ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ରକ୍ତମୁଖା କଂଗ୍ରେସ । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡିର ସୁଦର୍ଶନପୁର ପଞ୍ଚାୟତର ପର୍ଯ୍ୟବେକ୍ଷକ ଗୌତମ ସେଠୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ସୁଦର୍ଶନପୁର ପଞ୍ଚାୟତର ପର୍ଯ୍ଯବେକ୍ଷକ ଭାବେ ପୂର୍ବତନ ସରପଞ୍ଚ ଗୌତମ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସନ୍ଧ୍ୟାରେ ଛଅ ନମ୍ବର ୱାର୍ଡରେ ବୈଠକ ସାରି ସେ ଫେରୁଥିବାବେଳେ କିଛି କଂଗ୍ରେସ କର୍ମୀ ଲୁହା ରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଆସିଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୌତମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାସୁଦେବପୁର ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ମେଡିକାଲରେ ତାଙ୍କ ସ୍ବାସ୍ଥ୍ଯବସ୍ଥା ପଚାରି ବୁଝିଛନ୍ତି ।
ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ
ପାଟପୁର: ଇଟାଭାଟିରେ କାମ କରୁଥିବା ସମୟରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ। ପାଟପୁର ଥାନା ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ SBI ଚିମିଲିରେ ଘଟିଛି ଏପରି ଅଘଟଣ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଖୁଲୁଡ଼ି ଗ୍ରାମର ୬୦ ବର୍ଷୀୟ ବୃଦ୍ଧା ସୁଲଭ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଳଧିଆ ଗ୍ରାମର ସରସ୍ପତି ନାମକ ମହିଳାଙ୍କର ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଖବର ପାଇ ପାଟପୁର ପୋଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଇଟା ଭାଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବିଦେଶରୁ ଫେରିଲେନି ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ରେବନ୍ନା
ନୂଆଦିଲ୍ଲୀ: ବିଦେଶରୁ ଫେରିଲେନି ଅଶ୍ଳୀଳ ଭିଡିଓ ମାମଲାର ଅଭିଯୁକ୍ତ ପ୍ରଜ୍ବଳ ରେବନ୍ନା। ଜର୍ମାନୀ ଫ୍ରାଙ୍କଫର୍ଟରୁ ବେଙ୍ଗାଳୁରୁ ଫେରିବାର କାର୍ଯ୍ୟକ୍ରମ ଥିବା ସତ୍ତ୍ବେ ସେ ଫେରିନାହାନ୍ତି। ସେ ଫ୍ରାଙ୍କଫର୍ଟରୁ ଦୁବାଇ ଚାଲିଯାଇଥିବା ସୂଚନା ମିଳିଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ପୁଣି ବଢିଛି ରାଜନୀତି। ତେଣେ ମହୀଶୂରରେ ଜଣେ ମହିଳା ନିଖୋଜ ହୋଇଯିବା ପରେ ପ୍ରଜ୍ବଳଙ୍କ ବିରୋଧରେ ଦାୟର ହୋଇଛି ଏକ ଅପହରଣ ମାମଲା।
ଖାଲି ଏତିକି କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ପ୍ରଜ୍ବଳ ଯେଉଁଠି ଥିଲେ ବି ତାଙ୍କୁ ଧରାଯିବ। ସିଆରପିସିର ଧାରା ୪୧-ଏ ଅନୁସାରେ ଏସଆଇଟି ନୋଟିସର ୨୪ ଘଣ୍ଟା ମଧ୍ୟରେ ହାଜର ହେବାର ନିୟମ ରହିଛି । ସେପଟେ ଏହି ମାମଲାରେ ସିଦ୍ଦରମୈୟା ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ବର । ଦୋଷୀକୁ ସୁରକ୍ଷା ଦେବାର କୌଣସି ଅଭିପ୍ରାୟ ନାହିଁ ବୋଲି ସେ କହିଥିଲେ ।
ଏହି ମାମଲାରେ କେବଳ ପ୍ରଜ୍ବଳ ନୁହନ୍ତି ତାଙ୍କ ବାପା ତଥା ଜେଡିଏସ ବିଧାୟକ ଏଚ.ଡି. ରେବନ୍ନାଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଏହି ମାମଲାରେ ଉଭୟ ବାପା-ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ, ୩୫୪-ଡି, ୫୦୬, ୬୦୯ ଅନୁସାରେ ମାମଲା ରୁଜୁ କରିଛି । ଏହି ବହୁଚର୍ଚ୍ଚିତ ମାମଲା ଲୋକଲୋଚନକୁ ଆସିବା ପୂର୍ବରୁ ଗତ ଏପ୍ରିଲ ୨୬ରେ ସରିଥିଲା ଲୋକସଭା ନିର୍ବାଚନ। ହାସନ ଆସନରୁ ପୁଣି ଥରେ ପ୍ରାର୍ଥୀ ଅଛନ୍ତି ଜେଡିଏସ-ବିଜେପି ମେଣ୍ଟର ପ୍ରଜ୍ବଳ ରେବନ୍ନା।
ଆଧୁନିକତାର ଚାକଚକ୍ୟରେ ହଜିବାକୁ ବସିଲାଣି ଲୋକକଳା ପାଲା
ବାସୁଦେବପୁର: ଲୋକକଳା ପାଲା ହେଉଛି ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସର୍ବ ପୁରାତନ ଝଲକ । ସାମାଜିକ ସଚେତନତାର ମାଧ୍ୟମ । ଆଧୁନିକତାର ଚାକଚକ୍ୟରେ ହଜି ଯିବାକୁ ବସିଲାଣି ଲୋକକଳା ପାଲା। ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ।
ହାତରେ ପାରମ୍ପରିକ ବାଦ୍ଯ। ମନରେ ଭରି ରହିଛି ଉତ୍ସାହ । ମୁଣ୍ଡଫଟା ଖରାକୁ ଭୃକ୍ଷେପ ନ କରି ଦେଖାଇ ଚାଲିଛନ୍ତି କଳାକୌଶଳ। ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରସନ୍ନ ବାସୁଦେବ ପାଲା ମଣ୍ଡଳର ବାର୍ଷିକ ସମାରୋହ। ଲୋକଙ୍କୁ ପାଲା ପ୍ରତି ଆକୃଷ୍ଟ କରିବାକୁ ଜାରି ରହିଛି ଅଭିନବ ପ୍ରୟାସ।
ବାସୁଦେବପୁର ପୌରପାଳିକାର ନୀଳମଣି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଛି ପାଲା ମହୋତ୍ସବ। ଦଳ ଦଳ କରି କରୁଛନ୍ତି ପାଲା ପରିବେଷଣ । ପାରମ୍ପରିକ ବାଦ୍ୟଯନ୍ତ୍ର ମୃଦଙ୍ଗ ଓ ଝାଞ୍ଜ ବଜାଇ କଳା ପ୍ରଦର୍ଶନ କରୁଛନ୍ତି ପାଲା କଳାକାର । ରଙ୍ଗ ବେରଙ୍ଗର ପୋଷାକରେ ସଜେଇ ହୋଇଛନ୍ତି ପାଳିଆ ଠାରୁ ଗାୟକ ପର୍ଯ୍ୟନ୍ତ । ବିଭିନ୍ନ ରାଗରେ ପରିବେଷଣ କରୁଛନ୍ତି ନୃତ୍ଯ ଗୀତ । ବାସୁଦେବପୁର ବ୍ଲକ ପ୍ରସନ ବାସୁଦେବ ପାଲା ମଣ୍ଡଳ ଅଧିନରେ ରହିଛି ୩୦ ଗୋଟି ପାଲା ଦଳ । ଲୋକକଳାକୁ ବଞ୍ଚାଇ ରଖିବାକୁ ପ୍ରତି ବର୍ଷ କରୁଛନ୍ତି ପାଲା ମହୋତ୍ସବ ।

