spot_img
Home Blog Page 1700

ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟରେ ଝଡ଼

ନନ୍ଦିଘୋଷ ବ୍ୟୁରୋ: ଏଏସଓଙ୍କୁ ରାଜ୍ଯପାଳ ପୁଅଙ୍କ ମାଡ଼, ହଲଚଲ ଓଡ଼ିଶା। ନ୍ଯାୟ ମାଗିଲା ଏଏସଓଙ୍କ ପରିବାର । ଜୋରଧରିଲା ରାଜ୍ୟପାଳ ପୁଅଙ୍କ ଗରିଫଦାରୀ ଦାବି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ବର୍ଷିଲା ବିଜେଡି । ରାଜଭନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ପୁରୀ ରାଜଭବନରେ ମାଡ଼ ମାରିବା ଓ ହତ୍ଯା ଧମକ ଦେବା ଅଭିଯୋଗ ରାଜ୍ୟରେ ଝଡ଼ ସୃଷ୍ଟି କରିଛି । ଓଡ଼ିଆ ଅଧିକାରୀ ନ୍ୟାୟ ପାଇଁ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ପାଖରେ ୪ଦିନ ହେଲା ଲିଖିତ ଅଭିଯୋଗ କଲେଣି । ହେଲେ ଚୁପ ବସିଛନ୍ତି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ସରକାର । ଯାହାକୁ ନେଇ ଅଭିଯୋଗକାରୀ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବାକୁ ଦାବି କରିଛନ୍ତି ଏଏସଓଙ୍କ ସ୍ତ୍ରୀ । କାନ୍ଦିକାନ୍ଦି ନ୍ୟାୟ ମାଗିବା ସହ ବ୍ଯବସ୍ଥାକୁ ପ୍ରଶ୍ନ ପଚାରିଛନ୍ତି-କ’ଣ ରାଜ୍ୟପାଳଙ୍କ ପୁଅ ବୋଲି ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବେ, ଧମକ ଦେବେ ? ଅଭିଯୋଗ ପରେ ବି ପୋଲିସ ଚୁପହୋଇ ବସିବ? ତୁରନ୍ତ ନ୍ୟାୟ ନଦେଲେ ଆଗକୁ ରାଜ୍ୟପାଳଙ୍କ ପୁଅ ବିରୋଧରେ କୋର୍ଟକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଏଏସଓ ବୈକୁଣ୍ଠ ସରକାରୀ କର୍ମଚାରୀ ହୋଇଥିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ ଥିଲେ ବି ସିଧାସିଧା କହିଛନ୍ତି ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବୁ ।

ବିଜେଡି ଘଟଣାକୁ ଦୃଢ ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ଯପାଳଙ୍କ ପୁଅଙ୍କର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ। ତାଙ୍କ ଅଧିନସ୍ଥ କର୍ମଚାରୀ ହେଉଛନ୍ତି ଏଏସଓ । ରାଜ୍ଯପାଳଙ୍କ ପୁଅଙ୍କ ବିରୋଧରେ ଏତଲା ହୋଇଛି, ମାନବାଧିକାର କମିଶନରେ ବି ଅଭିଯୋଗ ହୋଇଛି । କିନ୍ତୁ ଆଜିଯାଏ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନି । ପଣ୍ଡିତ ପୁଅ ମାଙ୍କଡ ମାରିଲେ କଣ ଦୋଷ ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେଡି। ଓଡିଆ ଅସ୍ମିତା କଥା କହି ବିଜେପି ରାଜ୍ଯରେ ସରକାର ଗଢିବାରେ ସଫଳ ହୋଇଛି । ଏବେ ରାଜ୍ଯପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା କଣ ଓଡିଆ ଅସ୍ମିତା ଉପରେ ଆକ୍ରମଣ ନୁହେଁ କି ବୋଲି ପ୍ରଶ୍ନ କରିଛି ବିଜେଡି । ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ତାରା ପ୍ରସାଦ ବାହୀନପତି କହିଛନ୍ତି।

ସଂପୃକ୍ତ ଏଏସଓ ଏବେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲଡ ସେକ୍ସନରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ କଣ ଘଟିଥିଲା ଜୁଲାଇ ୭ ତାରିଖ ରାତିରେ ?

ଅଭିଯୋଗ ଅନୁସାରେ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କ ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ବୈକୁଣ୍ଠ ୫ ତାରିଖରୁ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । ସେହିଦିନ ରାତି ପ୍ରାୟ ୧୧ଟା ୪୫ମିନିଟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ରାଜ୍ଯପାଳଙ୍କ ବ୍ଯକ୍ତିଗତ ରୋଷେୟା ଜରିଆରେ ଡକାଇ ଦେଖୁଦେଖୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ରାଜ୍ଯପାଳଙ୍କ ପୁଅ । ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ଏଏସଓଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିଲେ। ଘଟଣାରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ବୈକୁଣ୍ଠ ନାଥ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଜୁଲାଇ ୧୨ତାରିଖରେ ସମୁଦ୍ରକୂଳ ଥାନାରେ ଲିଖିତ ବି ଅଭିଯୋଗ ହୋଇଛି । ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଇନଗତ ପରାମର୍ଶ ଲୋଡିଥିବା ନେଇ ସୂଚନା ଦେଇଛନ୍ତି ବୈକୁଣ୍ଠ।

ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡ଼ିଲା ବଡ଼ ଠକ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡ଼ିଲା ବଡ଼ ଠକ । ଅଧିକ ସୁଧ ଆଶା ଦେଖାଇ ୬ଶହ କୋଟି ଠକି ନେଇଥିବା ଅଭିଯୁକ୍ତକୁ ଗିରଫ କରିଛି EOW । ଗିରଫ ଅଭିଯୁକ୍ତ ଜଣକ ହେଲେ ସୟଦ ଜିଆଜୁର ଅହମ୍ମଦ । LFS ବ୍ରୋକିଂ ଆଣ୍ଡ ପିଏମଏସ ସର୍ଭିସ ନାଁରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି । କୋଲକାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଓଡିଶାରେ ମଧ୍ୟ ତାର ଶାଖା ଖୋଲିଥିଲେ । ବିଶେଷ କରି ବାଲେଶ୍ବର ଏବଂ ଭଦ୍ରକରୁ ପାଖାପାଖି ଶହେ କୋଟିରୁ ଅଧିକ ଟଙ୍କା ଠକିନେଇଥିବା ଏଜେଣ୍ଟମାନେ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତ ଜଣକ ଟଙ୍କା ଠକେଇ କରିବା ପରେ ଦୁବାଇ ଚାଲିଯାଇଥିଲା । ଦୁବାଇରୁ କୋଲକାତା ଫେରିବା ବେଳେ ତାକୁ କୋଲକାତା ଏୟାରପୋର୍ଟରୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରି ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଜଣକ ଗିରଫ ହେବା ପରେ ଏଜେଣ୍ଟ ଏବଂ ଜମାକାରୀମାନେ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖାରେ ପହଞ୍ଚିଛନ୍ତି ।

ଆସିଲା SOP: ଆସନ୍ତାକାଲି ଖୋଲିବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର

ପୁରୀ: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। କାଲିଠୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାର ଖୋଲିବା ନେଇ ମୁଖ୍ଯମନ୍ତ୍ରୀ ଚୂଡ଼ାନ୍ତ ଅନୁମୋଦନ ଦେବାପରେ ଏସଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କାଲି ରତ୍ନଭଣ୍ଡାର ଖୋଲାଯିବା ପରେ ସବୁ ପର୍ଯ୍ୟାୟ କ୍ରମାଗତ ଭାବେ କରାଯିବ । ରତ୍ନଭଣ୍ଡାର ଭିତରକୁ ଯିବାଠୁ ଗଣତି ପର୍ଯ୍ୟନ୍ତ ସବୁ କାର୍ଯ୍ୟ ସତର୍କତାର ସହ କରାଯିବ । ଏହାକୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଭାବେ ପରିଗଣିତ କରାଯିବ । ଅତି ନିଖୁଣ ଭାବେ ଅଳଙ୍କାରର ଗଣତି କରାଯିବ । ଗଣତି ମଣତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ । ଗଣତି କାର୍ଯ୍ୟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ପ୍ରତିନିଧି ରହିବେ । ପକ୍ରିୟାର ସୁପରିଚାଳନା ପାଇଁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।

ପ୍ରଭୁଙ୍କର ପ୍ରତିଟି ଅଳଙ୍କାରର ସଂଖ୍ଯା, ଓଜନ ଓ ମାନର ଡିଜିଟାଲ ଲାଇବ୍ରେରୀ ହେବ । ଆଗାମୀ ଦିନ ପାଇଁ ଏକ ଡିଜିଟାଲ ଡକ୍ଯୁମେଣ୍ଟ ପ୍ରସ୍ତୁତ କରାଯିବ । ଫଳରେ ଆଗାମୀ ଦିନରେ ରତ୍ନଭଣ୍ଡାର ଗଣତି ସମୟରେ ଏହା ସହାୟକ ହେବ । ଏସଓପି ବାବଦରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ପଷ୍ଟ ଚିତ୍ର ଦିଆଯାଇଛି । ବିଶେଷ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । କୋଉ କାମ ପାଇଁ କେଉଁ ଟିମ୍ ଯିବ ଧାର୍ଯ୍ୟ ହୋଇଛି । ସେହି ଆଧାରରେ ସେମାନଙ୍କୁ ଏସଓପି ପ୍ରଦାନ କରାଯାଇଛି । ସବୁ ଦିଗକୁ ତଦାରଖ କରି ବିଚାର ରତ୍ନଭଣ୍ଡାର ଖୋଲିଯାଉଛି । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି ପ୍ରଭାବିତ ନହେବକୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଆସ୍କାରେ ଚାଞ୍ଚଲ୍ଯ: ଘରେ ପଶି ବାପାକୁ ମାରି ଦିବ୍ଯାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଆସ୍କାରେ ଚାଞ୍ଚଲ୍ଯ। ଘରେ ପଶି ବାପାକୁ ମାରି ଦିବ୍ଯାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଘଟିଛି ବୀଭତ୍ସକାଣ୍ଡ।

ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନରେ ଜଣେ ଯୁବକ ହଠାତ ଘରେ ପଶିଥିଲା । ପ୍ରଥମେ ତାଙ୍କୁ ଆକ୍ରମଣ କରିବା ପରେ ରୋଗାଗ୍ରସ୍ତ ସ୍ବାମୀ ଉଦୟ ମୁନୀଙ୍କୁ ପଥରରେ ଆକ୍ରମଣ କରି ହତ୍ଯା କରିଥିଲା । ପରେ ଦିବ୍ଯାଙ୍ଗ ଝିଅକୁ ଘରେ ବନ୍ଦ କରି ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରୁଛି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ଘଟଣା ଘଟାଇଛି ତାହା ଅସ୍ପଷ୍ଟ ରହିଛି ।

କଟକ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । କଟକର ପୁରୀଘାଟ ଥାନା ନିକଟରେ ଥିବା ତ୍ରିଶା ନର୍ସିଂହୋମରେ ଲାଗିଲା ନିଆଁ । ଜଳିଲା ନର୍ସିଂହୋମର ତୃତୀୟ ମହଲାରେ ଥିବା ଆଇସିୟୁ । ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ହୋଇଥିଲେ । ଉଦ୍ଧାର ହୋଇଥିବା କିଛି ରୋଗୀଙ୍କୁ ଏସସିବି ମେଡାକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଗୁରୁତର ରୋଗୀଙ୍କୁ ବିଭିନ୍ନ ଘରୋଇ ହସପିଟାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣ ଶିଶୁ ଥିବା ସହ ୧୫ରୁ ୨୦ ଜଣ ବୟସ୍କ ରୋଗୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ପରେ ରାସ୍ତାରେ ଅଟକି ରହିଥଲେ ରୋଗୀ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ନର୍ସିଂହୋମ ଅଫିସରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି । ଆଇସିୟୁ ଭେଣ୍ଟିଲେଟରରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରୋଗୀଙ୍କ ସମ୍ପକରେ ସୂଚନା ନେଇଛନ୍ତି । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ । ମାଗଣାରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ।

ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ। ସବୁ ବାହାଦୁରି ମାରିଛି ଫ୍ଲପ୍। ୭ ରାଜ୍ଯର ୧୩ ବିଧାନସଭା ଆସନ ଉପନିର୍ବାଚନରେ ଏନଡିଏ ମେଣ୍ଟକୁ ଜବରଦସ୍ତ ଝଟକା। ବାଜିମାରିଛି ଇଣ୍ଡିଆ ମେଣ୍ଟ। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ଯପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ।

ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ବିଜୟ ଲାଭ କରିଛନ୍ତି ଆପ ନେତା ମହୀନ୍ଦର ଭଗତ। ପଶ୍ଚିମବଙ୍ଗର ସମସ୍ତ ୪ଟି ଯାକ ଆସନରେ ଟିଏମସି ବାଜିମାତ କରିଛି। ବାଗଦାରୁ ମଧୁପୂର୍ଣ୍ଣା ଠାକୁର, ରାଣାଘାଟରୁ ମୁକୁତମଣି ଅଧିକାରୀ, ରାଇଗଞ୍ଜରୁ କ୍ରିଷ୍ଣା କଲ୍ଯାଣୀ ବିଜୟୀ ହୋଇଛନ୍ତି। ମାଣିକତାଲା ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ହିମାଚଳ ପ୍ରଦେଶର ଡେରା ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର। ସେ ବିଜେପି ପ୍ରାର୍ଥୀ ହୋସିଆର ସିଂଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନାଳଗଡ଼ରେ କଂଗ୍ରେସର ହରଦୀପ ସିଂ ବାୱା ବିଜୟୀ ହୋଇଛନ୍ତି। ହମିରପୁରରେ ବିଜେପିର ଆଶିଷ ଶର୍ମା କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କୁ ପରାସ୍ତ କରିଛନ୍ତି।

ଉତ୍ତରାଖଣ୍ଡର ମଙ୍ଗଳୁରରୁ କଂଗ୍ରେସର କାଜି ନିଜାମୁଦ୍ଦିନ ବିଜୟୀ ହୋଇଛନ୍ତି।  ବଦ୍ରିନାଥରେ କଂଗ୍ରେସ ପ୍ରାର୍ଥୀ ଲଖପତ ସିଂ ବୁତାଲାଙ୍କ ବିଜୟ ହୋଇଛି। ମଧ୍ଯପ୍ରଦେଶର ଛନ୍ଦୱାରା ଅନ୍ତର୍ଗତ ଅମରୱାରା ଆସନରେ ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଧୀରନ ଶାହ ଇନଭତିଙ୍କୁ ପରାସ୍ତ କରିଛନ୍ତି।

ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ କଳାଧର ପ୍ରସାଦ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂ।  ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଅନିଉର ଶିବା  ବିଜୟୀ ହୋଇଛନ୍ତି।

ରୋଗୀଙ୍କୁ ମିଳୁନି ଔଷଧ: ବରଗଡ଼ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛି ଗଦା ଗଦା ଏକ୍ସପାଏରି ମେଡିସିନ୍

ବରଗଡ଼: ଷ୍ଟୋର ରୁମରେ ଗଦା ହୋଇ ପଡିଛି ଏକ୍ସପାଏରି ମେଡିସିନ୍। ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ସମେତ ସହରର ଅନେକ ହସ୍ପିଟାଲରେ ମେଡିସିନରୁ ବଞ୍ଚିତ ହେଉଛନ୍ତି ରୋଗୀ। ଏକ୍ସପାଏରି ମେଡିସିନ୍ ପଡିରହିଥିବା ବେଳେ ବେସରକାରୀ ଷ୍ଟୋରରୁ ମେଡିସିନ୍ ନେବାରୁ ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହେଉଛି।

ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ସରକାର ମାଗଣାରେ ଔଷଧ ଯୋଗାଉଥିବା ବେଳେ ମେଡିସିନ୍ ରୋଗୀଙ୍କ ପାଖରେ ପହଞ୍ଚିପାରୁନି। ଲକ୍ଷାଧିକ ଟଙ୍କାର ଔଷଧ ଏକ୍ସପାଏରି ହୋଇ ପଡିରହିବା ଦର୍ଶାଉଛି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳାର ଚିତ୍ର।

ଅନେକ ଗରିବ ରୋଗୀ ସରକାରୀ ହସ୍ପିଟାଲକୁ ଆସି ଡାକ୍ତର ଦେଖାଇ ଔଷଧ ନଥିବାରୁ ଫେରିଯାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ନଷ୍ଟ ହେଉଛି। ଭିଟାମିନ ସିରପ, ଟାବଲେଟ ଓ ଇଞ୍ଜେକସନ ଗୁଡିକ ହସ୍ପିଟାଲ ଷ୍ଟୋର ରୁମରେ ପଡି ଏକ୍ସପାଏରି ହେଉଛି। ତେବେ ରୋଗୀଙ୍କୁ ମେଡିସିନ୍ ନମିଳିଲେ ପ୍ରାଇଭେଟ୍ ଷ୍ଟୋରରୁ ଔଷଧ କିଣିବାକୁ କୁହାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବରଗଡ CDMOଙ୍କୁ ପଚାରିବାରୁ, ସେ ଘଟଣାର ତଦନ୍ତ କରି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ବିପଦ ସଙ୍କୁଳ ଅବସ୍ଥାରେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ, ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ

ଯାଜପୁର: ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଚଣ୍ଡିଖୋଲ ଓଭରବ୍ରିଜର। ପୁରାତନ ବ୍ରିଜ ହୋଇଥିବାରୁ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଲାଣି। ବିପଦସଂକୁଳ ଅବସ୍ଥାରେ ଏଠାରେ ପ୍ରତ୍ଯକ ଦିନ ହଜାର ହଜାର ଯାନ ଯାତ୍ରା କରୁଛି। ସେହିପରି ଏହାର ଅନତି ଦୂରରେ ଥିବା ରେଲୱେ ଓଭରବ୍ରିଜର ମଧ୍ୟ ସମାନ ଅବସ୍ଥା। ମରାମତି ଅଭାବରୁ ବ୍ରିଜର ଅବସ୍ଥା ଶୋଚନୀୟ ହୋଇ ପଡିଛି। ପାରାଦ୍ୱୀପରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଏହି ଜାତୀୟ ରାଜପଥ ସଂଯୋଗ କରୁଛି। ତେଣୁ ଏହି ଓଭରବ୍ରିଜ ଦେଇ ହଜାର ହଜାର ସଂଖ୍ୟାରେ ଗାଡି ଯିବା ଆସିବା କରେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବ୍ରିଜ ଦେଇ ଯିବା ଆସିବା କରୁଥିବା ବେଳେ ମନରେ ଭୟ ରହୁଛି।

ଅନ୍ୟପଟେ ଚଣ୍ଡିଖୋଲ ଠାରେ ନିର୍ମାଣ ହେଉଥିବା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି NH 53 ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ପାରୁନାହିଁ। ସମ୍ପୃକ୍ତ ଠିକା ସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇ ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି।

କଟକ ନର୍ସିଂହୋମରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

କଟକ: କଟକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟରେ ଥିବା ନର୍ସିଂହୋମରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି । ନର୍ସିଂହୋମରେ ଫସିଥିବା ରୋଗୀଙ୍କୁ ଉଦ୍ଧାର ଜାରି। ଉଦ୍ଧାର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର। ICU ରେ ଥିବା ୫ ଜଣ ରୋଗୀଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି ଅଗ୍ନିଶମ ବାହିନୀ ।

ବଳଭଦ୍ର ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି: ହଳଧର ଦାସ ମହାପାତ୍ର

ପୁରୀ: ଆଡ଼ପ ପହଣ୍ଡିବେଳେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି: ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନଥିବା ସେବାୟତ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ।