spot_img
Home Blog Page 1676

ସାନଭାଇ ପରିବାରର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲା ବଡ଼ଭାଇ

ଚଣ୍ଡିଗଡ଼ : ଭାଇ ହନ୍ତା ସାଜିଲା ଭାଇ । ହରିୟାଣାର ଅମ୍ୱାଲା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ସାନଭାଇର ପରିବାରର ୫ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ । ନାରାୟଣଗଡ଼ ଥାନା ଅନ୍ତର୍ଗତ ରତୋ ଗାଁର ଅବସରପ୍ରାପ୍ତ ସେନାଅଧିକାରୀ ଏପରି ନୃଶଂସ କାଣ୍ଡ କରିଛି । ସୂଚନା ଅନୁଯାୟୀ, ରବିବାର ରାତିରେ ହିଁ ସେ ଏହି ହତ୍ୟା କରିବା ପରେ ଶବଗୁଡିକୁ ଜଳାଇବାକୁ ଚେଷ୍ଟା କରିଥିଲା । ସୂଚନା ପାଇ ସ୍ଥାନୀୟ ଏସପି ରାତି ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ରିଟାୟର୍ଡ ସେନାଧିକାରୀ ଭୁଷଣ ନିଜ ସାନଭାଇ, ଭାଉଜ, ୬ମାସର ଭଣଜା, ୫ବର୍ଷୀୟ ଭାଣିଜି ଏବଂ ନିଜ ମାଆଙ୍କୁ ଅତି ନୃଶଂସ ଭାବେ ହତ୍ୟାକରିଛି । ହତ୍ୟା ପରେ ସମସ୍ତଙ୍କୁ ନିଆଁ ଲଗାଇ ଜଳାଇବାକୁ ଚଷ୍ଟା କରିବା ସମୟରେ ବାପା ଓମ୍ ପ୍ରକାଶ ତାଙ୍କୁ ବିରୋଧ କରିଥିଲେ । କିନ୍ତୁ ସେ ବାପାଙ୍କୁ ମାରପିଟ୍ କରି ବେହୋସ କରିଦେଇଥିଲା । ଏହା ପରେ ହତ୍ୟାକାରୀ ଭାଇ ସେଠାରୁ ଫେରାର ହୋଇଯାଇଥିଲା ।

ଆହତ ବାପା ଓମ୍ ପ୍ରକାଶଙ୍କୁ ନାରାୟଣଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଆଉ ଜଣେ ଆହତ ଝିଅକୁ ଚଣ୍ଡିଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନଙ୍କୁ ପୋଷ୍ଟମୋଟମ ପାଇଁ ମେଡିକାଲ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, କକ୍ଷତ୍ଯାଗ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର : ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଆକ୍ରାମଣାତ୍ମକ ଭୂମିକାରେ ବିରୋଧୀ । ରାଜ୍ଯପାଳଙ୍କ ଅଭିଭାଷଣକୁ ବିରୋଧୀଙ୍କ ବିରୋଧ । ଗୃହରେ ଆରମ୍ଭରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନିଜ ଆସନରେ ଛିଡ଼ାହୋଇ ପ୍ରତିବାଦ କରି କକ୍ଷତ୍ଯାଗ କରିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ଯ ପ୍ରତିବାଦରେ କକ୍ଷତ୍ଯାଗ କରିଛନ୍ତି । ରାଜ୍ଯପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ରାଜ୍ଯପାଳଙ୍କ ପୁଅ ଲଳିତ କୁମାର ଓଡ଼ିଆ ଏଏସଓଙ୍କୁ ମାଡ଼ମାରିଥିଲେ । ଏନେଇ ଅଭିଯୋଗ ପରେ ବି ନିଆଯାଇନି କାର୍ଯ୍ୟାନୁଷ୍ଠାନ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେପି ଅସ୍ମିତା କଥା କହି ସରକାରକୁ ଆସିଛି । ହେଲେ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡ଼େଇବା ପରେ ବି ତଦନ୍ତ ହେଉନି । ରାଜ୍ୟପାଳ ଆସି ହିନ୍ଦୀରେ ଅଭିଭାଷଣ ଦେଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡିବ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ତାରା କହିଛନ୍ତି ।

ଆଜିଠୁ ରାଜ୍ଯରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା; ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ରାଜ୍ଯରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ବା ମାଟ୍ରିକ୍ ପରୀକ୍ଷାରେ ଅକୃତକାର୍ଯ୍ୟ ଏବଂ ଅନୁପସ୍ଥିତ ରହିଥିବା ପରୀକ୍ଷାର୍ଥୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ।

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ନିମନ୍ତେ ୯୭୨ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ରାଜ୍ୟରେ ୮୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୧୨୧ ପରୀକ୍ଷା କେନ୍ଦ୍ର କରାଯାଇଛି । ୨୪ ହଜାର ୫୨୦ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ଜଣ ପାସ୍ କରିଥିଲେ।

ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର :  ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ରଜୌରୀ ସେନା କ୍ଯାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ଯମ । ସେନା କ୍ଯାମ୍ପରେ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ । ଭୋର ପ୍ରାୟ ୪ଟା ସମୟରେ ସିକ୍ଯୁରିଟି ପୋଷ୍ଟ ଉପରକୁ ଗୁଳି ଚଳାଇଥିଲେ । ଭାରତୀୟ ସେନାର ଦୃଢ ଜବାବରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନା ବିଫଳ ହୋଇଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଥିବାବେଳେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଯବାନମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ବହୁଚର୍ଚ୍ଚିତ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ ; ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଇଲେକ୍ଟୋରାଲ ବଣ୍ଡ ସ୍କାମର ଏସଆଇଟି ତଦନ୍ତ ପ୍ରସଙ୍ଗ । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ବିଭିନ୍ନ ରାଜନୈତିକ ଦଳଙ୍କୁ କର୍ପୋରେଟ ହାଉସ ଦେଇଥିବା ଚାନ୍ଦା କ୍ଷେତ୍ରରେ ଅନିୟମିତତା ଅଭିଯୋଗ କ୍ରମେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା କେତେକ ମାମଲା । ଇଲେକ୍ଟୋରାଲ ବଣ୍ଡ କ୍ଷେତ୍ରରେ ହୋଇଥିବା ଜାଲିଆତିର ବିଚାର ବିଭାଗ ସୁପରଭିଜନରେ ତଦନ୍ତ ଲାଗି କୋର୍ଟରେ ହୋଇଥିଲା ଆବେଦନ ।

ଏହି ବ୍ଯବସ୍ଥା ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇଥିବା ସହ ଏହା ଅସାମ୍ବିଧାନିକ ବୋଲି ଦର୍ଶାଇ ଗତ ଫେବ୍ରୁଆରୀ ୧୫ରେ ଏହାକୁ ହଟାଇଦେଇଥିଲେ ସୁପ୍ରିମକୋର୍ଟ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି କରିବେ । ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ପିଟିସନର କମନ କଜ ଓ ସେଣ୍ଟର ଫର ପବ୍ଲିକ ଇଣ୍ଟେରେଷ୍ଟ ଲିଟିଗେସନ ବା ସିପିଆଇଏଲ ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ । ପିଟିସନରକାରୀ ଦର୍ଶାଇଥିଲେ ଯେ ୨୦୧୮ରୁ ଚାଲିଆସିଥିବା ଏହି ବ୍ଯବସ୍ଥାରୁ ସ୍ପଷ୍ଟ ହେଉଛି ଯେ ରାଜନୈତିକ ଦଳ, କର୍ପୋରେଟ ହାଉସ, ସରକାରୀ କର୍ମଚାରୀ, ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ମଧ୍ଯରେ ଡୋନେସନ ପରି ଏକ ସାଲିସଯୁକ୍ତ ବ୍ଯବସ୍ଥା ଚାଲିଛି ଯାହାକି ସମ୍ବିଧାନର ଧାରା ୧୪ଓ ଧାରା ୨୧ରୁ ଉଲ୍ଲଂଘନ କରୁଛି ।

ଏହା ସହ ତଦନ୍ତକାରୀ ସଂସ୍ଥା କବଳରୁ ରକ୍ଷା ପାଇବା ତଥା ଅନ୍ଯାନ୍ଯ ସୁବିଧା ଲାଗି ବିଭିନ୍ନ ଘରୋଇ କମ୍ପାନି ପ୍ରୋଟେକ୍ସନ ମନି ବାବେ ରାଜନୈତିକ ଦଳକୁ ଚାନ୍ଦା ଦେବାର ନଜିର ରହିଛି ବୋଲି ପିଟିସନରେ ଦର୍ଶାଯାଇଥିଲା । ଏପରିକି ତିନି ବର୍ଷରେ ପ୍ରାୟ ୨୦ଟି କମ୍ପାନି ବିଭିନ୍ନ ରାଜନୈତିକ ଦଳଙ୍କୁ ୧୦୦ କୋଟି ଟଙ୍କା ଦେଇଛନ୍ତି । ଏହା ସହ ଏହି ଦୁର୍ନୀତି ପ୍ରକ୍ରିୟାରେ ଇଡି, ସିବିଆଇ, ଆଇଟିର ପରୋକ୍ଷ ଭୂମିକା ରହିଛି ବୋଲି ପିଟିସନରକାରୀ ଦର୍ଶାଇଥିଲେ । ଇଲେକ୍ଟୋରାଲ ବଣ୍ଡ ବ୍ଯବସ୍ଥାରେ ଷ୍ଟେଟବ୍ଯାଙ୍କ ଶାଖାରୁ ୧ ହଜାର, ୧୦ ହଜାର, ୧ ଲକ୍ଷ, ୧ କୋଟି ଟଙ୍କାର ବଣ୍ଡ କ୍ରୟ ବ୍ଯବସ୍ଥା ରହିଥିଲା । ବଣ୍ଡର କୌଣସି ଲିମିଟ ନଥିଲା । ଏହି ବ୍ଯବସ୍ଥାରେ ବିଦେଶୀ କମ୍ପାନିଗୁଡିକ ବି ବଣ୍ଡ କ୍ରୟ କରିପାରୁଥିଲେ ।

ମାତ୍ର ଗତ ଫେବ୍ରୁଆରୀ ୧୫ରେ ୫ ଜଣିଆ ଖଣ୍ଡପୀଠ ଏହାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଥିଲେ । ୧୨ ଏପ୍ରିଲ ୨୦୧୯ରୁ କ୍ରୟ କରାଯାଇଥିବା ବଣ୍ଡକୁ ମାର୍ଚ୍ଚ ୬ ସୁଦ୍ଧା ଇସିଙ୍କ ନିକଟରେ ଦାଖଲ କରିବାକୁ ଷ୍ଟେଟବ୍ଯାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ସବୁଠାରୁ ଅଧିକ ୧୩୬୫ କୋଟି ଟଙ୍କା ଚାନ୍ଦା ଦେଇଥିଲା ତାମିଲନାଡୁର ଫ୍ଯୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସ । ଦ୍ବିତୀୟରେ ଥିଲା ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର । ଏହି ସଂସ୍ଥା କେବଳ ବିଜେପିକୁ ଦେଇଥିଲା ୯୬୬ କୋଟି । ତୃତୀୟରେ ଥିଲା ଠାଣେର କ୍ବିକ ସପ୍ଲାଏ ଚେନ ।

ଆଜି ସୁପ୍ରିମ କୋର୍ଟରେ ହେବ ନିଟ-ୟୁଜି ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ-ୟୁଜି ମାମଲାରେ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି। ଶୁଣାଣି ବେଳେ ବିହାର ପୋଲିସ ଓ ଇଓଡବ୍ଲୁ ରିପୋର୍ଟ ଦେଖିବାକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ। ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନ୍ଯାସନାଲ ଟେଷ୍ଟିଂ ଏଜେନସି ବା ଏନଟିଏ ଓ୍ବେବସାଇଟରେ ଅପଲୋଡ ହୋଇଥିଲା ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ । ସହରଓ୍ବାରୀ ଓ କେନ୍ଦ୍ରଓ୍ବାରୀ ଏହି ତଥ୍ଯ ଅପଲୋଡ କରାଯାଇଥିଲା । ତେବେ ପ୍ରାର୍ଥୀଙ୍କ ପରିଚୟ ଗୋପନ ରଖାଯାଇଛି ।

ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ନିଟ ପରିଚାଳନାରେ ସେପରି କିଛି ଅନିୟମିତତା ହୋଇଥିବାର ନଜିର ନ ଆସିଲେ ରିଟେଷ୍ଟ ହୋଇପାରିବ ନାହିଁ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମାର୍କ କେନ୍ଦ୍ରଓ୍ବାରୀ ପ୍ରକାଶ କରାଯାଇ ନଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ବି ବିଭିନ୍ନ କାରଣରୁ ପ୍ରକାଶ କରି ନଥିଲା ଏନଟିଏ । ପରୀକ୍ଷାରେ ସ୍ବଚ୍ଛତା ଲାଗି ଏନଟିଏ ଓ୍ବେବସାଇଟରେ ନିଟ-ୟୁଜି ଫଳ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଗଲେ ବାଇଡେନ

ଓ୍ୱାଶିଂଟନ : ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ସେ ଓହରି ଯାଇଛନ୍ତି। ଡେମୋକ୍ରାଟିକ ଦଳ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଏହି ନିଷ୍ପତ୍ତି ଜଣାଇଛନ୍ତି ବାଇଡେନ୍ । ବାଇଡେନ କହିଛନ୍ତି, ଦଳ ଏବଂ ଆମେରିକାର ବୃହତ୍ ସ୍ବାର୍ଥ ଦୃଷ୍ଟିରୁ ରାଷ୍ଟ୍ରପତି ଦୌଡ଼ରୁ ଓହରିଯାଉଛି। ଏଥିସହିତ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ସେ ଉପରାଷ୍ଟ୍ରପତି କମଳା ହାରିସ ନାଁ ସୁପାରିସ କରିଛନ୍ତି।

ବାଇଡେନ ନିର୍ବାଚନରୁ ଓହରିଯିବାକୁ ଦଳର ବରିଷ୍ଠ ନେତାମାନେ ସପ୍ତାହେ ହେଲା ପ୍ରବଳ ଚାପ ସୃଷ୍ଟି କରୁଥିଲେ। ଏପରିକି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ବାଇଡେନ ଓହରିଯାଆନ୍ତୁ ବୋଲି ଖୋଲାଖୋଲି ବୟାନ ଦେଇଥିଲେ । ତେବେ ବାଇଡେନଙ୍କୁ ତାଙ୍କ ପରିବାର ସଦସ୍ୟ ଓ ବରିଷ୍ଠ ନେତା ମିଳିତ ଭାବେ ନିର୍ବାଚନ ଦୌଡ଼ରୁ ଓହରିଯିବାକୁ ପରାମର୍ଶ ଦେବାପରେ ସେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏବେ ଦେଶରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତତା ବୃଦ୍ଧି ପାଇବାରେ ଲାଗିଛି । ଗୁଳିମାଡ଼ ଘଟଣା ତାଙ୍କ ପ୍ରତି ସମବେଦନାର ଲହର ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଇଡେନ ଟ୍ରମ୍ପ୍ଙ୍କୁ ଆଉ ମୁକାବିଲା କରିବା ସ୍ଥିତିରେ ନାହାନ୍ତି ବୋଲି ନିଜ ଦଳର ଅନେକ ନେତା ବୟାନ ଦେଇଥିଲେ । ଏହାଛଡ଼ା ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବାଇଡେନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିଲା । ସେ ମଞ୍ଚରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଥିବା ନଜିର ରହିଥିଲା । ଗତ ଜୁନ୍ ମାସରେ ବିତର୍କରେ ବାଇଡେନଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା ।ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ଲାଗି ବାଇଡେନଙ୍କ ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି ଟ୍ରମ୍ପ । ସେ କହିଛନ୍ତି ନିର୍ବାଚନରେ ଏବେ କମଳା ହାରିସଙ୍କୁ ହରାଇବା ସହଜ ହେବ।

କାହିଁକି ଓହରିଲେ ବାଇଡେନ :

୮୧ ବର୍ଷ ବୟସ୍କ ବାଇଡେନଙ୍କୁ ନେଇ ଡେମୋକ୍ରାଟିକ ଦଳରେ ଥିଲା ଅସନ୍ତୋଷ । ଦେଶରେ ଅତ୍ଯଧିକ ମୁଦ୍ରାସ୍ଫୀତି କାରଣରୁ ବାଇଡେନ ଲୋକପ୍ରିୟତା ହରାଇଥିଲେ । ବୟସ ଓ ମାନସିକ ସୁସ୍ଥତା ପ୍ରସଙ୍ଗରେ ବିଭିନ୍ନ ମହଲରୁ ସେ ଟାର୍ଗେଟରେ ଥିଲେ । ଇସ୍ରାଏଲ-ହମାସ ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ରୋଷର ଶିକାର ହୋଇଥିଲେ। ଏହାଛଡ଼ା ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ଯ ପ୍ରତ୍ଯାହାର ଘଟଣା ନେଇ ନିନ୍ଦିତ ହୋଇଥିଲେ । ଜୁନରେ ହୋଇଥିବା ବିତର୍କରେ ଦଳୀୟ ଶିବିରରେ ହୋଇଥିଲେ ଭର୍ତ୍ସିତ ହୋଇଥିଲେ ବାଇଡେନ ।ପବ୍ଲିକ ପଲିସି ପୋଲିଂ ପକ୍ଷରୁ ବାଇଡେନଙ୍କ ବିପକ୍ଷରେ ରହିଥିଲା ରିପୋର୍ଟ ।ଡେମୋକ୍ରାଟିକ ଦଳର ସାଂସଦମାନେ ତାଙ୍କ ସପକ୍ଷରେ ନଥିଲେ । କୋଭିଡରେ ପୀଡିତ ପରେ ବାଇଡେନଙ୍କ ସ୍ବାସ୍ଥ୍ଯକୁ ନେଇ ସସପେନ୍ସ ଘନୀଭୂତ ହୋଇଥିଲା ।

ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବପୀଠ, ମନ୍ଦିରରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ସକାଳୁ ସକାଳୁ ଶୈବପୀଠରେ ମନସ୍କାମନା ପୂରଣ ଲାଗି ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିର ସମେତ ଅନ୍ଯାନ୍ଯ ଶୈବପୀଠରେ ଶ୍ରଦ୍ଧାଳୁ ପାଣି ଢାଳୁଛନ୍ତି ।

ଚଳିତବର୍ଷ ମୋଟ ୫ ପାଳିରେ କାଉଡ଼ିଆ ବ୍ରତ ପାଳନ କରିବେ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିଛି ।

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ଯରେ ନୂଆ ସରକାର ଆଣିବେ ପ୍ରଥମ ବଜେଟ । ଅଧିବେଶନରେ ରହିଛି ମୋଟ ୨୭ଟି କାର୍ଯ୍ୟ ଦିବସ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଗୃହକୁ ମୁଲତବି କରାଯିବ ।

ଆସନ୍ତା ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଗୃହରେ ଉପସ୍ଥାପନ ହେବ  । ଏଥର ବି ବଜେଟ ଆକାର ବୃଦ୍ଧି ପାଇବ  ଲମ୍ୱା ସମୟର ବଜେଟ ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି  । ପ୍ରଥମ ଥର ପାଇଁ ବିଜେପି ଗୃହରେ ଶାସକ ଦଳ ଓ ବିଜେଡି ବିରୋଧୀ ଦଳର ଭୂମିକାରେ ଦେଖିବାକୁ ମିଳିବ । ବିରୋଧୀ ଭାବେ ସରକାରଙ୍କୁ ଘେରିବାକୁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଲୋକଙ୍କ ପାଇଁ ଲଢେଇ କରିବାକୁ ବିଜେଡି ବିଧାୟକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ।

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ; ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଜାତୀୟ ଅର୍ଥନୀତିର ରିପୋର୍ଟ କାର୍ଡ ନେଇ ଭିଜନ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆସନ୍ତାକାଲି ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ହେବ ଆଗତ। ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ନୂଆ ଯୋଜନା, ନୂଆ ଆର୍ଥିକ ନୀତି ଆଦି ଉପରେ ଫୋକସ କରିବେ ନିର୍ମଳା। ଏହା ସହ ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ଥାନ ପାଇବ।

ଗତ ଏପ୍ରିଲରେ ୨୦୨୫ ବର୍ଷ ଲାଗି ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୭ ପ୍ରତିଶତ ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦର୍ଶାଇଥିବାବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ଯ ଏହି ରିପୋର୍ଟରେ ହେବ ସ୍ପଷ୍ଟ। ଏହି ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଆଇନର ସଂଶୋଧନ ସମେତ ୬ଟି ନୂଆ ବିଲ୍ ଆସିବ। ଚଳିତ ଅଧିବେଶନରେ ଆର୍ଥିକ ବିଲ୍, ଭାରତୀୟ ବାୟୁଯାନ ବିଧେୟକ, ବଏଲର୍ସ ବିଲ୍, କଫି ପ୍ରମୋସନ ଓ ବିକାଶ ବିଲ୍, ରବର ପ୍ରମୋସନ ଓ ବିକାଶ ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ସଂସଦ ଅଧିବେଶନ ସୁପରିଚାଳନା ଲାଗି ଗତକାଲି ବସିଥିଲା ସର୍ବଦଳୀୟ ବୈଠକ।