spot_img
Home Blog Page 1667

ଅଙ୍ଗନବାଡି ଖାଦ୍ଯ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନବାଡି ଖାଦ୍ୟ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ ବାରିଛନ୍ତି ହିତାଧିକାରୀ । ଅଙ୍ଗନବାଡି ଛତୁଆରେ ଘୋଟାଲା ପରେ ଏବେ ସମନ୍ଵିତ ଶିଶୁ ବିକାଶ ଯୋଜନାରେ ଆସୁଥିବା ଖାଦ୍ୟ ବଣ୍ଟନରେ ବି କେଳେଙ୍କାରୀ । ଠିକା ସଂସ୍ଥାକୁ ବିଭାଗୀୟ ଅଧିକାରୀ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

ଖାଦ୍ଯ ସାମଗ୍ରୀ ଯୋଗାଣରେ ବଡ ଘୋଟାଲା । ଭଦ୍ରକ ଚାନ୍ଦବାଲି ବ୍ଲକରେ ତଳଠୁ ତାଳୁ ପର୍ଯ୍ୟନ୍ତ ଦୁର୍ନୀତିର ଗନ୍ଧ । ଅଙ୍ଗନବାଡି ଛତୁଆ ଦୁର୍ନୀତିର ତଥ୍ୟ ଖୋଳୁ ଖୋଳୁ ମିଳିଲା ଆଉ ଏକ ଖାଦ୍ୟ କେଳେଙ୍କାରୀ । ଏମଏସପିୱାଇ ଯୋଜନା ଅର୍ଥାତ ଗର୍ଭବତୀ ଓ କିଶୋରୀ ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି  ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପ୍ରତି ଗର୍ଭବତୀ ,ପ୍ରସୂତି ଓ କିଶୋରୀ ବାଳିକା ମାନଙ୍କୁ ପ୍ରତି ମାସରେ ଖଜୁରୀକୋଳି ,ଲଡୁ,ମୁଢି ଓ ଭଜା ବୁଟ ଦିଆଯାଉଛି । ନିୟମ ଅନୁସାରେ, ଠିକା ନେଇଥିବା ସଂସ୍ଥା ପ୍ରତି ମାସ ଶେଷ ସପ୍ତାହରେ ଅଙ୍ଗନବାଡି କେନ୍ଦ୍ରରେ ସାମଗ୍ରୀ ପହଞ୍ଚାଇବେ ।  କର୍ମୀମାନେ ପ୍ରତି ମାସ ୧ ତାରିଖରେ ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବେ । କିନ୍ତୁ ନିୟମକୁ ଫୁ’ କରି ନିର୍ଦ୍ଧାରିତ ସମୟର ୧୫ ଦିନ ପରେ ବି ଅଙ୍ଗନବାଡିରେ ପହଞ୍ଚୁନି ଖାଦ୍ୟ ସାମଗ୍ରୀ । ଆଉ ଯାହା ବି ପହଁଚୁଛି ତାହା ନିମ୍ନ ମାନର ସାଙ୍ଗକୁ ଓଜନରେ କମ ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଚାନ୍ଦବାଲି ବ୍ଲକର ସିଡିପିଓ-୧ ଙ୍କ ଅଧୀନରେ ୨୨୦ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିରୁ ୧୬ ଟି ପଂଚାୟତରେ ମଧୁବାବୁ ସ୍ଵୟଂସହାୟକ ଗୋଷ୍ଠୀ ଏମଏସପିୱାଇ ଯୋଜନାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଦାୟିତ୍ୱ ନେଇଛନ୍ତି । ଏ ବାବଦରେ ସରକାର ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରୁଛନ୍ତି ।କିନ୍ତୁ ଅନେକ ସ୍ଥାନରେ ସଠିକ ସମୟରେ  ଖାଦ୍ୟ ମିଳୁନଥିବା ବେଳେ ଯେଉଁଠି ବି ମୁଢି ,ବୁଟ ପ୍ରଦାନ କରାଯାଇଛି ତାହା ନିର୍ଦ୍ଧାରିତ ଓଜନ ଠାରୁ ବହୁତ କମ୍ ରହୁଛି ।

ବୁଟ ପ୍ୟାକେଟରେ ନା ରହୁଛି ଓଜନର ପରିମାଣ ନା ରହିଛି ତାରିଖ । କେବଳ ବୁଟ ନୁହେଁ ଛତୁଆ, ସୁଜି, ମୁଢି ଆଦି ପ୍ୟାକେଟର ଓଜନ ନିର୍ଦ୍ଧାରିତ ଓଜନ ଠାରୁ ବି କମ ରହୁଛି । ଯାହା ପ୍ୟାକେଟ ଓଜନର ସତ୍ୟତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏସବୁ ଯାଞ୍ଚ କରିବାକୁ ପ୍ରତି ୨୦ରୁ ୨୫ ଟି ଅଙ୍ଗନବାଡି କେନ୍ଦ୍ରରେ ଜଣେ ଜଣେ ସୁପରଭାଇଜର ରହିଛନ୍ତି । ହେଲେ ସେମାନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଯୋଜନାକୁ ବାଟବଣା କରି ଅର୍ଥ ହଡପ କରିବାରେ ଉପରଠୁ ତଳ, ସବୁ ଲାଗି ପଡିଥିବା ନେଇ ଅଭିଯୋଗ ହେଇଛି ।

ମହୁଆ ମୈତ୍ରଙ୍କ ଉପରେ ରାଗିଲେ ବାଚସ୍ପତି ! କହିଲେ ତୁମେ ମୋତେ ଡାଇରେକ୍ସନ ଦେବ କି?

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ବଜେଟ ଉପରେ ଆଲୋଚନା ହେଉଥିବାବେଳେ ସାଂସଦ ମହୁଆ ମୈତ୍ରଙ୍କ ବୟାନ ବାଚସ୍ପତି ଓମ ବିର୍ଲାଙ୍କୁ ରାଗ ଆସିଥିଲା । କହି ରଖୁଛୁ କି, ଗୃହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା ଉଠିଥିଲା । ଯାହାକୁ ନେଇ ଟିମଏସି ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ପରେ ବିଜେପି ସାଂସଦ ଗୃହରେ ମମତାଙ୍କୁ ନେଇ ଏକ ବୟାନ ଦେଇଥିଲେ ।

ଏହାପରେ ଗୃହରେ ହୋହଲ୍ଲା ଦେଖା ଦେଇଥିଲା । ପରେ ବାଚସ୍ପତି ରାଗିବା ସହ କହିଥିଲେ କି, ଯିଏ ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ । କିନ୍ତୁ ଟିଏମସି ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ଏବଂ ମହୁଆ ମୈତ୍ର ବିଜେପି ସାଂସଦଙ୍କ ସସପେଣ୍ଡ ଡିମାଣ୍ଡ ରଖିଥିଲେ । ଏହାପରେ ବାଚସ୍ପତି ରାଗି ଯାଇ କହିଥିଲେ କି, ତୁମେ କଣ ମୋତେ ଡାଇରେକସନ ଦେବ । ଏହାପରେ ଅଭିଶେକ ବାନାର୍ଜୀ କହିଥିଲେ କି, ମମତା ଯଦି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ବିଷୟରେ ଯଦି ବିଜେପି ସାଂସଦ ଉଠାଇଛନ୍ତି ତାହେଲେ ସେ କ୍ଷମା ମାଗିବା ଉଚିତ । ତେବେ ଏହାକୁ ନେଇ ପୁଣିଥରେ ଓମ ବିର୍ଲା କହିଥିଲେ କି, ତୁମେ ମୋତେ ଡାଇରେକ୍ସନ ଦିଅ ନାହିଁ ।

ଦୁର୍ଘଟଣାର ହବ୍ ପାଲଟିଛି ଢେଙ୍କାନାଳ ଜିଲ୍ଲା, ଏନଏଚ-୫୫ ପାଲଟିଛି ମରଣ ଜନ୍ତା

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳର ଏନଏଚ-୫୫ ପାଲଟିଛି ମରଣ ଜନ୍ତା । ଅଢେଇ ବର୍ଷରେ ଗଲାଣି ହଜାରେ ରୁ ଅଧିକ ଜୀବନ । ରାସ୍ତା ଅବସ୍ଥା ଏମିତି ଯେ ଗାଡି ତ ଗାଡି ଚାଲିକି ଯିବା ବି ମୁସ୍କିଲ୍ । ଆନ୍ଦୋଳନ,ରାସ୍ତାରୋକୋ,ଧାରଣା,ବିକ୍ଷୋଭ ପରେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ସବୁଠାରୁ ବଡକଥା ହେଲା ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ସବୁଠାରୁ କଦର୍ଯ୍ୟ ହୋଇପଡେ । ଗୋଟିଏ ପଟେ ଏନଏଚ-୫୫ କାର୍ଯ୍ଯରେ ଶିଥିଳତା ଆଉ ଅନ୍ୟପଟେ ଜିଲ୍ଲା ପ୍ରଶାସନ,ଆଞ୍ଚଳିକ ପରିବହନ ବିଭାଗ ଓ ଏନଏଚ ବିଭାଗର ଅପାରଗତା ଏହି ସମସ୍ୟାକୁ ଦୁଇ ଗୁଣିତ କରିଛି। ଯାହାକୁ ନେଇ ଏବେ ରାଜରାସ୍ତାରେ ଦେଖିବାକୁ ମିଳୁଛି ରକ୍ତର ଛିଟା ।

ଦୁର୍ଘଟଣାର ହବ୍ ପାଲଟିଛି ଢେଙ୍କାନାଳ ଜିଲ୍ଲା। ଅଢେଇ ବର୍ଷରେ ଗଲାଣି ୧ ହଜାର ୭୭ରୁ ଅଧିକ ଜୀବନ। ପ୍ରତ୍ଯେକ ଦିନ ଗଡୁଛି ଅନେକ ମୁଣ୍ଡ । ଏହା ଭିତରେ ଅନେକ ଯାତ୍ରୀ ହୋଇ ଯାଇଛନ୍ତି ଅକର୍ମଣ୍ଯ । ପ୍ରତିଦିନ ନୀରିହ ଲୋକଙ୍କ ଜୀବନ ଯାଉଛି ।  କେତେ ଯେ ପିଲା ଅନାଥ ହୋଇଯାଇଛନ୍ତି ତାହା ହିସାବ ଦେଖିଲେ ଆପଣ ହୋଇଯିବେ ତାଯୁବ। କ୍ଷତିପୂରଣ, ଆଶ୍ଵାସନା, ଆଉ ତାପରେ ଯଥା ପୂର୍ବମ ତଥା ପରମ। ଏକଥା ଆମେ କହୁନୁ ଏକଥାକୁ ନିଜେ ସ୍ପଷ୍ଟ କରିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ।  ନଜର ପକାନ୍ତୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦେଇଥିବା ଦୁର୍ଘଟଣା ତାଲିକା ଉପରେ।

ଜିଲ୍ଲାରେ ଦୁର୍ଘଟଣା ରୋକିବା ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛନ୍ତି ସ୍ୱତନ୍ତ୍ର ଅଫିସର। ରାସ୍ତାରେ ମଦ ପି ଗାଡ଼ି ଚଳାଇବା ,ଦୃତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରିବା, ହେଲମେଟ ଯାଞ୍ଚ କରିବା ଓ ଦୁର୍ଘଟଣା କିପରି ନହେବ ସେ ନେଇ ସ୍ଵତନ୍ତ୍ର ଟିମ ଧ୍ଯାନ ଦେବା କଥା କିନ୍ତୁ ଯାଞ୍ଚ ଆଳରେ ଅଧିକାରୀଙ୍କର କିଛି ଅଲଗା କାର୍ଯ୍ୟ ରହିଛି । ସେହିପରି ଦୁର୍ଘଟଣା ରୋକିବାକୁ ଜିଲ୍ଲାରେ ପ୍ରସ୍ତୁତ ହୋଇଛି ସଡକ ସୁରକ୍ଷା ଟିମ୍ । ଯାହା ପ୍ରତ୍ୟେକ ମାସରେ ଗୋଟିଏ ଥର ହେବା କଥା।

ଯେଉଁଥିରେ ଏନଏଚ ବିଭାଗ, କମିଟି ସଦସ୍ୟ, ଜିଲ୍ଲା ଏସପି ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ  ଅଧିକାରୀ ଉପସ୍ଥିତ ରହି ଦୁର୍ଘଟଣାର କାରଣ ଉପସ୍ଥାପନା କରିବା ସହିତ କିପରି ଦୁର୍ଘଟଣା ନହେବ ତାର ଉପରେ ଦୃଷ୍ଟି ଦେବା କଥା । ହେଲେ ବୈଠକ ପ୍ରତ୍ୟେକ ମାସରେ ନହେବା ଓ ବୈଠକରେ ଅଧିକାରୀ ମାନେ ନ ଯୋଗ ଦେବା ସଡ଼କ ସୁରକ୍ଷା ନିୟମକୁ ଉଲଘଂନ କରିବା ସହିତ କାଗଜ କଲମରେ ହିଁ କେବଳ ଦୁର୍ଘଟଣା ରୋକିବା ପାଇଁ ବ୍ୟବସ୍ଥା ଚାଲିଥିବା କଥା ସ୍ପଷ୍ଟ ହୋଇଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଡ଼କ ସୁରକ୍ଷା କମିଟି ସଦସ୍ୟ ରତନ କୁମାର ନାୟାର। ଏପଟେ ଏ ସମ୍ପର୍କ ରେ ଜିଲ୍ଲା ପରିବହନ ଅଧିକାରୀ କହୁଛନ୍ତି ଆମେ ସଚେତନା କରୁଛୁ। ଯଦି ସଚେତନା ହେଉଛି ତ କାହିଁକି ପ୍ରତ୍ୟେକ ଦିନ ରାସ୍ତାରେ ମୁଣ୍ଡ ଗଡୁଛି କାହିଁକି।

 

ଜଗନଙ୍କ ସପକ୍ଷରେ ଇଣ୍ଡିଆ ମେଣ୍ଟର ନେତା

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରଖିଛନ୍ତି । ଟିଡିପି ସରକାର ଆକ୍ରମଣାତ୍ମକ ରାଜନୀତି କରିବା ସହ ରାଜ୍ୟରେ ହିଂସା ଖେଳାଉଥିବା ପ୍ରତିବାଦରେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଇଣ୍ଡିଆ ମେଣ୍ଟର ବହୁ ନେତା ଜଗନମୋହନଙ୍କୁ ଭେଟିବା ସହ ତାଙ୍କର ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏସପି ମୁଖ୍ୟ ଅଖିଳେଶ ଯାଦବ, ରାମଗୋପଲ ଯାଦବ, ସଞ୍ଜୟ ରାଓତ, ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ଭେଟିଛନ୍ତି । ଏହାସହ ଟିଏମସି ଏବଂ ଆପର ବହୁ ନେତା ମଧ୍ୟ ତାଙ୍କ ସହ ଭେଟିଛନ୍ତି । ଇଣ୍ଡିଆ ମେଣ୍ଟରେ ମିଶିବା ପାଇଁ ଅନୁରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଛି । କହି ରଖୁଛୁ କି, ୟାଏସଆର କଂଗ୍ରେସର ୧୫ ଜଣ ସାଂସଦ ରହିଛନ୍ତି ।

କବଚ ପ୍ରଣାଳୀକୁ ନେଇ କ’ଣ କହିଲେ ଅଶ୍ୱିନୀ ବୈଷ୍ଣବ

ନନ୍ଦିଘୋଷ ବ୍ୟୁରୋ: ପୂର୍ବ ସରକାର କବଚ ପ୍ରଣାଳୀକୁ ଗୁରୁତ୍ୱ ଦେଉନଥିଲେ । ମୋଦି ସରକାର ଆସିବା ପରେ ଏହାକୁ ଗୁରୁତ୍ୱ ଦିଆଯାଇଥିଲା । କୋଭିଡ୍ ସମୟରେ ଏହାକୁ ନେଇ ଅଧିକ କାମ ହୋଇଥିଲା । ବର୍ତ୍ତମାନ କବଚ ୪.୦ ଆସିଛି । ବିଭିନ୍ନ ପ୍ରକାରର ପରିସ୍ଥିତିକୁ ଦୃଷ୍ଟିରେ ରଖି କବଚ ୪.୦କୁ ବିକଶିତ କରାଯାଇଛି । କିଛି ବଡ଼ ଓ ଧନୀ ରାଷ୍ଟ୍ରରେ ଏହା ଗତ ୨୦ ବର୍ଷ ଧରି  ବ୍ୟବହୃତ ହୋଇ ଆସୁଛି । ଏହାକୁ ଟ୍ରାକ୍ ସହିତ ଲଗାଯାଇଥାଏ । ପ୍ରତି ଷ୍ଟେଶନରେ ଗୋଟିଏ ଡାଟା ସେଣ୍ଟର ରହିଥାଏ । ଏହା ସହିତ ଟ୍ରେନରେ କବଚ ସିଷ୍ଟମ ଲାଗିଥାଏ । କବଚ ଏକ ଜଟିଳ ପ୍ରଣାଳୀ । ଏହାକୁ ସ୍ୱଳ୍ପ ସମୟରେ ବିକଶିତ କରାଯାଇଛି । ବହୁତ କମ ସମୟ ଭିତରେ ଏହାକୁ ଦେଶ ବ୍ୟାପୀ ଲାଗୁ କରାଯିବ ।

ବିଜେପି ଉପରେ ବର୍ଷିଲେ ବରିଷ୍ଠ ନେତା ସୁର ରାଉତରାୟ

ନନ୍ଦିଘୋଷ ବ୍ୟୁରୋ: ବିଜେପି ଉପରେ ବର୍ଷିଲେ ବରିଷ୍ଠ ନେତା ସୁର ରାଉତରାୟ। ସେ କହିଛନ୍ତି, ବିଜେପି ନେତାମାନେ ବାରମ୍ବାର ଶସ୍ତା ମନ୍ତବ୍ୟ, ଫାଲତୁ ମନ୍ତବ୍ୟ ଦେଉଛନ୍ତି। କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ଟଙ୍କାଟିଏ ନାହିଁ। ସ୍ପେସାଲ ପ୍ୟାକେଜ କୁଆଡେ ଗଲା। ପୋଲାଭରମ କରି କଣ ଓଡ଼ିଶା ବୁଡାଇବ କି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି। ବିହାର ଆଉ ଆନ୍ଧ୍ର ୧୦-୧୫ ଏମପି ଦେଇଛନ୍ତି। ଆମେ ୨୦ ଏମପି ଦେଇଛୁ, କିନ୍ତୁ ବିଜେପି ବଜେଟରେ ଆମକୁ କିଛି ଦେଇ ନାହିଁ। ପର୍ଯ୍ଯଟନର ବିକାଶ କରାଯିବ ବୋଲି ବଜେଟରେ ଘୋଷଣାକୁ ନେଇ ସୁର କହିଛନ୍ତି, ତୁମେ କଣ ଏଠାରେ ପର୍ଯ୍ୟଟନର ଉନ୍ନତି କରିବ। ଆମର ଏଠି ପୂର୍ବରୁ ପର୍ଯ୍ଯଟନସ୍ଥଳୀ ଅଛି। ଓଡି଼ଶାରୁ ୨୦ଟି ଏମପି ନେଇ ଓଡ଼ିଶାକୁ ବିଜେପି ଧୋକା ଦେଇଛି ବୋଲି କହିଛନ୍ତି ସୁର ରାଉତ ରାୟ।

ଭବାନୀ ଶଙ୍କର ଭୋଇ ନୂଆ ଉପବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଭବାନୀ ଶଙ୍କର ଭୋଇ ହେଲେ ବିଧାନସଭାର ନୂଆ ଉପବାଚସ୍ପତି । ସର୍ବସମ୍ମତିକ୍ରମେ ସେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ ଏବଂ ୨୦୨୪ରେ ଲଗାତାର ତଳସରା ନିର୍ବାଚନ ମଣ୍ଡଳିରୁ ସେ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ଉପବାଚସ୍ପତି ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ । ଭବାନୀ ଶଙ୍କର ଭୋଇଙ୍କୁ ଉପବାଚସ୍ପତି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝା ଗୃହରେ ପ୍ରସ୍ତାବ ରଖିଥିଲେ । ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ ଜଣାଇଥିଲେ । ପରେ ସର୍ବସମ୍ମତିକ୍ରମେ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇଙ୍କ ନାଁକୁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ । ଗୃହରେ ଭବାନୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଦାୟିତ୍ୱ ଠିକ ଭାବେ ନିର୍ବାହ କରିବେ ବୋଲି ନବୀନ ଆଶା ରଖିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ଯ ଭବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

୨୦୨୭ ବିଶ୍ବକପରେ ବିରାଟ ଏବଂ ରୋହିତ ଖେଳିବାକୁ ନେଇ ଏମିତି କହିଲେ ଶ୍ରୀକାନ୍ତ

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ । ନିଜର ୟୁଟ୍ୟୁବ ଚ୍ୟାନେଲ ବିବାଦୀୟ ପ୍ରତିକ୍ରିୟା ରଖି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତେବେ ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଜାତୀୟ ଗଣମାଧ୍ୟମରେ କହିଥିଲେ କି, ବିରାଟ କୋହଲି ଏବଂ ରୋହିତ ଶର୍ମା ଯେତେଦିନ ଫିଟ୍ ରହିବେ ସେମାନେ ଦଳରେ ଖେଳିପାରିବେ । ଏପରିକି ସେମାନେ ୨୦୨୭ ଦିନିକିଆ ବିଶ୍ବକପ ମଧ୍ୟ ଖେଳିପାରନ୍ତି । ତେବେ ଏହାକୁ ନେଇ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ କରି ଶ୍ରୀକାନ୍ତ କହିଛନ୍ତି କି, ୨୦୨୭ ବିଶ୍ବକପ ଖେଳିଲେ ରୋହିତ ବେହୋସ ହୋଇଯିବେ । ବିରାଟ କୋହଲି ହେଉଛନ୍ତି ଜଣେ ଚାମ୍ପିୟନ ଖେଳାଳି ସେ ହୁଏତ ଖେଳିପାରନ୍ତି କିନ୍ତୁ ରୋହିତ ଖେଳିପାରିବେ ନାହିଁ । ରୋହିତଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ।

ରୋହିତଙ୍କ ଫିଟନେସକୁ ନେଇ ଶ୍ରୀକାନ୍ତ ଏବଂ ତାଙ୍କ ପୁଅ ଭିଡିଓରେ ହସୁଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ ମଧ୍ୟ କରୁଛନ୍ତି । ଶ୍ରୀକାନ୍ତ ୟୁଜର୍ସମାନେ କମେଣ୍ଟ କରୁଥିବାବେଳେ ତାଙ୍କୁ ଗାଳି ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା କିଛି ନୂଆ ନୁହେଁ ଆଇପିଏଲ ୨୦୨୪ ସମୟରେ ମଧ୍ୟ ରୋହିତଙ୍କୁ ନେଇ ଏଭଳି କିଛି ଭିଡିଓ କରିଥିଲେ ଶ୍ରୀକାନ୍ତ ।

ଓଡ଼ିଶାକୁ ଅଧିକ ଅନୁଦାନ ମିଳିଛି : ଅଶ୍ବିନୀ ବୈଷ୍ଣବ

ନନ୍ଦିଘୋଷ ବ୍ୟୁରୋ: ରେଳ ବଜେଟକୁ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରେସମିଟ୍ । ଓଡ଼ିଶା ପାଇଁ ରେକର୍ଡ୍ ଆଲୋକେସନ ହୋଇଛି । ୧୦ ହଜାର ୫୮୬ କୋଟି ଟଙ୍କା ଆବଣ୍ଟନ ହୋଇଛି । ୟୁପିଏ ସମୟରେ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ୧୨ ଗୁଣ ଅଧିକ ଅର୍ଥ ରେଳ ବଜେଟରେ ଆବଣ୍ଟନ ହୋଇଛି । ଓଡ଼ିଶାରେ ୪୦ ପ୍ରକଳ୍ପ ବର୍ତ୍ତମାନ ଚାଲିଛି । ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ବିକାଶ ହେବ । ଓଡ଼ିଶାରେ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି ।

ଅନଗୁଳ,ବାଦାମପାହାଡ,ବରପାଲି,ବେଲପାହାଡ଼,ବେତନଟି,ଭୁବନେଶ୍ୱର,ନୂଆଭୁବନେଶ୍ୱର,ଛତ୍ରପୁର,ବ୍ରହ୍ମପୁର,ଜଳେଶ୍ୱର,ଜୟପୁର,ଝାରସୁଗୁଡା,କେସିଙ୍ଗା,ଖୋର୍ଦ୍ଧା ରୋଡ୍,ମେରାମୁଣ୍ଡଳି,ପାରାଦିପ,ରେଢାଖୋଳ,ରାଇରଙ୍ଗପୁର,ସାକ୍ଷୀଗୋପାଳ,ସମ୍ବଲପୁର,ସମ୍ବଲପୁର ରୋଡ୍ ଷ୍ଟେଶନକୁ ଅମୃତଭାରତ ଅନ୍ତର୍ଗତରେ ପରିବର୍ତ୍ତନ ହେବ । ୪୨୭ ଫ୍ଲାଏଓଭର ଓ ଅଣ୍ଡରପାସ୍ ତିଆରି ହୋଇଛି । ପ୍ରାୟ ପ୍ରତିଦିନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ପ୍ରଗତି ହେଉଛି ।

ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ପୁରୀରେ ପହଁଚି ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର କଣ କେଉଁଠି ରହିଛି ତାର ଉତ୍କଣ୍ଠା ଭକ୍ତଙ୍କ ମଧ୍ୟରେ ନରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ତେବେ ରତ୍ନଭଣ୍ଡାରର ଭିତର ଭଣ୍ଡାରରୁ ବାହାରିଥିବା ଅଳଙ୍କାର ଗୁଡିକର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି ।

ସେପଟେ ୟୁଟ୍ୟୁବର୍ସଙ୍କ ଉପରେ ମିଥ୍ୟା, ମନଗଢ଼ା ଖବର ପରିବେଷଣ ପାଇଁ ବର୍ଷିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ମୁଖ୍ୟ ବିଶ୍ବନାଥ ରଥ  । ସେ କହିଛନ୍ତି ସଢ଼ା ଖବର ପରିବେଶଣ କରୁଛନ୍ତି କିଛି ୟୁଟ୍ୟୁବର । ରତ୍ନଭଣ୍ଡାର ନାମରେ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ।

ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ମରାମତି ପାଇଁ ହସ୍ତାନ୍ତର କରିବ । ଯେବେ ମରାମତି ପାଇଁ ଏଏସଆଇ ଚାହିଁବ ସେବେ ଆମେ ସମୀକ୍ଷା ଓ ରିପୋର୍ଟ ପ୍ରସ୍ତୁତ ପରେ ଏଏସଆଇକୁ ହସ୍ତାନ୍ତର କରାଯିବ । ମହାପ୍ରଭୁ ରଥରେ ଥିବା ବେଳେ ଆମେ ଦର୍ଶନ କରି ଅନୁମତି ନେଇ ରତ୍ନଭଣ୍ଡାର ଖୋଲିଥିଲୁ ।

ଏବେ ମହାପ୍ରଭୁ ଶ୍ରୀମନ୍ଦିରରେ ଥିବାରୁ ତାଙ୍କର ଦର୍ଶନ କରି ଆଗକୁ କିଭଳି କାର୍ଯ୍ୟ କରିବୁ ସେ ନେଇ ଆଶୀର୍ବାଦ ନେଇଥିବା କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ସେପଟେ ରତ୍ନଭଣ୍ଡାର ଭିତର ଅଳଙ୍କାର ଗଣତି ମଣତି ପାଇଁ ଟିମ ଚୟନ କରୁଛନ୍ତି ରାଜ୍ୟ ସରକାର । ଆଉ ତାହା ଭିତର ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ବୋଲି କହିଛନ୍ତି ଜଷ୍ଟିସ ରଥ । ତେବେ ଅଳଙ୍କାରର ଗଣତି ମଣତି ପରେ ତାଲିକା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।