spot_img
Home Blog Page 1979

କାରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ୯ ମୃତ

ଛତିଶଗଡର ବେମତାରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ମହିଳା ଏବଂ ୩ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇଥିବା ନେଇ ଜଣାପଡିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେମତାରା ଥାନା ସ୍ଥିତ କାଠିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ପାର୍କ ହୋଇଥିବା ଏକ କାର ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନରେ ଥିବା ସମସ୍ତ ଲୋକ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାଁକୁ ଫେରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ପରେ ଆହତଙ୍କୁ ଚିକିତ୍ସା ପାଇଁ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଗୁଜରାଟ ଉପକୂଳରୁ ଧରାପଡ଼ିଲା ବିପୁଳ ପରିମାଣର ନିଶାଦ୍ରବ୍ୟ, ୧୪ ପାକିସ୍ତାନ ନାଗରିକ ଗିରଫ

ଅହମ୍ମଦାବାଦ: ଗୁଜରାଟ ଉପକୂଳରୁ ଧରାପଡ଼ିଲା ବିପୁଳ ପରିମାଣର ନିଶାଦ୍ରବ୍ୟ। ୮୬ କେଜି ଓଜନର ନିଶାଦ୍ରବ୍ୟ ଧରିଛି କୋଷ୍ଟଗାର୍ଡ ସହ ଏଟିଏସ ଓ ଏନସିବିର ମିଳିତ ଟିମ। ଜବତ ନିଶାଦ୍ରବ୍ୟର ବଜାର ମୂଲ୍ୟ ପ୍ରାୟ ୬ଶହ କୋଟି ହେବ। ଏକ ପାକିସ୍ତାନୀ ଡଙ୍ଗା ମଧ୍ୟ ଧରାପଡ଼ିଛି। ଡଙ୍ଗାରେ ଥିବା ୧୪ ଜଣ ପାକିସ୍ତାନ ନାଗରିକଙ୍କୁ ଗିରଫ କରିଛି କୋଷ୍ଟଗାର୍ଡ।

ତଟରକ୍ଷୀ ବାହିନୀର ଜାହାଜ ରାଜରତନ ସହାୟତାରେ ଗୁଜରାଟ ଏଟିଏସ ଏବଂ ଏନସିବିର ମିଳିତ ଅପରେସନରେ ଏହି ସଫଳତା ମିଳିଛି। ପୋରବନ୍ଦରର ପଶ୍ଚିମ ଉପକୂଳ ଆରବସାଗରରେ ପାକିସ୍ତାନୀ ଡଙ୍ଗାକୁ ଧରିଥିଲା କୋଷ୍ଟଗାର୍ଡ। ଗୁପ୍ତ ସୂଚନା ପାଇ ରେଡ୍ କରିଥିଲା କୋଷ୍ଟଗାର୍ଡର ଏହି ମିଳିତ ଟିମ୍। ଅପରେସନରେ ଏକ ଜାହାଜ ସହ ବିମାନ ମୁତୟନ ହୋଇଥିଲା।

ତେବେ ଜାହାଜରେ କୋଷ୍ଟଗାର୍ଡ ସହ ଏଟିଏସ ଟିମ ମୁତୟନ ଥିଲେ। ପୂର୍ବରୁ ରବିବାର ସକାଳେ ଏନସିବି ଏବଂ ଏଟିଏସ ୩ଶହ କୋଟିର ନିଶାଦ୍ରବ୍ୟ ଜବତ କରିଥିଲା। ପୂର୍ବରୁ ଗତ ମାର୍ଚ୍ଚରେ ଗୁଜରାଟ ଏବଂ ରାଜସ୍ଥାନରେ ମୋଟ ୯୩୨ କୋଟି ମୂଲ୍ୟର ନିଶାଦ୍ରବ୍ୟ ଧରିଥିଲା ତଟସୁରକ୍ଷା ବାହିନୀ।

କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି

କାମାକ୍ଷାନଗର: ନିର୍ବାଚନ ପୂର୍ବରୁ ଢେଙ୍କାନାଳ ପୋଲିସର ବଡ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର। ଏନକାଉଣ୍ଟରରେ ଗୁରୁତର ସୁବାସକୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।

ସୂଚନା ଅନୁଯାୟୀ, ସୁବାସର ଗୋଡରେ ବାଜିଛି ଗୁଳି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ରହିଛି ସଙ୍ଗୀନ ଅଭିଯୋଗ। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।

ତେବେ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରୁଛି। ଏକ ବଡ ଧରଣର ଅପରାଧ ଘଟାଇବା ପାଇଁ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟମାନେ ଯୋଜନା କରୁଥିଲେ। ନିର୍ବାଚନ ସମୟରେ କିଛି ଅଘଟଣ ଘଟାଇଥାନ୍ତେ। ମାସକୁ ୩୦ ଲକ୍ଷରୁ ଅଧିକ ବଟି ଆଦାୟ କରୁଥିଲେ ଏହି ଗ୍ୟାଙ୍ଗ। ବାଲିଘାଟଠାରୁ ଆରମ୍ଭ କରି ବଡ ବ୍ୟବସାୟ ଓ ଠିକାଦାରଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ। ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ଆତଙ୍କରାଜ ଚଳାଉଥିବା ସୁବାସ ଖୁଣ୍ଟିଆ ଏନକାଉଣ୍ଟର ପରେ କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଛତ୍ରଭଙ୍ଗ ଦେଇଛନ୍ତି।

ଦାଦାବଟି, ରାହାଜାନି, ଲୁଟ, ହତ୍ୟା ଭଳି ସଙ୍ଗୀନ ଅପରାଧ ଘଟାଉଥିବା ସୁବାସ ଖୁଣ୍ଟିଆ ଓ ତାଙ୍କ ଗ୍ରୁପ ଆଗାମୀ ନିର୍ବାଚନରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି କରିବା ପାଇଁ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲ ଭିତରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗର ସଦସ୍ୟ ମାନେ ବୋମା ପକାଇବା ସହ ପୋଲିସ ଉପରକୁ ଗୁଳିଚାଳନା କରୁଥିବା ବେଳେ ପାଲଟା ଆକ୍ରମଣରେ ପୋଲିସ ଏନକାଉଣ୍ଟର କରିଥିଲା। ଫଳରେ ସୁବାସ ଖୁଣ୍ଟିଆର ଡାହାଣ ଗୋଡରେ ଗୁଳି ବାଜିବା ସହ ଅନ୍ୟ ତିନି ଅପରାଧୀ ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରୁ ଖଣ୍ଡା, ଦେଶୀ ବନ୍ଧୁକ, ଗୁଳି ଇତ୍ୟାଦି ଜବତ କରିଛି ପୋଲିସ।

ଡହଡହ ଖରାରେ ସିଜୁଛି ସାରା ଓଡିଶା, ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଆକାଶରୁ ଅଗ୍ନି ବର୍ଷା। ଡହ ଡହ ଖରାରେ ସିଜୁଛି ସାରା  ଓଡିଶା। ଆଜି ଓ କାଲି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହେବ। ୧୩ ଦିନ ଧରି ଚାଲିଥିବା ଅହସ୍ଯ ତାପମାତ୍ରା ବୃଦ୍ଧି ଏହି ଦୁଇଦିନରେ ପିକ୍ ଛୁଇଁବ। ଏହାପରେ ବାୟୁ ଚଳାଚଳରେ ପରିବର୍ତ୍ତନ ଯୋଗୁ ଧୀରେ ଧୀରେ ତାପମାତ୍ରା କମିବ। କିନ୍ତୁ ପାରଦ ୪୦ ଡିଗ୍ରୀ ପାର କରିବ।

ଏଣୁ ମେ ପହିଲା ଯାଏ ରାଜ୍ଯର କେତେକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ଯପଟେ ୭୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅସମ୍ଭାଳ ହୋଇଛି।  ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ତେବେ ଆବଶ୍ୟକ ନଥିଲେ ଦିନ ୧୧ ଟାରୁ  ୩ଟା ପର୍ଯ୍ୟନ୍ତ ପିକ୍ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା, ହୃଦ ରୋଗୀ, ଛୋଟପିଲା, ବୟସ୍କ ବିଶେଷ ଯତ୍ନବାନ ହେବାସହ ଜମିରେ ପାଣି ସିଞ୍ଚନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ମେ’ ୨୫ରେ ଦେଶରେ ୬ଷ୍ଠ ଓ ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ; ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମେ ୨୫ରେ ଦେଶରେ ଷଷ୍ଠ ଓ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶର ମୋଟ ୫୭ ଆସନରେ ହେବ ଭୋଟ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଆରମ୍ଭ ହେବ।

ମେ ୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ୭ତାରିଖରେ ଯାଞ୍ଚ ଓ ୯ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି। ତୃତୀୟ ପର୍ଯ୍ୟାୟ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ। ଏହି ଲୋକସଭା କ୍ଷେତ୍ର ଅଧିନ ୪୨ଟି ବିଧାନସଭା କ୍ଷେତ୍ରରେ ବି ଭୋଟ ଗ୍ରହଣ ହେବ।

ତୃତୀୟ ପର୍ଯ୍ୟାୟରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣି, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ ।

ଟିକେଟ ପାଇଁ ଅପରାଜିତା ମୋତେ ୨କୋଟି ଟଙ୍କା ମାଗିଥିଲେ : କାଳୁ ଖଣ୍ଡାୟତରାୟ

ଖୋର୍ଦ୍ଧା: ୨କୋଟି ଟଙ୍କା ଦେଲିନି ବୋଲି ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ବିଜେପି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଖୋର୍ଦ୍ଧାରୁ ପ୍ରାର୍ଥୀ କରିବା ପରେ ଆହୁରି ତେଜିଛି କାଳୁ କନ୍ଦଳ । ମଳିପଡ଼ାଠାରେ ହଜାର ହଜାର ସମର୍ଥକଙ୍କୁ ନେଇ ଖୋର୍ଦ୍ଧା ମାଟିର ସ୍ବାଭିମାନ ସମାବେଶ ନାଁରେ ଶକ୍ତି ପ୍ରଦର୍ଶନ କରି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି କାଳୁ । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ମିଥ୍ୟାବାଦିନୀ ଓ ଲାଞ୍ଚୁଆ ନେତ୍ରୀ । ଜିଲ୍ଲାପାଳ ଥିବାବେଳେ ୧୦ ହଜାର ଟଙ୍କା ବି ଲାଞ୍ଚ ନେଉଥିଲେ । ଖୋର୍ଦ୍ଧାର ଟିକେଟ ପ୍ରସଙ୍ଗରେ ରାଜ୍ଯ ସଭାପତି ଓ ଅନ୍ଯ ବରିଷ୍ଠ ନେତା ସମର୍ଥନ କରିଥିବାବେଳେ ଟିକେଟ ପାଇଁ ଅପରାଜିତା ୨କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଟିକେଟ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିକ୍ରି କରିଦେଲେ । ଏ ସ୍ୱାଭିମାନର ମାଟି ପାଇଁ ଅପରାଜିତା ଷଡଙ୍ଗୀ ବେଇମାନ। ଅପରାଜିତା ଏଥର ଭୋଟ ପାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି କାଳୁ । ଏହାସହିତ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ବିହାର ଯିବା ନିଶ୍ଚିତ । ଆଗକୁ ଲୋକଙ୍କ ପରାମର୍ଶରେ ଲଢିବି ବୋଲି କାଳୁ କହିଛନ୍ତି । କାଳୁଙ୍କ ସମର୍ଥକମାନେ ବି ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । ୨୦୧୯ରେ କାଳୁଙ୍କ ପାଇଁ ହିଁ ଅପରାଜିତା ନିର୍ବାଚନ ଜିତିଥିଲେ । କାଳୁ ନିଜେ ୭୪ହଜାରରୁ ଅଧିକ ଭୋଟ ପାଇଥିବାବେଳେ ଅପରାଜିତାଙ୍କୁ ପ୍ରାୟ ୯୦ ହଜାର ଭୋଟ ଦେଇଥିଲେ । ହେଲେ ଜିତିବା ପରେ ଖୋର୍ଦ୍ଧା ପାଇଁ କାଣିଚିଏ କାମ କରିନାହାନ୍ତି ଅପରାଜିତା । ସ୍ବାଭିମାନର ମାଟି ପ୍ରତି ଅପରାଜିତା ବେଇମାନି କରିଛନ୍ତି ।

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ୮ ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ । ନଗେନ୍ଦ୍ର ପ୍ରଧାନ ହେଲେ ସମ୍ବଲପୁର କଂଗ୍ରେସ ପ୍ରାର୍ଥୀ । ପୂର୍ବରୁ ଦୁଲାଲ ଚନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିଲେ । ସୁରେଶ ମହାପାତ୍ର ହେଲେ କଟକ ସାଂସଦ ପ୍ରାର୍ଥୀ ।
୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବଦଳିଲେ ଦୁଇ ବିଧାନସଭା ପ୍ରାର୍ଥୀ । ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ ପ୍ରାର୍ଥୀ । ଖଣ୍ଡପଡ଼ାରେ ବି ବଦଳିଲେ ପ୍ରାର୍ଥୀ । ବୈଜୟନ୍ତୀମାଳା ହେଲେ ଖଣ୍ଡପଡ଼ାର ନୂତନ ପ୍ରାର୍ଥୀ । ପୂର୍ବରୁ ମନୋଜ କୁମାର ପ୍ରଧାନ ହୋଇଥିଲେ ଖଣ୍ଡପଡ଼ା ପ୍ରାର୍ଥୀ ।

ଜିତୁ ମିତ୍ରଙ୍କ ଆଶୀର୍ବାଦ ନେଲେ ରାଜେନ୍ଦ୍ର ସାହୁ

ଖୋର୍ଦ୍ଧା: ରାଜନୀତିରେ ଗୁରୁ-ଶିଷ୍ଯ ସମ୍ପର୍କର ନିଆରା ଚିତ୍ର । ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରାର୍ଥୀ । ଖୋର୍ଦ୍ଧାର ବର୍ତ୍ତମାନର ବିଧାୟକ ଜିତୁ ମିତ୍ରଙ୍କ ଆଶୀର୍ବାଦ ନେଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ । ଖୋର୍ଦ୍ଧା ବିଧାନସଭାପାଇଁ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏନେଇ ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ଯରେ ଖୁସି ଖେଳିଯାଇଛି । ବହୁ ସଂଖ୍ଯାରେ ସମର୍ଥକ ଆସି ରାଜେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମୟରେ ବର୍ତ୍ତମାନର ବିଧାୟକ ଜିତୁ ମିତ୍ରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ରାଜେନ୍ଦ୍ର । ଖୋର୍ଦ୍ଧାରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି। ସମସ୍ତଙ୍କୁ ସାଥିରେ ନେଇ ମୁଖ୍ଯମନ୍ତ୍ରୀଙ୍କ ଜନକଲ୍ଯାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ବୋଲି କହିଛନ୍ତି ରାଜେନ୍ଦ୍ର।

ସାବଧାନ ! ମାତିଛନ୍ତି ସାଇବର ଠକ

ଭୁବନେଶ୍ବର: ଅନଲାଇନରେ ମାତିଛନ୍ତି ସାଇବର ଠକ। ପାର୍ଟ ଟାଇମ୍ ଜବ କରିବାକୁ କହି ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା। ୱାଟ୍ସଆପ ଗ୍ରୃପରେ ଦେଉଛନ୍ତି ମେସେଜ। ତାପରେ ଟେଲିଗ୍ରାମ ଗ୍ରୁପ ରେ ଆଡ କରି ଦେଉଛନ୍ତି ଲୋଭନୀୟ ଅଫର୍। ଥରେ ଫସିଗଲେ ଆକାଉଣ୍ଟ ହେଇ ଯାଉଛି ଖାଲି । ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଳ ଗୋପାଳ ବାରିକ, ଦେବେନ୍ଦ୍ର କୁମାର ସେଠୀ ଓ ସନ୍ଦୀପ କୁମାର୍ ରାଉତ । ଅଧିକ ପାଠ ନ ପଢ଼ି ବି ଫେକ୍ କମ୍ପାନୀ ନାଁରେ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ କରି ଚଳାଇଥିଲେ ସାଇବର ଠକେଇ। ଏମାନଙ୍କ ସହିତ ବି ଆହୁରି ଅନେକ ଲୋକ ରହିଥିବା ବେଳେ ସେମାନଙ୍କୁ ବି ଖୋଜୁଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ୍, ଫେକ ଆଧାର କାର୍ଡ, ଅନେକ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ୍ । ବିଭିନ୍ନ ବ୍ୟାଙ୍କରେ ଅଭିଯୁକ୍ତଙ୍କ ରହିଛି କରେଣ୍ଟ ଆକାଉଣ୍ଟ। ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ମଧୁବାବୁଙ୍କ ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କଟକ: ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏହି ପବିତ୍ର ଦିବସରେ ମଧୁବାବୁଙ୍କ ଜନ୍ମପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହାସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ ମଧୁବାବୁଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ କରିଛନ୍ତି। ସତ୍ଯଭାମାପୁରରେ ପହଞ୍ଚିବା ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ ଲୋକ। ଆବାଳ ବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଲୋକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କ ସହ ସୁଖଦୁଃଖ ହୋଇଥିଲେ । ପିଲାଙ୍କ ସହ ବେଶ କିଛି ସମୟ କାଟିଥିଲେ  । ଏହାପରେ ଏନ୍ତୁଡିଶାଳ ପରିଦର୍ଶନ କରି ମହାପୁରୁଷଙ୍କୁ ମନେ ପକାଇଥିଲେ କାର୍ତ୍ତିକ ପାଣ୍ଡିଆନ । ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ସତ୍ୟଭାମାପୁର ମଧୁ ସ୍ମୃତି ପୀଠର ଉନ୍ନତିକରଣ ଜାରି ରହିଛି । ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏକ ସୁବିଧା କେନ୍ଦ୍ର, ରାସ୍ତାର ପ୍ରଶସ୍ତୀକରଣ, ପୀଠ ଭିତରେ ବ୍ୟାଟେରୀ ଚାଳିତ ଯାନ, ଗାଡି ରହଣୀସ୍ଥଳ, ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଭଳି କାର୍ଯ୍ୟକୁ ସ୍ଥାନୀୟବାସୀ  ପ୍ରଶଂସା କରିଛନ୍ତି ।