spot_img
Home Blog Page 1868

ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ

ଭୁବନେଶ୍ବର: ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ କାଠଗଡ଼ାକୁ ଟାଣିଲେ ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସାମ୍ବାଦିକ ସମ୍ମିଳନୀ କରି ମନ୍ମଥ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ସାଂସଦ ନିଜ ରିପୋର୍ଟ କାର୍ଡରେ ଦର୍ଶାଇ ଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ଓଭରବ୍ରିଜ କାମ ଶେଷ ହେବ । କିନ୍ତୁ ହଂସପାଳ ଫ୍ଲାଏ ଓଭରବ୍ରିଜ କାମ ଆଜି ପର୍ଯ୍ୟନ୍ତ ଶେଷ ହେଲା ନାହିଁ। ୨୦୧୯ରେ ସେ ହଂସପାଳ ଓଭରବ୍ରିଜ୍ ସଂକ୍ରାନ୍ତରେ ସଂସଦରେ ଆଲୋଚନା କରିଥିଲେ । ଭୁବନେଶ୍ୱର ସାଂସଦ ତାପରେ ଯେମିତି ଏହି କଥାକୁ ଭୁଲି ଯାଇଛନ୍ତି ।

କେବେ ଗୋଟିଏ ଥର ଏହି ଜାଗାକୁ ଆସି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଉଛି ସେନେଇ ମଧ୍ୟ ଜାଣିବାକୁ ଚେଷ୍ଟା କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମନ୍ମଥ । ତାସହିତ ତାଙ୍କ ରିପୋର୍ଟ କାର୍ଡରେ ୧୦ଟି ଓଭରବ୍ରିଜ୍ ଓ ୪ଟି ଫୁଟ ଓଭରବ୍ରିଜ କାମ କରିଥିବା ଦର୍ଶାଇଛନ୍ତି ।  ତାହେଲେ ଏହି କାମ କାହିଁକି ବାକି ରହିଗଲା ? କାହିଁକି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ପାରିଲେ ନାହିଁ ? ଏହି ଫ୍ଲାଏ ଓଭରବ୍ରିଜ କାମ ଶେଷ ନ ହେବାରୁ ଭୁବନେଶ୍ୱର ଲୋକ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଟ୍ରାଫିକ ଜାମ୍ ହେଉଛି, ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ରୋଗୀଙ୍କୁ ସଠିକ୍ ସମୟରେ ମେଡିକାଲ ନେଇ ଆମ୍ବୁଲାନ୍ସ ଯାଇପାରୁ ନାହିଁ ।

ଲୋକ ସଠିକ୍ ସମୟରେ ବିମାନବନ୍ଦରରେ ପହଞ୍ଚି ପାରୁନାହାଁନ୍ତି । ଭୁବନେଶ୍ୱର ଲୋକ ଏତେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଂସଦ ମିଛ ରିପୋର୍ଟ କାର୍ଡ ପ୍ରକାଶ କରି ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ଏହା ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ମନ୍ମଥ । ଆଜି ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ୧୦ ମେ ସୁଦ୍ଧା ଗୋଟିଏ ପାର୍ଶ୍ଵ ଏବଂ ୩୦ ଜୁନ ସୁଦ୍ଧା ଉଭୟ ପାର୍ଶ୍ୱର କାମ ସଂପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି । କାଳେ କେହି ପ୍ରଶ୍ନ କରିବେ ବୋଲି ଜାଣିକି ନିଜର ଭୁଲକୁ ଲୁଚାଇବା ପାଇଁ ଭୁବନେଶ୍ୱର ସାଂସଦ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ମନ୍ମଥ।

ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ନେଇ ବଢୁଛି ଦଳୀୟ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ନେଇ ବଢୁଛି ଦଳୀୟ ଅସନ୍ତୋଷ। ୨୦୧୪ରେ ବ୍ରଜରାଜନଗର ବିଧାୟିକା ହେଇଥିବା ରାଧାରାଣୀ ପଣ୍ଡା ଦେଇଛନ୍ତି ବଡ଼ ବୟାନ। ସୁରେଶଙ୍କୁ ଦଳର ଟିକେଟ ଘୋଷଣା ପରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବ୍ରଜରାଜନଗର ବିଧାୟିକାଙ୍କୁ ପୂରା ଭୁଲିଯାଇଛନ୍ତି ସୁରେଶ ପୂଜାରୀ। କେବଳ ରାଧାରାଣୀ ପଣ୍ଡା ନୁହନ୍ତି, ବ୍ରଜରାଜନଗରର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ସୁରେଶ ଅଣଦେଖା ଏବଂ ଅପମାନ କରୁଥିବା  ରାଧାରାଣୀ ପଣ୍ଡା କହିଛନ୍ତି। ଏପରି ଆଭିମୁଖ୍ୟ ଯୋଗୁ ଶୀଘ୍ର ରାଧାରାଣୀ ବିଜେପି ଛାଡ଼ିବେ ବୋଲି ଇସାରା ଦେଇଛନ୍ତି। ଏହାର ପ୍ରଭାବ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ଉପରେ ବୋଲି ଚର୍ଚ୍ଚା ଜୋର ହେଉଛି। ରାଧାରାଣୀ ପଣ୍ଡା ଓ ସୁରେଶ ପୂଜାରୀଙ୍କୁ ନେଇ ବ୍ରଜରାଜନଗର ବିଜେପିରେ ସୃଷ୍ଟି ହୋଇଛି ଝଡ଼ ।

ଚିକିଟିରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନନେଇ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ୍

ନନ୍ଦିଘୋଷ ବ୍ୟୁରୋ: ଚିକିଟିରେ ପୁଣି ଥରେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ପ୍ରଦୀପଙ୍କ ନାଁ ନନେଇ ପାଣ୍ଡିଆନ ଚିକିଟିବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଜେଲ ଯାଇ ବେଲରେ ଆସିଥିବା ନେତାଙ୍କୁ ସଂସଦକୁ ନୁହେଁ, ଜେଲକୁ ପଠାଇବାର ଅଛି। ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ଠକିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଜେଲ ପଠାଇଥିଲେ। ଚିକିଟିବାସୀ ଏଭଳି ନେତାଙ୍କୁ ଚିହ୍ନନ୍ତୁ ଏବଂ ଭୋଟ ଦେବା ସମୟରେ ଭାବିକି ଭୋଟ ଦିଅନ୍ତୁ। ଜେଲ ଯାଇଥିବା ନେତାଙ୍କୁ ନୁହେଁ, ଭଲ ଲୋକଙ୍କୁ ଭୋଟ ଦେଇ ସଂସଦକୁ ପଠାଇବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏଥିସହ ସେ ବ୍ରହ୍ମପୁର ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଚିକିଟିରୁ ୫୦ ହଜାର ଲିଡ ଦେବାକୁ ଅପିଲ କରିବା ସହ ଚିକିଟି ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବଙ୍କୁ ରେକର୍ଡ ମାର୍ଜିନରେ ଜିତାଇବାକୁ ଅପିଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସବୁ ବେଳେ ବିକାଶକୁ ଗୁରୁତ୍ବ ଦିଅନ୍ତି ଆଉ ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଦିନରାତି କାମ କରନ୍ତି। ଏବେ ସମୟ ଆସିଛି ତାଙ୍କୁ ସମ୍ମାନ ଦେଇ ବଡ ଭୋଟ ବ୍ୟବଧାନରେ ଜିତାଇବା। ବିରୋଧୀ ଦଳ କେବଳ ଭାଷଣ ଦିଅନ୍ତି, କାମ କରନ୍ତି ନାହିଁ । ଡବଲ ଇଂଜିନ ସରକାର ଗରିବ ଲୋକଙ୍କୁ ୩୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ନବୀନ ଇଂଜିନ ମଧୁବାବୁ ପେନସନ ଯୋଜନାରେ ହଜାରେ ଟାଙ୍କ ଭତ୍ତା ଦେଉଛନ୍ତି। ଚିକିଟିର ଦୁଇ ଜଣ ମହିଳାଙ୍କ ଉଦାହାରଣ ଦେଇ କାର୍ତ୍ତିକ ପାଣ୍ଡିଆନ ବିଏସକେୱାଇ ଯୋଜନାରେ କିଭଳି ଗରିବ ପରିବାର ଉପକୃତ ହେଉଛନ୍ତି ତାହା ଦର୍ଶାଇଛନ୍ତି । ଚିକିଟି ନିର୍ବାଚନମଣ୍ଡଳୀର ୬୦ ହଜାର ପରିବାର ବିଏସକେୱାଇ ଯୋଜନାରେ ସାମିଲ ହୋଇଛନ୍ତି ।

କିଛି ବିକାଶ କାର୍ଯ୍ୟର ହିସାବ ଦେବାକୁ ଯାଇ ସେ କହିଥିଲେ ଯେ, ଭୈରବୀ ଚଞ୍ଚଦା ମନ୍ଦିରର ରୂପାନ୍ତରଣ ପାଇଁ କୋଟିଏ ୯୫ ଲକ୍ଷ, ବାଳକୁମାରୀ ମନ୍ଦିରର ଉନ୍ନତିକରଣ ପାଇଁ କୋଟିଏ ୯୦ ଲକ୍ଷ ଟଙ୍କା, ରାମେୟାପାଟଣାରେ ଗାର୍ଡ ୱାଲ ନିର୍ମାଣ ପାଇଁ ୨୩ କୋଟି ଟଙ୍କା ଏବଂ ଘରେ ଘରେ ପାଇପ ପାଣି ପହଁଚାଇବାକୁ ୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷାଦେବୀ କାର୍ତ୍ତିକ ପାଣ୍ଡିଆନଙ୍କୁ ନିଜର ବଡ ପୁଅ ବୋଲି ସମ୍ବୋଧନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ।

 

 

ରେମୁଣାରେ ଉଷ୍ମ ରାଜନୈତିକ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ଉଷ୍ମ ହେବାରେ ଲାଗିଛି ରେମୁଣାର ରାଜନୈତିକ ପରିବେଶ । ଗାଁଠାରୁ ସହର ସବୁଠି ରାଜନୀତିର ଚର୍ଚ୍ଚା। କିଏ କାହାକୁ ଦେବେ ଭୋଟ ? କେଉଁ ପ୍ରାର୍ଥୀ ଭୋଟରଙ୍କ ପ୍ରଥମ ପସନ୍ଦ ? ଆଉ କେଉଁ ପ୍ରସଙ୍ଗ ପାଲଟିବ ପ୍ରାର୍ଥୀଙ୍କ ପାଇଁ ଚ୍ୟାଲେଞ୍ଜ ? ଏନେଇ ଚାଲିଛି ଘୋମାଘୋଟ ଆଲୋଚନା । ଜୁନ୍ ୧ ତାରିଖରେ ଭୋଟ୍ ଥିବାରୁ ପ୍ରାର୍ଥୀମାନେ ବୁଲିବୁଲି ସମର୍ଥନ ଜୁଟାଉଛନ୍ତି । ଦେଖିବା ରେମୁଣା ନିର୍ବାଚନମଣ୍ଡଳୀର ସ୍ଥିତି।

ସଭା, ଶୋଭାଯାତ୍ରା। କିଏ ଦଳୀୟ ପତାକା ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି, କିଏ ମିଶ୍ରଣ ପର୍ବ କରି ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ଏଭଳି ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀରେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କୁ ବିଜେପି ଓ ସୁଦର୍ଶନ ଜେନାଙ୍କୁ କଂଗ୍ରେସ ଭରସା କରି ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ୁଛନ୍ତି ।

୨୦୦୯ରେ ରେମୁଣାରୁ ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନା ୫୫ ହଜାର ୮୪୭ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଗୋବିନ୍ଦ ଦାସ ୨୫ ହଜାର ୧୨୪ ଓ ବିଜେପି ପ୍ରାର୍ଥୀ ଗିରିଧାରୀ ଦାସ ପାଇଥିଲେ ୧୪ ହଜାର ୫୫୩ ଭୋଟ । ୨୦୧୪ରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ୭୦ ହଜାର ୯୭୩ ଭୋଟ ପାଇ ନିର୍ବାଚିତ ହୋଇଥିଲେ। । ବିଜେଡି ପ୍ରାର୍ଥୀ ସୁଦର୍ଶନ ଜେନାଙ୍କୁ ୫୭ ହଜାର ୧୪୪ ଓ କଂଗ୍ରେସ ପ୍ରାର୍ଥୀ ପ୍ରତ୍ୟୁଷ ଜେନାଙ୍କୁ ୧୩ ହଜାର ୭୧୬ ଭୋଟ  ମିଳିଥିଲା। ୨୦୧୯ରେ ପଲଟି ଯାଇଥିଲା ବାଜି।

ବିଜେଡି ପ୍ରାର୍ଥୀ ସୁଧାଂଶୁ ପରିଡ଼ା ୭୯ ହଜାର ୯୭ ଖଣ୍ଡ ଭୋଟ ପାଇ ବିଜେପି ହାତରୁ ରେମୁଣା ଆସନ ଛଡ଼ାଇ ନେଇଥିଲେ। ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସଙ୍କୁ ୭୪ ହଜାର ୯୭୯ ଓ କଂଗ୍ରେସ ପ୍ରାର୍ଥୀ ପ୍ରତାପ ସେଠୀଙ୍କୁ ୯ ହଜାର ୪୫୪ ଭୋଟ ମିଳିଥିଲା। ରେମୁଣାରେ ଅଛନ୍ତି ୨ ଲକ୍ଷ ୨୫ ହଜାର ୭୪୮ ଭୋଟର । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୪ ହଜାର ୬୯୯ ପୁରୁଷ,  ୧ ଲକ୍ଷ ୧୧ ହଜାର ୨୫ ଜଣ ମହିଳା ଓ ୨୪ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ବିଜେଡି ଏକମାତ୍ର ଦଳ ଭାବେ ତୃଣମୂଳ ସ୍ତରର ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ପାଇଁ ବିଦ୍ୟାସ୍ମିତା ଭୋଟରଙ୍କ ମନ ଜିଣୁଛନ୍ତି ।

 

 

ଭଦ୍ରକରେ ଜିଏ ମାରିବ ବାଜି?

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ ଅଞ୍ଚଳ କମ୍ପୁଛି। ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା। ବିଜୟର ସମ୍ଭାବନାକୁ ନେଇ ସବୁ ଦଳ ପ୍ରାର୍ଥୀ ଚୟନ କରିଛନ୍ତି। ତେବେ କିଏ ଲୋକଙ୍କ ସାଥୀରେ  ଅଛନ୍ତି, କିଏ  ଅଧିକ ଗ୍ରହଣଯୋଗ୍ଯ ହେବେ, କାହାକୁ ଭୋଟ ମିଳିବ,  ସେନେଇ ଭଦ୍ରକର ଛକ, ବଜାର, ଚା’ ଖଟିରେ ବେଶ୍ ଚର୍ଚ୍ଚା ହେଉଛି।

ଭଦ୍ରକ ବ୍ଲକର ୩୬ଟି ପଞ୍ଚାୟତ ଓ ଭଦ୍ରକ ପୌରାଞ୍ଚଳର  ୩୦ଟି ୱାର୍ଡକୁ ନେଇ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ  ଗଠିତ। ଏଠାରେ ବିଜେଡି ପକ୍ଷରୁ ପ୍ରଫୁଲ୍ଲ ସାମଲ, ବିଜେପିରୁ ସୀତାଂଶୁ ଶେଖର ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ଅସିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଭଦ୍ରକରେ ମୋଟ୍ ଭୋଟର ସଂଖ୍ୟା ୨ ଲକ୍ଷ ୬୭ ହଜାର ୨ ୬୭। ସେଥିରେ ପୁରୁଷ ୧ ଲକ୍ଷ ୩୬ ହଜାର ୪୯୩, ମହିଳା ୧ ଲକ୍ଷ ୩୦  ହଜାର ୬୦୪ ଓ ତୃତୀୟ ଲିଙ୍ଗୀ  ୭୦ ଜଣ ଅଛନ୍ତି। ୧୯୯୫ରେ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୨୬ ହଜାର ୫୨୮ ଭୋଟ ବ୍ୟବଧାନରେ ଜିତିଥିଲେ ।

୨୦୦୦ରେ କଂଗ୍ରେସ ପ୍ରାର୍ଥୀ ବୀରେନ ପଲାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୩୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ନରେନ ପଲାଇ ୪ ହଜାର ୮୧୨ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କଠାରୁ ବିଜୟ ଲାଭ କରିଥିଲେ। ୨୦୦୯ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ୨୧ ହଜାର ୪୨୮ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ବିଜୟ ଲାଭ କରିଥିଲେ । ୨୦୧୪ରେ ବିଜେଡି ପ୍ରାର୍ଥୀ ଯୁଗଳ କିଶୋର ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୨୩ ହଜାର ୫୮୭ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ। ୨୦୧୯ରେ ବିଜେଡିର ସଞ୍ଜୀବ କୁମାର ମଲ୍ଲିକ ୯୩ ହଜାର ୬୬୮ ଭୋଟ ପାଇ ଜିତିଥିବା ବେଳେ  ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ କୁମାର ନାୟକ ୬୦ ହଜାର ୨୭୯ ଓ  କଂଗ୍ରେସ ପ୍ରାର୍ଥୀ ୨୨ ହଜାର ୬୩୦ ଖଣ୍ଡ ଭୋଟ ପାଇଥିଲେ । ଏବେ ଭୋଟର ଅଙ୍କ କଷୁଛନ୍ତି, କାହାକୁ ଦେବେ ଭୋଟ।

ଭଦ୍ରକ ବିଧାନସଭା କ୍ଷେତ୍ରର କୋଣ ଅନୁକୋଣରେ ବିକାଶର ଛାପ । ତେବେ ଭଦ୍ରକ ମେଡିକାଲ କଲେଜ ଓ ଭଦ୍ରକ ସ୍ବୟଂଶାସିତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନକୁ କଂଗ୍ରେସ ଓ ବିଜେପି ପ୍ରସଙ୍ଗ କରିଛନ୍ତି। ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରୁଛି । ଏଥର ନିର୍ବାଚନ ଟିକିଏ ଭିନ୍ନ ହେବ। ଏଠାରେ ପ୍ରଫୁଲ୍ଲ କୁମାର ସାମଲ ପୁରୁଣା । କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ନବାଗତ।

କଂଗ୍ରେସ ପ୍ରାର୍ଥୀ ଅସିତ କୁମାର ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କର ନିଜସ୍ବ ସଙ୍ଗଠନ ଅଛି, ଯାହା ଅସିତଙ୍କୁ ସାହାଯ୍ଯ କରିପାରେ। ବିଜେପିର ସୀତାଂଶୁ ଶେଖର ମହାପାତ୍ର ନବାଗତ ହେଲେ ମଧ୍ଯ ପୂର୍ବ ନିର୍ବାଚନରେ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା। ସୀତାଂଶୁ  ବିଭିନ୍ନ ସାମାଜିକ ସଂଗଠନ ଜଡ଼ିତ ଅଛନ୍ତି। ନିଜ ନିଜ ପ୍ରସଙ୍ଗ ଧରି ପ୍ରାର୍ଥୀଙ୍କ ପ୍ରଚାର ଚାଲିଛି।

ଗୋଟିଏ ପାଖରେ ବିରୋଧୀଙ୍କ ସ୍ଥାନୀୟ ପ୍ରସଙ୍ଗ, ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା। ଏଥିରୁ ଭୋଟର ଯାହାକୁ ପସନ୍ଦ କରିବେ, ତାହା ହିଁ ବିଜୟର ନିର୍ଣ୍ଣାୟକ ହେବ ।

ନୂଆପଡାରେ ବିଜେଡିର ଜୋରଦାର ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର। ପ୍ରଚାରକୁ ଜୋରଦାର କରିଛନ୍ତି ଖଡିଆଳ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ।ପ୍ରଚଣ୍ଡ ତାତିରେ ଗାଁ ଗାଁରେ ଲୋକଙ୍କ ସମର୍ଥନକୁ ନେଇ ବିଜୁ ଜନତାଦଳର କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ସାମଗ୍ରୀକ ବିକାଶକୁ ମୁଦ୍ଦା କରି ଭୋଟ ଭିକ୍ଷା କରିଥିଲେ ଅଧିରାଜ। ପ୍ରଚାର କରୁଥିବା ସମୟରେ ଗାଁ ଦାଣ୍ଡ ଯୋଡି ଶଙ୍ଖ ଶବ୍ଦରେ ଝୁମି ଉଠୁଥିବା ବେଳେ ଲୋକେ ଅଧିରାଜଙ୍କୁ ସ୍ବାଗତ ଜଣାଉଥିବା ଦେଖିବାକୁ ମିଳିଛି। ପ୍ରଚାର ସମୟରେ ଲୋକଙ୍କ ସମସ୍ୟାକୁ ଶୁଣୁଥିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋ ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ।

ଗଜପତି ଚନ୍ଦ୍ରଗିରିରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: କିଏ ସେବା ପାଇଁ ରାଜନୀତି କରୁଛନ୍ତି, ଆଉ କିଏ ରାଜନୀତିକୁ ଆସିଛନ୍ତି ସାଧାରଣ ଲୋକଙ୍କୁ ଠକିବାକୁ ଓ ଚାନ୍ଦା ନେବାକୁ ସେମାନଙ୍କୁ ଚିହ୍ନି ରଖନ୍ତୁ। ଲୋକଙ୍କୁ ଠକୁଥିବା ନେତା ଜେଲ ଯିବା ଦରକାର । ସେମାନେ ଜେଲରୁ ଆସିଛନ୍ତି, ପୁଣି ଜେଲ ଯିବେ ବୋଲି ମୋହନାରେ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପାଇଁ ପ୍ରଚାରର ଅବସରରେ ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ବିଜେଡିର ଏହି ଦୁଇ ପ୍ରାର୍ଥୀଙ୍କର ଜେଲ ଯିବାର ଅଭ୍ୟାସ ନାହିଁ। ଏମାନେ ମନ୍ଦିର, ମସଜିଦ କିମ୍ବା ଚର୍ଚ୍ଚ ଯାଆନ୍ତି।

ଲୋକଙ୍କୁ ଠକିଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ମୋହନାରୁ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ୫୦ ହଜାରର ଲିଡ ଦେବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ। ମୋହନାବାସୀଙ୍କ ଅନୁରୋଧ ଉପରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେଇଛନ୍ତି ତାର ହିସାବ ଦେବା ପରେ ଆଜି ମିଳିଥିବା ଦାବି ଉପରେ କି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ନିର୍ବାଚନ ପରେ ପୁଣି ଥରେ ହିସାବ ଦେବାକୁ ଆସିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମୋହନ ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ୧୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି।

ମୋହନରେ ଥିବା ଶହେରୁ ଅଧିକ ଚର୍ଚ୍ଚ ଓ ମନ୍ଦିର ମସଜିଦର ଉନ୍ନତିକରଣ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୋହନାରେ ୪ଟି ଆଦିବାସୀ ହଷ୍ଟେଲ, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ  ୯ଟି କମ୍ୟୁନିଟି ସେଣ୍ଟର ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ମୋହନାରେ ସର୍ବାଧିକ ସେତୁ ନିର୍ମାଣ ହେଉଛି।

ମହେନ୍ଦ୍ରତନୟା ନଦୀ ଉପରେ ସେତୁ ପାଇଁ ୧୯ କୋଟି ଟଙ୍କା, ଜମ୍ବଳା ନଦୀ ଉପରେ ସେତୁ ପାଇଁ ୫ କୋଟି ଟଙ୍କା, ରୁଇସିଂ ନାଳ ଉପରେ ସେତୁ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋହନାକୁ ଏନଏସି ଘୋଷଣା ସହ ବିଭିନ୍ନ ସ୍ଥାନରେ ହାଇସ୍କୁଲ ନିର୍ମାଣ ଏବଂ ଆର.ଉଦୟଗିରିରେ ଯୁକ୍ତ ତିନି କଲେଜ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧିନ। ନିର୍ବାଚନ ସରିଲେ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ସେ କହିଛନ୍ତି।

ଟି-୨୦ ବିଶ୍ବକପ ଦଳରେ ରାହୁଲଙ୍କୁ କାହିଁକି ମିଳିଲାନି ସ୍ଥାନ? ଜାଣନ୍ତୁ ୫ ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଟି-୨୦ ବିଶ୍ବକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଋଷଭ ପନ୍ଥ ଏବଂ ସଞ୍ଜୁ ସାମସନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦଳରେ ସ୍ଥାନ ପାଇଛନ୍ତି । ତେବେ ଦିନିକିଆ ବିଶ୍ବକପରେ ଦଳରେ ସ୍ଥାନ ପାଇଥିବା କେ.ଏଲ ରାହୁଲଙ୍କୁ କିନ୍ତୁ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ମିଳିନାହିଁ । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ତାଙ୍କୁ ଦଳରେ ସ୍ଥାନ ନମିଳିବା ପଛରେ ରହିଛି ୫ ମୁଖ୍ୟ କାରଣ ।

୧- ଆଇପିଏଲ ଚାଲିଥିବାବେଳେ ଯଦି ପନ୍ଥ ଏବଂ ସାମସନଙ୍କ ଷ୍ଟ୍ରାଇକ ରେଟ ସାଙ୍ଗକୁ ପ୍ରଦର୍ଶନ ଦେଖିବା ତାହେଲେ ରାହୁଲ ସେମାନଙ୍କଠାରୁ ପଛରେ ରହିଛନ୍ତି । ରାହୁଲ ୯ଟି ପାଳିରେ ୪୨ ହାରରେ ୩୭୮ ରନ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ୍ ରହିଛି ୧୪୪ । କିନ୍ତୁ ପନ୍ଥ ୪୪ ହାରରେ ୧୫୮ ଷ୍ଟ୍ରାଇକ ରେଟ୍ ରହିଥିବାବେଳେ ସାମସନଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୧୬୧ ।

୨- ରାହୁଲ ଆଇପିଏଲରେ ଯେଉଁ ସ୍କୋର କରିଛନ୍ତି ତାହା ସେ ଓପନରଭାବେ କରିଛନ୍ତି । ଜୟସ୍ବାଲ, ରୋହିତ ଏବଂ କୋହଲି ରହିଥିବାବେଳେ ଏହି ସ୍ଥାନରେ କେବେ ରାହୁଲଙ୍କ ସୁଯୋଗ ମିଳିନପାରେ ।

୩- ପନ୍ଥ ଏବଂ ସାମସନ ମିଡିଲ ଅର୍ଡରରେ ଏଭଳି ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇଛି । ଯାହାକି ରାହୁଲଙ୍କୁ ଦଳରୁ ବାହାରେ ରଖିଛି ।

୪- ରାହୁଲଙ୍କ ଏକ ମୁଖ୍ୟ ସମସ୍ୟା ହେଉଛି ସେ ସ୍ପିନରଙ୍କ ସାମ୍ନାରେ ବଡ଼ ପାଳି ଖେଳି ପାରନ୍ତି ନାହିଁ । ସ୍ପିନରଙ୍କ ବିପକ୍ଷରେ ସେ ସଂଘର୍ଷ କରୁଥିବାବେଳେ ସାମସନ ଧୁମ ଧୁଲାଇ କରନ୍ତି । ଏପରିକି ପନ୍ଥ ମଧ୍ୟ ସ୍ପିନରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି ।

୫ – ରାହୁଲ ୨୦୨୧ ଏବଂ ୨୦୨୨ ଟି-୨୦ ବିଶ୍ବକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଷ୍ଟ୍ରାଇକ ରେଟ୍ ସାଙ୍ଗକୁ ଧିମା ବ୍ୟାଟିଂ ମଧ୍ୟ କରିଛନ୍ତି । ଏହାସହ ପାକିସ୍ତାନ ଏବଂ ଇଂଲଣ୍ଡ ବିପକ୍ଷରେ ରାହୁଲ ବିଫଳ ହୋଇଥିଲେ ।

 

ଚଳିତ ବର୍ଷ ପ୍ରଥମଥର ପାଇଁ ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା

ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ। ବାଲେଶ୍ବରରେ ସର୍ବକାଳୀନ ତାତି ରେକର୍ଡ କରାଯାଇଛି । ଚଳିତ ସିଜିନରେ ପ୍ରଥମ ଥର ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା। ୪୬ ଡିଗ୍ରୀ ସହ ବାଲେଶ୍ବର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଦିନ ୨.୩୦ ସୁଦ୍ଧା ବାଲେଶ୍ବରରେ ଏହି ତାପାମାତ୍ରା ରେକର୍ଡ କରାଯାଇଛି। ଆଜି ବାଲେଶ୍ୱର ରେକର୍ଡ ହୋଇଥିବା ୪୬ଡ଼ିଗ୍ରୀ ହେଉଛି ଏପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ।  ଏହା ପୂର୍ବରୁ ୨୦ ଅପ୍ରେଲ ୨୦୧୦  ରେ  ୪୫ ଡ଼ିଗ୍ରୀ   ରେକର୍ଡ ହୋଇଥିଲା।  ରାଜଧାନୀ ଭୁବନେଶ୍ବରରେ ୪୫.୪ ଡ଼ିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଛି।

ଧର୍ମଶାଳାରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଣ୍ଡେଇଗୋଡା ଧର୍ମଶାଳାରେ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସୁଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅର୍ନ୍ତଭୁକ୍ତ ରସୁଲପୁର ବ୍ଲକର ୯ଟି ପଞ୍ଚାୟତର ୮ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି ନେତା, କର୍ମୀ ଓ ଜନପ୍ରତିନିଧି ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ପ୍ରତିଟି ବ୍ଲକସ୍ତରୀୟ କିପରୀଭାବେ ଦଳକୁ ମଜଭୁତ କରିବେ ସେନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ଅତିଥିମାନେ ମନ୍ତ୍ରଣା ଦେଇଥିଲେ। ନିର୍ବାଚନରେ ଯୋଡାଶଙ୍ଖକୁ ଭୋଟଦେବାକୁ ଉପସ୍ଥିତ କର୍ମୀମାନଙ୍କୁ ଅନୁରୋଧ କରିଥିଲେ।