ଭୁବନେଶ୍ବର : ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଜୁନ୍ ୯ ପରେ ଛାଡ଼ ହେବ ବିଜୁଳି ବିଲ୍ । ଜୁଲାଇ ମାସରେ ନିଃଶୁଳ୍କ ବିଜୁଳି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ବିଏସକେୱାଇ କାର୍ଡ । ଦେବଗଡ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ୟାରେଣ୍ଟି ଦେଇଛନ୍ତି । ଏହା ନବୀନ ପଟ୍ଟନାୟକଙ୍କ ବିଜୁଳି ଗ୍ୟାରେଣ୍ଟି ଓ ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେୱାଇ, ମିଶନ ଶକ୍ତି, ଲକ୍ଷ୍ମୀ ବସ, ମମତା ଯୋଜନା, ଫାଇଭ-ଟି ସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଓ କାଳିଆ ଯୋଜନା ଆଦି ସମ୍ପର୍କରେ ଉଲ୍ଲେଖ କରିଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଜୁନ ୯ରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ତିନୋଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଦସ୍ତଖତ କରିବେ । ପ୍ରଥମ ବିଜୁଳି ବିଲ ଛାଡ, ଦ୍ବିତୀୟରେ ବିଏସକେୱାଇ ଯୋଜନାରୁ ବାଦ ପଡିଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନବୀନ-କାର୍ଡ ଓ ତୃତୀୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ସବୁ ମିଶନ ଶକ୍ତି ମାଙ୍କୁ ମିଳିବ ପେନସନ ।
ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ
ବ୍ରାଟିସ୍ଲାଭା: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ମରଣାନ୍ତକ ଆକ୍ରମଣ । କ୍ୟାବିନେଟ ବୈଠକ ପରେ ସମ୍ବୋଧିତ କରୁଥିବା ବେଳେ ଏହି ଆକ୍ରମଣ ଘଟିଛି। ତାଙ୍କୁ ହତ୍ୟା କରିବା ପାଇଁ ଆକ୍ରମଣକାରୀ ଅନେକ ରାଉଣ୍ଡ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ଫିକୋଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭଳି ଗୁଳିମାଡ କରାଯାଇଥିଲା । ଜଣେ ଆକ୍ରମଣକାରୀ ଥିଲେ କି ଜଣେରୁ ଅଧିକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୋଲିସ ଜଣଙ୍କୁ ଅଟକ ରଖିଛି।
ଗତ ବର୍ଷ ଅକ୍ଟୋବରରେ ଚତୁର୍ଥ ଥର ପାଇଁ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଭାବେ ରବର୍ଟ ଫିକୋ ଦାୟିତ୍ବ ହୋଇଥିଲେ। ସେ ୨୨.୯୪ ପ୍ରତିଶତ ଭୋଟ୍ ସହ ଜିତିଥିଲେ। ରୋବର୍ଟ ଋଷ ରାଷ୍ଟ୍ରପତି ପୁଟିନଙ୍କ ନିକଟତର ଅଟନ୍ତି।
ସ୍ଲୋଭାକିଆ ପୂର୍ବ ୟୁରୋପର ଏକ ଦେଶ । ଏହି ଦେଶର ପୂର୍ବରେ ୟୁକ୍ରେନ, ପଶ୍ଚିମରେ ଚେକ୍ ରିପବ୍ଲିକ୍, ଉତ୍ତରରେ ପୋଲାଣ୍ଡ ଏବଂ ଦକ୍ଷିଣରେ ହଙ୍ଗେରୀ ସୀମା ରହିଛି ।
ବଲାଙ୍ଗୀରରୁ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ । ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ।
କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି । ସରକାରକୁ ୯୦ ଅଫିସର ଚଳାଉଛନ୍ତି । ସେଥିରୁ ମାତ୍ର ତିନି ଜଣ ଦଳିତ । ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି । ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି । ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି ।
ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ । ପ୍ରତ୍ଯେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ । ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ । ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ଯବସ୍ଥା ଉଚ୍ଛେଦ କରିବା ସହ ସମସ୍ତ ଚାଷୀଙ୍କ ଋଣ ଛାଡ କରିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।
ପ୍ରଥମ ଥର ୩୦୦ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତ୍ବ
ନୂଆଦିଲ୍ଲୀ: ଦେଶରେ CAA ଲାଗୁ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ୩୦୦ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ଦେଇଛନ୍ତି। ଏହି ଶରଣାର୍ଥୀମାନେ ଗତ କିଛି ବର୍ଷ ଧରି ଭାରତୀୟ ନାଗରିକତା ପାଇବା ପାଇଁ ସଂଗ୍ରାମ କରିଆସୁଥିଲେ ।
ନାଗରିକତା (ସଂଶୋଧନ) ନିୟମର ୨୦୨୪ ଅଧିସୂଚନା ଲାଗୁ ହେବା ପରେ ପ୍ରଥମ ଥର ପାଇଁ ୩୦୦ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଶରଣାର୍ଥୀଙ୍କୁ ଡାକି ନାଗରିକତ୍ୱ ଦେଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ୧୪ ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ ଅର୍ଥାତ୍ CAA କାର୍ଯ୍ୟକାରୀ କରିଥିଲେ। ଏହି ଅଧିନିୟମ ଅନୁଯାୟୀ ଭାରତର ତିନି ପଡୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ତେବେ ୩୧ ଡିସେମ୍ବର ୨୦୧୪ ବା ତା ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ କେବଳ ଏହି ଆଇନର ଲାଭ ନେଇପାରିବେ। ଏହି ଅଧିନିୟମ ଅନୁଯାୟୀ ପଡୋଶୀ ଦେଶର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନମାନେ ଆବେଦନ କରିଥିଲେ।
୨୦୧୪ ଡିସେମ୍ବର ପୂର୍ବରୁ ଭାରତର ଶରଣ ନେଇଥିବା ଆବେଦକମାନେ ଭାରତର ପ୍ରମାଣପତ୍ର ଦେବାକୁ ପଡିବ । ଏଥିପାଇଁ ପୁରୁଣା ଭିସା, ପାନ କାର୍ଡ, ବୀମା ପଲିସି ଭଳି ଦସ୍ତାବିଜ ପ୍ରମାଣ ସ୍ବରୂପ ଦେଖାଇବାକୁ ହେବ । ପୂର୍ବୋତ୍ତର ରାଜ୍ୟର କିଛି ଅଞ୍ଚଳକୁ ସିଏଏ ମୁକ୍ତ କରାଯାଇଛି ।

