spot_img
Home Blog Page 1856

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଛନ୍ତି ପ୍ରାର୍ଥୀ । ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ପୂର୍ବରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ନାଁ ଘୋଷଣା କରିଥିଲା ଦଳ। ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଛି। ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ଦଳ ହିମାଂଶୁଙ୍କୁ ପ୍ରାର୍ଥୀ କରିଛି। ବରୀରୁ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସେହିପରି ଆଠଗଡ଼ରୁ ମେହବୁବ ଅହମଦ ଖାନଙ୍କ ବଦଳରେ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ। ପୁରୀରୁ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

 

‘ଦମ ଅଛିତ ଇସ୍ତାହାରରେ ଶ୍ରୀମନ୍ଦିର ପରିକ୍ରମା ଓ ସମଲେଇ ପ୍ରକଳ୍ପକୁ ବନ୍ଦ କରିବାକୁ ଉଲ୍ଲେଖ କର’

ଭୁବନେଶ୍ୱର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସୁସ୍ପଷ୍ଟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ବିକାଶ ନେଇ ତାଙ୍କ ମନରେ ଇର୍ଷା, ରାଗ, କ୍ରୋଧ, ହିଂସା ଭରି ରହିଛି । ଭକ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବିକାଶ କାମକୁ ସେ ସହି ପାରୁ ନାହାନ୍ତି । ଶ୍ରୀମନ୍ଦିର ପ୍ରକଳ୍ପକୁ ଟଏଲେଟ ପ୍ରକଳ୍ପ କହିଲେ। ନିଜ ଅନୁଗତଙ୍କୁ ନେଇ ବାଧା ସୃଷ୍ଟି କରୁଥିଲେ । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ଟ୍ୱିଟ କରି ଆହ୍ୱାନ ଦେଇଛନ୍ତି ଯେ ଯଦି ଭକ୍ତଙ୍କ ସୁବିଧା ପାଇଁ ଧର୍ମେନ୍ଦ୍ରଙ୍କୁ କାମ ଖରାପ ଲାଗୁଛି  ତାହା ହେଲେ ନିର୍ବାଚନ ଇସ୍ତାହାରରେ ଏହାକୁ ବନ୍ଦ କରିବାକୁ ଲେଖନ୍ତୁ । BSKY ନେଇ ବାରମ୍ବାର ମିଛ କହୁଛନ୍ତି । ଦଳ ଯେବେ ଆହ୍ୱାନ ଦେଲା ଏହାକୁ ବନ୍ଦ କରିବାକୁ ଲେଖନ୍ତୁ, ଆଉ କିଛି କହିଲେ ନାହିଁ।

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି ବୋଲି ରାଜ୍ୟବାସୀ ଭଲ ଭାବେ ଜାଣନ୍ତି। ୨୦୧୯ରେ ସେ ‘ମିଛୁଆ’ ଥିଲେ। ଏବେ ତାଙ୍କ ପଦୋନ୍ନତି ହୋଇ ସେ ‘ସୁପର ମିଛୁଆ’ ବୋଲି ଲୋକେ କହିଲେଣି । ଭୋଟ ରାଜନୀତିରେ ଲୋକଙ୍କ ଆଶୀର୍ବାଦ ଦରକାର । ହେଲେ ଧର୍ମେନ୍ଦ୍ର ଏପରି ମିଛ କହୁଛନ୍ତି ଯାହା ସେ ନିଜେ କରି ପାରିବେ ନାହିଁ । ଲୋକେ ଜାଣି ସାରିଲେଣି, ଭୋଟରେ ଉଚିତ ଜବାବ ଦେବେ ବୋଲି ପ୍ରେସମିଟ କରି କହିଛି ବିଜେଡି ।

ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ ପରେ ସେମାନଙ୍କର ଦେଖା ମିଳିବ ନାହିଁ: କାର୍ତ୍ତିକ ପାଣ୍ଡିଆନ

ବୀରମହାରାଜପୁ: ବୀରମହାରାଜପୁରରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ୍ କହି ନିର୍ବାଚନ ପରେ ସେମାନଙ୍କ ଦର୍ଶନ ମିଳିବ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ। କେବଳ ଏତିକି ନୁହେଁ, ନୂଆ ରୋଜଗାର ସୃଷ୍ଟି ନେଇ ୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମନେ ପକାଇ ଦେଇଛନ୍ତି ପାଣ୍ଡିଆନ। ଏହା ସହିତ ୧୦ ବର୍ଷ ତଳେ ଧାନର ଏମଏସପି ବୃଦ୍ଧି ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି କେତେ ପୁରଣ ହୋଇଛି ବୋଲି ବୀରମହାରାଜପୁରରୁ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେଡ଼ିର ପ୍ରଚାର ସଭାରେ ଭାଷଣ ଦେଇ ପାଣ୍ଡିଆନ କହିଛନ୍ତି ଯେ, ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଦେଖା ମିଳିବ ନାହିଁ। କେବଳ ବିଜେଡି ହିଁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବ। ବିରୋଧି ଦଳ କଥା ବେଶି କୁହନ୍ତି, କାମ କମ କରନ୍ତି। ୨୦୧୪ ପୂର୍ବରୁ ସେମାନେ ପ୍ରତିବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ। ଧାନର ସର୍ବନିମ୍ନ ମୂଲ୍ୟ ଦୁଇଗୁଣ କରିବାକୁ ୨୦୧୪ରେ କହିଥିଲେ । ୧୦ ବର୍ଷ ପରେ ମଧ୍ୟ ସେହି ପ୍ରତିଶ୍ରୁତି ପୁରଣ ହୋଇପାରିଲା ନାହିଁ। ପୁଣି ଆଜି ସଂଧ୍ୟା ବେଳେ ସେମାନେ ମିଛ କହିବେ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟ ଦେବୁ, ଏଇଟା କରିବୁ ସେଇଟା କରିବୁ କହିବେ କିନ୍ତୁ କିଛି କରିବେ ନାହିଁ । ଅନ୍ୟ ଯେଉଁମାନେ ଆସିବେ ସେମାନେ ବିକାଶ କାମରେ ବ୍ରେକ୍ ଲଗାଇବେ।

ମୁଖ୍ୟମନ୍ତ୍ରୀ ଯୁବପୀଢିକୁ ଶସକ୍ତ କରୁଛନ୍ତି। ଲୋକଙ୍କ ସାଥିରେ ରହି ସମସ୍ୟା ବୁଝିବା ସହ ତାକୁ ଦୂର କରୁଛନ୍ତି । ୯୫ ପ୍ରତିଶତ କଲେଜ ପଢୁଆ ପିଲା ସ୍କଲାରସିପ୍ ପାଉଛନ୍ତି। କେଉଁ ଡବଲ ଇଂଜିନ ସରକାରରେ ଏତେ ସ୍କଲାରସିପ୍ ମିଳୁନାହିଁ ବୋଲି କହିଛନ୍ତି ପାଣ୍ଡିଆନ। ନିର୍ବାଚନ କାଳରେ ଯେଉଁମାନେ ଆସି ବଡ଼ବଡ଼ ପ୍ରତିଶ୍ରୁତି ଦେବେ ସେମାନଙ୍କ ଦେଖା ନିର୍ବାଚନ ପରେ ମିଳିବ ନାହିଁ । ନବୀନ ସରକାର ଲୋକଙ୍କ ସରକାର ବୋଲି କହି ସେ କହିଥିଲେ ଯେ, ଆମେ ନିର୍ବାଚନ ଥିଲେ ଆସିବୁ ନଥିଲେ ବି ଆସିବୁ। ନିର୍ବାଚନ କାଳରେ ଆସୁଥିବା ଟୁରିଷ୍ଟ ମାନଙ୍କୁ ଚିହ୍ନିକି ରଖନ୍ତୁ। ସେମାନେ ନିର୍ବାଚନ ପରେ ଆସିବେ ନାହିଁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

‘ଧର୍ମେନ୍ଦ୍ରଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ, ଦେହରେ ଯାଉନି ପୁରୀ ପରିକ୍ରମା ଓ ସମଲେଇ ପ୍ରକଳ୍ପ’

ସମ୍ୱଲପୁର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଡ଼ା ସମାଲୋଚନା। ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୋଧରେ ବିଷୋଦଗାର କରୁଛନ୍ତି। ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ ବୋଲି ଭାବୁଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ। ତେବେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ ଯେ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍, ଲଜକୁ ଠିଆ କରିବେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ କେନ୍ଦ୍ରମନ୍ତ୍ରୀ।

ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି ବୋଲି କହିଛନ୍ତି ପ୍ରଣବ। ମା’ ସମଲେଇଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି ଧର୍ମେନ୍ଦ୍ର। ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ରଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ ବୋଲି କହିଛନ୍ତି ପ୍ରଣବ। ଯଦି ସତ୍ ସାହାସ ଅଛି, ତେବେ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର୍ଯ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ। ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ଧର୍ମେନ୍ଦ୍ର କେବେ ଭୁଲି ପାରିବେ ନାହିଁ କହିଛନ୍ତି ପ୍ରଣବ।

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେଡି। ଏନେଇ ଇ-ମେଲ ଜରିଆରେ ଜାତୀୟ ନିର୍ବାଚନ କମିଶନଙ୍କୁ ବିଜୁ ଜନତା ଦଳ ଅବଗତ କରିଛି। ଯାହାର ନକଲ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି ବିଜେଡି। ବିଶ୍ୱଭୂଷଣ ହରିଚନ୍ଦନ ଗତ ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ଆସି ମେ’ ୪ ତାରିଖରେ ଫେରି ଯାଇଥିଲେ। ଏହା ଭିତରେ ନିଜ ଭୁବନେଶ୍ୱର ବାସଭବନରେ ସେ ଚିଲିକା ନିର୍ବାଚନମଣ୍ଡଳୀ ଲୋକଙ୍କୁ ନେଇ ବୈଠକ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି। ଏହା ସହ ଫୋନ ଯୋଗେ ନିଜ ପୁଅ ପୃଥ୍ୱୀରାଜ ହରିଚନ୍ଦନ, ଯିଏ କି ବିଜେପିରୁ ଚିଲିକାରେ ପ୍ରାର୍ଥୀ ହୋଇଛନ୍ତି, ତାଙ୍କ ସପକ୍ଷରେ ପରୋକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତାଇଥିବା ବିଜେଡି ଅଭିଯୋଗ କରିଛି।

ବିଶ୍ବଭୂଷଣ ହରିଚନ୍ଦନ ଏକ ସାମ୍ବିଧାନିକ ପଦରେ ରହି ଏପରି କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ। ଏହାର ତଦନ୍ତ ପାଇଁ ଦାବି କରିବା ସହ ନିର୍ବାଚନ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଡ଼ିଶା ଆସିବା ଉପରେ ଅଙ୍କୁଶ ଲଗାଇବାକୁ ଜାତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ଅନୁରୋଧ କରିଛି। ଯେପରି ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନ କାମରୁ ନିଜକୁ ନିବୃତ୍ତ ରଖିବେ, ଏ ନେଇ ତାଙ୍କୁ ସତର୍କ କରିବାକୁ ବିଜିଡି ଦାବି କରିଛି।

ରାଜ୍ଯରେ ବଦଳିବ ପାଗ, କାଲିଠାରୁ ବଢ଼ିବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର:  କାଲିଠାରୁ ବଢ଼ିବ କାଳବୈଶାଖୀ ପ୍ରଭାବ। ପ୍ରବଳ ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ଆସନ୍ତା ୬ ଏବଂ ୮ ତାରିଖରେ ହେବ ସାଂଘାତିକ ସ୍ଥିତି। ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସଆରସିଙ୍କ ନିର୍ଦ୍ଦେଶ। ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। କାଳବୈଶାଖୀ ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଝଡବର୍ଷା ନେଇ ଆସନ୍ତା ୮ ତାରିଖରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ପ୍ରଭାବରେ କମିବ ଦିନର ତାପମାତ୍ରା। ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାତି।

ବୌଦ୍ଧରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ବୌଦ୍ଧ: ବୌଦ୍ଧରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଭୋଟରଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ ।  ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ। ନିର୍ବାଚନ ପରେ ସେମାନଙ୍କୁ ପାଇବେ ନାହିଁ। ପୁଣି ୫ ବର୍ଷ ପରେ ସେମାନେ ଆସିବେ। କିନ୍ତୁ ବିଜେଡି ସବୁବେଳେ ଆପଣଙ୍କ ସୁଖଦୁଃଖରେ ଠିଆ ହେବ। ବିଜେଡି ପ୍ରାର୍ଥୀଙ୍କୁ  ଆଶୀର୍ବାଦ କରିନ୍ତୁ। ଆପଣ ମାନେ ୪୦ ହଜାର ମାର୍ଜିନରେ ଆମ ପ୍ରାର୍ଥୀଙ୍କୁ ଜିତାଇବେ କି ? ଆପଣମାନେ ୯୫ ପ୍ରତିଶତ ଭୋଟିଂ କରନ୍ତୁ । ଭୋଟିଂ ବଢିଲେ ମାନ୍ୟବର ବିଧାୟକ ଓ ସାଂସଦ ପ୍ରାର୍ଥୀ ଅଧିକ ଭଲ କାମ କରିବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆହୁରୀ ମଧ୍ୟ କହିଛନ୍ତି, ଅଚ୍ୟୁତ ବାବୁଙ୍କର ରାଜନୀତିକୁ ଆସିବାର କୌଣସି କାରଣ ନଥିଲା । କିନ୍ତୁ ନବୀନଙ୍କ ସହ ମିଶି ଜନତାଙ୍କ ସେବା କରିବା ଥିଲା ତାଙ୍କର ଲକ୍ଷ୍ଯ । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରିଲେ। ପ୍ରଦୀପ ବାବୁଙ୍କ ବାବଦରେ ବେଶି କିଛି କହିବାର ନାହିଁ। କାରଣ ସେ ବୌଦ୍ଧରେ ବହୁତ ସେତୁ କରିଛନ୍ତି। ମୁଁ ଥରେ ତାଙ୍କୁ କହିଥିଲି, ଆପଣ ସବୁ ସେତୁ ଯଦି ବୌଦ୍ଧକୁ ନେଇଯିବେ ତେବେ ବାକି ବିଧାୟକ କ’ଣ ନେବେ।

ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ବଢୁଛି ଲୋକପ୍ରିୟତା, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ବର୍ଷା

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କ ବଢୁଛି ଲୋକପ୍ରିୟତା। ବର୍ଷା ପ୍ରିୟଦର୍ଶିନୀ ବିଭିନ୍ନ ସ୍ଥାନରେ କର୍ମୀ ସମାବେଶ ଓ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ବଡ଼ଚଣା ଓ ଖଇରା ପଞ୍ଚାୟତରେ ବର୍ଷାଙ୍କ ରୋଡ଼ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ରୋଡ଼ ଶୋ ଜରିଆରେ ପ୍ରଚାର କରିଥିଲେ। ବିଭିନ୍ନ ସ୍ଥାନରେ ମହିଳା ମାନେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ କରିଥିଲେ। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ଅଭିନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବା ପାଇଁ ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବଡ଼ଚଣା ବ୍ଲକ ବିଜେଡି ସଭାପତି, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଓ ବଡ଼ଚଣା ବିଜେଡିର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ। ଯେଉଁଭଳି ଜନ ସମାଗମ ହେଉଛି ଲୋକଙ୍କ ଭଲ ପାଇବା ମିଳୁଛି ବିଜେଡି ବହୁ ସଫଳତା ପାଇବ ବୋଲି ଶର୍ମିଷ୍ଠା କହିଛନ୍ତି।

ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ଓଲଟା ଭୋଟରଙ୍କ ଉପରେ ବର୍ଷିଲେ କୁସୁମ ଟେଟେ

ସୁନ୍ଦରଗଡ଼: ପ୍ରଚାର ବେଳେ ଭୋଟରଙ୍କ ପ୍ରଶ୍ନରେ ବିଜେପି ବିଧାୟିକା ଘାଇଲା। ଉତ୍ତର ଦେଇନପାରି ଭୋଟରଙ୍କ ଉପରେ ବର୍ଷିଲେ ବିଜେପି ବିଧାୟିକା କୁସୁମ ଟେଟେ। ଏହି ଭିଡିଓଟି ଏବେ ଭାଇରାଲ ହେଉଛି। ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ସାନ ପତ୍ରାପାଲିରେ ପ୍ରଚାର କରୁଥିଲେ ବିଜେପି ବିଧାୟିକା ତଥା ଦଳର ପ୍ରାର୍ଥୀ କୁସୁମ ଟେଟେ।

ସୂଚନା ଅନୁଯାୟୀ, ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ଓଲଟା ଭୋଟରଙ୍କ ଉପରେ ବର୍ଷିଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ୫ ବର୍ଷରେ କ’ଣ କରିଛ ବୋଲି ଜଣେ ଯୁବ ଭୋଟର ତାଙ୍କୁ ପ୍ରଶ୍ନ କରିଥିଲେ। ବିଜେପି ବିଧାୟିକା କୁସୁମ ଟେଟେ କହିଥିଲେ ମୁଁ କୀର୍ତ୍ତନ ମଣ୍ଡପ ଓ କଲ୍ୟାଣ ମଣ୍ଡପ ରୋଡ୍ କରିଛି । ଯୁବକ ଜଣଙ୍କ ତାଙ୍କ କଥାକୁ କାଟି ଯୁକ୍ତି କରିଥିଲେ । ଯେଉଁଥିରେ ବିଧାୟିକା କୁସୁମ ଟେଟେ ତାଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଦେଢଶାଶୂକୁ ଏକ ତରଫା ପ୍ରେମ କରି ସ୍ତ୍ରୀକୁ ହତ୍ୟା ଉଦ୍ୟମ

ଭୁବନଶ୍ୱର: ସ୍ତ୍ରୀର ବଡ଼ ଭଉଣୀକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ପତ୍ନୀକୁ ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ। ରାସ୍ତାରେ ସ୍କୁଟିକୁ ଧକ୍କା ଦେଇ ଅଧା କିଲୋମିଟର ଘୋଷାଡି ନେଲା ପିକଅପ ଭ୍ୟାନ୍। ଏହି ଘଟଣାକୁ ନେଇ ଇନଫୋସିଟି ଥାନା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପଟିଆ ରେଲୱେ ଷ୍ଟେସନ ନିକଟରେ ରହୁଥିବା ଅକ୍ଷୟ ବେହେରା। ମାମଲାରୁ ଜଣା ପଡ଼ିଛି ପତ୍ନୀଙ୍କ ବଡ ଭଉଣୀଙ୍କୁ ଅକ୍ଷୟ ଏକ ପାଖିଆ ଭଲ ପାଇ ଆସୁଥିଲେ। ପୀଡିତାଙ୍କ ବଡ଼ ଭଉଣୀ ବିବାହିତା ହୋଇଥିବାରୁ ସେ ଅଭିଯୁକ୍ତର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏବଂ ଅଭିଯୁକ୍ତ ଜଣକ ପତ୍ନୀଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପତ୍ନୀ ଅଫିସରୁ ଘରକୁ ଫେରୁଥିବା ବେଳେ ପଟିଆ-ସିପେଟ ରାସ୍ତାରେ, ଅଭିଯୁକ୍ତ ସ୍ବାମୀ ନିଜ ପିକଅପ ଭ୍ୟାନକୁ ଦ୍ରୁତଗତିରେ ଆସି ପୀଡ଼ିତାଙ୍କୁ ଧକ୍କା ଦେଇଥିଲା। ପୀଡ଼ିତା ଜଣକ ସ୍କୁଟି ସହ ତଳେ ପଡ଼ିଯିବା ପରେ ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ଗାଡିଟିକୁ ଘୋଷାଡି ନେଇଥିଲା ଅଭିଯୁକ୍ତ ସ୍ବାମୀ। ସ୍ଥାନୀୟ ଲୋକେ ଦେଖିବା ପରେ ଅଭିଯୁକ୍ତର ଗାଡ଼ିକୁ ପିଛା କରି ଅଟକାଇବା ସହିତ ପୀଡ଼ିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାରେ ପୀଡିତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଇନଫୋସିଟି ଥାନା ପୋଲିସ ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।