spot_img
Home Blog Page 1865

ଅର୍ଶଦୀପଙ୍କୁ ନେଇ ପାକିସ୍ତାନୀ କ୍ରିକେଟରଙ୍କ ବିବାଦୀୟ ବୟାନ, ବର୍ଷିଲେ ଭଜି

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବରୁ ଟି ୨୦ ବିଶ୍ବକପରେ ପାକିସ୍ତାନକୁ ଭାରତ ହରାଇବା ପରେ ଅସହିଷ୍ଣୁ ହୋଇପଡିଛନ୍ତି ପଡୋଶୀ ଦେଶର ପ୍ରଶଂସକ  । ପାକ୍‌ ପ୍ରଶଂସକଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ମାନେ ମଧ୍ୟ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି  । ପାକିସ୍ତାନ ପୂର୍ବତନ କ୍ରିକେଟର କାମରାନ ଅକମଲ ପରାଜୟ ସହି ନପାରି ଭାରତୀୟ ପେସର ଅର୍ଶଦୀପ ସିଂଙ୍କୁ ନେଇ ଟିପ୍ପଣୀ କରିଛନ୍ତି  । ଅକମଲ କେବଳ ଯେ ଅର୍ଶଦୀପଙ୍କ ତାତ୍ସଲ୍ୟ କରିନାହାନ୍ତି ବରଂ ଶିଖ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି  । ଏହି ଘଟଣାକୁ ବରଦାସ୍ତ କରିନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ  । ଯାହାପରେ ସର୍ବସାଧାରଣରେ କ୍ଷମା ମାଗିଛନ୍ତି ଅକମଲ  ।

ଭାରତ ପାକ୍‌ ମ୍ୟାଚ ଚର୍ଚ୍ଚା ଏକ ଟିଭି ଚ୍ୟାନେଲରେ ଚାଲିଥିବାବେଳେ ସେଠାରେ କାମରାନ ଅର୍ଶଦୀପଙ୍କୁ ନେଇ ଟିପ୍ପଣୀ କରିଥିଲେ  । ପାକିସ୍ତାନକୁ ଏହି ଓଭରରେ ୧୮ ରନର ଆବଶ୍ୟକ ଥିଲା  । କିନ୍ତୁ ଅର୍ଶଦୀପ ପାକିସ୍ତାନକୁ ୧୧ ରନ୍‌ ଦେଇ ଭାରତକୁ ୮ ୱିକେଟରେ ଜିତାଇ ଦେଇଥିଲେ  । ଏହି ସମୟରେ ଟିଭି ଚ୍ୟାନେଲରେ ଅକମଲ କହିଥିଲେ ଶେଷ ଓଭର ଅର୍ଶଦୀପଙ୍କୁ ଦିଆଯାଇଛି  । କିନ୍ତୁ ତାଙ୍କ ହାବଭାବ ଠିକ୍‌ ଲାଗୁନାହିଁ  । ୧୨ଟା ବାଜିବାକୁ ବସିଲାଣି  । କୌଣସି ଶିଖ୍‌ଙ୍କୁ ୧୨ଟା ପରେ ଓଭର ଦେବା ଉଚିତ୍‌ ନୁହେଁ  । ଅକମଲଙ୍କ ଏଭଳି ବୟାନକୁ ଅପମାନଜନକ କହିଥିଲେ ଦର୍ଶକ  ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୂର୍ବତନ କ୍ରିକେଟର ହରଭଜନ ସିଂ ଏହାର ଜବାବ ଦେଇଛନ୍ତି  । ଏକ୍ସ ଡଟ୍‌ କମ୍‌ରେ ଲେଖିଛନ୍ତି କମରାନ ଅକମଲ ତୁମକୁ ଲାଜ ଲାଗିବା କଥା, ଶିଖ୍‌ଙ୍କ ବିଷୟରେ ଏଭଳି କହିବା ପୂର୍ବରୁ ଶିଖ୍‌ଙ୍କ ଇତିହାସ ଜାଣିବା ଜରୁରୀ  । ଶିଖ୍‌ ମାନେ ହି ତୁମ ମା ଓ ଭଉଣୀଙ୍କୁ ଆକ୍ରମଣକାରୀଙ୍କ ଠାରୁ ବଞ୍ଚାଇଥିଲେ  । ଆଉ ସେତେବେଳେ ଘଣ୍ଟାରେ ୧୨ଟା ବାଜିଥିଲା  । ହରଭଜନଙ୍କ ପୋଷ୍ଟ ପରେ କ୍ଷମା ମାଗିଛନ୍ତି ଅକମଲ  ।

ବଡ଼ଦାଣ୍ଡରୁ ହଟିଲା ଭକ୍ତଙ୍କ ସୁବିଧା ପାଇଁ ଲଗାଯାଇଥିବା AC ଟନେଲ

ପୁରୀ: ବଡ଼ଦାଣ୍ଡରେ ଭକ୍ତଙ୍କ ସୁବିଧା ପାଇଁ ଲଗାଯାଇଥିବା AC ଟନେଲକୁ ହଟାଯାଉଛି। ରଥଯାତ୍ରାକୁ ନଜରରେ ରଖି ବଡଦାଣ୍ଡରୁ ସମସ୍ତ ବ୍ୟାରିକେଡ୍ ଖୋଲାଯାଉଥିବା ଜଣାପଡିଛି।

ତିନି ଦିନ ଧରି ଏହି ବ୍ୟାରିକେଡ ହଟାଯିବା କାର୍ଯ୍ୟ ଜାରି ରହିଛି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ବ୍ୟାରିକେଡକୁ ହଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅତ୍ୟଧୁକ ଖରା ଦାଉରୁ ରକ୍ଷା ପାଇଁ ଭକ୍ତଙ୍କ ଲାଗି ବଡଦାଣ୍ଡରେ ଏସି ଟନେଲର ବ୍ୟବସ୍ଥା କରିଥିଲା ପ୍ରଶାସନ  । କିନ୍ତୁ ଏବେ ରଥଯାତ୍ରା ଆସୁଥିବାରୁ ବଡଦାଣ୍ଡ ଖାଲି କରିବା ଉଦ୍ଦେଶ୍ୟରେ ଏସି ଟନେଲ ଗୁଡିକୁ ହଟାଯାଉଛି  ।

ବକରି ଇଦ୍‌ ପୂର୍ବରୁ ପିଆଜ ଦର ଆକାଶଛୁଆଁ, ୫୦ ପ୍ରତଶତ ଦରବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ପୁଣି ଗ୍ରାହକଙ୍କୁ କନ୍ଦାଇଲାଣି ପିଆଜ  । ଏବେ ବଜାରରେ ପିଆଜ ଦର ଆକାଶଛୁଆଁ  । ଗତ ଚାଳିଶ ଦିନରେ ପିଆଜ ମୂଲ୍ୟ ୩୦ରୁ ୫୦ ପ୍ରତିଶତ ବୃଦ୍ଧି ପାଇଛି  । ଏହାର ମୁଖ୍ୟ କାରଣ କମ୍ ଯୋଗାଣ ବୋଲି କୁହାଯାଉଛି  । ବିଶେଷ କରି ବକରି ଇଦ୍ ପୂର୍ବରୁ ପିଆଜର ଚାହିଦା ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବ୍ୟବସାୟୀମାନେ ପିଆଜ ଆଉ ବଜାରକୁ ଛାଡୁନାହାନ୍ତି । ମୂଲ୍ୟ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପିଆଜ ବଜାରକୁ ଛାଡିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ମୂଲ୍ୟରେ ୧୦ ଦିନ ମଧ୍ୟରେ କିଲୋଗ୍ରାମ ପିଛା ୧୨ ଟଙ୍କା ବୃଦ୍ଧି ପାଇଛି।

 

ସୋମବାର ନାସିକର ଲାସାଲଗାଓଁ ମଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ କେଜି ପିଛା ୨୬ ଟଙ୍କା ରହିଥିଲା  । ଯେତେବେଳେ କି ମେ ୨୫ ରେ କିଲୋଗ୍ରାମ ପିଛା ପିଆଜ ମୂଲ୍ୟ ୧୭ ଟଙ୍କା ଥିଲା। ମୋଟ ବାଣିଜ୍ୟ ପରିମାଣରେ ଅଳ୍ପ ଅଂଶ ଥିବା ସୂକ୍ଷ୍ମ ଗୁଣାତ୍ମକ ପିଆଜର ମୂଲ୍ୟ ରାଜ୍ୟର ଅନେକ ହୋଲସେଲ ବଜାରରେ ୩୦ ଟଙ୍କା ଅତିକ୍ରମ କରିଛି। ସମ୍ପ୍ରତି ମୂଲ୍ୟରେ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଚାହିଦା ଏବଂ ଯୋଗାଣ ମଧ୍ୟରେ ପାର୍ଥକ୍ୟ | ଜୁନ୍ ଠାରୁ ବଜାରକୁ ଆସୁଥିବା ପିଆଜ ଚାଷୀ ଏବଂ ବ୍ୟବସାୟୀଙ୍କ ଦ୍ୱାରା ରଖାଯାଇଥିବା ଷ୍ଟକରୁ ଆସିଥାଏ । ୨୦୨୩-୨୪ର ରବି ଫସଲରେ ସମ୍ଭାବ୍ୟ ହ୍ରାସ ହେତୁ ମୂଲ୍ୟ ବୃଦ୍ଧି ହେବାର ଆଶା ଥିବାରୁ ଚାଷୀ ସେମାନଙ୍କର ଷ୍ଟକ୍ ଜାଣିଶୁଣି ହୋଲ୍ଡ କରି ରଖିଛନ୍ତି |

 

ତେବେ 40 ପ୍ରତିଶତ ରପ୍ତାନି ଶୁଳ୍କ ହେତୁ ରପ୍ତାନି ମଧ୍ୟ ଯଥେଷ୍ଟ ହ୍ରାସ ପାଉଛି। ବ୍ୟବସାୟୀମାନେ ଦାବି କରିଛନ୍ତି ଯେ ଜୁନ୍ ୧୭ ରେ ଇଦ୍ ଉଲ୍-ଜୁହା ପାଇଁ ପିଆଜର ଘରୋଇ ଚାହିଦା ବୃଦ୍ଧି ପାଇଛି  । ମହାରାଷ୍ଟ୍ର ନାସିକର ପିଆଜ ବ୍ୟବସାୟୀ କହିଛନ୍ତି ଯେ ମହାରାଷ୍ଟ୍ରରୁ ବିଶେଷ କରି ଦକ୍ଷିଣ ରାଜ୍ୟରୁ ପିଆଜ ପାଇଁ ପ୍ରବଳ ଚାହିଦା ରହିଛି। ଉଦ୍ୟାନ କୃଷି ଉତ୍ପାଦ ରପ୍ତାନିକାରୀ ସଂଘର ସଭାପତି କହିଛନ୍ତି ଯେ ମୂଲ୍ୟ ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ହେଉଛି କୃଷକ ଏବଂ ବ୍ୟବସାୟୀ ଆଶା କରୁଛନ୍ତି ଯେ କେନ୍ଦ୍ର ସରକାର ରପ୍ତାନି ଶୁଳ୍କ ହଟାଇ ପାରିବେ। ଏହି କାରଣକୁ ଆଧାର କରି ମୂଲ୍ୟ ବୃଦ୍ଧି ଆଶା କରି ସେମାନେ ପିଆଜ ବଜାରକୁ ଛାଡୁ ନାହାନ୍ତି ।

ଏହି ମନ୍ଦିରରେ ହନୁମାନଙ୍କ ନାଭିରୁ ବୋହେ ଜଳ, ମିଳେ ଅନେକ ରୋଗରୁ ମୁକ୍ତି

ଭୋପାଳ: ଶ୍ରୀରାମ ଭକ୍ତ ହନୁମାନଙ୍କୁ କେହି କେହି କଳିଯୁଗର ଦେବତା କହିଥାନ୍ତି  । ସେହିପରି କଳିଯୁଗରେ କେବଳ ଜୀବିତ ଅଛନ୍ତି ବୋଲି ଅନେକ ବିଶ୍ବାସ କରନ୍ତି  । ହନୁମାନ ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି  । ଯେଉଁଥିପାଇଁ ତାଙ୍କୁ ସଙ୍କଟମୋଚନ ବି କୁହାଯାଏ  । ଭାରତରେ ଏଭଳି ଏକ ହନୁମାନ ମନ୍ଦିର ରହିଛି ଯେଉଁଠି ରୋଗରୁ ମୁକ୍ତି ପାଇଁ ପୂଜା କରାଯାଇଥାଏ  ।

ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ରହିଛି ଜାମସାଂବଲୀ ମନ୍ଦିର  । ୧୦୦ ବର୍ଷର ପୁରୁଣା ଏହି ମନ୍ଦିରରେ ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଭିଡ ଜମାଇଥାନ୍ତି  । ଏହି ମନ୍ଦିରରେ ହନୁମାନଙ୍କ ଏକ ବିଶାଳ ମୂର୍ତ୍ତି ଅଶ୍ବସ୍ତ ଗଛ ତଳେ ବିଶ୍ରାମ ଅବସ୍ଥାରେ ରହିଛି  । ବିଶ୍ବାସ ରହିଛି ଯେ ଯେତେବେଳେ ଲକ୍ଷ୍ମଣଙ୍କ ପାଇଁ ହନୁମାନ ସଞ୍ଜିବନୀ ଆଣିବା ପାଇଁ ଯାଇଥିଲେ ସେତେବେଳେ ସେ ଏହି ଗଛ ତଳେ ବିଶ୍ରାମ ନେଇଥିଲେ  । ବିଶ୍ରାମ ନେଉଥିବା ହନୁମାନଙ୍କ ମୂର୍ତ୍ତିର ଲମ୍ବ ୧୮ ଫୁଟ ହୋଇଥିବାବେଳେ ମୁଣ୍ଡରେ ଏକ ରୂପା ମୁକୁଟ ରହିଛି  ।

ଏହି ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ନାଭିରୁ ଲଗାତାର ଜଳ ଧାରା ବୋହୁଥାଏ  । ଏହି ଜଳଧାରା କେଉଁଠାରୁ ଆସେ କାହାକୁ ବି ଏ ବାବଦରେ କିଛି ଜଣାନାହିଁ  । ଏଠାକୁ ଆସୁଥିବା ଭକ୍ତ ଜଳକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି  । ହନୁମାନଙ୍କ ନାଭିରୁ ବୋହୁଥିବା ଏହି ଜଳ ତ୍ବଚା ଓ ମାନସିକ ରୋଗୀଙ୍କ ପାଇଁ ଚମତ୍କାର ସାବ୍ୟସ୍ତ ହୁଏ  । ଯେ କେହି ଏହାକୁ ପାନ କରନ୍ତି ଅସାଧ୍ୟ ରୋଗରୁ ମୁକ୍ତି ପାଆନ୍ତି ବୋଲି ବିଶ୍ବାସ ରହିଛି  ।

 

ନିଟ୍- ୟୁଜି ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ଏଣ୍ଟ୍ରାନ୍ସ ନିଟ୍- ୟୁଜିକୁ ନେଇ ଦେଖା ଦେଇଥିବା ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଟ ୟୁଜି-୨୦୨୪କୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ବିକ୍ରମନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି।

ପୂର୍ବରୁ ନିଟ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଥିଲେ ଏନଟିଏ ଡିଜି ସୁବୋଧ କୁମାର ସିଂହ। ଗତ ମେ ୫ ରେ ନିଟ୍ ହୋଇଥିଲା। ଏଥିରେ ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କିନ୍ତୁ ୬ଟି ସେଣ୍ଟରରେ ୧୬୦୦ ପିଲାଙ୍କ ମାର୍କକୁ ନେଇ ଦେଖାଦେଇଥିଲା ବିବାଦ। କାରଣ ଗ୍ରେସ୍ ମାର୍କ ଦିଆଯିବାରୁ ଏହି ପିଲାଙ୍କୁ ଅଧିକ ମାର୍କ ମିଳିଛି। ବିଶେଷ କରି ଗୋଟିଏ ସେଣ୍ଟରର ପିଲା ବହୁତ ମାର୍କ ପାଇଛନ୍ତି।

ଏପରିକି ୬୭ ଜଣ ଛାତ୍ରଛାତ୍ରୀ ସର୍ବାଧିକ ୭୨୦ ଲେଖାଏଁ ମାର୍କ ରଖିଥିଲେ। ହରିଆଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣଙ୍କୁ ମିଳିଥିଲା ୧ ନମ୍ବର ରାଙ୍କ୍ । ତେଣୁ ଜାଲିଆତି ହୋଇଥିବା ଅଭିଯୋଗ କରି ଆଉ ଥରେ ନିଟ୍ ପରୀକ୍ଷା କରାଇବାକୁ କେତେକ ଦାବି କରିଥିଲେ। କିନ୍ତୁ ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ କିମ୍ବା ପ୍ରଶ୍ନପତ୍ର ଲିକ୍ ହୋଇନାହିଁ ବୋଲି ଏନଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

ଆଜିଠାରୁ ୧୫ ତାରିଖ ଯାଏଁ ଉତ୍ତର ପ୍ରଦେଶରେ ଧନ୍ୟବାଦ ଯାତ୍ରା କରିବ କଂଗ୍ରେସ

ଲକ୍ଷ୍ନୌ: ଲୋକସଭା ନିର୍ବାଚନରେ ଆଶାତୀତ ସଫଳତା ପରେ ଉତ୍ତର ପ୍ରଦେଶରେ କଂଗ୍ରେସ ଆରମ୍ଭ କରିବ ଧନ୍ଯବାଦ ଯାତ୍ରା । ଆଜିଠାରୁ ୧୫ ତାରିଖ ଯାଏ ଚାଲିବ ଏହି ଯାତ୍ରା । ରାଜ୍ଯର ସମସ୍ତ ୪୦୩ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ଯାତ୍ରା ଚାଲିବ । ଏହି ଯାତ୍ରାରେ ରାଜ୍ଯର ସମସ୍ତ ପଦାଧିକାରୀ ସାମିଲ ହେବେ ।

ଯାତ୍ରା ଅବସରରେ ପ୍ରତି ସମ୍ପ୍ରଦାୟଙ୍କୁ ସମ୍ବିଧାନର ନକଲ ଦିଆଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଗତ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୮୦ଟି ଆସନରେ ଲଢିଥିଲା । ସମାଜବାଦୀ ପାର୍ଟି ୩୭ ଆସନ ଓ କଂଗ୍ରେସ ୬ଟି ଆସନରେ ବିଜୟୀ ହୋଇଥିଲେ । ବିଜେପି ଖାତାକୁ ଯାଇଥିଲା ୩୩ ଆସନ । ଆମେଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏକ ବଡ ଧରଣର ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ହିମାଚଳ କା ପୁରଓ୍ବାରେ ଏହି ସମାବେଶ ହେବ । ଆମେଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି କଂଗ୍ରେସର କିଶୋରୀ ଲାଲ ଶର୍ମା । ସେହିପରି ରାଏବରେଲିରେ ୟୁପି ମନ୍ତ୍ରୀ ଦିନେଶ ପ୍ରତାପ ସିଂଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ରାହୁଲ ଗାନ୍ଧୀ ।

ସରିଲା ମନ୍ତ୍ରୀପଦ ବଣ୍ଟନ, ବାଚସ୍ପତି ପଦକୁ ନେଇ ଛିଡିପାରୁନି ଭାଗ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରରେ ମନ୍ତ୍ରୀତ୍ବକୁ ନେଇ ଦ୍ବନ୍ଦ୍ବ କୌଣସି ପ୍ରକାରେ ସମାଧାନ ହୋଇଛି। ହେଲେ ବାଚସ୍ପତି ପଦକୁ ନେଇ ସରିପାରୁନି ଭାଗ। ୭୨ ଜଣିଆ କ୍ଯାବିନେଟରେ ଜେଡିୟୁକୁ ୨ଟି ଓ ଟିଡିପିକୁ ୨ଟି ମନ୍ତ୍ରୀପଦ ମିଳିଥିଲେ ବି ବାଚସ୍ପତି ପଦକୁ ନେଇ ଚାଲିଛି ଟଣାଓଟରା। ସମ୍ବିଧାନ ଅନୁସାରେ ନୂଆ ଲୋକସଭା ଅଧିବେଶନ ବସିବା ପୂର୍ବରୁ ବାଚସ୍ପତି ପଦ ଖାଲି ହୋଇଥାଏ।

ଜଣେ ମଧ୍ଯବର୍ତ୍ତୀକାଳୀନ ବାଚସ୍ପତି ନୂଆ ସାଂସଦମାନଙ୍କୁ ଶପଥ କରାଇଥାନ୍ତି। ପରେ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ତେବେ ବାଚସ୍ପତି ନିର୍ବାଚନ ଲାଗି ସେପରି କୌଣସି ବିଧିବଦ୍ଧ ସର୍ତ୍ତ ନାହିଁ। ବୁଝାମଣା ଅନୁସାରେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ଗତ ଦୁଇଟି ଲୋକସଭାରେ ବିଜେପିର ସଂଖ୍ଯା ଗରିଷ୍ଠତା ହେତୁ ସୁମିତ୍ରା ମହାଜନ ଓ ଓମ ବିରଲାଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା। ପ୍ରଶ୍ନ ଉଠୁଛି ଚଳିତ ଲୋକସଭାରେ କାହିକି ବାଚସ୍ପତି ପଦ ଉପରେ ଦିଆଯାଉଛି ଗୁରୁତ୍ବ। ସାମ୍ପ୍ରତିକ ରାଜନୀତିରେ ଏନ. ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ହେଉଛନ୍ତି ପଲିଟିକାଲ ଭେଟେରାନ।

ଅତୀତ ଅଭିଜ୍ଞତାକୁ ଅନୁଧ୍ଯାନ କଲେ ଏହା ସ୍ପଷ୍ଟ ଯେ ଶାସନ କ୍ଷମତାରେ ଥିବା ଦଳରେ ସର୍ବଦା ବିଦ୍ରୋହ ଲାଗି ରହୁଛି। ବିଭାଜନ ସହ ସରକାରର ପତନ ଏକ ସାଧାରଣ ବ୍ଯାପାରରେ ପରିଣତ ହୋଇଛି। ଏକ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଏବଂ ଏସଂକ୍ରାନ୍ତ ନିଷ୍ପତ୍ତି କ୍ଷେତ୍ରରେ ବାଚସ୍ପତି ସର୍ବେସର୍ବା। ସାଂସଦଙ୍କୁ ଅଯୋଗ୍ଯ କରିବା, ଦଳ ବଦଳ କରିଥିବା ସାଂସଦଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦେବାରେ ବାଚସ୍ପତି ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ବିଦ୍ରୋହ ରୋକିବାକୁ ବାଚସ୍ପତି ଜଣେ ପ୍ରମୁଖ ସାମ୍ବିଧାନିକ ପଦାଧିକାରୀ ହୋଇଥିବାରୁ ସେହି ପଦବୀକୁ ନେଇ ଚାଲିଛି ଟଣାଟଣି।

ସରିଲା ଦେବ ଦମ୍ପତିଙ୍କ ବାହାଘର, ବରଯାତ୍ରୀ ଶୋଭାଯାତ୍ରାରେ କମ୍ପିଲା ସମ୍ବଲପୁର ସହର

ସମ୍ବଲପୁର: ବାଜା, ବାଣ, ରୋଷଣୀରେ ବାହାରିଲା ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାଜ୍ଯ ତଥା ରାଜ୍ଯ ବାହାରର କଳାକାରଙ୍କ ନୃତ୍ଯରେ କମ୍ପିଲା ସମ୍ବଲପୁର ସହର । ଦେବ ବିବାହରେ ସାମିଲ ହେଲେ ଦେବତା, ଗନ୍ଧର୍ବ, କିନ୍ନର, ମାନବ । ମଧ୍ଯରାତ୍ରୀରେ ଦେବୀ ପାର୍ବତୀଙ୍କ ସହ ମହାଦେବଙ୍କ ହେଲା ବିବାହ ।

ଶୀତଳଷଷ୍ଠୀ ଅସରରେ ଅନୁଷ୍ଠିତ ହୋଇଛି ଶିବ-ପାର୍ବତୀଙ୍କ ବିବାହ । ଏହି ଉତ୍ସବରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । କିନ୍ନର ଓ ବିଭିନ୍ନ କଳାକାରଙ୍କ ନାଚ ସାଙ୍ଗକୁ ବାଣ ଓ ପାରମ୍ପରିକ ବାଦ୍ଯରେ ମୁଖରିତ ହେଲା ପୂରା ପରିବେଶ । ସଂଧ୍ଯାରେ ସମସ୍ତ କର୍ମ ସାରି ବରଯାତ୍ରା ନେଇ କନ୍ଯାଘରକୁ ବାହାରିଥିଲେ ମହାଦେବ ।

ନନ୍ଦ ପଡାର ବମ୍ ବାରାଡ ବାବା ବାଲୁଙ୍କେଶ୍ବର, ଝାଡୁଆପଡାର ବାବା ଲୋକନାଥ ଓ ମୁଦି ପଡାର ବାବା ଜାଗେଶ୍ବରଙ୍କ ସହ ଅନ୍ୟ ସମସ୍ତ ଯାତ୍ରା କମିଟି ପକ୍ଷରୁ ବର ଶୋଭାଯାତ୍ରା ଧୁମଧାମରେ ପାଳନ କରାଯାଇଥିଲା । ମହାଦେବଙ୍କ ଦର୍ଶନ ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରି ରହିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ରାତିରେ କନ୍ଯାଘରେ ପହଞ୍ଚିଥିଲା ମହାଦେବଙ୍କ ବରଯାତ୍ରୀ । ଏହାପରେ ପାରମ୍ପରିକ ରୀତିରେ ପଡ଼ିଥିଲା ହାତଗଣ୍ଠି । ଆଜି ଦେବୀଙ୍କୁ ନେଇ ବାହାରିବେ ଭୋଳାବାବା । ନବଦମ୍ପତି ନଗର ପରିକ୍ରମା ପରେ ମନ୍ଦିର ପ୍ରବେଶ କରିବେ ।

ଚଳିତ ବର୍ଷ ଠୁ ସାରା ବିଶ୍ବରେ ଜୁନ ୧୧ରେ ପାଳିତ ହେବ ଆନ୍ତର୍ଜାତିକ ଖେଳ ଦିବସ

ନୂଆଦିଲ୍ଲୀ: ଚଳିତ ବର୍ଷ ଠାରୁ ସାରା ବିଶ୍ବରେ ଜୁନ ୧୧କୁ ଆନ୍ତର୍ଜାତିକ ଖେଳ ଦିବସ ପାଳିତ ହେବ। ଏହି ଦିବସ ପାଳନକୁ ସ୍ବୀକୃତି ଦେଇଛି ଜାତିସଂଘ । ଶିଶୁ ଅଧିକାର ସଂକ୍ରାନ୍ତ ଅନ୍ତର୍ଜାତୀୟ କନଭେନସନ ଅବସରରେ ବିଶ୍ବ ଖେଳ ଦିବସକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ଏହି ଦିବସର ବିଶେଷତ୍ବ ହେଲା ୧୮ ବର୍ଷ ବୟସରୁ କମ ବୟସର ସମସ୍ତ ପିଲାଙ୍କୁ ଖେଳିବାର ଅଧିକାର ପ୍ରଦାନ କରାଯାଇଛି ।

ପ୍ରତି ଶିଶୁ ଯେପରି ଖେଳିବାର ଅଧିକାର ପାଇବେ ତଥା ସେମାନଙ୍କୁ ଏଦିଗରେ ପ୍ରେରଣା ଦିଆଯିବା ହିଁ ଏହି ଦିବସର ବିଶେଷତ୍ବ । ସେମାନେ ଯେପରି ନିଜ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଦୁର୍ବଳ ବର୍ଗର ଶିଶୁ, ଭିନ୍ନକ୍ଷମ, ସ୍କୁଲ ବାହାରେ ଥିବା ଶିଶୁ ଓ କାମ କରୁଥିବା ଶିଶୁମାନଙ୍କ ବିକାଶ ଲାଗି ଏହି ଦିବସରେ ବାର୍ତ୍ତା ଦିଆଯାଇଛି ।

ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସୁସ୍ଥ ରଖିବା, ସାମାଜିକ ସଂହତି, ସୃଜନଶୀଳତାର ବିକାଶ, ଆତ୍ମପ୍ରତ୍ୟୟ ସୃଷ୍ଟି, ଡ୍ରଗ୍ସ ଓ ଡିଜିଟାଲ ଆଡିକ୍ସନରୁ ଦୂରରେ ରଖିବା ଏହି ଦିବସ ଉଦ୍ଦେଶ୍ଯ । ଏହି ଦିବସରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଖୋଖୋ, କବାଡି, ଥ୍ରୋବଲ, ଭଲିବଲ, ଚସ, ସାପ-ଶିଡି, ଲୁଡୁ ଖେଳ ଆଦି କରିବା ଲାଗି ପରାମର୍ଶ ଦିଆଯାଇଛି ।

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ପିଏମ ଆବାସ ଯୋଜନାରେ ଦିଆଯିବ ଅତିରିକ୍ତ ୩ କୋଟି ଘର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର କ୍ଯାବିନେଟରେ ପ୍ରଥମ ବଡ ଘୋଷଣା। ପିଏମ ଆବାସ ଯୋଜନାରେ ମିଳିବ ଆଉ ୩ କୋଟି ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଓ ସହରାଞ୍ଚଳ ଗରିବଙ୍କ ଲାଗି ଅତିରିକ୍ତ ୩ କୋଟି ଘର ନିର୍ମାଣ ପ୍ରସ୍ତାବ ଉପରେ ଲାଗିଛି ମୋହର। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଗୃହହୀନଙ୍କୁ ଏହି ଘର ପ୍ରଦାନ କରାଯିବ। ଏହି ଆବାସରେ ବିଦ୍ୟୁତ, ଜଳ ଓ ଏଲପିଜି ସଂଯୋଗ ରହିବ। ଦାଯିତ୍ଵ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦ୍ନିତୀୟ ବଡ଼ ଘୋଷଣା। ସକାଳେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପିଏମ କିଶାନ ନିଧିର ୧୭ତମ କିସ୍ତି ଜାରି କରିବାକୁ ଫାଇଲରେ କରିଥିଲେ ପ୍ରଥମ ଦସ୍ତଖତ। ଏହାଦ୍ଵାରା ଉପକୃତ ହେବେ ୯. ୩ କୋଟିରୁ ଅଧିକ ଚାଷୀ। ପିଏମ କିଶାନ ନିଧିର ୧୭ତମ କିସ୍ତି ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ୯.୩ କୋଟିରୁ ଅଧିକ ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ପାଳି ସରକାରରେ ଦାୟିତ୍ଵ ଗ୍ରହଣ ପରେ ଏହି ଦୁଇ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।