spot_img
Home Blog Page 1711

ଆଜିଠୁ ଆରମ୍ଭ ଶ୍ରୀଜିଉଙ୍କ ପବିତ୍ର ଆଡ଼ପ ଦର୍ଶନ, ତିନି ଦିନ ପରେ ମହାପ୍ରସାଦ ଖାଇବେ ଶ୍ରୀଜିଉ

ପୁରୀ: ଶାସ୍ତ୍ରରେ ଅଛି ନିଳାଦ୍ରୌ ସହସ୍ର ବର୍ଷାଣୀ ଆଡ଼ପ ମଣ୍ଡପେ ଦିନେ । ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀରେ ମହାବାହୁ । ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପବିତ୍ର ଆଡ଼ପ ଦର୍ଶନ । ଗତକାଲି ବିଳମ୍ବିତ ରାତିରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ମହାପ୍ରଭୁ ।

ଆଜି ସକାଳ ଧୂପରେ ବାହାରିବ ଆଡ଼ପ ଅବଢ଼ା । ତିନି ଦିନ ପରେ ଶ୍ରୀଜିଉଙ୍କୁ ଲାଗିହେବ ଅବଢ଼ା ମହାପ୍ରସାଦ । ଆଡ଼ପ ଅବଢା ପାଇବାକୁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି । ଅନ୍ଯପଟେ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ସିଂହାର କରି ମଳିନ ପଡ଼ିଥିବା ଶ୍ରୀମୁଖରେ ଚମକ୍ ଆଣିବେ । ଅନ୍ୟପଟରେ ଆସନ୍ତାକାଲି ଗୁରୁବାର ହେରା ପଞ୍ଚମୀ ତିଥିରେ ରଥ ଭାଙ୍ଗିବେ ମାନମୟୀ ମହାଲକ୍ଷ୍ମୀ ।

ବସକୁ ଓଭରଟେକ୍‌ କରିବାକୁ ଯାଇ ଚାପି ହୋଇଗଲା ବସ

ବଲାଙ୍ଗୀର:  ଭାଗୀରଥୀ ଛକ ଠାରେ ବସ୍ ଦୁର୍ଘଟଣା  । ଘରୋଇ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଅନ୍ୟ ଏକ ବସ୍। ଦୁର୍ଘଟଣାରେ ଗୋଟିଏ ବସର ସାମ୍ନାପଟ ଚୁରମାର ହୋଇଯାଇଛି  । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା  । ଦ୍ରୁତ ଗତିରେ ଓଭରଟେକ କରିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି  ।

ବସ୍ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ବେଳେ ଅଳ୍ପକେ ଯାତ୍ରୀ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି  । ବସ୍ ଡ୍ରାଇଭର ସମେତ ୪ ରୁ ୫ ଜଣ ଆହତ ଯାତ୍ରୀଙ୍କୁ ଟାଉନ୍ ଥାନା ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି  । ରାଇଘର ନବରଙ୍ଗପୁର ଦେଇ ଉଭୟ ବସ୍ ଭୁବନେଶ୍ବର ଯାଉଥିଲା  ।

ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଟାଉନ୍ ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି  । ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି  ।

ବାହାଘର ଭୋଜି ଖାଇ ଫେରୁଥିଲେ, ହାଇୱା ଧକ୍କାରେ ପରିବାରର ୩ ମୃତ

ସୁନ୍ଦରଗଡ଼:  କୋଇଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରେଙ୍ଗାଲବେଡ଼ାରେ ସ୍କର୍ପିଓକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ଯରେ ଜଣେ ଯୁବତୀ ଓ ଦୁଇଜଣ ନାବାଳକ ରହିଛନ୍ତି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରୁ ବାହାଘର ଭୋଜିଖାଇ ଫେରିବା ସମୟରେ ଦୁର୍ଘଟଣା ଘଟିଛି । ଘରେ ପହଞ୍ଚିବାର ମାତ୍ର ୫ କିଲୋମିଟର ପୂର୍ବରୁ ସ୍କର୍ପିଓକୁ ଏକ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ଦୁଇ ଆହତ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

କପିଳାସରେ ଉପାସରେ ଅଛନ୍ତି ମହାଦେବ, ରୋଷଘରେ ତାଲା

0

ଢେଙ୍କାନାଳ: ସେ ଅଚଳାଚଳ ସମ୍ପତ୍ତିର ମାଲିକ ହେଲେ ତଥାପି ଉପାସ । ଉପାସରେ ବାବା ଚନ୍ଦ୍ରଶେଖର । ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଉପାସରେ ଅଛନ୍ତି ମହାଦେବ । ଦୁଇଦିନ ହେବ ବାବା ଚନ୍ଦ୍ରଶେଖରଙ୍କ ନୀତିକାନ୍ତିରେ ବିଳମ୍ବ ହେଉଛି । ଏପରିକି ଠାକୁରଙ୍କ ରୋଷଘରେ ତାଲା ପଡ଼ିଥିବା ଅଭିଯୋଗ ହୋଇଛି । ଫଳରେ ମହାଦେବ ଉପାସରେ ରହିବା ସହ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଭିଯୋଗ ଅନୁସାରେ ଦେବୋତ୍ତର ବିଭାଗ ମନଇଚ୍ଛା ମନ୍ଦିରରେ ନିୟୋଜିତ ପୂଜାପଣ୍ଡାଙ୍କୁ କାର୍ଯ୍ୟରୁ ଅନ୍ତର କରିଛି । ଅଧିକ ଦରମା ଦାବି କରିବାରୁ ବିନା ଆଲୋଚନାରେ ସମସ୍ତଙ୍କୁ ସେବାରୁ ବିଚ୍ଯୁତି କରାଯାଇଛି । ଅନ୍ଯ ସ୍ଥାନରୁ ବ୍ରାହ୍ମଣଙ୍କୁ ଡକାଇ ଅସ୍ଥାୟୀ ଭାବେ ନୀତି ସେବା ପାଇଁ ଦାୟିତ୍ବ ଦିଆଯାଇଛି । ଫଳରେ ନୀତିକାନ୍ତିରେ ବ୍ଯାପକ ତ୍ରୁଟି ପରିଲକ୍ଷିତ ହେଉଛି ।

ଦେବୋତ୍ତର ବିଭାଗର ଅପାରଗତା ପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । କପିଳାସ ପୀଠରେ ଜଣେ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ଵ ଦେବା ପାଇଁ ଦାବି ହୋଇଆସୁଛି । ଯେଉଁଅଧିକାରୀ କପିଳାସ ପାଇଁ ନିଯୁକ୍ତି ପାଇଛନ୍ତି ସେ କପିଳାସ ପୀଠକୁ ଆସନ୍ତି ନାହିଁ । ଅଧିକାରୀମାନଙ୍କ ଅନୁପସ୍ଥିତି ପାଇଁ ପୀଠରେ ବାରମ୍ବାର ବିଭିନ୍ନ ପ୍ରକାର ଅସୁବିଧା ହେଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ସ୍ଥାନୀୟ ପୂଜା ପଣ୍ଡାମାନଙ୍କୁ ପୂର୍ବଭଳି ନିଯୁକ୍ତି ଦେବାକୁ ଦାବି ହୋଇଛି ।

ଆଜି ୭ ରାଜ୍ୟର ୧୩ ସିଟ୍‌ରେ ଉପନିର୍ବାଚନ, ପୁଣି ଦେଖିବାକୁ ମିଳିବ NDA ଓ ଇଣ୍ଡିଆ ଟକ୍କର

ଭୁବନେଶ୍ବର: ଆଜି ଦେଶର ୭ଟି ରାଜ୍ଯର ୧୩ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ବିହାର, ପଶ୍ଚିମବଙ୍ଗ, ମଧ୍ଯପ୍ରଦେଶ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳପ୍ରଦେଶର ୧୩ଟି ସିଟରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।

ବିହାରର ଗୋଟିଏ, ବଙ୍ଗର ୪ଟି, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ଦୁଇଟି, ପଞ୍ଜାବର ଗୋଟିଏ ଏବଂ ହିମାଚଳର ୩ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ପୂର୍ବରୁ ଏହି ଆସନରେ ୩ଟିରେ ବିଜେପି, ୨ଟିରେ କଂଗ୍ରେସ, ଆପ୍‌, DMK, ଟିଏମସି, ବସପା ଗୋଟିଏ ଲେଖାଏଁ ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।

ଲୋକସଭା ନିର୍ବାଚନରେ ବିଜୟୀ ଓ କିଛି ବିଧାୟକଙ୍କ ମୃତ୍ଯୁ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ବଡ଼ ଠାକୁରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଅଘଟଣ, ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ବଳଭଦ୍ରଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଦୁଃଖ ପ୍ରକାଶ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ଦୁଃଖରେ ସେ ମର୍ମାହତ ବୋଲି କହିଛନ୍ତି । ଆହତ ସେବାୟତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି ସମ୍ବେଦନଶୀଳ ଘଟଣାର ଯେଉଁଭଳି ପୁନରାବୃତ୍ତି ନ ଘଟେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଅଘଟଣ, ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନନ୍ଦିଘୋଷ ବ୍ୟୁରୋ: ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣ ପରେ ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମସ୍ତ ଆହତଙ୍କ ଅବସ୍ଥା ଭଲ ରହିଥିବା କହିଥିଲେ ଉପ ମୁଖ୍ୟମନ୍ତ୍ରୀ । ସେପଟେ ଆଇନମନ୍ତ୍ରୀ ମଧ୍ୟ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆହତଙ୍କ ଅବସ୍ଥା ପଚାରି ବୁଝିଥିଲେ ଆଇନମନ୍ତ୍ରୀ । ସମସ୍ତେ ଏବେ ସୁସ୍ଥ ଥିବା ବେଳେ ମହା ପ୍ରଭୁଙ୍କ ଦୟା ସମସ୍ତ ଉପରେ ରହିଛି । ଏବେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଚାରମାଳରୁ ଖସି ପଡିଥିଲେ ବଳଭଦ୍ର । ଏହି ଅଘଟଣ ପରେ ସ୍ଥିତି ଅନୁଧ୍ୟାନ ପାଇଁ ଉପ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ପୁରୀ ଯିବାକୁ ର୍ନିଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଘଟଣ ଖବର ପାଇ ବା ପରେ ଦୁଃଖପ୍ରକାଶ କରିବା ସହ ସମସ୍ତ ଆହତଙ୍କ ଆଶୁ ଅରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର

ନନ୍ଦିଘୋଷ ବ୍ୟୁରୋ: ଶୁଣିଲେ ଦେହ କମ୍ପିଯାଉଛି, ଦେଖିଲେ ଛାତି ଫାଟିଯାଉଛି । ଶ୍ରୀଜିଉଙ୍କ ଆଡପ ବିଜେ ସମୟରେ ଘଟିଯାଇଛି ବଡ଼ ଅଘଟଣ । ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଗଲେ ବଡ଼ଭାଇ ବଳଭଦ୍ର । ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର । ସେବାୟତମାନଙ୍କ ହାତରୁ ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ । ରାତି ପ୍ରାୟ ସାଢେ ୮ଟା ସମୟରେ ସୁଦର୍ଶନଙ୍କ ପହଣ୍ଡି ସରିଥାଏ । ପରେପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ।ଚାରମାଳ ଉପରେ ମହାପ୍ରଭୁ ବଡ଼ଠାକୁରଙ୍କ ହଡ଼ପନାୟକ ସେବା ଓ ପତିମହାପାତ୍ରଙ୍କ ବନ୍ଦାପନା ନୀତି ସମ୍ପାଦନ କରାଯାଇଥିଲା ।  ଭାବର ଠାକୁର, ଜୀବନ୍ତ ଠାକୁରଙ୍କୁ ପହଣ୍ଡି କରି ଆଣୁଥିଲେ ସେବାୟତ । ଗୋଟି ପହଣ୍ଡିରେ ରଥ ଉପରୁ ଆଡପ ବିଜେ କରୁଥିଲେ ବଡ଼ଠାକୁର । ସମସ୍ତେ ବଡ଼ଠାକୁରଙ୍କ ଆଖିକୁ ଚାହିଁରହିଥିଲାବେଳେ ଘଟିଯାଇଥିଲା ବିରାଟ ଅଘଟଣ । ରଥ ଉପରୁ ଓହ୍ଲାଉ ଓହ୍ଲାଉ ହଠାତ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ଠାକୁର । ସେବାୟତମାନଙ୍କ ହାତରୁ ଖସିଯାଇ ଚାରମାଳ ଆଗକୁ ହାମୁଡ଼େଇ ଖସିପଡ଼ିଥିଲେ । କେହିକିଛି ବୁଝିବା ଆଗରୁ ଶ୍ରୀମନ୍ଦିରର ମୁରବୀ, ରଥଯାତ୍ରାର ମୁରବୀ ମୁହଁମାଡ଼ି ତଳେ ଖସିପଡ଼ିଥିଲେ । ବରିଷ୍ଠ ସେବାୟତ କହିଛନ୍ତି ବନ୍ଦାପନା ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ସମୟରେ ଏକ ଡୋରକୁ ବନ୍ଦାଯାଇ ଥାଏ । ହେଲେ ବଡ଼ଠାକୁରଙ୍କ ପହଣ୍ଡି ସମୟରେ ଡୋରଟି ବନ୍ଧା ହୋଇନଥିବାରୁ ଏଭଳି ବଡ଼ ଅଘଟଣ ଘଟିଗଲା । ସେବାୟତଙ୍କ ଗୋଡ଼ ଖସିଯିବାରୁ ବଡ଼ଠାକୁରଙ୍କୁ ଧରିରଖିବା ସହଜ ହୋଇନଥିଲା । ମହାପ୍ରଭୁ ହେଉଛନ୍ତି ଭାବର ଓ ଜୀବନ୍ତ ଠାକୁର । ତାଙ୍କ ଇଚ୍ଛା ବିନା ପତ୍ରଟେ ବି ହଲେନାହିଁ । ତେବେ କାହିଁକି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ? କିଛି ଅଶୁଭ ସଂକେତ ଦେଇଗଲେ ବି ମହାପ୍ରଭୁ ବଳଭଦ୍ର ? ସଂସ୍କୃତି ବିଷାରଦଙ୍କ ମତରେ ଏଭଳି ବଡ଼ ଅଘଟଣ କିଛି  ବଡ଼ ଅଶୁଭର ସଂକେତ ହୋଇପାରେ । ବୋଧହୁଏ ବଡଠାକୁରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିରେ କୌଣସି କମି ରହିଯାଇଥାଇପାରେ ବୋଲି ଗବେଷକ ମତ ଦେଇଛନ୍ତି ।

ଆଡ଼ପ ପହଣ୍ଡି ବେଳେ ସେବାୟତଙ୍କ ହାତରୁ ଖସି ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଜିଉଙ୍କ ଆଡ଼ପ ବିଜେ ସମୟରେ ଅଘଟଣ।ପହଣ୍ଡିବେଳେ ଖସିପଡ଼ିଲେ ବଡ଼ଭାଇ ବଳଭଦ୍ର। ସେବାୟତଙ୍କ ହାତରୁ ଖସିପଡ଼ିଲେ ବଡ଼ ଠାକୁର। ଚାରମାଳ ଆଗକୁ ଝୁଙ୍କି ପଡିଲେ ବଳଭଦ୍ର। ୫ ଜଣ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି । ଆହତ ସେବାୟତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଟିମ ଇଣ୍ଡିଆର ନୂଆ କୋଚ୍ ହେଲେ ଗୌତମ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆକୁ ମିଳିଲେ ନୂଆ କୋଚ୍ । ଗୌତମ ଗମ୍ଭୀରଙ୍କ ନାମରେ ବାଜିଲା ମୋହର । ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ଗମ୍ଭୀରକୁ ଗୁରୁ ଦାୟିତ୍ବ ମିଳିଛି । ସେ ପ୍ରଥମଥର ପାଇଁ କୋଚିଂ ଦେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଏଣ୍ଟ ଏବଂ କୋଲକାତା ନାଇଟ ରାଇଡର୍ସର ମେଣ୍ଟରଭାବେ କାମ କରିଛନ୍ତି । ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ହୋଇଥିଲା । ଅନ୍ୟପଟେ ଲକ୍ଷ୍ନୌରେ ଗମ୍ଭୀର ଦାୟିତ୍ବ ନେଇଥିବାବେଳେ ଦଳ ଗୋଟିଏଥର ଫାଇନାଲ ଖେଳିଥିବାବେଳେ ପରବର୍ଷ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା । ଏଣୁ ସେ ଟିମ ଇଣ୍ଡିଆର ଏହି ଗୁରୁ ଦାୟିତ୍ବ ତୁଲାଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।