spot_img
Home Blog Page 2037

ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୬ ଜୀବନ୍ତ ଦଗ୍ଧ

ପାଲନାଡୁ: ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାର ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍-ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବସ୍ ଓ ଲରିରେ ନିଆଁ ଲାଗିଯାଇଥିଲା । ଫଳରେ ୬ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଗୁଣ୍ଟୁର ନିଆଯାଇଛି । ଚିଲକାଲୁରିପେଟା ଗ୍ରାମୀଣ ପୋଲିସ ଦୁର୍ଘଟଣାର ଯାଞ୍ଚ କରୁଛି।

ପୋଲିସର ସୂଚନାନୁଯାୟୀ, ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍ ଚିଲକାଲୁରିପେଟରେ ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବସ୍ ଓ ଲରିରେ ନିଆଁ ଲାଗିଯିବା ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତକ ମାନେ ବାପଟଲା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଅପରପକ୍ଷେ ମୃତକଙ୍କ ମଧ୍ୟରେ ଉଭୟ ବସ୍ ଏବଂ ଲରି ଡ୍ରାଇଭରଙ୍କ ସମେତ ଚାରି ଜଣ ଯାତ୍ରୀ ଅଛନ୍ତି।

ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ

ଟିଟିଲାଗଡ଼: ବିଜେପି ଜିଲ୍ଲା ସାଧାରଣ ସଂପାଦକଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଟିଟିଲାଗଡ଼ ପୋଲିସ୍ ସହରରେ ବିଭିନ୍ନ ଗାଡି ଯାଞ୍ଚ କରୁଥିବା ସମୟରେ ବିଳମ୍ବିତ ରାତ୍ରିରେ ଏକ କାରକୁ ସନ୍ଦେହରେ ଅଟକାଇଥିଲା।

ଗାଡିଟି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କର ଥିଲା। ଯାଞ୍ଚ ସମୟରେ ଶ୍ରୀବତ୍ସ ଏବଂ ଡ୍ରାଇଭର ସହଯୋଗ ନକରିବାରୁ ପୋଲିସ୍ ସ୍କ୍ବାଡକୁ ଡାକି ଯାଞ୍ଚ କରିଥିଲା। ଗାଡିରେ ଥିବା ଏକ ବ୍ୟାଗରୁ ୪ ଲକ୍ଷ ୪୮ ହଜାର ଟଙ୍କା ସହିତ ବିଜେପି କ୍ୟାପ୍ ଓ ଅନ୍ୟାନ୍ୟ ପୋଷ୍ଟର ସହିତ ଏକ ଡାଏରୀ ମିଳିଥିଲା।

ଟିଟିଲାଗଡ ସହରରେ ଥିବା ସନ ଭ୍ୟୁ ହୋଟେଲରେ ବିଜେପିର ଏକ ମିଟିଂ ଥିବାରୁ କାରଟି ସେହି ହୋଟେଲରୁ ବାହାରିଥିଲା। ପୋଲିସ୍ ହୋଟେଲରେ ପହଞ୍ଚି ଯାଞ୍ଚ କରିଛି। ଆସନ୍ତା ୨୦ ତାରିଖରେ ବଲାଙ୍ଗୀରରେ ନିର୍ବାଚନ ଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବାକୁ ଟଙ୍କା ବାଣ୍ଟା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଭଉଣୀ ଘରୁ ଜମି କିଣିବା ପାଇଁ ଟଙ୍କା ନେଉଥିବା ବେଳେ ପୋଲିସ୍ ଯାଞ୍ଚରେ ଧରାପଡିଥିବା ଶ୍ରୀବତ୍ସ ବେହେରା କରିଛନ୍ତି।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି। ବୈଶାଖ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବ୍ରହ୍ମାଙ୍କ ଦ୍ଵାରା ଶ୍ରୀମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୁର୍ତ୍ତୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ପ୍ରମୁଖ ଯାତ୍ରା ମଧ୍ୟରୁ ନିଳାଦ୍ରୀ ମହୋଦୟ ଅନ୍ୟତମ ପ୍ରମୁଖ ଯାତ୍ରା ହୋଇଥିବାରୁ ବିଶେଷ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ପରେ ଆଲଟ ଲାଗି ନୀତି ଶେଷ କରାଯାଇ ଅଧିବାସ ହୋଇ ରହିଥିବା ୧୦୮ ଗଡୁ ଜଳକୁ ରତ୍ନ ସିଂହାସନ ନିକଟକୁ ଅଣାଯିବ। ପୂଜାପଣ୍ଡା ସେବକ ମାନେ ଅଧିବାସ ଜଳକୁ ସଂସ୍କାର କରିବା ପରେ ମହାପ୍ରଭୁଙ୍କ ସମ୍ମୁଖରେ ଦର୍ପଣ ରଖାଯାଇ ମହାସ୍ନାନ ନୀତି କରାଯିବ।

ପରେ ନୂଆ ବସ୍ତ୍ର ଲାଗି ହେବାସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ବିଶେଷ ନୀତି କରାଯିବ। ସ୍କନ୍ଦ ପୁରାଣ ଅନୁସାରେ ନିଳାଦ୍ରୀ ମହୋଦୟ ଦିବସରେ ମହାପ୍ରଭୁଙ୍କୁ ସ୍ମରଣ ଓ ପୂଜା ପାଠ କଲେ ଅଶେଷ ପୂଣ୍ଯ ମିଳିବା ସହ କୋଟି ଜନ୍ମର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

୧୧ ଘଣ୍ଟା ପରେ ଖାଦାନରୁ ଉଦ୍ଧାର ହେଲେ ଫସି ରହିଥିବା ୧୪ ଅଧିକାରୀ, ଯାଞ୍ଚ କରିବାକୁ ଯାଇ ଫସିଥିଲେ…

ଝୁନଝୁନ: ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ଥିବା ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଅଘଟଣ ଘଟିଛି। ଖଣି ମଧ୍ୟକୁ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ମାନେ ଲିଫ୍ଟ ଭାଙ୍ଗିବା ପରେ ସେଠାରେ ଫସି ଯାଇଥିଲେ। କିନ୍ତୁ ଦୀର୍ଘ ୧୧ ଘଣ୍ଟାର କସରତ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ତେବେ ଖଣି ଭିତରେ ଫସି ରହିଥିବା ଅଧିକାଂଶ ଲୋକ HCL ଅଧିକାରୀ ଥିଲେ।

ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ଖବର ପାଇ ଏସଡିଆରଏଫ ଟିମ୍ ମଙ୍ଗଳବାର ବିଳମ୍ବିତ ରାତିରେ ଖେତ୍ରି କୋଲିହାନ ଖଣିରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଲିଫ୍ଟ ଭାଙ୍ଗିବା ଯୋଗୁଁ ହିନ୍ଦୁସ୍ତାନ କପର ଲିମିଟେଡର ୧୪ ଜଣ ଅଧିକାରୀ ୧୮୦୦ ଫୁଟରୁ ଅଧିକ ଗଭୀରରେ ଫସି ରହିଥିଲେ। ଲିଫ୍ଟକୁ ସପୋର୍ଟ କରୁଥିବା ରଶି ଛିଡିଯିବାରୁ ଏହି ଦୁର୍ଘଟଣା ଘଟିଛି। ଖଣି ଭିତରେ ଫସି ରହିଥିବା ଅଧିକାରୀଙ୍କ ମଧ୍ୟରେ କେସିସି ୟୁନିଟ୍ (ଖେତ୍ରି କପର କମ୍ପ୍ଲେକ୍ସ ୟୁନିଟ୍) ମୁଖ୍ୟ ଜିଡି ଗୁପ୍ତା, ଦିଲ୍ଲୀରୁ ଆସିଥିବା ଭିଜିଲାନ୍ସ ଅଧିକାରୀ ଉପେନ୍ଦ୍ର ପାଣ୍ଡେ, କୋଲିହାନ ଖଣିର ଡେପୁଟି ଜେନେରାଲ ମ୍ୟାନେଜର ଏ.କେ ଶର୍ମା ରହିଥିଲେ।

ଏହି ଖଣିରେ ଫସି ରହିଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସାମ୍ବାଦିକ ବିକାଶ ପରେକ, ବିନୋଦ ସିଂ ଶେଖୱାଟ, ଏ.କେ ବାଇରା, ଅର୍ଣ୍ଣବ ଭଣ୍ଡାରୀ, ଯଶୋରଜ ମୀନା, ଭେନେନ୍ଦ୍ର ଭଣ୍ଡାରୀ, ନିରଂଜନ ସାହୁ, କରଣ ସିଂ ଗେହଲୋଟ, ପ୍ରୀତମ ସିଂ, ହର୍ଷୀରାମ ଏବଂ ଭାଗୀରଥ ଅଛନ୍ତି।

ସାମ୍ବାଦିକ ବିକାଶ ପରେକ ଫଟୋଗ୍ରାଫି ଦଳ ସହିତ ଖଣିରେ ପ୍ରବେଶ କରିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଟିମ୍ ଖଣି ଭିତରକୁ ଯାଞ୍ଚ ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ତେବେ ଲିଫ୍ଟର ଚେନ୍ ଛିଡିବା ଯୋଗୁଁ ଖଣି ଭିତରେ ଥିବା ଅଧିକାରୀମାନେ ୧୮୭୫ ଫୁଟ ଭିତରେ ଫସି ରହିଥିଲେ ।

ଆଗାମୀ ୨୪ ଘଣ୍ଟା ପରେ ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ଯକୁ ପୁଣି ଫେରିବ ତାତି। ଆସନ୍ତା ୨୪ ଘଣ୍ଟା ପରେ ବଢିବ ତାପମାତ୍ରା। ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଲିଠୁ ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ତେବେ ଆଗାମୀ ୨ ଦିନ ବିକ୍ଷିପ୍ତ ବର୍ଷା ଦେଖିବାକୁ ମିଳିବ। ୩ ଦିନ ପରେ ବର୍ଷାର ପରିମାଣ କମି ପାଗ ଶୁଖିଲା ରହିବ। ତେବେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ଵେଭ ସ୍ଥିତି ନାହିଁ।

ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ। ତେବେ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଯାଇ ଏହା ଓଡ଼ିଶାରେ କେବେ ପ୍ରବେଶ କରିବ ତାହା ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ରାଉରକେଲା ଓ ଦେବଗଡ଼ରେ ପ୍ରଚାର କରିବେ ନବୀନ

ରାଉରକେଲା: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।

ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ମାଗିବେ ଆଶୀର୍ବାଦ। ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ।

ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ସମସ୍ତ ପ୍ରାର୍ଥୀ ବି ଜନତାଙ୍କୁ ଆଶୀର୍ବାଦ ମାଗିବେ।

ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କଲେ ଲୋକ, ଆକ୍ରମଣ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଲେ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ପରାଜୟ ଭୟରେ ରକ୍ତମୁଖା ପାଲଟୁଛି ବିଜେପି । ବିଜେପି ପ୍ରାର୍ଥୀଙ୍କୁ ପ୍ରଶ୍ନ କଲେ ଲୋକଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ବିଜେପି କର୍ମୀ ଧମକ ଦେଉଥିବା ଅଭିଯୋଗ ହୋଇଛି । ଆଠଗଡ ଅନନ୍ତପୁର ଗାଁରେ ଆଜି ବିଜେପି ପ୍ରାର୍ଥୀ ପ୍ରଚାର କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ । ନିର୍ବାଚନ ଆସିବାରୁ ବିଜେପି ପ୍ରାର୍ଥୀଙ୍କ ଦେଖାମିଳିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖବାକୁ ମିଳିଥିଲା । ଏନେଇ ରାଲିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରିଥିଲେ ଲୋକେ । ଫଳରେ ବିଜେପି ପ୍ରାର୍ଥୀ ଫେରିଯାଇ ଅନନ୍ତପୁର ଥାନରେ ଆକ୍ରମଣ ହୋଇଥିବା ମିଛ ଏଫଆଇ ଆର ଦେଇଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ  ଗ୍ରାମବାସୀ ଏବଂ କିଛି ବିଜେଡି କର୍ମୀ ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଜେପି କର୍ମୀ କିଛି ସାଧାରଣ ଲୋକ ଏବଂ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ଢେଲା ମାଡ଼ରେ ଦୁଇଜଣ ଆହତ ହୋଇଛନ୍ତି । ବିଜେପି କର୍ମୀ ମାନେ ବିଜେଡି କର୍ମୀଙ୍କ ଆଠରୁ ଅଧିକ ଗାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ କଟକ ଜିଲ୍ଲା ଅତିରିକ୍ତ ଏସ୍ପି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । …

ସିଲଭର ସିଟିରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

କଟକ: ସିଲଭର ସିଟିରେ ବିଜେଡିର ସାନଦାର ଶୋ । ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ । ବିକାଶର ସାରଥିଙ୍କ ପାଇଁ ଭାଇଚାରାର ସହରରେ ଲାଗିଲା ଭଲପାଇବାର ଭିଡ଼ । ସ୍ନେହ ଆଦରର ଲମ୍ବାଧାଡ଼ିରେ ପାଣ୍ଡିଆନଙ୍କୁ ସ୍ବାଗତ କଲେ କଟକ ବାସିନ୍ଦା । ସନ୍ଧ୍ଯାରୁ ପ୍ରାୟ ୪ ଘଣ୍ଟା ଧରି ଲୋକାରଣ୍ଯ ପାଲଟିଯାଇଥିଲା ସାରା ସହର । ସବୁଠି କେବଳ ବିଜେଡି ଆଉ ଶଙ୍ଖର ଧ୍ବନୀ ଶୁଭିବା ସହ ସମର୍ଥନର ବିଶାଳ ଶୋଭାଯାତ୍ରା ଆଖି ଝଲସାଇ ଦେଉଥିଲା । ରାସ୍ତାର ଦୁଇ ପାଖ ସମେତ ଏମିତିକି ଛାତ ଉପରେ ରହି ବି ପାଣ୍ଡିଆନଙ୍କୁ ସ୍ବାଗତ କରୁଥିଲେ କଟକ ବାସିନ୍ଦା ।

ଫୁଲ ପକାଇ, ଶଙ୍ଖ ବଜାଇ, ପାରମ୍ପରିକ ବାଜାବାଣ ସହ ଧୁମଧାମରେ ସମସ୍ତେ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ । ବିକାଶ ପାଇଁ କୃତଜ୍ଞତା ପ୍ରଦାନ କରି ବିଜେଡିକୁ ହିଁ ସମର୍ଥନ ବୋଲି ସୂଚେଇଦେଇଥିଲେ । ହଜାର ହଜାର ଲୋକଙ୍କ ଭିଡ଼ ଭିତରେ କିଲୋମିଟର କିଲୋମିଟର ଯାଏଁ ଶୋଭାଯାତ୍ରାରେ ଯାଇଥିଲେ ପାଣ୍ଡିଆନ । ଶୋଭାଯାତ୍ରା ସମୟରେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ବିଜେଡିର ଉଭୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନତାଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ । ରାଜ୍ଯର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଉଦ୍ଯମ କରୁଛନ୍ତି । ଫାଇଭ-ଟି ସ୍ପର୍ଶରେ କଟକର ରୂପାନ୍ତରଣ ହୋଇଛି । ଏଣୁ ବିକାଶ ପାଇଁ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ ମାଗିବାକୁ ପାଣ୍ଡିଆନ ।

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ଜଳେଶ୍ବର: ଯାଞ୍ଚ ବେଳେ ଧରା ପଡିଲା ପ୍ରାୟ ୪ ଲକ୍ଷ ଟଙ୍କା । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରୁ ଜବତ କରିଛି SST ଟିମ ।  ନିର୍ବାଚନ ପାଇଁ ରାଜ୍ୟ ସୀମାରେ ଚେକିଂ କଡାକଡ଼ି କରାଯାଇଛି । ଆଜି ଅପରାହ୍ଣ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ WB 02 AL 9567 ଫରଚୁନର ଗାଡିକୁ ଯାଞ୍ଚ କରିଥିଲା ଟିମ୍ । ସେଥିରୁ ପ୍ରାୟ ୪ ଲକ୍ଷ ଟଙ୍କା ବାହାରିବା ପରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ଟିମ୍ । SST କୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି ।

ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ

ସୁନ୍ଦରଗଡ଼: ଆଇପିଏଲ ବେଟିଂ ଆଡ୍ଡାରେ ଚଢ଼ାଉ । ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରିବା ସହ ନଗଦ ୫ ଲକ୍ଷ ୧୭ ହଜାର ଟଙ୍କା ଜବତ କରିଛି ପୋଲିସ୍ । ଏହାସହ ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ, ୩ଟି ବାଇକ୍  ବିଭିନ୍ନ ବ୍ଯାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରାଯାଇଛି । ଗିରଫ  ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ, ସଂଜୟ ସାହୁ, ସଂଜୟ କୁମାର ସାହୁ, ଖମାରୀପଡ଼ାର ସୁବୋଧ ଚୌଧୁରୀ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହାଦେବପଡ଼ାରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ବେହେରା ଓ ଟାଉନଥାନା ଅଧିକାରୀ ଆଦିତ୍ଯ ମହାକୁଡ଼, ଏଏସଆଇ  ଅନିଲ କୁମାର ସାମଲ ଚଢ଼ାଉ କରିଥିଲେ ।