ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ହସପିଟାଲର ଡାକ୍ତର ଅମ୍ଲାନ କୁମାର ଭୋଇ ସୁରକ୍ଷିତ ଭାବେ ଘରକୁ ଫେରିଥିବାରୁ ପରିବାର ଲୋକେ ବହୁତ ଖୁସି। ଅମ୍ଲାନଙ୍କୁ ପୋଲିସ କର୍ଣ୍ଣାଟକ ରାମନଗର ଜିଲ୍ଲାରୁ ଉଦ୍ଧାର କରି ସୁରକ୍ଷିତ ଭାବେ ଆଣିଥିବାରୁ ପୋଲିସକୁ ମଧ୍ଯ ପରିବାର ଲୋକେ ଧନ୍ଯବାଦ ଦେଇଛନ୍ତିି। ଏହା ସହିତ ସ୍ପଷ୍ଟ ହୋଇଛି ଯେ, ଅମ୍ଲାନଙ୍କ ନିଖୋଜ ପଛରେ ଅପହରଣ ନ ଥିଲା କିମ୍ବା ଏଥିରେ ନକ୍ସଲଙ୍କ କୌଣସି ସଂପୃକ୍ତି ନାହିଁ। ବ୍ଯକ୍ତିଗତ ସମସ୍ଯା ପାଇଁ ଅମ୍ଲାନ ନିଜେ ନିଜେ ପଳାଇଥିଲେ। ଗତ ୨ତାରିଖରେ ଅମ୍ଲାନ ନିଖୋଜ ହୋଇଥିଲେ। ତାଙ୍କ କ୍ବାଟରରୁ ମାଓବାଦୀଙ୍କ ନାଁରେ ଏକ ଚିଠି ମଧ୍ଯ ମିଳିଥିଲା। ଅଭିଯୋଗ ପରେ କାଲିମେଳା ଥାନାର ପୋଲିସ ଏକ ଟିମ୍ ଗଠନ କରି ଖୋଜାଖୋଜି କରିଥିଲା। କର୍ଣ୍ଣାଟକରୁ ପାଇବା ପରେ ଜୁନ ୭ ରେ ଅମ୍ଲାନଙ୍କୁ ମାଲକାନଗିରି ଅଣାଯାଇଥିଲା।
ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୁତ୍ତ
ମୟୂରଭଞ୍ଜ : ନାବାଳିକାକୁ ମାରି ନଦୀରେ ଫିଙ୍ଗିଦେଲେ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଘୋଡାପାଳ ଗାଁର ବୁଢାବଳଙ୍ଗ ନଦୀ ପଠାରୁ ମୃତଦେହ ଉଦ୍ଧାର। ସକାଳୁ ଜଣେ ନାବାଳିକାଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ପରେ କୁଳିଅଣା ପୋଲିସ ନଦୀରୁ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ନାବାଳିକାର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ମୃତ ନାବାଳିକାର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ନାବାଳିକାର ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଛି । କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଲେ ନବୀନ
ଭୁବନେଶ୍ୱର : ଓଡ଼ିଶାର ଜନତାଙ୍କୁ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ । ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ପୁଣି ସ୍ପଷ୍ଟ କଲେ ନବୀନ । କହିଲେ, ସେ ନିର୍ବାଚନ ଲଢ଼ି ନାହାନ୍ତି କି କୌଣସି ଦଳୀୟ ପଦବିରେ ନାହାନ୍ତି । ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାସ୍ଥ୍ୟ ସଂପୂର୍ଣ୍ଣ ଭାବେ ଭଲ ଅଛି ।
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହାପ୍ରଭୁଙ୍କ ତିନି ରଥର ଚକ ନିର୍ମାଣ କାର୍ଯ୍ୟ
ପୁରୀ : ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥ ଚକ ନିର୍ମାଣ କାର୍ଯ୍ୟ l ଆଜି ୪୨ ଚକ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ। ତିନି ରଥର ୩୯ ଗୋଟି ଚକ ନିର୍ମାଣ ସରିଛି। ବାକି ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ଚାଲିଛି ନିର୍ମାଣ କାର୍ଯ୍ୟ। ତିନି ତୁମ୍ବ ରେ ଅର ସଂଯୋଗ ହୋଇ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ , ମୁହାଁଟ ବିନ୍ଧ ଏବଂ ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ କରାଯାଉଛି। ଆଜି ତିନି ରଥର ବାକି ରହିଥିବା ଗୋଟିଏ ଗୋଟିଏ ଚକ ର ଅଖ ବିନ୍ଧ ତୁଲିଆ କାର୍ଯ୍ୟ ସହ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଗରଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼
ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କରା । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା । ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା । ନବୀନ ନିବାସରେ ପହଞ୍ଚିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା କେମତି ବିଜୁ ଜନତା ଦଳ ଆଗକୁ ବଢିବ ପୁଣି ଶକ୍ତିଶାଳୀ ହେବ । ସମସ୍ତେ ଦଳ ସହିତ ରହିବେ ଏବଂ ଆଗକୁ ବଢିବେ ବୋଲି କହିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ଆଗକୁ ବଢିବ । ମୁଖ୍ୟତଃ ଦଳର ସଂଗଠନକୁ ଆହୁରି ମଜବୁତ କରାଯିବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କଳୀକେଶ ସିଂହଦେଓ କହିଥିଲେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ କୌଣସି ସୂଚନା ନ ଥିଲେବି ସମୟ ଅନୁସାରେ ଜଣାଇ ଦିଆଯିବ । ସେହିପରି ସଂଜୟ ଦାସବର୍ମା କହିଥିଲେ କିଭଳି ଆଗକୁ ସଂଗଠନକୁ ଶକ୍ତୀଶାଳି କରାଯିବ ସେନେଇ ଆଲୋଚନା ହୋଇଛି ।
ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼
ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କରା । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା । ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା । ନବୀନ ନିବାସରେ ପହଞ୍ଚିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା କେମତି ବିଜୁ ଜନତା ଦଳ ଆଗକୁ ବଢିବ ପୁଣି ଶକ୍ତିଶାଳୀ ହେବ । ସମସ୍ତେ ଦଳ ସହିତ ରହିବେ ଏବଂ ଆଗକୁ ବଢିବେ ବୋଲି କହିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ଆଗକୁ ବଢିବ । ମୁଖ୍ୟତଃ ଦଳର ସଂଗଠନକୁ ଆହୁରି ମଜବୁତ କରାଯିବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କଳୀକେଶ ସିଂହଦେଓ କହିଥିଲେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ କୌଣସି ସୂଚନା ନ ଥିଲେବି ସମୟ ଅନୁସାରେ ଜଣାଇ ଦିଆଯିବ । ସେହିପରି ସଂଜୟ ଦାସବର୍ମା କହିଥିଲେ କିଭଳି ଆଗକୁ ସଂଗଠନକୁ ଶକ୍ତୀଶାଳି କରାଯିବ ସେନେଇ ଆଲୋଚନା ହୋଇଛି ।
ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ଜଣ ଯବାନଙ୍କୁ ଏୟାର ଲିଫ୍ଟ
ଛତିଶଗଡ଼ : ଛତିଶଗଡ଼ରେ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆହତ ହୋଇଥିବା ୩ଜଣ ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ହେଲିକପ୍ଟର ଯୋଗେ ଅନ୍ଯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ନାରାୟଣପୁର, କୋଣ୍ଡାଗାଓଁ, ଦାନ୍ତେୱାଡା, ବସ୍ତର ଅଞ୍ଚଳର ଡିଆରଜି ଏବଂ ଆଇଟିବିପି ୪୫ ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପ୍ରଥମ ଗୁଳିମାଡ଼ କରିଥିଲେ ନକ୍ସଲ । ଆଉ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ଯେଉଁଥିରେ ୭ ମାଓବାଦୀ ନିହତ ହୋଇଥିଲେ। କିଛି ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଏୟାରଲିଫ୍ଟ କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଉତ୍କଟ ରୂପ ନେଉଛି ଜଳ ସଂକଟ
ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଉତ୍କଟ ରୂପ ନେଉଛି ଜଳ ସଂକଟ। ଚାଣକ୍ୟପୁରୀ ଅଞ୍ଚଳରେ ପାଣି ପାଇଁ ହାହାକାର ପରିସ୍ଥିତି। ଟ୍ଯାଙ୍କର ଯୋଗେ ଲୋକମାନଙ୍କୁ ପାଣି ଯୋଗାଉଛି ଦିଲ୍ଲୀ ସରକାର। ତେବେ ଗୋଟିଏ ଟ୍ଯାଙ୍କରରୁ ପାଣି ନେବାକୁ ଲୋକଙ୍କ ଲାଇନ ଲାଗିଛି। ପାଇପ ପକାଇ ଟ୍ୟାଙ୍କରରୁ ପାଣି ନେଉଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ। ଟ୍ୟାଙ୍କର ପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।। ପାଣି ପାଇପରେ ଆସୁନଥିବାରୁ ଲୋକଙ୍କୁ ସମସ୍ଯାର ସମୁଖୀନ ହେବାକୁ ମଧ୍ୟ ପଡୁଛି। ସପ୍ତାହେରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ ପାଣି ସମସ୍ଯାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। କେଉଁଠାରେ ଟ୍ୟାଙ୍କର ବିଳମ୍ବରେ ଆସୁଛି ତ ଆଉ କେଉଁଠି ବିଲକୁଲ ଆସୁନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପାଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦିଲ୍ଲୀବାସୀ ଦାବି କରିଛନ୍ତି।
ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ପ୍ରତିକ୍ରିୟା ଦେଲେ ମୁକେଶ ଖାନ୍ନା
ନନ୍ଦିଘୋଷ ବ୍ୟୁରୋ : ଅଭିନେତା ମୁକେଶ ଖାନ୍ନା ଅର୍ଥାତ ଯିଏ ଶକ୍ତୀମାନ ଏବଂ ବେଳେବେଳେ ଛୋଟ ପରଦାରେ ଭୀଷ୍ମ ପିତାମହ ଭଳି ଚରିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନ କରନ୍ତି । ସେ ପ୍ରାୟତଃ ଲୋକପ୍ରିୟ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ସେ ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ଅଯୋଧ୍ୟା ଆସନ ଜିତିନଥିବା ଉପରେ ମନ୍ତବ୍ୟ ଦେଇଛନ୍ତି । ବିଜେପି ପ୍ରାର୍ଥୀ ଲାଲୁ ସିଂଙ୍କ ପରାଜୟ ଏବଂ ସମାଜବାଦୀ ପାର୍ଟିର ଅଭଦେଶ ପ୍ରସାଦଙ୍କ ବିଜୟକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।ସେ କହିଛନ୍ତି ଅଯୋଧ୍ୟା ନାମରେ ପରିଚିତ ଏହି ସହର ରାମ ମନ୍ଦିର ଯୋଗୁଁ ଏହି ବର୍ଷ ଚର୍ଚ୍ଚାରେ ଥିଲା | ସମସ୍ତେ ଆଶା କରୁଥିଲେ ଯେ ଏହି ମନ୍ଦିର ନିର୍ମାଣରେ ବିଜେପି ଫାଇଦା ପାଇବ। ଜନସାଧାରଣ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାରଙ୍କୁ ଭୋଟ୍ ଦେବେ। କିନ୍ତୁ ଏହା ଘଟିଲା ନାହିଁ । ଏହାପୂର୍ବରୁ ସୁନୀଲ ଲାହିରି ଏକ ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଲମ୍ବା ଧାଡ଼ି ଲେଖି ନିଜର କ୍ଷୋଭ ପ୍ରକାଶ କରିଥିଲେ। ଏବଂ ବର୍ତ୍ତମାନ ମୁକେଶ ଖାନ୍ନା ମଧ୍ୟ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ ?
ଅଯୋଧ୍ୟା ଉପରେ ମୁକେଶ ଖାନ୍ନାଙ୍କ ପ୍ରତିକ୍ରିୟା
ମୁକେଶ ଖାନ୍ନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଅଯୋଧ୍ୟା ନିର୍ବାଚନ ପରାଜୟରୁ ଜଣେ ଶିଖିବା ଉଚିତ୍ ଯେ ମହାନ ମନ୍ଦିର ସହିତ ନିକଟସ୍ଥ ସହରବାସୀଙ୍କ ଜୀବନକୁ ମହାନ କରିବା ପାଇଁ ଉଦ୍ୟମ କରାଯିବା ଉଚିତ୍ । କୋଟି କୋଟି ବଜେଟ୍ ମଧ୍ୟରେ ସେଠାରେ ଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ କିଛି କୋଟି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକ ଥିଲା | ସେ ରାମ ମନ୍ଦିର ହେଉ, ଚାରି ଧାମ ହେଉ କିମ୍ବା ଜୟପୁର ନିକଟ ଖାତୁ ଶ୍ୟାମ ମନ୍ଦିର । ସାଧାରଣ ଲୋକଙ୍କର ଆସ୍ଥାର ସ୍ଥାନଗୁଡିକ ପର୍ଯ୍ୟଟନ ସ୍ଥଳୀ ହେବାକୁ ଦିଅନ୍ତୁ ନାହିଁ । ଲୋକମାନେ ସେଠାରେ ରୁହନ୍ତି, ସେହି ସ୍ଥାନଗୁଡ଼ିକର ଯତ୍ନ ମଧ୍ୟ ନିଅନ୍ତି । ଅନ୍ୟପଟେ ମୁଖେଶ ଖାନ୍ନାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଥରେ ଆପଣ ଅଯୋଧ୍ୟାକୁ ଯାଇ ଦେଖିବେ କେତେ ବିକାଶ ଏବଂ ରୋଜଗାର ଯୋଗାଇ ଦିଆଯାଇଛି, ତାପରେ କିଛି କୁହନ୍ତୁ ଭଲ ହେବ ।’ ଜଣେ କହିଛନ୍ତି, ‘ତୁମେ ଆଜି ଏହା କହୁଛ କାରଣ ସେଠାରେ ବିଜେପି ହାରିଗଲା । ଯଦି ବିଜେପି ଜିତିଥାନ୍ତା, ତୁମେ କଣ କହିଥାନ୍ତ । ସେହିପରି ଅନ୍ୟଜଣେ ଲେଖିଛନ୍ତି, ‘ଅନଫୋଲଇଙ୍ଗ୍, କ୍ଷମା କରିବେ ଶକ୍ତିମାନ।’ ଜଣେ କହିଛନ୍ତି, ‘ତୁମେ କେବଳ ଚୁପ୍ ରୁହ ଏବଂ ତୁମର ଏସି ରୁମ୍ ଏବଂ ଷ୍ଟୁଡିଓରେ ବସି ଜ୍ଞାନ ଦିଅ ନାହିଁ | ତୁମ ଭଳି ଲୋକଙ୍କର ଜ୍ଞାନ ଦେବାର ଅଧିକାର ନାହିଁ । ଅନ୍ୟଜଣେ କହିଛନ୍ତି ତୁମେ ପଲ୍ଟୁ ରାମ କ୍ଷଣିକରେ ଶକ୍ତିମାନ, କ୍ଷଣିକରେ ଗଙ୍ଗାଧର ।
ଦିଲ୍ଲୀ ନରେଲା ଶିଳ୍ପାଅଂଚଳରେ ଭୟାବହ ଅଗ୍ନିକାଣ୍ଡ
ଦିଲ୍ଲୀ : ଦିଲ୍ଲୀ ନରେଲା ଶିଳ୍ପାଅଂଚଳରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଫୁଡ୍ ପ୍ରୋସେସିଂ ୟୁନିଟ। ନିଆଁରେ ପୋଡ଼ି ୩ କର୍ମଚାରୀଙ୍କ ମୃତ୍ଯୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଭୋର ସମୟରେ ଲାଗିଥିଲା ନିଆଁ। ଭୋର ପ୍ରାୟ ସାଢେ ୩ ସମୟରେ ନିଆଁ ଲାଗିଥିବା ଅଗ୍ନିଶମବାହିନୀକୁ ସୂଚନା ମିଳିଥିଲା। ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଗୋଟି ଗୋଟି କରି ୧୪ଟି ଦମକଳ ଗାଡି। ଘଣ୍ଟାଏରୁ ଅଧିକ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଏହି ଫ୍ଯାକ୍ଟ୍ରିରେ ଭଜା ମୁଗଡାଲି ପ୍ରସ୍ତୁତ କରାଯାଉଥିଲା। ଗ୍ଯାସରେ ମୁଗଡାଲି ଭାଜିବା ସମୟରେ ପାଇପରୁ ଗ୍ଯାସ ଲିକ୍ ହୋଇ ନିଆଁ ଲାଗିଥିବା ଜଣାପଡିଛି। ଏହାପରେ କମ୍ପ୍ରେସର ଗରମ ହୋଇ ବିସ୍ଫୋରଣ ଘଟିଥିଲା। ନିଆଁ ବ୍ଯାପୀ ପୂରା ଫ୍ଯାକ୍ଟ୍ରିରେ ଲାଗିଯାଇଥିଲା। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

