spot_img
Home Blog Page 2014

ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର, ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ବର: ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର । ଏନେଇ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ରାଜଧାନୀରେ କମିଶନରେଟ୍ ପୋଲିସ ଅଞ୍ଚଳରେ ମୋଟ ୧୧ ଶହ ୩୨ଟି ବୁଥରେ କଡ଼ା ସୁରକ୍ଷା ଭିତରେ ଭୋଟ ଗ୍ରହଣ କରାଯିବ। ଏହା ମଧ୍ୟରେ ୪୨୧ଟି ସଖୀ ବୁଥ ଥିବା ବେଳେ ୧୪୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।

୫୨୫ଟି ବୁଥରେ ଓ୍ବେବ କାଷ୍ଟିଂ କରାଯିବ । ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୧୫ଟି ଫ୍ଲାଇଁ ସ୍କ୍ୱାଡ୍ ଓ ୧୫ଟି ଷ୍ଟ୍ରାଟେଜିକ ସର୍ଭେଲାନ୍ସ ଟିମ ପାଇଁତରା ମାରୁଛନ୍ତି  । ନିର୍ବାଚନ ସମୟରେ ସମ୍ବେଦନଶୀଳ ବୁଥଗୁଡ଼ିକରେ CAPF ଯବାନ ମୁତୟନ ହେବେ । ୨୩ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବା ପରେ ଚେକିଂକୁ ଆହୁରି ବଢ଼ାଇ ଦିଆଯିବ। ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା ପୋଲିସ କମିଶନର କହିଛନ୍ତି ।

୨୩ ତାରିଖରେ କନ୍ଧମାଳର ଦୁଇଟି ସଂସଦୀୟ କ୍ଷେତ୍ରରେ ପୁନଃମତଦାନ

ଫୁଲବାଣୀ: କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦୁଇଟି ବୁଥରେ ହେବ ପୁନଃମତଦାନ। ଆସନ୍ତାକାଲି ୨୩ ତାରିଖ ଦିନ ଏହି ପୁନଃମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ। କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କଣ୍ଟାମାଳ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୨୬ ନମ୍ବର ଏବଂ ୨୮ ନମ୍ବର ବୁଥରେ ହେବ ପୁନଃମତଦାନ।

କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ୨୩ ତାରିଖରେ ପୁନଃମତଦାନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ଵାଚନ ଅଧିକାରୀ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ପ୍ରଦାନ କରଯାଇଛି। ସକାଳ ୭ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ । ଏଣୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ବୟର ସମସ୍ତ ମତଦାତାଙ୍କ ଅବଗତି ନିମନ୍ତେ ଏହି ସୂଚନା ଜାରି କରାଯାଇଛି l

ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍‌ କରିବେ ନବୀନ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ।   ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା, ନୟାଗଡ, ପୁରୀ ଓ କଟକରେ କରିବେ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ।

ପ୍ରଥମେ ଖୋର୍ଦ୍ଧା ହାବେଳି ପଡିଆରେ ନିର୍ବାଚନୀ ସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବ। ସେଠୁ ପୁରୀ ତାଳବଣିଆ, ପରେ କଟକ ଅଭିମୁଖେ ଯାଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।

ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି। ଅଭିଯୋଗ କରିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା। ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପ୍ରେସମିଟ୍ କରି ପ୍ରଶାନ୍ତ ଜଗଦ୍ଦେବ ଘୋଷଣା କରିଛନ୍ତି  ୨୫ରେ ଭୋଟିଂ ଅଛି। ୨୪ ମେ ରାତିରେ ସେ ଖୋର୍ଦ୍ଧା ପୋଲିସ ଷ୍ଟେସନ, sdpo ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କୁ ଆକ୍ରମଣ କରିବେ l ଯେହେତୁ ପୋଲିସ ପ୍ରଶାସନ ମୋତେ ସହଯୋଗ କଲାନି ତେଣୁ ମୁଁ ଆକ୍ରମଣ କରିବି ବୋଲି ପ୍ରଶାନ୍ତ ଜଗଦେବ ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି ମୁଁ ମୋ ଗୁଣ୍ଡାର ଆଖ୍ୟା ପାଇଁ ଗର୍ବିତ ଆଉ ଏସବୁରେ ବିଫଳ ହେଲେ ମୁଁ ନିର୍ବାଚନ କରାଇ ଦେବି ନାହିଁ ବୋଲି କହିଛନ୍ତି।  ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା ବୋଲି ପୂର୍ବରୁ ବିଜୁ ଜନତା ଦଳ କହିଆସୁଛି l ପୂର୍ବରୁ ସେ ଜେଲ ଯାଇଛନ୍ତି ଆଉ  ବେଲରେ ଆସିଛନ୍ତି l ତେଣୁ କିପରି ୨୫ ତାରିଖରେ ବିନା କୌଣସି ବ୍ୟଘାତରେ ଶୃଙ୍ଖଳିତ ଭାବେ ନିର୍ବାଚନ ହେବ ଏଥିପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେଡି ।

ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା : କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିନି ବର୍ଷ ପୂର୍ବରୁ ସରିଯାଇଥାନ୍ତା। ଏକାମ୍ର ପ୍ରକଳ୍ପ କାମ ମଧ୍ୟ ଦୁଇ ବର୍ଷ ଆଗରୁ ସରିବା କଥା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ କାମ ବିଳମ୍ବ ହେଲା। ତେଣୁ କେବଳ ବିଧାୟକଙ୍କୁ ଜିତାଇଲେ ହେବନି। ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇବାକୁ ପଡିବ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଘସିପୁରାରେ ପ୍ରଚାର ବେଳେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସାଂସଦ ଅଲଗା ଦଳ ହେଲେ  ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ। ନିର୍ବାଚନ ସମୟରେ ବିଜେପିର ବଡ ବଡ ନେତାମାନେ ଆସିବେ, ବହୁ ପ୍ରତିଶୃତି ଦେବେ । ସେମାନଙ୍କୁ ପଚାରନ୍ତୁ ୨୦୧୪ରେ ଦରଦାମ କମାଇବା, ପେଟ୍ରୋଲ ଡିଜେଲ ଦର ହ୍ରାସ, ଡାଲି ଦର ହ୍ରାସ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଯାଏଁ କାହିଁକି ପୂରଣ ହେଲାନି । ଏହା ହେଉଛି ବିଜେପିର ଅସଲ ଚେହେରା । ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ପରେ ଭୁଲିଯାଆନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ପରେ ଦେଖାମିଳନ୍ତି ନାହିଁ ବୋଲି ସେ କହିଛନ୍ତି । ଘଷିପୂରା ପୂର୍ବରୁ ତେଲକୋଇରେ ପ୍ରଚାର କରି ବିଜେଡିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ନିର୍ବାଚନ ପାଇଁ ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ବର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୫ରେ ଭୋଟ ଦେବ ଭୁବନେଶ୍ବର । ଏନେଇ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ରାଜଧାନୀରେ କମିଶନରେଟ୍ ପୋଲିସ ଅଞ୍ଚଳରେ ମୋଟ ୧୧ ଶହ ୩୨ଟି ବୁଥରେ କଡ଼ା ସୁରକ୍ଷା ଭିତରେ ଭୋଟ ଗ୍ରହଣ କରାଯିବ। ଏହା ମଧ୍ୟରେ ୪୨୧ଟି ସଖୀ ବୁଥ ଥିବା ବେଳେ ୧୪୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୫୨୫ଟି ବୁଥରେ ଓ୍ବେବ କାଷ୍ଟିଂ କରାଯିବ । ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୧୫ଟି  ଫ୍ଲାଇଁ ସ୍କ୍ୱାଡ୍ ଓ ୧୫ଟି ଷ୍ଟ୍ରାଟେଜିକ ସର୍ଭେଲାନ୍ସ ଟିମ ପାଇଁତରା ମାରୁଛନ୍ତି I ନିର୍ବାଚନ ସମୟରେ ସମ୍ବେଦନଶୀଳ ବୁଥଗୁଡ଼ିକରେ CAPF ଯବାନ ମୁତୟନ ହେବେ । ୨୩ ତାରିଖ ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବା ପରେ, ଚେକିଂକୁ ଆହୁରି ବଢ଼ାଇ ଦିଆଯିବ। ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତ ଥିବା ପୋଲିସ କମିଶନର କହିଛନ୍ତି ।

୫ ବର୍ଷ ପରେ ବି ପ୍ରତିଶୃତି ଧୂଆଁବାଣ

ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ଜଳମାର୍ଗରେ ସାମିଲ ହେବ ବ୍ରାହ୍ମଣୀ ନଦୀ । ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ବଢ଼ିବ ବ୍ୟବସାୟ। ଗତ ନିର୍ବାଚନ ପୂର୍ବରୁ ଏକ ସଭାରେ ଏ ପ୍ରତିଶୃତି  ଦେଇଥିଲେ କେନ୍ଦ୍ର ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ। ୫ ବର୍ଷ ପରେ ବି ପ୍ରତିଶୃତି ଧୂଆଁବାଣ ହୋଇରହିଛି । ଦେଖିବା ଢେଙ୍କାନାଳରୁ ଆମର ଏକ୍ସକ୍ଲୁସିଭ ରିପୋର୍ଟ- କୁଆଡ଼େ ଗଲା ବ୍ରାହ୍ମଣୀ ଜଳପଥ ଯୋଜନା।

ମାଳମାଳ ମିଛ ପ୍ରତିଶୃତି । ମିଛର କୁହୁଡ଼ି ଘରେ ବସି ରାଜନୀତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ବାଚନ ବେଳେ ରାତାରାତି ଯୋଜନା । ନିର୍ବାଚନ ସରିଗଲେ ଯଥା ପୂର୍ବମ୍ ତଥା ପରମ୍ । ଏନଏଚ୍ ୫୫, ତାଳଚେର ସାର କାରଖାନା ବା ଢେଙ୍କାନାଳ ସଦାଶିବପୁରରେ ତେଲ ଡିପୋ , ସବୁ କେବଳ କଥାରେ ହିଁ ସୀମିତ ରହିଛି। ଆଜି ଆମେ ଆଉ ଗୋଟିଏ ମିଛ କାହାଣୀ ଉପରୁ ପରଦା ଉଠାଇବୁ । ଦେଖିବା ବ୍ରାହ୍ମଣୀ ଜଳପଥ ବା ଜାତୀୟ ଜଳପଥ ୫ କଥା । କେବେ ହେବ ବ୍ରାହ୍ମଣୀ ଜଳପଥ ପ୍ରକଳ୍ପ ? ମିଛ କହି ଭୁଆଁ ବୁଲାଇଛନ୍ତି କେନ୍ଦ୍ର ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀ । ଶୁଣନ୍ତୁ  ୫ ବର୍ଷ ପୂର୍ବେ କ’ଣ କହିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ବ୍ରାହ୍ମଣୀ ନଦୀରେ ଜଳପଥ ପ୍ରତିଶୃତିକୁ ପୂରିଛି ୫ ବର୍ଷ ।  ୫୩ ନମ୍ବର ଜାତୀୟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କାମାକ୍ଷାନଗରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୀତିନ ଗଡ଼କରୀ ଏ ଘୋଷଣା କରିଥିଲେ । ୫ ହଜାର କୋଟିର ଜଳମାର୍ଗ ପ୍ରକଳ୍ପ ବ୍ରାହ୍ମଣୀ ନଦୀରେ ହେବ ବୋଲି କହିଥିଲେ । ବ୍ରାହ୍ମଣୀ ଓ ମହାନଦୀକୁ ମିଶାଇ ୨୬୨ କିଲୋମିଟର ଜଳପଥ ନିର୍ମାଣ ହେବ । ଯାହା ସିଧା ଯାଜପୁରର କଳିଙ୍ଗ ନଗର ହୋଇ ଧାମରା ଓ ପାରାଦୀପ ସହ ସଂଯୋଗ ହେବ।  ହେଲେ ଗତ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ପାଣିର ଗାର ସାଜିଛି ।…

ରାଷ୍ଟ୍ରୀୟ ଜଳମାର୍ଗ ପାଇଁ ନିୟମ ଅନୁଯାୟୀ ସେତୁଗୁଡ଼ିକର ଉଚ୍ଚତା ୯ ମିଟର ଓ ଚଉଡ଼ା ୬୨ ଦଶମିକ ୭ ମିଟର ହେବା କଥା । ନିୟମ ଅନୁସାରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଢେଙ୍କାନାଳରେ ବ୍ରାହ୍ମଣୀ ନଦୀ ଉପରେ କାଳୁରିଆ ଓ ପରଜଙ୍ଗ ବ୍ଲକ ମଧ୍ୟରେ ସରାଙ୍ଗଠାରେ ସେତୁ  ନିର୍ମାଣ ହେଉଛି। ଏହି ସେତୁର ପୁନଃ ନିର୍ମାଣ ଓ ଅଧିକ ଉଚ୍ଚତା ପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ଭାରତ ସରକାର ଦେବାକୁ ପୂର୍ତ୍ତମନ୍ତ୍ରୀ ଚିଠି ଲେଖିଥିଲେ। ହେଲେ ଏ ପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ସୂଚନା  ଆସିନଥିବା ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

 

ନିର୍ବାଚନ ମୈଦାନରେ ଦିନ ମଜୁରିଆ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ମୈଦାନରେ ଦିନ ମଜୁରିଆ । ଗରିବଙ୍କ ଦୁଃଖ ବୁଝିବ ଗରିବ । ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତର ରବୀନ୍ଦ୍ରନାଥ କାଣ୍ଡି କାକଟପୁର ନିର୍ବାଚନ ମଣ୍ଡଳିର ବିକାଶ ପାଇଁ ଅଣ୍ଟା ଭିଡି ଏବେ ଚର୍ଚ୍ଚାରେ ।

ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳିରେ ଏଥର ଦେଖିବାକୁ ମିଳୁଛି ରୋଚକ ଦୃଶ୍ଯ । ପ୍ରାର୍ଥୀ ହୋଇଛନ୍ତି  ଜଣେ ଦିନ ମଜୁରିଆ । ପର ଘରେ ମୂଲ ଲାଗି ଚଳାନ୍ତି ପରିବାର, ହେଲେ ଗରିବଙ୍କୁ ଉଚିତ୍ ନ୍ଯାୟ ଦେବାକୁ ଏବେ ନିର୍ବାଚନ ମୈଦାନରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତର ରବୀନ୍ଦ୍ରନାଥ କାଣ୍ଡି ।  ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ପ୍ରାର୍ଥୀ ଭାବେ କରୁଛନ୍ତି ପ୍ରତିଦ୍ଵନ୍ଦିତା । ଅନ୍ଯ ଘରେ ମୂଳ ଲାଗି ପରିବାର ପ୍ରତିପୋଷଣ କରିବା ସହିତ, ସମର୍ଥକଙ୍କ ସହ ଘରକୁ ଘର ବୁଲି କରୁଛନ୍ତି ନିର୍ବାଚନୀ ପ୍ରଚାର ।

ରବୀନ୍ଦ୍ର ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତ ନଗର, ଆଳିସାହି, ବେଗୁନିଆବସ୍ତ ସହ ବିଭିନ୍ନ ଗାଁରେ କରୁଛନ୍ତି ପ୍ରଚାର । ଲୋକଙ୍କୁ ନିର୍ବାଚନମଣ୍ଡଳିର ବିକାଶର ପ୍ରତିଶୃତି ଦେଇ କରୁଛନ୍ତି ଆଶୀର୍ବାଦ ଭିକ୍ଷା । ନିର୍ବାଚନୀ ବୈତରଣୀ ପାର ହେବାକୁ ଜୋରଦାର ଚଳାଇଛନ୍ତି ପ୍ରୟାସ । ଜନ କଲ୍ୟାଣୀ ଯୋଜନାକୁ ଯିଏ କ୍ରିୟାଶୀଳ କରିବ , ତାଙ୍କ ସମ୍ପର୍କରେ ଜନ ସମର୍ଥନ ଯିବ ବୋଲି ସମର୍ଥକ ମାନେ କହିଛନ୍ତି । ଜଣେ ଦିନ ମଜୁରିଆ ପ୍ରାର୍ଥୀ ହୋଇଥିବାରୁ କାକଟପୁରରେ ଚର୍ଚ୍ଚା ଜୋର ଧରିଛି ।

 

କାହାର ହେବ ବଡ଼ମ୍ବା?

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ । ସଭା ଶୋଭାଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ। କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳିରେ ପାରା ହାଇ । ୧୯୫୭ ମସିହାରେ ଗଠିତ ବଡ଼ମ୍ବା ନିର୍ବାଚନମଣ୍ଡଳିରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । କିଏ ହାତେଇବ ବଡ଼ମ୍ବା ଆସନ ? ଚାଲିଛି କଳ୍ପନାଜଳ୍ପନା । ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ । ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ସ୍ଥିତି ଉପରେ ଏକ ନଜର ।

ନରସିଂହପୁର ଓ ବଡ଼ମ୍ବା ବ୍ଲକକୁ ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ୨ ଲକ୍ଷ ୪୬ ହଜାର ୧୦୩ ଜଣ ଭୋଟର ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ମଧ୍ଯରେ ପୁରୁଷ ୧  ଲକ୍ଷ ୨୯ ହଜାର ୧୮୩, ମହିଳା ୧ ଲକ୍ଷ ୧୬ ହଜାର ୮୯୯ ଓ ତୃତୀୟ ଲିଙ୍ଗୀ ଭୋଟର ୨୧ ଜଣ ଅଛନ୍ତି । ନୂତନ ଭାବେ ମତଦାନ କରିବେ ୭ ହଜାର ଭୋଟର । ଚଳିତ ଥର ବଡ଼ମ୍ବାରେ  ୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିରୁ ଦେବୀପ୍ରସାଦ ମିଶ୍ର, ବିଜେପିରୁ ସମ୍ବିତ ତ୍ରିପାଠୀ, କଂଗ୍ରେସରୁ ସଞ୍ଜୟ କୁମାର ସାହୁ ଓ ସ୍ଵାଧୀନ ଭାବେ ବିଜୟ କୁମାର ଦଳବେହେରା ନିର୍ବାଚନ ଲଢୁଛନ୍ତି । ଜୋରଦାର ପ୍ରଚାର ଚାଲିଛି ।

୨୦୦୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜୟୀ ହୋଇଥିଲେ । ୨୦୦୯ରେ ପୁଣି ବିଜେଡି ପ୍ରାର୍ଥୀ ଭାବେ  ବିଜୟୀ ହୋଇଥିଲେ ଦେବୀପ୍ରସାଦ ମିଶ୍ର । ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜେତା ହୋଇଥିଲେ । କଂଗ୍ରେସରୁ ଲକ୍ଷ୍ମୀ ଦେବୀ ଏବଂ ବିଜେପିରୁ ବିଭୁଦତ୍ତ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ବିଜେଡିରୁ ଦେବୀ ମିଶ୍ର ପୁଣି କରିଥିଲେ ବାଜିମାତ୍ । ଦେବୀପ୍ରସାଦ ମିଶ୍ର ୯୦ ହଜାର ୫୬୪ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ବିଜୟ ଦଳବେହେରା ୭୨ ହଜାର ଓ କଂଗ୍ରେସର ବବି ମହାନ୍ତିଙ୍କୁ ୬ ହଜାର ଭୋଟ ମିଳିଥିଲା । ଚଳିତ ନିର୍ବାଚନରେ ବିକାଶ ହିଁ ପ୍ରମୁଖ ମୁଦ୍ଦା ସାଜିଛି ବୋଲି ସାଧାରଣ ଜନତା କହିଛନ୍ତି ।

ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଗତ ୫ ବର୍ଷ ମଧ୍ୟରେ ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ  ଫାଇଭ -ଟି ସ୍କୁଲ ରୂପାନ୍ତରଣ, ମେଡିକାଲଠାରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ, ରାସ୍ତା ଓ ବ୍ରିଜ ଆଦି ନିର୍ମାଣ ସହ ବିକାଶ କାମ ହୋଇଛି  । ଏହାକୁ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିଛି। ଅନ୍ଯ ପ୍ରାର୍ଥୀମାନେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରୁଛନ୍ତି।

 

ଆଗାମୀ ୫ ଦିନରେ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ବର: ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨୪ରେ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବ ସମୁଦ୍ର ଅଶାନ୍ତ ରହିବ । ୨୪ ଓ ୨୫ ତାରିଖର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ସେପଟେ ଆଗାମୀ ୫ ଦିନରେ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨ତାରିଖ ୨୩ତାରିଖ ଓ ୨୪ ତାରିଖରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୩ ଓ ୨୪ ତାରିଖରେ କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ । ସେହିପରି ୨୨ ତାରିଖରେ  ଲଘୁଚାପ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଂଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସହ ୨୪ ତାରିଖରେ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ମତ୍ସ୍ୟଜୀବୀମାନଙ୍କୁ ମେ ୨୩ ରୁ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗରରେ ଏବଂ ମେ ୨୪ରୁ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।