ବିଞ୍ଝାରପୁର : କାଳ ହେଲା ବିଜେପିର ରୋଡ ଶୋ । ବିଜେପି କର୍ମୀଙ୍କ ବାଣଫୁଟାରେ ଜଳିପୋଡି ଗଲା ଦେକାନ ଘର ସମେତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ । ବିଞ୍ଝାରପୁର ବିଜେପି ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକ ଆଜି ରୋଡ ଶୋ କରିଥିଲେ । ପ୍ରଚାରକୁ ଆକର୍ଷଣୀୟ କରିବାକୁ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବିଞ୍ଝାରପୁର ଥାନା ଛକରେ ବବିତାଙ୍କ ପ୍ରଚାର ପହଞ୍ଚିବା ପରେ ବାଣ ଫୁଟାଇଥିଲେ ବିଜେପି କର୍ମୀ । ବାଣ ଫୁଟାଇଥିବା ବେଳେ ବାଣ ଯାଇ ଏକ କାଠ ଦୋକାନରେ ପଡ଼ିଥିଲା । ଚାହୁଁ ଚାହୁଁ ଦୋକାନଟି ସମ୍ପୂର୍ଣ୍ଣ ଜଳିଉଠିଥିଲା । ଖବର ପାଇ ବିଞ୍ଝାରପୁର ଅଗ୍ନିସମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।
ଆହୁରି ୩ ଦିନ ଯାଏଁ କଲବଲ କରିବ ଗରମ ଗୁଳୁଗୁଳି
ଭୁବନେଶ୍ୱର : ଆହୁରି ୩ ଦିନ ଯାଏଁ ଗରମ ଗୁଳୁଗୁଳିର ପ୍ରଭାବ। ରାଜ୍ୟରେ ଏବେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ହେଉଛି। ପଶ୍ଚିମ ଦିଗରୁ ବହୁଥିବା ଗରମ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବାରେ ଲାଗିଛି। ଗତକାଲି ବୌଦ୍ଧରେ ଦିନ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ସୋନପୁରରେ ଏବଂ ଟିଟିଲାଗଡ଼ରେ ଯଥାକ୍ରମେ ୪୫.୩ ଓ ୪୫ ଡିଗ୍ରୀ ରେକର୍ଡ଼ କରାଯାଇଥିଲା। ସେହିପରି ୧୦ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଓ ୧୭ ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଦିନ ତାପମାତ୍ରା ଠାରୁ ଆହୁରି ଯନ୍ତ୍ରଣାଦାୟକ ଉଷ୍ମ ରାତି ଏବଂ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିବା ହେତୁ ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏଁ ଭୀଷଣ ଗୁଳୁଗୁଳିର ପ୍ରଭାବ ରହିଛି। ଏପରି ପାଗ ଆହୁରି ୨-୩ ଦିନ ଯାଏଁ ଜାରି ରହିବ। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସହରର ଦିନ ତାପମାତ୍ରା ୪୩. ଡିଗ୍ରୀ ଉପରେ ରହିବା ସହ କେତେକ ସ୍ଥାନରେ ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କରିବା ସହ ଉପକୂଳ ତଥା ଏହାର ସଂଲଗ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୁତ ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ବିଜେପି କରିଥିଲା ଅପପ୍ରଚାର
କେନ୍ଦ୍ରାପଡ଼ା : ପ୍ରସଙ୍ଗହୀନ ହୋଇ ପଡିଥିବା ବିଜେପିର ଆଉ ଏକ ମିଛ ପଦାରେ ପଡିଛି। ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି ଭିଡିଓରେ ବିଜେପି ଦର୍ଶାଇ କରୁଛି ଅପପ୍ରଚାର। ଏପରିକି ସୋସିଆଲ୍ ମିଡିଆର ଏହି ବାଜେ କଥା ଏବେ କିଛି ଗଣମାଧ୍ଯମର ହଟ୍ ଟପିକ୍ ହୋଇଛି। ହେଲେ ସତ କଥା ହେଉଛି କେନ୍ଦ୍ରାପଡାର ଏକ ନିର୍ବାଚନୀ ସଭାରେ ମୁଖ୍ଯମନ୍ତ୍ରୀଙ୍କ ଠିକ୍ ପଛରେ ବସିଥିଲେ ପାଣ୍ଡିଆନ୍। ନିଜ ଜୋତା ବାହାର କରିଛନ୍ତି। ଜୋତାଟି ବାହାରି ଯିବା ପରେ ନିଜ ପାଦ ପାଖକୁ ଗୋଡ଼ରେ ଟାଣି ଆଣି ସଜାଡି ରଖିବାକୁ ଚେଷ୍ଟା କରିଛନ୍ତି। ହେଲେ ଏହି ଦୃଶ୍ଯର ଛୋଟିଆ ଅଂଶକୁ ଜୁମ୍ କରି ଦେଖାଇ ତାକୁ ଅତିରଞ୍ଜିତ କରୁଛନ୍ତି ବିଜେପି ଓ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ଯମ। ସତ ଏବେ ସାମ୍ନାକୁ ଆସିଛି । ମୁଳକଥା ହେଉଛି ତିନିଟି ପର୍ଯ୍ଯାୟ ଭୋଟ ଶେଷ ହୋଇଗଲାଣି। ବିଜେଡି ଘୋଷଣା କରି ସାରିଲାଣି ଏହି ତିନିଟି ପର୍ଯ୍ଯାୟରେ ସଂଖ୍ଯା ଗରିଷ୍ଠତା ସେମାନେ ହାସଲ କରି ସାରିଲେଣି। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛି ବିଜେପି। ତେଣୁ ଏବେ ଗୋଟିଏ ଟାର୍ଗେଟ୍ ମୁଖ୍ଯମନ୍ତ୍ରୀ ଓ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଯେନେତେନ ପ୍ରକାରେ ଅପମାନିତ କରିବା।
ପ୍ରଥମେ ଅନ୍ଯ ରାଜ୍ଯର ନେତାଙ୍କୁ ଡାକି ମୁଖ୍ଯମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ ଅପଶବ୍ଦ ବ୍ଯବହାର କରି ଅପମାନିତ କରିବାକୁ ଚେଷ୍ଟା କଲେ। ହେଲେ ତଥ୍ଯହୀନ ମନ୍ତବ୍ଯ ଦେଇ ନିଜେ ବ୍ଯାକଫୁଟକୁ ଚାଲିଗଲେ। ଏବେ ବିଭିନ୍ନ ପ୍ରଚାର ସଭାର ଦୃଶ୍ଯକୁ ଏଡିଟ୍ କରି ସେଥିରେ ରଙ୍ଗ ମାରି ରାଜ୍ଯବାସୀଙ୍କୁ ବିଭ୍ରାନ୍ତ କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଭାଷଣ ବେଳର ଏକ ଭିଡିଓକୁ ନେଇ କେତେକଣ ଗପି ଚାଲିଲେ। ଆଜି କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ଯମନ୍ତ୍ରୀଙ୍କୁ ଗୋଡ ମାରୁଛନ୍ତି ବୋଲି ଅପପ୍ରଚାର କରୁଛନ୍ତି। ହେଲେ ସତ କେବେ ଲୁଚି ରହେନା ନ୍ଯାୟରେ ବିଜେପିର ଏହି ଅପପ୍ରଚାରକୁ ଶକ୍ତ ଧକ୍କା ଲାଗିଛି।
ଇସିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ଭୁବନେଶ୍ୱର : ଇସିଆଇର ନିରପେକ୍ଷତା ନେଇ ପ୍ରେସମିଟରେ ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଇସିଆଇ ଏକ ନ୍ଯୁଟ୍ରାଲ ବଡି ହୋଇଥିବାବେଳେ ଏହା ଉଭୟ ପକ୍ଷର ଅଭିଯୋଗ ଶୁଣି ନିଷ୍ପତ୍ତି ନେଇଥାନ୍ତି । ପୀତାମ୍ବର ଆଚାର୍ଯ୍ୟଙ୍କ ଭଳି ଜଣେ ନେତା ଯାହାକୁ ଓଡ଼ିଶାରେ କେହି ଜାଣନ୍ତିନି ଯାହାଙ୍କର କୌଣସି ବିଶ୍ବସନୀୟତା ନାହିଁ ସେ କହିଲେ, ଦୁଇ ଅଫିସରଙ୍କ ବିରୋଧରେ ଲାଗି ଲାଗି କାର୍ଯ୍ୟାନୁଷ୍ଠାନ କରାଇଦେଲୁ । ତେଣୁ ECIଙ୍କ ଭୂମିକା ଆଜି ସନ୍ଦେହରେ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବନ୍ୟାରେ ଭାସି ଗଲାଣି, ସେମାନେ ଏଠାକୁ ଆସି ଭାଷଣ ମାରୁଛନ୍ତି । ଦମ ଅଛି ସିଧା ସଳଖ ବିଜେଡି ସହ ଲଢ ବୋଲି ବିଜେପିକୁ ଆହ୍ବାନ ଦେଇଛନ୍ତି ଲେନିନ । ଅଫିସରଙ୍କୁ ଗୋଡ଼ାଇବା, ପ୍ରେସକୁ ଧମକାଇବା ଛାଡ । ଧର୍ମେନ୍ଦ୍ରଙ୍କ ମୁଣ୍ଡ ବୁଲାଇଲାଣି । ସେ ହେଉଛନ୍ତି ମୁଣ୍ଡବୁଲା ଶେଉଳ । ବୋଧେ ସମ୍ବଲପୁରରେ ହାର ଭୟରେ ତାଙ୍କ ମୁଣ୍ଡ କାମ କରୁନି । ବିଜେଡିର ସଫଳତା ଦେଖି ସେମାନେ ହତାଶ ହେଲେଣି । ଦଳର କଡ଼ରେ କଡ଼ରେ ଚାଲିଥିବା ପୀତାମ୍ବର ଆଚାର୍ଯ୍ୟ ECIଙ୍କୁ ନିଜ ପୈତୃକ ସମ୍ପତ୍ତି ନ ଭାବନ୍ତୁ ବୋଲି କହଛନ୍ତି ଲେନିନ । ସମୀର ମହାନ୍ତିଙ୍କ ଦାୟିତ୍ୱକୁ ମଧ୍ଯ ସେ ମନେ ପକାଇଦେଇଥିଲେ ।
ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ : ସୁଲତା ଦେଓ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ଟାର୍ଗେଟ। ତୀବ୍ର ଭାବେ ସମାଲୋଚନା କରିବା ସହ କହିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ନେଇ ଥଟା ପରିହାସ କରିବା ସହ ଛିଗୁଲେଇ କହିବାକୁ ନେଇ ସମାଲୋଚନା କରିଛନ୍ତି ସୁଲତା ଦେଓ। ଚତୁର୍ଥ ସ୍ତମ୍ଭର କାମ ହେଉଛି ସତ ଦେଖାଇବା।ତେବେ ଚତୁର୍ଥ ସ୍ତମ୍ଭକୁ ନେଇ ହୀନ ମାନସିକତା ଦେଖାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ ନିର୍ଦ୍ଦିଷ୍ଟ ମିଡିଆ ହାଉସର ନାଁ ନେଇ ଛିଗୁଲେଇ ସଭାରେ କହିଥିଲେ। ଯାଜୁପୁର ବଡ଼ଚଣାର ଏକ ସଭାରେ ଥଟା ପରିହାସ କଲା ଭଳି କହୁଥିଲେ। ଗଣମାଧ୍ୟମକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ। ମିଡିଆ ପାଇଁ ଏଭଳି ଭାଷା କେହି ଗ୍ରହଣ କରିବେନି। ଏହା ବିହାର, ଉତ୍ତରପ୍ରଦେଶ କି ଆସାମ ନୁହେଁ ବୋଲି କହିଛନ୍ତି ସୁଲତା। ଲୋକଙ୍କ ଭଲ ପାଇବା ଯୋଗୁଁ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଆସୁଛନ୍ତି। ଧର୍ମେନ୍ଦ୍ର ନିଜ ଜାଗାରେ ଠିଆ ହେଲେନି ସମ୍ବଲପୁର ଚାଲିଗଲେ। ସେ ପୁଣି କହିବେ ନୀତି ଓ ନୈତିକତାର କଥା। ମୁଖ୍ୟମନ୍ତ୍ରୀଙ୍କୁ ଟେକା ଫୋପାଡ଼ିଲେ ନିଜ ମୁହଁରେ ଆସି ପଡ଼ିବ।
ପାହାଡ଼କୁ ଟେକା ଫୋପାଡିଲେ ନିଜ ଉପରେ ପଡ଼ିବ। ଇସିଆଇଙ୍କ ନିକଟରେ IFS ବିନୟ ପ୍ରଧାନଙ୍କୁ ନେଇ ଫେରାଦ ହୋଇଥିଲୁ। କଣ କାର୍ଯ୍ୟାନୁଷ୍ଠାନ ଇସିଆଇ ନେଇଛନ୍ତି ବୋଲି ପଚାରିଛନ୍ତି। ପର ତିଅଣରେ ଚର୍ଚ୍ଚା କରିବାକୁ ଧର୍ମେନ୍ଦ୍ରଙ୍କୁ ଭଲ ଲାଗୁଛି।ଜର ହୋଇଛି, ତାଟିଆ କାମୁଡିଲେ କିଛି ହେବନି । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ। ଓଡ଼ିଶାବାସୀ ଉଚିତ ଭାବେ ଭୋଟରେ ଜବାବ ଦେଇଛନ୍ତି। ଆପଣଙ୍କ ଆଶା ଆଶାରେ ରହିଯିବ। ଆଚାର, ବ୍ୟବହାର ଶିଖିନାହାନ୍ତି। କାମ କେବେ କରିନାହାନ୍ତି। କାଦୁଆ ଫୋପାଡି, ଏଭଳି କାମ କରି ପୁଣିଥରେ ବିଦାୟ ନେବେ। ନିର୍ବାଚନ ପରେ ଆଉ କାହାର ଦେଖା ନଥିବ ବୋଲି କହିଛନ୍ତି ସୁଲତା ଦେଓ।
ପ୍ରେସମିଟ୍ କରି ମୋଦିଙ୍କୁ ରୋକଠୋକ ଜବାବ ଦେଲେ ନବୀନ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଜବାବ । ମୋ ସ୍ବାସ୍ଥ୍ଯାବସ୍ଥା ନେଇ ପ୍ରଧାନମନ୍ତ୍ରୀ ଯେଉଁ ମନ୍ତବ୍ଯ ଦେଇଛନ୍ତି ତାହା ରାଜନୈତିକ । ବିଜେପିର ନେତାମାନେ ମୋ ସ୍ୱାସ୍ଥ୍ୟକୁ ନେଇ କରୁଛନ୍ତି ଅପପ୍ରଚାର । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା କହିଛନ୍ତି ନବୀନ । ୧୦ ବର୍ଷ ଧରି ରାଜ୍ଯବାସୀ ଜାଣିଛନ୍ତି ବିରୋଧୀ ଅପପ୍ରଚାର କରୁଛନ୍ତି । ଯଦି ମୋର ସ୍ୱାସ୍ଥ୍ୟବସ୍ଥା ଭଲନାହିଁ ତାହେଲେ କେମିତି ଏତେ ଖରା ଏବଂ ଗରମ ସତ୍ତ୍ୱେ ମୁଁ ସାରା ରାଜ୍ଯରେ ନିର୍ବାଚନ ପ୍ରଚାର କରୁଛି । କେବଳ ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି ନିର୍ବାଚନ ସମୟରେ ରୋଡ ଶୋ’ ମଧ୍ୟ କରୁଛି । ବିରୋଧୀ ବିଜେପି ଏପରି ଅପପ୍ରଚାର ନ କରି ରାଜ୍ଯର ଦାବି ପୂରଣ କରନ୍ତୁ । ବର୍ଷ ବର୍ଷ ଧରି ରାଜ୍ଯ ଦାବି କରିଆସୁଛି ସ୍ବତନ୍ତ୍ର ପାହ୍ଯା ତାହା ପୁରଣ କରନ୍ତୁ । ରାଜ୍ଯକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ଦିଅନ୍ତୁ ପ୍ରଧାନମନ୍ତ୍ରୀ । ଏହା ଦ୍ବାରା ରାଜ୍ଯବାସୀ ଉପକୃତ ହେବେ। ସେହିପରି କୋଇଲା ରୟାଲିଟି ସଂଶୋଧନ କରାଯିବା ଉପରେ ମୋଦୀ ଗୁରୁତ୍ବ ଦିଅନ୍ତୁ ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ବାରିପଦା ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାରରେ ଆସି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ଯାବସ୍ଥା ନେଇ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଦେଇଥିଲେ ଅରୁଚିକର ମନ୍ତବ୍ଯ। ଏପରିକି ସ୍ବାସ୍ଥ୍ଯାବସ୍ଥା ନେଇ ତଦନ୍ତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରରେ କହିଥିଲେ ଯେଉଁମାନେ ଏହି ଅପପ୍ରଚାର କରୁଛନ୍ତି ସେମାନଙ୍କ ସ୍ବାସ୍ଥ୍ଯାବସ୍ଥା ଯାଞ୍ଚ ଲାଗି ପ୍ରଧାନମନ୍ତ୍ରୀ କମିଟି ଗଠନ କରନ୍ତୁ । ତାଙ୍କ ସ୍ବାସ୍ଥ୍ୟ ଲାଗି ପ୍ରଧାନମନ୍ତ୍ରୀଙ୍କ ଯଦି ଏତେ ଚିନ୍ତା ଜଣେ ଭଲ ବନ୍ଧୁ ଭାବେ ସେ ତାଙ୍କୁ ଫୋନ କରିପାରିଥାନ୍ତେ। ମାତ୍ର ତାହା ନ କରି ସେ ନିର୍ବାଚନୀସଭାରେ ବିଭିନ୍ନ ବିବୃତି ଦେଉଛନ୍ତି। ଏପରି ଅପପ୍ରଚାର ପଛରେ ନପଡ଼ି ରାଜ୍ଯର ଦାବି ପୂରଣ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ।
ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି : ସସ୍ମିତ ପାତ୍ର
ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସରିବା ପରେ ବିଜେଡିକୁ ସଂଖ୍ୟା ଗରିଷ୍ଠତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 9 ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ । ବିଜେପି ଭାରସାମ୍ୟ ହରାଇ ବସିଛି । ପୀତାମ୍ବର ଆଚାର୍ଯ୍ୟ ଗତକାଲି ପ୍ରେସମିଟରେ ଯେଉଁ ତଳସ୍ତର ଭାଷା ବ୍ୟବହାର କଲେ ତାହାର ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଇସିଆଇ ମାଧ୍ଯମରେ ବିଜେପି ସଫଳତା ପାଇଲା । ଏହା ପ୍ରମାଣ କରିଦେଉଛି ଯେ ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି । ବିଜେଡି ସହ ଲଢ଼ିବାର ସତ ସାହସ ନଥିରୁ IAS, IPSଙ୍କ ବିରୋଧରେ ବିଜେପି ଲାଗୁଛି । ସେମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ଦମନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ OSD ବିନୟ ପ୍ରଧାନ ନିର୍ବାଚନରେ ପ୍ରଚାର କରିବା ନେଇ ଅଭିଯୋଗ କରିଥିଲା ବିଜେଡି । ହେଲେ କମିଶନ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । । ECIକୁ ବ୍ୟବହାର କରୁଛି ବିଜେପି । ସେମାନେ ହାରୁଛନ୍ତି ବୋଲି ହତାଶ । ବ୍ୟାକଡୋରରେ ଅଫିସରଙ୍କ ସହ କଣ ଲଢୁଛନ୍ତି ? ଧର୍ମେନ୍ଦ୍ର କି ଭାଷା ବ୍ୟବହାର କଲେ ଜଣେ ସାମ୍ବାଦିକଙ୍କ ଉପରେ । ବିଜେଡି ଚତୁର୍ଥ ସ୍ତମ୍ଭ ସହ ଅଛି ଓ ଧର୍ମେନ୍ଦ୍ର କିଛି କରି ପାରିବେ ନାହିଁ ବୋଲି ଦମ୍ଭ ଦେଇଛି ବିଜେଡି ।
ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ : ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ୱର : ବିଜେପିକୁ ନିଶାନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଲେ, ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢ। କିନ୍ତୁ ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ପାଇବ ନାହିଁ । ତୃତୀୟ ପର୍ଯ୍ଯାୟ ସୁଦ୍ଧା ବିଜେଡି ସଂଖ୍ଯାଗରିଷ୍ଠତା ପାଇଛି । ଏଥିପାଇଁ ବିଜେପି ହତାଶ ହୋଇ ଯାଇଛି। ବିଶେଷ କରି ଓଡ଼ିଶାକୁ ପ୍ରଚାର କରିବାକୁ ଆସିଥିବା ବାହାରର ନେତା ଭାବୁଛନ୍ତି, ଆମେ ଏତେ ବୁଲିଲୁ, ତଥାପି ଓଡ଼ିଶାବାସୀଙ୍କ ସହାନୁଭୂତି ନାହିଁ । ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ତେଣୁ ସେମାନେ ନବୀନଙ୍କୁ ୫ ଥର ମୁଖ୍ଯମନ୍ତ୍ରୀ କରିଛନ୍ତି। ଷଷ୍ଠ ଥର ମଧ୍ଯ ନବୀନ ମୁଖ୍ଯମନ୍ତ୍ରୀ ହେବେ। ବିଜେପିର ନେତାମାନେ ଯେଉଁ କହୁଛନ୍ତି, ଆମ ପାଇଁ ଦୁଇ ଜଣ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଗଲା, ତାହା ECI ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। କୌଣସି ପ୍ରମାଣ ନ ଥାଇ ଇସିଆଇ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ । ତେଣୁ ECI ଉପରୁ ଭରସା ଉଠି ଯାଇଛି । ପବ୍ଲିକ ସବୁ ଜାଣୁଛନ୍ତି, ସବୁ ଦେଖୁଛନ୍ତି । ଠିକ୍ ସମୟରେ ମୋହର ମାରି ସେମାନେ ଜବାବ ଦେବେ । ମାନସ ମଙ୍ଗରାଜ ଏହା ବି କହିଛନ୍ତି, ବିଜେପି ବିରୋଧରେ ଆମେ ଶହ ଶହ ପିଟିସନ କରିଛି। କିନ୍ତୁ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ନାହାନ୍ତି ECI । ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ। ଏହା ଦ୍ବାରା ECI ଙ୍କ ଉପରୁ ଆମର ଭରସା ଉଠିଛି।
ECI କୁ ଲଗାଇ ବିଜେପି ଅଫିସରଙ୍କୁ ଟାର୍ଗେଟ କରୁଛି। ଏହାର କୌଣସି ପ୍ରଭାବ ପଡ଼ିବ। ଯଦି ଦମ୍ ଅଛି ବିଜେପି ରାଜନୀତିରେ ବିଜେଡି ସହିତ ଲଢୁ ବୋଲି ଆହ୍ବାନ ଦେଇଛନ୍ତି ମାନସ ମଙ୍ଗରାଜ । ବିଜେପିର ନେତାମାନେ ଏଥର ନିର୍ବାଚନକୁ ନିମ୍ନସ୍ତରକୁ ନେଇ ଯାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ଯ ଦେଇଛନ୍ତି । ମୁଖ୍ଯମନ୍ତ୍ରୀ କି ବିଜେଡି କେବେ ବି କାହା ପ୍ରତି କଟୁ ଭାଷା ପ୍ରୟୋଗ କରେ ନାହିଁ । କାରଣ ଆମର ସଂସ୍କାର ସେମିତି ନୁହେଁ । ଏହାର ଜବାବ ଲୋକେ ଦେବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଜୁନ ୪ ତାରିଖରେ ଲୋକଙ୍କ ଜବାବ ଜଣାପଡ଼ିବ ବୋଲି ମାନସ ମଙ୍ଗରାଜ କହିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନ ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମ ଝଟକା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଜାମିନ ଆବେଦନ ଅବଧି ବୃଦ୍ଧି କରିବା ଆବେଦନକୁ ଖାରଜ କରିଛନ୍ତି। ଜାମିନ ଅବଧି ବୃଦ୍ଧି କରିବା ନେଇ ଆବେଦନ ସୁପ୍ରିମକୋର୍ଟ ପଞ୍ଜୀକରଣ ଗ୍ରହଣ ହୋଇନଥିଲା। ସୁପ୍ରିମକୋର୍ଟ ରେଜିଷ୍ଟ୍ରୀ କେଜରିୱାଲଙ୍କ ଆବେଦନ ଗହଣ କରିବାକୁ ମନା କରିଥିଲେ। ଫଳରେ କେଜରିୱାଲ କରିଥିବା ୭ ଦିନ ରିମାଣ୍ଡ ଅବଧି ବୃଦ୍ଧି ଆବେଦନ ଖାରଜ ହୋଇଯାଇଛି।
ବର୍ତ୍ତମାନ କେଜରିୱାଲଙ୍କୁ ଆସନ୍ତା ୨ ତାରିଖରେ କୋର୍ଟରେ ସରେଣ୍ଡର କରିବାକୁ ପଡିବ। ଟ୍ରାଏଲ କୋର୍ଟରେ ଜାମିନ ଆବେଦନ ଲାଗି କେଜରିୱାଲଙ୍କୁ ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। କେଜରିୱାଲ ତାଙ୍କର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ମିଳିଥିବା ଜାମିନକୁ ଆହୁରି ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ। ଗତ ୧୦ ତାରିଖରେ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।
ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟର ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗତ ୨୧ ମାର୍ଚ୍ଚରେ ମାମଲାରେ ଗିରଫ କରିଥିଲା ଇଡି। ମାମଲାରେ ପୂର୍ବରୁ କେଜରିୱାଲଙ୍କୁ ୯ଟି ସମନ ଜାରି କରିଥିଲା। ଏହା ସତ୍ଵେ ଇଡି ନିକଟରେ ହାଜର ହୋଇନଥିଲେ କେଜରିୱାଲ। ଏହାପରେ ତାଙ୍କୁ ଗିରଫ କରିଥିଲା ଇଡି।
ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ ପଟ୍ଟନାୟକଙ୍କ ଜବାବ। ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି
ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ବନ୍ଯା, ବାତ୍ଯାରେ ସବୁବେଳେ ମୁଁ ଆପଣଙ୍କ ପଛରେ ଅଛି । ଶେଷ ପର୍ଯ୍ଯନ୍ତ ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଥିବି ।
ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ଯକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।
ବିଶେଷ କରି ମାଆମାନେ ଓ ଯୁବ ପୀଢ଼ି ଏହି ଅସମ୍ମାନର ଜବାବ ଜୁନ ୧ ତାରିଖରେ ହେବାକୁ ଥିବା ଭୋଟରେ ଦେବେ । ମାଆମାନଙ୍କ ଆଶୀର୍ବାଦ ସବୁବେଳେ ଓଡ଼ିଶା ସହିତ ରହିଛି ।

