spot_img
Home Blog Page 1762

ରାଜ୍ଯରେ ଆଜିଠୁ ସ୍ବାଭାବିକ ସ୍କୁଲ ; ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ କ୍ଲାସ

ଭୁବନେଶ୍ୱର : ରାଜ୍ଯରେ ଆଜିଠୁ ସ୍ବାଭାବିକ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ କ୍ଲାସ । ଖରାଛୁଟି ପରେ ରାଜ୍ଯରେ ଗତ ୧୮ ତାରିଖରୁ ସ୍କୁଲ ଖୋଲିଥିଲେ ମଧ୍ଯ ପ୍ରବଳ ଗ୍ରୀଷ୍ଣପ୍ରବାହ ଯୋଗୁ ସ୍ବାଭାବିକ ସ୍କୁଲ ହୋଇପାରୁନଥିଲା । ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ରହିଥିଲା । ଅନେକ ଜିଲ୍ଲାରେ ସକାଳୁଆ ସ୍କୁଲ ହୋଇଥିବାବେଳେ କିଛି ଜିଲ୍ଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଅନୁସାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା ।

ତେବେ ସାରା ରାଜ୍ଯକୁ ମୌସୁମୀ ଛୁଇଁବା ସହ ଏବେ ଖରା କମିଛି । ଏଣୁ ଆଜି ସ୍ବାଭାବିକ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ସ୍କୁଲ ସ୍ବାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଖରାକୁ ଦୃଷ୍ଟିରେ ରଖି ରାଜ୍ଯରେ ଏଥର ଆଗୁଆ ଖରାଛୁଟି ଘୋଷଣା ହୋଇଥିଲା ।

ସ୍ବାଭାବିକ ହେଉଛି ବାଲେଶ୍ବର, ୮ଦିନ ପରେ ଲୋକ ପାଇବେ ଇଣ୍ଟରନେଟ

ବାଲେଶ୍ୱର : ସ୍ବାଭାବିକ ହେଉଛି ବାଲେଶ୍ବର । ୮ଦିନ ପରେ ଲୋକ ପାଇବେ ଇଣ୍ଟରନେଟ । ଆଜିଠୁ ବାଲେଶ୍ବର ସହରରେ ମିଳିବ ମୋବାଇଲ ଇଣ୍ଟରନେଟ୍ । ଏହାସହ ଖୋଲିବ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି । ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନର ଘୋଷଣା କରିଛି । ତେବେ ଶିଳ୍ପାଞ୍ଚଳରୁ କର୍ଫ୍ଯୁ ସମ୍ପୂର୍ଣ୍ଣ ଭାବେ ହଟିଥିବାବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ ଟାରୁ ୯ ଟା ମଧ୍ଯରେ କୋହଳ ହେବ କଟକଣା ।

ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ଗତ ସୋମବାର ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଯୋଗୁଁ ଲାଗୁ ହୋଇଥିଲା କର୍ଫ୍ଯୁ । ଘଟଣାରେ ୨୧ଟି ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କୁ ଗିରଫ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିଥିବା ବିଷୟରେ ଗୋଟିଏ ମାମଲା ରୁଜୁ ହୋଇଛି। କୌଣସି ଗୁଜବ ସୃଷ୍ଟିକଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଆଜି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ ଚେତେଇ ଦେଇଛନ୍ତି ।

ଆଜିଠୁ ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ :  ଆଜିଠାରୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ। ସାଧାରଣ ନିର୍ବାଚନ ସହ ସରକାର ଗଠନ ପରେ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ। ପ୍ରଥମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥଗ୍ରହଣ କରିବେ। ପିଏମ ମୋଦିଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ନୀତିନ ଗଡ଼କରି ଶପଥ ନେବେ। ଏହାପରେ ମନ୍ତ୍ରିପରିଷଦର ମୋଟ ୫୮ ମନ୍ତ୍ରୀ ଶପଥଗ୍ରହଣ କରିବେ। ମନ୍ତ୍ରି ପରିଷଦର ଅନ୍ୟ ୧୩ ମନ୍ତ୍ରୀ ରାଜ୍ୟସଭାରୁ ଅଛନ୍ତି। ସେହିପରି ମନ୍ତ୍ରୀ ହୋଇଥିବା ରବନୀତ ସିଂ ବିଟ୍ଟୁ କୌଣସି ଗୃହର ସଦସ୍ୟ ନାହାନ୍ତି।ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସମେତ ୨୮୦ ସାଂସଦ ଶପଥ ନେବେ। ଏଥିରେ ୨୫ ଜୁନରେ ବାକି ୨୬୪ ସାଂସଦ ଶପଥ ନେବେ।
ଏହାପରେ ଆସନ୍ତା ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ତଥା ୭ଥରର ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ଭର୍ତ୍ତୃହରି ମହତାବ ସଂସଦ ଭବନରେ ପହଞ୍ଚି ସ୍ଵତନ୍ତ୍ର ଅଧିବେଶନର ଆରମ୍ଭ କରିବେ। ଏହାପରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡାକି ଶପଥ ପାଠ କରାଇବେ। ଏହାପରେ କାମଚଳା ବାଚସ୍ପତି ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ ପ୍ଯାନେଲକୁ ଶପଥ ପାଠ କରାଇବେ। ଏହି ପ୍ଯାନେଲ ସଂସଦ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରିବାରେ ବାଚସ୍ପତିଙ୍କୁ ସହାୟତା କରିବେ। ୨୭ ଜୁନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁନ ୨୮ରେ ସରକାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦରେ ଆଲୋଚନା ହେବ। ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନରେ କୌଣସି ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ।

ବଜରଙ୍ଗ ପୁନିଆ ପୁଣି ନିଲମ୍ବିତ, ପରୀକ୍ଷା ପାଇଁ ପରିସ୍ରା ଦେବାକୁ କରିଥିଲେ ମନା

ନୂଆଦିଲ୍ଲୀ: ଭାରତର ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପୁଣି ଥରେ ନିଲମ୍ବିତ । ଆଣ୍ଟି ଡୋପିଂ ନିୟମ ଅନୁସାରେ ଅସ୍ଥାୟୀ ଭାବେ ନିଲମ୍ବିତ କଲା ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସିଂ ନାଡା । ଗତ ୧୦ ମାର୍ଚ୍ଚରେ ପରୀକ୍ଷା ପାଇଁ ପରିସ୍ରା ନମୂନା ଦେବାକୁ ମନା କରି ଦେଇଥିଲେ ବଜରଙ୍ଗ । ଏହାକୁ ନେଇ ଅସ୍ଥାୟୀ ଭାବେ କୁସ୍ତିଯୋଦ୍ଧା ବରଜଙ୍ଗ ପୁନିଆଙ୍କୁ ନିଲମ୍ବନ କରାଯାଇଛି । ଆସନ୍ତା ୧୧ ଜୁଲାଇ ସୁଦ୍ଧା ଜବାବ ରଖିବାକୁ ନାଡା ନୋଟିସ ଜାରି କରିଛି ।

ଏହା ପୂର୍ବରୁ ମଧ୍ୟ ବରଜଙ୍ଗ ପୁନିଆଙ୍କୁ ନିଲମ୍ବିତ କରିଥିଲା ନାଡା । ତେବେ ବଜରଙ୍ଗ ପୁନିଆଙ୍କ ନିଲମ୍ବନ ନିର୍ଦ୍ଦେଶ ଡିସିପ୍ଲିନାରୀ ପ୍ଯାନେଲ ଦ୍ଵାରା ରଦ୍ଦ କରି ଦିଆଯାଇଥିଲା । କାରଣ ନିଲମ୍ବନ ଲାଗି ତାଙ୍କୁ ନୋଟିସ ଜାରି କରାଯାଇ ନଥିଲା । ଏବେ ନାଡା ନିଲମ୍ବନ ନିର୍ଦ୍ଦେଶ ସହିତ ଉତ୍ତର ରଖିବାକୁ ନୋଟିସ ଜାରି କରିଛି ।

ଗତ ମାର୍ଚ୍ଚ ୧୦ରେ ସୋନିପତରେ ଅଭ୍ଯାସ ସମୟରେ ପରିସ୍ରା ନମୂନା ଦେବାକୁ ମନା କରି ଦେଇଥିଲେ ବରଜଙ୍ଗ ପୁନିଆ । ଏହାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ନୋଟିସ ନେଇ ଉତ୍ତର ରଖିବେ ବୋଲି କହିଛନ୍ତି ବଜରଙ୍ଗଙ୍କ ଓକିଲ ବିଷ୍ଣୁପତ ସିଙ୍ଗାନିଆ । ବଜରଙ୍ଗ ପୁନିଆ କିଛି ବି ଭୁଲ କରିନାହାନ୍ତି ବୋଲି ଦୃଢତାର ସହ କହିଛନ୍ତି ତାଙ୍କ ଓକିଲ । ନୋଟିସର ଜବାବ ଦେବାକୁ କୁସ୍ତିଯୋଦ୍ଧା ବରଜଙ୍ଗ ପୁନିଆଙ୍କ ପାଖରେ ଆସନ୍ତା ୧୧ ଜୁଲାଇ ପର୍ଯ୍ୟନ୍ତ ସମୟ ରହିଛି ।

ବିଷ ପାଲଟୁଛି ସହରର ବାୟୁ: ପେଟ୍ରୋଲ, ଡିଜେଲ ଗାଡ଼ି ବନ୍ଦ ନହେଲେ ୨୦୩୦ ବେଳକୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ବର: ସାଂଘାତିକ ହେଲାଣି ବାୟୁ ପ୍ରଦୂଷଣ । ବିଶ୍ବ ପ୍ରଦୂଷଣ ତାଲିକାରେ ଦେଶର ୪୨ ସହର । ୨୦୩୦ ସୁଦ୍ଧା ସବୁ ସହରରେ ଇ-ଯାନ ବ୍ୟବହାର ନହେଲେ ଆଉ ବଞ୍ଚିହେବନି । ଏପରି ଉଦବେଗ ପ୍ରକାଶ କରିଛନ୍ତି ଜି-୨୦ ଶିଖର ସମ୍ମିଳନୀ ସେରପା ଅମିତାଭ କାନ୍ତ । ପିଏମ୍‌-୧.୦ ଓ ପିଏମ୍‌-୨.୫ ଧୂଳିକଣା ଫୁସଫୁସ ନଷ୍ଟ କରୁଥିବା ମତ ଦେଉଛନ୍ତି ପରିବେଶବିତ । ୧୦ରୁ ୧୨ ବର୍ଷ କମୁଛି ଆୟୁଷ । ସୁଲଭ ଦରରେ ସବୁ ଲୋକ ଯେପରି ଇ-ଯାନ କିଣି ପାରିବେ ସେଥିପାଇଁ ସରକାର ସ୍ବତନ୍ତ୍ର ରିହାତି ନୀତି ଘୋଷଣା କରିବାକୁ ଦାବି ଉଠିଛି ।

ଦୂଷିତ ହେଲାଣି ସହରର ବାୟୁ । ୨୦୩୦ ସୁଦ୍ଧା ହଟାଅ ପେଟ୍ରୋଲ-ଡିଜେଲ ଇଞ୍ଜିନ ଚାଳିତ ଗାଡ଼ି । ସବୁ ସହରରେ ବ୍ୟବହାର ହେଉ ଇ-ଯାନ, ନ ହେଲେ ଭୟାଭୟ ହେବ ସ୍ଥିତି । ଅଭାବ ପଡ଼ିବ ଅମ୍ଲଜାନ । ଏପରି ସତର୍କବାଣୀ ଶୁଣାଇଛନ୍ତି ପୂର୍ବତନ ନୀତି ଆୟୋଗ ସିଇଓ ତଥା ଜି-୨୦ ସେରପା ଅମିତାଭ କାନ୍ତ । ଭାରତ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଯେତେ ଶୀଘ୍ର ସମ୍ଭବ ଦେଶର ସହରାଞ୍ଚଳରୁ ପାରମ୍ପରିକ ଇନ୍ଧନ ଚାଳିତ ଗାଡ଼ି ହଟିବା ଦରକାର । ଦେଶର ୪୨ଟି ସହରରେ ବାୟୁର ମାନ ଖରାପରୁ ଅତି ଖରାପ ସ୍ଥିତିକୁ ଗଲାଣି । ଜୈବିକ ଇନ୍ଧନ ଚାଳିତ ଗାଡ଼ି ବ୍ୟବହାର ଦ୍ବାରା କାର୍ବନ, ଲିଡ୍‌ ଓ ଧୂଳିକଣା ସହରାଞ୍ଚଳ ଲୋକଙ୍କ ଫୁସଫୁସ୍‌ ନଷ୍ଟ କରିବାରେ ଲାଗିଛି । ଇ-ଯାନ କିଣିବାକୁ ଲୋକଙ୍କ ଆଗ୍ରହ ରହିଛି । କିନ୍ତୁ ଦାମ ଅଧିକ ଥିବାରୁ ସବୁ ଲୋକ କିଣିପାରୁନାହାନ୍ତି । ସମସ୍ତେ ଯେପରି ଦୁଇ ଚକିଆଠାରୁ ତିନି ଚକିଆ ଓ ଚାରି ଚକିଆ ଇ-ଯାନ କିଣି ପାରିବେ ସେ ନେଇ ସ୍ବତନ୍ତ୍ର ରିହାତି ନୀତି ଆଣିବାକୁ କହିଛନ୍ତି ପରିବେଶବିତ ।

ସୁଇଜରଲ୍ୟାଣ୍ଡର IQ AIR ସଂସ୍ଥା ଭାରତର ବାୟୁ ପ୍ରଦୂଷଣ ନେଇ ସତର୍କ କରିସାରିଛି । ଅଧିକ ଗାଡ଼ି ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଲୋକଙ୍କ ଆୟୁଷ ୧୦ରୁ ୧୨ ବର୍ଷ କମୁଛି । ହିଟ୍‌ ଆଇଲାଣ୍ଡ ଇଫେକ୍ଟ ଯୋଗୁଁ ସହରାଞ୍ଚଳ ତାପମାତ୍ରା ବୃଦ୍ଧି ପାଉଛି । ସହରାଞ୍ଚଳରେ ଜଳ ଉତ୍ସଗୁଡ଼ିକ ପୋତି ହେବାରୁ ଗ୍ରୀନ ହାଉସ ଉପରେ ଅଧିକ ପ୍ରଭାବ ପଡୁଛି । ଆଧୁନିକରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ବଡ଼ ବଡ଼ ଗଛ କଟାଯାଉଛି । କୋଠାବାଡ଼ି ନିର୍ମାଣ ବା ପୁରୁଣା କୋଠା ମରାମତି ବେଳେ ଉଡୁଥିବା ବର୍ଜ୍ୟ ଓ ଧୂଳିକଣା ବାୟୁ ପ୍ରଦୂଷଣକୁ ଆହୁରି ଦୁଇଗୁଣ ବଢାଉଛି । ଏହାସହ ଗାଡ଼ିରୁ ନିର୍ଗତ କର୍ବାନ ନମୋକସାଇଡ ଗ୍ୟାସ୍‌ ପୂରା ବାୟୁମଣ୍ଡଳକୁ ବିଷାକ୍ତ କରି ଚାଲିଛି ।

ଇ-ଯାନର ବ୍ୟବହାର ବଢାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନା ରହିଛି । ତଥାପି ବଜାରରେ ଇ-ଯାନ ସମସ୍ତେ କିଣି ପାରିନାହାନ୍ତି । ଦାମ କମ କରିବା ସହ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କଲା ଭଳି ଯୋଜନା କରିବାକୁ ଦାବି ଉଠୁଛି ।

ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମାଆ

ଭୁବନେଶ୍ବର: ରାଜ୍ଯରେ ସପ୍ତାହକ ଭିତରେ ଅଢେଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମାଆ । ୭୦ ଲକ୍ଷ ମହିଳାଙ୍କୁ ଗଛ ଲଗାଇବା ଦାୟିତ୍ବ ପ୍ରଦାନ କରିବା ସହ ରାଜ୍ଯ ଆରମ୍ଭ ହୋଇଛି ମାଆଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ । ମିଶନ ଶକ୍ତି ଭବନ ପରିସରରେ ବୃକ୍ଷରୋପଣ କରି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି । ଏହାସହ ନିଜ ମାଆଙ୍କ ଉଦ୍ଦେଶ୍ଯରେ ଗଛଟିଏ ଲଗାଇବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏହାସହ ଗଛଲଗା କାର୍ଯ୍ୟକ୍ରମର ଫଟୋକୁ ପ୍ରଧାନମନ୍ତ୍ରୀଙ୍କୁ ପାଖକୁ ପଠାଯିବ ବୋଲି ନିଷ୍ପତ୍ତି ହୋଇଛି । ଗାଁ, ବ୍ଲକ, ଜିଲ୍ଲାସ୍ତରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟ ଓ ମିଶନ ଶକ୍ତି କାଫେରେ ଗଛ ଲଗାଇବାକୁ ସ୍ଥିର କରାଯାଇଛି ।

ମିଶନ ଶକ୍ତି ଜରିଆରେ ୫ କୋଟି ଗଛ ଲଗାଇବାକୁ ରଖାଯାଇଛି ଟାର୍ଗେଟ । ସପ୍ତାହକ ମଧ୍ୟରେ ଲାଗିବ ଅଢେଇ କୋଟି । ରାଜ୍ୟର ୭୦ ଲକ୍ଷ ମହିଳା କରିବେ ବୃକ୍ଷରୋପଣ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ‘ମାଆଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ଭବନ ପରିସରରେ ନିଜ ମାଆଙ୍କ ଉଦ୍ଦେଶ୍ୟରେ ଗୋଟିଏ ବଉଳ ଗଛ ଲଗାଇବା ସହ ରାଜ୍ୟର ମିଶନ ଶକ୍ତି ମାଆଙ୍କୁ ଗଛ ଲଗାଇବାକୁ ଆହ୍ବାନ ଦେଇଛନ୍ତି । ଏଥିପାଇଁ ଉଦ୍ୟାନ ବିଭାଗ, କୃଷି ବିଭାଗ, ଜଙ୍ଗଲ ବିଭାଗ ଗଛ ଯୋଗାଇ ଦେବେ । ଏହାସହ ନିଜ ପାଖରେ ଥିବା ପର୍ଯ୍ୟଟନ, ମିଶନ ଶକ୍ତି ଓ ମହିଳା ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ଯମନ୍ତ୍ରୀ ।

ମିଶନ ଶକ୍ତିର ମାଆମାନେ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖାଏଁ ଗଛ ଲଗାଇବେ । ନିଜ ମାଆଙ୍କ ନାଁରେ ଗଛ ଲଗାଇଲେ ଗଛ ପ୍ରତି ଅଧିକ ଆଦର ଓ ମମତା ବଢିବ । ପୃଥିବୀ ଆମ ମାଆ ଏବଂ ତାର ସୁରକ୍ଷା ପାଇଁ ଅର୍ଥାତ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରୀୟ ମହାସଂଘର ମାଆମାନେ ବିଭାଗୀୟ ମନ୍ତ୍ରୀଙ୍କ କଥାରେ ସମ୍ମତି ଜଣାଇ ଏହାକୁ ଆହ୍ବାନ ଭାବେ ଗ୍ରହଣ କରିଛନ୍ତି ।

ଜୁନ୍ ୫ ବିଶ୍ବ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଗଛ ଲଗାଇ ‘ଏକ ପେଡ୍ ମାଆ କେ ନାମ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବିଭିନ୍ନ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ।

କାଲିଠୁ ବାଲେଶ୍ବରରେ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ବର: ସୁଧୁରୁଛି ବାଲେଶ୍ବର ସ୍ଥିତି । ଆସନ୍ତାକାଲିଠାରୁ ସହରରେ ମିଳିବ ମୋବାଇଲ ଇଣ୍ଟରନେଟ୍ ସେବା । ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

ତେବେ କାଲି ଭଳି ସହରରେ ରହିବ କର୍ଫ୍ୟୁର ସ୍ଥିତି । ଶିଳ୍ପାଞ୍ଚଳରୁ କର୍ଫ୍ଯୁ ସମ୍ପୂର୍ଣ୍ଣ ଭାବେ ହଟିଥିବାବେଳେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ୯ ଟା ମଧ୍ଯରେ କୋହଳ ହେବ କଟକଣା । ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସୋମବାର ଗଣ୍ଡଗୋଳ ଯୋଗୁଁ ଲାଗୁ ହୋଇଥିଲା କର୍ଫ୍ଯୁ ।

ଘଟଣାରେ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କୁ ଗିରଫ କରାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିଥିବା ବିଷୟରେ ଗୋଟିଏ ମାମଲା ରୁଜୁ ହୋଇଛି । କୌଣସି ଗୁଜବ ସୃଷ୍ଟି କଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ।

ନୂଆ ଓ ଆକର୍ଷଣୀୟ ଢଙ୍ଗରେ ଗଣିତ ଓ ଇଂରାଜୀ ପଢ଼ାଇବେ ଶିକ୍ଷକ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଫୋକସରେ ଗଣିତ ଓ ଇଂରାଜୀ ଶିକ୍ଷା । ଦିନକୁ ଦିନ ଛାତ୍ରଛାତ୍ରୀ ଗଣିତ ଓ ପଣିକିଆ ପ୍ରତି ରୁଚି ହରାଉଛନ୍ତି । ଯାହା ଉଚ୍ଚଶିକ୍ଷା ସମୟରେ ଶିକ୍ଷା ଗ୍ରହଣରେ ଅସୁବିଧାରେ ପକାଉଛି । ପ୍ରତିକାର ଲାଗି ଶିକ୍ଷକଙ୍କୁ ବ୍ଲକସ୍ତରୀୟ ଟ୍ରେନିଂ ଦିଆଯିବ । ଫଳରେ ସେମାନେ ନୂଆ ଓ ଆକର୍ଷଣୀୟ ଢଙ୍ଗରେ ପଢ଼ାଇବେ ଗଣିତ । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ସ୍କୁଲ ରିସୋର୍ସ ଗ୍ରୁପ ।

ହଠାତ୍ ସ୍କୁଲ ପରିଦର୍ଶନ କରୁଛନ୍ତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । ସରପ୍ରାଇଜ ଭିଜିଟରେ ଅଧିକାଂଶ ସମୟରେ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଓ ଗଣିତ ଜ୍ଞାନ ନେଇ ପ୍ରଶ୍ନ କରୁଛନ୍ତି । ହେଲେ ଅନେକ ପିଲା ପଣିକିଆ କହିବାରେ ଅସମର୍ଥ ଥିବା ପରିଲଖିତ ହେଉଛି । କେଉଁଠି ପିଲାଙ୍କ ଗଣିତ ପ୍ରତି ରୁଚି ରହୁନି ତ ଆଉ କେଉଁଠି ଶିକ୍ଷକଙ୍କ ପଢାଇବା ଢାଞ୍ଚାରେ ଖାପ ଖୁଆଇ ପାରୁ ନାହାନ୍ତି ଛାତ୍ରଛାତ୍ରୀ । ଏ ସବୁକୁ ଦୃଷ୍ଟିରେ ରଖି ଗଣିତ ଶିକ୍ଷାକୁ ଅଧିକ ଗୁରୁତ୍ଵ ଦେବାକୁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ଜୁନ୍ ୨୬ରୁ ଜୁଲାଇ ୧୦ ଯାଏଁ ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ରିସୋର୍ସ ଗ୍ରୁପ୍ ବା ଏସ୍ଆରଜି ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବେ ।

ସ୍କୁଲ ଶିକ୍ଷାକୁ ଗଣଶିକ୍ଷା ବିଭାଗ ଅଧିକ ଗୁରୁତ୍ବ ଦେଉଛି । ସ୍କୁଲରେ ଗଠିତ ବିଭିନ୍ନ କ୍ଲବ ଜରିଆରେ ବୌଦ୍ଧିକ ବିକାଶ କରାଯାଉଛି । ଗଣିତ ଜ୍ଞାନ ବୃଦ୍ଧି ସହ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରବେଶିକା ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନେ ଉନ୍ନତି କରିବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି । ପିଲାଙ୍କ ଗଣିତ ଜ୍ଞାନ ବୃଦ୍ଧି ପାଇଁ ପ୍ରଥମେ ଶିକ୍ଷକଙ୍କୁ ଦକ୍ଷ କରାଯିବ । ପ୍ରଥମେ ଏସଆରଜିମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି । ୫୬ ଜଣ ଏସଆରଜିଙ୍କୁ ୩୦ ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । ସେମାନେ ବ୍ଲକସ୍ତରରେ ଶିକ୍ଷକଙ୍କୁ ତାଲିମ ଦେବେ

ସ୍କୁଲର ଗଣିତ ଶିକ୍ଷାରେ ସେତେଟା ତ୍ରୁଟି ନାହିଁ । ହେଲେ ପୁରୁଣା ପଦ୍ଧତି ଉପରେ ଆଧାରିତ ହୋଇଥିବାରୁ, ଆଜିର ପିଲାମାନଙ୍କୁ ତାହା ବିଶେଷ ଆକର୍ଷିତ କରିପାରୁନାହିଁ । ସ୍କ୍ବେୟାର ରୁଟ୍, ଟ୍ରିଗୋନୋମେଟ୍ରି ଓ ପଣିକିଆକୁ ନୂଆ ନୂଆ ଢାଞ୍ଚାରେ ବିଭିନ୍ନ ରାଜ୍ୟ ସମେତ ଘରୋଇ ସ୍କୁଲରେ ପଢାଯାଉଛି । ଯାହା ଛାତ୍ରଛାତ୍ରୀଙ୍କୁ ଗଣିତ ପ୍ରତି ଆକୃଷ୍ଟ କରିବାରେ ସହାୟକ ହେଉଛି ।

ନିଟ୍ ପେପର୍ ଲିକ ମାମଲା: ତଦନ୍ତ ପାଇଁ ଯାଇଥିବା CBI ଟିମ ଉପରେ ଆକ୍ରମଣ

ବିହାର: ନିଟ୍ ପେପର ଲିକ୍ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ । ସିବିଆଇ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ କରୁଛି । ତେବେ ପ୍ରଥମ ଦିନରେ ସିବିଆଇ ଟିମ୍ ଉପରେ ହୋଇଛି ଆକ୍ରମଣ । ବିହାରରେ ତଦନ୍ତରେ ଯାଇଥିବା ସିବିଆଇ ଟିମ୍ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବିହାର ନବାଦା ଅଞ୍ଚଳର କାସିଆଡିହିରେ ସିବିଆଇ ଟିମ ଉପରେ ଆକ୍ରମଣ ହୋଇଛି । ନକଲି ସିବିଆଇ ଟିମ ଭାବି ସ୍ଥାନୀୟ ଲୋକେ ଏହି ଆକ୍ରମଣ କରିଥିବା ଜଣାପଡିଛି । ଯାଞ୍ଚ ଟିମ୍ ଯାଇଥିବା ଗାଡିର କାଚ ଗାଁ ଲୋକେ ଭାଙ୍ଗି ଦେଇଛନ୍ତି ।

ଖବର ପାଇ ରଜୌଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିବିଆଇର ୪ ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି ।

ନିଟ୍ ପେପର ଲିକ୍ ମାମଲାର ସିବିଆଇ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ୟୁଜି ପେପର ଲିକ୍ ମାମଲାରେ ସିବିଆଇର ତଦନ୍ତ ଆରମ୍ଭ । ରୁଜୁ ହେଲା ପ୍ରଥମ ଏଫଆଇଆର । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ଅନୁସାରେ ସିବିଆଇ ଅଜ୍ଞାତ ବ୍ଯକ୍ତିଙ୍କ ନାଁରେ  ନୂଆ ମାମଲା ରୁଜୁ କରିଛି । ସେପଟେ ପେପର ଲିକ୍ ମାମଲାରେ ବିହାର, ଝାଡଖଣ୍ଡ, ଗୁଜରାଟ ଓ ମହାରାଷ୍ଟ୍ରରେ ଅନେକ ଲୋକଙ୍କୁ ଗିରଫ କରିଥିଲା ସେଠାକାର ପୋଲିସ ।

ବିହାର ପୋଲିସର ଆର୍ଥିକ କ୍ରାଇମ ୟୁନିଟ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି । ଗୁଜରାଟ ପୋଲିସ ୬ ଜଣଙ୍କୁ ଅଧିକ ଲୋକଙ୍କୁ ଗିରଫ କରିଛି । ସେହିପରି ଝାଡଖଣ୍ଡରେ ମଧ୍ଯ ୬ ଜଣ ଗିରଫ ହୋଇଛନ୍ତି ।

ସେପଟେ ନିଟ୍ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିଲା ଛାତ୍ରଛାତ୍ରୀ ଆଜି ଆଉ ଥରେ ପରୀକ୍ଷା ଦେଇଛନ୍ତି । ଏନଟିଏ ପରିଚାଳିତ ନିଟ ୟୁଜିର ରିଟେଷ୍ଟ ହୋଇଛି । ୫ ମେ’ରେ ହୋଇଥିବା ପରୀକ୍ଷାରେ ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା । ସେମାନଙ୍କ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଛତିଶଗଡ଼ରେ ୧୮୫ ଛାତ୍ରଙ୍କ ଲାଗି ପରୀକ୍ଷା ଆୟୋଜନ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ଅନୁପସ୍ଥିତ ଥିଲେ । ଚଣ୍ଡୀଗଡର ଗୋଟିଏ କେନ୍ଦ୍ରରେ ମାତ୍ର ୨ ଜଣ ପରୀକ୍ଷାର୍ଥୀ ଲାଗି କେନ୍ଦ୍ର ହୋଇଥିଲା, ହେଲେ ସେମାନଙ୍କ ମଧ୍ୟରୁ ଜଣେ ବି ପରୀକ୍ଷା ଦେଇନାହାନ୍ତି । ଏସବୁ ପରୀକ୍ଷା କେନ୍ଦ୍ରରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି ଓ ଶିକ୍ଷା ମନ୍ତ୍ରାଳୟର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଗତ ଜୁନ ୧୩ ତାରିଖରେ ସୁପ୍ରିମକୋର୍ଟ ନିକଟରେ ଏନଟିଏ ଦର୍ଶାଇଥିଲା, ଲସ୍ ଅଫ ଟାଇମ କାରଣରୁ ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯାଇଥିଲା ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ମେ’ ୫ ତାରିଖରେ ହୋଇଥିବା ନିଟ-ୟୁଜିର ଫଳ ପ୍ରକାଶ ଲାଗି ଜୁନ ୧୪ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ପୂର୍ବରୁ ଅର୍ଥାତ ଜୁନ ୪ରେ ଫଳ ଘୋଷିତ ହୋଇଥିଲା । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭ ଜଣ ୭୨୦ରୁ ୭୨୦ ରଖିଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।