spot_img
Home Blog Page 1951

ରଜ ବଜାରରେ ରିଲିଜ ହେଲା ଓଡ଼ିଆ ସିନେମା ‘ପାବାର’

ଭୁବନେଶ୍ବର: ଆସନ୍ତାପାଲି ରଜ ଓ ଆଜି ସଜବାଜ । ରଜ ବଜାରରେ ରିଲିଜ ହୋଇଛି ଓଡ଼ିଆ ସିନେମା ‘ପାବାର’ । ଭୁବନେଶ୍ୱର ସ୍ୱାତୀ ଓ ମହାରାଜା ସିନେମା ହଲ୍‌ରେ ବାବୁସାନ ଫିଲ୍ମ ପ୍ରଡକ୍ସନର ‘ପାବାର’ ସିନେମାର ପ୍ରିମିୟର ଶୋ ଅନୁଷ୍ଠିତ ହୋଇଯାଇଛି । ରଜ ଉପଲ୍ଲକ୍ଷେ ରିଲିଜ୍ ହୋଇଥିବା ଏହି ସିନେମା ରାଜ୍ୟର ୫୦ଟି ସିନେମା ହଲ୍‌ରେ ଆଜି ମୁକ୍ତିଲାଭ କରିଛି ।

ବାବୁସାନଙ୍କ ଫିଲ୍ମ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଛି । ୮ ବର୍ଷ ପରେ ଦର୍ଶକ ଦେଖିଲେ ବାବୁସାନ ଓ ଏଲିନାଙ୍କ ଯୋଡ଼ିକୁ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ପାବାରର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ଓଲିଉଡ୍ ସୁପର୍‌ଷ୍ଟାର୍ ବାବୁସାନ ଓ ପ୍ରତିଭାମୟୀ ଅଭିନେତ୍ରୀ ଏଲିନା । ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ସୋମୁ, ବବି ମିଶ୍ର, ପପୁ ପମ୍‌ପମ୍‌, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ଭକ୍ତି ଓ ବାପିଙ୍କୁ ଦେଖିବାକୁ ମିଳିଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ରଜ ବଜାରରେ ଦର୍ଶକ ବେଶ ପସନ୍ଦ କରିବେ ବୋଲି କହିଛନ୍ତି ଷ୍ଟାରକାଷ୍ଟ ।

ଏକ ସତ୍ୟ ଘଟଣାକୁ ନେଇ ତିଆରି ହୋଇଛି ଫିଲ୍ମ ‘ପାବାର’ । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ପଲିଟିକାଲ ଡ୍ରାମା ସାଙ୍ଗକୁ ଫିଲ୍ମରେ ରହିଛି ଭରପୂର କମେଡ଼ି । ପ୍ରିମିୟରରେ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ଜଣାଶୁଣା ବ୍ୟକ୍ତି ଏହାକୁ ଦେଖିଥିଲେ ।

ରଜକୁ ଫିକା କରିବ ଗୁଳୁଗୁଳି, ନାହିଁ ବର୍ଷାର ସମ୍ଭାବନା

ଭୁବନେଶ୍ବର: ଏଥର ଗରମ ଗୁଳୁଗୁଳିରେ କଟିବ ରଜ । ରଜରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଜାରି ରହିବା ନେଇ ସତର୍କତା ଜାରି କରାଯାଇଛି । ରଜ ପୂର୍ବରୁ ସକ୍ରିୟ ହେବନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ୮ରେ ମୌସୁମୀ ଓଡିଶା ଛୁଇଁଥିଲେ ବି ଆଗକୁ ଅଗ୍ରସର ହୋଇ ପାରିଲାନି । ଏବେ ମାତ୍ର ଦୁଇ ଜିଲ୍ଲା କୋରାପୁଟ ଓ ମାଲକାନଗିରିକୁ ଛୁଇଁଛି ମୌସୁମୀ । ୩ରୁ ୪ ଦିନ ମଧ୍ୟରେ ହିଁ ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି । ଅନ୍ଯପଟେ ଜୁନ୍ ୧ ତାରିଖରୁ ଆଜି ଯାଏଁ ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ।

ତେବେ କାଁ ଭାଁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତଥାପି ତାତିବ ପଶ୍ଚିମ ଓଡ଼ିଶା । ଶୁକ୍ରବାର ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୪ରୁ ୧୭ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ସତର୍କ କରାଯାଇଛି । ୩ରୁ ୪ ଦିନ ମଧ୍ୟରେ ଆଗକୁ ବଢିବ ମୌସୁମୀ । ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ଭରଣା କରିବା ଆଶା କରାଯାଇଛି । ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳୁଗୁଳୁରି ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଓ ବୌଦ୍ଧକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାକୁ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ବଢିବାକୁ ବଳ ପାଉନି । ଏବେ ଦୁଇଟି ଜିଲ୍ଲା କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଟକି ଯାଇଛି ମୌସୁମୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ବର୍ଷା ବଢିବା ସହ ମୌସୁମୀ ଆଗକୁ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୦.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୬୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ବର୍ଷାଠାରୁ ୨୮ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ପରିବେଶ ସୁରକ୍ଷା ଚିନ୍ତା: ୫ ବର୍ଷ ହେଲା ହେନ୍ତାଳ ବଣ ସୃଷ୍ଟିରେ ଲାଗିଛନ୍ତି କ୍ଲବ ପିଲା

ପାରାଦୀପ: ଜନସଂଖ୍ଯା ବୃଦ୍ଧି ସହ ବଢୁଛି ଗାଡ଼ି ମୋଟର । ଆଧୁନିକତାର ସ୍ପର୍ଶରେ ଧ୍ବଂସ ହେଉଛି ଜଙ୍ଗଲ । ନଷ୍ଟ ହେଉଛି ପରିବେଷ, ପ୍ରଭାବିତ ହେଉଛି ଋତୁଚକ୍ର । ପରିବେଷ ପ୍ରଦୂଷଣ ଓ ଜଙ୍ଗଲ ଅଭାବରୁ ବୃଦ୍ଧି ପାଉଛି ପ୍ରାକୃତିକ ବିପର୍ଯ୍ଯୟ । ପ୍ରବଳ ଖରା ଓ ଗୁଳୁଗୁଳିରେ ଆକ୍ତାମାକ୍ତା ଜନଜୀବନ । ବନ୍ଦର ନଗରୀ ପାରାଦୀପରେ ମଧ୍ଯ ଦେଖିବାକୁ ମିଳିଛି ଏହାର ପ୍ରଭାବ । ଦିନେ ଉପକୂଳର ରକ୍ଷା କବଚ ସାଜିଥିଲା ଏଠାକାର ହେନ୍ତାଳ ବଣ । ଏବେ ସେହି ସ୍ଥାନରେ ଠିଆ ହୋଇଛି ସୁଉଚ୍ଚ ଅଟ୍ଟାଳିକା ଓ ବଡ଼ବଡ଼ କଳକାରଖାନା । ଫଳରେ ଉପକୂଳ ଅଞ୍ଚଳରେ ବଢୁଛି ଭୟ । ତେବେ ପରିବେଶ ସନ୍ତୁଳନ ପାଇଁ ଅଣ୍ଟା ଭିଡ଼ିଛି ନୀଳଚକ୍ର ୟୁଥ କ୍ଲବ । ୫ ବର୍ଷ ହେଲା ମହାନଦୀ, କାଉଡିଆ ନଦୀ ଓ ସମୁଦ୍ର କୂଳରେ ହେନ୍ତାଳ ଜଙ୍ଗଲ ସୃଷ୍ଟି ପାଇଁ ଚଲାଇଛି ପ୍ରୟାସ । ସ୍ଥାନୀୟ ମହିଳା, ଛାତ୍ରଛାତ୍ରୀଙ୍କୁ ଏହି ଅଭିଯାନରେ କରାଯାଉଛି ସାମିଲ ।

ମୁଖ୍ୟତଃ ରାଇ, ଗରଣୀ, ସୁନ୍ଦରୀ, ଶିଶୁମର, ଗୁଆଁ, ସିନ୍ଦୁକା, ହେନ୍ତାଳ, ସିଙ୍ଗାଳବହ୍ନୀ, ବଣଗୁଆ, ପିତାମାରି, ଲଟି ସୁନ୍ଦରୀ, ବହ୍ନୀ, ହରକଞ୍ଚ, ରୁଆ, ହବାଳି, ଗେରୁଆ, ଧଅ, ଢମଣା ପ୍ରଭୃତି ୨୬ ପ୍ରଜାତିର ଗଛ ଓ ଲତା ସମିଶ୍ରିତ ହେଉଛି ଲୁଣା ଜଙ୍ଗଲ । ମୃତ୍ତିକା କ୍ଷୟକୁ ରୋକିବା ସହ ଜଳଜୀବଙ୍କ ପ୍ରଜନନ ସ୍ଥଳୀ । ଏହା ଅନ୍ୟ ଗଛ ତୁଳନାରେ ଦିନ ଏବଂ ରାତିରେ ମଧ୍ଯ ୮୦ ଭାଗ ଅଧିକ ଅମ୍ଳଜାନ ପ୍ରଦାନ କରେ । ଏହି ଜଙ୍ଗଲ ଧ୍ବଂସ ହେବା ଦ୍ବାରା ଜୀବଚକ୍ର ଓ ଋତୁଚକ୍ର ପ୍ରଭାବିତ ହେଉଛି ।

ଏବେ ପାରାଦୀପର ଅଠରବାଙ୍କୀଠାରୁ ନେହେରୁ ବଙ୍ଗଳା ଯିବା ରାସ୍ତାର ବାମ ପଟ କାଉଡିଆ ନଦୀରେ ୫ କିଲୋମିଟର ପର୍ଯ୍ୟନ୍ତ ହେନ୍ତାଳ ଜଙ୍ଗଲ ଦେଖିବାକୁ ମିଳୁଛି । ଏହାକୁ ବୃଦ୍ଧି କରିବା ପାଇଁ କ୍ଲବ ପକ୍ଷରୁ ପ୍ରୟାସ କରାଯାଉଛି । କ୍ଲବର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ସାଲେପୁରରେ ଜୋରସୋରରେ ଚାଲିଛି ରଜ ପ୍ରସ୍ତୁତି, ଆଜି ସଜେଇ ହୋଇଛନ୍ତି ଗାଁର କୁଆଁରୀ

ସାଲେପୁର: ରାତି ପାହିଲେ ରଜ୍ । ଆଜି ସଜବାଜ । ଜୋରସୋରରେ ଚାଲିଛି ରଜ ପ୍ରସ୍ତୁତି । ଗାଁଠୁ ସହର ସବୁଠି ଓଡ଼ିଶାର ଏହି ଗଣପର୍ବକୁ ନେଉ ଉତ୍ସାହ । କଟକ ଜିଲ୍ଲା ସାଲେପୁର ବଟେଶ୍ଵର ଗାଁରେ ଆରମ୍ଭ ହୋଇଯାଇଛି ରଜ ପ୍ରସ୍ତୁତି । ରଜ ପୂର୍ବରୁ ସମସ୍ତେ ସଜବାଜରେ ମସଗୁଲ ।

କଟକ ଜିଲ୍ଲା ସାଲେପୁର ବ୍ଲକ ଚିତ୍ରୋତ୍ପଳା ନଦୀ କୂଳରେ ମାଆ ଭଗବତୀଙ୍କ ପିଣ୍ଡିରେ ସଜବାଜ ପାଇଁ ଏକାଠି ହୋଇଛନ୍ତି କୁମାରୀ । କୁଙ୍କୁମ, ଅଳତା ଲଗାଇ ସଜବାଜ ହେଉଛନ୍ତି କୁଆଁରୀ । କିଏ ମେହେନ୍ଦି ଲଗାଉଛନ୍ତି ତ କିଏ ମଥାରେ ଚିତା ଲଗାଇ ସଜେଇ ହେଉଛନ୍ତି । ରଜ ପାଇଁ ସମସ୍ତେ ସଜବାଜରେ ମସଗୁଲ । କାଲି ପହିଲି ରଜରେ ଝିଅମାନେ ନୂଆ ଡ୍ରେସ ପିନ୍ଧିବା ସହିତ ପିଠାପଣା ଖାଇ ମଜା କରିବେ ବୋଲି କହିଛନ୍ତି ।

ଗାଁରେ ଦୋଳି ବନ୍ଧା ସରିଛି । ରଜ ଖଳା ବି ପ୍ରସ୍ତୁତ । ଗାଁରେ ପିଲାଠାରୁ ବୟସ୍କ ପର୍ଯ୍ଯନ୍ତ ଲାଗି ପଡିଛନ୍ତି ରଜ ପ୍ରସ୍ତୁତିରେ । ଗାଁ ପିଲାମାନେ ତାସପାଲି, କ୍ଯାରମ, ଲୁଡୁ ଖେଳୁଥିବାର ଦେଖିବାକୁ ମିଳୁଛି । ସେହିପରି ବୟସ୍କମାନେ ମଧ୍ଯ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଯିଏ ଯେଉଁଠି ଥିଲେ ମଧ୍ଯ ରଜ ତିନିଦିନ ଖୁବ ସୁନ୍ଦର ଭାବେ ଉପଭୋଗ କରିବା ପାଇଁ ଗାଁକୁ ଫେରିଛନ୍ତି ।

ମୁକେଶ ଅମ୍ବାନିଙ୍କ ଘରେ ସ୍ଥାନ ପାଇବ ଓଡ଼ିଶାର ତାଳ ଗଛ

ଭୁବନେଶ୍ବର: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଘରେ ସ୍ଥାନ ପାଇବ ପୁରୀ ଜିଲ୍ଲା ସତ୍ଯବାଦୀ ଅଞ୍ଚଳର ତାଳ ଗଛ । ଏତେ ବଡ଼ ତାଳ ଗଛ କେମିତି ଘରେ ରଖିବେ ଅମ୍ବାନି ? ଏଠାରୁ କେମିତି ମୁମ୍ବାଇ ଯିବ ଏହି ତାଳ ଗଛ ? ଏହାର ବିଶେଷତ୍ବ କ’ଣ, ତାକୁ ନେଇ ଦେଖନ୍ତୁ ରିପୋର୍ଟ ।

ସୂଚନାଯୋଗ୍ୟ, ଅମ୍ବାନିଙ୍କ ଘରେ ସ୍ଥାନ ପାଇବାକୁ ଯାଉଥିବା ଓଡ଼ିଶାର ତାଳ ଗଛ ସତସତିକା ନୁହେଁ । କତା, ସୂତା ଓ ଅଠାରେ ତିଆରି କରାଯାଇଛି ଏହି ଆକର୍ଷଣୀୟ ତାଳ ଗଛ । ନିଜ ହାତରେ ଏହି ଆକର୍ଷଣୀୟ ତାଳ ଗଛ ତିଆରି କରିଛନ୍ତି ସତ୍ଯବାଦୀ ବ୍ଲକ ବିଶ୍ଵନାଥପୁର ଗାଁର ଡଲି ଦାସ । ନିଜର ସହଯୋଗୀଙ୍କ ସହିତ ମିଶି ସେ ଏହି ଯାଦୁ ଦେଖାଇ ପାରିଛନ୍ତି । ୬ ମାସ ହେଲା ଏହି କାମରେ ମାତିଛନ୍ତି ଡଲି । ନିଜର ସବୁ କାରିଗରୀ ଦକ୍ଷତା ଏହି ତାଳ ଗଛରେ ସେ ଢାଳି ଦେଇଛନ୍ତି । କାରଣ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଡ୍ରଇଂ ରୁମରେ ଏହା ସ୍ଥାନ ପାଇବାକୁ ଯାଉଛି । ଏହି ତାଳ ଗଛ ପାଇଁ ଡଲିଙ୍କୁ ଅର୍ଡର ଦେଇଥିଲେ ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନି । ତେଣୁ ଦିନ ରାତି ଏକ କରି ସେ କାମରେ ଲାଗିଛନ୍ତି । ଆଉ ଅଳ୍ପ ଦିନ ପରେ ତାଳ ଗଛଟି ସଂପୂର୍ଣ୍ଣ  ହୋଇଯିବ ।

୨୦୨୩ ଡିସେମ୍ବରରେ ଭୁବନେଶ୍ଵରର ତୋଷାଳି ମେଳାରେ ଡଲିଙ୍କ ଏକ କଳାକୃତି ଦେଖିଥିଲେ ନୀତା ଅମ୍ବାନି । ଡଲିଙ୍କ କାମ ତାଙ୍କୁ ଏତେ ଅବିଭୂତ କରିଥିଲା ଯେ, ତାଙ୍କ ପାଇଁ ତାଳ ଗଛ ନିର୍ମାଣ କରିବାକୁ ସେ ବରାଦ କରିଥିଲେ । ଏହି ଅର୍ଡର ପାଇ ଡଲିଙ୍କ ଖୁସି କହିଲେ ନ ସରେ । ଦେଶର ସବୁଠୁ ଧନୀ ବ୍ଯକ୍ତିଙ୍କ ଘରେ ସ୍ଥାନ ପାଇବ ତାଙ୍କ ହାତରେ ତିଆରି କତା, ସୂତାର ତାଳ ଗଛ । ଏଥିପାଇଁ ସେ ମନ ପ୍ରାଣ ଲଗାଇ କାମ କରୁଛନ୍ତି ।

ବହୁ ଦିନରୁ ଏପରି କତାରେ ଅନେକ ଆକର୍ଷଣୀୟ ସାମଗ୍ରୀ ତିଆରି କରୁଛନ୍ତି ଡଲି । କତା, ସୂତା, ଅଠାରେ କେମିତି ସୌକିନ ସାମଗ୍ରୀ ତିଆରି କରାଯାଇପାରିବ, ଅନ୍ଯମାନଙ୍କୁ ସେ ଏହି ବିଦ୍ଯା ବି ଶିଖାଉଛନ୍ତି । ତାଙ୍କର ଭଲ ରୋଜଗାର ବି ହେଉଛି । ମିଳୁଛି ଅନଲାଇନ୍ ଅର୍ଡର ।

କୋଟିଏ ଟଙ୍କାର ହୀରା ପାଇଁ କନଷ୍ଟେବଳ ଶଙ୍କରକୁ କରାଯାଇଥିଲା ହତ୍ୟା

ବଲାଙ୍ଗୀର: ସୋନପୁର ରିଜର୍ଭ କନଷ୍ଟେବଳ ଶଙ୍କର ଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ । କୋଟିଏ ଟଙ୍କାର ହୀରା ପାଇଁ ଶଙ୍କରଙ୍କୁ ଯୋଜନାବଦ୍ଧ ଭାବେ ହୋଟେଲକୁ ଡାକି ହତ୍ୟା କରାଯାଇଥିବା କହିଛି ବଲାଙ୍ଗୀର ପୋଲିସ । ଏଥିରେ ୮ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି । ଏକ ପ୍ରେସମିଟରେ ଏହି ଖୁଲାସା କରିଛନ୍ତି ବଲାଙ୍ଗୀର ଏସ୍‌ପି ରିଷିକେଶ ଖିଲାରୀ ।

ରିଷିକେଶ କହିଛନ୍ତି, ‘ଘଟଣାରେ ୪ ଅଭିଯୁକ୍ତ ରାଜ୍ୟ ବାହାରର ଥିବାବେଳେ ୪ ଜଣ ଓଡ଼ିଶାର । ଦୀର୍ଘ ବର୍ଷ ଧରି ବଲାଙ୍ଗୀରରୁ ସୁରତକୁ ଚାଲିଥିଲା ବେଆଇନ ହୀରା ଓ ରତ୍ନ ପଥର କାରବାର । ରେଳ ଷ୍ଟେସନ ଛକରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥରେ ହେଉଥିଲା ଡିଲ । ଜାଲ ପରିଚୟପତ୍ର ଦେଇ ହୋଟେଲ ରୁମ ବୁକ କରୁଥିଲେ । ବୀରେନ ସିଂହ ନାମରେ ଜାଲ ପରିଚୟ ପତ୍ର ତିଆରି କରି ଘଟାଇଥିଲେ ହତ୍ୟାକାଣ୍ଡ । ବିହାର, କଲିକତା ଓ ପଞ୍ଜାବର କୁଖ୍ୟାତ ରତ୍ନପଥର ବ୍ୟବସାୟୀ ରଚିଥିଲା ଷଡଯନ୍ତ୍ର । ଟଙ୍କା ଲୋଭରେ ସେମାନଙ୍କୁ ସହଯୋଗ ଦେଇଥିଲେ ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରର ୪ ଅଭିଯୁକ୍ତ ।’

ଟାଉନ୍ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର୍ ଅଛନ୍ତି । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ କୋଡ଼ମା ଜିଲ୍ଲାର ପଙ୍କଜ କୁମାର ଓ ସୂରଜ ବନାରୱାଲ, ଅନୁଗୁଳ ଆଠମଲ୍ଲିକର କୃଷ୍ଣ ମେହେର, ବୌଦ୍ଧ ଇଚ୍ଛାପୁରର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲା ନନ୍ଦନମାଲର ନିତାଇ କର ଏବଂ ବଲାଙ୍ଗୀର ପାଟଣାଗଡ଼ ବରପଦର ଗାଁର ରୋହିତ ସା । ଗତ ୧୭ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ରାସ୍ତା ଇନ୍ଦ୍ରପ୍ରସ୍ତ ହୋଟେଲରେ ଘଟିଥିଲା ହତ୍ୟାକାଣ୍ଡ । ରୁମ ନଂ ୨୧୨ରେ ନିର୍ମମ ଭାବେ ଶଙ୍କରକୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ ଅଭିଯୁକ୍ତ ।

ହାତଗୋଡ ବନ୍ଧା ଅବସ୍ଥାରେ ବାଥରୁମରୁ ମୃତଦେହ ଉଦ୍ଧାର କରିଥିଲା ଟାଉନ୍ ଥାନା ପୋଲିସ । ଗତ ୧୬ ତାରିଖ ଦିନ ବିରେନ୍ ସିଂ ନାମକ ଜଣେ ବ୍ୟକ୍ତି ନାଁରେ ହୋଟେଲ ରୁମ ବୁକ ହୋଇଥିଲା । ଅଭିଯୁକ୍ତଙ୍କୁ ଭେଟିବାକୁ ଯାଇ ହତ୍ୟାର ଶିକାର ହୋଇଥିଲେ ପୋଲିସ କନଷ୍ଟେବଳ ଶଙ୍କର । ମୁଖ୍ୟ ଅଭିଯୁକ୍ତ ବିରେନ ସିଂଙ୍କ ଘର ବାସେପୁର ଧନବାଦ ଜିଲ୍ଲାରେ । ହୋଟେଲ ରେଜିଷ୍ଟରରେ ଉଲ୍ଲେଖ ରହିଥିଲା ବିରେନ ସିଂଙ୍କ ନାଁ ।

୧୬ ତାରିଖରେ କନଷ୍ଟେବଳ ଶଙ୍କରକୁ ଏମାନେ ହତ୍ୟା କରିବା ପରେ ତାଙ୍କ କାରକୁ ଖୁଜେନପାଲି ରେଳ ଫାଟକ ନିକଟରେ ଦୁର୍ଘଟଣା କରାଯାଇଥିଲା । ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର୍ ଯାଇଥିଲେ ଅଭିଯୁକ୍ତ । ୧୭ ତାରିଖରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଂଚି ଛାନଭିନ ଆରମ୍ଭ କରିଥିଲେ । ରାଜ୍ୟ ବାହାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଏକାଧିକ କାରକୁ ଧକ୍କା ଦେଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସିରିଜ ଦୁର୍ଘଟଣା । ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏକାଧିକ କାରକୁ ଧକ୍କା ଦେଇଥିବା ଜଣାପଡିଛି ।

ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଏକାଧିକ କାରକୁ ଧକ୍କା ଦେଇଛି । ଫଳରେ ୫ ଜଣ ଆଡତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପଳାଶୁଣି ଛକରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ପଳାଶୁରି ଛକରେ ରାସ୍ତାରୋକ କରିଛନ୍ତି ।

ମଞ୍ଚେଶ୍ବର ଥାନା ପୋଲିସ ଦୁର୍ଘଟଣା ଘଟଣା ଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବୀନ ନିବାସରେ ବିଜେଡି ନେତା, ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା

ଭୁବନେଶ୍ବର: ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଉଷା ଦେବୀ ନବୀନ ନିବାସ ଯାଇ ନବୀନଙ୍କ ସାକ୍ଷାତ କରିଛନ୍ତି ।

ଏହି ସାକ୍ଷାତକାର ବେଳେ ସାଙ୍ଗଠନୀକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିବା କହିଛନ୍ତି ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ । ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରାଯାଇ ନଥିବା କହିଛନ୍ତି ଉଷା ଦେବୀ । ରଘୁ ମହାନ୍ତି ଓ ରାଜାଶ୍ରୀ ମହାନ୍ତି ବି ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଛନ୍ତି ।

ଏଟିଏମରୁ ଟଙ୍କା ଉଠାଇଲେ ଲାଗିବ ଅଧିକ ଚାର୍ଜ !

ଭୁବନେଶ୍ବର: ଆପଣ ଏଟିଏମ ବ୍ୟବହାର କରୁଛନ୍ତି କି ? ଯଦି କରୁଥିବେ ତେବେ ଟଙ୍କା ବି ଉଠାଉ ଥିବେ ? ହୋଇପାରେ ଆପଣ ପରବର୍ତ୍ତୀ ଟ୍ରାଞ୍ଜାକ୍ସନରେ ଲାଗିପାରେ ଅଧିକ ଟ୍ୟାକ୍ସ । କାରଣ ଏଟିଏମ୍ ଅପରେଟର କ୍ୟାସ ବାହାର କରିବା ପାଇଁ ଇଣ୍ଟରଚେଞ୍ଜ ଫିସ୍ ବଢ଼ାଇବାକୁ ଦାବି କରୁଛନ୍ତି । ଆରବିଆଇ ପାଖରେ ସେମାନେ ଏମିତି ଦାବି କରିଛନ୍ତି । ବର୍ତ୍ତମାନ ଏଟିଏମରୁ ଟଙ୍କା ଉଠାଇବା ପାଇଁ ୧୫ରୁ ୧୭ ଟଙ୍କା ଚାର୍ଜ ଦେବାକୁ ପଡୁଥିଲା । ଯଦି ଏଟିଏମ ଅପରେଟଙ୍କ ଦାବି ଗ୍ରହଣ କରାଯାଏ, ତେବେ ଗ୍ରାହକଙ୍କୁ ୨୩ ଟଙ୍କା ପର୍ଯ୍ୟନ୍ତ ଅଧିକ ଶୁଳ୍କ ଦେବାକୁ ପଡିପାରେ ।

ସିଏଟିଏମଆଇ ପ୍ରତି ଟ୍ରାଞ୍ଜାକ୍ସରେ ୨୩ ଟଙ୍କା ବଢ଼ାଇବାକୁ ଦାବି କରୁଛି । ବ୍ୟବସାୟକୁ ସୂଚାରୁ ରୂପେ ସମ୍ପାଦନ କରିପାରିପାଇଁ ଫଣ୍ଡିଂ ଯୋଗାଡ଼ କରିବା ପାଇଁ ସେମାନେ ଏମିତି ଦାବି କରିଛନ୍ତି ।

ଏଜିଏସ ଟ୍ରାଞ୍ଜାକ୍ଟ ଟେକ୍ନୋଲଜିର ଏକଜିକ୍ୟୁଟିଭ ଡାଇରେକ୍ଟର ଷ୍ଟେନଲି ଜନସନ କହିଛନ୍ତି, ‘ଦୁଇ ବର୍ଷ ପୂର୍ବରୁ ଈଣ୍ଟରଚେଞ୍ଜ ରେଟ ବଢ଼ାଯାଇଥିଲା । ଆମେ ଆରବିଆଇ ସହ ଏନେଇ ଆଲୋଚନା କରୁଛୁ । ବ୍ୟାଙ୍କ ଆମ କଥାକୁ ଗୁରୁତ୍ବ ଦେଇଥିବା ଜଣାପଡୁଛି । ସିଏଟିଏମଆଇ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ବଢ଼ାଇବାକୁ ଦାବି କରିଛି । ତେବେ ଅନ୍ୟ କିଛି ଏଟିଏମ ପ୍ରସ୍ତୁତ କରୁଥିବା କମ୍ପାନୀ ଏହାକୁ ୨୩ ଟଙ୍କା କରିବାକୁ ଦାବି କରୁଛନ୍ତି ।’

କେଉଁ ପ୍ରକାର ଟ୍ରାଞ୍ଜାକ୍ସନରେ ଏହି ଫିସ୍ ଲାଗିଥାଏ ?

ଏହି ଫିସ୍ କାର୍ଡ ଦେଇଥିବା ବ୍ୟାଙ୍କକୁ ଯାଇଥାଏ । ଗ୍ରାହକଙ୍କୁ ଚାର୍ଜ କରାଯାଉଥିବା ଫିସ୍ ୨୦ରୁ ୨୧ ଟଙ୍କା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଡ ବଡ଼ ବ୍ୟାଙ୍କ ଦେଶର ୬ଟି ସହରରେ ସେଭିଂ ଆକାଉଣ୍ଟ ଥିବା ଗଅାହକଙ୍କୁ ପ୍ରତିମାସ ୫ଟି ଫ୍ରି ଟ୍ରାଞ୍ଜାକ୍ସନ ଦେଉଛନ୍ତି । ଏହି ସହର ଗୁଡିକ ହେଲା ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ନୂଆଦିଲ୍ଲୀ । ଅନ୍ୟ ବ୍ୟାଙ୍କ ଏଟିଏମରେ ପ୍ରତିମାସ ୩ଟି ଫ୍ରି ଟ୍ରାଞ୍ଜାକ୍ସନ ଦିଆଯାଉଛି ।

କେଉଁ ବ୍ୟାଙ୍କରେ କେତେ ଟଙ୍କା ଚାର୍ଜ ଲାଗୁଛି ?

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଖରୁ ପ୍ରତି ଟ୍ରାଞ୍ଜାକ୍ସନରେ ୧୦ ଟଙ୍କା ସହ ଜିଏସଟି ନେଉଛି । ଅନ୍ୟ ବ୍ୟାଙ୍କ କାର୍ଡ ଟ୍ରାଞ୍ଜାକ୍ସନ ଉପରେ ୨୦ ଟଙ୍କା ଓ ଜିଏସଟି ନେଉଛି । ଆଇସିଆଇସିଆଇ ବ୍ୟାଙ୍କ ପ୍ରତି ମାସ ୫ଟି ଟ୍ରାଞ୍ଜାକ୍ସନ ମାଗଣାରେ ଦେଉଛି । ଏହାବାଦ ପ୍ରତି ନନ୍-ଫାଇନାନସିଆଲ ଟ୍ରାଞ୍ଜାକ୍ସନ ପାଇଁ ୮ ଟଙ୍କା ୫୦ ପଇସା ନେଉଛି । ଏହାସହ ଫାଇନାନସିଆଲ ଟ୍ରାଞ୍ଜାକ୍ସନ ଉପରେ ୨୦ ଟଙ୍କା ଚାର୍ଜ ଲଗାଉଛି । ନିଜ ଏଟିଏମ ବାଦ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କଲେ ପ୍ରତି ଟ୍ରାଞ୍ଜାକ୍ସନରେ ୨୦ ଟଙ୍କା ନେଉଛି ।

ସେହିପରି ଏଚଡିଏଫସି ବ୍ୟାଙ୍କ ମଧ୍ୟ ଫ୍ରି ଟ୍ରାଞ୍ଜାକ୍ସନ ଦେଉଛି । ଏହାବାଦ ପ୍ରତି ଟ୍ରାଞ୍ଜାକ୍ସନରେ ୨୧ ଟଙ୍କା ସହ ଟ୍ୟାକ୍ସ କାଟୁଛି । ଅନ୍ୟ ବ୍ୟାଙ୍କ ଏଟିଏମରେ ଟ୍ରାଞ୍ଜାକ୍ସନ ପାଇଁ ମଧ୍ୟ ସମାନ ଟଙ୍କା ଲାଗୁଛି । ଏକ୍ସେସ୍ ମଧ୍ୟ ଏଚଡିଏଫସି ପରି ସମାନ ଟଙ୍କା ନେଉଛି ।

ଅଜଣା ରୋଗରେ ୫ ଜଣଙ୍କ ମୃତ୍ୟୁ ଘଟଣା, ସ୍ଥିତି ଅନୁଧ୍ୟାନ ପାଇଁ ଗଲା ୭ ଜଣିଆ ଟିମ୍

କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ଘଟଣା । ସ୍ଥିତି ଅନୁଧ୍ୟାନ ପାଇଁ ବାହାରିଲା ସାତ ଜଣିଆ ଟିମ । ଟିମରେ ଅତିରିକ୍ତ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର, କୋରାପୁଟ ମେଡିକାଲ କଲେଜର ୫ ଜଣ ବରିଷ୍ଠ ଡାକ୍ତରଙ୍କ ସହ ରାୟଗଡାର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି । ସ୍ବତନ୍ତ୍ରି ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ଗାଁକୁ ଯାଇ ଅନୁଧ୍ଯାନ କରିଛନ୍ତି ।

ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଥିବାବେଳେ ୪ ଜଣ ଶିଶୁ ଓ ଜଣେ ବୃଦ୍ଧା ଏବେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ବିଶେଷ କରି ଏହି ରୋଗରେ ଶିଶୁ ଓ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଛି । ଡିପଥେରିଆ ରୋଗ ବ୍ଯାପିଥିବା ଆଶଙ୍କା କରାଯାଉଛି । ଏହି ଟିମ ରୋଗର କାରଣ ଖୋଜିବା ସହ ନିରାକରଣ ପାଇଁ ବ୍ଯବସ୍ଥା କରୁଛି ।

ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା ନେଇ ଅନୁଧ୍ୟାନ କରିଥିଲେ । ରୋଗ ପଡୋଶୀ ଗାଁକୁ ବ୍ୟାପିବା ଆଶଙ୍କା ଥିବାରୁ ନିରାକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ।