spot_img
Home Blog Page 1684

ନବୀନ ଦେଲେ ଗୁରୁମନ୍ତ୍ର, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର: ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି । ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ । ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବଜେଟ ଅଧିବେଶନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନଅ ରାଜ୍ଯସଭା ସାଂସଦ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ସାଂସଦଙ୍କ ଅନୁରୋଧ କ୍ରମେ ନବୀନ ପଟ୍ଟନାୟକଙ୍କୁ ଦଳର ରାଜ୍ଯସଭା ସଂସଦୀୟ ଦଳ ଅଧ୍ଯକ୍ଷ ଭାବେ ନିର୍ବାଚିତ କରାଯାଇଛି ।

ବୈଠକରେ ସଂସଦରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ଯବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲଢେଇ କରିବାକୁ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯ ମାନ୍ଯତା, ଆଦିବାସୀ କଲ୍ଯାଣ, ମହିଳା ସଶକ୍ତିକରଣ, ଚାଷୀଙ୍କ ଉନ୍ନତି ପାଇଁ ଦଳ ଲଢେଇ କରିବ । ଅବହେଳିତ ଜାତୀୟ ରାଜପଥ, କୋଇଲା ରୟାଲଟି ବୃଦ୍ଧି, ମହିଳା ସଂରକ୍ଷଣ ବିଲ ଲାଗୁ ପ୍ରସଙ୍ଗ ମଧ୍ଯ ଗୃହରେ ଉଠାଇବ ଦଳ । ସବୁ ପ୍ରସଙ୍ଗରେ ସୁଦୃଢ ବିରୋଧୀ ଦଳ ଭାବରେ ବିଜେଡି ସଂସଦରେ ସବୁ ପ୍ରସଙ୍ଗକୁ ଉପସ୍ଥାପନ କରିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଓ ଯୁକ୍ତିଯୁକ୍ତ ଦାବିକୁ ଉପସ୍ଥାପନ କରାଯିବ ବୋଲି ସାଂସଦଙ୍କୁ ନବୀନ ପରାମର୍ଶ ଦେଇଛନ୍ତି ।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଘଟଣା, ୧୨ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର: ଥମୁନି ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିବା ଝଡ଼ । ଘଟଣାର ୧୨ ଦିନ ପରେ ବି ପୋଲିସ ଓ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଏଏସଓଙ୍କୁ ନ୍ୟାୟ ଦେବା ଦାବିରେ ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ ଓ ବିଭିନ୍ନ ସଂଗଠନ । ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ଦାବି କରି ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ବିଜେଡି ମଧ୍ୟ ଦାବି ସହ ନିଜର ସ୍ବର ମିଳାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଏଏସଓଙ୍କୁ ନିସ୍ତୁକ ମାଡ଼ମାରି ଲୌହୁଲୁହାଣ କଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଓ ୫ ସହଯୋଗୀ । ଏହାରି ଭିତରେ ଘଟଣାକୁ ୧୨ ଦିନ ବିତିଲାଣି । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ସହ ଏଏସଓଙ୍କୁ ନ୍ଯାୟ ଦେବାକୁ ଦାବି କରୁଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ରାଜରାସ୍ତାରେ ଜୋରଦାର ହେଉଛି ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି । ତଥାପି ଚୁପ ପୋଲିସ ପ୍ରଶାସନ, ଚୁପ୍ ରାଜ୍ୟ ସରକାର । ଏଏସଓଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ରାଜ୍ୟ ସରକାର ତାଙ୍କୁ ବଦଳି କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ । ରାଜଧାନୀର ରାଜମହଲ ଛକରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଦଳ ରାଜ୍ୟପାଳଙ୍କୁ ସିଧା ସିଧା ପ୍ରଶ୍ନ କରିଛି- କ’ଣ ଗରିବ ଲୋକଙ୍କ ପାଇଁ ଗୋଟେ ଆଉ ବଡ଼ ବଡ଼ିଆଙ୍କ ପାଇଁ ଆଉ ଗୋଟିଏ ଆଇନ ? ଜଣେ ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ମାଡ଼ ମାରିଲେ । କୁଆଡ଼େ ଗଲା ବିଜେପିର ଓଡ଼ିଆ ଅସ୍ମିତା ? ତୁରନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି । ବିଜେଡି ମଧ୍ୟ ଏଏସଓଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ଦୋହରାଇଛି ।

ଏପଟେ ବିଜେପିର ହିଂସାତ୍ମକ ରାଜନୀତିକୁ ବିରୋଧ କରି ଖୋର୍ଦ୍ଧା ଓ ଭୁବନେଶ୍ବର ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି l କଂଗ୍ରେସ ଭବନରେ ବିଜେପି ଯୁବମୋର୍ଚ୍ଚା ଗଣ୍ଡଗୋଳ କରିବା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ଦୃଢ ବିରୋଧ କରିଛନ୍ତି ସଙ୍ଗଠନର କର୍ମକର୍ତ୍ତା । ତୁରନ୍ତ ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଚେତନ ନାଗରିକ ମଞ୍ଚ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି ।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିବାଦ ତେଜିବାରେ ଲାଗିଛି । ଓଡ଼ିଆ ଅସ୍ମିତାକୁ ନେଇ ଚିତ୍କାର କରୁଥିବା ଶାସକ ଦଳ ଘଟଣାରେ ନୀରବତା ଅବଲମ୍ବନ କରିବାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ଏହାରି ଭିତରେ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ତାକୁ ଚାହିଁ ବସିଛନ୍ତି ଓଡ଼ିଶାବାସୀ ।

ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ବର: ନିଯୁକ୍ତି ପାଇଲେ ନୂଆ ଆଡଭୋକେଟ ଜେନେରାଲ । ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ନୂଆ AGଙ୍କୁ ନିଯୁକ୍ତ ଦେଲେ ରାଜ୍ଯପାଳ । ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।

ଖତରନାକ ଓ୍ବାଟର ଫଲ୍… ରିଲ୍ସ ପାଇଁ ଡେଞ୍ଜର ଗେମ୍… ସାଢ଼େ ତିନି ଶହ ଫୁଟ ତଳେ ମୃତ୍ୟୁ… ଅନଭିଙ୍କ ଯନ୍ତ୍ରଣାଦାୟକ କାହାଣୀ

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା କୁମ୍ଭ ଜଳପ୍ରପାତ ନିଜ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଦେଶ ବିଦେଶରେ ବେଶ ସୁନାମ ଅର୍ଜନ କରିଛି । ଏହାର ସୁନ୍ଦରତାକୁ ନଦେଖି ସୋସିଆଲ ମିଡିଆ ଇନଫ୍ଲୁଏନସର ଅନଭି କାମଦାର କେମିତି ବି ରହିପାରିଥାନ୍ତି । ଆଉ ୧୬ ଜୁଲାଇରେ ସାଙ୍ଗମାନଙ୍କ ସହ କୁମ୍ଭ ଜଳପ୍ରପାତ ପାଖରେ ପହଞ୍ଚି ଯାଇଥିଲା ଅନଭି । ହେଲେ କେହି ଜାଣି ନଥିଲେ ଏହା ଥିଲା ଅନଭିଙ୍କ ଶେଷ ଯାତ୍ରା ଓ ଶେଷ ରିଲ୍ସ ବନାଇବା । ରିଲ୍ସ କରୁ କରୁ ସାଢ଼େ ୩ ଶହ ଫୁଟ ତଳକୁ ଖସି ଯନ୍ତ୍ରଣାଦାୟକ ମୃତ୍ୟୁବରଣ କରିଥିବା ଅନଭିଙ୍କ ସହ ସେଦିନ କ’ଣ ଘଟିଥିଲା ଆସନ୍ତୁ ଜାଣିବା ।

ସାଢ଼େ ୩୦୦ ଫୁଟ ତଳକୁ ପଡ଼ିଥିଲେ ଅନଭି

ଜଳପ୍ରପାତ ପାଖରେ ଅନଭି ଭିଡିଓ ସୁଟ୍ କରୁଥିଲେ । ଇନଷ୍ଟା ରିଲ୍ସ ଜରିଆରେ ଜଳପ୍ରପାତର ମନୋରମ ଦୃଶ୍ୟକୁ ଫଲୋର୍ସଙ୍କୁ କହୁଥିବା ବେଳେ ହଠାତ ଗୋଡ଼ ଖସି ଯାଇଥିଲା । ଚାହୁଁ ଚାହୁଁ ସାଢ଼େ ୩ ଶହ ଫୁଟ ତଳକୁ ଝରଣାରେ ପଡି ପଥରରେ ପିଟି ହୋଇଯାଇଥିଲେ ଅନଭି ।

ପୋଲିସ, ଟ୍ରାକିଂ ଏକ୍ସପର୍ଟ, କୋଷ୍ଟଗାର୍ଡ ଓ ଲୋକାଲ ରେସ୍କ୍ୟୁ ଟିମଙ୍କ ଉଦ୍ଧାର କାର୍ଯ୍ୟ

ଅନଭି ଝରଣାରେ ପଡିବା ପରେ ସାଙ୍ଗସାଥୀଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । ଚାହିଁକି ବି ଅନଭି ପଡ଼ିଥିବା ସ୍ଥାନକୁ ଯିବାକୁ କେହି ସାହସ କରିପାରି ନଥିଲେ । କାରଣ ସେ ସ୍ଥାନକୁ ଯିବାରେ ସେମାନଙ୍କ ଜୀବନ ପ୍ରତି ବି ବିପଦ ଥିଲା । ତେଣୁ ସେମାନେ ରାୟଗଡ଼ ପୋଲିସ ସହ ଅନ୍ୟ ରେସ୍କ୍ୟୁ ଟିମ୍ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ମାତ୍ରେ ପୋଲିସ, ଟ୍ରାକିଂ ଏକ୍ସପର୍ଟ, କୋଷ୍ଟଗାର୍ଡ, ଲୋକାଲ ରେସ୍କ୍ୟୁ ଟିମ୍ ଓ ମହାରାଷ୍ଟ୍ର ଇଲେକ୍ଟ୍ରିସିଟି ଇଲେକ୍ଟ୍ରିସିଟି ବୋର୍ଡର ଏକ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଏହାପରେ ଅନଭିଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ଅନଭି ପଡ଼ିଥିବା ସ୍ଥାନ ଏତେ ପିବଦପୂର୍ଣ୍ଣ ଥିଲା ଯେ, ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳଙ୍କୁ ୬ ଘଣ୍ଟା ଲାଗି ଯାଇଥିଲା ।

ଉଦ୍ଧାର ବେଳେ ବଞ୍ଚି ଥିଲେ ଅନଭି

ଝରଣାରେ ପଡ଼ିବା ପରେ ପଥରରେ ପିଟି ହୋଇଥିଲେ ବି ଅନଭିଙ୍କ ମୃତ୍ୟୁ ଘଟି ନଥିଲା । ତାଙ୍କ ଶ୍ବାସ ଚାଲିଥିଲା । ହେଲେ ତାଙ୍କ ଶରୀର ସ୍ଥାଣୁ ପାଲଟି ଯାଇଥିଲା । କାରଣ ସାଢ଼େ ୩ ଶହ ଫୁଟ ତଳକୁ ପଡ଼ିବା ପରେ ବଡ଼ ବଡ଼ ପଥରରେ ପିଟି ହୋଇଥିଲେ ସେ । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଉ ସୁରକ୍ଷା ନିୟମକୁ ଅଣଦେଖା କରି ରିଲ୍ସ ବନାଇବା ନିଶାରେ ଅନଭି ଚିରଦିନ ପାଇଁ ଆଖି ବୁଜି ଦେଲେ ।

ଜୀବନଠୁ ଭାରି ପଡ଼ିଲା ନିଶା

 

ଏହା ପ୍ରଥମ ଘଟଣା ନୁହେଁ ଅନଭି କୌଣସି ସ୍ଥାନର ସୁନ୍ଦରତାକୁ ଭିଡିଓରେ ରେକର୍ଡ କରିବା ସହ ତା ସମ୍ପର୍କରେ କହୁଥିଲେ । ଦେଶ ବିଦେଶର ବହୁ ସ୍ଥାନ ବୁଲି ତାହାର ମହତ୍ବ ଓ ସୁନ୍ଦରତାକୁ ଇନଷ୍ଟା ରିଲ୍ସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଥିଲେ । ଏହାକୁ ତାଙ୍କର ରିଲ୍ସ ବନାଇବା ନିଶା କୁହନ୍ତୁ ବା ଭିନ୍ନ ଭିନ୍ନ ସ୍ଥାନ ବୁଲିବାର ସଉକ । ପେଶାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅନଭି ଟ୍ରାଭେଲିଂଠାରୁ କେବେ ଦୂରରେ ନଥିଲେ । ହେଲେ କିଏ ଜାଣିଥିଲା ତାଙ୍କର ଏହି ଅଭ୍ୟାସ ଦିନେ ତାଙ୍କ ଜୀବନ ନେଇଯିବ ବୋଲି ।

ଜଳପ୍ରପାତ ନିକଟକୁ ଚାଲିଯାଇଥିଲେ ଅନଭି

ଅନଭିଙ୍କ ସାଙ୍ଗଙ୍କ କହିବା ଅନୁସାରେ ସେମାନେ ପହଞ୍ଚିବା ବେଳକୁ ଜଳପ୍ରପାତ ପାଖର ପରିବେଶ ବେଶ ସୁନ୍ଦର ଥିଲା । ହାଲକା ହାଲକା ବର୍ଷା ହେଉଥିଲା । ଆଉ ସାଙ୍ଗଙ୍କ ସହ ଏଠାକୁ ଆସି ଅନଭି ବହୁତ ଖୁସି ଥିଲେ । ସବୁ ସାଙ୍ଗ ନିଜ ନିଜ ଅନୁସାରେ ଜଳପ୍ରପାତର ସୌନ୍ଦର୍ଯ୍ୟର ମଜା ନେଉଥିଲେ । କିଏ ଭିଡିଓ ସୁଟ କରୁଥିଲା ତ କିଏ ସେଲଫି ନେଉଥିଲା । ହେଲେ ରିଲ୍ସ ବନାଇବା ଚକ୍କରରେ ଅନଭି ଜଳପ୍ରପାତର ବହୁତ ପାଖକୁ ଚାଲିଯାଇଥିଲେ । ଯେଉଁ କାରଣରୁ ଏହି ଅଘଟଣ ଘଟିଗଲା ।

ପଥର ଧସିବାରୁ ଦୁର୍ଘଟଣା

କୁମ୍ଭ ଝରଣା ଆଖପାଖରେ ରହୁଥିବା ଲୋକ ଓ ପ୍ରକୃତି ପ୍ରେମୀଙ୍କ କହିବା ଅନୁସାରେ ସ୍ଥାନଟି ସୁନ୍ଦର ଯେତେ, ବିପଦପୂର୍ଣ୍ଣ ସେତେ । ଜଳପ୍ରପାତଟି ଦୁର୍ବଳ ପଥରରେ ଘେରି ରହିଛି । ବହୁତ ସମୟରେ ଏହି ପଥର ଧସେଇ ଝରଣାରେ ପଡିଥାଏ । ଏମିତି ସ୍ଥିତିରେ ରିଲ୍ସ ବନାଇବା ବେଳେ ଅନଭିଙ୍କ ଗୋଡ କୌଣସି ଦୁର୍ବଳ ପଥର ଉପରେ ପଡ଼ିଯାଇଥିବ ଓ ତାହା ଧସି ଯିବାରୁ ସେ ଖସି ପଡ଼ିଥିବେ ।

୪ରୁ ୫ ଟିମ, ୬ ଘଣ୍ଟାର ରେସ୍କ୍ୟୁ

ଅନଭିଙ୍କ ପାଖରେ ପହଞ୍ଚିବା ରେସ୍କ୍ୟୁ ଟିମ୍ ପାଇଁ ଏତେ ସହଜ ନଥିଲା । କାରଣ ଉପରୁ ପଥର ଖସିବାର ମଧ୍ୟ ଭୟ ଥିଲା । ଏମିତି ସ୍ଥିତିରେ ୪ରୁ ୫ଟି ରେସ୍କ୍ୟୁ ଟିମ୍ ଲାଗିଥିଲେ ବି ଅନଭି ପାଖରେ ପହଞ୍ଚିବାକୁ ୬ ଘଣ୍ଟା ଲାଗି ଯାଇଥିଲା । ସାଢ଼େ ୩ ଶହ ଫୁଟ ତଳକୁ ଖସିବା ପରେ ଅନଭିଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ତେଣୁ ଉଦ୍ଧାରକାରୀ ଦଳ ତାଙ୍କ ପାଖରେ ପହଞ୍ଚିବା ପରେ ପ୍ରଥମେ ଫାଷ୍ଟ ଏଡ଼ ଦେଇଥିଲେ । ଏହାପରେ ଏକ ପୁଲି ସାହାଯ୍ୟରେ ଉପରକୁ ଆଣିଥିଲେ । ଏତେ କଷ୍ଟକର ଅପରେସନ ସଫଳତାର ସହ ଶେଷ ହୋଇଥିଲେ ବି ଅନଭିଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇ ନଥିଲା ।

ରଥଯାତ୍ରା ସମୟରେ ସଂଗ୍ରହ ପ୍ଲାଷ୍ଟିକ ବୋତଲରେ ତିଆରି ହେବ କପଡ଼ା

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଆଉ ଭକ୍ତମାନେ ଏହି ସମୟରେ ପାଣି ପିଇବାକୁ ବ୍ୟବହାର କରିଥିଲେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ବୋତଲ । ଯାହା ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେବେ ଏହାର ଏକ ଭଲ ସଲ୍ୟୁସନ ବାହାରି ସାରିଛି । ରଥଯାତ୍ରା ସମୟରେ ସଂଗ୍ରହ କରାଯାଇଥିବା ପାଣି ବୋତଲର ହେବ ରିସାଇକେଲିଂ । ଆଉ ଏଥିରୁ ପୁଣି ବୋତଲ ତିଆରି କରାଯିବା ସହ କପଡ଼ା ମଧ୍ୟ ପ୍ରସ୍ତୁତ ହେବ ।

ଏନେଇ ରଥଯାତ୍ରାରେ ପ୍ରଥମ ଥର ପାଇଁ ପ୍ଳାଷ୍ଟିକ ବୋତଲକୁ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରାଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧୬ ଟନ୍ ଖାଲି ପାଣି ବୋତଲ ସଂଗ୍ରହ ହୋଇଛି । ହିନ୍ଦୁସ୍ତାନ କୋକାକୋଲା ବେଭେରେଜ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଏହି ବୋତଲ ସଂଗ୍ରହ କରି ପୁନଃ ପ୍ରକ୍ରିୟାକରଣ କରିବେ । ପ୍ରାଥମିକ ଭାବରେ ସଂଗ୍ରହ ହୋଇଥିବା କିଛି ବୋତଲରୁ କମ୍ପାନୀ କିଛି ନେହରୁ ଜ୍ଯାକେଟ ପ୍ରସ୍ତୁତ କରିଛି । ଏହି ଜ୍ଯାକେଟକୁ ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ହିନ୍ଦୁସ୍ଥାନ ବେଭେରେଜର ଅଧିକାରୀ ।

ପରିବେଶ ସୁରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଉଦ୍ୟମ କରିଛି । ଏହି ବୋତଲଗୁଡିକର ପୁନଃ ପ୍ରକ୍ରିୟାକରଣ ସମୟରେ ବୋତଲ କିମ୍ବା କପଡା ଉପରେ ରଥଯାତ୍ରାରୁ ମିଳିଥିବା ପାଣି ବୋତଲର ରିସାଇକେଲିଂ ବୋଲି ଲେଖାଯିବ ।

ଭୟଙ୍କର ରୂପ ନେଉଛି ବାଂଲାଦେଶରେ ଛାତ୍ର ଅଶାନ୍ତି, ଗଲାଣି ୪୦ ଜୀବନ

ଢାକା: ବାଂଲାଦେଶରେ ଛାତ୍ର ଅଶାନ୍ତି ଭୟଙ୍କର ରୂପ ନେଇଛି । ୪୦ରୁ ଅଧିକ ଛାତ୍ରଙ୍କ ମୃତ୍ଯୁ ହେଲାଣି । ୩ ହଜାରରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ଯବସ୍ଥାକୁ ନେଇ ଏହି ହିଂସାକାଣ୍ଡ ଓ ଜଳାପୋଡ଼ା ହୋଇଛି । ବର୍ତ୍ତମାନର ସଂରକ୍ଷଣ ବ୍ଯବସ୍ଥାରେ ସଂସ୍କାର ଆଣିବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

ରାଷ୍ଟ୍ରାୟତ୍ତ ଉଦ୍ଯୋଗରେ ଥିବା ସଂରକ୍ଷଣ ବ୍ଯବସ୍ଥା, ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ବ୍ଯକ୍ତିଙ୍କ ପରିବାରର ସଦସ୍ଯଙ୍କ ପାଇଁ ସଂରକ୍ଷଣ ବ୍ଯବସ୍ଥା ରହିଛି । ତେବେ ଏହାକୁ ଶେଖ ହସିନା ସରକାର ଉଚ୍ଛେଦ କରି ଦେଇଥିଲେ । ହେଲେ ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଏହା ପରେ ସାରା ଦେଶରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ସରକାର ଅପିଲ କରିବା ପରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ।

ସେପଟେ ହିଂସାକାଣ୍ଡ ବୃଦ୍ଧି ପାଇବା ପରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାକୁ ମନା କରିଦେଇଥିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହାପରେ ହିଂସାକାଣ୍ଡ ଆହୁରି ତେଜିଛି । ଏପରିକି ଗତ ଗୁରୁବାର ବାଂଲାଦେଶର ନ୍ଯାସନାଲ ଟିଭି ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ହିଂସାକାଣ୍ଡକୁ ରୋକିବାକୁ ପୋଲିସ ଢାକା ୟୁନିର୍ଭସିଟିରେ ପିଲାଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି । ଅନ୍ଯ ଜାଗାରେ ବି ଫାୟାରି ହୋଇଛି । କେତେକ ସ୍ଥାନରେ ରବର ବୁଲେଟ ଚଳାଇବାକୁ ବାଧ୍ଯ ହୋଇଛି ପୋଲିସ । ଲୁହବୁହା ଗ୍ଯାସ ବି ପ୍ରୟୋଗ କରାଯାଇଛି । ଏତେ ପରେ ବି କିଛି ଲାଭ ହେଉନି । ରାଜଧାନୀ ଢାକା ସମେତ ବିଭିନ୍ନ ସହରରେ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି ।

ଚାକିରି ହରାଇବେ ପୂଜା ଖେଡକରଙ୍କ: ଏତଲା ଦେବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କଲା UPSC

ପୁଣେ: ମହାରାଷ୍ଟ୍ର କ୍ୟାଡର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବିବାଦରେ ଫସିଥିବା ପୂଜାଙ୍କ ପିରୋଧରେ UPSC ମାମଲା ରୁଜୁ କରିଛି । ଏହାସହ ସିଭିଲ ସେବା ପରୀକ୍ଷା ୨୦୨୨ରୁ ତାଙ୍କ ସଦସ୍ୟତା ରଦ୍ଦ ଏବଂ ଭବିଷ୍ୟତରେ ପରୀକ୍ଷା ଦେବାରୁ ତାଙ୍କୁ କାହିଁକି ରୋକା ଯିବନି ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ନୋଟିସରେ UPSC ପକ୍ଷରୁ କୁହାଯାଇଛି, ଆପଣଙ୍କ ସଦସ୍ୟତା କାହିଁକି ରଦ୍ଦ କରାଯିବନି ଓ ଆଗାମୀ ୟୁପିଏସସି ପରୀକ୍ଷାରୁ କାହିଁକି ବଞ୍ଚିତ କରାଯିବନି । ୟୁପିଏସସି ପକ୍ଷରୁ କୁହାଯାଇଛି, ‘ପୂଜା ଖେଡକରଙ୍କ ବିରୋଧରେ ବିସ୍ତୃତ ଯାଞ୍ଚ କରାଯାଇଛି । ସିଭିଲ ସେବା ପରୀକ୍ଷା ୨୦୨୨ରେ ସେ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି । ତାଙ୍କର ପରୀକ୍ଷା ଦେବା ଲିମିଟ ଶେଷ ହୋଇଯାଇଥିଲା । ଏହା ସତ୍ତ୍ବେ ସେ ନିଜ ପରିଚୟକୁ ଜାଲିଆତି କରି ୟୁପିଏସସିର ସିଭିଲ ପରୀକ୍ଷା ଦେଇଥିଲେ । ସେ କେବଳ ନିଜ ନାଁ ବଦଳାଇ ନଥିଲେ, ବାପା, ମାଆଙ୍କ ନାଁ ବଦଳାଇ ଦେଇଥିଲେ । ଏପରିକି ଫଟୋ ବି ବଦଳାଇ ଦେଇଥିଲେ ।’

ୟୁପିଏସସି ପକ୍ଷରୁ ଆଗକୁ କୁହାଯାଇଛି, ‘ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯିବା ସହ ଏକାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବା ଆରମ୍ଭ କରାଯାଇଛି । ତାଙ୍କର ସିଭିଲ ସେବା ପରୀକ୍ଷା ରଦ୍ଦ କରିବା, ଭବିଷ୍ୟତରେ ସେ ଆଉ ପରୀକ୍ଷା ଦେଇ ନପାରିବା, ଚୟନରୁ ବଞ୍ଚିତ କରିବା ପାଇଁ ତାଙ୍କୁ ଉତ୍ତର ଦେବାକୁ ନୋଟିସ୍ ଜାରି କରାଯାଇଛି ।

ମାଇକ୍ରୋସଫଟର ୱିଣ୍ଡୋ ସର୍ଭର ଡାଉନ୍, ସାରା ବିଶ୍ବରେ ଅଚଳାବସ୍ଥା

ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟର ସର୍ଭର ଡାଉନ୍‌ ହେତୁ ସମଗ୍ର ବିଶ୍ୱ ଏବେ ଠପ୍‌ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଦେଶରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି ସମସ୍ୟା ପ୍ରଥମେ ଆମେରିକାର ଫ୍ରଣ୍ଟିଅର୍ ଏୟାରଲାଇନ୍ସ ସହିତ ଘଟିଥିଲା ​​ଏବଂ ଧୀରେ ଧୀରେ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା  ।

ସର୍ବଶେଷ ସୂଚନା ଅନୁଯାୟୀ, ମାଇକ୍ରୋସଫ୍ଟ-ଅନୁବନ୍ଧିତ ସାଇବର ସିକ୍ୟୁରିଟି ଫାର୍ମ କ୍ଲାଉଡ୍ ଷ୍ଟ୍ରାଇକ୍ ଏହାର ଭୁଲକୁ ସ୍ୱୀକାର କରିଛି  । ଯେଉଁଥିରେ କୁହାଯାଇଛି ଯେ କ୍ଲାଉଡ୍ ଷ୍ଟ୍ରାଇକ୍କୁ ଏକ ଆଣ୍ଟି-ଭାଇରସ୍ ଅପଡେଟ୍ କରିବାକୁ ପଡିବ । ଯାହା କମ୍ପାନୀ ଠିକ୍ ସମୟରେ କରିପାରିବ ନାହିଁ । ଯେଉଁ କାରଣରୁ ବିଶ୍ୱ ଏହି ସମସ୍ୟାର ସାମନା କରିଛି  ।

ଅନେକ ଦେଶରେ ବିମାନ ସେବା, ଡାକ୍ତରଖାନା, ଷ୍ଟକ୍ ଏକ୍ସଚେଞ୍ଜ, ରେଳ ସେବା, ପ୍ରସାରଣ ସେବା ଇତ୍ୟାଦି ସହିତ ଅନେକ ପ୍ରକାରର ଜରୁରୀକାଳୀନ ସେବା ପ୍ରଭାବିତ ହୋଇଛି ଯାହା ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଥାଏ  ।

ସିଡନୀ, ନେଦରଲ୍ୟାଣ୍ଡ, ଦୁବାଇ, ବର୍ଲିନ୍ ସମେତ ଅନେକ ସ୍ଥାନରେ ବିମାନ ସେବା ପ୍ରଭାବିତ ହୋଇଛି  । ସମସ୍ତ ବଡ ସହରର ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଉପସ୍ଥିତ ଅଛନ୍ତି ଏବଂ ସେମାନେ ବିମାନ ସମ୍ବନ୍ଧରେ କୌଣସି ସୂଚନା ପାଇବାକୁ ସକ୍ଷମ ନୁହଁନ୍ତି। ଏହି ଆଇଟି ସଙ୍କଟ ଯୋଗୁଁ ଟିକେଟ୍ ବୁକିଂ କି କୌଣସି ଯାଞ୍ଚ ବି କରାଯାଉନାହିଁ।

ଅଷ୍ଟ୍ରେଲିଆର ଏବିସି ନ୍ୟୁଜ୍ ସେବା ପ୍ରଭାବିତ ହୋଇଛି। ବ୍ରିଟେନରେ ସ୍କାଏ ନ୍ୟୁଜ୍ ର ସିଧା ପ୍ରସାରଣ ବନ୍ଦ ହୋଇଯାଇଛି। ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇସ୍ରାଏଲ୍ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି।

ମାଇକ୍ରୋସଫ୍ଟର ସର୍ଭରରେ ଥିବା ତ୍ରୁଟିର ପ୍ରଭାବ ବ୍ରିଟିଶ ରେଳବାଇ ଏବଂ ବ୍ରିଟେନର ରେଳ ସେବା ଉପରେ ମଧ୍ୟ ଦେଖିବାକୁ ମିଳିଛି। ପାରାଗୁଏ ବିମାନ ବନ୍ଦରରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ସିଙ୍ଗାପୁର ବିମାନବନ୍ଦରରେ ମାନୁଆଲ ଚେକ୍ ଇନ୍ ଏବଂ ବୁକିଂ ମଧ୍ୟ ଆରମ୍ଭ ହୋଇଛି।

ଭାରତ ବିଷୟରେ କହିବାକୁ ଗଲେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସମେତ ଅନେକ ସହରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଦିଲ୍ଲୀ ଏବଂ ହାଇଦ୍ରାବାଦ ବିମାନବନ୍ଦରରେ ଯାତ୍ରୀଙ୍କୁ ମାନୁଆଲ ଟିକେଟ ଦିଆଯାଉଛି। ଭାରତର ବ୍ୟାଙ୍କିଙ୍ଗ ସେବା ମଧ୍ୟ ପ୍ରଭାବିତ ହୋଇଛି।

 

ମହାପ୍ରଭୁଙ୍କ ନୀଳାଦ୍ରି ବିଜେରେ ହେବନି ଆତସବାଜି, କେବଳ ଝୁରୁଝୁରିକୁ ଅନୁମତି

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ନବ ଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଫେରିବେ ଶ୍ରୀଜିଉ । ଏଥିପାଇଁ ଆଜି ଆତସବାଜି ହେବନି । ଏ ନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି । କେବଳ ଝୁରୁଝୁରି ବାଣ ପାଇଁ ଅନୁମତି ଦିଆଯାଇଛି । ଝୁରୁଝୁରି ଫୁଟିବା ସମୟରେ ବି ଉପସ୍ଥିତ ରହିବେ ଅଗ୍ନିଶମ ଅଧିକାରୀ ।

ଅତି ସତର୍କତାର ସହ ଝୁରୁଝୁରି ବାଣ ଫୁଟିବା ନେଇ କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀଗୁଣ୍ଡିଚା ସମୟରେ ବି ବାଣ ଫୁଟାଇବା ପାଇଁ ବାଣ ଆସିଥିଲା । ହେଲେ ଏହା ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଏହାକୁ ବନ୍ଦ କରାଯାଇଥିଲା ।

ରୋଗୀ ସେବା ନାମରେ ଶୋଷଣ କରୁଛନ୍ତି ସରକାରୀ ଡାକ୍ତର, ଜଣଙ୍କ ପିଛା ୧୦୦ ଟଙ୍କା

ସୋର: ଡ୍ୟୁଟି ରୁମରେ ଡ଼ାକ୍ତରଙ୍କ ଟଙ୍କା କାରବାର ଭିଡ଼ିଓ ଭାଇରାଲ । ରୋଗୀ ସେବା ନାମରେ ରୋଗୀଙ୍କୁ ଶୋଷଣ କରୁଛନ୍ତି ସରକାରୀ ଡାକ୍ତର । ରୋଗୀ ପିଛା ୧୦୦ ଟଙ୍କା ନଦେଲେ ଜରୁରୀକାଳୀନ ଔଷଧ ଲେଖୁ ନାହାନ୍ତି ଡ଼ାକ୍ତର ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାହାନଗା ବ୍ଲକ ସମେତ ରେମୁଣା ବ୍ଲକର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ସରକାର ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଫଳରେ ଗରିବ ରୋଗୀ ସରକାରୀ ଡାକ୍ତରଖାନାରେ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇବା ସହ ଆରୋଗ୍ୟ ହୋଇପାରିବ ।

ହେଲେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ସେବାର ଧଜିଆ ଉଡୁଥିବା ବେଳେ ରୋଗୀ ସେବା ନାମରେ ରୋଗୀଙ୍କ ଠାରୁ ଆର୍ଥିକ ଶୋଷଣ କରୁଛନ୍ତି ଡ୍ୟୁଟିରେ ଥିବା ସରକାରୀ ଡାକ୍ତର ଅମର କୁମାର ଝା । ଜରୁରୀକାଳୀନ ଡ୍ୟୁଟିରେ ଥାଇ ଡ୍ୟୁଟି ରୁମରେ ରୋଗୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଫି ନେଉଥିଲେ ଅମର କୁମାର ଝା । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ନେଇ ପ୍ରଶ୍ନ କରାଯିବାରୁ ସେ ଅବାନ୍ତର ଯୁକ୍ତି ରଖିଛନ୍ତି ।