spot_img
Home Blog Page 1832

ବିଜେପି କି ମିଛ କହୁଛି, ଦେବଗଡ଼ବାସୀଙ୍କୁ ବୁଝାଇଲେ କାର୍ତ୍ତିକ ପାଣ୍ଡିଆନ…

ଦେବଗଡ଼: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଜୁଲାଇରୁ ବିଜୁଳି ବିଲ ଦେବାକୁ ପଡିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ, ମମତା ଯୋଜନା, 5T ସ୍କୁଲ, ନୂଆ ଓ ଛାତ୍ରବୃତି ଓ କାଳିଆ ଯୋଜନା ବାବଦରେ ଲୋକଙ୍କ ମତାମତ ମଧ୍ୟ ମାଗିଥିଲେ।

ସେହିଭଳି ବିରୋଧୀଙ୍କୁ ପ୍ରଚାର ମୈଦାନରୁ ଜୋରଦାର ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ନବୀନ ପଟ୍ଟନାୟକ ଲୋକାଭିମୁଖୀ ସରକାରର ଉଦାହାରଣ । ବିଜେପି ଜନବିରୋଧୀ ସରକାରର ପରିଚୟ । ଏବେ ଦେବଗଡବାସୀ ବିଚାର କରନ୍ତୁ ବିକାଶକୁ ଆପଣେଇବେ ନା ମିଛ ଓ ଅପପ୍ରଚାର କରୁଥିବା ଦଳକୁ ଭୋଟ ଦେବେ। ଦେବଗଡରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅଭିଯାନରେ ଏଭଳି ଅପିଲ କରିଛନ୍ତି 5Tଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

୨୦୧୪ ଓ ୨୦୧୯ରେ ବିଜେପି ତେଲ ଦର ଓ ଏଲପିଜ ଦର ହ୍ରାସ କରିବାକୁ ପ୍ରତିଶୃତି ଦେଇଥିଲେ । ଏଯାଏଁ ପ୍ରତିଶୃତି ପୂରଣ କଲେନି । ପୁଣି ନିର୍ବାଚନ ଆସିବାରୁ ଆସି ବଡ ବଡ କଥା କହୁଛନ୍ତି । ଗତ ନିର୍ବାଚନରେ ସମ୍ବଲପୁରରୁ ଯିଏ ସାଂସଦ ହୋଇଥିଲେ ତାଙ୍କର ଦେଖା ମିଳୁନଥିଲା । ଦେବଗଡକୁ ଏଯାଏଁ ଟ୍ରେନ ଚାଲିପାରିଲା ନାହିଁ। ଏଲପିଜି ଦର ମାଆମାନଙ୍କ ଆଖିରେ ଲୁହ ଆଣୁଛି। ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚକ୍ରାନ୍ତ କରିଥିଲେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ।

ଖାଲି ଏତିକି ନୁହେଁ ସୁପ୍ରିମକୋର୍ଟରେ ଲୋକ ଲଗାଇ କେସ କରାଇଲେ । ତାଙ୍କର ଏହି ଚକ୍ରାନ୍ତ ବିରୋଧରେ ଖୁଣ୍ଟ ଭଳି ଛିଡା ହୋଇଥିଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦେବଗଡରେ ମା ଝାଡେଶ୍ବରୀ ମନ୍ଦିର ହେଉ କି ପ୍ରଧାନପାଟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହୟତା ମଧ୍ୟ ଯୋଗାଇଛନ୍ତି ।

ତେବେ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ତିନୋଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଦସ୍ତଖତ କରିବେ । ପ୍ରଥମ ବିଜୁଳି ବିଲ ଛାଡ, ଦ୍ବିତୀୟରେ ବିଏସକେୱାଇ ଯୋଜନାରୁ ବାଦ ପଡିଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନବୀନ-କାର୍ଡ ଓ ତୃତୀୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସବୁ ମିଶନ ଶକ୍ତି ମାଙ୍କୁ ମିଳିବ ପେନସନ । ଦେବଗଡରେ କାର୍ତ୍ତିକ ପାଣ୍ଡିଆନ ଏହି ଘୋଷଣା କରିଛନ୍ତି । ସେପଟେ ସମ୍ବଲପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ।

 

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ଲେନିନ ମହାନ୍ତି

ସମ୍ବଲପୁର: ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ବିଜୁ ଜନତା ଦଳର ମୁଖପାତ୍ର ଲେନିନ ମହାନ୍ତି। ବିଜେପିର ମୁଖପାତ୍ର ନଥାଇ ମଧ୍ୟ ଜଣଙ୍କୁ ପ୍ରେସମିଟ୍ କରିବାର ସୁଯୋଗ ଦିଆଯାଉଛି। କିଛି ସ୍ପଷ୍ଟ ତଥ୍ୟ ନଥାଇ ସେ ଅବାନ୍ତର ପ୍ରଶ୍ନ ପଚାରୁଛନ୍ତି । ବିଜୁ ଜନତା ଦଳ ପଚାରିଥିବା ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ବିଜେପି ଦେଇନାହିଁ। ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କର ସତ୍ ସାହସ ନାହିଁ ବୋଲି ଲେନିନ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରତି ପ୍ରଶ୍ନର ଉତ୍ତର ବିଜେଡି ଦେଇଛି। ଆଇଆଇଏମ ସମ୍ବଲପୁରକୁ ରୋକିବା ଓ ସମଲେଇ ପ୍ରକଳ୍ପକୁ ବିରୋଧ କରିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ବିଜେଡି ଏକ ଶୃଙ୍ଖଳିତ ଦଳ । ବିଜେଡିର ଏକ ନିର୍ଦ୍ଦିଷ୍ଟ ମୁଖପାତ୍ର ଟିମ୍ ଅଛନ୍ତି । ସେହିପରି ଲେନିନ ମହାନ୍ତି ପାନ୍ଥ ନିବାସରେ ରହିବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି । ପାନ୍ଥ ନିବାସରେ ଉପଯୁକ୍ତ ଟଙ୍କା ଦେଇ ରହୁଛନ୍ତି ବୋଲି ଲେନିନ ପ୍ରକାଶ କରିଛନ୍ତି।

କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ- ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି…

ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ। ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି।

କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି। ସରକାରକୁ ୯୦ ଅଫିସର ଚଳାଉଛନ୍ତି। ସେଥିରୁ ମାତ୍ର ତିନି ଜଣ ଦଳିତ। ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି। ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି। ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି।

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ। ପ୍ରତ୍ଯେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ। ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ। ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ। ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ଯବସ୍ଥା ଉଚ୍ଛେଦ କରିବ ବୋଲି ପ୍ରକାଶ କରିଛନ୍ତି ରାହୁଲ।

ଦିନକୁ ଦିନ ବଢିଚାଲିଛି ବିଜେପିର ହିଂସା, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଅସହ୍ଯ ହେଲାଣି ବିଜେପିର କାମ। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। କିନ୍ତୁ ବିଜେପି ଦିନକୁ ଦିନ ରକ୍ତମୁଖା ହେଉଛି । ଏନେଇ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିବା ସହିତ କାର୍ଯ୍ଯାନୁଷ୍ଠାନ ଦାବି କରିଛି।

ନୟାଗଡ଼ରେ ବିଜେପିର ଆକ୍ରମଣ, ଚିକିଟିରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ କାଣ୍ଡ, ଗୋପାଳପୁରରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡ଼ିକୁ ବିଜେପି ପ୍ରାର୍ଥୀ ବିଭୂତି ଜେନା ଭାଙ୍ଗିବା ସହିତ ମିଶନ ଶକ୍ତି, ଅଙ୍ଗନବାଡ଼ି, ଆଶାକର୍ମୀ ଓ ସରକାରୀ ଅଧିକାରୀଙ୍କୁ ବିଜେପି ନେତାମାନେ ଧମକ ଦେଉଛନ୍ତି।

ତେଣୁ ପୋଲିସ ସୁରକ୍ଷା ପ୍ରଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି। ହିଂସାକାଣ୍ଡରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଛି ବିଜେଡି। ଏଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ ଆଶ୍ୱାସନା ଦେଇଥିବା ବିଜେଡି ସୂଚନା ଦେଇଛି।

ମୋ ବୁଥ ଆପର ଶୁଭାରମ୍ଭ; ଏଣିକି ଆପ୍ ଜରିଆରେ ନିଜ ବୁଥ୍ ସମ୍ପର୍କରେ ଜାଣିପାରିବେ ଭୋଟର

ଭୁବନେଶ୍ୱର: ଭୁବନେଶ୍ୱର ସହିତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳି ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି। ଭୁବେନେଶ୍ୱର ଭୋଟରମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି ।

ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେଭୋଟର। ଗୁଗୁଲ ମ୍ଯାପ୍ ଦ୍ବାରା ଜାଣିପାରିବେ ବୁଥ୍ । କେଉଁ ବୁଥରେ କେତେ ଭିଡ଼ ଅଛି, ଭୋଟର ଜାଣିପାରିବେ। ପୋଲିଂ ପାର୍ଟି ଗଲେ କି ନାହିଁ, ମକପୋଲ ଠିକ ସମୟରେ ହେଲାକି ନାହିଁ, ସନ୍ଧ୍ୟା ବେଳେ ପୋଲିଂ ସାରିକି ପୋଲିଂ ପାର୍ଟି ବାହାରିଲେ କି ନାହିଁ, ଏହି ଆପ୍ ଦ୍ୱାରା ଜାଣିହେବ। କୌଣସି ପୋଲିଂ ସମସ୍ୟା ଥିଲେ ମଧ୍ଯ ଜାଣି ହେବ।

ବିଶେଷକରି ଆଇନ ଶୃଙ୍ଖଳା, ଇଭିଏମ୍ ସମସ୍ୟା ବିଷୟରେ ମୋ ବୁଥ ଆପ୍ ଦ୍ୱାରା ଭୋଟର ଜାଣି ପାରିବେ। ଏହି ଆପ୍ ପ୍ରସ୍ତୁତ ପାଇଁ ମୁଖ୍ଯ ନିର୍ବାଚନ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଧନ୍ଯବାଦ ଦେଇଛନ୍ତି। ମୁଖ୍ଯ ନିର୍ବାଚନ ଅଧିକାରୀ କହିଛନ୍ତି, ପ୍ରଥମ ଥର ପାଇଁ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳିର ୧୧୨ ନମ୍ବର ବୁଥ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ।

ତେବେ ପ୍ରଥମ ପର୍ଯ୍ୟାୟରେ ୭୫ ଦଶମିକ ୬୮ ପ୍ରତିଶତ ମତଦାନ ହୋଇଛି। ଗତ ଥର ଅପେକ୍ଷା ୨ ପ୍ରତିଶତ ଭୋଟ ହାର ବଢିଛି। ବାଲଟ ପେପର ସଂଖ୍ୟା ମିଶିଲେ ଭୋଟ ପ୍ରତିଶତ ଆହୁରି ଅଧିକ ହେବ। କଳାହାଣ୍ଡିରେ ୭୭ ଦଶମିକ ୯୦, ନବରଙ୍ଗପୁରରେ ୮୨ ଦଶମିକ ୧୬, କୋରାପୁଟରେ ୭୭ ଦଶମିକ ୫୩, ଓ ବ୍ରହ୍ମପୁରରେ ୬୫ ଦଶମିକ ୫୧ ପ୍ରତିଶତ ମତଦାନ ହୋଇଛି। ସହରାଞ୍ଚଳରେ ଭୋଟ ହାର କମିଛି| ବ୍ରହ୍ମପୁର ସହରରେ ୫୫ ଦଶମିକ ୦୬ ପ୍ରତିଶତ ମତଦାନ ହୋଇଛି। ଚଳିତ ବର୍ଷ ଅଧିକ ମହିଳା ଭୋଟ ଦେଇଛନ୍ତି। ୨୪ ଲକ୍ଷ ୨୬ ହଜାର ମହିଳା ଭୋଟ ଦେଇଥିବା ବେଳେ ୨୩ ଲକ୍ଷ ୩୨ ହଜାର ପୁରୁଷ ଭୋଟ ଦେଇଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଭୋଟ ଦେବା ପାଇଁ ଅଧିକ ଆଗ୍ରହ ଦେଖାଇଥିଲେ ଭୋଟର। ଗାଁ ଗହଳିରେ ମତଦାତାଙ୍କ ଭିତରେ ଉତ୍ସାହ ଥିଲା। ପ୍ରଥମ ପର୍ଯ୍ୟାୟରେ ପାଣିପାଗ ମଧ୍ୟ ନିର୍ବାଚନ ପାଇଁ ଉପଯୋଗୀ ଥିଲା ବୋଲି ସିଇଓ କହିଛନ୍ତି।

 

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଖରାରେ ଆସିଥିବାରୁ ଜନତାଙ୍କୁ ଜଣାଇଲେ ଧନ୍ୟବାଦ

ରାଉରକେଲା: ଜୁଲାଇ ମାସରୁ ଆଉ ବିଜୁଳି ବିଲ ଦେବାକୁ ପଡିବନି। ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିବା ସହ ବିରୋଧୀ ଦଳ ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ।

ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ ଯୋଜନା, 5T ସ୍କୁଲ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ, କାଳିଆ ଯୋଜନା, ଚାଉଳ କାର୍ଡ ଭଲ କି ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରି ଜନତାଙ୍କ ମତାମତ ନେଇଥିଲେ। ସୁନ୍ଦରଗଡରେ ବିକାଶର ଧାରାକୁ ଆହୁରି ଆଗେଇ ନେବାକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।

ସେହିଭଳି ଜୁନ ୯ ତାରିଖରେ ବିଜୁଳି ବିଲ ଛାଡ କରିବା ପରେ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ପାଇଥିବା ସବୁ ଲୋକଙ୍କୁ କାର୍ଡ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସରକାରୀ କର୍ମଚାରୀ, ଆଶା ଦିଦି, ଅଙ୍ଗନୱାଡି କର୍ମୀ ବି ବିଏସକେୱାଇ କାର୍ଡ ପାଇବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ବିଧାୟକରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ସାଂସଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏପଟ ସେପଟ କରିବେ ବୋଲି । କିନ୍ତୁ ଏଭଳି ନକରି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଗତ ୨୦ ବର୍ଷ ଧରି ସୁନ୍ଦରଗଡବାସୀ ଜଣଙ୍କୁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି। ଖାଲି ଏତିକି ନୁହେଁ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଏହି ଅବସରରେ କହିଛନ୍ତି ଯେ,  ୨୦ ବର୍ଷ ଧରି ସୁନ୍ଦରଗଡ କି ରାଉରକେଲା ପାଇଁ ଆପଣ ଚୟନ କରିଥିବା ସାଂସଦ କଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଉରକେଲାକୁ ବିଶ୍ବ ଦରବାରରେ ଏକ ନୂଆ ପରିଚୟ ଦେଇଛନ୍ତି। ରାଉରକେଲାରେ ବିଶ୍ବକପ ଆୟୋଜନ ସ୍ବପ୍ନରେ ମଧ୍ୟ ଚିନ୍ତା କରାଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଛି।

ବିରୋଧୀ ଦଳ କହୁଥିଲେ ତେଲ ଦର କମିବ, ପେଟ୍ରୋଲ-ଡିଜେଲ ଦର କମିବ, ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ହେବ। ବିରୋଧୀ ଦଳ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କଲେ କି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ କିନ୍ତୁ ସୁନ୍ଦରଗଡରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ବଡ ବଡ କଥା କୁହନ୍ତି, କାମ କରନ୍ତି ନାହିଁ। ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି, ଅଧିକ କାମ କରନ୍ତି। ଏବେ ସମୟ ଆସିଛି ସୁନ୍ଦରଗଡରେ ବିକାଶ ଧାରା ଜାରି ରଖିବାକୁ ବିଜେଡିକୁ ଆଶୀର୍ବାଦ କରିବାର।

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗାଁର ଘଟଣା। ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରୁ ଲୁଟ୍। ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶିଥିଲେ। ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ, ତାଙ୍କ ସ୍ୱାମୀ ଏବଂ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଟଙ୍କା ଗହଣା ଲୁଟ୍ କରିଥିଲେ।

ଲୁଟ୍ ସୁନା, ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ। ଛଅ ଜଣଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡାଥିବା କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚେନ୍ନାଇର CISF କ୍ୟାମ୍ପରେ ଏମ.ଏସ୍ ଧୋନୀ, ଯବାନଙ୍କ ସହ କଲେ ଆଲୋଚନା

ଚେନ୍ନାଇ:  ଚେନ୍ନାଇର CISF କ୍ୟାମ୍ପରେ ପହଞ୍ଚିଛନ୍ତି ଏମ.ଏସ୍ ଧୋନୀ। ପ୍ରାୟ ସମସ୍ତେ ଜାଣିଥିବେ ମାହିଙ୍କୁ କ୍ରିକେଟ୍ ଜର୍ସି ଏବଂ ସେନା ୟୁନିଫର୍ମ ବହୁତ ପସନ୍ଦ। ସେଥିପାଇଁ ତ ଟିକିଏ ଫୁରସତ୍ ମିଳିଲେ ଯବାନଙ୍କ ସହ ସମୟ ବିତାଇବାକୁ ଭୁଲନ୍ତି ନାହିଁ।

ଆଇପିଏଲ୍ ୨୦୨୪ ମଧ୍ୟରେ ସାମାନ୍ୟ ବିରତି ପାଇବା ମାତ୍ରେ ଧୋନି ଚେନ୍ନାଇର ସିଆଇଏସ୍ଏଫ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ସେ ଯବାନଙ୍କୁ ଭେଟି  ତାଙ୍କ ସହିତ ଭାବ ବିନିମୟ କରିଥିଲେ। ଯାହାର ଏକ ଫଟୋ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଧୋନୀ ।

ଏମଏସ ଧୋନି ନିଜେ ମଧ୍ୟ ଟେରିଟୋରିଆଲ ଆର୍ମିରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। ସେ ଅନେକ ଥର ଭାରତୀୟ ସେନା ସହିତ ଡ୍ରିଲ ଏବଂ ଟ୍ରେନିଂ ମଧ୍ୟ କରିଛନ୍ତି । ତେବେ ଉକ୍ତ ଫଟୋରେ ଧୋନିଙ୍କ ସହ କିଛି ଅଧିକାରୀ ମଧ୍ୟ ବସିଥିବାର ନଜର ଆସିଛି। ଯଦିଓ ଧୋନି ସେନା ୟୁନିଫର୍ମ ପିନ୍ଧିନଥିଲେ ତଥାପି ସେ ପିନ୍ଧିଥିବା ସାର୍ଟର ଚିତ୍ରକୁ ଦେଖିଲେ ସିଆଇଏସଏଫ୍ ଯବାନଙ୍କ ୟୁନିଫର୍ମ ଭଳି ମନେ ହେବ ।

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୬ ଜୀବନ୍ତ ଦଗ୍ଧ

ପାଲନାଡୁ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍-ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବସ୍ ଓ ଲରିରେ ନିଆଁ ଲାଗିଯାଇଥିଲା । ଫଳରେ ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଗୁଣ୍ଟୁର ନିଆଯାଇଛି । ଚିଲକାଲୁରିପେଟା ଗ୍ରାମୀଣ ପୋଲିସ ଦୁର୍ଘଟଣାର ଯାଞ୍ଚ କରୁଛି।

ପୋଲିସର ସୂଚନାନୁଯାୟୀ, ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍ ଚିଲକାଲୁରିପେଟରେ ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍ ଓ ଲରିରେ ନିଆଁ ଲାଗିଯିବା ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକ ମାନେ ବାପଟଲା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଅପରପକ୍ଷେ ମୃତକଙ୍କ ମଧ୍ୟରେ ଉଭୟ ବସ୍ ଏବଂ ଲରି ଡ୍ରାଇଭରଙ୍କ ସମେତ ଚାରି ଜଣ ଯାତ୍ରୀ ଅଛନ୍ତି।

ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ଟିଟିଲାଗଡ଼: ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଟିଟିଲାଗଡ଼ ପୋଲିସ୍ ସହରରେ ବିଭିନ୍ନ ଗାଡି ଯାଞ୍ଚ କରୁଥିବା ସମୟରେ ବିଳମ୍ବିତ ରାତ୍ରିରେ ଏକ କାରକୁ ସନ୍ଦେହରେ ଅଟକାଇଥିଲା।

ଗାଡିଟି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କର ଥିଲା। ଯାଞ୍ଚ ସମୟରେ ଶ୍ରୀବତ୍ସ ଏବଂ ଡ୍ରାଇଭର ସହଯୋଗ ନକରିବାରୁ ପୋଲିସ୍ ସ୍କ୍ବାଡକୁ ଡାକି ଯାଞ୍ଚ କରିଥିଲା। ଗାଡିରେ ଥିବା ଏକ ବ୍ୟାଗରୁ ୪ ଲକ୍ଷ ୪୮ ହଜାର ଟଙ୍କା ସହିତ ବିଜେପି କ୍ୟାପ୍ ଓ ଅନ୍ୟାନ୍ୟ ପୋଷ୍ଟର ସହିତ ଏକ ଡାଏରୀ ମିଳିଥିଲା।

ଟିଟିଲାଗଡ ସହରରେ ଥିବା ସନ ଭ୍ୟୁ ହୋଟେଲରେ ବିଜେପିର ଏକ ମିଟିଂ ଥିବାରୁ କାରଟି ସେହି ହୋଟେଲରୁ ବାହାରିଥିଲା। ପୋଲିସ୍ ହୋଟେଲରେ ପହଞ୍ଚି ଯାଞ୍ଚ କରିଛି। ଆସନ୍ତା ୨୦ ତାରିଖରେ ବଲାଙ୍ଗୀରରେ ନିର୍ବାଚନ ଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ବାଣ୍ଟା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭଉଣୀ ଘରୁ ଜମି କିଣିବା ପାଇଁ ଟଙ୍କା ନେଉଥିବା ବେଳେ ପୋଲିସ୍ ଯାଞ୍ଚରେ ଧରାପଡିଥିବା ଶ୍ରୀବତ୍ସ ବେହେରା କରିଛନ୍ତି।