spot_img
Home Blog Page 2030

ପାରମ୍ପରିକ ପେଟ୍ରୋଲ ଓ ଡିଜେଲ ଯାନ ତୁଳନାରେ ଇଭି ପ୍ରଦୂଷଣ ଅଧିକ

ନୂଆଦିଲ୍ଲୀ :  ସାରା ବିଶ୍ବରେ ଏବେ ଇଲେକ୍ଟ୍ରିକ ଭେହିକଲ ବା ଇଭିର ଲୋକପ୍ରିୟତା ବଢୁଛି । ସରକାର ବି ଇଭି ଶିଳ୍ପକୁ ପ୍ରାଧାନ୍ୟ ଦେଉଛନ୍ତି । ହେଲେ ବର୍ତ୍ତମାନର ଏକ ଗବେଷଣାର ରିପୋର୍ଟ ଇଭିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ।

ପାରମ୍ପରିକ ପେଟ୍ରୋଲ ଓ ଡିଜେଲ ଯାନ ତୁଳନାରେ ଇଭିର ପ୍ରଦୂଷଣ ମାତ୍ରା ବହୁ ଅଧିକ ବୋଲି ଏକ ଗବେଷଣାରୁ ଜଣାପଡିଛି । ପେଟ୍ରୋଲ ଓ ଡିଜେଲ ଗାଡି ତୁଳନାରେ ଇଭିର ପ୍ରଦୂଷଣ ବହୁ ଗୁଣ ଅଧିକ ବୋଲି ରିପୋର୍ଟରେ ଦର୍ଶାଇଛି ଏମିସନ ଆନାଲିଟିକ୍ସ । ଇଭି ଓ ଗ୍ୟାସୋଲିନ ଚାଳିତ କାରଗୁଡିକର ବ୍ରେକ ଓ ଟାୟାରରୁ ବାହାରୁଥିବା କଣିକା ପ୍ରଦୂଷଣ ଲାଗି ଅଧିକ ସହାୟକ ବୋଲି ତଥ୍ଯରେ କୁହାଯାଇଛି ।

ଇଭି ଓ ଗ୍ଯାସୋଲନିଚାଳିତ କାରର ଓଜନ ବହୁଅଧିକ ହୋଇଥିବାରୁ ଏହାର ବ୍ରେକ ଓ ଟାୟାରରୁ ଅଧିକ କଣିକା ନିର୍ଗତ ହୋଇଥାଏ ଯାହାକି ପେଟ୍ରୋଲ ଓ ଡିଜେଲଚାଳିତ ଯାନର ପ୍ରଦୂଷଣ କଣିକାଠାରୁ ୧୮୫୦ ଗୁଣ ଅଧିକ । ଟାୟାରରୁ ବାହାରୁଥିବା ରାସାୟନିକ ପଦାର୍ଥ ବାୟୁମଣ୍ଡଳ ଲାଗି ଅଧିକ କ୍ଷତି ପହଞ୍ଚାଇଥାଏ ।ସାଧାରଣତଃ ଇଭିଗୁଡିକର ଟାୟାର ସିନ୍ଥେଟିକ ରବରରୁ ପ୍ରସ୍ତୁତ ଯାହାକି ଅଶୋଧିତ ତୈଳରୁ ରାସାୟନିକ  ପ୍ରକ୍ରିୟାରୁ ତିଆରି ହୋଇଥାଏ । ପୁଣି ପାରମ୍ପରିକ ଗ୍ୟାସୋଲିନ ଇଞ୍ଜିନ ତୁଳନାରେ ଇଭିର ଇଞ୍ଜିନ ଅଧିକ ଓଜନ ହୋଇଥିବାରୁ ଅଧିକ ବ୍ରେକ ବ୍ଯବହାର ହୋଇଥାଏ ।

ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ; ମୁଖ୍ଯମନ୍ତ୍ରୀଙ୍କ ଚାଲିଛି ଅଧ୍ଯକ୍ଷତାରେ ଆଲୋଚନା

ଭୁବନେଶ୍ୱର :  ନବୀନ ନିବାସରେ ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଦଳର ବରିଷ୍ଠ ନେତାଙ୍କ ସହ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରୁଛନ୍ତି । ଲୋକଙ୍କ ପାଖରେ ରାଜ୍ଯ ସରକାରଙ୍କ ବିକାଶ ମୂଳକ ଯୋଜନା କେତେ ପହଞ୍ଚି ପାରିଛି ଓ ଜନସାଧାରଣ କେତେ ଉପକୃତ ହେଉଛନ୍ତି ସେନେଇ ଆଲୋଚନା କରାଯାଉଛି ।

ଯୋଜନା ସବୁ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ଯମନ୍ତ୍ରୀ । ସେବାରେ ବିଶ୍ବାସ କରୁଥିବା ବିଜେଡି ସବୁବେଳେ ବିକାଶକୁ ଗୁରୁତ୍ବ ଦେଇଛି । ସବୁ ଯୋଜନା ଦ୍ବାରା ଯେପରି ଲୋକମାନେ ଉପକୃତ ହେବେ ତାହାକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଏଥିପାଇଁ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି ।  ବିଏସକେୱାଇ, ଲକ୍ଷ୍ମୀ, ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ପ୍ରମୁଖ ଯୋଜନା ରାଜ୍ଯର ବିକାଶକୁ ନୂଆ ଗତି ଦେଇଛି ।

ବିଭିନ୍ନ ଯୋଜନାରେ ସହାୟତା ରାଶି ସହ ବାର୍ଦ୍ଧକ୍ଯ, କଳାକାର ଭତ୍ତା ବୃଦ୍ଧି ସହ ମମତା ସହାୟତାକୁ ଦୁଇଗୁଣା କରିଛନ୍ତି ରାଜ୍ଯ ସରକାର । ଲୋକ ଏହାଦ୍ବାରା କେତେ ଉପକୃତ ହେଉଛନ୍ତି ଓ ଆଉ କଣ ଅସୁବିଧା ରହିଛି ସେନେଇ ନେତାଙ୍କଠାରୁ ଅପଡେଟ୍ ନେଉଛନ୍ତି ମୁଖ୍ଯମନ୍ତ୍ରୀ । ଯୋଜନାର କାର୍ଯ୍ୟକାରିତା ସହ ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା କରାଯାଉଛି ।

ବୈଠକରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ମନ୍ତ୍ରୀ  ଟୁକୁନି ସାହୁ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଉଷାଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାଶବର୍ମା ପ୍ରମୁଖ ଯୋଗ ଦେଇଛନ୍ତି ।

ବାଇଲେଟେରାଲ ଟ୍ରାନ୍ସପ୍ଲାଣ୍ଟ ସଫଳ, ଦିଲ୍ଲୀର ଚିତ୍ରଶିଳ୍ପୀଙ୍କୁ ମିଳିଲା ନୂଆ ହାତ

ନୂଆଦିଲ୍ଲୀ: ମେଡିକାଲ ସାଇନ୍ସରେ ଆଶ୍ଚର୍ଯ୍ୟ। କମାଲ କରି ଦେଖାଇଲେ ଡାକ୍ତର। ଦିଲ୍ଲୀର ଜଣେ ବ୍ଯକ୍ତିଙ୍କୁ ମିଳିଲା ନୂଆ ହାତ। ୪୫ ବର୍ଷୀୟ ଜଣେ ଯୁବକଙ୍କ ସଫଳତାର ସହ ହାତ ପ୍ରତିରୋପଣ କରାଯାଇଛି। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ୨୦୨୦ରେ ବ୍ଯକ୍ତି ଜଣକ ଏକ ଟ୍ରେନ ଦୁର୍ଘଟଣାରେ ଦୁଇଟି ହାତ ହରାଇଥିଲେ। ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ବ୍ଯକ୍ତି ଜଣକ ହେଉଛନ୍ତି ଜଣେ ଶିଳ୍ପୀ। ଏହି ଅସ୍ତ୍ରୋପଚାର ପରେ ପୁଣିଥରେ ହାତରେ ବ୍ରସ ଧରିପାରିବେ ସମ୍ପୃକ୍ତ ଶିଳ୍ପୀ। ଶିଳ୍ପୀଙ୍କ ବାଇଲେଟେରାଲ ହ୍ଯାଣ୍ଡ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଛି। ଆସନ୍ତାକାଲି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଉଛି।

ମୀନା ମେହତା ନାମକ ଜଣେ ମହିଳା ବ୍ରେନ ଡେଡ୍ ଘୋଷଣା ହେବା ପରେ ତାଙ୍କର ଦୁଇ ହାତ ସମ୍ପୃକ୍ତ ବ୍ଯକ୍ତିଙ୍କ କଟିଯାଇଥିବା ହାତରେ ଅସ୍ତ୍ରୋପଚାର କରି ଯୋଡ଼ା ଯାଇଛି। ମୀନା ମେହତା ନାମକ ମହିଳାଙ୍କ ମୃତ୍ଯୁ ପରେ ଅଙ୍ଗ ଦାନ କରିବାକୁ ସେ ପୂର୍ବରୁ ଘୋଷଣା କରିଥିଲେ। ଏଥିଲାଗି ତାଙ୍କର କିଡନୀ, ଲିଭର ଏବଂ କୋର୍ଣ୍ଣିଆ ଅନ୍ଯ ୩ ଜଣଙ୍କୁ ନୂଆ ଜୀବନ ଦେଇଛି।

ସେହିପରି ତାଙ୍କର ଦୁଇ ହାତ ଚିତ୍ରଶିଳ୍ପୀଙ୍କୁ ସ୍ଵପ୍ନକୁ ପୁଣିଥରେ ଉଜାଗର କରିଛି। ଦୁଇ ହାତ ହରାଇବା ପରେ ଅସହାୟ ହୋଇପଡିଥିଲେ ସମ୍ପୃକ୍ତ ବ୍ଯକ୍ତି। ଏହି ଅସ୍ତ୍ରୋପଚାରରେ କରିବାକୁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଯେଉଁଥିରେ ମାଂସପେଶୀ ଏବଂ ଶୀରା ଗୁଡିକୁ ଅଙ୍ଗ ପ୍ରଦାନ କରିଥିବା ମହିଳାଙ୍କ ହାତ ସହ ପୀଡ଼ିତଙ୍କ କଟିଯାଇଥିବା ହାତ ସହ ସଫଳତାର ସହ ଯୋଡ଼ା ଯାଇଛି। ଡାକ୍ତରଙ୍କ ପରିଶ୍ରମ ଶେଷରେ ସଫଳ ହୋଇଛି।

ଜିମ୍ କର୍ବେଟ ମୁଖ୍ୟାଞ୍ଚଳରେ ଥିବା ବାଘ ସଫାରି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ କର୍ବେଟ ନ୍ୟାସନାଲ ପାର୍କରେ ଥିବା ବାଘ ସଫାରି ଉପରେ ବୁଧବାର ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଜାତୀୟ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ସଂରକ୍ଷିତ ଅଞ୍ଚଳ ବାହାରେ ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତାକୁ ସ୍ୱୀକାର କରୁଛି। ଉଦ୍ୟାନର ମୁଖ୍ୟ ଅଞ୍ଚଳ ପରିବର୍ତ୍ତେ ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ରାଜ୍ୟ ପ୍ରଶାସନ ଏବଂ ରାଜନେତାମାନେ ଜନସାଧାରଣଙ୍କ ବିଶ୍ୱାସର ନୀତିକୁ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି। ବାଘ ବିନା ଜଙ୍ଗଲ ନଷ୍ଟ, ତେଣୁ ଜଙ୍ଗଲ ସମସ୍ତ ବାଘକୁ ସୁରକ୍ଷା ଦେବା ଉଚିତ।

କର୍ବେଟ ଟାଇଗର ରିଜର୍ଭରେ ବେଆଇନ ନିର୍ମାଣ ଏବଂ ଗଛ କାଟିବା ପାଇଁ କୋର୍ଟ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତ ଏବଂ ତତ୍କାଳୀନ ବିଭାଗୀୟ ବନ ଅଧିକାରୀ କିଶନ ଚାନ୍ଦଙ୍କୁ ଭର୍ତ୍ସନା କରିଛନ୍ତି।

ଏହା ବ୍ୟତୀତ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି, ଯାହା ଦେଖିବ ଯେ ଦେଶର ଜାତୀୟ ଉଦ୍ୟାନଗୁଡ଼ିକର ବଫର ଜୋନରେ ବା ତତସଂଲଗ୍ନ ଅଞ୍ଚଳରେ ଟାଇଗର ସଫାରି ନିର୍ମାଣ ପାଇଁ ଅନୁମତି ଦିଆଯାଇପାରିବ କି ନାହିଁ? ପୂର୍ବରୁ ଥିବା ସଫାରିଗୁଡିକ ଉପରେ ମଧ୍ୟ କମିଟିର ସୁପାରିଶ ଲାଗୁ ହେବ। କୋର୍ଟ କହିଛନ୍ତି ଯେ ମନ୍ତ୍ରୀ ଏବଂ ଡିଏଫଓଙ୍କ ଦୁଃସାହାସକୁ ନେଇ ଆମେ ଆଶ୍ଚର୍ଯ୍ୟ  । ଏହି ଘଟଣାର ସିବିଆଇର ଯାଞ୍ଚକୁ କୋର୍ଟ ତଦାରଖ କରିବ ଏବଂ ତିନି ମାସ ମଧ୍ୟରେ ସିବିଆଇକୁ ଏକ ଷ୍ଟାଟସ୍ ରିପୋର୍ଟ ଦେବାକୁ ପଡ଼ିବ।

ଜିମ କର୍ବେଟ ପାର୍କରେ ସଫାରି ନିର୍ମାଣ କରିବାର ପ୍ରସ୍ତାବିତ ଯୋଜନାକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଏହି କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ, ବାଘଙ୍କ ବେଆଇନ ଶିକାର ଯଥେଷ୍ଟ ହ୍ରାସ ପାଇଛି। ଯଦିଓ ଜିମ କର୍ବେଟରେ ଗଛ ଗୁଡିକୁ ବେଆଇନ ଭାବେ କଟାଯିବା ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ।

ପୋଲିସକୁ ଜୀବନରୁ ମାରିଦେବାକୁ ଚୋରଙ୍କ ଉଦ୍ଯମ, ସିସିଟିଭିରେ କଏଦ ଦୃଶ୍ୟ…

ଖଲ୍ଲିକୋଟ: ଚୋର ପୋଲିସ ଛକାପଞ୍ଝା । ପୋଲିସକୁ ଜୀବନରୁ ମାରିଦେବାକୁ ଚୋରଙ୍କ ଉଦ୍ଯମ। ପୋଲିସ ଗାଡ଼ିକୁ ଟ୍ରକ ଦ୍ବାରା ଜୋରରେ ଧକ୍କା ଦେଇ ପୋଲିସ ଅଧିକାରୀଙ୍କୁ ମାରିବାକୁ ଉଦ୍ଯମ। ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ସିସିଟିଭି ଫୁଟେଜ। ପୋଲିସ ଅଟକାଇବା ବେଳେ ଦେଖନ୍ତୁ କିପରି ଖସିଯାଉଛନ୍ତି ଦୁର୍ବୃତ୍ତ ।

ଗଞ୍ଜାମ ଖଲ୍ଲିକୋଟ ଥାନା ଅଧୀନରେ ଘଟିଛି ଏହି ଘଟଣା। ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରକରେ କିଛି ଦୁର୍ବୃତ୍ତ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଟ୍ରକଗୁଡିକରୁ ଡିଜେଲ ଚୋରି କରୁଥିଲେ । ଏହି ଟ୍ରକକୁ ଜବତ କରିବା ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ପିଛା କରିଥିଲେ। ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପିଛା କରୁଥିବା ବେଳେ ଦୁର୍ବୃତ୍ତମାନେ ପୋଲିସ ଗାଡି ଉପରେ ଟ୍ରକ ଚଢାଇ ଦେଇଥିଲେ । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୋଲିସ ଅଧିକାରୀ।

ଟ୍ରକକୁ ଧରିବା ପାଇଁ ଖଲ୍ଲିକୋଟ ପୋଲିସ ସମେତ ରମ୍ଭା ପୋଲିସ ପିଛା କରୁଥିଲା। ଶେଷରେ ଟ୍ରକ ସହ ଏକ ମାରଣାସ୍ତ୍ର ଜବତ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

କ୍ୟାପିଟାଲ ଥାନା ଝରଣାସାହି ହତ୍ୟା ଘଟଣା; ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ

ଭୁବନେଶ୍ୱର: ଟ୍ରାଙ୍ଗୁଲାର ଲଭ ଷ୍ଟୋରିର ଦି ଏଣ୍ଡ । ମିଛ ପ୍ରେମରେ ପୋଲିସର ପୂର୍ଣ୍ଣଚ୍ଛେଦ। କ୍ୟାପିଟାଲ ଥାନା ଝରଣାସାହି ହତ୍ୟା ଘଟଣାରେ କମିଶନରେଟ ଜାଲରେ ପଡିଲା ଅଭିଯୁକ୍ତ। କେମିତି ମାରିଥିଲା, କ’ଣ ପାଇଁ ମାରିଥିଲା ତାର ଡେମୋ ମଧ୍ୟ ଦେଖାଇଛି। ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ।

ଖୋର୍ଦ୍ଧା ସାରୁଅରେ ଲୁଚିଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା ବୋଲି କହିଛନ୍ତି ଡିସିପି । ପୋଲିସ କହିବା ମୁତାବକ, ମୃତ ମହିଳାଙ୍କ ସ୍ୱାମୀ କୁଞ୍ଜବିହାରୀ ବାପୁଜୀ ନଗରରେ ଏକ ମୋବାଇଲ ଦୋକାନ କରିବାକୁ ପ୍ଲାନ କରିଥିଲେ । ଅଭିଯୁକ୍ତ ଜଣଙ୍କ କାଠ ମିସ୍ତ୍ରୀ ହୋଇଥିବାରୁ କୁଞ୍ଜବିହାରୀଙ୍କ ଠାରୁ କାମ ନେଇଥିଲେ । ନିଜ ଘରେ କୁଞ୍ଜବିହାରୀ ତାଙ୍କୁ ରଖିଥିଲେ । ସେହିଠାରେ ରହି କାମ କରୁଥିଲା ଅଭିଯୁକ୍ତ। କିନ୍ତୁ ୨୦ ଦିନ ରହିବା ଭିତରେ କୁଞ୍ଜବିହାରୀଙ୍କ ପତ୍ନୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଗତ ୨୭ ତାରିଖରେ ମହିଳା ଜଣଙ୍କୁ ଅଭିଯୁକ୍ତ ଜଣଙ୍କ ପ୍ରେମ ନିବେଦନ କରିବା ସହ ବାହା ହେବାକୁ ବାଧ୍ୟ କରିଥିଲେ । ଏଥିରେ ରାଜି ନହେବାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କ ତଣ୍ଟି କାଟି ଦେଇଥିଲା ଅଭିଯୁକ୍ତ। କଟକ ବଡ଼ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ଅଭିଯୁକ୍ତକୁ ଖୋର୍ଦ୍ଧା ସାରୁଅରୁ ଗିରଫ କରାଯାଇଛି । ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ନେପାଳରେ ଶିବଙ୍କ ବିଶାଳ ପ୍ରତିମୂର୍ତ୍ତି, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କାଠମାଣ୍ଡୁ: ଆଜି ପବିତ୍ର ଏକାଦଶୀ। ଆଉ ଆଜିର ଦିନରୁ ଆରମ୍ଭ ହୋଇଛି ଶିବରାତ୍ରିର ପ୍ରଥମ ପୂଜା। ନେପାଳ କାଠମାଣ୍ଡୁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀପଶୁପତିନାଥଙ୍କ ପୀଠରେ ଆରମ୍ଭ ହୋଇଛି ଶିବରାତ୍ରୀର ପ୍ରଥମ ପୂଜା। ଯେଉଁଠି ଶତାଧିକ ନାଗା ବାବା ସାମିଲ ହୋଇଛନ୍ତି। ବିଧି ଅନୁଯାୟୀ ଆଜି ଏକାଦଶୀ ଠାରୁ ଏଠାରେ ଆରମ୍ଭ ହୁଏ ଶିବରାତ୍ରିର ପ୍ରଥମ ପୂଜା । ଯାହା କେବଳ ନାଗା ବାବା ସାଧୁଙ୍କ ଦ୍ବାରା କରାଯାଇଥାଏ।

ପ୍ରଥମେ ମନ୍ଦିର ଭିତରେ ପଶି ନାଗା ବାବା ମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହାସହ ନେପାଳ ଆର୍ମି ବ୍ୟାଣ୍ଡ, ନେପାଳ ସୁରକ୍ଷା କର୍ମୀଙ୍କ ସହ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ନେପାଳର ଭକ୍ତପୁର ଜିଲ୍ଲା ସୂର୍ଯ୍ୟ ବିନାୟକ ନିକଟ ପାହାଡ ଉପରେ ରହିଛି ବିଶାଳ ଷ୍ଟାଡିଂ ଶିବ ଷ୍ଟାଚୁ। ଏହା ନେପାଳ ରାଜଧାନୀ କାଠମାଣ୍ଡୁଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ୨୦୦୩ରେ ଆରମ୍ଭ ହୋଇଥିବା ଏହି ଷ୍ଟାଚୁ କାମ ୨୦୧୧ରେ ଶେଷ ହୋଇଥିଲା। ଏହାର ମୂଳଦୁଆକୁ ମଜଭୁତ କରିବା ପାଇଁ ୧୦୦ ଫୁଟ ତଳକୁ ଖୋଳା ଯାଇଛି। ମୂର୍ତ୍ତିର ଉଚ୍ଚତା ୧୪୩ ଫୁଟ। ହିଲିଟେକ୍ ନାମକ ଏକ କମ୍ପାନୀ ଏହି ମୂର୍ତ୍ତିକୁ ଗଢ଼ିଛି। ପ୍ରତିଦିନ ଏଠାରେ ୫୦୦୦ ଭକ୍ତଙ୍କ ସମାଗମ ହୁଏ।

BSKY ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ବୁଧବାରଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ’ ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି। ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି।

ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, cashless ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ 5T ରେ କାର୍ଯ୍ୟକାରୀ ହେଉଥିବା BSKY ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର  ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। 5T ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା। ଲୋକଙ୍କୁ ସେବା ଦେବାର କଳ୍ପନା। ଆଜି 5T  ମନ୍ତ୍ର ଉପରେ ରାଜ୍ୟାବାସୀଙ୍କ ଆସ୍ଥା ବଢିଛି। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ BSKY Nabin  card ରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସେ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଗ୍ରାମାଞ୍ଚଳର BSKY Card ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ  ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ରେଢାଖୋଲରେ ବିଧାୟକ ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବୋଲଗଡରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ଆମ ରାଜ୍ୟ ଆଗକୁ ବଢିଛି। ସମାଜର ସବୁଠାରୁ ତଳ ଧାଡିରେ ରହୁଥିବା ବ୍ୟକ୍ତିର କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି। BSKY ଆଜି ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଛି। ସ୍ୱାସ୍ଥ୍ୟସେବା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଓଡିଶାବାସୀ ସବୁବେଳେ ମନେ ରଖିବେ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ BSKY Societyର CEO ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଗୁଳରେ 5T ଅଧ୍ୟକ୍ଷ, କହିଲେ- ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର

କିଶୋରନଗର: ଅନୁଗୁଳ କିଶୋରନଗର ବଡ଼ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମିଳିଥିବା ଦରଖାସ୍ତ ଓ ଅଭିଯୋଗ ପତ୍ରର ସନ୍ଧ୍ୟା ସୁଦ୍ଧା ଖୁସି ଖବର ପାଇବେ ବୋଲି କହିଛନ୍ତି 5T ଅଧ୍ଯକ୍ଷ। ମନ୍ଦିର, ମସଜିଦ, କମ୍ଯୁନିଟି ସେଣ୍ଟର ଉନ୍ନତି ପାଇଁ ଖୁସି ଖବର ପାଇବେ । ଆଜି ସନ୍ଧ୍ୟା ସୁଦ୍ଧା ଅନୁମୋଦନ ଅର୍ଡର ଆସିବ ।

ପୂର୍ବରୁ ସାତ ଦିନରେ ଖୁସି ଖବର ମିଳୁଥିଲା । ଏବେ ସଂଧ୍ଯା ସୁଦ୍ଧା ଖୁସି ଖବର ମିଳିବ ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମିଳୁଥିବା ଅର୍ଥକୁ ସ୍ୱଚ୍ଛତାର ସହ ଖର୍ଚ୍ଚ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସେହିପରି ଆସନ୍ତାକାଲି ଆଶା ଦିଦି ଭଲ ଖବର ପାଇବେ । ୯ ତାରିଖରେ ମିଶନ ଶକ୍ତି ମାଆ, ଚର୍ଚ୍ଚ, ବ୍ୟାଙ୍କ ମିତ୍ର ଖୁସି ଖବର ପାଇବେ । ୧୦ ଲକ୍ଷ ଯାଏ ଋଣ ପାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଅଙ୍ଗନବାଡି, ଗର୍ଭବତୀ ସମସ୍ତଙ୍କ ଦରମା ବଢିଛି । ସମସ୍ତେ ମିଶି ସଶକ୍ତ ଓଡ଼ିଶା ଗଢିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାପୂର୍ବରୁ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓଡ଼ିଶାକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହାର ଆଜି ସୁଫଳ ମିଳୁଛି ବୋଲି କହିଥିଲେ ସାଂଗଠନିକ ସଂପାଦକ ।

ମୋଇଜୁଙ୍କ କଡ଼ା ଆଭିମୁଖ୍ୟ, ୧୦ ସୁଦ୍ଧା ମାଳଦ୍ୱୀପ ଛାଡିବେ ଭାରତୀୟ ସୈନ୍ୟ

ନୂଆଦିଲ୍ଲୀ: ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟବାହିନୀ। ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ପୁଣିଥରେ ପଦାରେ ପଡିଛି। ସାଧାରଣ ପୋଷାକଧାରୀଙ୍କ ସମେତ କୌଣସି ଭାରତୀୟ ସୈନ୍ୟଙ୍କୁ ତାଙ୍କ ଦେଶରେ ରହିବାକୁ ଅନୁମତି ଦିଆଯିବ ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ମାଳଦ୍ୱୀପରେ ଥିବା ତିନୋଟି ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏକୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାର ଏକ ଭାରତୀୟ ସୈନ୍ୟବାହିନୀ ସେଠାରେ ପହଞ୍ଚିବା ପରେ ମୋଇଜୁ ଏହି ଘୋଷଣା କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି ।

ଆଟୋଲ ଗସ୍ତ ସମୟରେ ମୋଇଜୁ ଲୋକଭ୍କୁ ସମ୍ବୋଧନ କରି କହିଛନ୍ତି, ଭାରତୀୟ ସେନାବାହିନୀକୁ ଦେଶରୁ ବିତାଡିତ କରିବାରେ ତାଙ୍କ ସରକାରଙ୍କ ସଫଳତାକୁ ନେଇ ଅପପ୍ରଚାର କରାଯାଉଛି । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ନିକଟ ଅତୀତରେ ଚୀନ୍ ସହିତ ମାଗଣା ସାମରିକ ସହାୟତା ପାଇବାକୁ ମାଳଦ୍ୱୀପ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଯାହାପରେ ଭାରତ ପ୍ରତି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି ମାଳଦ୍ୱୀପ।

ଫେବୃଆରୀ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ମାଳଦ୍ୱୀପ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା । ଯାହାପରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ ବିମାନ ଚଳାଚଳ ପ୍ଲାଟଫର୍ମ ପରିଚାଳନାରେ ନିୟୋଜିତ ସୈନ୍ୟଙ୍କୁ ଭାରତ ମେ ୧୦ ସୁଦ୍ଧା ପ୍ରତ୍ୟାବର୍ତ୍ତନ କରାଇନେବ ।

ଆହୁରି ମଧ୍ୟ ମାର୍ଚ୍ଚ ୧୦ ସୁଦ୍ଧା ଏହି ପରିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟ ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ମାଳଦ୍ୱୀପରେ ଥିବା ୩ ଭାରତୀୟ ପ୍ଲାଟ୍‌ଫର୍ମରେ ୮୮ ସୈନ୍ୟ ଅଛନ୍ତି। ସେମାନେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି।