ୟାସ୍ପଦ ମନ୍ତବ୍ୟ ଦେଉଛନ୍ତି । କନ୍ଧମାଳ ଜିଲ୍ଲାପାଳ କହୁଛନ୍ତି, ଆମ୍ଵ ଟାକୁଆ ଜାଉ ଖାଇଥିବା ଲୋକେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଥିଲେ । ପ୍ରଶ୍ନ ଉଠୁଛି, ଲୋକେ ଆମ୍ଵ ଟାକୁଆ ଜାଉ ଖାଇଲେ କାହିଁକି ? ପ୍ରାଶାସନିକ ଅବହେଳା, ମନ୍ତ୍ରୀଙ୍କ ଦାୟିତ୍ଵହୀନତା ମନ୍ତବ୍ୟ ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି । କଂଗ୍ରେସ ଓ ବାମ ଦଳ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆମ୍ଵ ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ଅସୁସ୍ଥ ହେବା ରାଜ୍ୟକୁ ଲଜ୍ଜା । ହେଲେ ମନ୍ତ୍ରୀମାନେ ଯେମିତି ଅବାନ୍ତର ମନ୍ତବ୍ୟ ଦେଇଛନ୍ତି, ତାହା କଟା ଘାଆରେ ଚୂନ ଦେବା ପରି ହୋଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଆମ୍ଵ ଟାକୁଆ ଖାଇବା କନ୍ଧମାଳର ଲୋକଙ୍କ ନିୟମିତ ଅଭ୍ୟାସ । କିନ୍ତୁ ସତ କଥା ହେଲା, ୪ ମାସ ହେଲା ସରକାରଙ୍କଠାରୁ ଚାଉଳ ନ ପାଇବାରୁ ଆମ୍ଵ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ ସେମାନେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମନ୍ତବ୍ୟ ତ ସବୁ ସୀମା ଟପି ଗଲା । ସେ କହିଲେ, ଏହା ଅପପୁଷ୍ଟି ନୁହେଁ । ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ସରକାର ଯେମିତି ଖାମଖିଆଲି ଭାବେ ନେଇ ଚପାଇ ଦେବାକୁ ଚେଷ୍ଟା କରିଛନ୍ତି, ତାକୁ କଡ଼ା ସମାଲୋଚନା କରିଛି ବିଜେଡି । ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି, ଡବଲ ଇଞ୍ଜିନ ସରକାର କେବଳ ପ୍ରଚାର ପ୍ରସାରରେ ରହିଯାଇଛି । କିନ୍ତୁ ସାଧାରଣ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ । ଆମ୍ଵ ଟାକୁଆ ଖାଇ ମୃତ୍ଯୁ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସଞ୍ଜୟ ଦାସବର୍ମା । କଂଗ୍ରେସର ମହମ୍ମଦ ମୋକିମ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନୂଆ ସରକାର ରାଜ୍ୟବାସୀଙ୍କୁ ଭୋକ ଆଡ଼କୁ ଠେଲି ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ସିପିଏମ୍ କହିଛି, ଏହା ହେଉଛି ଅପରାଧିକ ଅବହେଳା । ଏହା ଓଡ଼ିଶାକୁ ଲଜ୍ଜିତ କରିଛି । ସିପିଏମ୍ ଓ କଂଗ୍ରେସ ନେତା ବ୍ରହ୍ମପୁର ଏମକେସିଜି ଯାଇ ସେଠାରେ ଚିକିତ୍ସିତ ହେଉଥିବା ଅସୁସ୍ଥ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି । ୪ ମାସ ହେଲା ଖାଦ୍ୟ ସୁରକ୍ଷା ଆଇନରେ ଆଦିବାସୀମାନେ ଚାଉଳ ନ ପାଇବା, ଆଇନର ଉଲ୍ଲଂଘନ । ଦୁର୍ନୀତି କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ସିପିଏମ୍ ।

କେହି ଯେମିତି ଅନାହାରରେ ରହିବେ ନାହିଁ, ସେଥିପାଇଁ ୨୦୧୪ ରେ କାର୍ଯ୍ୟକାରୀ ହୋଇଥିଲା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ । ରାଜ୍ୟର ଅନେକ ଲୋକ ଏହି ଯୋଜନାରୁ ବଞ୍ଚିତ ହେବାରୁ ସେମାନଙ୍କ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ତରଫରୁ ବି ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ୨୫ ଲକ୍ଷ ଗରିବ ଏଥିରେ ହୋଇଥିଲେ ସାମିଲ । ବିଜେପି ସରକାର କିନ୍ତୁ କିଛି ଶିଖିବା ବଦଳରେ କେବଳ ପ୍ରଚାର ପ୍ରସାରରେ ବ୍ୟସ୍ତ । ଲାଗୁଛି, ନିଜକୁ ଶିଶୁ ସରକାର କହୁଥିବା ବିଜେପି ସରକାର ଶୈଶବରୁ ବାହାରିବା ମୁଡରେ ନାହାନ୍ତି । ଏପରିକି ସମବେଦନା ବଦଳରେ ଅବାନ୍ତର କଥା କହୁଛନ୍ତି ।

ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି ରାଜ୍ୟ ସରକାର !

ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ଲୋକେ ମରିବା ଘଟଣାରେ ନିଜ ଦୋଷ ଲୁଚାଇବାକୁ ଗରିବଙ୍କ ଉପରକୁ ଦୋଷ ଠେଲୁଛନ୍ତି କି ରାଜ୍ୟ ସରକାର ? ଚାଉଳ ନମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣାରେ ନିଜ ଅପାରଗତାକୁ ଘୋଡ଼ାଇବାରେ ବ୍ୟସ୍ତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ୩ ମାସ ହେଲା ଚାଉଳ ମିଳି ନଥିବା ନେଇ ସ୍ପଷ୍ଟ ପ୍ରମାଣ ରହିଛି । ଏନେଇ ହିତାଧିକାରୀଙ୍କ ରାସନ କାର୍ଡ ତଥ୍ୟରୁ ଜଣାପଡ଼ିଛି । ଇ-କେୱାଇସି ହୋଇ ନଥିବାରୁ ଚାଉଳ ମିଳି ନଥିବା ନିଜେ ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ହେଲେ ସତକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ନିଜ ବିଭାଗର ଅବ୍ୟବସ୍ଥାକୁ ସ୍ବୀକାର କରିବା ବଦଳରେ ଗରିବ ଆଦିବାସୀଙ୍କୁ ଦୋଷ ଠେଲିଛନ୍ତି ।

ମନ୍ତ୍ରୀ କହିଛନ୍ତି, ଲୋକଙ୍କ ପାଖରେ ଚାଉଳ ମହଜୁଦ ଥିବାରୁ ସେମାନେ ଚାଉଳ ନେଇନାହାନ୍ତି । ଚାଉଳର କୌଣସି ଅଭାବ ନଥିବାବେଳେ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ଏବେ ବଣ୍ଟାଯାଉଛି । ଅଜବ ଯୁକ୍ତି ରଖି ମନ୍ତ୍ରୀ କହିଛନ୍ତି, ଆମ୍ବ ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ବାସି ଖାଦ୍ୟ ଖାଇବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭାଇଗିରି ଦେଖାଇବାକୁ ରାଜଧାନୀରେ ଆତଙ୍କ ମଚାଇଲେ, ବୋମା ଫିଙ୍ଗିଲେ

ଭୁବନେଶ୍ବର: ଭୁବନେଶ୍ବରରେ ସହିଦନଗର ୱିନର୍ସ ଆସୋସିଏସନ ନିକଟରେ ବୋମାମାଡ଼ ଘଟଣା । କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ଅନ୍ୟ ସହଯୋଗୀଙ୍କୁ ପୋଲିସ ଚିହ୍ନଟ କରିବା ସହିତ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ଗତକାଲି ରାତିରେ ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ଏଥିରେ ଗୋଟିଏ କାର ଓ ଗୋଟିଏ ବାଇକ ନଷ୍ଟ ହୋଇଛି ।

ଭାଇଗିରି ପାଇଁ ବିଳମ୍ବିତ ରାତିରେ ରାଜଧାନୀରେ ଆତଙ୍କ ସୃଷ୍ଟି କରାଯିବା ସହ ଘନଘନ ବୋମା ମାଡ ହୋଇଥିଲା । ଖଣ୍ଡା, ଲାଠି ମାଡରେ ଭାଙ୍ଗିଥିଲେ ଗାଡି । ଯାହାକୁ ପାଇଲେ ଗୋଡାଇ ଗୋଡାଇ ପିଟିଲେ ଦୁର୍ବୃତ୍ତ । ୧୫ ମିନିଟରୁ ଅଧିକ ସମୟ ରଚିଲେ ତାଣ୍ଡବ । ସହିଦନଗର ଭିଆଇପି ଅଞ୍ଚଳରେ ପୋଲିସକୁ ଏମିତି ଚ୍ୟାଲେଞ୍ଜ ଦେଇଥିଲେ ୨୫ରୁ ଊର୍ଦ୍ଧ୍ବ ଯୁବକ ।

ସିସିଟିଭରେ ଦୁର୍ବୃତ୍ତଙ୍କ ପୂରା କାଣ୍ଡ ରେକର୍ଡ ହୋଇଛି । ଏବେ ପୋଲିସର ପାଳି । ଫୁଲ ଆକ୍ସନରେ କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ କାହ୍ନା ସହ ଦୁଇ ଜଣ ଅଟକ । ପୂର୍ବ ଶତ୍ରୁତା ଏବଂ ଭାଇଗିରି ପାଇଁ ଶୁକ୍ରବାର ରାତିରେ ସହିଦନଗର ଓ୍ବିନର ଆସୋସିଏସନରେ ବୋମାମାଡ ସହ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଭୟରେ ଓ୍ବିନର ଆସୋସିଏସନରେ ଥିବା ପିଲାମାନେ ନିଜକୁ ବଞ୍ଚାଇବା ପାଇଁ ଯିଏ ଯୁଆଡେ ଦୌଡିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋଟିଏ କାର ଓ ଏକାଧିକ ବାଇକ ଭାଙ୍ଗି ଚୁରମାର ହୋଇଛି ।

ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସହିଦନଗର ଥାନା ପୋଲିସ । ଅନ୍ଯ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସ ସାଇଣ୍ଟିଫିକ୍ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବୋମା ଓ ଗାଡି ଭଙ୍ଗାକାଚରୁ ପ୍ରମାଣ ସଂଗ୍ରହ କରିଛି । ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ସାଧାରଣ କଥାକୁ ନେଇ ଶତ୍ରୁତା ସୃଷ୍ଟି ହୋଇଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

ପୂର୍ବରୁ ଭୁବେନଶ୍ବରରେ ଭାଇଗିରି ପାଇଁ ଏମିତି ଅନେକ ଥର ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ । କିନ୍ତୁ ପୋଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବେ ପୁଣି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ ।