spot_img
Home Blog Page 1691

ରାଜ୍ୟବାସୀଙ୍କ ସ୍ବର ସାଜିବ ବିଜେଡି: ବିଧାୟକ ଦଳ ବୈଠକରେ ବଜେଟ ଅଧିବେଶନ ଲାଗି ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର: ସଶକ୍ତ ବିରୋଧୀ ଦଳ ଭାବେ ବିଧାନସଭାରେ ଲୋକଙ୍କ ସ୍ବର ସାଜିବ ବିଜେଡି । ରାଜ୍ୟ ସ୍ବାର୍ଥ ଓ ଓଡ଼ିଶାର ହକ ଲାଗି ବିଧାନସଭାରେ ଲଢିବ ବିଜେଡି । ଆସନ୍ତା ୨୦ ତାରିଖରେ ଦଳ ବଜେଟ ଅଧିବେଶନରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ, ସେନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ । ଶଙ୍ଖ ଭବନରେ ବିଜେଡି ବିଧାୟକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ । ଅନ୍ୟପଟେ ବିଧାନସଭାରେ କଂଗ୍ରେସ ମୋହନ ସରକାରଙ୍କ ବିଫଳତାକୁ ଗୃହରେ ମୁଦ୍ଦା କରିବ ବୋଲି କହିଛି । ପୂର୍ବରୁ ଶାସକ ବିଜେପି କହିଛି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଉଠାଇବ ତାହାର ଜବାବ ଦେବାକୁ ଦଳ ପ୍ରସ୍ତୁତ ଅଛି ।

ବିଧାୟକଙ୍କୁ ନବୀନ ଦେବେ ଗୁରୁମନ୍ତ୍ର । ଗୃହରେ ଲୋକଙ୍କ ସ୍ବର ସାଜିବେ ବିଜେଡି ବିଧାୟକ । ଏନେଇ ଆସନ୍ତା ୨୦ ତାରିଖରେ ବସିବାକୁ ଯାଉଛି ବିଜେଡ଼ି ବିଧାୟକ ଦଳ ବୈଠକ । ବଜେଟ ଅଧିବେଶନରେ ଦଳ କେଉଁ ସବୁ ପ୍ରସଙ୍ଗ ଗୃହରେ ଦଳ ଉଠାଇବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ପ୍ରଥମ ଥର ଲାଗି ୫୧ ଜଣ ବିଧାୟକଙ୍କ ସହ ବିଜେଡି ସଶକ୍ତ ବିରୋଧୀ ଭାବେ ବିଧାନସଭାରେ ବିରୋଧୀ ଦଳର ଭୂମିକା ଲିଭାଇବ । ଜନସେବାକୁ ମୂଳମନ୍ତ୍ର କରି ଦଳ ଲୋକଙ୍କର ବିଭିନ୍ନ ସମସ୍ୟା ଉଠାଇ ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଛି । ନବ ନିର୍ବାଚିତ ବିଧାୟକଙ୍କ ଯୁକ୍ତି ହେଉଛି, ବିଜେଡି ଶାସକ ଦଳରେ ଥାଉ କି ବିରୋଧୀ ଦଳରେ । ଦଳ ସବୁବେଳେ ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ଏହାର ସମାଧାନ କରିଛି ଓ ଆଗକୁ ମଧ୍ୟ କରିବ ।

ସେପଟେ ନୂଆ ସରକାରଙ୍କ ପ୍ରତିଶ୍ରୁତି ଓ ବିଫଳତାକୁ କଂଗ୍ରେସ ବିଧାନସଭାରେ ମୁଖ୍ୟ ପ୍ରସଙ୍ଗ କରିବ । କଂଗ୍ରେସ ସବୁବେଳେ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ କରିଛି ଓ ଆଗକୁ କରିବ ବୋଲି ବିଧାୟକ ତାରା ପ୍ରସାଦ ବାହୀନପତି କହିଛନ୍ତି । ପୂର୍ବରୁ ଶାସକ ବିଜେପି କହିଛି ଯେ, ଯେଉଁସବୁ ପ୍ରସଙ୍ଗ ଗୃହରେ ବିରୋଧୀ ଉଠାଇବେ ତାହାର ଜବାବ ଦେବାକୁ ଦଳ ପ୍ରସ୍ତୁତ ଅଛି ।

ଆସନ୍ତା ୨୨ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ଶାସକ ଓ ବିରୋଧୀ ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିବାକୁ ସଜବାଜ ଆରମ୍ଭ କରିଛନ୍ତି ।

ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ତିନି ଠାକୁର

ପୁରୀ: ରଥ ଉପରେ ଅପୂର୍ବ ଦୃଶ୍ୟ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ । ରଥରେ ସ୍ବର୍ଣ୍ଣ ଅଳଙ୍କାରରେ ଶ୍ରୀଙ୍ଗାର ସରିବା ପରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ତିନି ଠାକୁର ।

ରଥାରୂଢ଼ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖିବାକୁ ପୁରୀରେ ହୋଇଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓ୍ବାନ୍ ଓ୍ବେ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଗୋଟିଏ ରାସ୍ତାରେ ଆସି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଷ ଦର୍ଶନ କରୁଛନ୍ତି । ଏହାପରେ ଆଗକୁ ବଢ଼ି ଦେବୀ ସୁଭଦ୍ରା ଏବଂ ପରେ ବଡ଼ ଠାକୁର ବଳଭଦ୍ରଙ୍କ ଦର୍ଶନ କରି ସେହି ପଡ଼ ଦେଇ ଫେରୁଛନ୍ତି ।

ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ଶ୍ରୀଜିଉମାନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ।

ରଥ ଉପରେ ତିନି ଠାକରୁଙ୍କ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲା ଯାଇଥିବାରୁ ମନ୍ଦିର ପରିସରରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଚଳିତବର୍ଷ ସେହିଠାରୁ ସୁନାବେଶ ପାଇଁ ଶ୍ରୀଜିଉଙ୍କ ସ୍ବର୍ଣ୍ଣ ଅଳଙ୍କାର ଅଣାଯାଇଥିଲା । ସେବାୟତ ମାନେ ବାଇଶ ପାହାଚ ଦେଇ ତିନି ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ବୋହି ଆଣିଥିଲେ । ଏହାପରେ ରଥ ଉପରେ ଆରମ୍ଭ ହୋଇଥିଲା ତିନିଠାକୁରଙ୍କ ସୁନାବେଶ ।

ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ତିନି ଠାକୁର

ପୁରୀ: ଆଉ କିଛି ସମୟକୁ ଅପେକ୍ଷା । ଦୁର୍ଲଭ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର । ରଥ ଉପରେ ଆରମ୍ଭ ହୋଇ ସାରିଛି ତିନି ଠାକୁରଙ୍କ ସୁନାବେଶ ପ୍ରକ୍ରିୟା ।

ଶ୍ରୀମନ୍ଦିରରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଶ୍ରୀଜିଉଙ୍କ ସୁନାବେଶରେ ଲାଗି ହେଉଥିବା ସ୍ବର୍ଣ୍ଣ ଅଳଙ୍କାର ସହ ଦୁଇ ଭାଇ କାଳିଆ ଓ ବଳିଙ୍କ ଆୟୁଧ ଏବଂ ହାତଗୋଡ଼ ବୋହି ଆଣିଥିଲେ ସେବାୟତ । ଏହାପରେ ରଥାରୂଢ଼ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ବର୍ଣ୍ଣ ଅଳଙ୍କାରରେ ସଜାଯାଉଛି । କିଛି ସମୟ ପରେ ପୂର୍ଣ୍ଣ ସ୍ବର୍ଣ୍ଣ ବେଶରେ ତିନିଠାକୁରଙ୍କୁ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ ।

ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ପୁରୀରେ ପ୍ରବଳ ଗହଳି ହୋଇଛି । ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମହାରାଷ୍ଟ୍ର ସରକାରଙ୍କ ‘ଲାଡଲା ଭାଇ’ ଯୋଜନା, ଦ୍ବାଦଶ ପାସ ଛାତ୍ରଙ୍କୁ ମାସକୁ ମିଳିବ ୬ ହଜାର ଟଙ୍କା

ମୁମ୍ବାଇ: ଲାଡଲୀ ବେହନ ପରେ ଲାଡଲା ଭାଇ ଯୋଜନ ଆରମ୍ଭ ନେଇ ଘୋଷଣା କଲେ ମହାରାଷ୍ଟ୍ର ସରକାର । ଏହି ଯୋଜନା ଅନୁସାରେ ଦ୍ବାଦଶ ପାସ କରିଥିବା ଛାତ୍ରଙ୍କୁ ମାସକୁ ୬ ହଜାର ଟଙ୍କା ମିଳିବ । ସେହିପରି ଡିପ୍ଲୋମା ସାର୍ଟିଫିକେଟ ଥିବା ଛାତ୍ର ୮ ହଜାର ଓ ସ୍ନାତକ ସାରିଥିବା ଛାତ୍ରଙ୍କୁ ମାସକୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏହି ଯୋଜନାର ଘୋଷଣା କରିଛନ୍ତି । ଶିବସେନା (ୟୁବିଟି) ପ୍ରମୁଖ ଉଦ୍ଧବ ଠାକରେ ନିକଟରେ ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରୀ ବଢୁଥିବା ପ୍ରସଙ୍ଗ ଉଠାଇଥିଲେ । ଯାହା ପରେ ସରକାର ଲାଡଲା ଭାଇ ଯୋଜନା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି, ‘ସରକାରଙ୍କ ନଜରରେ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏହି ଯୋଜନା ବେରୋଜଗାରୀର ସମାଧାନ କରିବ । ଲାଡଲା ଭାଇ ଯୋଜନାରେ ଯୁବକଙ୍କୁ କମ୍ପାନୀମାନଙ୍କରେ କାମ କରିବାକୁ ସୁଯୋଗ ମିଳିବ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ବୃତ୍ତି ମଧ୍ୟ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଜୁନ ୨୭ରେ ମହାରାଷ୍ଟ୍ର ସରକାର ବଜେଟରେ ଲାଡଲୀ ବେହନ ଯୋଜନା ଘୋଷଣା କରିଥିଲେ । ମହିଳାମାନଙ୍କୁ ପ୍ରତିମାସ ୧୫ ଶହ ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଥିଲା । ଏହା ୨୧ରୁ ୬୦ ବର୍ଷ ମହିଳାଙ୍କୁ ଦିଆଯିବ । ଏହି ଯୋଜନା ଜୁଲାଇରୁ ଲାଗି ହେବ ବୋଲି ବଜେଟ ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଘୋଷଣା କରିଥିଲେ । ଶୁଣାଯାଉଛି ଲାଡଲା ଭାଇ ଯୋଜନା ମଧ୍ୟ ଏହା ସହ ଲାଗୁ ହେବାକୁ ଯାଉଛି ।

ଲାଡଲୀ ବେହନ ଯୋଜନା ଘୋଷଣା ପରେ ଉଦ୍ଧବ ଠାକରେ କହିଥିଲେ, ଆପଣଙ୍କୁ ଲାଡଲୀ ବେହନ ଯୋଜନା ମିଳିଗଲା । ହେଲେ ଯୁବକମାନଙ୍କ ସମ୍ପର୍କରେ ବି ଚିନ୍ତା କରନ୍ତୁ । ରାଜ୍ୟରେ ଆଜି ବହୁ ଯୁବକଙ୍କ ପାଖରେ ରୋଜଗାର ନାହିଁ । ରାଜ୍ୟର ବିକାଶ ଓ ରୋଜଗାର ପାଇଁ କୌଣସି ଯୋଜନା ନାହିଁ । ଆଗାମୀ ନିର୍ବାଚନକୁ ଦେଖି ବଜେଟ୍ ତିଆରି କରାଯାଇଛି ।

ଦିଲ୍ଲୀ ମଦ ନୀତି ମାମଲା: ଜାମିନ ଉପରେ ରାୟ ସ୍ଥଗିତ, ଜେଲରେ ରହିବେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କୋର୍ଟରୁ ପୁଣି ଥରେ ନିରାଶ ହୋଇଛନ୍ତି । କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଏହାସହ ଇଡି ଦ୍ବାରା ତାଙ୍କୁ କରାଯାଇଥିବା ଗିରଫଦାରୀ ବିରୋଧରେ କରିଥିବା ଆବେଦନ ଉପରେ ମଧ୍ୟ କୋର୍ଟ ରାୟ ସଂରକ୍ଷିତ ରଖି ଦେଇଛନ୍ତି । କୁହାଯାଉଛି, କେଜ୍ରିଓ୍ବାଲ ଗିରଫଦାରୀ ଅବୈଦ୍ଧ ବୋଲି ଅଭିଯୋଗ କରିଥିବା ଆବେଦନ ଉପରେ ଶୁଣାଣି ପାଇଁ ୫ରୁ ୭ ଦିନ ଲାଗି ପାରେ ।

ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରିଣ ଜାମିନ ଦେଇଛନ୍ତି । ହେଲେ ଭ୍ରଷ୍ଟାଚାର ମାମଲାରେ ସେ ଏବେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ।

କହି ରଖିବାକୁ ଚାହୁଁ, ଦିଲ୍ଲୀ ମଦ ନୀତି ମାମଲାରେ ଟ୍ରାଏଲ କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ ଦେଇଥିଲେ । ଇଡିର ସମସ୍ତ ଦଲିଲକୁ ରାଉସ ରେଭିନ୍ୟୁ କୋର୍ଟ ନାକଚ କରି ଦେଇଥିଲେ । ଯାହାକୁ ବିରୋଧ କରି ଇଡି ହାଇେକାର୍ଟକୁ ଯାଇଥିଲା । ଯାହାର ବିଚାର କରି କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରୋକ୍ ଲଗାଇ ଦେଇଥିଲେ । ତେବେ ତାଙ୍କ ଅନ୍ତରିଣ ଜାମିନ ଆବେଦନ ଗ୍ରହଣ କରି ନିଆଯିବ ବୋଲି ସେ ଆଶା ରଖିଥିଲେ । ହେଲେ ଆଜି ଏହାର ବିଚାର କରି କୋର୍ଟ ଏହା ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି । ଫଳରେ କେଜ୍ରିଓ୍ବାଲ ଜେଲରୁ ବାହାରିବାର ଆଶା ମଉଳି ଯାଇଛି । ଏହା ପୂର୍ବରୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ କେଜ୍ରିଓ୍ବାଲଙ୍କ ଜାମିନକୁ ବିରୋଧ କରିଥିଲା ।

ସରକାରଙ୍କୁ ସୁରଙ୍କ ପ୍ରଶ୍ନ: ମାଡ଼ ଖାଇବା ଲୋକର ବଦଳି କି ପ୍ରକାର ନ୍ୟାୟ ?

ଭୁବନେଶ୍ବର: କର୍ତ୍ତବ୍ଯରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବର୍ଷିଛନ୍ତି ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ l ତୁରନ୍ତ ରାଜ୍ୟପାଳ ପୁଅଙ୍କ ଗିରଫ କରାଯାଉ ବୋଲି ସୁର ଦାବି କରିଛନ୍ତି । ରାଜ୍ୟପାଳ ନିଜେ ନିଜ ପଦ ମର୍ଯ୍ୟାଦା ରଖନ୍ତୁ ବୋଲି ସେ ପରାମର୍ଶ ମଧ୍ଯ ଦେଇଛନ୍ତି । ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ବଦଳି କରାଯିବା କି ପ୍ରକାର ନ୍ୟାୟ ବୋଲି ସରକାରଙ୍କୁ ସୁର ପ୍ରଶ୍ନ କରିଛନ୍ତି ।

ସୁର କହିଛନ୍ତି, ଆଇନ ସଭିଙ୍କ ପାଇଁ ଆଇନ ସମାନ l ତେଣୁ ସେ ଆଉ ଏତେ ତଳକୁ ନଯାଅନ୍ତୁ l ଓଡ଼ିଶାବାସୀ ଚୁପ୍ ରହିବେ ନାହିଁ l ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଛନ୍ତି ସୁର । ବିଜେପି ସରକାରଙ୍କ ଏ କି ପ୍ରକାର ନୀତି ବୋଲି ସୁର ପ୍ରଶ୍ନ କରିଛନ୍ତି । ମାଡ଼ ଖାଇବ ଲୋକ ନ୍ୟାୟ ପାଇବା ବଦଳରେ ବଦଳି ହେବ l ଏ କ’ଣ ଲୋକଙ୍କ ସରକାର ବୋଲି ସୁର ପ୍ରଶ୍ନ କରିଛନ୍ତି l

ସେହିପରି ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଦ୍ଵାରା ନିର୍ଯାତିତ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ମାମଲାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ସରକାର ଦାବି ନଶୁଣିଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସଂଘ ସମ୍ପାଦକ ଉମେଶ ଚଇନି ଚେତାବନୀ ଦେଇଛନ୍ତି ।

ନବୀନଙ୍କ ଛାୟା କ୍ୟାବିନେଟ; ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ରହିବ ନଜର

ଭୁବନେଶ୍ବର: ନବୀନଙ୍କ ଛାୟା କ୍ୟାବିନେଟ୍ । ବିଧାନସଭାରେ ଦୃଢ଼ ବିରୋଧୀ ଦଳର ଭୂମିକା ନେବ ବିଜେଡି। ୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି । ସରକାରଙ୍କ କାର୍ଯ୍ୟକାରିତାକୁ ମନିଟର କରିବେ ବିଜୁ ଜନତା ଦଳର ବିଧାୟକ । ଗୃହରେ ଉପସ୍ଥାପନ ହେବ ରାଜବାସୀଙ୍କ ସ୍ବର । ଏହାସହ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ରହିବ ନଜର ।

ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ । ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣକାରୀ । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି ।

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗକୁ ମନିଟର କରିବେ । ସେହିଭଳି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ପଂଚାୟତିରାଜ, ପାନୀୟ ଜଳ ଓ ସଂସଦୀୟ ବ୍ଯାପାର ବିଭାଗ, ବଦ୍ରୀନାରାୟଣ ପାତ୍ର ଓ ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ, ନିରଂଜନ ପୂଜାରୀଙ୍କୁ ଗୃହ, ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ବିଭାଗ, ଅଶ୍ବିନୀ ପାତ୍ରଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନିଟରିଂ ଦାୟିତ୍ବ ଦିଆଯାଇଛି ।

ପ୍ରତାପ ଦେବ ସାଧାରଣ ପ୍ରଶାସନ ବିଭାଗର ବିଭିନ୍ନ କାର୍ଯ୍ଯକ୍ରମ ଓ ଯୋଜନାକୁ ମନିଟର କରିବେ। ସେହିଭଳି ବିଧାୟକ ଅରୁଣ ସାହୁ ଜଳ ସମ୍ପଦ, ସାରଦା ପ୍ରସାଦ ନାୟକ ଶିଳ୍ପ, ପ୍ରସନ୍ନ ଆଚାର୍ଯ୍ୟ ଅର୍ଥ, ବ୍ରଜ ପ୍ରଧାନଙ୍କୁ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ, ରାଜେନ୍ଦ୍ର ଢୋଲକିଆ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ, ମନୋହର ରନ୍ଧାରୀ ଓ ଯୋଗେଶ ସିଂ ଅନୁସୂଚିତ ଜନଜାତି ବ୍ଯାପାର ବିଭାଗ, ବ୍ଯୋମକେଶ ରାୟ ଓ ଅଭିମନ୍ଯୁ ସେଠୀଙ୍କୁ ପୂର୍ତ୍ତ, ଦିବ୍ଯଶଙ୍କର ମିଶ୍ର ଶକ୍ତି, ଗଣେଶ୍ବର ବେହେରା ଇସ୍ପାତ ଓ ଖଣି, ବର୍ଷା ସିଂହ ବରିହା ଓ ସୁଜାତା ସାହୁଙ୍କୁ ମିଶନ ଶକ୍ତି, ସନାତନ ମହାକୁଡଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ସଂଜୀବ କୁମାର ମଲ୍ଲିକଙ୍କୁ ଏମଏସଏମଇ ବିଭାଗ ମନିଟର କରିବାକୁ ଦାୟିତ୍ବ ଦେଇଛନ୍ତି ନବୀନ।

କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଧିରାଜ ପାଣିଗ୍ରାହୀଙ୍କୁ ଆଇନ, ପ୍ରଦୀପ କୁମାର ଦିଶାରୀ ଓ ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜାତି ବିଭାଗ, ଦେବୀ ରଂଜନ ତ୍ରିପାଠୀଙ୍କୁ ଗ୍ରାମ୍ଯ ଉନ୍ନୟନ ବିଭାଗ, ସୌଭିକ ବିଶ୍ବାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧୃବ ଚରଣ ସାହୁ ଓ ସୁନୀଲ ମହାନ୍ତିଙ୍କୁ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ଯକ୍ରମ ତଦାରଖ ଦାଯିତ୍ବ ଦିଆଯାଇଛି ।

ସେହିପରି ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ, ଅନନ୍ତ ନାରାୟଣ ଜେନାଙ୍କୁ ଓଡିଶା ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ, ସୁଶାନ୍ତ ରାଉତଙ୍କୁ କ୍ରୀଡା ଓ ଯୁବ ବ୍ଯାପାର, ବିଭୂତି ବଳବନ୍ତରାୟଙ୍କୁ ବାଣିଜ୍ଯ ଓ ପରିବହନ ବିଭାଗ, ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚଶିକ୍ଷା, ରୋହିତ ଯୋଶେଫ ତିର୍କୀଙ୍କୁ ସଂଖ୍ଯାଲଘୁ ବ୍ଯାପାର, ସୁଦର୍ଶନ ହରିପାଲଙ୍କୁ ହସ୍ତତନ୍ତ, ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ଯୋଜନା ଓ ସଂଯୋଜନା, ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଓ ଲୋକ ସମ୍ପର୍କ, ସୁବାସିନୀ ଜେନାଙ୍କୁ ମତ୍ସ୍ୟ ଓ ପଶୁପାଳନ, ମାଧବ ଧଡାଙ୍କୁ ବିଜ୍ଞାନ ଓ କାରିଗରୀ, ବିଶ୍ବ ରଂଜନ ମଲ୍ଲିକଙ୍କୁ ଶ୍ରମ ଓ ଇଏସଆଇ, ନଳିନୀକାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ସାହୁଙ୍କୁ ଗୃହ ଓ ନଗର ଉନ୍ନୟନ, ଅରବିନ୍ଦ ମହାପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି, ରମାକାନ୍ତ ଭୋଇଙ୍କୁ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ, ସାରଦା ଜେନାଙ୍କୁ ସମବାୟ, ନବ କିଶୋର ମଲ୍ଲିକଙ୍କୁ ଗ୍ରାମ୍ଯ ଉନ୍ନୟନ ଓ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ଯକାରିତା ଉପରେ ନଜର ରଖିବାକୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ତେଜୁଛି ବିବାଦ: କାଲିଠୁ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର

କଟକ: ଏସସିବି ନର୍ସିଂ ଅଫିସର ଓ ହାଉସ ସର୍ଜନଙ୍କ ମଧ୍ଯରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତାକାଲି ଠାରୁ ସାରା ରାଜ୍ୟର ନର୍ସିଂ ଅଫିସରମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ । ପରେ ତିନି ଦିନ ଟୋକନ ଷ୍ଟ୍ରଇକ କରିବେ । ଏହା ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୨୪ରୁ କାର୍ଯ୍ୟବନ୍ଦ କରିବେ ବୋଲି ଏସସିବି ନର୍ସିଂ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଓଡିଶା ନର୍ସିଂ କର୍ମଚାରୀ ସଂଘ, ଏସସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ହାଉସ ସର୍ଜନଙ୍କୁ ସମର୍ଥନ କରିଛି ଡାକ୍ତର ସଂଘ । ଆଜି ପୂର୍ବ ଘୋଷଣା ଅନୁଯାୟୀ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ। ବହୁ ସଂଖ୍ୟକ ହାଉସ ସର୍ଜନ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଛନ୍ତି । ତେବେ ଆନ୍ଦୋଳନ ବେଳେ ଜରୁରୀକାଳିନ ସେବା, ଲେବର ରୁମ, କାଜୁଆଲଟି ଓ NTC ଡ୍ୟୁଟିରେ ହାଉସ ସର୍ଜନମାନେ ନିୟୋଜିତ ରହିଛନ୍ତି ।

ଅପରପକ୍ଷରେ ଆଉଟ ଡୋର, ୱାର୍ଡ, ICU, OTରେ କାର୍ଯ୍ୟରେ ହାଉସ ସର୍ଜନ ସହଯୋଗ କରୁନାହାନ୍ତି । ସୁପରିଣ୍ଟେଣ୍ଡେଣ୍ଟ ସମସ୍ୟାର ସମାଧାନ ନେଇ ଏକ କମିଟି ଗଠନ କରିଛନ୍ତି । ତେବେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି  ଦୃଢତାର ସହ କହିଛନ୍ତି ହାଉସ ସର୍ଜନ । ଆନ୍ଦୋଳନରେ ୨୫୦ ହାଉସ ସର୍ଜନ ସାମିଲ ହୋଇଛନ୍ତି ।

ତାଗିଦ କଲେ କେନ୍ଦ୍ରୀୟ ନେତୃବୃନ୍ଦ, ମାନିଲେନି ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ମୌ: ବିଜେପି ନେତାଙ୍କୁ ସୋସିଆଲ ମିଡିଆରେ କିଛି ନ କହିବା ପାଇଁ ନିର୍ଦ୍ଦେଶ ପରେ ୟୁପିର ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସମସ୍ତଙ୍କୁ ଅଡୁଆରେ ପକାଇଛି  । ସୋସିଆଲ ମିଡିଆ xରେ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବୟାନ ଏବେ ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି  । ସେ ପୋଷ୍ଟ କରିଛନ୍ତି ଯେ ସଙ୍ଗଠନ ସରକାରଙ୍କ ଠୁ ବଡ  । କାର୍ଯ୍ୟକର୍ତ୍ତାଙ୍କ ଯନ୍ତ୍ରଣା ମୋ ନିଜସ୍ବ ଯନ୍ତ୍ରଣା  ।

କେଶବ ପ୍ରସାଦ ନିଜ ଆକାଉଣ୍ଟରୁ X ରେ ଏହା ପୋଷ୍ଟ କରିଛନ୍ତି  । ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଏହାର କିଛି ସମୟ ପୂର୍ବରୁ ନିର୍ଦ୍ଦେଶ ଦେବା ପରେ ଏହାର ବିପରୀତ କରିଛନ୍ତି କେଶବ ଚନ୍ଦ୍ର ମୌର୍ଯ୍ୟ  । ଉତ୍ତର ପ୍ରଦେଶର ନେତାମାନଙ୍କର ଯଦି କିଛି ଅଭିଯୋଗ ଅଛି ସେମାନେ ପାର୍ଟି ଫୋରମ ମଧ୍ୟରେ ଅଭିଯୋଗ କରିବାକୁ କେନ୍ଦ୍ରୀୟ ନେତୃବୃନ୍ଦ ତାଗିଦ କରିଥିଲେ  । ଯଦି କେହି ସୋସିଆଲ ମିଡିଆରେ ଅଭିଯୋଗ କରନ୍ତି ଏହାକୁ ବରଦାସ୍ତ କରାଯିବନି ବୋଲି କେନ୍ଦ୍ରୀୟ ନେତା ଚେତାଇ ଦେଇଥିଲେ  ।

ଏହାରି ମଧ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସିଏମ ଯୋଗୀ ଆଦିତ୍ୟନାଥ ବୈଠକ କରିଛନ୍ତି  । ଶୁଣିବାକୁ ମିଳୁଛି ଯେ ବିଜେପି କର୍ମୀ ଓ ନେତାଙ୍କ କଥା ଶୁଣୁ ନାହାନ୍ତି ସ୍ଥାନୀୟ ଅଧିକାରୀ  । ଦିନକ ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ଏକ ଘଣ୍ଟା ଆଲୋଚନା କରିଥିଲେ କେଶବ ପ୍ରସାଦ ମୌର୍ଯ୍ୟ  ।

ବଡଦାଣ୍ଡରେ ବେହୋସ୍‌ ହୋଇଗଲେ ଆମେରିକୀୟ ଭକ୍ତ, ସହାୟତା କଲେ ନନ୍ଦିଘୋଷ ଟିଭି ପ୍ରତିନିଧି

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଖବର ପ୍ରସାରଣ କରୁଥିବା ସମୟରେ ମାନବିକତା ଦେଖାଇଲେ ନନ୍ଦିଘୋଷ ପ୍ରତିନିଧି ସତ୍ୟଜିତ ସେନ୍‌  । ଜଣେ ଅସୁସ୍ଥ ବିଦେଶୀ ଭକ୍ତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ ଶିବିରରେ ପହଞ୍ଚାଇଥିଲେ  । ଯେଉଁଥିପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ଆମେରିକାରୁ ଆସିଥିବା ଭକ୍ତ  ।

ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ପୁରୀରେ ପହଞ୍ଚିଛନ୍ତି ଆମେରିକା ନ୍ୟୁୟର୍କ ସିଟିର ନାଗରିକ  । ସେ ବଡଦାଣ୍ଡରେ ବୁଲୁଥିବା ସମୟରେ ହଠାତ ଚେତାଶୂନ୍ୟ ହୋଇଯାଇଥିଲେ  । ଅସହ୍ୟ ଗୁଳୁଗୁଳି ସହ୍ୟ କରିପାରିନଥିଲେ ଆମେରିକୀୟ ଭକ୍ତ  । ଚେତାଶୂନ୍ୟ ହୋଇ ପଡିଯିବା ପରେ ତାଙ୍କୁ ଉଦ୍ଧାର କରିଥିଲେ ଖବର ପ୍ରସାରଣ କରୁଥିବା ନନ୍ଦିଘୋଷ ଟିଭିର ପ୍ରତିନିଧି  । ସେଠାରୁ ଉଦ୍ଧାର କରି ସ୍ବାସ୍ଥ୍ୟ ଶିବିରରେ ପହଞ୍ଚାଇବା ପରେ ଆମେରିକୀୟ ନାଗରିକଙ୍କୁ ସମସ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା  । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି  । ଜଗନ୍ନାଥ ଧାମରେ ଜୀବନ ଚାଲିଯାଇଥିଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାନ୍ତା ବୋଲି କହିଛନ୍ତି ଆମେରିକୀୟ  ।

ତାଙ୍କ ଘର ନ୍ୟୁୟର୍କ ସିଟିରେ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଉତ୍ତର ପ୍ରଦେଶର ବୃନ୍ଦାବନରେ ରହିଆସୁଛନ୍ତି  ।