spot_img
Home Blog Page 1777

ନିର୍ବାଚନ ସରିଲା, ଦରଦାମ ବଢ଼ିଲା

ଭୁବନେଶ୍ବର: ସରିଲା ନିର୍ବାଚନ । ଏବେ ମହଙ୍ଗା ମାଡ଼ । ସବୁ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଚାଉଳ, ଡାଲି, ତେଲ ସବୁର ଦାମ ହୁ ହୁ ବଢୁଛି । ଆଳୁ ପିଆଜ କଥା ନ କହିଲେ ଭଲ । ପିଆଜ ଉତ୍ପାଦନ ପର୍ଯ୍ୟାପ୍ତ ଥାଇ ବି ଦର ସ୍ଥାନୀୟ ବଜାରରେ ୪୦ ଟଙ୍କା ଛୁଇଁଲାଣି । ପିଆଜକୁ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଥିବାରୁ ପିଆଜ ଦାମ ବଢୁଥିବା କହିଛି ବ୍ୟବସାୟୀ ମହାସଂଘ । ସେପଟେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିକୁ ଦାୟୀ କରିଛନ୍ତି ରାଜନେତା ଓ ବ୍ୟବସାୟୀ ।

ଖରା ତାତିକୁ ବଳିଗଲାଣି ବଜାର ତାତି । ନିର୍ବାଚନ ପରେ ହୁ ହୁ ହୋଇ ବଢିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଲଗାମ ଛଡ଼ା ବଜାର । ବେହାଲ ଖାଉଟି । କିନ୍ତୁ କେହି ଉଁ କି ଚୁଁ ପଦେ କହୁନାହାନ୍ତି । ବାସ୍ ଦୋକାନ ଗଲେ ଖାଉଟି କାନ ମୁଣ୍ଡା ଆଉଁସି ଗଣୁଛନ୍ତି ଚଢ଼ା ଦର । ଆଳୁ କିଲେ ୩୦କୁ ପିଆଜ କିଲୋ ୪୦ । ପ୍ରତ୍ୟେକ ପ୍ରକାର ଡାଲି ଦରରେ ୨୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ସୋରିଷ ତେଲ ଓ ପାମୋଲିନ୍ ତେଲ ଦର ମଧ୍ୟ ବଢି ଚାଲିଛି । ଏପରିକି ପାଇକରୀ ବଜାରରେ ଚାଉଳ ଦର ମଧ୍ୟ ୩ ଶହରୁ ୪ ଶହ ଟଙ୍କା ବଢିଛି । କେତେବେଳେ ଉତ୍ପାଦନ କମ୍ ତ କେତେବେଳେ କର୍ପୋରେଟ୍ ସଂସ୍ଥାଙ୍କ ମନମାନି । ନିର୍ବାଚନ ପ୍ରକ୍ରିୟାର ଘୋ ଘା ଭିତରେ ବଜାର ଉପରେ ଯେପରି କାହାରି ନିଘା ନାହିଁ । ଖୋଦ ବ୍ୟବସାୟୀ ମହାସଂଘ କହିବା କଥା ଧାନର ଏମ୍ଏପି ବୃଦ୍ଧି ନେଇ ଏଥରକ ନିର୍ବାଚନ ପ୍ରସଙ୍ଗ ହୋଇଥିଲା । ଗାଁ ଗହଳିରେ ଲୋକେ ଚାଷ ଉପରେ ଆଉ ସେତେଟା ମନ ଦେଉନାହାନ୍ତି । ଫଳରେ ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଛି । ସେପଟେ ମନଇଚ୍ଛା କର୍ପୋରେଟ୍ ସଂସ୍ଥା ହୋର୍ଡ଼ିଂ କରି ବଜାରରେ ନାହିଁ ନଥିବା କୃତ୍ରିମ ଅଭାବ ସୃଷ୍ଟି କରିଚାଲିଛନ୍ତି । କେନ୍ଦ୍ର ସରକାର ଏସବୁକୁ ଆଖି ବୁଜି ଦେଇଛନ୍ତି ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ଦୁଇ ୩ ବର୍ଷ ହେଲାଣି ବଢୁଛି । ଏଥିପ୍ରତି କେହି ବି ଧ୍ୟାନ ଦେଉନାହାନ୍ତି । ନିର୍ବାଚନ ଥିବାରୁ ପେଟ୍ରୋଲ ଓ ଡିଜେଲ ଦାମରେ ୧ ଟଙ୍କାରୁ ୨ ଟଙ୍କା ହ୍ରାସ କରାଗଲା । କିନ୍ତୁ ଏସବୁ ସମୁଦ୍ରକୁ ଶଙ୍ଖେ ଭଳି । ଦରଦାମ ବୃଦ୍ଧି ଯେପରି କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ ନୁହେଁ । ଏବର କେନ୍ଦ୍ର ସରକାର ପୁଞ୍ଜିପତିଙ୍କ ସ୍ବାର୍ଥକୁ ଯେପରି ଜଗି ବସିଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି । ଆଜି ରିଜର୍ଭ ବ୍ୟାଙ୍କ ବି ରେପୋ ରେଟ୍କୁ ସାଢ଼େ ୬ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ତଥାପି ବଜାର ଦର କମୁନି । ବାସ୍ତବରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଉଭୟ କେନ୍ଦ୍ର ସରକାରଙ୍କ ନୈତିକ ଦାୟିତ୍ବ ନା ନାହିଁ ତାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ ବୋଲି ବିରୋଧୀ କହିଛନ୍ତି ।

ମୌସୁମୀ ପୂର୍ବରୁ ବେଲଗାମ ହେଲାଣି ଦରଦାମ । ସ୍ଥିତି ଏମିତି ହେବାକୁ ବସିଲାଣି ଖାଦ୍ୟ ସାମଗ୍ରୀ ଦର ଚଢ଼ା ରହିବାରୁ ଅନ୍ୟ ସାମଗ୍ରୀ କିଣିବାକୁ ଖାଉଟିଙ୍କ ପାଖରେ ଅର୍ଥ ଅଣ୍ଟୁନି । ଆଗକୁ କ’ଣ ଯେ ସ୍ଥିତି ହେବ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ବିଜେପି-ଟିଡିପି ମେଣ୍ଟ; ଆନ୍ଧ୍ରକୁ ପୋଲାଭରମ୍ ଲାଭ, ଓଡ଼ିଶାର ଦୁଃଖ

ଭୁବନେଶ୍ବର: ପୋଲାଭରମ ପ୍ରକଳ୍ପ । ଗୋଦାବରୀ ନଦୀରେ ଏହି ପ୍ରକଳ୍ପ ହେବା ପରେ ବୁଡ଼ି ଯିବ ଓଡ଼ିଶାର ହଜାର ହଜାର ହେକ୍ଟର ଜମି । ଜଙ୍ଗଲ ବି ବୁଡ଼ିବ । ବିସ୍ଥାପିତ ହେବେ ହଜାର ହଜାର ଆଦିବାସୀ । ଏବେ କେନ୍ଦ୍ର ସରକାରରେ ଟିଡିପି ସାମିଲ ହେବାକୁ ଯାଉଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଡର ଆହୁରି ବଢ଼ିଲାଣି । କାରଣ ଚାପ ପକାଇ ଏହି ପ୍ରକଳ୍ପର କାମକୁ ତ୍ବରାନ୍ବିତ କରିବ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ପ୍ରଭାବିତ ହେବାକୁ ଥିବା ମାଲକାନଗିରି ମୋଟୁ ଅଞ୍ଚଳର ଆଦିବାସୀ କ’ଣ କରିବେ, ସେମାନଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନାହିଁ ।

ଏନଡିଏ ସରକାରରେ ଟିଡିପି ସାମିଲ ହେଉଥିବାରୁ ଓଡ଼ିଶାରେ ଛନକା । ବିଶେଷ କରି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଲାଣି । ସେମାନଙ୍କ ଆଶଙ୍କା, ଏବେ ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ କେନ୍ଦ୍ର ଉପରେ ଚାପ ପକାଇ ପାରେ ଟିଡିପି । ଏଥିପାଇଁ କଂଗ୍ରେସର ୱାଇଏସ୍ ଶର୍ମିଳା ମଧ୍ଯ ଟିଡିପିକୁ ଆହ୍ବାନ ଦେଲେଣି । ଗୋଦାବରୀ ନଦୀରେ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ହେଲେ ଆନ୍ଧ୍ର ସିନା ବହୁତ ଫାଇଦା ପାଇବ, ହେଲେ କ୍ଷତିଗ୍ରସ୍ତ ହେବେ ମାଲକାନଗିରିର ବହୁ ଆଦିବାସୀ । ବୁଡ଼ିଯିବ ପ୍ରାୟ ୭ ହଜାର ହେକ୍ଟର ଜମି । ଜଙ୍ଗଲ ହେବ ଜଳମଗ୍ନ, ବିସ୍ଥାପିତ ହେବେ ହଜାର ହଜାର ଆଦିବାସୀ । ପଛୁଆ ପାଣିରେ ବି ଅନେକ ଅଞ୍ଚଳ ବୁଡ଼ି ଯିବ । ତେଣୁ ଆଗରୁ ବି ଓଡ଼ିଶା ଏହାକୁ ବିରୋଧ କରିଆସିଛି । କିନ୍ତୁ ବର୍ତ୍ତମାନର ଜାତୀୟ ସମୀକରଣକୁ ଦେଖିଲେ, ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶା ବହୁତ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ପୋଲାଭରମ ପ୍ରକଳ୍ପ ସପକ୍ଷରେ ଆନ୍ଧ୍ର କଂଗ୍ରେସ ବାହାରିଥିବା ବେଳେ ଓଡ଼ିଶା କଂଗ୍ରେସ ରାଜ୍ଯର ସ୍ବାର୍ଥ ସପକ୍ଷରେ । ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉ ଥିବାରୁ ମିଳିତ ଭାବେ ଏହାର ଦୃଢ଼ ବିରୋଧ କରିବାକୁ ଆହ୍ବାନ ଦେଇଛି ରାଜ୍ଯ କଂଗ୍ରେସ ।

ସେପଟେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ପୋଲାଭରମ କାମ । ଡିସେମ୍ବର ୨୦୨୫ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଆନ୍ଧ୍ର ସରକାର ଲକ୍ଷ୍ଯ ରଖିଛନ୍ତି । କେନ୍ଦ୍ର ସରକାର ମଧ୍ଯ ଏହାକୁ ଜାତୀୟ ପ୍ରକଳ୍ପର ମାନ୍ଯତା ଦେଇଛନ୍ତି । ରାଜ୍ଯରେ ବିଜେଡି ସରକାର ଥିବା ବେଳେ ପୋଲାଭରମକୁ ଜୋରଦାର ବିରୋଧ କରିଥିଲା । ଏବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଏହା କେଉଁ ମୋଡ଼ ନେବ, ତାକୁ ନେଇ ଚିନ୍ତାରେ ପ୍ରଭାବିତ ଅଞ୍ଚଳର ଲୋକେ ।

ବିରୋଧୀ ସିଟରେ ବସି ଓଡ଼ିଶାବାସୀଙ୍କ ସ୍ବରକୁ ଶାଣିତ କରିବ ବିଜେଡି

ଭୁବନେଶ୍ବର: ରାଜ୍ଯ ରାଜନୀତିରେ ନୂଆ ସମୀକରଣ । ୨୪ ବର୍ଷ ପରେ ଓଡ଼ିଶା ପାଇଛି ସଶକ୍ତ ବିରୋଧୀ ଦଳ । ବିରୋଧୀ ଦଳ ଭାବେ ବିଜେଡି ପ୍ରଥମ ଥର ପାଇଁ ଲୋକଙ୍କ ସ୍ବରକୁ କରିବ ଶାଣିତ । ସମୟ ଅନୁଯାୟୀ ସବୁ ପ୍ରସଙ୍ଗ ଉଠାଇବାକୁ ବିଜେଡି ପ୍ରସ୍ତୁତ । ସେପଟେ ବିଧାନସଭାରେ କଂଗ୍ରେସ ଆସନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳରେ ଉତ୍ସାହ । ନୂଆ ସମୀକରଣକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ।

୨୪ରେ ମିଳିଲା ସଶକ୍ତ ବିରୋଧୀ ଦଳ । ପ୍ରଥମ ଥର ପାଇଁ ବିରୋଧୀ ଦଳ ଭୂମିକାରେ ବିଜେଡି । ଜନସେବା ସହ ସମସ୍ୟା ସମାଧାନକୁ ଦଳର ଫୋକସ । ବିଧାୟକ ସଂଖ୍ଯା  ବୃଦ୍ଧି ପାଇଁ କଂଗ୍ରେସ ବି ଉତ୍ସାହିତ । ବିଜେପି କହିଲା- ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ।

ପ୍ରଥମ ଥର ଲାଗି ଓଡ଼ିଶାବାସୀ ବିଜେପିକୁ ଶାସକ ଦଳର ମାନ୍ୟତା ଦେବା ସହ ବିଜେଡି ଓ କଂଗ୍ରେସକୁ ସଶକ୍ତ ବିରୋଧୀ ଦଳ ଭାବେ ଉଭା କରିଛନ୍ତି । ୨୪ ବର୍ଷର ସୁଶାସନ ଓ ବିକାଶ କାର୍ଯ୍ୟ ପାଇଁ ବିଜେଡି ସାରା ଦେଶରେ ନାଁ କରିଛି । ବିରୋଧୀ ଦଳ ଭାବେ ମଧ୍ଯ ଲୋକଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିବ । ଜନସେବା ଜାରି ରଖିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଜେଡିର ନବନିର୍ବାଚିତ ୫୧ ଜଣ ବିଧାୟକ ଓ ସମସ୍ତ ନେତା ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି କହିଛନ୍ତି ।

୨୦୧୯ ଅପେକ୍ଷା ୨୦୨୪ରେ ଓଡ଼ିଶାରେ କଂଗ୍ରେସର ବଳ ବୃଦ୍ଧି ପାଇଛି । କଂଗ୍ରେସର ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏଥିରେ ଉତ୍ସାହିତ ଥିବା କଂଗ୍ରେସ ଲୋକଙ୍କ ସ୍ବରକୁ ଶାଣିତ କରିବା ସହ ଲଢ଼େଇ ଜୋରଦାର କରିବାକୁ ଅଣ୍ଟା ଭିଡ଼ିଛି । ତାରାପ୍ରସାଦ ବାହିନୀପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରିବା ପାଇଁ ଦଳର ବହୁ ବିଧାୟକ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ଆଜି ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ରାଜନ ଏକ୍କା ପ୍ରମୁଖ ଦିଲ୍ଲୀ ଗସ୍ତ କରିଛନ୍ତି । ଦଳ ଯେଉଁ ଦାୟିତ୍ବ ଦେବ, ତାହା ସଠିକ ଭାବେ ତୁଲାଇବେ ବୋଲି ତାରା କହିଛନ୍ତି । ଅନ୍ୟପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା  ସାମ୍ନା କରିବାକୁ ପ୍ରସ୍ତୁତ ଥିବା ବିଜେପି କହିଛି ।

ରାଜ୍ୟ ପାଇବ ନୂଆ ସରକାର; ଶପଥ ଗ୍ରହଣ ପାଇଁ ସଜେଇ ହେଲାଣି ଜନତା ମଇଦାନ

ଭୁବନେଶ୍ବର: ରାଜ୍ଯରେ ବିଜେପି ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ । ଜୁନ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଲାଣି ଜନତା ମଇଦାନ । ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ । ସେପଟେ ନେତା ନିର୍ବାଚନ ଲାଗି ଆସନ୍ତାକାଲି ବସିବ ବିଧାୟକ ଦଳ ବୈଠକ ।

ଓଡ଼ିଶାରେ ପ୍ରଥମ ଥର ସରକାର ଗଠନ କରିବ ବିଜେପି । ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ । ଉପସ୍ଥିତ ରହିବେ ପ୍ରାୟ ୩୦ ହଜାର ଲୋକ । ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ହେଲେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କାହା ମୁଣ୍ଡରେ ବିଜେପି ଢାଳିବ ସୁନା କଳସ ? କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ଚୟନ ? ଏସବୁ ପ୍ରଶ୍ନର ଉତ୍ତର ଓଡ଼ିଶାରେ ନୁହେଁ ଦିଲ୍ଲୀରେ ସଂସଦୀୟ ବୋର୍ଡ଼ ବୈଠକରେ ସ୍ଥିର ହେବ । ଆଗାମୀ ୨୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରାଯିବ ବୋଲି କହିଛନ୍ତି ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ।

ରାଜ୍ଯରେ କିଏ ମୁଖ୍ଯମନ୍ତ୍ରୀ ହେବେ ସେହି ନିଷ୍ପତ୍ତି ନେବେ କେନ୍ଦ୍ରୀୟ ହାଇକମାଣ୍ତ । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ହେଉ କି ତଦନ୍ତ କମିଶନ ରିପୋର୍ଟ ପ୍ରକାଶ । ଚିଟଫଣ୍ଡ ଅର୍ଥ ଫେରସ୍ତ ହେଉ କି ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ କଟକଣା ହଟିବା ପ୍ରସଙ୍ଗ । ଏଭଳି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି । ଏହାସହ ଚାଷୀ, ଯୁବ, ମହିଳା, ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ପ୍ରତିଶ୍ରୁତି ବିଜେପି ଦେଇଥିଲା, ତାହା କେବେ ପୂରଣ ହେବ, ତା’ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ଜଣେ ଅନୁଭବୀ ଓଡ଼ିଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହୁଛି ବିଜେପି । କେଉଁ ଆଧାରରେ ଚୟନ ହେବେ ମୁଖ୍ଯମନ୍ତ୍ରୀ ତାହାକୁ ନେଇ ଜାରି ରହିଛି ସସପେନ୍ସ ।

ଆଡଭାନି ଏବଂ ମନୋହର ଯୋଶୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୁରଳୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି । ଉଭୟଙ୍କୁ ଭେଟିବା ସହ ସେମାନଙ୍କ ଆଶୀର୍ବାଦ ନେଇଛନ୍ତି ମୋଦି ।

ସାଧାରଣ ନିର୍ବାଚନ ଘୋଷଣା ଆଗରୁ ଆଡଭାନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଆଡଭାନି ଏବଂ ଯୋଶୀ ହେଉଛନ୍ତି ବିଜେପିର ପ୍ରଥମ ପୀଢ଼ିର ନେତା । ଏମାନେ ହେଉଛନ୍ତି ବିଜେପିର ପ୍ରତିଷ୍ଠାତା ସଦସ୍ୟ । ବିଜେପିକୁ ସର୍ବଭାରତୀୟ ଦଳ କରିବାରେ, ଏହାର ଅଭିବୃଦ୍ଧିରେ ଓ ବର୍ତ୍ତମାନ ବିଜେପି ଯେଉଁ ସ୍ଥିତିରେ ପହଞ୍ଚିଛି, ସେଥିରେ ଆଡଭାନି ଏବଂ ଯୋଶୀଙ୍କ ଅତୁଳନୀୟ ଅବଦାନ ରହିଛି । ରାମ ମନ୍ଦିର ଆନ୍ଦୋଳନରେ ଉଭୟଙ୍କ ପ୍ରମୁଖ ଭୂମିକା ଥିଲା । ତେଣୁ ତୃତୀୟ ଥର ବିଜେପି ନେତୃତ୍ଵରେ କେନ୍ଦ୍ରରେ ସରକାର ଗଠନ ହେବାକୁ ଯାଉଥିବା ବେଳେ ଆଜି ଆଡଭାନି ଏବଂ ଯୋଶୀଙ୍କୁ ସେମାନଙ୍କ ବାସଭବନରେ ଭେଟିଛନ୍ତି ମୋଦି ।

ଶୀତଳ ଷଷ୍ଠୀ: ଚୂଡ଼ାନ୍ତ ପର୍ଯ୍ୟାୟରେ ଦେବ ଦମ୍ପତିଙ୍କ ବିବାହ ପ୍ରସ୍ତୁତି

ସୋନପୁର: ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର । ଚାରି ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାରେ କନ୍ୟା ଖୋଜା ପର୍ବ ସମାପନ ହୋଇଯାଇଥିବା ବେଳେ ଦେବ ନିମନ୍ତ୍ରଣ, ଅଳଙ୍କାର ଧାରଣ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।

ସୂଚନାଯୋଗ୍ୟ, ଐତିହ୍ୟର ଏହି ସହରରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଶିବ-ପାର୍ବତୀଙ୍କ ବିବାହ ଉତ୍ସବ । ପ୍ରତିବର୍ଷ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ବିବାହ ବେଶ ଧୂମଧାମରେ ପାଳିତ ହୋଇଆସୁଛି । ଏଥର ମଧ୍ଯ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୨ ତାରିଖ ରାତିରେ ବାବା ଚନ୍ଦ୍ରଶେଖର, ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସହିତ ଆଡମ୍ବର ପୂର୍ଣ୍ଣ ବରଯାତ୍ରୀ ନେଇ ବିବାହ ପାଇଁ ବାହାରିବେ ।

ରାଜାରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାର କେନ୍ଦ୍ରବିନ୍ଦୁ ୧୦୮ ଭରି ସୁନା ତିଆରି ନାଗ ପ୍ରତିମା । ଐତିହାସିକ ଦେବ ଦମ୍ପତିଙ୍କ ବିବାହ ପାଇଁ ସୋନପୁରର ଗ୍ରୀଡକୋ କଲୋନୀ ହିମାଦ୍ରୀ ନଗରର ଅନିମା ଭୁତ ଓ ଗୋପାଲ ଭୁତ କନ୍ୟା ମାତାପିତା ହେବାର ସ୍ୱୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ବାବା ଚନ୍ଦ୍ରଶେଖରଙ୍କ ବିବାହ ସମ୍ପନ୍ନ କରିବେ ଘୋଡାଘାଟ ପଡାର ଶିବାନୀ ବକ୍ସି ଓ ବାବୁଲି ବକ୍ସି ।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ; ୪ ମୃତ, ୪ ଗୁରୁତର

ଭୁବନେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜରରେ ଘଟିଛି ଏମିତି ଘଟଣା ।

ନୂଆପଡାର ଖଡିଆଳ ଥାନା କିରିକିଟା ଗାଁରେ ବଜ୍ରପାତ ହୋଇଛି । ଶୌଚ ପାଇଁ ଯାଉଥିବା ବେଳେ ବଜ୍ରପାତରେ ତସିଲ ମାଝୀଙ୍କ ମୃତ୍ଯୁ ଘଟିଛି । ସେହିପରି ପିଙ୍ଗଲ ମାଝୀ ଗୁରୁତର ହୋଇଛନ୍ତି । ନୟାଗଡରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ବଳଭଦ୍ର ପ୍ରସାଦ ଗଉଡପାଟଣା ଗାଁର ସୁକାନ୍ତି ବେହେରା । ସେ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ଯୁ ଘଟିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କୋଇଲିପାଣି ଗାଁରେ ବଜ୍ରପାତରେ ଝିଅର ମୃତ୍ୟୁ ଘଟିଥିବା ବେଳେ, ବାପା ଗୁରୁତର ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଘୁଆ ଗାଁରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ସନ୍ତୋଷ କୁମାର ବେହେରା । ବଜ୍ରପାତରେ ୨ ଜଣ ମହିଳା ଗୁରୁତର ଆହତ ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଲକ୍ଷ୍ମୀ ବସରୁ ଲୋଗ ହଟାଇବାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ

କୋଣାର୍କ: ସରକାର ପରିବର୍ତ୍ତନ ହେଲେ ଯୋଜନାର ରୁପାନ୍ତରିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପୂର୍ବରୁ ଲୋକାଭିମୁଖି ଯୋଜନାକୁ ନେଇ କିଛି ହଟଚମଟ କରାଯାଏ ତେବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସ୍ବାଭାବିକ । ଗାଁ ଗହଳିର ଲୋକଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ଚାଲୁଛି । ହେଲେ ଏଥିରୁ ଲୋଗ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ମାଲକାନଗିରିରୁ ଆସିକା ଓ କୋଣାର୍କ ସବୁଠି ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା ।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୧୨ ତାରିଖରେ ମାଲକାନଗିରିରୁ ସମଗ୍ର ରାଜ୍ୟ ପାଇଁ ଆରମ୍ଭ ହୋଇଥିଲା ଳକ୍ଷ୍ମୀ ବସ୍ ଯୋଜନା । ନିଜେ ନବୀନ ପଟ୍ଟାନାୟକ ଲକ୍ଷ୍ମୀ ବସରେ ବସି ମାଲକାନଗିରି ଷ୍ଟାଡିୟମରୁ ଏମଭି-୩ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ବସରେ ବସିବା ପରେ ଟଙ୍କା ଦେଇ ପ୍ରଥମ ଟିକେଟ ମଧ୍ୟ ନେଇଥିଲେ ନବୀନ । ଆଉ ଏହା ପରେ ଉପାନ୍ତ ମାଲକାନଗିରିରୁ ଆରମ୍ଭ କରି ଉପକୁଳ ପର୍ଯ୍ୟନ୍ତ ଗମାନଗମନ କ୍ଷେତ୍ରରେ ଲକ୍ଷ୍ମୀ ବସ୍ ଏକ ବିପ୍ଳବ ସୃଷ୍ଟି କରିଥିଲା ।

ବସଟି ଓଡ଼ିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ହେଉଥିବା ବେଳେ ବସର ଦୁଇ ପାଖରେ ଲକ୍ଷ୍ମୀ ବସ ଲେଖା ସହ ଦୁଇଟି ନର୍ତ୍ତକୀ ଶଙ୍ଖ ଫୁଙ୍କୁଥିବା ଷ୍ଟିକର ଲାଗିଥିଲା । ହେଲେ ଗୁରୁବାର ହଠାତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ଗ୍ରାମକୁ ଚାଲିଥିବା ଲକ୍ଷ୍ମୀ ବସରେ ଆଉ ଲକ୍ଷ୍ମୀ ଷ୍ଟିକର ଲୋଗ କି ନର୍ତ୍ତକୀ ଷ୍ଟିକର ଉଭାନ ହୋଇଯାଇଛି । ଏବେ ସେହି ସ୍ଥାନଟି ସମ୍ପୂର୍ଣ୍ଣ ଧଳା ରହିଛି ।

ଏହି ଷ୍ଟିକର କିଏ କାଢ଼ିଲା ଓ କାହା ନିର୍ଦ୍ଦେଶରେ କଢ଼ାଗଲା କାହା ପାଖରେ ଖବର ନାହିଁ । ଲୋକମାନେ ସୁଲଭ ମୂଲ୍ୟରେ ଲକ୍ଷ୍ମୀ ବସ୍ ମାଧ୍ୟମରେ ଗମନାଗମନ ସୁବିଧା ପାଉଥିଲେ । ଏବେ ଆଗାମୀ ଦିନରେ ଲକ୍ଷ୍ମୀ ବସର ଭାଗ୍ୟ କ’ଣ ହେବ ତାକୁ ନେଇ ଚିନ୍ତା ପଡିଛନ୍ତି ଯାତ୍ରୀ ।

ଲୋକ ସରକାରଙ୍କୁ ଚୟନ କରିଥାନ୍ତି ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ । ରାଜ୍ୟର ପରିବର୍ତ୍ତିତ ପରିସ୍ଥିତିରେ ନୂଆ ସରକାର ଗଠନ ହୋଇ କିଛି ନୂଆ ଯୋଜନା ଆଣିବା ପର୍ଯ୍ୟନ୍ତ ପ୍ରଶାସନ ଅନ୍ତତଃ ଏ ଦିଗରେ ଚିନ୍ତା କରିବା କଥା । ଯେଉଁ ଯୋଜନା ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିଥାଏ, ସେଗୁଡିକୁ ବନ୍ଦ କିମ୍ବା ପରିବର୍ତ୍ତନ କରିବା ପୂର୍ବରୁ ହିତାଧିକାରୀଙ୍କ କଥା ଚିନ୍ତା କରିବା ଆବଶ୍ଯକ ହୋଇପଡିଛି ।

କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ମହିଳା CISF ଯବାନଙ୍କ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ ?

ଭୁବନେଶ୍ବର: ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ବତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାକୁଡ଼ା ମାରିଥିବା CISFର ମହିଳା ଯବାନ କୁଲବିନ୍ଦର କୌରଙ୍କୁ ଗିରଫ କରାଯାଇଛି । ଘଟଣାକୁ ନେଇ ତାଙ୍କୁ ପଚରାଉଚରା ଚାଲିଛି । ତେବେ ପ୍ରଶ୍ନ ଉଠୁଛି, ଚାପୁଡ଼ା ମାରିବା ପାଇଁ କି ଦଣ୍ଡ ରହିଛି । ଜଣେ ସୁରକ୍ଷା କର୍ମୀ ଭାବେ କାମ କରୁଥିବାରୁ ମହିଳା ଯବାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ? ଏଥିପାଇଁ ତାଙ୍କୁ ଜେଲ କି ଜରିମାନା ଦେବାକୁ ପଡ଼ିବ କି ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆସନ୍ତୁ ଜାଣିବା ଚାପୁଡ଼ା ମାରିଲେ କେଉଁ ପ୍ରକାର ଦଣ୍ଡ ମିଳିବାର ନିୟମ ରହିଛି ।

ଚାପୁଡ଼ା ମରାର ଦଣ୍ଡ କ’ଣ ? 

ସୁପ୍ରିମକୋର୍ଟ ଆଇନଜୀବୀ ଆଶିଷ ପାଣ୍ଡେଙ୍କ ଅନୁସାରେ, ଚାପୁଡ଼ା ମାରିବା ସ୍ଥିତିକୁ ନେଇ ଆଇପିସିର ଅଲଗା ଅଲଗା ଧାରା ଲାଗି ପାରିବ । ଏହା ନିର୍ଭର କରେ କି କେଉଁ ପରିସ୍ଥିତିରେ ଚାପୁଡ଼ା ମରାଯାଇଛି । ଚାପୁଡ଼ା ମାରିବା ଅପରାଧ ଶ୍ରେଣୀରେ ଆସିଥାଏ । ଏଥିପାଇଁ ଆଇପିସି ଧାରା ୩୨୩ରେ ମାମଲା ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଆଇପିସି ଧାରା ୩୨୩ ଅନୁସାରେ, ଯଦି କେହି ଜାଣିଶୁଣି ଅନ୍ୟକୁ କ୍ଷତିରେ ପକାଏ କିମ୍ବା ଆହତ କରେ ତେବେ ତାଙ୍କୁ ଗୋଟିଏ ବର୍ଷ ଜେଲ ହେବାର ନିୟମ ରହିଛି । ଏହାସହ ହଜାରେ ଟଙ୍କାର ଜରିମାନା ମଧ୍ୟ ହୋଇପାରେ । ଅଥବା ଜେଲ ସହ ଜରିମାନା ମଧ୍ୟ ହୋଇପାରେ ।

ଯଦି କୌଣସି ବ୍ୟକ୍ତି ଅସଦାଚରଣ କରିଥିବେ ଓ ଏହାର ପ୍ରତିବାଦରେ ସମ୍ମୁଖ ବ୍ୟକ୍ତି ଚାପୁଡ଼ା ମାରିଥିବେ ତେବେ ଦଣ୍ଡ ପରିବର୍ତ୍ତେ ଅଭିଯୋଗକୁ ନାକଚ କରି ଦିଆଯାଇପାରେ ।

ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଡରାଇବାକୁ ଆକ୍ରମଣ କରିଥାଏ ଓ ଏଥିରେ କାହାର କୌଣସି କ୍ଷତି ହୋଇ ନଥାଏ ହେଲେ ପୀଡ଼ିତା ଡରିଯାଏ ତେବେ ଅଭିଯୁକ୍ତଙ୍କୁ ସେକ୍ସନ ୩୫୮ରେ ଦୋଷୀ ବିବେଚନା କରାଯାଇଥାଏ ।

ଆଇପିସି ଧାରା ୩୫୨ ଅନୁସାରେ ବିନା କୌଣସି କାରଣରେ ଯଦି ଜଣେ ଅନ୍ୟକୁ ଆକ୍ରମଣ କରେ ତେବେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଏପରିକି ଉଭୟ ଜେଲ ଦଣ୍ଡ ସହ ଜରିମାନା ବି ଲାଗିପାରେ ।

CISF ଯବାନଙ୍କୁ କେତେ ଦଣ୍ଡ ମିଳିବ ?

ଆଇନଜୀବୀ ପାଣ୍ଡଙ୍କ ଅନୁସାରେ, କଙ୍ଗନାଙ୍କ ମାମଲାରେ ଏହାର ମଧ୍ୟ ଯାଞ୍ଚ ହେବା ଦରାକାର ଯେ ମହିଳା ଯବାନଙ୍କ ପାଖରେ କୌଣସି ହସ୍ତ୍ରଶସ୍ତ୍ର ଥିଲା କି ? କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ ତାଙ୍କୁ ଅଧିକ କ୍ଷତି ପହଞ୍ଚାଇବାର କୌଣସି ଯୋଜନା ଥିଲା କି ? କାର୍ଯ୍ୟରତ ଥିବା ବେଳେ ଚାପୁଡ଼ା ମରିବା ମଧ୍ୟ ତଦନ୍ତରେ ମୁଖ୍ୟ ଆଧାର ହୋଇପାରେ । ଏହାସହ ଚାକିରିରେ ଜଡ଼ିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ହେଲେ କାର୍ଯ୍ୟାନୁଷ୍ଠାନ କେତେ ହେବ ତାହା ଯାଞ୍ଚ ରିପୋର୍ଟ ଆସିବା ପରେ ଜଣାପଡିବ ।

ସୁଡସୁଡିଆ ଗାଁକୁ ଛାରଖାର କଲା କାଳବୈଶାଖୀ

ଉଦଳା: କପ୍ତିପଦା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ପୂରା ଗାଁକୁ କରି ଦେଲା ଛାରଖାର । କାଳବୈଶାଖୀ ପ୍ରଭାବରେ କପ୍ତିପଦା ବ୍ଲକର ସୁଡସୁଡିଆ ଗାଁରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଲୋକଙ୍କ ଘରର ଛପର ଉଡ଼ି ଯାଇଛି । ବିରାଟ ବିରାଟ ଗଛ ଭାଙ୍ଗି ତଳେ ଲୋଟୁଛି ।

ଗତକାଲି ରାତିରେ ହଠାତ ବର୍ଷା ସହ ପ୍ରବଳ ବେଗରେ ପବନ ହୋଇଥିଲା । ଫଳରେ ଗାଁରେ ଥିବା ବିଦ୍ୟାଳୟର ଛପର ଉଡ଼ିଯାଇଥିଲା । ବିରାଟ ବିରାଟ ଗଛ ଭାଙ୍ଗି ପଡ଼ିବା ଦ୍ବାରା ଲୋକଙ୍କ ଘର ବି ଭାଙ୍ଗି ଯାଇଛି । କାଳବୈଶାଖୀ ପ୍ରଭାବରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଗ୍ରାମବାସୀ ।

ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛକୁ ହଟାଇଛି । ଏହାସହ ଲୋକଙ୍କ ଘର ଉପରେ ପଡ଼ିଥିବା ଗଛକୁ କାଟି ସଫା କରାଯାଇଛି । କାଳବୈଶାଖୀ ମାଡ଼ରେ ପୂରା ଗାଁ ଛାରଖାର ହୋଇଯାଇଥିଲେ ବି କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।