spot_img
Home Blog Page 1945

ପାକ୍ ଅଧିକୃତ କାଶ୍ମୀରରେ ବିଦ୍ରୋହ, ରାଷ୍ଟ୍ରପତି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଯୁଦ୍ଧ ପରି ପରିସ୍ଥିତି । କାଶ୍ମୀରବାସୀ ପାକିସ୍ତାନ ଅତ୍ୟାଚାର ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ରାସ୍ତାକୁ ଓହ୍ଲାଇ ଲୋକେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅସନ୍ତୋଷର ନିଆଁରେ ଜଳୁଥିବା ପିଓକେବାସୀ ପାକିସ୍ତାନୀ ସେନାକୁ ବି ଡରୁ ନାହାନ୍ତି । ଏକାଧିକ ସ୍ଥାନରେ ଆନ୍ଦୋଳନକାରୀ ଓ ପାକିସ୍ତାନୀ ସେନା ମୁହାଁମୁହିଁ ହୋଇଛନ୍ତି । ଏପରିକି ଜଣେ ସବ ଇନ୍ସପେକ୍ଟରର ମୃତ୍ୟୁ ଘଟିଥିବା ଓ ଏକାଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ପାକିସ୍ତାନୀ ମିଡିଆ ରିପୋର୍ଟ କରିଛି । ଏମିତି ବିଦ୍ରୋହ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି । ପିଓକେ ସ୍ଥିତିକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ରାଷ୍ଟ୍ରପତି ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ପିଓକେରେ ଶାନ୍ତି ଫେରାଇ ଆଣିବାର ବାଟ ବାହାର କରିବାରେ ସହଯୋଗ କରିବାକୁ ରାଷ୍ଟ୍ରପତି ସବୁ ଅଧିକାରୀଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ପରି ଶନିବାର ମଧ୍ୟ ପିଓକେରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜମ୍ମୁ କାଶ୍ମୀର ସଂଯୁକ୍ତ ଆଓ୍ବାମୀ ଆକ୍ସନ କମିଟି ଡାକରାରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏକାଧିକ ସ୍ଥାନରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା ।

ଆନ୍ଦୋଳନକୁ ସମର୍ଥନ ଦେଲା ଟିଟିପି

ପିଓକେବାସୀଙ୍କ ଏହି ଆନ୍ଦୋଳନକୁ ଚରମପନ୍ଥି ସଂଗଠନ ଟିଟିପି ସମର୍ଥନ ଜଣାଇଛି । ସଂଗଠନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଟିଟିପି ପିଓକେରେ ମାଗଣା ବିଜୁଳି ଓ ଗହମରେ ସବସିଡ ଦାବି କରୁଥିବା ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଛି । ଏହାସହ ପାକିସ୍ତାନ ସେନା ବିପକ୍ଷରେ ସଶସ୍ତ୍ର ସଂଗ୍ରାମ କରିବାକୁ ପିଓକେବାସୀଙ୍କୁ ଅପିଲ କରିଛି ଟିଟିପି । ଆଉ କହିଛି, ପାକିସ୍ତାନୀ ସେନା କେବଳ ସଂଘର୍ଷର ଭାଷା ବୁଝିଥାଏ, ତାକୁ ସେହି ଭାଷାରେ ଜବାବ ଦିଅ ।

ଆନ୍ଧ୍ରରେ YSRCP ଫେରିବ ନା ସରକାର ବଦଳିବ ?

ଭୁବନେଶ୍ବର: କିଏ ଗଢିବେ ଆନ୍ଧ୍ର ପ୍ରଦେଶରେ ସରକାର ? କେବଳ ଓ୍ବାଇଏସଆରସିପି ପୁଣି ସରକାର କରିବ ନା ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରୁ କିଏ ସରକାର ଗଢ଼ିବେ ? ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ଓ୍ବାଇଏସଆରସିପିର ସଦସ୍ଯ ସଂଖ୍ଯା ରହିଛି ୧୩୫ । ଏନଡିଏ ସଦସ୍ଯ ସଂଖ୍ଯା ୨୬ । ସେଥିରେ ଟିଡିପିର ୨୩, ବିଜେପିର ୨, ଜନସେନାର ଜଣେ ବିଧାୟକ ରହିଛନ୍ତି । ତେଣେ ଇଣ୍ଡିଆ ମେଣ୍ଟରେ ଅଛନ୍ତି କଂଗ୍ରେସର ମାତ୍ର ୪ ସଦସ୍ଯ ।

୨୦୧୪ରୁ ୨୦୧୯ ରାଜ୍ଯରେ ତେଲଗୁ ଦେଶମ ପାର୍ଟି ସରକାର କରିଥିଲା । ମୁଖ୍ଯମନ୍ତ୍ରୀ ଥିଲେ ଏନ. ଚନ୍ଦ୍ରବାବୁ ନାଇଡୁ । ୨୦୧୯ରେ ପୂର୍ବତନ ମୁଖ୍ଯମନ୍ତ୍ରୀ ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ପୁଅ ଜଗନ ମୋହନଙ୍କ ନେତୃତ୍ବାଧୀନ ଓ୍ବାଇଏସଆରସିପି ରାଜ୍ଯରେ ସରକାରରେ ରହିଛି । ଚଳିତ ନିର୍ବାଚନରେ ଓ୍ବାଇଏସଆରସିପି ଏକାକୀ ନିର୍ବାଚନ ଲଢୁଥିବାବେଳେ ଟିଡିପି-ବିଜେପି-ଜନସେନା କରିଛନ୍ତି ମେଣ୍ଟ । କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ମଧ୍ଯରେ ହୋଇଛି ମେଣ୍ଟ । ଲୋକସଭା କ୍ଷେତ୍ରରେ ବିଜେପି ୬, ଟିଡିପି ୧୭, ଜନସେନା-୨ ଆସନରେ ଲଢୁଛନ୍ତି । ବିଧାନସଭା କ୍ଷେତ୍ରରେ ବିଜେପି ୧୦, ଟିଡିପି ୧୪୪, ଜନସେନା ୨୧ ଆସନରେ ଲଢୁଛନ୍ତି । ପୁଲିବେନ୍ଦୁଲା ଆସନରୁ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଧାନସଭା ମଇଦାନରେ ୬ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ପୁଅ ଅବତୀର୍ଣ୍ଣ ହୋଇଛନ୍ତି ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଘରେ ଭୋଟ ଦେଲେ ୩୬୩୬ ଭୋଟର୍

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର । ଗତକାଲିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ । ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି ।

୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆଦର୍ଶ ବୁଥ ରହିଛି ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ । ୬୦ ପ୍ରତିଶତ ବୁଥରେ ଲାଇଭ ଷ୍ଟିମ ହେବ ।

ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲଟ ବ୍ୟବହାର ହେବ । ମୋଟ ୧୮ ହଜାର ୫୩୯ ବାଲଟ ୟୁନିଟ ରହିଛି । ୧୨ ସହ ପୋଲିଂ ଷ୍ଟେସନରେ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବାକୁ ଥିବାବେଳେ ୨୫୭୫ ବୁଥରେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ ସମ୍ବେଦନଶୀଳ ରହିଛି । ୫୨ ହଜାର ୫ ଶହ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବା ପାଇଁ ରାୟଗଡାରେ ଆଦିମ ଜନଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତ ପଙ୍ଖାରେ ସଚେତନତା ଲେଖା ଯାଇଛି । ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ଏହାକୁ ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି । ନୂଆପଡାରେ ଷ୍ଟବେରୀ ପ୍ୟାକେଟରେ ନିର୍ବାଚନ ତାରିଖ ଲେଖା ଯାଇଛି । ବହୁଳ ସଂଖ୍ୟାରେ ମତଦାନ ପାଇଁ ନିବେଦନ କରିଛନ୍ତି ସିଇଓ । ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ । ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତ ହୋଇଛନ୍ତି ବୋଲି ସିଇଓ କହିଛନ୍ତି ।

ଚଳଚଞ୍ଚଳ ପୁରୀ ରଥ ଖଳା, ଚାଲିଛି ତିନି ଠାକୁରଙ୍କ ରଥ ତିଆରି କାମ

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ପୁରୀ ଶ୍ରୀନଅର ସମ୍ମୁଖ ରଥ ଖଳା । ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଶନିବାର ଠାରୁ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ମୁତାବକ ରଥ ନିର୍ମାଣ କାମ ଆରମ୍ଭ ହୋଇଛି ।

ରଥ ଅମିନ ଓ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶରେ କରତିଆ ସେବାୟତ କାର୍ଯ୍ଯ ଆରମ୍ଭ କରିଛନ୍ତି । ରଥ ନିର୍ମାଣ ପାଇଁ ଭୋଇ ସେବାୟତମାନେ ରଥଖଳାରେ ଆବଶକ୍ୟୟ କାଠ ପହଞ୍ଚାଇବା ପରେ କରତୀ ସେବକମାନେ ତୁମ୍ବ ନିର୍ମାଣ ପାଇଁ କାଠ ଚିରଟ କରିଛନ୍ତି । ପ୍ରଥମ ଦିନରେ ତିନି ରଥ ପାଇଁ ୩ଟି ତୁମ୍ବ କଟାଯାଇଛି l ରଥଖଳାରେ ଚତୁର୍ପାଶ୍ୱରେ ଧଳା କପଡା ଗୁଡ଼ାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି l ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ଟି ଚକ ଆବଶ୍ୟକ ଥିବାବେଳେ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ଓ କରତୀ ସେବାୟତ ।

ତିନି ରଥ ପାଇଁ ଭୋଇ ସେବାୟତମାନେ କାଠ ଯୋଗାଇ ଦେବା ପରେ ରଥର ମୁଖ୍ୟ ବିଶ୍ୱକର୍ମା ନିର୍ଦ୍ଧିଷ୍ଟ ମାପ ଅନୁଯାଇ ତୁମ୍ବ ଗୁଡିକୁ ସାଇଜ କରିଛନ୍ତି l ତୁମ୍ବ ନିର୍ମାଣ ସରିବା ପରେ ଏଥିରେ ବିନ୍ଧ ଅନୁକୂଳ କରାଯାଇ ଖୋଦେଇ ସହ ପଇ ଓ ଅର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ । ସେପଟେ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି l ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ରଥ କାଠର ଆବଶ୍ୟକ ଥିବାବେଳେ ଗତବର୍ଷ ୫୩ ଖଣ୍ଡ କାଠ ବଳକା ରହିଛି ।

ଆଜିଠୁ ସ୍ବାଭାବିକ ହେବ ଏୟାର ଇଣ୍ଡିଆ ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ସ୍ବାଭାବିକ ହେବ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବା । ଏନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି । ସ୍ବାଭାବିକ ବିମାନ ସେବା ଲାଗି ସମସ୍ତ ବ୍ଯବସ୍ଥା କରାଯାଇଛି । କ୍ରିଉ ମେମ୍ବରଙ୍କ ସମୂହ ଛୁଟି କାରଣରୁ ବିମାନ ସେବାରେ ବାଧା ସୃଷ୍ଟି ହେବା ସହ କମ୍ପାନୀ ୩୦ କୋଟି ଟଙ୍କା କ୍ଷତି ସହିଛି ।

୩୦ ଜଣ କ୍ରିଉ ମେମ୍ବର ଆକସ୍ମିକ ଅସୁସ୍ଥକାଳୀନ ଛୁଟିରେ ରହିବାରୁ ପ୍ରାୟ ସପ୍ତାହେ ଧରି ସଂସ୍ଥାରେ ଦେଖାଦେଇଥିଲା ଅଚଳାବସ୍ଥା । ପ୍ରାୟ ୧୦୦ଟି ବିମାନର ଯାତ୍ରାକୁ ବାତିଲ କରିଥିଲେ କର୍ତ୍ତୃପକ୍ଷ । ପ୍ରଭାବିତ ହୋଇଥିଲେ ପ୍ରାୟ  ୧୫ ହଜାର ଯାତ୍ରୀ । ସେପଟେ ବିମାନ ସେବା ବାତିଲ ଓ ବିଳମ୍ବ ପ୍ରସଙ୍ଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ତଲବ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ଗତ ୧୧ ତାରିଖରେ ମୁଖ୍ଯ ଶ୍ରମ ଆୟୁକ୍ତଙ୍କ ଦ୍ବାରା ଆହୂତ ବୈଠକରେ ଆନ୍ଦୋଳନରତ କର୍ମଚାରୀ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ଯରେ ହୋଇଥିବା ଆଲୋଚନା ଅନୁସାରେ କର୍ମଚାରୀଙ୍କୁ ପୁନଃଅବସ୍ଥାପିତ ଲାଗି ନିଷ୍ପତ୍ତି ହୋଇଥିଲା ।

ଆଜି ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ସହ କେଜ୍ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ: ଜେଲରୁ ଅନ୍ତରୀଣ ଜାମିନରେ ଫେରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆମ୍ ଆଦମୀ ପାର୍ଟିର ସମସ୍ତଙ୍କ ବିଧାୟକଙ୍କୁ ଭେଟିବାକୁ ଯାଉଛନ୍ତି । ଆଜି ନିଜ ବାସଭବନରେ ବିଧାୟକମାନଙ୍କ ସହ କେଜ୍ରିଓ୍ବାଲ ବୈଠକ କରିବାକୁ ଯାଉଛନ୍ତି । ଆସନ୍ତା ମେ’ ୨୫ରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଗତକାଲି କେନ୍ଦ୍ର ଉପରେ ବର୍ଷିଥିଲେ କେଜ୍ରିଓ୍ବାଲ । ସେ କହିଥିଲେ- ସେମାନେ ଆମକୁ ଧ୍ବଂସ କରିଦେବେ । ତେବେ ଆମ ଆଦମୀ ପାର୍ଟି ଏକ ଆଦର୍ଶ,  ସେମାନେ ଯେତେ ଆକ୍ରମଣ କରିବେ ଦଳ ସେତେ ଅଧିକ ଶକ୍ତିଶାଳୀ ହେବ ।

ଆଗକୁ ସେ କହିଥିଲେ,  ବର୍ତ୍ତମାନ ଦେଶରେ ଏକ ରାଷ୍ଟ୍ର ଏକ ନୀତି ଅନୁସାରେ ଶାସନ ଚାଲିଛି । ସେହିପରି ଏକ ରାଷ୍ଟ୍ର ଏକ ନିର୍ବାଚନ ଦିଗରେ ଦେଶକୁ ପରିଚାଳିତ କରାଯାଉଛି । ବିଜେପିର ଦୁଇ ବରିଷ୍ଠ ନେତା ସମସ୍ତ କ୍ଷମତା ନିଜ ହାତରେ ରଖିବା ଲାଗି ଯୋଜନା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଥିଲା । ସେମାନଙ୍କ ପକ୍ଷ ଛେଦନ ଲାଗି ଏହି ପଦକ୍ଷେପ ନିଆଯାଇଥିଲା । ଏପରିକି ଯଦି ପୁଣି ଥରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବ ତେବେ ତାହାର ପ୍ରଥମ କାମ ହେବ ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ପରିବର୍ତ୍ତନ । ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଶିବରାଜ ଚୌହ୍ବାନ, ବସୁନ୍ଧରା ରାଜେ, ରମଣ ସିଂ ପ୍ରମୁଖଙ୍କ ରାଜନୀତିକୁ ଶେଷ କରିଦିଆଯାଇଛି ।

ସେ ଆହୁରି କହିଛନ୍ତି, ବିଭିନ୍ନ ସରକାରକୁ ଗାଦିଚ୍ଯୁତ କରିବା, ଅଣ ବିଜେପି ମୁଖ୍ଯମନ୍ତ୍ରୀମାନଙ୍କୁ ଜେଲରେ ପୂରାଇବା ହେଉଛି ବିଜେପିର ନୀତି । ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେଲରେ ପୂରାଇବା ଏକ ଉଦାହରଣ । ଆପ୍ ଏକ ଛୋଟ ଦଳ ଏବଂ ଦୁଇଟି ରାଜ୍ଯରେ କ୍ଷମତାରେ ଅଛି । ତଥାପି ଏହି ସରକାର ବିରୋଧରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଦିଲ୍ଲୀ ମଦନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରାଯାଇଥିବା ବେଳେ ଗତ ମେ’ ୧୦ରେ ସୁପ୍ରିମକୋର୍ଟ ଦେଇଥିଲେ ଜୁନ ୧ ଯାଏଁ ଅନ୍ତରୀଣ ଜାମିନ ।

କାଲି ୫ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ବିହାର ବେଗୁସରାଇରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ । ବିହାର ଉଜିଆରପୁରରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ଯାନନ୍ଦ ରାୟ । ଝାଡ଼ଖଣ୍ଡ ଖୁଣ୍ଟିରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଉତ୍ତରପ୍ରଦେଶ ଖେରୀରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା । ସିକନ୍ଦରାବାଦରୁ ପ୍ରାର୍ଥୀ ଅଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ ।

ସେପଟେ ବିଭିନ୍ନ ରାଜ୍ଯରେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା । ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ରାଏବରେଲିରେ ପ୍ରିୟଙ୍କା ଗାନ୍ଧୀ, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ନେତା କରିଛନ୍ତି ପ୍ରଚାର । ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ପକ୍ଷରୁ ରାଲି କରାଯାଇଛି । ସେହିପରି ହିମାଚଳ ପ୍ରଦେଶ ମଣ୍ଡିରେ ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରଚାର କରିଛନ୍ତି ।

ପଶ୍ଚିମବଙ୍ଗରେ ଟିଏମସି ନେତା ଅଭିଷେକ ବାନାର୍ଜୀ ରୋଡ ଶୋ’ କରିଛନ୍ତି । ପଞ୍ଚମ ପର୍ଯ୍ୟାୟ ମେ’ ୨୦ରେ, ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ’ ୨୫ରେ ହେବ । ସେପଟେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ମେ’ ୧୪ ତାରିଖ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୧୦ ରାଜ୍ୟର ୯୬ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି ୧୦ ରାଜ୍ଯର ୯୬ ଆସନ ଲାଗି ହେବ ଭୋଟ ।  ଆନ୍ଧ୍ରପ୍ରଦେଶର ୨୫ଟି, ବିହାରର ୫ଟି, ଝାଡଖଣ୍ଡର ୪ଟି, ମଧ୍ଯପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ତେଲଙ୍ଗାନାର ୧୭ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୮ଟି ଓ ଜାମୁ-କାଶ୍ମୀରର ଗୋଟିଏ ଆସନରେ ହେବ ଭୋଟ ।

୯୬ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୭୦୦ରୁ ଅଧିକ ପ୍ରାର୍ଥୀ । ତେଲଙ୍ଗାନାର ସମସ୍ତ ୧୭ ଆସନ ଲାଗି ସର୍ବାଧିକ ୧୪୮୮ ପ୍ରାର୍ଥୀ ଥିବାବେଳେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ ଲାଗି ମଇଦାନରେ ଅଛନ୍ତି ୧୧୦୩ ପ୍ରାର୍ଥୀ । ତେଲଙ୍ଗାନାର ମାଲକାଜଗିରିଆସନରେ ସର୍ବାଧିକ ୧୭୭ ପ୍ରାର୍ଥୀ ଅଛନ୍ତି । ମଇଦାନରେ ଅଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ଯାନନ୍ଦ ରାୟ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି, ଓ କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ।

ସେହିପରି ପୂର୍ବତନ ମୁଖ୍ଯମନ୍ତ୍ରୀ ଅଖିଳେଶ ଯାଦବ ମଇଦାନରେ ଥିବାବେଳେ ପୂର୍ବତନ ମୁଖ୍ଯମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମୁଖ୍ଯମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇ. ଏସ ଶର୍ମିଳା ବି ପ୍ରାର୍ଥୀ ଅଛନ୍ତି । ସେହିପରି ପୂର୍ବତନ ଉପମୁଖ୍ଯନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପ୍ରୀତମ ଗୋପୀନାଥରାଓ ମୁଣ୍ଡେ ପ୍ରାର୍ଥୀ ହୋଇଛନ୍ତି ।

ଆଜି ବଲାଙ୍ଗୀର ଓ ବରଗଡ଼ରେ ନବୀନଙ୍କ ଧୂଆଁଧାର ପ୍ରଚାର

ଭୁବନେଶ୍ବର: ଆଜି ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଦୁଇଟି ଲୋକସଭା କ୍ଷେତ୍ରର ୪ଟି ସ୍ଥାନରେ ନନଷ୍ଟର ପ୍ରଚାର କରିବେ ନବୀନ ।

ନିଜର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିର ଦୁଇଟି ସ୍ଥାନରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ଏଥିପାଇଁ  ସକାଳ ୧୦ଟା ୪୫ରେ ଉତକେଲା ଏୟାରପୋର୍ଟରେ ପହଞ୍ଚିବେ ମୁଖ୍ଯମନ୍ତ୍ରୀ । ସେଠାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡାକୁ ଯାଇ ଆଶୀର୍ବାଦ ଭିକ୍ଷା କରିବେ । ବିଶାଳ ଜନସଭାକୁ ଉଦବୋଧନ ଦେଇ ମୁରିବାହଲରେ ଜନସଭାରେ ଯୋଗଦେବେ । ସେଠାରୁ ବଲାଙ୍ଗୀର ଯାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ଆଶୀର୍ବାଦ ମାଗିବେ । ପରେ ଅପରାହ୍ନରେ ବରଗଡ଼ ଯାଇ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି ।

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଜବାବ, କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଜବାବ । ମୋର କଣ ମନେ ଅଛି କି ନାହିଁ ରାଜ୍ଯବାସୀ ଜାଣିଛନ୍ତି । ଓଡ଼ିଶାବାସୀ ୨୪ ବର୍ଷ ଧରି ଜାଣିଛନ୍ତି । ଓଡ଼ିଶାକୁ କେତେ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ? ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ । ସଂସ୍କୃତ ଭାଷାକୁ ହଜାରେ କୋଟି ଦେଲେ । ଓଡିଆ ଭାଷାକୁ ଅନୁଦାନ ଶୂନ । ଓଡ଼ିଶୀ ସଂଗୀତକୁ ଭୁଲିଗଲେ ପ୍ରଧାନମନ୍ତ୍ରୀ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ଯତା ଲାଗି ୨ ଥର ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ଦୁଇ ଦୁଇ ଥର ଅଗ୍ରାହ୍ଯ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ବହୁ ବୀରପୁତ୍ର ଅଛନ୍ତି । କେତେକ ନାମକୁ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ । କଣ ଜଣେ ବି ଭାରତ ରତ୍ନ ଲାଗି ଯୋଗ୍ଯ ବିବେଚିତ ହେଲେ ନାହିଁ । ଭାରତ ରତ୍ନ ବାଣ୍ଟିବାବେଳେ ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ । ଚାଷୀଙ୍କ ଏମଏସପି ୨ ଗୁଣ କରିବା ଲାଗି ପ୍ରତିଶୃତି ଦେଇଥିଲେ। ଏମଏସପି ଦୁଇଗୁଣ ପ୍ରତିଶୃତି ବି ଭୁଲିଗଲେ । ଓଡ଼ିଶାବାସୀଙ୍କ ଲାଗି ଉପକୂଳ ରାଜପଥ କରିବାର ଥିଲା । ଉପକୂଳ ରାଜପଥ ବିଷୟ ବି ପ୍ରଧାନମନ୍ତ୍ରୀ ଭୁଲିଗଲ । ଓଡ଼ିଶାର ସମ୍ପଦ କୋଇଲା ନେଉଛନ୍ତି । ରୟାଲଟି ବଢାଇବା ଲାଗି ୧୦ ବର୍ଷ ହେଲା ଭୁଲିଗଲେ । କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ କିଛି ଲାଭ ନାହିଁ । ୨୦୧୪ ଓ ୨୦୧୯ରେ ଦେଇଥିବା ପ୍ରତିଶୃତିକୁ ମନେ ରଖିଛନ୍ତି କି । ଦରବୃଦ୍ଧି କମାଇବା, ୨ କୋଟି ଚାକିରି ସୃଷ୍ଟି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ କନେକ୍ଟିଭିଟି ଦେବା, ଜିଏସଟି ଛାଡ଼ କରିବା ପ୍ରତିଶୃତି ଓଡ଼ିଶାବାସୀ ମନେ ରଖିଛନ୍ତି । ଜୁନ ୧୦ରେ ତ ନୁହେଁ ଆଉ ୧୦ ବର୍ଷରେ ବି ବିଜେପି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ। ମା ପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁ ବିଜୁ ଜନତା ଦଳ ଷଷ୍ଠ ଥର ଲାଗି ଓଡ଼ିଶାରେ ସରକାର ଗଠନ କରିବ ।