spot_img
Home Blog Page 1881

ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି

ନନ୍ଦିଘୋଷ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପ୍ରଶ୍ନପତ୍ର ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜି ଠାରୁ ଲାଗୁ ହୋଇଛି। ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ। NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିଛି ଏନଟିଏ । ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି ।

ତମାଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ତମାଣ୍ଡୋ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ସର୍ଟଟେମ୍ପର ଗୁଣ ଓ ମଦ ନିଶା ପାଇଁ ହୋଇଥିଲା ଛାତି ଥରାଇ ଦେବାଭଳି ହତ୍ୟାକାଣ୍ଡ। ଅଭିଯୁକ୍ତର ନାଁ ରଞ୍ଜନ ଦୀପ । ଘର ବୌଦ୍ଧ । ଗତକାଲି ତମାଣ୍ଡୋ ଥାନା ଅର୍ନ୍ତଗତ ରେତଙ୍ଗ ରୋଡର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଥିଲା। ମୃତ ବ୍ୟକ୍ତି ହେଲେ ଖୋର୍ଦ୍ଧା ଅଞ୍ଚଳର ସୁଶାନ୍ତ ଶତପଥୀ। ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ସାଇଣ୍ଟିଫିକ ଟିମ ଛାନବିନ କରିଥିଲେ । ଅଭିଯୁକ୍ତ ରଞ୍ଜନ ଓ ସୁଶାନ୍ତ ଏକାଠି ଭଡ଼ା ଘରେ ରହୁଥିଲେ। ସୁଶାନ୍ତ ରୋଷେୟା ଭାବେ କାମ କରୁଥିବା ବେଳେ, ରଞ୍ଜନ ମିସ୍ତ୍ରୀ ଭାବେ କାମ କରନ୍ତି। ଗୁରୁବାର ରାତିରେ ଉଭୟ ନିଶାଶକ୍ତ ଅବସ୍ଥାରେ ଥିଲେ। ସୁଶାନ୍ତ ଅଧିକାଂଶ ସମୟରେ ରଞ୍ଜନଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ସୁଶାନ୍ତଙ୍କୁ ରଂଜନ ଲୁହାଛଡ଼ରେ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ସେ ରକ୍ତାକ୍ତ ହୋଇଥିଲେ।‌ ସୁଶାନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ଜଣଙ୍କ ନାଁରେ ପୂର୍ବରୁ ୩ଟି ସଙ୍ଗୀନ ଅଭିଯୋଗ ରହିଛି । ୨୦୧୯ ମସିହାରେ ବୌଦ୍ଧ ପୁରୁଣା କଟକ ଥାନାରେ ଅଭିଯୁକ୍ତ ନାଁରେ ରେପ ଆଣ୍ଡ ମର୍ଡର, ୨୦୧୬ ମସିହାରେ ବାପାଙ୍କୁ ଶାରୀରିକ ଅତ୍ୟାଚାର ଓ ୨୦୧୦ ମସିହାରେ ଅପହରଣ ଭଳି ସାଙ୍ଘାତିକ ଅପରାଧ ସେ ଘଟାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

 

ରିଲିଜ ହେଲା ‘ହମାରେ ବାରହ’, ନିଜ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ପିଲ୍ମ

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଚଳଚ୍ଚିତ୍ର ରହିଛି ଯାହା ନିଜର କଣ୍ଟ୍ରୋଭର୍ସିଆଲ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ରହିଥାଏ। ସମୟ ସମୟରେ ଫିଲ୍ମର କଣ୍ଟେଣ୍ଟ ପାଇଁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଫିଲ୍ମ ମେକର୍ସଙ୍କୁ କୋର୍ଟ ଦ୍ବାରସ୍ଥ ମଧ୍ୟ ହେବାକୁ ପଡିଥାଏ । ଠିକ ସେମିତି ବର୍ତ୍ତମାନ ଏକ ଫିଲ୍ମ ବିବାଦ ଘେରରେ ରହିଛି ଫିଲ୍ମଟି ହେଉଛି ‘ହମାରେ ବାରହ’ । ବିଗତ କିଛି ଦିନରୁ ଏହି ଫିଲ୍ମଟି ନିଜ ବିଷୟବସ୍ତୁ ପାଇଁ ଚର୍ଚ୍ଚାରେ ରହିଛି ଏବଂ ଏହାର ମାମଲା କୋର୍ଟ ଯାଇ ପହଞ୍ଚିଛି । ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିବା ବେଳେ ଏହି ପ୍ରସଙ୍ଗକୁ ଅସ୍ବିକାର କରିଛି କୋର୍ଟ । ଶେଷରେ ସାରା ଦେଶରେ ଏହି ଫିଲ୍ମକୁ ରିଲିଜ ପାଇଁ ସ୍ବିକୃତୀ ମିଳିଛି । ଫିଲ୍ମଟି ଆଜି ସାରା ଦେଶରେ ମୁକ୍ତିଲାଭ କରିଛି ।

ଫିଲ୍ମର ବିଷୟ ବସ୍ତୁ ଲୋକଙ୍କୁ ପସନ୍ଦ ଆସିଥିବା ବେଳେ ସମାଜକୁ ପ୍ରତି କିଛି ଶିକ୍ଷଣୀୟ ତଥ୍ୟ ପ୍ରଦାନ କରୁଛି । ଫିଲ୍ମ ବିଷୟ ବସ୍ତୁ ଅନୁଯାୟୀ, ଫିଲ୍ମରେ ଅନ୍ନୁ କପୁର ରୃଢିବାଦୀ ବିଚାରଧାରା ରଖୁଥିବା ବ୍ୟକ୍ତିର ଚରିତ୍ର ନିର୍ବାହ କରିଛନ୍ତି । ଗୋଟିଏ ସାଧାରଣ ପରିବାରକୁ ନେଇ ତିଆରି କରାଯାଇଥିବା ଏହି ଫିଲ୍ମରେ ୧୨ ଟି ସନ୍ତାନର ବାପା ହୋଇଛନ୍ତି ଅନ୍ନୁ କପୁର । ଦ୍ବିତୀୟ ସ୍ତ୍ରୀ ଏହା ପୂର୍ବରୁ ୫ଟି ସନ୍ତାନ ଜନ୍ମ କରି ସାରିଛନ୍ତି ଡାକ୍ତରଙ୍କ କହିବାନୁସାରେ ୬ ନମ୍ବର ସନ୍ତାନ ଜନ୍ମ ଦେଲେ ସ୍ତ୍ରୀ ଜୀବନ ଉପରେ ସଙ୍କଟ ଭରି ରହିଛି କିନ୍ତୁ ରୁଢିବାଦୀ ଚିନ୍ତାଧାରା ରଖୁଥିବା କବ୍ବାଲ ଏହି ସବୁ କଥାକୁ ନଜରଅନ୍ଦାଜ କରୁଛି।

ଫୀଲ୍ମରେ ଦର୍ଶାଯାଇଥିବା ସମସ୍ତ ଚରିତ୍ରଙ୍କ ଅଭିନୟ ଖୁବ ଉଚ୍ଚକୋଟିର ରହିବା ସହିତ ଦର୍ଶକେ ଏକ ଭିନ୍ନ କ୍ରାଇମ ଡ୍ରାମା ଫିଲ୍ମ ଦେଖିବାକୁ ପାଉଛନ୍ତି । ଫିଲ୍ମ ମାଧ୍ୟମରେ ଦର୍ଶକେ ସଚେତନ ହେବା ସହିତ କିଛି ଶିକ୍ଷା ମଧ୍ୟ ପାଇପାରୁଛନ୍ତି। କମ ବଜେଟରେ ଏମିତି ଉଚ୍ଚକୋଟିର କାହାଣୀ ଦର୍ଶାଇବା ସହିତ ନିର୍ଦ୍ଦେଶକଙ୍କ ଚିନ୍ତାଧାରାକୁ ନେଇ ଫିଲ୍ମଟି ପ୍ରସଂଶା ସାଉଁଟୁଛି ।

ବାରିପଦାରେ ଗଡୁନି ବସ, ଯାତ୍ରୀ ହନ୍ତସନ୍ତ

ବାରିପଦା: ବାରିପଦାରେ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ବସ ଚଳାଚଳ। ଗୋଷ୍ଠୀ ସଂଘର୍ଷ ଘଟଣାରେ ପ୍ରତିବାଦ କରାଯିବା ସହ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେଉଁ ବସ ଚଳାଚଳ ସମୟକୁ ନେଇ ବିବାଦ ଉଠିଥିଲା ସେହି ବସକୁ ବାରିପଦା ଟାଉନ ପୋଲିସ ନିଜ ହେପାଜତକୁ ନେଇଛି।

ବାରିପଦା ଘରୋଇ ବସ ମାଲିକ ସଂଘ ଅଭିଯୋଗ କ୍ରମେ ୬ ଜଣ ଆକ୍ରମଣକାରୀଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରିଥିବା ବେଳେ, ରାଇରଙ୍ଗପୁର ବସ ମାଲିକ ସଂଘର ଅଭିଯୋଗ ପରେ ବାରିପଦା ବସ ମାଲିକ ସଂଘର ୪ ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ ପୋଲିସ। ବାରିପଦା ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୁନୀଲ ଦାସଙ୍କୁ ପୋଲିସ ଗିରଫ କରିବା ପରେ ବସ ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥିତିକୁ ନଜରରେ ରଖି ଉଭୟ ବସ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିଛି ପୋଲିସ।

ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିବ ୫୩ତମ ଜିଏସଟି ପରିଷଦ ବୈଠକ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ।

ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

ସେପଟେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପ୍ରାକ୍ ବଜେଟ ବୈଠକ ଓ ଜିଏସଟି କାଉନସିଲ ବୈଠକରେ ଯୋଗଦେବେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁଁ ତାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ଏହି ବୈଠକରେ ଯୋଗଦେବେ।

ବାଲେଶ୍ବରରେ କୋହଳ ହେଲା କଟକଣା, ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି

ବାଲେଶ୍ବର: ବାଲେଶ୍ବରରେ ଆହୁରି କୋହଳ ହେଲା କଟକଣା। ଆଜି ୯ ଘଣ୍ଟା ଯାଏଁ କର୍ଫ୍ଯୁ କୋହଳ କରାଯାଇଛି । ସକାଳ ୫ରୁ ଦିନ ୨ଟା ଯାଏଁ କଟକଣା ହଟିଛି । ଏହି ସମୟରେ ଦୋକାନ ବଜାର ଖୋଲିବା ସହ ଲୋକମାନେ କିଣାକିଣି କରୁଛନ୍ତି । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିଥିବା ବେଳେ ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଅଞ୍ଚଳରେ କଟକଣା ଜାରି ରହିଛି । ଲିଜ୍ ଲାଇନ୍ ସହିତ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ମିଳୁଛି ।

ତେବେ ମୋବାଇଲରେ ଇଣ୍ଟରନେଟ ବନ୍ଦ ରହିବ । ମ୍ୟୁନିସିପାଲିଟିରେ ଆଜି ବି ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର । ଗତ ସୋମବାର ଦିନ ସହରରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ପରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଘଟଣାରେ ଏଯାଏଁ ୬୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଜେଲ୍ ଯିବେ ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ଭ୍ରାତା । ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱିସ୍‌ କୋର୍ଟ । ଗୃହ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ହିନ୍ଦୁଜାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ତାଙ୍କ ବିରୋଧରେ ଲାଗିଥିବା ମାନବ ଚାଲଣ ଅଭିଯୋଗକୁ କୋର୍ଟ ଖଣ୍ଡନ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ପ୍ରକାଶ ହିନ୍ଦୁଜାଙ୍କ ସହ ପତ୍ନୀ କମଲ, ପୁଅ ଅଜୟ ଏବଂ ବୋହୂ ନମ୍ରତା କର୍ମଚାରୀଙ୍କୁ ଶୋଷଣ କରିବା ଏବଂ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ନଦେବା ଅଭିଯୋଗ ହୋଇଥିଲା । ଏହା ବ୍ୟତୀତ ଅପାଠୁଆ ଭାରତୀୟ ଘରୋଇ ସହାୟକଙ୍କୁ ଖଟାଉଥୁଲେ । ଏଥିସହିତ ସ୍ୱିଜରଲ୍ୟାଣ୍ଡ ମୁଦ୍ରାର ଦରମା ନଦେଇ ଭାରତୀୟ ମୁଦ୍ରାରେ ଅତି ଅଳ୍ପ ଦରମା ଦେଉଥିଲେ । କେବଳ ଏତିକି ନୁହେଁ ତାଙ୍କ ପାସପୋର୍ଟକୁ ମଧ୍ୟ ଜବତ କରାଯାଇ ତାଙ୍କୁ ଦିନକୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଥିଲା।  ଏମିତିକି ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ସେମାନେ ନିଜ କୁକୁର ଉପରେ ଅଧିକ ଖର୍ଚ୍ଚ କରିଛନ୍ତି ବୋଲି ହିନ୍ଦୁଜା ପରିବାର ଉପରେ ଅଭିଯୋଗ ରହିଥିଲା । ହିନ୍ଦୁଜା ପରିବାରର ପଞ୍ଚମ ଅଭିଯୁକ୍ତ ତଥା ପରିଚାଳକଙ୍କୁ ୧୮ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

କହି ରଖୁଛୁ, ସ୍ୱିଜରଲ୍ୟାଣ୍ଡରେ ଘରୋଇ ସହାୟକଙ୍କ ଶୋଷଣ, ମାନବ ଚାଲାଣ ଏବଂ ସ୍ୱିଜରଲ୍ୟାଣ୍ଡର ଶ୍ରମ ଆଇନ ଉଲ୍ଲଂଘନ ଏକ ପ୍ରମୁଖ ଅପରାଧ ଭାବରେ ବିବେଚନା କରାଯାଏ।

ଗୌତମ ଗମ୍ଭୀର ହେବେ କି ଟିମ ଇଣ୍ଡିଆର ହେଡ୍ କୋଚ୍ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିଏ ହେବେ ପରବର୍ତ୍ତୀ ମୁଖ୍ୟ କୋଚ୍ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟି-୨୦ ବିଶ୍ୱ କପ ପରେ ଇଣ୍ଡିଆ ଟିମକୁ ସମ୍ଭାଳିବ ନୂଆ କୋଚ୍ । ଏଥିପାଇଁ ବିସିସିଆଇ ନୂଆ କୋଚ୍ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ରେସରେ ଅନେକ ଦିଗଜ ପୂର୍ବତନ ଖେଳାଳି ସାମିଲ ରହିଥିବା ବେଳେ, ସବୁଠୁ ଆଗରେ ଗୌତମ ଗମ୍ଭୀରଙ୍କ ନାଁ ରହିଛି। ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗୌତମ ଗମ୍ଭୀର । ସେ କହିଛନ୍ତି, ବର୍ତ୍ତମାନ ଯେଉଁଠାରେ ଅଛନ୍ତି ସେ ଖୁସି ଅଛନ୍ତି । ବହୁତ ଆଗକୁ ଚିନ୍ତା କରିନାହାଁନ୍ତି ।

ତେବେ ଏହି ବିଶ୍ୱକପ ପରେ ଦଳର ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଦ୍ରାବିଡ଼ଙ୍କ ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ହେବା ନେଇ ଚର୍ଚ୍ଚା ହେଉଛି । ଏଥିସହ କୋଚ୍ ହେବା ପାଇଁ କେବଳ ଗୌତମ ଗମ୍ଭୀର ବିସିସିଆଇରେ ଆବେଦନ କରିଥିବା ଜଣାପଡିଛି । ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗୌତମ ଗମ୍ଭୀର ମୁଖ୍ୟ କୋଚ ହେବା ନିଶ୍ଚିତ। କିନ୍ତୁ ବର୍ତ୍ତମାନ ଯେଉଁ ତଥ୍ୟ ବାହାରକୁ ଆସିଛି ତାହା ଆଶ୍ଚର୍ଯ୍ୟଜନକ, ଏଥିରେ କୁହାଯାଇଛି, ଗମ୍ଭୀରଙ୍କ ପୂର୍ବରୁ ଭିଭିଏସ ଲକ୍ଷ୍ମଣ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବେ।

ଟିମ ଇଣ୍ଡିଆର ନୂଆ କୋଚକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଗୌତମ ଗମ୍ଭୀର କହିଛନ୍ତି ଯେ, ବର୍ତ୍ତମାନ ଏହାର ଉତ୍ତର ଦେବା କଷ୍ଟ । ମୁଁ ଆଗକୁ କିଛି ଭାବିନାହିଁ । ମୁଁ ଏବେ ଯେଉଁଠି ଅଛି, ବହୁତ ଖୁସିଅଛି । ପଶ୍ଚିମବଙ୍ଗରେ ଗମ୍ଭୀର ଏହି  ବିବୃତ୍ତି ଦେଇଥିଲେ ମଧ୍ୟ ଏହାର ଚର୍ଚ୍ଚା  ସମଗ୍ର ଦେଶରେ ହେଉଛି।

ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ କୋଚ୍ ହେବା ପାଇଁ ବିସିସିଆଇ ନିଜେ ଗୌତମ ଗମ୍ଭୀରଙ୍କ ସହ ଯୋଗାଯୋଗ କରିଥିଲା । ମୁଖ୍ୟ କୋଚ ପାଇଁ ମଧ୍ୟ ବୋର୍ଡ ଗମ୍ଭୀରଙ୍କ ସହ ନିରନ୍ତର ଯୋଗାଯୋଗ କରିଥିଲେ। ଏହି କାରଣରୁ ଗମ୍ଭୀର ପରବର୍ତ୍ତୀ ମୁଖ୍ୟ କୋଚ୍ ହେବେ ନେଇ ମନେ ହେଉଥିଲା। କିନ୍ତୁ, ଗମ୍ଭୀରଙ୍କ ବିବୃତ୍ତି ପରେ, କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ, କେବଳ ବିସିସିଆଇର ସରକାରୀ ବିବୃତ୍ତି ଉପରେ ସମସ୍ତଙ୍କର ନଜର ରହିଛି ।

ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ରତ୍ନବେଦୀ ଛାଡ଼ି ସ୍ନାନବେଦିକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି

ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଦିବ୍ୟସ୍ନାନ ପରେ ଦୁର୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଆଜି ଭୋର ୫ଟାରୁ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହୋଇଛି । ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି  । ଦିନ ୧୨ଟା ୨୦ରୁ ୧ଟା ୪୫ ଭିତରେ ମହାପ୍ରଭୁଙ୍କର ଦିବ୍ୟ ସ୍ନାନ ଅନୁଷ୍ଠିତ ହେବ । ଏହାପରେ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି । ଦିନ ୩ ଟାରେ ଛେରା ପହଁରା ୩ଟା ୪୦ରେ ହାତୀବେଶ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ହେଲେ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବାରେ ଲାଗିଛି । ଭର୍ତ୍ତୃହରିଙ୍କ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସ ସମାଲୋଚନା କରିଛି ।

ଦଳ କହିଛି ସଂସଦରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ କେ. ସୁରେଶ । ତାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯିବାର ଥିଲା । ମାତ୍ର ଏହା କରାଗଲା ନାହିଁ। ସଂସଦୀୟ ବ୍ଯାପାର ମନ୍ତ୍ରୀଙ୍କ ଏହା ତ୍ରୁଟି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ ।

ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଥିଲେ । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ସେ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ ।