spot_img
Home Blog Page 2028

୫ ବର୍ଷ ପରେ ବି ଟ୍ରେଣ୍ଡ କରୁଛି, ହେ ନବୀନ ବାବୁ, ଆମେ ତୁମ ଫ୍ୟାନ…

କଟକ: ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଭିନ୍ନ ଭିନ୍ନ ଗୀତ ବ୍ୟବହାର କରୁଛନ୍ତି । ଗୀତରେ ଦଳର ପ୍ରତିଶ୍ରୁତି ସହ ପ୍ରାର୍ଥୀଙ୍କ ସମ୍ପର୍କରେ ରହୁଛି ତଥ୍ୟ । ନୂଆ ନୂଆ ଗୀତକୁ ମାଧ୍ୟମ କରି ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଚେଷ୍ଟା କରୁଛନ୍ତି । ହେଲେ ଏହାରି ଭିତରେ ଗୋଟିଏ ଗୀତ ଟ୍ରେଣ୍ଡ କରୁଛି । ଗୀତଟି ୫ ବର୍ଷ ପୁରୁଣା ହୋଇଥିଲେ ବି ସମସ୍ତଙ୍କ ମୁହଁରେ ରହିଛି । ଆଉ ଗୀତଟି ହେଲା ହେ ନବୀନ ବାବୁ… । ସୋସିଆଲ ମିଡିଆରୁ ରାଲି ପର୍ଯ୍ୟନ୍ତ ସବୁ ଆଡେ ଶୁଣିବାକୁ ମିଳୁଛି ଏହି ଗୀତ । ନିର୍ବାଚନ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବକୁ ଏହା ଅଧିକ ସୁଟ୍ କରୁଥିବା କହିଛନ୍ତି ଲୋକେ ।

କୌଣସି କର୍ମୀ ସମ୍ମିଳନୀ ହେଉ କି ଶୋଭାଯାତ୍ରା । ଦଳୀୟ କାର୍ଯ୍ଯକ୍ରମ ହେଉ କି ନିର୍ବାଚନୀ ପ୍ରଚାର । ରାଜ୍ଯର ଉପାନ୍ତରୁ ଉପକୂଳ, ଗାଁଠୁ ସହର ସବୁଛି ଟ୍ରେଣ୍ଡ କରୁଛି ଗୋଟିଏ ଗୀତ, ହେ ନବୀନ ବାବୁ ଆମେ ତୁମ ଫ୍ଯାନ… । ୟୁଟ୍ଯୁବରେ ୨ କୋଟି ୩ ଲକ୍ଷ ଦର୍ଶକ ଏହି ଗୀତକୁ ଭଲ ପାଇବା ଦେଇଛନ୍ତି । ନିର୍ବାଚନ ସମୟ ଆସିଲେ ଅନେକ ଗୀତ ରଚନା ହେଉଛି ହେଲେ ଏହି ଗୀତ ସମସ୍ତଙ୍କ ହୃଦୟ ଜିତି ପାରିଛି ବୋଲି କହନ୍ତି ଗୀତିକାର ।

୨୦୧୯ ନିର୍ବାଚନ ପୂର୍ବରୁ ୟୁ-ଟ୍ୟୁବରେ ହେ ନବୀନ ବାବୁ… ଗୀତ ମୁକ୍ତିଲାଭ କରିଥିଲା । ବିଦୁଲତା ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ଏହି ଗୀତରେ କଣ୍ଠଦାନ କରିଥିଲେ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ବିରଜା ପ୍ରସାଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରମୋଦ ପରିଡା ଗୀତ ରଚନା କରିଥିଲେ । ଅମୀୟ ରଞ୍ଜନ ରାଉତ ଗୀତର ପରିକଳ୍ପନା କରିଥିଲେ । ମୁକ୍ତିଲାଭ କରିବାର କିଛି ଦିନ ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । ନୂଆ ଓଡ଼ିଶାର ତୁମେ ହିଁ ନିର୍ମାତା, ତୁମ ପରିବାର ଏ ମାଟି ଜନତା, ବିଜୁ ବାବୁଙ୍କର ଅଧୁରା ସପନ, ତୁମରି ହାତରେ ହେଉଛି ପୂରଣ । ଏଭଳି ପନ୍ତି ଲୋକଙ୍କ ହୃଦୟକୁ ଛୁଇଁଥିଲା । ଗୀତରେ ପ୍ରାୟ ୧୯ ହଜାର ରିଲ୍ସ ଅପଲୋଡ୍ ହେଲାଣି ।

ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବ,, ତାଙ୍କ ସରଳତା ଓ ତାଙ୍କ ଆଦର୍ଶ, କୌଣସି ଗୀତରେ ବାନ୍ଧି ରଖିବା ସମ୍ଭବ ନୁହେଁ । ତଥାପି ନିର୍ବାଚନ ସମୟ ଆସିଥିବାରୁ ସଙ୍ଗୀତ ନିର୍ଦ୍ଦେଶକ ବିରଜା ଓ ଗୀତିକାର ପ୍ରମୋଦଙ୍କ ଯୋଡ଼ି ଏଭଳି ପୁଣି ଏକ ହିଟ୍ ଗୀତ ତିଆରି କରିବାରେ ଲାଗି ପଡିଛନ୍ତି । ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଏମଆରଆର ଷ୍ଟୁଡିଓରେ ଗୀତ ପ୍ରସ୍ତୁତି ଜାରି ରହିଛି । ଏଥର ଗୀତର ଶୀର୍ଷକ ରହିଛି ଖୁବଶୀଘ୍ର ଯୋଡ଼ି ଶଙ୍ଖ…  ।

ବିଜେପିରୁ ବିଜୟ, ଶାରଦା, ରାକେଶ ବହିଷ୍କୃତ: ବିଜୟ କହିଲେ- ହାସ୍ୟସ୍ପଦ ନିଷ୍ପତ୍ତି

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣ ଦଳରୁ ବହିଷ୍କୃତ ହୋଇଛନ୍ତି । ବିଜୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ବେଳେ ରାକେଶ ଏସସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଥିଲେ ।

ଏହାକୁ ନେଇ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିବା ସହ ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମୁଁ ଦଳରେ ନାହିଁ, ହେଲେ ବହିଷ୍କାର କାହିଁକି ? ବିଜେପି ଲୋକହସା ନିଷ୍ପତ୍ତି ନେଉଛି ।’ ୫ ବର୍ଷ ପରେ ଦଳ ବିରୋଧୀ କାମ କରିଛି ବୋଲି କିପରି ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ଆଗକୁ ସେ କହିଛନ୍ତି, ‘ବିଜେପିରେ କ’ଣ ଚାଲିଛି ଏକଥା ସମସ୍ତେ ଜାଣନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି କୁହାଯାଇଛି । ମୁଁ ତ ଦଳରେ ନାହାନ୍ତି । ମୋତେ କିପରି ବହିଷ୍କାର କରାଗଲା ।’

କରଞ୍ଜିଆରେ କାହାକୁ ନେତା ବାଛିବେ ଭୋଟର ?

କରଞ୍ଜିଆ: ନିର୍ବାଚନ ତାତି ବଢ଼ିବା ସହ ପ୍ରଚାର ବି ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ପ୍ରାର୍ଥୀ ଗାଁରୁ ଗାଁକୁ ବୁଲି କରୁଛନ୍ତି ପ୍ରଚାର । ସବୁ ପ୍ରାର୍ଥୀଙ୍କୁ ଶୁଣୁଛନ୍ତି ଜନତା, ଆଉ କାହାକୁ ନିଜ ପ୍ରାର୍ଥୀ ବାଛିବେ କଷୁଛନ୍ତି ଅଙ୍କ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେମିତି ରହିଛି ନିର୍ବାଚନୀ ମାହୋଲ ଆସନ୍ତୁ ନଜର ପକାଇବା ।

କରଞ୍ଜିଆ, ଠାକୁରମୁଣ୍ଡା ଓ ଉଦଳା ବ୍ଲକର ୪୨ଟି ପଞ୍ଚାୟତକୁ ନେଇ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ଭୋଟର ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୬୮ । ସେଥିରେ ପୁରୁଷ ୧ ଲକ୍ଷ ୨ ହଜାର ୨୧ ଜଣ ଥିବା ବେଳେ ମହିଳା ଭୋଟର ୯୭ ହଜାର ୬୪୧ ଜଣ ଅଛନ୍ତି । ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ୬ । କରଞ୍ଜିଆ ବିଧାନସଭା ଆସନରେ ବିଜେଡି ବାଜିମାତ୍ କରିଆସିଛି । ଚଳିତ ନିର୍ବାଚନରେ ବିଜେଡିରୁ ବାସନ୍ତୀ ହେମ୍ବ୍ରମ, ବିଜେପିରୁ ପଦ୍ମ ଚରଣ ହାଇବୁରୁ ଓ କଂଗ୍ରେସ ପକ୍ଷରୁ ଲକ୍ଷ୍ମୀଧର ସିଂ ପ୍ରାର୍ଥୀ ହୋଇଛନ୍ତି । ଯୁଗଳ କିଶୋର ନାଏକ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ନିର୍ବାଚନ ।

ଚଳିତ ନିର୍ବାଚନରେ ବିକାଶକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖରେ ପହଞ୍ଚୁଛି ବିଜେଡି । କଂଗ୍ରସର ପୂର୍ବରୁ ଯାହା ଅବସ୍ଥା ଥିଲା, ଆଜିବି ସେହି ଅବସ୍ଥା ରହିଛି । ପୁଣି ଥରେ ଇନିଂସ ଆରମ୍ଭ କରିବାକୁ ପ୍ରୟାସ କରୁଛି କଂଗ୍ରେସ । ସେହିଭଳି କରଞ୍ଜିଆ ବିଧାନସଭା ଆସନ ପାଇଁ ବାରମ୍ବାର ବିଫଳ ହେବା ପରେ ଚଳିତ ନିର୍ବାଚନରେ ଏହାକୁ ହାତେଇବାକୁ ଚେଷ୍ଟା ଜାରି ରଖିଛି ବିଜେପି ।

ଗାଁକୁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥୀ । କେମିତି ନିଜ ସପକ୍ଷରେ ଜନସମର୍ଥନ ପାଇବେ, ସେନେଇ କରୁଛନ୍ତି ପ୍ରୟାସ ।

ନିର୍ବାଚନ ଆସିଲେ ଓଡ଼ିଶାକୁ ଆସନ୍ତି ପଲିଟିପାଲ ଟୁରିଷ୍ଟ: ନବୀନ

ଭୁବନେଶ୍ବର: କେନ୍ଦ୍ରୀୟ ବିଜେପି ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଡା ସମାଲୋଚନା । ବିଜେପିର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହି ଆକ୍ଷେପ କରିଛନ୍ତି ନବୀନ । ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତାକାର ଦେଇ ଏମିତି ଟିପ୍ପଣୀ କରିଛନ୍ତି ନବୀନ ।

ସେ କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ଆସନ୍ତି ପଲିଟିକାଲ ଟୁରିଷ୍ଟ । ବିଜେପିର ବହୁ ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ପର୍ଯ୍ୟଟକ ଭଳି ଆସିଥାନ୍ତି । ହେଲେ ନିର୍ବାଚନ ପରେ ସେମାନେ ଦେଖାଯାଆନ୍ତି ନାହିଁ ।

ଆଗକୁ ସେ କହିଛନ୍ତି, ବିଜେପିର କେନ୍ଦ୍ରୀୟ ନେତାଙ୍କ ଗସ୍ତ ଓଡ଼ିଶାରେ କୌଣସି ପ୍ରଭାବ ପକାଇବନି । ଅନେକ ବିଜେପି ନେତା ଅଶାଳୀନ ଭାଷା ବ୍ଯବହାର କରୁଛନ୍ତି । ଯାହାକି ଦୁର୍ଭାଗ୍ଯଜନକ । କିନ୍ତୁ ଏଥିରେ ମୁଁ ବିଶ୍ବାସ କରେନି । ବିଜେପିର ଏଭଳି ଭାଷାକୁ ରାଜ୍ଯବାସୀ ପସନ୍ଦ କରନ୍ତିନି କି ପ୍ରଶ୍ରୟ ବି ଦିଅନ୍ତିନି ।

ପ୍ରଣବଙ୍କ ପାଇଁ ଅଖଣ୍ଡ ଦୀପ ଜାଳୁଛନ୍ତି ସଦାନନ୍ଦ

କଟକ: ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାବସ । ତାଙ୍କ ବିଜୟ କାମନା କରି କଟକରେ ଜଳୁଛି ଅଖଣ୍ଡ ଦୀପ । ଫ୍ରେଣ୍ଡସ୍ କଲୋନୀସ୍ଥିତ ମାଆ ତାରିଣୀଙ୍କ ମନ୍ଦିରରେ ସେବାୟତ ସଦାନନ୍ଦ ମହାରଣା ଅଖଣ୍ଡ ଦୀପ ଜାଳୁଛନ୍ତି ।

ଯେବେଠାରୁ ପ୍ରଣବଙ୍କ ଟିକେଟ୍ ଘୋଷଣା ହେଲାଣି ସେବେଠାରୁ ସଦାନନ୍ଦ ବ୍ରତ ରଖି ମାଆଙ୍କ ପାଖରେ ଅଖଣ୍ଡ ଦୀପ ଜାଳୁଛନ୍ତି । ପ୍ରବଣ ପ୍ରକାଶ ଦାସଙ୍କ ବଡ଼ ବିଜୟ ସହିତ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସେବାୟତ ସଦାନନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ସମ୍ବଲପୁର: ସମ୍ବଲପୁରରେ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି । ରାଜ୍ଯ ହିତ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ବିଜେଡିର ପ୍ରାର୍ଥୀମାନଙ୍କୁ ଚିହ୍ନି ଶଂଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି ।

ଏହି ଅବସରରେ ବିଭିନ୍ନ ଜନହିତକର ଯୋଜନା ଉପରେ ଲୋକଙ୍କ ମତାମତ ନେବା ସହ ବିଡି ଶ୍ରମିକଙ୍କ ପାଇଁ ପ୍ଯାକେଜ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । କାଳିଆ, ମମତା, ମଧୁବାବୁ ପେନସନ, ଚାଉଳ କାର୍ଡ, ଲକ୍ଷ୍ମୀ ବସ, 5T ସ୍କୁଲ, ମାଆ ସମଲେଈ କାମ, ପୁରୀ କାମ ଭଲ କି ନୁହେଁ ପଚାରି ବୁଝିଥିଲେ ନବୀନ । ଏସବୁ ପାଇ କି ଆପଣମାନେ ଖୁସି କି ନୁହଁ ବୋଲି ମଧ୍ଯ ପଚାରିଥିଲେ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ କହିଲା ବେଳେ ସଭା ସ୍ଥଳ ଖୁସିରେ କମ୍ପି ଉଠିଥିଲା ।

ଏହାପରେ ସମ୍ବଲପୁର ମାଟିରୁ କେନ୍ଦ୍ରକୁ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଖୁବ ସମଲୋଚନା କରିଥିଲେ । ସମ୍ବଲପୁରରୁ ବିଜେପି ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଥିଲେ ଏକାଧିକ ପ୍ରଶ୍ନ । କହିଥିଲେ, ଅଞ୍ଚଳର ଭାଷା, କଳା ଓ ସଂସ୍କତି ଲାଗି ସମ୍ବଲପୁର ପାଇଛି ସ୍ଵତନ୍ତ୍ର ପରିଚୟ । ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଠମ ଅନୁଚ୍ଛେଦରେ ସାମିଲ ଲାଗି ଲଗାତର ୫ ଥର ପ୍ରସ୍ତାବ ପଠାଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ କେନ୍ଦ୍ର କିଛି କଲା ନାହିଁ । କାହିଁକି କୋଶଳୀ ଭାଷା ଆଜି ପର୍ଯ୍ୟନ୍ତ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇନାହିଁ ବୋଲି ପଚାରିଛନ୍ତି ପାଣ୍ଡିଆନ ।

ସମ୍ବଲପୁରୀ ଶାଢୀରେ ଥିବା ଇକତ ଡିଜାଇନକୁ ସ୍ଵତନ୍ତ୍ର ପରିଚୟ ଦେବାକୁ ଦିଲ୍ଲୀରେ ଥିବା କୃଷି ଭବନର ଜିଜାଇନ ଏହି ସମ୍ବଲପୁରୀ ଶାଢୀ ଡିଜାଇନରେ କରାଯାଇଛି । ଏହି କୋଠାର ଡିଜାଇନ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି । କଳାଭୂମିରେ ସମ୍ବଲପୁରୀ ଶାଢୀ ମ୍ଯୁଜିୟମ ତିଆରି କରୁଛନ୍ତି । ଅଞ୍ଚଳରୁ ଥିବା କେନ୍ଦ୍ରମନ୍ତ୍ରୀ ସମ୍ବଲପୁରୀ ଶାଢୀର ଉନ୍ନତି ଓ ଏହାକୁ ଜୀବିକା କରିଥିବା ବୁଣାକାରଙ୍କ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି କାର୍ତ୍ତିକ । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଏଠାରେ ଟେକ୍ସଟାଇଲ ପାର୍କ କରିପାରିଥାନ୍ତେ । ବୁଣାକାରଙ୍କ ସହଯୋଗ ଲାଗି ସମ୍ବଲପୁରୀ ଶାଢୀର ରପ୍ତାନୀ ଲାଗି ପଦକ୍ଷେପ ନେଇପାରିଥାନ୍ତେ ବୋଲି ମଧ୍ୟ କହିଛନ୍ତି ।

ଅଂଚଳର ବରପୁତ୍ରଙ୍କ ସ୍ମୃତି ପୀଠ ଲାଗି କେନ୍ଦ୍ରମନ୍ତ୍ରୀ କିଛି କରିନାହାନ୍ତି । ଯାହା ବି କରିଛନ୍ତି ମୁଖ୍ୟମନ୍ତ୍ରୀ ବଡ଼଼ ବଡ଼ ସ୍ମୃତି ପୀଠ କରିଛନ୍ତି । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର କେନ୍ଦ୍ର ସହ ମିଶି ବେଆଇନ ଆଡ଼ିବନ୍ଧ ଓ ଡ୍ଯାମ ନିର୍ମାଣ କଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସୁପ୍ରିମକୋର୍ଟରେ ମହାନଦୀ ଟ୍ରିବ୍ଯୁନାଲ ଗଠନ ହେଲା । ଏହି ଟ୍ରିବ୍ଯୁନାଲ ଗଠନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ସେହି ସମୟରେ ଏଠାକାର କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ । ସମ୍ବଲପୁର, ବରଗଡ଼ ସହ ଶେଷରେ ଓଡ଼ିଶାକୁ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ । ସେ ଭୋଟ ରାଜନୀତି କଲେ । ସମ୍ବଲପୁରରେ ମାଆ ସମଲେଇଙ୍କ ଆଶୀର୍ବାଦରେ ଅନେକ କାମ ହେଲା । ମାଆଙ୍କ ଆଶୀର୍ବାଦରେ କାମ ହେଲା ହେଲେ ଏଠାରେ ଯିଏ ଠିଆ ହୋଇଛନ୍ତି ମା ସମଲେଇଙ୍କ କାମ ବନ୍ଦ କରିବାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ଏହାଠାରୁ ଲଜ୍ଜାର କଥା କିଛି ହୋଇପାରିବନି ବୋଲି କହି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ ।

କେନ୍ଦୁପତ୍ର ତୋଳାଳି ଉପରେ ପଡୁଥିବା ଜିଏସଟି କେନ୍ଦ୍ର ଛାଡ଼ କରିବ କହିଥିଲା । ହେଲେ କିଛି କଲେ ନାହିଁ । କେନ୍ଦୁପତ୍ର ତୋଳାଳିଙ୍କୁ ପ୍ଯାକେଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାନର ଏମଏସପି ଦୁଇଗୁଣା କରିବୁ କହୁଥିଲେ । ଦୁଇ ଗୁଣା ହେଲା କି ବୋଲି ପଚାରିଛନ୍ତି ପାଣ୍ଡିଆନ। ଦମ ଥିଲେ ଏସବୁର ଉତ୍ତର କେନ୍ଦମନ୍ତ୍ରୀ ଦିଅନ୍ତୁ ବୋଲି କହିଛନ୍ତି ପାଣ୍ଡିଆନ । ସମ୍ବଲପୁରର ସମସ୍ତ ସ୍କୁଲକୁ ରୂପାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଅଂଚଳର ଶିକ୍ଷା ମନ୍ତ୍ରୀ ଅଛନ୍ତି ହେଲେ ଗୋଟିଏ ବି ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟଟିଏ ଖୋଲି ପାରିଲେନି । ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ୱେ ୩ ବର୍ଷରେ ୩୫୦ କିଲୋମିଟର କରିପାରିଲେ । ହେଲେ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ଗୋଟିଏ ରାସ୍ତା ୧୦ ବର୍ଷ ହେଲା କରିପାରିନାହାନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ କରିପାରିନାହାନ୍ତି କେନ୍ଦ୍ରମନ୍ତ୍ରୀ । ମହାନଦୀ କୋଲ୍ଡଫିଲ୍ଡରୁ କେନ୍ଦ୍ର ପ୍ରତିବର୍ଷ ୨୭ ହଜାର କୋଟି ରାଜସ୍ଵ ପାଉଛନ୍ତି । ହେଲେ ରାଜ୍ୟକୁ ମାତ୍ର ଦେଉଛନ୍ତି ୪ ହଜାର କୋଟି । ତୈଳ ମନ୍ତ୍ରୀ ଥିଲେ, ହେଲେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜି ଦର କମ କରିପାରିନାହାନ୍ତି । ମାଆମାନଙ୍କୁ ଦୁଃଖ ଦେଲେ କନ୍ଦେଇଲେ । ତେଲ ଦର କମିଲା କି, ଏଲପିଜି ଦର କମିଲା କି, ସମ୍ବଲପୁର ରାସ୍ତା ଠିକ୍ ହେଲା କି ବୋଲି ପଚାରିବା ସହ ଏହାର କ’ଣ ଉତ୍ତର ଦେବେ ବୋଲି ପଚାରିଛନ୍ତି ପାଣ୍ଡିଆନ। ବିଜେଡିର ଦୁଇ ନେତାଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ଖଲ୍ଲିକୋଟ ରାଜନୈତିକ ହିଂସାର ତଦନ୍ତ କରିବ ଏସଆଇଟି

ଭୁବନେଶ୍ବର: ଖଲ୍ଲିକୋଟ ରାଜନୈତିକ ହିଂସା ମାମଲାର ତଦନ୍ତ କରିବ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ । ୩୦ ଦିନ ଭିତରେ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ଅତିରିକ୍ତ ପୋଲିସ ଡିଜି ଆର. କେ ଶର୍ମା ଛତ୍ରପୁରରେ କ୍ଯାମ୍ପ କରି ରହିବେ । ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ସହ ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଗତ ୧୫ ତାରିଖରେ ୮ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଉପରେ ଉତ୍ତ୍ଯକ୍ତ ଲୋକ କରିଥିଲେ ଆକ୍ରମଣ । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠି ଚାଳନା କରିଥିଲା ପୋଲିସ । ଉକ୍ତ ଦିନ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର ମରାକୁ କେନ୍ଦ୍ର କରି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । କର୍ତ୍ତବ୍ଯରେ ଅବହେଳା ପାଇଁ ଖଲ୍ଲିକୋଟ ଥାନାର ୪ ପୋଲିସ କର୍ମଚାରୀଙ୍କୁ ଏସପି ଅଫିସକୁ ବଦଳି କରାଯାଇଥିଲା । ହିଂସାରେ ବିଜେଡିର ୮ ଜଣ କର୍ମୀ ଗୁରୁତର ହୋଇଥିବାବେଳେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ଯୁ ଘଟିଥିଲା ।

ମିଶନ ଶକ୍ତି ମାଆଙ୍କୁ ବିଜେପି ନେତା ଡରାଉଥିବା ଅଭିଯୋଗ, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ଭୁବନେଶ୍ବର: ସମ୍ବଲପୁରରେ ବିଜେପି ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା, ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି ।

ସମ୍ବଲପୁର ଜିଲ୍ଲାର ପୂର୍ବତନ ଏମପିଙ୍କ ନୋମିନି ତଥା ବିଜେପି ନେତା ନରେଶ ସିଂ ଠାକୁର ବାମରା ବ୍ଲକର ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶୀଳ ଭାଷାରେ ଗାଳି କରୁଛନ୍ତି । ୩ ମିନଟ ୨୧ ସେକେଣ୍ଡର ଏକ ଅଡିଓ ରେକର୍ଡିଂକୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦେଇ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ସ୍ଥିତି ଏମିତି ହୋଇଛି, ବିଜେପି ନେତାଙ୍କ ଭୟରେ ଏମବିକେ, ଏସଏସଜି ମହିଳାମାନେ ଘରୁ ବାହାରି ପାରୁନାହାନ୍ତି । ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଏବେ ଚରମ ସୀମାରେ ପହଁଚି ଥିବା ଅଭିଯୋଗ କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ନିବେଦନ କରିଛି ବିଜେଡି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳର ବିଜେପି ନେତା ଏବେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟାପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ମହିଳା ହୋମଗାର୍ଡଙ୍କ ମାନବିକତା, ଡ୍ୟୁଟିରେ ଥାଇବି ପଥଚାରୀଙ୍କୁ ଦେଉଛନ୍ତି ଥଣ୍ଡାପାଣି

ଭୁବନେଶ୍ବର: ଏବେ ବି ବଞ୍ଚିଛି ମଣିଷପଣିଆ । ପାଖରେ ଧନ ନାହିଁ ହେଲେ ଅନ୍ୟକୁ ସାହାଯ୍ୟ କରିବାର ଅଛି ବିଶାଳ ମନ। ରାଜଧାନୀ ରାଜରାସ୍ତାରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଟ୍ରାଫିକ ଦାୟିତ୍ବରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ସେବା ମନୋବୃତ୍ତି। ଖରାରେ ଆଉଟୁ ପାଉଟୁ ପଥଚାରୀଙ୍କୁ ବଢ଼ାଇଛନ୍ତି ସାହାଯ୍ୟର ହାତ। ଡ୍ୟୁଟିରେ ଥାଇ ମଧ୍ୟ ପଥଚାରୀଙ୍କୁ ଦେଉଛନ୍ତି ଥଣ୍ଡା ପାଣି। ଗାଡ଼ିଟିଏ ଖରାପ ହେଲେ ପାରୁ ପର୍ଯ୍ୟନ୍ତ କରୁଛନ୍ତି ସହଯୋଗ ।

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କାର୍ତ୍ତିକ ଆର୍ୟାନଙ୍କ ମାମୁଁ ମାଇଁ

ମୁମ୍ବାଇ: ନିକଟରେ ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଅଭିନେତା କାର୍ତ୍ତିକ ଆର୍ୟାନଙ୍କ ମାମୁଁ ମାଇଁ  । ମୁମ୍ବାଇରେ ଘୂର୍ଣ୍ଣିଝଡ ଯୋଗୁଁ ଘାଟକୋପର ଅଞ୍ଚଳରେ ଏକ ହୋର୍ଡିଂ ଖସିଯିବା ପରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ସମ୍ପର୍କୀୟଙ୍କୁ ହରାଇଛନ୍ତି କାର୍ତ୍ତିକ ଆର୍ୟନ । ଦୁର୍ଘଟଣାର ୫୬ ଘଣ୍ଟା ପରେ କାର୍ତ୍ତିକ ଆର୍ୟ୍ୟନଙ୍କ ମାମୁଁ ଏବଂ ମାଇଁଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ଅଭିନେତା କାର୍ତ୍ତିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

କିଛିଦିନ ପୂର୍ବରୁ ଇନ୍ଦୋର ବିମାନ ବନ୍ଦରର ପୂର୍ବତନ ନିର୍ଦ୍ଦେଶକ ଥିବା ଅଭିନେତାଙ୍କ ମାମୁଁ ମନୋଜ ଖାନସୋରିଆ ତାଙ୍କ ପତ୍ନୀ ଅନୀତା ଚାନସୋରିଆଙ୍କ ସହ ମୁମ୍ବାଇ ଆସିଥିଲେ। ସେ ଜବଲପୁରର ସିଭିଲ୍ ଲାଇନ୍ସରେ ରହୁଥିଲେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ମୁମ୍ବାଇ ଯାଇଥିଲେ। କିଛି ଦିନ ପରେ ପୁଅକୁ ଭେଟିବା ପାଇଁ ସେ ଆମେରିକା ଯାଇଥାନ୍ତେ। ସେ କିଛି ଦିନ ମୁମ୍ବାଇରେ ରହିବାକୁ ଆସିଥିଲେ ।

 

କିନ୍ତୁ ଯେତେବେଳେ ତାଙ୍କ ପୁଅ ୟଶ ପିତାମାତାଙ୍କ ସହ କଥା ହୋଇପାରିନଥିଲେ, ସେତେବେଳେ ସେ ସମ୍ପର୍କୀୟଙ୍କ ସାହାଯ୍ୟ ନେଇଥିଲେ। ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପିତାମାତା ମୁମ୍ବାଇ ଝଡ଼ରେ ଫସି ରହିଛନ୍ତି। ଘଟଣାର ଅନୁସନ୍ଧାନ କରିବାର ୫୬ ଘଣ୍ଟା ପରେ ସେମାନଙ୍କ ମୃତଦେହ ମିଳିଥିଲା।

ଏହି ଦୁର୍ଘଟଣାର ୬୦ ଘଣ୍ଟା ପରେ ୧୬ ଜଣଙ୍କ ମୃତଦେହ ମିଳିଥିଲା  । ଏହି ଦୁର୍ଘଟଣାରେ ୭୫ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନକୁ ସିଲ୍ କରାଯାଇ ଅଧିକ ତଦନ୍ତ ଆରମ୍ଭ ହେବ  ।