spot_img
Home Blog Page 1887

କୁକୁର ଶବ ସଂସ୍କାର ଉଦ୍ୟମ କରି ମାଡ଼ ଖାଇଲେ ଯୁବକ

ନୋଏଡା : କୁକୁର ଶବ ସଂସ୍କାର କରିବାକୁ ଯାଇ ମାଡ ଖାଇଲେ ଯୁବକ  । ନୋଏଡାର ସରାଫାବାଦରେ ଦେଖିବାକୁ ମିଳିଛି ଏଭଳି ଘଟଣା  । ସୋମବାର ସକାଳେ ଏକ ପୋଷା କୁକୁରର ଶବ ସଂସ୍କାର କରିବାକୁ ପହଞ୍ଚିଥିବା ଯୁବକକୁ ଗାଁ ଲୋକ ପ୍ରବଳ ପିଟିଛନ୍ତି । ସୂଚନା ଅନୁଯାୟୀ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି କୁକୁରର ଶବକୁ ପୋତିବା ପରେ ସଂପୃକ୍ତ ଯୁବକକୁ ହେପାଜତରେ ନେଇଛି । ଘଟଣା ସମୟରେ ଶ୍ମଶାନରେ ହୋଇଥିବା  ହୋ ହାଲ୍ଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ସେକ୍ଟର ୩୬ରେ ପ୍ରଜ୍ଜ୍ୱଳ ଚୌହ୍ୱାନ ନାମକ ଯୁବକ ୩ ବର୍ଷ ହେବ ନିଜର ଏ ପୋଷା କୁକୁର ଇନ୍ଦୁମତି ସହ ରହୁଥିଲେ । କିନ୍ତୁ ରବିବାର ରାତିରେ କୁକୁରଟିର ରୋଗାଗ୍ରସ୍ତ କାରଣରୁ ମୃତ୍ୟୁ ଘଟିଥିଲା  । କୁକୁରର ଅନ୍ତମ ସଂସ୍କାର ପାଇଁ ସେ ଅନଲାଇନରେ ପଣ୍ଡିତଙ୍କୁ ବୁକ୍ କରିଥିଲେ  । ଯେତେବେଳେ ସେ ଶବ ସଂସ୍କାର ପାଇଁ ଶ୍ମଶାନ ପହଞ୍ଚିଲେ ଯାହାର ଖବର ପାଇ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବାକୁ ପହଞ୍ଚି ଯାଇଥିଲେ  । ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ସେ ଏହି ଶବ ସଂସ୍କାର ରୀତିନୀତିକୁ ବନ୍ଦ କରି ନଥିଲେ  । ଯାହା ପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ  ।

ଯୁବକଙ୍କ କହିବା ଅନୁଯାୟୀ , କୁକୁରଟି ତାଙ୍କ ଏକ ପରିବାର ସଦସ୍ୟ ପରିଥିଲା  । ସେଥିପାଇଁ ସବୁ ରୀତିନୀତି ଅନୁଯାୟୀ ତାର ଶବ ସଂସ୍କାର କରିବାକୁ ସେ ଚାହୁଁଥିଲେ । କିନ୍ତୁ ଗାଁ ଲୋକଙ୍କ ଅନୁଯାୟୀ ସେହି ଶ୍ମଶାନରେ ତାଙ୍କ ପୂର୍ବପୁରୁଷ ଏବଂ ଆତ୍ମୀୟ ଲୋକଙ୍କ ଶବ ସଂସ୍କାର ହୋଇଛି ଏବଂ କେବେ ଏଠି କୌଣସି ପଶୁ ପକ୍ଷୀଙ୍କ ଶବ ଦାହ କରାଯାଏ ନାହିଁ କି ସେଠାରେ ସେମାନେ ଏହା କରେଇ ଦେବେ ନାହିଁ  । ଏହି କଥା ନେଇ ସେଠାରେ ହୋହାଲ୍ଲା ଆରମ୍ଭ ହୋଇଯାଇଥିଲା  ଏବଂ ଯୁବକଙ୍କ ଉପରେ ମାଡ ବି ପଡିଥିଲା  ।

ନା ଭୋଟ୍ ପଡ଼ିଛି,ନା ଫାଳାଫଳ ଆସିଲାଣି କିନ୍ତୁ ଏହି ଦଳ ଜିତିସାରିଲାଣି ଗୋଟିଏ ଲୋକସଭା ଆସନ !

ନୂଆଦିଲ୍ଲୀ : ଏବେ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆରମ୍ଭ ହୋଇଯାଇଛି ମତଦାନ ଏବଂ ଜୁନ୍ ୪ରେ ଆସିବ ଫଳାଫଳ । କିନ୍ତୁ ଭୋଟ୍ ଦେବା ପୂର୍ବରୁ ହିଁ ଗୋଟିଏ ଆସନ ଜିତି ସାରିଲାଣି ଏକ ଦଳ । ସୁରଟ ଆସନରୁ ବିନା ଦ୍ୱିଧାରେ ସିଟ୍ ଜିତିଛି ବିଜେପି। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ବାତିଲ ହେବା ପରେ ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିବା ପରେ ଗୁଜୁରାଟର ସୁରଟ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୁକେଶ ଦଲାଲ ନିର୍ବାଚିତ ହୋଇ ବିଜେତା ହୋଇ ଯାଇଛନ୍ତି।

ସୂଚନା ଅନୁଯାୟୀ ରବିବାର ଦିନ,  ନିର୍ବାଚନ ଅଧିକାରୀ ସୁରଟ ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ହସ୍ତାକ୍ଷର ବିଶଂଗତି ଥିବାରୁ ନାମାଙ୍କନ ପ୍ରତ୍ୟାହାର କରାଯାଇଥିଲା। କେବଳ ଏତିକି ନୁହେଁ, କୁମ୍ବାନୀଙ୍କ ନାମାଙ୍କନ ବାତିଲ ହେବା ପରେ ଦଳର ବିକଳ୍ପ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସୁରେଶ ପଡସାଲାଙ୍କ ନାମାଙ୍କନ ମଧ୍ୟ ବାତିଲ କରାଯାଇଥିଲା।  ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ୮ ଜଣ ପ୍ରାର୍ଥୀ ନଜର ନାମାଙ୍କନ ପତ୍ର ଫେରାଇ ନେଇଥିଲେ  । ଯେଉଁଥିରେ ବାହୁଜନ ସମାଜ ପାର୍ଟିର ପ୍ୟାରେଲାଲ ଭାରତୀ ଏବଂ ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ ସାମିଲ ଥିଲେ ।

ଆଜିଠୁ ପୁଣି ଉପରମୁହାଁ ପାରଦ , ୪୦ ଡିଗ୍ରୀ ଉପରେ ରହିବ ଅଧିକାଂଶ ସହର

ଭୁବନେଶ୍ୱର : ଆଜିଠୁ ପୁଣି ଉପରମୁହାଁ ପାରଦ। ଅଧିକାଂଶ ଜିଲ୍ଲାରେ ପୁଣି ବଢ଼ିବ ତାତି। କାଳବୈଶାଖୀର ପ୍ରଭାବ ଥିଲେ ମଧ୍ୟ ୪୦ ଡିଗ୍ରୀ ଉପରେ ରହିବ ଅଧିକାଂଶ ସହରର ତାପମାତ୍ରା। ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଏହି ସବୁ ଜିଲ୍ଲାରେ ଅସହ୍ୟ ସ୍ଥିତି ଉପୁଜିବ।

ଆସନ୍ତାକାଲି ଓ ୨୫ ତାରିଖରେ ମଧ୍ୟ ଏହି ସବୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୨୬ ତାରିଖରୁ ବିଭିନ୍ନ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେପଟେ ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡଘଡ଼ି ସହ ବର୍ଷା ସତର୍କତା ଜାରି କରାଯାଇଛି।

ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ମିଳିଲା ଇନସୁଲିନ୍

ନୂଆଦିଲ୍ଲୀ : ରହିଲା କେଜ୍ରିଓ୍ୱାଲଙ୍କ ଦାବି, ଜେଲରେ ମିଳିଲା ଇନସୁଲିନ୍ ।  ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୂର ହେଲା ସମସ୍ୟା । ଆପ୍ ପକ୍ଷରୁ ସୂଚନା ମିଳିଛି ଯେ, ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ , ଯାହା ଏବେ ତାଙ୍କୁ ଦିଆଯାଇଛି ।

ସୂଚନା ଅନୁଯାୟୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା  ।  ଯେଉଁଥିପାଇଁ ସେ ନିଜେ ତିହାର ଜେଲର ଅଧିକ୍ଷକଙ୍କୁ ଚିଠି ଲେଖି ଇନସୁଲିନ୍ ମାଗିଥିଲେ ।

ସେ ନିଜ ଚିଠିରେ ଦାବି କରିଥିଲେ କି , ଯେତେବେଳେ ବି ମୋତେ ଡାକ୍ତର ଚିକିତ୍ସା ପାଇଁ ଆସନ୍ତି ମୁଁ ସେତେବେଳେ ତାଙ୍କୁ ଜଣାଇଛି କି, ମୋର ସୁଗାର ଲେବଲ ଅଧିକ ରହିଛି । ମାତ୍ର ଏହାକୁ ସେ ଶୁଣିନାହାନ୍ତି । ଏପରିକି ମୋତେ ଇନସୁଲିନ ଦରକାର ବୋଲି କହିଛି । ହେଲେ ମୋତେ ଦିଆଯାଉ ନାହିଁ ।

କାକଟପୁରର ମା’ମଙ୍ଗଳାଙ୍କ ଆଜି ଝାମୁ ଯାତ୍ରା, ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର : ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଶେଷ ପାଳି ଯାତ୍ରାରେ ମା’ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା । ଏହି ଅବସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି ।

ଚୈତ୍ର ମାସର ପ୍ରଥମ ମଙ୍ଗଳବାରରୁ ମା’ଙ୍କ ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାର ପର୍ଯ୍ୟନ୍ତ ପଞ୍ଚମ ପାଳିରେ  ମା’ଙ୍କ ପାଳିଯାତ୍ରା ଶେଷ ହେବା ସହ ମାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଭୋର ୩ଟାରୁ  ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି  ।

ଶ୍ରୀମନ୍ଦିରରେ ଅଘଟଣ, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଅଘଟଣ। ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ।  ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳାଳତି ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସକାଳ ୫ଟା ୨୧ରେ  ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଏଥିପାଇଁ  ମଙ୍ଗଳାଳତି ପୂର୍ବରୁ ନୀତିକାନ୍ତି ବନ୍ଦକରାଯାଇଥିଲା  । ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ପରେ ନୀତି ଆଗକୁ ବଢିଛି । ଏବେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ।

ତାଇୱାନରେ ଏକାଧିକ ଶକ୍ତିଶାଳୀ ଭୂମିକମ୍ପ ଝଟକା , ରିକ୍ଟର ସ୍କେଲରେ ସବୁଠୁ ଅଧିକ ୬.୩ ତୀବ୍ରତାର କମ୍ପନ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ : ତାଇୱାନରେ ଏକାଧିକ ଶକ୍ତିଶାଳୀ ଭୂମିକମ୍ପ ଝଟକା ।  ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। କାଲି ବିଳମ୍ବିତ ରାତିରେ ତାଇୱାନର ପୂର୍ବ ଉପକୂଳର ମ୍ୟାଗ୍ନିଚ୍ୟୁଡର ୬.୩ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଗତକାଲି  ୮୦ରୁ ଅଧିକ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ରାଜଧାନୀ ତାଇପେରେ ୫ଥର ଭୂମିକମ୍ପ ଅନୁଭୂତ ହୋଇଛି ।

ଏହା ତାଇଓ୍ୱାନର ଗ୍ରାମୀଣ ପୂର୍ବ କାଉଣ୍ଟି ହୁଆଲିନ୍ ଉପରେ ଅଧିକ ଅନୁଭୂତ ହୋଇଛି , ଯେଉଁଠାରେ ଏପ୍ରିଲ ୩ ରେ ୭.୨ ତୀବ୍ରତାର ଭୂମିକମ୍ପରେ ପାଖାପାଖି ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ତାଇୱାନରେ ପାଖାପାଖି ୮୦ରୁ ଅଧିକ ଝଟକା ଅନୁଭୂତ ହେଲାଣି । ବଡ ବଡ କୋଠା ଓ ହୋଟେଲ ଏବେ ବି ଝୁଲି ରହିଥିବା ଦେଖିବାକୁ ମିଳିଛି । ଆଜିକାର ଭୂମିକମ୍ପରେ ୨ଟି ବଡ ବଡ କୋଠା ଭୁଷୁଡି ପଡିଥିବା ସୂଚନା ରହିଥିବାବେଳେ କୌଣସି ଜନଜୀବନ କ୍ଷତି ନେଇ ସୂଚନା ମିଳିନି ।

ଭାରତ ନିର୍ମାଣ କରୁଛି ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ : ପଡ଼ୋଶୀ ରାଷ୍ଟ୍ରଠାରୁ ବଢୁଛି ଭାରତ ଲାଗି ବିପଦ । ଶତ୍ରୁ ପକ୍ଷରୁ ଡ୍ରୋନ ଓ ଲଢୁଆ ଯୁଦ୍ଧ ବିମାନର ମୁକାବିଲା ଲାଗି ଭାରତ ନିର୍ମାଣ କରୁଛି ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । କାନ୍ଧରେ ରଖି ପ୍ରୟୋଗ କରାଯାଇପାରୁଥିବା ଏହି ସିଷ୍ଟମ ଖୁବ୍ ଶୀଘ୍ର ଭାରତକୁ ଶକ୍ତିଶାଳୀ କରିବାରେ ସକ୍ଷମ ହେବ । ସୀମାରେ ପାକିସ୍ତାନ ଓ ଚୀନ ପକ୍ଷରୁ ବିପଦ କ୍ରମାଗତ ଭାବେ ବଢୁଥିବାବଳେ ଏହାକୁ ପ୍ରତିହତ  କରିବା ଲାଗି ସେନା ଓ ବାୟୁସେନାକୁ ୩୫୦ ଲଞ୍ଚର ଓ ୨ ହଜାର ମିସାଇଲ ପ୍ରଦାନ କରିବାକୁ ନିଆଯାଇଛି ପଦକ୍ଷେପ ।

ପ୍ରତିରକ୍ଷା ବିଭାଗ ସୂତ୍ର ଅନୁସାରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଲେଜର ବିମ୍ ରାଇଡିଂ ଭେରି ସର୍ଟ ରେଞ୍ଜ ଏୟାର ଡିଫେନସ ସିଷ୍ଟମ ପ୍ରସ୍ତୁତ କରାଯାଉଛି । ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ଓ ଏକ ଘରୋଇ ସଂସ୍ଥା ପକ୍ଷରୁ ଏହାର ନିର୍ମାଣ କରାଯାଉଛି । ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓ ଅନ୍ଯ ସଂସ୍ଥା ସହ ମିଶି ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ପ୍ରକାର ମିସାଇଲ ଯାହାକି କାନ୍ଧରୁ ପ୍ରୟୋଗ କରାଯାଇପାରିବ । ଭାରତ ନିକଟରେ ରହିଥିବା ରୁଷିଆ ନିର୍ମିତ ଇଗଲା-1 ଏମର ଏହା ବିକଳ୍ପ ହେବ ।

ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ବିଆରଏସ ନେତ୍ରୀ କେ. କବିତାଙ୍କ ହେପାଜତ ଅବଧି

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲା । ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ବିଆରଏସ ନେତ୍ରୀ କେ. କବିତାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି । ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା ଦୁହିଁଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଥିଲେ ।

ଗତ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ସେହିପରି ମାର୍ଚ୍ଚ ୧୫ରେ ବି କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତିହାର ଜେଲରେ ଥିବା କେଜ୍ରିଓ୍ବାଲଙ୍କ ଲାଗି ଅନେକ କଟକଣା ଜାରି କରାଯାଇଥିବାବେଳେ ସାପ୍ତାହିକ ଦୁଇ ଥର ବଦଳରେ ସାପ୍ତାହିକ ପାଞ୍ଚଥର ବୈଠକ ନିମନ୍ତେ କରାଯାଇଥିବା ଆବେଦନକୁ ଖାରଜ କରିଥିଲୋ କୋର୍ଟ । ସେହିପରି ଗିରଫଦାରୀର ବିରୋଧରେ ସେ କରିଥିବା ଆବେଦନକୁ ବି ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ ।

ଆସନ୍ତାକାଲି ଠୁ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନ ; ଏଥର ଯୋଡ଼ି ଶଙ୍ଖର ଆହ୍ଵାନ ଦେଲେ ନବୀନ

ଭୁବନେଶ୍ୱର : ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲା ହିଞ୍ଜିଳିରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ, କହିଛନ୍ତି ଏଥର ଯୋଡ଼ି ଶଙ୍ଖ । ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ।

ଡବଲ ଶଙ୍ଖରେ ଭୋଟ ଦେଇ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଆହ୍ଵାନ କରିଛନ୍ତି। ଗୋଟିଏ ଏମପି ପାଇଁ ଆଉ ଗୋଟିଏ ଏମଏଲଏ ପାଇଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ୨୪ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହେଉଥିବାରୁ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଉଦବୋଧନ କରିଛନ୍ତି।

ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ। ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ଯମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ସେହିଦିନ ସେ ତାରାତାରିଣୀ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ।

୧ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡାରେ ପ୍ରଚାର କରିବେ। ସେହିପରି ୬ ତାରିଖରେ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ୭ ତାରିଖରେ ଶେରଗଡ଼, ହିଞ୍ଜିଳି,ବ୍ରହ୍ମପୁରରରେ ୩ଟି ରୋଡସୋରେ ଯୋଗଦେବେ। ୯ ତାରିଖରେ ଗୋପାଳପୁରରେ ଏକ ରୋଡସୋରେ ମୁଖ୍ଯମନ୍ତ୍ରୀ ଯୋଗଦେବେ।

ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ। ରାଜ୍ଯ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ତଥା 5T ଅଧୀନରେ ଚାଲିଥିବା ରୂପାନ୍ତରଣ ରାଜ୍ଯରେ ମୁଖ୍ଯମନ୍ତ୍ରୀଙ୍କ ଲୋକପ୍ରିୟତାକୁ ବଢ଼ାଇଛି। ଚବିଶ ନିର୍ବାଚନ ଲାଗି ମୁଖ୍ଯମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ଦଳରେ ଉତ୍ସାହ ସୃଷ୍ଟି କରିଛି।