spot_img
Home Blog Page 2005

ଆଜି ପୁଣି ଥରେ ବରଗଡରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ

ବରଗଡ଼: ବରଗଡରୁ ପୁଳାପୁଳା ଟଙ୍କା ଜବତ । ଗତକାଲି ୧୦ ଲକ୍ଷ ପରେ ଆଜି ପୁଣି ୬ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଡଭା ଛକରେ ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮ ଶହ ଟଙ୍କା ଜବତ କରିଛି ଝାରବନ୍ଧ ଥାନା ପୋଲିସ । ବଲାଙ୍ଗୀରର ମିତ୍ରଭାନୁ ସାହୁ ଓ ମନୋଜ ସାହୁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି ।

ଉଭୟଙ୍କ ଠାରୁ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଗତକାଲି ହଲଦିପାଲି ଠାରେ ପୋଲିସ୍ ପକ୍ଷରୁ ନାକା ଚାଲିଥିବା ବେଳେ ଏକ ପିକଅପ୍ ଭ୍ଯାନରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ବରପାଲିରୁ ସମ୍ୱଲପୁର ଯାଉଥିବା ବେଳେ ହଳଦୀପାଲି ଛକ ଠାରେ ପୋଲିସ ଭ୍ଯାନ ଯାଞ୍ଚ କରିବା ସମୟରେ ଟଙ୍କା ଜବତ କରିଥିଲା । ତେବେ ଏତେ ଟଙ୍କା କୋଉଠୁ ଆସୁଛି, ଆଉ କେଉଁ ଉଦ୍ଦେଶ୍ଯରେ ଆସୁଛି ସେନେଇ ସସପେନ୍ସ ଲାଗି ରହିଛି । ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।

ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେ

ନାଗପୁର: ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ତଥା ଗିନିଜ ଓ୍ବାଲ୍ଡ ରେକର୍ଡଧାରୀ ଜ୍ୟୋତି ଆମଗେ । ଶୁକ୍ରବାର ସକାଳୁ ମହାରାଷ୍ଟ୍ର ନାଗପୁରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଛନ୍ତି । ସରକାରୀ ନିୟମ ଅନୁଯାୟୀ ନିଜର ପରିଚୟ ପତ୍ର ଧରି ବୁଥ ନିକଟରେ ପହଞ୍ଚିଯାଇଥିଲେ ଜ୍ୟୋତି ।

ସାଧାରଣ ଭୋଟରଙ୍କ ପରି ସେ ମଧ୍ୟ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ତାଙ୍କ କ୍ରମାଙ୍କ ଆସିବା ପରେ ସମସ୍ତ ଭୋଟିଂ ପ୍ରକ୍ରିୟା ପୂରଣ କରି ମତଦାନ କରିଥିଲେ । ପରେ ପରେ ବୁଥ ବାହାରକୁ ଆସି କାଳିଲଗା ଆଙ୍ଗୁଠି ପ୍ରଦର୍ଶନ କରିଥିଲେ । ତେବେ ଏଠାରେ କହିରଖୁ ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାମଟେକ, ନାଗପୁର, ଭଣ୍ଡାରା- ଗୋଣ୍ଡିଆ, ଗାଡଚିରୋଲି – ଚିମୁର ଓ ଚନ୍ଦ୍ରପୁରର ପାଞ୍ଚଟି ଆସନ ପାଇଁ ମତଦାନ ହେଉଛି ।

NH ୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା

ଭୁବନେଶ୍ବର: ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ଲୋକଙ୍କୁ ମିଳୁନି ଲକ୍ଷ୍ମୀ ବସର ଉପକାରିତା । ସାରା ରାଜ୍ଯ ଲକ୍ଷ୍ମୀ ବସର ସୁଫଳତା ପାଉଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଲୋକମାନେ ଏହି ସେବା ଭଲରେ ପାଇପାରୁନାହାନ୍ତି । ଅତ୍ଯାଧୁନିକ ଏସି ବିଶିଷ୍ଟ ଲକ୍ଷ୍ମୀ ବସରେ ବି ଆରାମଦାୟକ ଯାତ୍ରା କରିପାରୁନାହାନ୍ତି ଜନସାଧାରଣ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି ।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲାକୁ ସଂଯୋଗ କରିବାରେ ଭାରତର ସବୁଠୁ ଭଲ ଯୋଜନା ହେଉଛି ଲକ୍ଷ୍ମୀ । ଲକ୍ଷ୍ମୀ ବସ ଦ୍ବାରା ରାଜ୍ଯର ଶତପ୍ରତିଶତ ଗାଁ ଉପକୃତ ହୋଇଛି । ଏହି ଯୋଜନାରେ ୧୬୦୦ରୁ ଅଧିକ ବସ ଚାଲୁଛି । ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ ଶ୍ରୀକ୍ଷେତ୍ରକୁ ଯାଉଛି । ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ିହେବା ସହ ୩୨ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ସାରା ଓଡ଼ିଶାରେ ଗାଁ ଗୁଡ଼ିକରେ ୯ ହଜାରରୁ ଅଧିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ଗଡ଼ିବା ଫଳରେ ମାଆ, ବରିଷ୍ଠ ନାଗରିକ ବେଶ୍ ଉପକୃତ ହେଉଛନ୍ତି । ମହିଳା, ଛାତ୍ରଛାତ୍ରୀ, ଦିବ୍ଯାଙ୍ଗମାନେ ମାତ୍ର ୫ ଟଙ୍କାରେ ଯାତାୟାତ କରୁଛନ୍ତି । ଜଗନ୍ନାଥ ଏକ୍ସପ୍ରେସ ବସରେ ବି ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦିଆଯାଉଛି । ଲକ୍ଷ୍ମୀ ବସକୁ ନେଇ ସମସ୍ତେ ଖୁସି ରହିଥିବାବେଳେ ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳରେ ଖୁସି ପାଣିଚିଆ ହୋଇଯାଉଛି । କାରଣ ୫୫ ନମ୍ବର ଜାତୀୟ ରାଜପଥରେ ଯିବା ସମୟରେ ଲୋକମାନେ ଅସୁବିଧା ଭୋଗୁଛନ୍ତି ।

ଭଲ ବସ ହୋଇଥିଲେ ବି ମରଣଯନ୍ତା ରାସ୍ତା ଯୋଗୁ ଆରାମଦାୟର ଯାତ୍ରା ସମ୍ଭବ ହୋଇପାରୁନି । ସବୁବେଳେ ଦୁର୍ଘଟଣା ଭୟ ମଧ୍ଯ ଲାଗି ରହୁଛି । ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ବିଫଳତା ଯୋଗୁ ହେଉଛି ବୋଲି କହି ସମାଲୋଚନା କରିଛନ୍ତି ସସ୍ମିତ । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ଯ ସାମାନ୍ଯ ରାସ୍ତାକାମ କରିପାରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ଉପେକ୍ଷା କାରଣରୁ ଲୋକମାନେ ଆଜି ସମସ୍ଯା ଭୋଗୁଛନ୍ତି ।

ଭୋଟର ଆଇଡି ହଜିଯାଇଛି କି ? ଏହି ୧୧ଟି ପରିଚୟ ପତ୍ର ଥିଲେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ମତଦାନ ଚାଲିଛି  । ଆଜି ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରୁଛନ୍ତି ମତଦାତା  । ଏଭଳି ସ୍ଥିତିରେ ଯଦି ଆପଣଙ୍କ ଭୋଟର ଆଇଡି କେଉଁଠି ହଜିଯାଇଛି ବା ଆପଣ ପାଉନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ନିର୍ବାଚନ ଆୟୋଗ ଆପଣଙ୍କ ପାଇଁ ୧୧ ପ୍ରକାରର ବିକଳ୍ପ ବ୍ୟବସ୍ଥା କରିଛନ୍ତି  । ଏହି ବିକଳ୍ପ ସବୁ ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଉପଲବ୍ଧ ରହିଛି  । ଯଦି ଏହି ଦସ୍ତାବିଜ ସହ ଆପଣ ପୋଲିଂ ବୁଥକୁ  ଯିବେ ତେବେ ମତଦାନ କରିବା ପାଇଁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ  ।

 

ଆପଣ ନିଜ ଆଧାର କାର୍ଡକୁ ଭୋଟର ଆଇଡି ରୂପେ ବ୍ୟବହାର କରିପାରିବେ  । ଭୋଟର ଆଇଡି ନଥିଲେ ଆପଣ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ୧୧ ପ୍ରକାର ଫଟୋ ଆଇଡି ଦସ୍ତାବିଜ ମଧ୍ୟରୁ କୌଣସି ଗୋଟିଏ କାର୍ଡ ଦ୍ବାରା ଭୋଟ ଦେଇପାରିବେ  । ଆପଣଙ୍କ ପାଖରେ ଯଦି ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ,, କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପରିଚୟ ପତ୍ର, ପିଏସୟୁ କମ୍ପାନୀ ଦ୍ବାରା ଜାରି ଆଇ କାର୍ଡ, ବ୍ୟାଙ୍କ ପୋଷ୍ଟ ଅଫିସରୁ ଜାରି ଫଟୋଯୁକ୍ତ ପାସବୁକ, ଫଟୋ ସହ ପେନସନ ଡକ୍ୟୁମେଣ୍ଟ, ପ୍ୟାନ କାର୍ଡ, ଏନପିଆର ଜରିଆରେ RGIରୁ ଜାରି ସ୍ମାର୍ଟକାର୍ଡ, ମନରେଗା ଜବ କାର୍ଡ, କେନ୍ଦ୍ର ସରକାରଙ୍କ ଯୋଜନାରେ ଜାରିସ୍ବାସ୍ଥ୍ୟବୀମା ସ୍ମାର୍ଟ କାର୍ଡ ଓ ସାଂସଦ ବିଧାୟକ ଓ ଏମଏଲସିଙ୍କ ପାଇଁ ଜାରି ଅଧିକାରିକ ଆଇକାର୍ଡ ଥିଲେ ଆପଣ ଭୋଟ ଦେଇପାରିବେ  ।

 

ଆପଣଙ୍କ ପାଖରେ ଭୋଟର ଆଇଡି ଥିଲେ କେବଳ ଆପଣ ଭୋଟ ଦେବା ପାଇଁ ଯୋଗ୍ୟ ତାହା ନୁହେଁ  । ଭୋଟ ଦେବା ପାଇଁ ଆପଣଙ୍କ ନାମ ମତଦାତା ତାଲିକାରେ ରହିବା ଆବଶ୍ୟକ  । ଦି ଆପଣଙ୍କ ନାମ ମତଦାତା ତାଲିକାରେ ନାହିଁ ତେବେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ୧୧ଟି ପରିଚୟ ପତ୍ର ମଧ୍ୟରୁ ଆପଣଙ୍କ ପାଖରେ କୌଣସି ବି କାର୍ଡ ଥିଲେ ଭୋଟ ଦେବାକୁ ଅନୁମତି ମିଳିବ ନାହିଁ  ।

ସକାଳ ସାଢେ ୮ଟା ସୁଦ୍ଧା ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ସାରା ରାଜ୍ଯରେ ଅସମ୍ଭାଳ ତାତି। ଆକାଶରୁ ବର୍ଷୁଛି ନିଆଁ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ଯସ୍ତ ଜନଜୀବନ । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ଯ ଗୁଳୁଗୁଳି। ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା। ତାଳଚେରରେ 35 ଡିଗ୍ରୀ , ଭବାନୀପାଟଣାରେ 34.5ଡିଗ୍ରୀ, ଟିଟିଲାଗଡ଼ରେ 33.4ଡିଗ୍ରୀ, ଝାରସୁଗୁଡାରେ 33ଡିଗ୍ରୀ, ବାରିପଦାରେ 33 ଡିଗ୍ରୀ, ବାଲେଶ୍ୱରରେ 32.2ଡିଗ୍ରୀ, ଭୁବନେଶ୍ୱରରେ 31.8ଡିଗ୍ରୀ, ଚାନ୍ଦବାଲିରେ 31.6ଡିଗ୍ରୀ, କେନ୍ଦୁଝରରେ 31.6ଡିଗ୍ରୀ, ସମ୍ବଲପୁରରେ 31.6ଡିଗ୍ରୀ, ପୁରୀରେ 31ଡିଗ୍ରୀ, ବୌଦ୍ଧରେ 31ଡିଗ୍ରୀ, ରାଉରକେଲାରେ 30.8ଡିଗ୍ରୀ, ପାରାଦୀପରେ 30.6ଡିଗ୍ରୀ ତାପମାତ୍ରା ରହିଛି।

ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଛି ଜଳଛତ୍ର ଓ ସେବା କେନ୍ଦ୍ର। ୧୧ଟା ପରେ ବେପାର ନଥିବାରୁ ଦୋକାନ ସବୁ ବନ୍ଦ ହୋଇଯାଉଛି। ତେବେ ଥଣ୍ଡା ପାନୀୟ ଦୋକାନରେ ଲାଗୁଛି ଭିଡ଼।

ରାଜଧାନୀରେ କ୍ରୀଡା ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର: କ୍ରୀଡା ସାମ୍ବାଦିକ ସରୋଜ ଜେନାଙ୍କୁ ମରଣାନ୍ତକ ଆକ୍ରମଣ। ରସୁଲଗଡ଼ ଅଞ୍ଚଳରେ ଥିବା ଅଫିସରୁ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ କିଛି ମଦ୍ୟପ ଯୁବକ କରିଛନ୍ତି ଆକ୍ରମଣ। ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ସ୍କୁଟିରେ ୩ ଜଣ ଆସି ପ୍ରଥମେ ସାଇଡ଼ ମାରିଲେ ।ଏହାପରେ ସରୋଜ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ।

ରାସ୍ତାରେ ପଡ଼ିଥିବା ଇଟା ପଥର ଉଠାଇ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହା ଦ୍ବାରା ସରୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସରୋଜ। ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଛି।

ମା’ ସମଲେଇଙ୍କ ଆଶୀର୍ବାଦ ନେଇ ସମ୍ବଲପୁର ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ

ସମ୍ବଲପୁର: ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସକାଳୁ ସକାଳୁ ତାଳବ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ସେ ମନ୍ଦିରକୁ ଯାଇଥିଲେ । ଜନସାଧାରଣ ପ୍ରଣବଙ୍କୁ ସ୍ବାଗତ କରିବା ସହ ବାଜାବାଣରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ଏହାପରେ ପ୍ରଣବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।

ନିର୍ବାଚନ ପାଇଁ ମାଆଙ୍କଠାରୁ ଆଶିଷ ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଦୁଆର ଦୁଆର ବୁଲି ଲୋକଙ୍କ ନିକଟତର ହୋଇ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଣବ । ସବୁ ବର୍ଗର ଲୋକ ପ୍ରଣବଙ୍କୁ ପାଛୋଟି ନେବା ସହ ମହିଳାମାନେ ଫୁଲ ପକାଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତି ପ୍ରଣବଙ୍କ ପ୍ରତି ସମ୍ବଲପୁରର ଭଲପାଇବାକୁ ପ୍ରତିପାଦିତ କରୁଥିଲା ।

ସାହି ସାହି ବୁଲିବା ସହ ଗାଁ କୋଠ ଘରେ ପ୍ରଣବ ବସି ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ଯାର ସମାଧାନ ପାଇଁ ପ୍ରଣବ ପ୍ରତିଶୃତି ଦେଇଥିଲେ । ଏହାପରେ ମାଆମାନଙ୍କୁ ଭେଟି ସୁବିଧାଅସୁବିଧା ପଚାରି ବୁଝିଥିଲେ ପ୍ରଣବ । ପ୍ରଣବ କହିଛନ୍ତି, ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି । ମୁଖ୍ଯମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ଗ୍ରହଣ କରି ସମର୍ଥନ ଅଜାଡ଼ି ଦେଉଛନ୍ତି । ଲୋକଙ୍କ ମଧ୍ଯରେ ଉତ୍ସାହ ରହିଛି । ମୁଖ୍ଯମନ୍ତ୍ରୀଙ୍କୁ ସମସ୍ତେ ଉଚିତ ସମ୍ମାନ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଣବ ।

ସମ୍ବଲପୁରରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି । ପ୍ରଣବ ପ୍ରକାଶ ଦାସ ଏଠାରୁ ବିଜେଡିର ପ୍ରାର୍ଥୀ ହେବାପରେ ଏହି ଆସନ ଉପରେ େବେ ସମଗ୍ର ରାଜ୍ଯର ନଜର ରହିଛି । ପ୍ରଣବଙ୍କ ପିତା ବିଶିଷ୍ଟ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ଜୀବନର ଏକ ଲମ୍ବା ସମୟ ସମ୍ବଲପୁରରେ ବିତାଇଥିଲେ । ସେଥିପାଇଁ ସମ୍ବଲପୁର ସହ ପ୍ରଣବ ଭବଗତ ଭାବେ ଜଡିତ ବୋଲି ବରାବର କହି ଆସିଛନ୍ତି । ପ୍ରଣବଙ୍କ ପିତା ଅଶୋକ ଦାସ ବିଧାୟକ ଥିବାବେଳେ ସେ ପଶ୍ଚିମ ଓଡ଼ିଶା ବିଶେଷକରି ସମ୍ବଲପୁର ଅଞ୍ଚଳର ବିକାଶ ପାଇଁ ବରାବର ବିଧାନସଭାରେ ଦାବି କରିଆସୁଥିଲେ ।

ଏବେ ରାଜ୍ଯର ବିଜେଡି ସରକାର ମଧ୍ଯ ସମ୍ବଲପୁର ବିକାଶ ପାଇଁ ବରାବର ଉଦ୍ଯମ କରିଆସୁଛନ୍ତି । ସବୁଠୁ ବଡ଼ ଉଦାହରଣ ହେଉଛି ସମଲେଇ ପ୍ରକଳ୍ପ । ସମ୍ବଲପୁର, କୁଚିଣ୍ଡା, ରେଙ୍ଗାଳି, ଦେବଗଡ଼, ଆଠମଲ୍ଲିକ, ରେଢାଖୋଲ, ଛେଣ୍ଡିପଦା ବିଧାନସଭା ଆସନ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି । ଗତକାଲି ପ୍ରଣବ ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ତାଙ୍କର ପ୍ରଚାର କରିଥିଲେ । ପୂର୍ବରୁ ମଧ୍ଯ ସେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ । ସବୁଠାରେ ପ୍ରଣବଙ୍କୁ ଉଚ୍ଛ୍ବସିତ ସ୍ବାଗତ କରାଯିବା ସହ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।

ପ୍ରତିଶୋଧ ନେଲା ଇସ୍ରାଏଲ, ଇରାନର ନ୍ୟୁକ୍ଲିଅର ପ୍ଲାଣ୍ଟରେ ଆକ୍ରମଣ

ତେହରାନ: ଇରାନ ଉପରେ ପୁଣି ଏକ ବଡ଼ ଆକ୍ରମଣ କରିଥିବା ଦାବି କରିଛି ଇସ୍ରାଏଲ। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହି ଦାବି କରିଛନ୍ତି। ଇରାନର ଇସଫାହାନ ବିମାନବନ୍ଦର ନିକଟରେ ବିସ୍ଫୋରଣ ଶୁଣିବାକୁ ମିଳିଛି। ଏପ୍ରିଲ ୧୪ ଆକ୍ରମଣ ପରେ ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ୧ ଏପ୍ରିଲରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହା ପରେ, ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା । ବର୍ତ୍ତମାନ ଇସ୍ରାଏଲ ସେହି ଆକ୍ରମଣର ଜବାବ ଦେଇଛି।

କିଛି ଭିଡିଓରେ ଦେଖାଯାଇଛି ଯେ ବାୟୁସେନାର ପ୍ରତିରକ୍ଷା ବ୍ୟବସ୍ଥା ଇରାନର ଏହି ସହରରେ କାମ କରୁଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଇରାନର ପରମାଣୁ କେନ୍ଦ୍ର ଅବସ୍ଥିତ ସହର ଇସଫାହାନରେ ଇସ୍ରାଏଲ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନ ନିଜର ଆକାଶ ମାର୍ଗରେ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ଯାହା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏପର୍ଯ୍ୟନ୍ତ ଇରାନର ୯ଟି ସ୍ଥାନକୁ ଟାର୍ଗେଟ କରିବାର ଖବର ରହିଛି। ଇରାନ ସହିତ ଇସ୍ରାଏଲ ମଧ୍ୟ ଇରାକ ଏବଂ ସିରିଆରେ ଇରାନ ସମର୍ଥିତ ସାମରିକ ବେସ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଇରାନ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି।

ଗଣତନ୍ତ୍ରର ମହାପର୍ବ: ଭାଗ୍ୟପରୀକ୍ଷା କରୁଛନ୍ତି ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ସିଏମ ଓ ଜଣେ ପୂର୍ବତନ ରାଜ୍ୟପାଳ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟାଦଶ ଲୋକସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ । ୨୧ ରାଜ୍ଯର ୧୦୨ ଆସନ ଲାଗି ଚାଲିଛି ମତଦାନ  । ଏବେ ଆସନ୍ତୁ ନଜର ପକାଇବା ପ୍ରଥମ ପର୍ଯ୍ୟାୟର କେତେକ ହାଇଭୋଲଟେଜ ସିଟ ସମ୍ପର୍କରେ।

ଆସାମ ଦିବ୍ରୁଗଡରୁ ବିଜେପି ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। ତାଙ୍କୁ ଟକ୍କର ଦେଉଛନ୍ତି ଆସାମ ଜାତୀୟ ପରିଷଦର ଲୁରିନଜ୍ୟୋତି ଗୋଗୋଇ। ବିହାରର ଗୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନଝି ହାମ-ଏସରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଆରଜେଡିର କୁମାର ସରବଜିତ। ନୱାଦ ଆସନରେ ବିଜେପି ପ୍ରାର୍ଥୀ ବିବେକ ଠାକୁରଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଶ୍ରବଣ କୁସୱାହା।

ବିହାର ଜାମ୍ମୁଇରେ ଏଲଜେପି- ରାମବିଳାସ ପ୍ରାର୍ଥୀ ଅରୁଣ ଭାରତୀଙ୍କୁ ଟକ୍କର ଦେଉଛନ୍ତି ଆରଜେଡିର ଅର୍ଚ୍ଚନା ରବିଦାସ। ବସ୍ତରରେ ବିଜେପିର ମହେଶ କାଶ୍ଯପଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସ କାୱାସି ଲକ୍ଷ୍ମୀ। ମଧ୍ଯପ୍ରଦେଶ ମାଣ୍ଡଲାରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଓଁକାର ସିଂ ମାର୍କମ। ଛିନ୍ଦାୱାରାରେ କଂଗ୍ରେସର ନକୁଲନାଥଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ବିବେକ ବଣ୍ଟି ସାହୁ।

ମହାରାଷ୍ଟ୍ର ନାଗପୁରରେ ବିଜେପି ପ୍ରାର୍ଥୀ ନୀତୀନ ଗଡ଼କରୀଙ୍କ ବିରୋଧରେ ଲଢୁଛନ୍ତି କଂଗ୍ରେସର ବିକାଶ ଠାକରେ। ମେଘାଳୟ ଟୁରାରେ କଂଗ୍ରେସର ସାଲେଙ୍ଗ ଏ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଆଗାଥା କେ ସାଂଗମା। ରାଜସ୍ଥାନ ବିକାନେରର ବିଜେପିର ଅର୍ଜୁନ ରାମ ମେଘୱାଲଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଗୋବିନ୍ଦ ସିଂ ମେଘୱାଲ। ଅଲୱରରେ ବିଜେପିର ଭୂପେନ୍ଦ୍ର ଯାଦବକୁ ପ୍ରତିଦ୍ବନ୍ଦିତା କରୁଛନ୍ତି କଂଗ୍ରେସ ଲଳିତ ଯାଦବ।

ଚେନ୍ନାଇ ସାଉଥରୁ ବିଜେପିର ତାମିଲସାଇ ସୁନ୍ଦରରାଜନ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଡିଏମକେର ଏ. ଥାଙ୍ଗପାନ୍ଦିଆନ। ଚେନ୍ନାଇ ସେଣ୍ଟ୍ରାଲରେ ବିଜେପିର ଭିନୋଜ ପି. ସୋଲଭାମଙ୍କ ବିରୋଧରେ ଲଢୁଛନ୍ତି ଡିଏମକେର ଦୟାନିଧି ମରାନ। ଶ୍ରୀପେରୁଦୁମ୍ବୁରରେ ଡିଏମକେର ଟିଆର ବାଲୁଙ୍କୁ ବିରୋଧରେ ଲଠୁଛନ୍ତି ଏଆଆଇଏଡିଏମକେର ଡି. ପ୍ରେମକୁମାର।

ନୀଳଗିରିସରେ ବିଜେପିର ଏଲ ମୁରୁଗାନଙ୍କ ବିରୋଧରେ ଲଢୁଛନ୍ତି ଡିଏମକେର ଏ. ରାଜା। କୋଏମ୍ବାଟୁରରରେ ବିଜେପି ରାଜ୍ଯ ସଭାପତି କେ. ଆନ୍ନାମଲାଇଙ୍କ ବିରୋଧରେ ଲଢୁଛନ୍ତି ଡିଏମକେ ଗଣପତି ପି. ରାଜକୁମାର। ଶିବଗଙ୍ଗାରେ ବିଜେପିର ଡି. ଦେବନାଥନ ଯାଦବଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କାର୍ତ୍ତି ଚିଦାମ୍ବରମ। ଥୁଥୁକୁଡି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତ କାନିମୋଝୀ କରୁଣାନିଧି। ତ୍ରିପୁରା ୱେଷ୍ଟରେ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବିପ୍ଳବ କୁମାର ଦେବ। ଉତ୍ତର ପ୍ରଦେଶ ପିଲଭିଟରୁ ବରୁଣ ଗାନ୍ଧୀଙ୍କ ବଦଳରେ ଲଢୁଛନ୍ତି ବିଜେପିର ଜିତିନ ପ୍ରସାଦ। ଉତ୍ତରାଖଣ୍ଡ ହରିଦ୍ବାରରେ ଭାଗ୍ୟ ପରୀ୍କ୍ଷା କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ ପୂର୍ବତନ ମୁଖ୍ଯମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାଓ୍ବ

ଦୁଇ ରାଜ୍ଯରେ ବିଧାନସଭା ନିର୍ବାଚନ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଗୋଟିଏ ପର୍ଯ୍ୟାୟରେ ଭୋଟ

ନନ୍ଦିଘୋଷ ବ୍ୟୁରୋ: ୬୦ ସଦସ୍ଯ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ୬୦ ଆସନ ମଧ୍ଯରୁ ବର୍ତ୍ତମାନ ସୁଦ୍ଧା ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ସେମାନଙ୍କ ମଧ୍ଯରେ ଅଛନ୍ତି ମୁଖ୍ଯମନ୍ତ୍ରୀ ପେମା ଖାଂଡୁ। କେତେକ ପ୍ରଥମ ଥର ଲାଗି ନିର୍ବାଚିତ ବିଧାୟକ ବି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୫୦ ଆସନରେ ବିଜେପି ପ୍ରାର୍ଥୀ ଦେଇଥିବାବେଳେ ୧୯ ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି କଂଗ୍ରେସ । ଏନପିପି ୨୦ ଆସନରେ ପ୍ରାର୍ଥୀ ଦେଇଛି ।

ରାଜ୍ଯରେ ୨ ହଜାର ୨୨୬ ପୋଲିଂ ବୁଥ ହୋଇଥିବାବେଳେ ଭୋଟ ଦେବେ ୮ ଲକ୍ଷ ୮୬ ହଜାରରୁ ଅଧିକ ଭୋଟର। ତେବେ କଂଗ୍ରେସ ନେତା ଅରୁଣାଚଳ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବାମ ଟୁକି ଅରୁଣାଚଳ ୱେଷ୍ଟରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ୨୦୧୪ ନିର୍ବାଚନରେ କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଆସନରୁ କଂଗ୍ରେସର ନବାମ ଟୁକିକୁ ପରାସ୍ତ କରି ବିଜୟୀ ହୋଇଥିଲେ। ୨୦୧୪ରୁ ସାଂସଦ ଅଛନ୍ତି କିରନ ରିଜିଜୁ।

ସେହିପରି ସିକ୍କିମରେ ମଧ୍ଯ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ୩୨ ସଦସ୍ୟ ବିଶିଷ୍ଟ ଗୃହ ଲାଗି ଭୋଟିଂ ଆରମ୍ଭ ହୋଇଛି । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ ଅଛନ୍ତି ୩ ଜଣ ।

ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ । ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ଦୁଇ ଜୁନରେ ହିଁ ଫଳାଫଳ ପ୍ରକାଶ ପାଇବ ।