ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି। ଅଭିଯୋଗ କରିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା। ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଛନ୍ତି ୨୫ରେ ଭୋଟିଂ ଅଛି। ୨୪ ମେ ରାତିରେ ସେ ଖୋର୍ଦ୍ଧା ପୋଲିସ ଷ୍ଟେସନ, sdpo ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କୁ ଆକ୍ରମଣ କରିବେ l ଯେହେତୁ ପୋଲିସ ପ୍ରଶାସନ ମୋତେ ସହଯୋଗ କଲାନି ତେଣୁ ମୁଁ ଆକ୍ରମଣ କରିବି ବୋଲି ପ୍ରଶାନ୍ତ ଜଗଦେବ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି ମୁଁ ମୋ ଗୁଣ୍ଡାର ଆଖ୍ୟା ପାଇଁ ଗର୍ବିତ ଆଉ ଏସବୁରେ ବିଫଳ ହେଲେ ମୁଁ ନିର୍ବାଚନ କରାଇ ଦେବି ନାହିଁ ବୋଲି କହିଛନ୍ତି। ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା ବୋଲି ପୂର୍ବରୁ ବିଜୁ ଜନତା ଦଳ କହିଆସୁଛି l ପୂର୍ବରୁ ସେ ଜେଲ ଯାଇଛନ୍ତି ଆଉ ବେଲରେ ଆସିଛନ୍ତି l ତେଣୁ କିପରି ୨୫ ତାରିଖରେ ବିନା କୌଣସି ବ୍ୟଘାତରେ ଶୃଙ୍ଖଳିତ ଭାବେ ନିର୍ବାଚନ ହେବ ଏଥିପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେଡି ।
ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା : କାର୍ତ୍ତିକ ପାଣ୍ଡିଆନ
ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିନି ବର୍ଷ ପୂର୍ବରୁ ସରିଯାଇଥାନ୍ତା। ଏକାମ୍ର ପ୍ରକଳ୍ପ କାମ ମଧ୍ୟ ଦୁଇ ବର୍ଷ ଆଗରୁ ସରିବା କଥା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ କାମ ବିଳମ୍ବ ହେଲା। ତେଣୁ କେବଳ ବିଧାୟକଙ୍କୁ ଜିତାଇଲେ ହେବନି। ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇବାକୁ ପଡିବ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଘସିପୁରାରେ ପ୍ରଚାର ବେଳେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସାଂସଦ ଅଲଗା ଦଳ ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ। ନିର୍ବାଚନ ସମୟରେ ବିଜେପିର ବଡ ବଡ ନେତାମାନେ ଆସିବେ, ବହୁ ପ୍ରତିଶୃତି ଦେବେ । ସେମାନଙ୍କୁ ପଚାରନ୍ତୁ ୨୦୧୪ରେ ଦରଦାମ କମାଇବା, ପେଟ୍ରୋଲ ଡିଜେଲ ଦର ହ୍ରାସ, ଡାଲି ଦର ହ୍ରାସ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଯାଏଁ କାହିଁକି ପୂରଣ ହେଲାନି । ଏହା ହେଉଛି ବିଜେପିର ଅସଲ ଚେହେରା । ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ପରେ ଭୁଲିଯାଆନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ପରେ ଦେଖାମିଳନ୍ତି ନାହିଁ ବୋଲି ସେ କହିଛନ୍ତି । ଘଷିପୂରା ପୂର୍ବରୁ ତେଲକୋଇରେ ପ୍ରଚାର କରି ବିଜେଡିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ନିର୍ବାଚନ ପାଇଁ ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର । ଏନେଇ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ରାଜଧାନୀରେ କମିଶନରେଟ୍ ପୋଲିସ ଅଞ୍ଚଳରେ ମୋଟ ୧୧ ଶହ ୩୨ଟି ବୁଥରେ କଡ଼ା ସୁରକ୍ଷା ଭିତରେ ଭୋଟ ଗ୍ରହଣ କରାଯିବ। ଏହା ମଧ୍ୟରେ ୪୨୧ଟି ସଖୀ ବୁଥ ଥିବା ବେଳେ ୧୪୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫୨୫ଟି ବୁଥରେ ଓ୍ବେବ କାଷ୍ଟିଂ କରାଯିବ । ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୧୫ଟି ଫ୍ଲାଇଁ ସ୍କ୍ୱାଡ୍ ଓ ୧୫ଟି ଷ୍ଟ୍ରାଟେଜିକ ସର୍ଭେଲାନ୍ସ ଟିମ ପାଇଁତରା ମାରୁଛନ୍ତି I ନିର୍ବାଚନ ସମୟରେ ସମ୍ବେଦନଶୀଳ ବୁଥଗୁଡ଼ିକରେ CAPF ଯବାନ ମୁତୟନ ହେବେ । ୨୩ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବା ପରେ, ଚେକିଂକୁ ଆହୁରି ବଢ଼ାଇ ଦିଆଯିବ। ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା ପୋଲିସ କମିଶନର କହିଛନ୍ତି ।
୫ ବର୍ଷ ପରେ ବି ପ୍ରତିଶୃତି ଧୂଆଁବାଣ
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ଜଳମାର୍ଗରେ ସାମିଲ ହେବ ବ୍ରାହ୍ମଣୀ ନଦୀ । ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ବଢ଼ିବ ବ୍ୟବସାୟ। ଗତ ନିର୍ବାଚନ ପୂର୍ବରୁ ଏକ ସଭାରେ ଏ ପ୍ରତିଶୃତି ଦେଇଥିଲେ କେନ୍ଦ୍ର ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ। ୫ ବର୍ଷ ପରେ ବି ପ୍ରତିଶୃତି ଧୂଆଁବାଣ ହୋଇରହିଛି । ଦେଖିବା ଢେଙ୍କାନାଳରୁ ଆମର ଏକ୍ସକ୍ଲୁସିଭ ରିପୋର୍ଟ- କୁଆଡ଼େ ଗଲା ବ୍ରାହ୍ମଣୀ ଜଳପଥ ଯୋଜନା।
ମାଳମାଳ ମିଛ ପ୍ରତିଶୃତି । ମିଛର କୁହୁଡ଼ି ଘରେ ବସି ରାଜନୀତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ବାଚନ ବେଳେ ରାତାରାତି ଯୋଜନା । ନିର୍ବାଚନ ସରିଗଲେ ଯଥା ପୂର୍ବମ୍ ତଥା ପରମ୍ । ଏନଏଚ୍ ୫୫, ତାଳଚେର ସାର କାରଖାନା ବା ଢେଙ୍କାନାଳ ସଦାଶିବପୁରରେ ତେଲ ଡିପୋ , ସବୁ କେବଳ କଥାରେ ହିଁ ସୀମିତ ରହିଛି। ଆଜି ଆମେ ଆଉ ଗୋଟିଏ ମିଛ କାହାଣୀ ଉପରୁ ପରଦା ଉଠାଇବୁ । ଦେଖିବା ବ୍ରାହ୍ମଣୀ ଜଳପଥ ବା ଜାତୀୟ ଜଳପଥ ୫ କଥା । କେବେ ହେବ ବ୍ରାହ୍ମଣୀ ଜଳପଥ ପ୍ରକଳ୍ପ ? ମିଛ କହି ଭୁଆଁ ବୁଲାଇଛନ୍ତି କେନ୍ଦ୍ର ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ । ଶୁଣନ୍ତୁ ୫ ବର୍ଷ ପୂର୍ବେ କ’ଣ କହିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।
ବ୍ରାହ୍ମଣୀ ନଦୀରେ ଜଳପଥ ପ୍ରତିଶୃତିକୁ ପୂରିଛି ୫ ବର୍ଷ । ୫୩ ନମ୍ବର ଜାତୀୟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କାମାକ୍ଷାନଗରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୀତିନ ଗଡ଼କରୀ ଏ ଘୋଷଣା କରିଥିଲେ । ୫ ହଜାର କୋଟିର ଜଳମାର୍ଗ ପ୍ରକଳ୍ପ ବ୍ରାହ୍ମଣୀ ନଦୀରେ ହେବ ବୋଲି କହିଥିଲେ । ବ୍ରାହ୍ମଣୀ ଓ ମହାନଦୀକୁ ମିଶାଇ ୨୬୨ କିଲୋମିଟର ଜଳପଥ ନିର୍ମାଣ ହେବ । ଯାହା ସିଧା ଯାଜପୁରର କଳିଙ୍ଗ ନଗର ହୋଇ ଧାମରା ଓ ପାରାଦୀପ ସହ ସଂଯୋଗ ହେବ। ହେଲେ ଗତ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଣିର ଗାର ସାଜିଛି ।…
ରାଷ୍ଟ୍ରୀୟ ଜଳମାର୍ଗ ପାଇଁ ନିୟମ ଅନୁଯାୟୀ ସେତୁଗୁଡ଼ିକର ଉଚ୍ଚତା ୯ ମିଟର ଓ ଚଉଡ଼ା ୬୨ ଦଶମିକ ୭ ମିଟର ହେବା କଥା । ନିୟମ ଅନୁସାରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଢେଙ୍କାନାଳରେ ବ୍ରାହ୍ମଣୀ ନଦୀ ଉପରେ କାଳୁରିଆ ଓ ପରଜଙ୍ଗ ବ୍ଲକ ମଧ୍ୟରେ ସରାଙ୍ଗଠାରେ ସେତୁ ନିର୍ମାଣ ହେଉଛି। ଏହି ସେତୁର ପୁନଃ ନିର୍ମାଣ ଓ ଅଧିକ ଉଚ୍ଚତା ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ଭାରତ ସରକାର ଦେବାକୁ ପୂର୍ତ୍ତମନ୍ତ୍ରୀ ଚିଠି ଲେଖିଥିଲେ। ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ସୂଚନା ଆସିନଥିବା ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।
ନିର୍ବାଚନ ମୈଦାନରେ ଦିନ ମଜୁରିଆ
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ମୈଦାନରେ ଦିନ ମଜୁରିଆ । ଗରିବଙ୍କ ଦୁଃଖ ବୁଝିବ ଗରିବ । ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତର ରବୀନ୍ଦ୍ରନାଥ କାଣ୍ଡି କାକଟପୁର ନିର୍ବାଚନ ମଣ୍ଡଳିର ବିକାଶ ପାଇଁ ଅଣ୍ଟା ଭିଡି ଏବେ ଚର୍ଚ୍ଚାରେ ।
ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳିରେ ଏଥର ଦେଖିବାକୁ ମିଳୁଛି ରୋଚକ ଦୃଶ୍ଯ । ପ୍ରାର୍ଥୀ ହୋଇଛନ୍ତି ଜଣେ ଦିନ ମଜୁରିଆ । ପର ଘରେ ମୂଲ ଲାଗି ଚଳାନ୍ତି ପରିବାର, ହେଲେ ଗରିବଙ୍କୁ ଉଚିତ୍ ନ୍ଯାୟ ଦେବାକୁ ଏବେ ନିର୍ବାଚନ ମୈଦାନରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତର ରବୀନ୍ଦ୍ରନାଥ କାଣ୍ଡି । ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ପ୍ରାର୍ଥୀ ଭାବେ କରୁଛନ୍ତି ପ୍ରତିଦ୍ଵନ୍ଦିତା । ଅନ୍ଯ ଘରେ ମୂଳ ଲାଗି ପରିବାର ପ୍ରତିପୋଷଣ କରିବା ସହିତ, ସମର୍ଥକଙ୍କ ସହ ଘରକୁ ଘର ବୁଲି କରୁଛନ୍ତି ନିର୍ବାଚନୀ ପ୍ରଚାର ।
ରବୀନ୍ଦ୍ର ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ନଗର, ଆଳିସାହି, ବେଗୁନିଆବସ୍ତ ସହ ବିଭିନ୍ନ ଗାଁରେ କରୁଛନ୍ତି ପ୍ରଚାର । ଲୋକଙ୍କୁ ନିର୍ବାଚନମଣ୍ଡଳିର ବିକାଶର ପ୍ରତିଶୃତି ଦେଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା । ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରଦାର ଚଳାଇଛନ୍ତି ପ୍ରୟାସ । ଜନ କଲ୍ୟାଣୀ ଯୋଜନାକୁ ଯିଏ କ୍ରିୟାଶୀଳ କରିବ , ତାଙ୍କ ସମ୍ପର୍କରେ ଜନ ସମର୍ଥନ ଯିବ ବୋଲି ସମର୍ଥକ ମାନେ କହିଛନ୍ତି । ଜଣେ ଦିନ ମଜୁରିଆ ପ୍ରାର୍ଥୀ ହୋଇଥିବାରୁ କାକଟପୁରରେ ଚର୍ଚ୍ଚା ଜୋର ଧରିଛି ।
କାହାର ହେବ ବଡ଼ମ୍ବା?
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ । ସଭା ଶୋଭାଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ। କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳିରେ ପାରା ହାଇ । ୧୯୫୭ ମସିହାରେ ଗଠିତ ବଡ଼ମ୍ବା ନିର୍ବାଚନମଣ୍ଡଳିରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । କିଏ ହାତେଇବ ବଡ଼ମ୍ବା ଆସନ ? ଚାଲିଛି କଳ୍ପନାଜଳ୍ପନା । ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ । ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ସ୍ଥିତି ଉପରେ ଏକ ନଜର ।
ନରସିଂହପୁର ଓ ବଡ଼ମ୍ବା ବ୍ଲକକୁ ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ୨ ଲକ୍ଷ ୪୬ ହଜାର ୧୦୩ ଜଣ ଭୋଟର ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ମଧ୍ଯରେ ପୁରୁଷ ୧ ଲକ୍ଷ ୨୯ ହଜାର ୧୮୩, ମହିଳା ୧ ଲକ୍ଷ ୧୬ ହଜାର ୮୯୯ ଓ ତୃତୀୟ ଲିଙ୍ଗୀ ଭୋଟର ୨୧ ଜଣ ଅଛନ୍ତି । ନୂତନ ଭାବେ ମତଦାନ କରିବେ ୭ ହଜାର ଭୋଟର । ଚଳିତ ଥର ବଡ଼ମ୍ବାରେ ୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିରୁ ଦେବୀପ୍ରସାଦ ମିଶ୍ର, ବିଜେପିରୁ ସମ୍ବିତ ତ୍ରିପାଠୀ, କଂଗ୍ରେସରୁ ସଞ୍ଜୟ କୁମାର ସାହୁ ଓ ସ୍ଵାଧୀନ ଭାବେ ବିଜୟ କୁମାର ଦଳବେହେରା ନିର୍ବାଚନ ଲଢୁଛନ୍ତି । ଜୋରଦାର ପ୍ରଚାର ଚାଲିଛି ।
୨୦୦୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜୟୀ ହୋଇଥିଲେ । ୨୦୦୯ରେ ପୁଣି ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ଦେବୀପ୍ରସାଦ ମିଶ୍ର । ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜେତା ହୋଇଥିଲେ । କଂଗ୍ରେସରୁ ଲକ୍ଷ୍ମୀ ଦେବୀ ଏବଂ ବିଜେପିରୁ ବିଭୁଦତ୍ତ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ବିଜେଡିରୁ ଦେବୀ ମିଶ୍ର ପୁଣି କରିଥିଲେ ବାଜିମାତ୍ । ଦେବୀପ୍ରସାଦ ମିଶ୍ର ୯୦ ହଜାର ୫୬୪ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ବିଜୟ ଦଳବେହେରା ୭୨ ହଜାର ଓ କଂଗ୍ରେସର ବବି ମହାନ୍ତିଙ୍କୁ ୬ ହଜାର ଭୋଟ ମିଳିଥିଲା । ଚଳିତ ନିର୍ବାଚନରେ ବିକାଶ ହିଁ ପ୍ରମୁଖ ମୁଦ୍ଦା ସାଜିଛି ବୋଲି ସାଧାରଣ ଜନତା କହିଛନ୍ତି ।
ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଗତ ୫ ବର୍ଷ ମଧ୍ୟରେ ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ଫାଇଭ -ଟି ସ୍କୁଲ ରୂପାନ୍ତରଣ, ମେଡିକାଲଠାରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ, ରାସ୍ତା ଓ ବ୍ରିଜ ଆଦି ନିର୍ମାଣ ସହ ବିକାଶ କାମ ହୋଇଛି । ଏହାକୁ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିଛି। ଅନ୍ଯ ପ୍ରାର୍ଥୀମାନେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରୁଛନ୍ତି।
ଆଗାମୀ ୫ ଦିନରେ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ
ଭୁବନେଶ୍ବର: ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ରେ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବ ସମୁଦ୍ର ଅଶାନ୍ତ ରହିବ । ୨୪ ଓ ୨୫ ତାରିଖର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ସେପଟେ ଆଗାମୀ ୫ ଦିନରେ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨ତାରିଖ ୨୩ତାରିଖ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ । ସେହିପରି ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସହ ୨୪ ତାରିଖରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ମତ୍ସ୍ୟଜୀବୀମାନଙ୍କୁ ମେ ୨୩ ରୁ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗରରେ ଏବଂ ମେ ୨୪ରୁ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଉତ୍ତରପ୍ରଦେଶର ଏହି ଗାଁରେ ଶତ ପ୍ରତିଶତ ମତଦାନ ପାଇଁ ବେଙ୍ଗାଲୁରୁରୁ ଜଣେ ଭୋଟରଙ୍କୁ ବିମାନରେ ଆଣିଲା ଜିଲ୍ଲା ପ୍ରଶାସନ !
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ୭ଟି ପର୍ଯ୍ୟାୟରୁ ୫ଟି ପର୍ଯ୍ୟାୟ ମତଦାନ ସରିଛି । ତେବେ ପଞ୍ଚମ ପର୍ଯ୍ୟାୟ ମତଦାନ ସମୟରେ ସାମନାକୁ ଆସିଛି ଏକ ରୋଚକ ଖବର । ଶହେ ପ୍ରତିଶତ ଭୋଟ ପାଇଁ ଜଣେ ଭୋଟର କମ ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରି ତାଙ୍କୁ ଅଣାଯାଇଥିବା ଖବର ସାମନାକୁ ଆସିଛି । ବାଙ୍ଗାଲୋରରୁ ଭୋଟର ଜଣକ ବିମାନରେ ଆସିଥିଲେ ଏବଂ ପରେ ଗାଡ଼ିରେ ଆସି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଉତ୍ତପ୍ରଦେଶର ଲଳିତପୁର ଜିଲ୍ଲାର ମଡ଼ାବରା ଗାଁରେ ଏଭଳି ରେକର୍ଡ ଭୋଟିଂ ହୋଇଛି । ସୋଲଦା ଗାଁର ୨୭୭ ନମ୍ବର ବୁଥରେ ଦିନ ୧ଟା ସୁଦ୍ଧା ୧୦୦ ପ୍ରତିଶତ ମତଦାନ ହୋଇଥିଲା । ତେବେ ଜଣେ ଭୋଟର ବାଙ୍ଗାଲୋରରେ ରହି ଯାଇଥିଲେ । ସେ ଆସିବା ପରେ ଶହେ ପ୍ରତିଶତ ହେବା ସହ ରେକର୍ଡ ହେବାକ ପାଇଁ ପ୍ରଶାସନ ପକ୍ଷରୁ ତାଙ୍କୁ ଅଣା ଯାଇଥିଲା ।
ପାଟଣାରେ ପାଣ୍ଡିଆନଙ୍କ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଜନଜାତି ଲୋକ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟରେ ଅଛନ୍ତି। ନବୀନଙ୍କୁ ମଧ୍ଯ ଜନଜାତି ସମ୍ପ୍ରଦାୟର ଲୋକମାନେ ଭଲ ପାଆନ୍ତି। କେତେ ଭଲ ପାଆନ୍ତି, ତାହା ଏହି ସଭାରୁ ପ୍ରମାଣ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ସଭାରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ। ବିଳମ୍ବ ହୋଇଥିଲେ ସୁଦ୍ଧା ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ବିଳମ୍ବରେ ପହଞ୍ଚିଥିବାରୁ କ୍ଷମା ମାଗିବା ସହିତ ଲୋକମାନଙ୍କୁ ଧନ୍ଯବାଦ ଦେଇଥିଲେ ପାଣ୍ଡିଆନ। ଜନଜାତିର ଲୋକଙ୍କ ପାଇଁ ମୁଖ୍ଯମନ୍ତ୍ରୀ କରିଥିବା କାମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶା ଭଳି ଅନ୍ଯ ରାଜ୍ଯରେ ଏସଡିସି ଗଠନ ହୋଇନାହିଁ। ଯାହା ଜନଜାତିଙ୍କ ସଂସ୍କୃତିର ସୁରକ୍ଷା କରୁଛି। ଧର୍ମୀପୀଠର ଉନ୍ନତି, ଲାଭ ଯୋଜନା, ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଆଦି କଥା କହିବା ସହ ଅଞ୍ଚଳର ବିକାଶ କାମ ଓ ସେ ବାବଦରେ ବ୍ୟୟବରାଦର ହିସାବ ଦେଇଥିଲେ ପାଣ୍ଡିଆନ। ଆଦିବାସୀଙ୍କ ମଙ୍ଗଳପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଚେଷ୍ଟିତ । ମାଗଣା ବିଜୁଳି, ସମସ୍ତଙ୍କୁ ବିଏସକେୱାଇ କାର୍ଡ, ମିଶନଶକ୍ତି ମାଆମାନଙ୍କ ପାଇଁ ପେନସନ ସମ୍ପର୍କରେ ମୁଖ୍ଯମନ୍ତ୍ରୀଙ୍କ ପ୍ରତିଶୃତି ମନେପକାଇ ଦେଇଥିଲେ ପାଣ୍ଡିଆନ। ଓଡ଼ିଶା ଭଳି ଅନ୍ଯ କୌଣସି ରାଜ୍ଯରେ ବସରେ ମହିଳାଙ୍କୁ ରିହାତି ମିଳିୁନାହିଁ। ଏସବୁ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବା ପାଇଁ ପାଣ୍ଡିଆନ ଅପିଲ କରିଥିଲେ । ବିଜେପି ନିର୍ବାଚନ ବେଳେ ମିଠାକଥା କହେ, କିନ୍ତୁ ପରେ ବିଜେପି ନେତାଙ୍କ ଦେଖା ମିଳେନାହିଁ। ତେଣୁ ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ପାଣ୍ଡିଆନ।
ମହାପ୍ରଭୁଙ୍କୁ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରଖନ୍ତୁ : କାର୍ତ୍ତିକ ପାଣ୍ଡିଆନ
ନନ୍ଦିଘୋଷ ବ୍ୟୁରୋ : ବିଜେପିର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ । ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ ବୟାନରେ ସମ୍ବିତ ପାତ୍ରଙ୍କୁ ଘେରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଏଏନଆଇକୁ ସାକ୍ଷାତକାରବେଳେ ସମ୍ବିତଙ୍କୁ ସେ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି, ବିଜେପି ସବୁବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଆସୁଛି । ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ଯମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି । ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ ହୋଇପାରିବନି ବୋଲି କହିଛନ୍ତି । ସମ୍ବିତ ପାତ୍ରଙ୍କ ମନ୍ତବ୍ଯକୁ ନେଇ ମୁଖ୍ଯମନ୍ତ୍ରୀ ମର୍ମାହତ । ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିକୁ ଟାଣିବା ନେଇ ମୁଖ୍ଯମନ୍ତ୍ରୀ ବେଶ ଦୁଃଖିତ ବୋଲି କହିଛନ୍ତି ପାଣ୍ଡିଆନ ।
ଓଡିଶାବାସୀ ମଧ୍ଯ ଜଗନ୍ନାଥଙ୍କୁ ନିର୍ବାଚନକୁ ଟାଣିବାକୁ ପସନ୍ଦ କରନ୍ତିନି । ଏମିତି ଘଟଣା ବିଜେପି ପକ୍ଷରୁ ପ୍ରଥମ ଘଟଣା ନୁହେଁ । ୨୦୧୯ ପଞ୍ଚାୟତ ନିର୍ବାଚନରେ ଏପରି କିଛି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା । ଏପରି ବିବାଦୀୟ ମନ୍ତବ୍ଯ ଦେଇ ରାଜନୀତି କରିଆସୁଛି ବିଜେପି । ଏପରି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଆସୁଛି । ଏହା ବିଜେପିର ରାଜନୈତିକ ରଣନୀତି ରହିଆସିଛି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ ।

