ଭୁବନେଶ୍ୱର : ଆକାଶ ଛୁଆଁ ପରିବା ଦର। ଯାହାକୁ ହାତ ମାରିଲେ ତାହା ୮୦ ରୁ ଆରମ୍ଭ। ୧୦୦ରୁ ୧୫୦ ପର୍ଯ୍ୟନ୍ତ ଛୁଇଲାଣି ବିଭିନ୍ନ ପନିପରିବା । ବିନ, ଛୁଇଁ ୧୪୦ , ବାଇଗଣ ୮୦, ପିଆଜ ୫୦, ଆଳୁ ୪୦, ପୋଟଳ ୭୦, କ୍ୟାପ୍ସିକମ ୯୦, ଜହ୍ନି ୭୦, କଲରା ୭୦, କାଙ୍କଡ ୮୦ଟପିଲାଣି। ଏଭଳି କିଛି ଦର୍ ରହିଛି ଭୁବନେଶ୍ୱର ଏକ ନମ୍ବର ମାର୍କେଟରେ। ବଜାରରେ ପଶିଲେ ଗ୍ରାହକଙ୍କ ମନରେ ପଶୁଛି ଛନକା। କୁହାଯାଏ ଏକ ନମ୍ବର ମାର୍କେଟର ଦର୍ ଟିକେ ଶସ୍ତା ଥାଏ ହେଲେ ଏହା ଦର ଦେଖିଲେ ଲାଗୁନି ବିଶ୍ବାସ। ଏଠାରୁ ପନିପରିବା ନେଇ ବିକୁଥିବା ଛୋଟ ଛୋଟ ବିକ୍ରେତା ପଡୁଛନ୍ତି ସମସ୍ଯାରେ।
NOKରେ ପରିବର୍ତ୍ତନ ପାଇଁ ଦାବି କଲେ ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ମାତା
ନୂଆଦିଲ୍ଲୀ : ସେନା ମେଡିକାଲ କୋର୍ର କ୍ୟାପଟେନ ଅଂଶୁମାନ ସିଂ ଶହୀଦ ହେବା ପରେ ତାଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏକ ଧଳା ଶାଢ଼ି ପିନ୍ଧି ସ୍ମୃତି ସିଂ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତି ପୁରସ୍କାର କୀର୍ତ୍ତିଚକ୍ର ଗ୍ରହଣ କରିଛନ୍ତି ।ଏବେ ତାଙ୍କ ପିତା ମାତା ସେନାର NOKର ମାନଦଣ୍ଡରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।
କ୍ୟାପଟେନ ଅନସୁମାନ ସିଂ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ତାଙ୍କୁ ପରବର୍ତ୍ତୀ ସମୟରେ କିର୍ତ୍ତୀ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ତିନି ଦିନ ପୂର୍ବେ ରାଷ୍ଟ୍ରପତି ଏହି ବିଶ୍ୱାସକୁ କ୍ୟାପଟେନ ଅନସୁମାନଙ୍କ ପତ୍ନୀ ସ୍ମୃତି ଏବଂ ମାତା ମଞ୍ଜୁଙ୍କୁ ଦେଇଥିଲେ। ଏହି ମୁହୂର୍ତ୍ତ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏଠାରେ ଶହୀଦ କ୍ୟାପଟେନଙ୍କ ବୀରତ୍ୱର କାହାଣୀ ବର୍ଣ୍ଣନା କରାଯାଇଥିଲା । ତାଙ୍କ ସାହସିକତାର କାହାଣୀ ଦେଶରେ ପ୍ରତିଧ୍ୱନିତ ହେବା ସହିତ ତାଙ୍କ ପିତାମାତାଙ୍କ ଯନ୍ତ୍ରଣା ମଧ୍ୟ ଶୁଣିବାକୁ ମିଳିଥିଲା। ଏବେ ଅଂଶୁମାନଙ୍କ ପିତାମାତା ସେନାରେ NOK ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି।
NOK କ’ଣ ?
NOK ର ପୂରା ଅର୍ଥ ହେଉଛି Next of kin । ଏହାର ଅର୍ଥ ନିକଟତର ପରିବାର । ଯେକୌଣସି ଚାକିରି ବା ସେବାରେ ଏହା ସର୍ବ ପ୍ରଥମେ ଦର୍ଜ କରାଯାଏ । ଏହାକୁ ଆଇନଗତ ଉତ୍ତରାଧିକାରୀ ମଧ୍ୟ କୁହାଯାଏ । ଏହାର ଅର୍ଥ ହେଉଛି ଯଦି, ଦେଶ ସେବାରେ ଥିବା ବ୍ୟକ୍ତିଙ୍କ ସହ କିଛି ଦୁର୍ଘଟଣା ଘଟେ, ତେବେ ତାଙ୍କ ପରିବାର ପରିଜନଙ୍କୁ ଏହି କ୍ଷତି ପୂରଣ ରାଶି ଦିଆଯିବ ବା କେବଳ NOK କୁ ଦିଆଯିବ । ସେନାରେ ଭର୍ତ୍ତି ହେବା ସମୟରେ ପିତା ମାତା ବା ଅଭିଭାବକଙ୍କ ନାମ NOKରେ ଦର୍ଜ କରାଯାଏ । ସେନା ଅଧିକାରୀଙ୍କ ବିବାହ ହେବା ପରେ ଏଥିରେ ନିକଟତର ପରିବାରର ନାଁ ବଦଳରେ ଜୀବନସାଥି ବା ପତ୍ନୀଙ୍କ ନାଁ ଲେଖାଯାଏ ।
ବିଶ୍ୱର ପ୍ରଥମ ସିଏନଜି ବାଇକ୍ ଲଞ୍ଚ କଲା ବଜାଜ୍ ଗ୍ରୁପ ; କହିଲା ‘ଟାଇଗର ଅଭି ଜିନ୍ଦା ହେ’
ନଆଦିଲ୍ଲୀ : ବଜାଜ ଅଟୋ ନିକଟରେ ବିଶ୍ୱର ପ୍ରଥମ ସିଏନଜି ବାଇକ୍ ଲଞ୍ଚ କରିଛି। ଏହି ବାଇକକୁ ନେଇ ଏବେ ସବୁଠି ଚର୍ଚ୍ଚା । ଅନ୍ୟପଟେ ବଜାଜ କମ୍ପାନୀ ମୁଖ୍ୟ ରାଜୀବ ବଜାଜଙ୍କ ଏକ ବିବୃତ୍ତି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏହି ବାଇକ ଲଞ୍ଚ ସମୟରେ ନିଜ ବକ୍ତବ୍ୟରେ କହିଥିଲେ, ଟାଇଗର ଅଭି ଜିନ୍ଦା ହେ । ଏହି ଡାଇଲଗ କହିବା ସହ ହିରୋ ଗ୍ରୁପ ସହ ଜଡିତ ଏକ ଘଟଣା ସମ୍ପର୍କରେ ମଧ୍ୟ କହିଥିଲେ ।
ମୋଟରସାଇକେଲ ମାର୍କେଟରେ ବଜାଜ ଅଟୋ, ଟିବିଏସ୍ ଏବଂ ହିରୋ ମଧ୍ୟରେ ଦୀର୍ଘ ଦିନ ଧରି କଡ୍ଡା ଟକ୍କର ରହି ଆସିଛି । ଏହି ୩ କମ୍ପାନୀ ସର୍ବଦା ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିଥାନ୍ତି । ଏହା ମଧ୍ୟରେ ଏବେ ବଜାଜ ଦୁନିଆର ପ୍ରଥମ ସିଏନଜି ବାଇକ ମାର୍କେଟରେ ଲଞ୍ଚ କରିଛି । ଏହି ଲଞ୍ଚ ଅବସରରେ ବଜାଜ ଗ୍ରୁପର ମାଲିକ ରାଜୀବ ବଜାଜ ଏକ ନୂଆ ଡାଇଲଗ୍ ସହ ହିରୋଗ ଗ୍ରୁପକୁ ନେଇ ଏକ ମଜାଦାର କଥା କହିଥିଲେ ।
ରାଜୀବ ବଜାଜ ହିରୋ ମୋଟର୍ସ ସହ ଜଡିତ ଏକ ଘଟଣା ବିଷୟରେ କହିଥିଲେ କି, ୧୯୯୦ ମସିହାରେ ବଜାଜର ଚେତକ ସ୍କୁଟରର ବିକ୍ରି କମିବାରେ ଲାଗିଥିଲା ଏବଂ ଏହା ବଦଳରେ ମୋଟରସାଇକେଲର ଚାହିଦା ବଢିଥିଲା । କାରଣ ସ୍କୁଟର ତୁଳନାରେ ମୋଟରସାଇକେଲର ମାଇଲେଜ ଅଧିକ ଥିଲା । ୧୯୯୭ରେ ପ୍ରଥମଥର ହିରୋ ହୋଣ୍ଡାର ବିକ୍ରି ବଜାଜକୁ କ୍ରସ୍ କରିଯାଇଥିଲା । ସେବେ ହିରୋ ହୋଣ୍ଡାର ଚେୟୋରମ୍ୟାନ ବ୍ରଜ ମୋହନ ଲାଲ୍ ଥିଲେ । ସେ ସେତେବେଳେ କହିଥିଲେ, ଟିକେ ଯତ୍ନ ନେଉଥିବ, ଟାଇଗର (ବଜାଜ) ଅଭି ଘାୟଲ ହୋ ଚୁକା ହେ । ଆଜି ସିଏନଜି ବାଇକ ଲଞ୍ଚ ବେଳେ ପ୍ରାୟ ୩୦ ବର୍ଷ ପରେ ଏହି ଉକ୍ତିର ଉତ୍ତରରେ ବଜାଜର ମାଲିକ ‘ଟାଇଗର ଅଭି ଜିନ୍ଦା ହେ’ ବୋଲି କହିଛନ୍ତି ।
ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା : ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର
ନୂଆଦିଲ୍ଲୀ : ମୁମ୍ବାଇ ହିଟ୍ ଆଣ୍ଡ ରନ ମାମଲା। ଆସନ୍ତା ଜୁଲାଇ ୧୬ ଯାଏଁ ପୋଲିସ ହେପାଜତକୁ ଗଲା ଅଭିଯୁକ୍ତ ମିହିର ଶାହ। ଗତ ମଙ୍ଗଳବାରୁ ତାକୁ ଗିରଫ କରିଥିଲା ପୋଲିସ। ଦୁର୍ଘଟଣା ପରେ ମିହିର ନିଜ ପରିଚୟ ଲୁଚାଇବା ଲାଗି କାର ଭିତରେ ନିଜର କେଶ କାଟିବା ସହ ଦାଢି ସଫା କରିଥିବା କହିଛି ପୋଲିସ। ତେଣେ ଦୁର୍ଘଟଣା ପରେ ଅଭିଯୁକ୍ତ ଜଣକ ନିଜର ଗର୍ଲଫ୍ରେଣ୍ଡଙ୍କୁ ୪୦ ଥର ଫୋନ କରିଥିବା ସୂଚନା ମିଳିଛି। ସେହି ଗର୍ଲଫ୍ରେଣ୍ଡକୁ ପୋଲିସ ଜେରା କରିପାରେ।
ଗତକାଲି ଜୁହୁସ୍ଥିତ ବାରକୁ ଭାଙ୍ଗିଥିଲା ପ୍ରଶାସନ। ସେହି ବାରରେ ୨୪ ବର୍ଷ ବୟସ୍କ ଅଭିଯୁକ୍ତ ମିହିର ଶାହ ଆଲକୋହଲ ନେଇଥିବା ସୂଚନା ମିଳିଥିଲା। ପରେ ଅବକାରୀ ବିଭାଗର ରିପୋର୍ଟ ଆଧାରରେ ବାରକୁ ଭାଙ୍ଗିଦିଆଯାଇଛି। ମଦ୍ଯପାନ କରିବାର ଆଇନଯୋଗ୍ଯ ବୟସ ୨୫ ବର୍ଷ ଥିବାବେଳେ ଏହାଠାରୁ କମ୍ ବୟସର ପିଲାଙ୍କୁ ମଦ ଦେଇଥିବା ଅଭିଯୋଗ କ୍ରମେ ଭାଇସ ଗ୍ଲୋବାଲ ତାପସ ବାର୍ ଉପରେ ରେଡ କରାଯାଇଛି। ଏହି ବାରକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବାବେଳେ କମ୍ ବୟସର ପିଲାଙ୍କୁ ମଦ ବିକିବା ନେଇ ଅଭିଯୋଗ ହୋଇଥିଲା।
ମହାରାଷ୍ଟ୍ର ରାଜନୀତିଜ୍ଞ ତଥା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହଯୋଗୀ ରାଜେଶ ଶାହଙ୍କ ପୁଅ ଥିଲା ମିହିର। ତାକୁ ଗତ ୯ ଜୁଲାଇରେ ବିରାରସ୍ଥିତ ଆପାର୍ଟମେଣ୍ଟରୁ ଗିରଫ କାରଯାଇଥିଲା। ସେହିପରି ପୁଅକୁ ସହାୟତା କରିବା ଅଭିଯୋଗରେ ଶାହପୁରରୁ ଗିରଫ ହୋଇଥିଲେ ମିହିରର ମା ଓ ଭଉଣୀ। ବାପା ରାଜେଶ ଓ ଡ୍ରାଇଭର ରାଜର୍ଷି ବିଦାୱତକୁ ଗତ ୭ ଜୁଲାଇରେ ଗିରଫ କରିଥିଲା ପୋଲିସ। ସେହି ବାରରେ ମିହିର ତାର ୪ ସାଙ୍ଗଙ୍କ ସହ ୧୮ ହଜାର ୭୩୦ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ବିଏମଡବ୍ଲୁ କ୍ରାସରେ ସ୍ବାମୀ ପ୍ରଦୀପ ନଖୱା ଆହତ ହୋଇଥିବାବେଳେ ୪୫ ବର୍ଷ ବୟସ୍କା ପତ୍ନୀ କାବେରୀ ପ୍ରାଣ ହରାଇଥିଲେ।
ସିସିଟିଭି ଫୁଟେଜ ଅନୁସାରେ ବାଇକକୁ ବିଏମଡବ୍ଲୁ କାର ପ୍ରାୟ ଦେଢ କିଲୋମିଟର ଘୋଷାଡି ନେଇଥିଲା। ଦୁର୍ଘଟଣା ପରେ କାର ତଳୁ ମହିଳାଙ୍କ ଶବକୁ ମିହିର ବାହାର କରିଥିବାବେଳେ ଡ୍ରାଇଭର ବିଦାୱତକୁ ଗାଡି ଚାଳନା କରିବା ଲାଗି କହିଥିଲା। ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାକୁ ଭେଟିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଆଦିତ୍ଯ ଠାକରେ। ତେଣେ ମିହିରଙ୍କ ବାପା ରାଜେଶଙ୍କୁ ସମସ୍ତ ଦଳୀୟ ପଦପଦବିରୁ ଅନ୍ତର କରାଯାଇଛି।
ଭାରତର ହସ୍ତକ୍ଷେପ ପରେ ଆସିବ ଶାନ୍ତି !
ନୂଆଦିଲ୍ଲୀ : ଭାରତର ହସ୍ତକ୍ଷେପ ପରେ ସମାଧାନ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ! ନିଜର ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଅଷ୍ଟ୍ରିଆର ଚାନସେଲର କାର୍ଲ ନେହାମ୍ମରଙ୍କ ସହ ଏହି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଛନ୍ତି। ବିଶେଷ କରି ୟୁକ୍ରେନ ସମସ୍ଯା ଓ ପଶ୍ଚିମ ଏସିଆରେ ଶାନ୍ତି ଫେରାଇବା ଲାଗି ଭାରତ ଗୁରୁତ୍ବ ଦେଇଥିବା ସୂଚନା ମିଳିଛି।
ମୋଦି କହିଛନ୍ତି, ବର୍ତ୍ତମାନ ଏହା ଯୁଦ୍ଧର ସମୟ ନୁହେଁ। ଯୁଦ୍ଧ କ୍ଷେତ୍ରରେ ଏହାର ସମାଧାନ ହୋଇପାରିବ ନାହିଁ। ଯୁଦ୍ଧ ଯୋଗୁ ଅକାରଣରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହା ଗ୍ରହଣୀୟ ନୁହେଁ। ଅଷ୍ଟ୍ରିଆ ଗସ୍ତରେ ଦୁଇ ନେତାଙ୍କ ମଧ୍ଯରେ ୟୁରୋପରେ ଶାନ୍ତି ଓ ସ୍ଥିରତା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ୟୁରୋପୀୟ ୟୁନିଅନରେ ଅଷ୍ଟ୍ରିଆ ଥିଲେ ବି ବର୍ତ୍ତମାନ ସୁଦ୍ଧା ସେହି ରାଷ୍ଟ୍ର ନାଟୋର ସଦସଯ୍ ହୋଇପାରିନାହିଁ। ସେପଟେ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରୁଷିଆ ସହ ଭାରତର କୌଣସି ମତପାର୍ଥକ୍ଯ ନଥିବା କହିଛି ଭାରତ।
ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍; ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ
ନୂଆଦିଲ୍ଲୀ : ଝାନସୀରେ ପୁଣି ବହୁଚର୍ଚ୍ଚିତ ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍ । ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ । ଏପରି ଘଟଣା ଝାନସୀ ସହରର କେତବାଲି ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକାଠାର ବାସିନ୍ଦା ନୀରଜ ବିଶ୍ୱକର୍ମା ଏବେ ନିଜ ସ୍ତ୍ରୀକୁ ଫେରାଇ ଆଣିବାକୁ ପୋଲିସ ଓ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ତ ହୋଇଛନ୍ତି । ସ୍ୱାମୀଙ୍କ କହିବା ଅନୁଯାୟୀ ସେ ୫ ବର୍ଷ ପୂର୍ବେ ରିଚାଙ୍କ ସହ ପ୍ରେମ ବିବାହ କରିଥିଲେ । ନିଜ ପତ୍ନୀଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ସେ ଦିନ ରାତି କଠିନ ପରିଶ୍ରମ କରୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ, ସେ ତାଙ୍କୁ ଛାଡି ଚାଲି ଯାଇଛନ୍ତି ।
ସୂଚନା ଅନୁଯାୟୀ ବୁଧବାର ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ଆକାଉଣ୍ଟାଣ୍ଟ ପଦ ପାଇଁ ନିଯୁକ୍ତି ପତ୍ର ମିଳିଥିଲା, ତାହା ପରଠୁ ସେ ଆଉ ଘରକୁ ଫେରି ନାହାନ୍ତି । ଏପଟେ ତାଙ୍କ ସ୍ୱାମୀ ତାଙ୍କୁ ଖୋଜି ଖୋଜି ନୟାନ୍ତ ହେଲେଣି । ସ୍ୱାମୀ ବିଶ୍ୱକର୍ମାଙ୍କ କହିବା ଅନୁଯାୟୀ, ସେ ୫ବର୍ଷ ପୂର୍ବେ ଝାନସୀର ସତ୍ୟମ କଲୋନୀର ବାସିନ୍ଦା ରିଚା ସୋନୀଙ୍କୁ ପ୍ରେମ ବିବାହ କରିଥିଲେ । ଯାହା ପରେ ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ରିଚା ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହିୁଁଥିବାରୁ ବିଶ୍ୱକର୍ମା ତାଙ୍କୁ ଆଗକୁ ପଢିବାକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ଦିନ ରାତି ମଜଦୁରୀ କରୁଥିଲେ । ପେଶାରେ ସେ ଜଣେ ବଢେଇ ଥିଲେ କିନ୍ତୁ ନିଜ ସ୍ତ୍ରୀର ସ୍ୱପ୍ନ ସାକାର କରିବାକୁ ଦିନ ରାତି ଏକ କରି ଦେଇଥିଲେ । ହେଲେ ପରିଶେଷରେ ରିଚା ସରକାରୀ ଚାକିରି ପାଇବା ପରେ ତାଙ୍କୁ ଛାଡି ଚାଲିଯାଇଛନ୍ତି । ନିଜ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯୁବକ ଜଣକ ପୋଲିସ ପାଖରେ ଗୁହାରୀ କରିଛନ୍ତି ।

