spot_img
Home Blog Page 1997

ତ୍ରିକୋଣୟୀ ପ୍ରେମରୁ ହତ୍ୟା ଘଟଣା, ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଭୁବନେଶ୍ବର: ଭୁବନେଶ୍ବର ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ମାମଲା । ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ବି ପୋଲିସ ହାତ ଖାଲି । ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ପୋଲିସ ।

ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର ଅଞ୍ଜନ । ସାଙ୍ଗକୁ ରକ୍ଷା କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣ ଶିକାର ହୋଇଥିଲେ । ଶୁକ୍ରବାର ରାତିରେ ଅଭିଯୁକ୍ତ ପିଙ୍କୁ ଓ ପ୍ରେମିକା ନିହାରିକା ପୁରୁଣା ପ୍ରେମିକ ଗୌତମକୁ ଡକାଇଥିଲେ । ଗୌତମ ରାତି ଅଧରେ ଏକା ନଆସି ନିଜ ସାଙ୍ଗ ଅଞ୍ଜନ ବେହେରାଙ୍କୁ ସାଙ୍ଗରେ ନେଇ ଆସିଥିଲେ । ଅଞ୍ଜନ ଓ ଗୌତମ ପହଁଚିବା ମାତ୍ରେ ଯୁବତୀଙ୍କ ଉପସ୍ଥିତିରେ ପିଙ୍କୁ ଖଣ୍ଡା କାଢି ଭାଇଗିରି ଦେଖାଇଥିଲା । ରାଗରେ ଜର୍ଜରିତ ହୋଇ ଗୌତମଙ୍କ ଉପରକୁ ଚୋଟ ପକାଇଥିଲା । ଯେଉଁଥିରେ ଗୌତମ ଅଳ୍ପକେ ବତ୍ତି ଯାଇଥିଲେ, କିନ୍ତୁ  ପ୍ରାଣ ହରାଇଥିଲେ ଅଞ୍ଜନ ।

ପ୍ରେମିକ ସହିତ ଫେରାର ହେଉଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ଯବୁତୀ ଜଣକ । ସେପଟେ ଲକ୍ଷ୍ମୀସାଗର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅଧାରରେ ତଦନ୍ତ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ, ଗାର୍ଲଫ୍ରେଣ୍ଡ ନିହାରିକା ଓ ୪ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।

କ୍ରିକେଟ ଖେଳିବାକୁ ଯାଇ ଯୁବକ ନିଖୋଜ, ଫଟୋ ଧରି ଖୋଜୁଛି ଭିନ୍ନକ୍ଷମ ବାପା

ଭୁବନେଶ୍ବର: ମନୋଜ ନାୟକ । ବୟସ ୧୯ । କ୍ରିକେଟ ଖେଳିବାକୁ ଯାଇ କେଉଁ ଆଡେ ଚାଲିଯାଇଛି । ଏପଟେ ପୁଅର ଫେରିବା ଚିନ୍ତାରେ ପରିବାର ଲୋକେ । ପୁଅର ଫଟୋ ଧରି ରାଜଧାନୀର ଏ ଗଳିରୁ ସେ ଗଳି ବୁଲି ବୁଲି ପୁଅକୁ ଖୋଜୁଛି ମୂକ, ବଧିର ବାପା ।

ରାଜଧାନୀରେ କିଛିଦିନ ହେବ ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା । ପୁଅକୁ ବୁଲି ବୁଲି ଖୋଜୁଛନ୍ତି ଭିନ୍ନକ୍ଷମ ବାପା । ଇସାରା ଇସାରାରେ ପୁଅ ଫେରିବା ବୋଲି କହୁଛନ୍ତି ବାପା ।

ସୂନାଯୋଗ୍ୟ, ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କୋଡ଼ିକିପଦର ମନୋଜ । ପରିବାର ସହ ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ସ୍କୋୟାରର ପ୍ରକୃତି ବିହାରଠାରେ ଭଡା ଘରେ ରହୁଥିଲେ । ନିକଟସ୍ଥ ଏକ କ୍ରିକେଟ୍ କ୍ଲବକୁ ଖେଳିବାକୁ ଯାଉଥିଲେ । ଗତକିଛି ହେବ କ୍ରିକେଟ ଖେଳିବାକୁ ଯାଇ ଆଉ ଫେରିନାହାନ୍ତି । ସେପଟେ ମୁକ ଓ ବଧିର ବାପା ଖଣ୍ଡଗିରି ଥାନାରେ ଏତଲା ଦେବା ସହ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି । ଇସାରାରେ କହିଛନ୍ତି ମୋର ଆଇନ ଉପରେ ଭରସା ଅଛି, ନିଶ୍ଚିତ ମୋ ପୁଅ ମୋ ପାଖୁ ଫେରି ଆସିବ ।

ମଦ ଦୁର୍ନୀତି ମାମଲା: କେଜ୍ରିଓ୍ବାଲଙ୍କୁ ଇଡିର ୯ମ ନୋଟିସ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ପଠାଇଲା ନୋଟିସ । ଏହାକୁ ମିଶାଇ ଇଡି କେଜ୍ରିଓ୍ବାଲଙ୍କୁ ୯ ଥର ସମନ ପଠାଇ ସାରିଲାଣି । ମେ’ ୨୧ ତାରିଖରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ କୁହାଯାଇଛି । ଗତ ନୋଟିସରେ ହାଜର ନହେବା ମାମଲାରେ ଶନିବାର ଦିଲ୍ଲୀର ଏକ କୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା ।

ଗତକାଲି କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିବା ବେଳେ ଆଜି ପୁଣି ତାଙ୍କୁ ନୋଟିସ ଜାରି କରିଛି ଇଡି । ସୂଚନାଯୋଗ୍ୟ, ୨୦୨୩ ନଭେମ୍ବର ୨ ତାରିଖରେ କେଜ୍ରିଓ୍ବାଲଙ୍କୁ ପ୍ରଥମ ଇଡି ନୋଟିସ ହୋଇଥିଲା । ଏହାପରେ ନଭେମ୍ବର ୨୧, ଜାନୁଆରୀ ୩ ଓ ୧୮, ଫବୃଆରୀ ୨, ୧୯, ୨୬ ଓ ମାର୍ଚ୍ଚ ୪ ତାରିଖରେ ନୋଟିସ ପଠାଇଥିଲା ଇଡି ।

ମହିଳା ପ୍ରିମିୟମ ଲିଗ୍: ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ ଟକ୍କର

ନୂଆଦିଲ୍ଲୀ: ମହିଳା ପ୍ରିମିୟମ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ ଆଜି ହେବ ଫାଇନାଲ ଫାଇଟ । ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ । ରୋମାଞ୍ଚକ ଭାବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ହରାଇ ଫାଇନାଲରେ ପହଞ୍ଚିଛି ଆରସିବି । କ୍ୟାପିଟାଲ୍ସ ଦଳ କ୍ରମାଗତ ଭାବେ ଦ୍ବିତୀୟ ଥର ଫାଇନାଲ ଖେଳିବାକୁ ଯାଉଛି । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ ଖେଳିବ । ସୀମିତ ସମୟ ମଧ୍ୟରେ ଅଗଣିତ ଫ୍ୟାନ୍ ସୃଷ୍ଟି କରି ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ଆରସିବି ।

ମେଗା ଲ୍ୟାନିଂଙ୍କ ନେତୃତ୍ବାଧୀନ କ୍ୟାପିଟାଲ୍ସ ଗତବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ଏଥର ଦଳ ଲିଗ୍ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା । ସେପଟେ ଫାଇନାଲରେ ପହଞ୍ଚିବାକୁ ବହୁ ସଂଘର୍ଷ କରିଥିଲା ଆରସିବି । ମୁମ୍ବାଇ ଇଣ୍ଡିଆନ୍ସକୁ ଏଲିମିନେଟର ମୁକାବିଲାରେ ହରାଇ ଆରସିବି ଫାଇନାଲରେ ଏଣ୍ଟ୍ରି ମାରିଛି । ଏବେ ଟାଇଟଲ ହାସଲ ଲକ୍ଷ୍ୟରେ ସ୍ମୃତି ମନ୍ଧନାଙ୍କ ଦଳ । ପ୍ରଶଂସକ ମଧ୍ୟ ମନ୍ଧନାଙ୍କ ଦଳ ସହ ରହିଛନ୍ତି । ମନ୍ଧନାଙ୍କ ବ୍ୟାଟିଂ ଦେଖିବାକୁ ପୁରା ଭାରତୀୟ କ୍ରିକେଟ ପ୍ରେମୀ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଧୋନୀ ଓ କୋହଲି ସାବଧାନ: IPL ଓପନିଂ ମ୍ୟାଚ ଇତିହାସ ସହ ରହିଛି ବଡ଼ ଦୁର୍ଭାଗ୍ୟ

ନୂଆଦିଲ୍ଲୀ: ୨୨ ମାର୍ଚ୍ଚକୁ ଅପେକ୍ଷା । ଆରମ୍ଭ ହେବ IPL ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଏବଂ ବିରାଟ କୋହଲି ଷ୍ଟାରର ତଥା ଫାଫ ଡୁ ପ୍ଲେସିସ ନେତୃତ୍ବରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ । ଧୋନୀଙ୍କ ଚ୍ୟାଲେଞ୍ଜକୁ ଫେସ କରିବା କୋହଲିଙ୍କ  ଆରସିବି ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ଆଉ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ପ୍ରଥମ IPL ଟ୍ରଫି ଜିତିବା । ହେଲେ କୋହଲି ଓ ଡୁପ୍ଲେସିସଙ୍କ ଟିମ ପରାଜୟରୁ IPL ଆରମ୍ଭ କରିବାକୁ ଚାହିଁବେ ନାହିଁ । ବେଙ୍ଗାଲୁରୁ ୨୦୦୯, ୨୦୧୧ ଓ ୨୦୧୬ରେ ସବର୍ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଫାଇନାଲକୁ ଯାଇଥିଲେ ବି ଟ୍ରଫି ଉଠାଇ ପାରିନି । ଆଉ ୨୦୨୪ IPL ଆରମ୍ଭ ହେବା ପୂର୍ବରୁ ସିଏସକେ ଓ ଆଣସିବି ପାଇଁ କିଛି ଆଶ୍ଚର୍ଯ୍ୟ କରିବା ଭଳି ପରିସଂଖ୍ୟନ ଆସୁଛି ।

କହି ରଖୁଛୁ, ୨୦୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ଟି ସିଜିନ ଖେଳାଯାଇ ସାରିଛି । ଏଥିରୁ ମାତ୍ର ୫ ଥର ପ୍ରଥମ ମ୍ୟାଚ୍ ଖେଳିଥିବା ଟିମ ଚାମ୍ପିୟନ ହୋଇପାରିଛି । ଏଥିରୁ ସେହି ଟିମ୍ ୩ ଥର ଜିତିଛି ଯିଏ ପ୍ରଥମ ମ୍ୟାଚ ଜିତିଛି । ଅନ୍ୟପକ୍ଷେ ପ୍ରଥମ ମ୍ୟାଚ ହାରିଥିବା ଟିମ୍ ମାତ୍ର ଦୁଇଥର ଟ୍ରଫି ଜିତି ପାରିଛି । ଆଉ ଏହି ପରିସଂଖ୍ୟନ ଧୋନୀ ଏବଂ କୋହଲିଙ୍କ ସପକ୍ଷରେ ବହୁତ କମ ନଜର ଆସୁଛି । ଏମିତି ସ୍ଥଇତିରେ ଉଭୟଙ୍କୁ ଅଧିକ ସତର୍କ ହେବାକୁ ପଡିବ ।

ରାଫା ଆଟାକ୍ ପ୍ଲାନକୁ ଇସ୍ରାଏଲ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ଗାଜା । ଯେଉଁଠିକୁ ଚାହିଁବେ ସେଠି କେବଳ ଗଦା ଗଦା ଧ୍ବଂସାବଶେଷ । ଦିନ ଗଡୁଛି, ଇସ୍ରାଏଲର ଆକ୍ରମଣ ବଢୁଛି । ଯାଉଛି ଜୀବନ, ମାଟିରେ ମିଶୁଛି ଘରଦ୍ବାର । ଏହାରି ଭିତରେ ଗାଜା ପାଇଁ ଆସିଛି ଆଉ ଏକ ଭୟାନକ ଖବର । ରାଫା ଆଟାକ ପ୍ଲାନକୁ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟୁହୁ ମଞ୍ଜୁରୀ ଦେଇଛନ୍ତି । ଇସ୍ରାଏଲ ଓ୍ବାର କ୍ଯାବିନେଟ ବୈଠକରେ ଏହି ଘୋଷଣା କରିଛନ୍ତି ନେତାନ୍ଯାହୁ ।

ନେତାନ୍ୟାହୁଙ୍କ ଘୋଷଣା ପରେ ରାଫାରେ ସ୍ଥିତି ଅଧିକ ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣେ ହମାସ ଦେଇଥିବା ଅସ୍ତ୍ର ବିରତି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ନେତାନ୍ୟାହୁ । ପାଲେଷ୍ଟିନୀୟ ପଣବନ୍ଦୀଙ୍କ ମୁକ୍ତି ବଦଳରେ ଇସ୍ରାଏଲୀ ଶିଶୁ, ମହିଳା, ବୟସ୍କଙ୍କୁ ମୁକ୍ତି ଦିଆଯିବ ବୋଲି ହମାସ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି । ଗତ ଅକ୍ଟୋବର ୭ ତାରିଖ ଆକ୍ରମଣ ପରେ ହମାସ ନିକଟରେ ୨୫୦ରୁ ଅଧିକ ଇସ୍ରାଏଲୀ ଓ ବିଦେଶୀ ପଣବନ୍ଦୀ ରହିଥିବା କୁହାଯାଉଛି । ପଣବନ୍ଦୀଙ୍କ ମୁକ୍ତି ଲାଗି ବହୁ ରାଷ୍ଟ୍ର ପକ୍ଷରୁ ଚାପ ପକାଯାଉଥିଲେ ବି ବିଶେଷ ଅଗ୍ରଗତି ହୋଇପାରୁନାହିଁ ।

ସେପଟେ ଗାଜାଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣରେ ଗତ ୩ ଦିନ ମଧ୍ୟରେ ୫୬ ଜଣ ଲୋକ ପ୍ରାଣ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଇଜିପ୍ଟ ଓ କତାରକୁ ହମାସ ପକ୍ଷରୁ ଦିଆଯାଇଥିବା ଏକ ମଧ୍ୟସ୍ଥତା ପ୍ଲାନକୁ ବି ଅଗ୍ରାହ୍ୟ କରି ଦେଇଛି ଇସ୍ରାଏଲ ।

ଆଜି ସରିବ ଋଷ ରାଷ୍ଟ୍ରପତି ନିର୍ବାଚନ, ପୁଟିନଙ୍କ ବିଜୟ ନିଶ୍ଚିତ

ନୂଆଦିଲ୍ଲୀ: ବାଦବିବାଦ ମଧ୍ୟରେ ଆଜି ସରିବ ଋଷ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନକୁ ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ କରାଯାଇଥିବାବେଳେ ଭ୍ଲାଦିମିର ପୁଟିନ ବଞ୍ଚିଥିବା ଯାଏଁ ରାଷ୍ଟ୍ରପତି ରହିବାକୁ ଚାହାଁନ୍ତି ବୋଲି କହିଛନ୍ତି ବିଭିନ୍ନ ସାମାଜିକ ଅଧିକାର ଓ ଦୁର୍ନୀତି ବିରୋଧୀ ସଂଗଠନ ।

ନିର୍ବାଚନକୁ ଏକ ଫାର୍ସ କହିଛନ୍ତି ଅନେକ ସଂଗଠନ । ୧୯୯୯ରୁ ଋଷର ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଆସୁଛନ୍ତି ପୂର୍ବତନ କେଜିବି ଏଜେଣ୍ଟ । ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହେଉଛି । ୭୧ ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ରହିଛି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି ।

ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାର ମାଧ୍ୟମରେ ୯ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ନୟାଗଡ ଭିଜିଲାନ୍ସ  । ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ  ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ  ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ  ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ହଜାର ଟଙ୍କା ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ୯ହଜାରଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ , ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି  ।

ଆସନ୍ତା ୧୮ରେ ଚକ ଅଖ ବନ୍ଦ କରିବ ଟ୍ରକ ମାଲିକ ସଂଘ

କେନ୍ଦୁଝର: ଆସନ୍ତା ୧୮ରେ ଚକ ଅଖ ବନ୍ଦ କରିବ ଟ୍ରକ ମାଲିକ ସଂଘ । ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲକ ସଂଘ ଏନେଇ ସୂଚନା ଦେଇଛି । କେନ୍ଦୁଝର ଶୁଆକାଟିସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସଠାରୁ ଗୁହାଳଡିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ବିଚ୍ଛାଇବା ପାଇଁ କେନ୍ଦ୍ର ଅନୁମୋଦନ କରିଛି । ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ବାରା ଟ୍ରକ ମାଲିକ ମାନେ କ୍ଷତି ସହିବା ସହ ଜିଲ୍ଲାର ଅର୍ଥନୀତି ପ୍ରଭାବିତ ହେବ ବୋଲି ସଂଘ କହିଛି । ଏଣୁ କ୍ଷୋଭ ପ୍ରକାଶ କରିବା ସହ ପ୍ରତିବାଦରେ ଆସନ୍ତା ୧୮ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ଟ୍ରକ ମାଲିକ ସଂଘ । ତେବେ ଆନ୍ଦୋଳନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ , ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ସହ ମେଡ଼ିକାଲକୁ ଯାଉଥିବା ରୋଗୀ ଯେପରି କୌଣସି ସମସ୍ୟା ଭୋଗିବେନି ସେନେଇ ପଦକ୍ଷେପ ନିଆଯିବ ।

ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀରୁ ୨ ଭଉଣୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଆରଡି ଫାଣ୍ଡି ଅଧିନସ୍ଥ ମୁଆଁ ଗାଁର ବାପିନ ଦାସଙ୍କ ଝିଅ ବର୍ଷାରାଣୀ ଦାସ ଓ ପିତାମ୍ବର ଦାସଙ୍କ ଝିଅ ଭୂମିକା ଦାସ ।  ଗତ ଶୁକ୍ରବାର ଠାରୁ ଉଭୟେ ନିଖୋଜ ରହିଥିଲେ । ଶନିବାର ଅପରାହ୍ଣରେ ପୃଥକ ଭାବେ ବୈତରଣୀନଦୀର କଇଁଗୋଲା ଘାଟରୁ ବର୍ଷାରାଣୀକୁ ଉଦ୍ଧାର କରାଯାଇଥିବା ବେଳେ  ମୁଆଁ ଘାଟରୁ  ଭୂମିକାକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ । ବର୍ଷାରାଣୀ ଚଳିତବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଭୂମିକା ✝︎୨ ପରୀକ୍ଷା ଦେଇଥିଲେ । କେଉଁ କାରଣ ପାଇଁ  ୨ ଭଉଣୀ ବୈତରଣୀ ନଦୀକୁ ଯାଇଥିଲେ ତାହାର କାରଣ ଅଷ୍ପଷ୍ଟ ରହିଛି । ଆରଡି ପୁଲିସ ଓ ମଙ୍ଗଳପୁର ପୁଲିସ ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।