spot_img
Home Blog Page 2040

୪ ହସ୍ପିଟାଲକୁ ବମ୍ ବ୍ଲାଷ୍ଟର ଧମକ , ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ :  କିଛିଦିନ ପୂର୍ବରୁ ସ୍କୁଲ ଗୁଡିକୁ ବମରେ ଉଡେଇ ଦେବା ଧମକ ପରେ ପରେ ଏବେ ପୁଣି ଦିଲ୍ଲୀରେ ଆତଙ୍କର ମାହୋଲ । ମଙ୍ଗଳବାର ପୁଣି ଦିଲ୍ଲୀର ୪ ବଡ଼ ହସ୍ପିଟାଲକୁ ବମରେ ଉଡାଇଦେବାକୁ ଆସିଛି ଧମକ ପୂର୍ଣ୍ଣ କଲ୍ । ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସରେ ଏଫଆଇଆର୍ ଦିଆଯାଇଛି ।

ସୂଚନା ଅନୁଯାୟୀ, ପ୍ରଥମେ ସକାଳ ସମୟରେ ଦିଲ୍ଲୀର ଅଶୋକ ବିହାରର ଦୀପଚାନ୍ଦ ଡାକ୍ତରଖାନାକୁ ଅଜ୍ଞାନ ନମ୍ୱରରେ ବମ୍ ଆଟାକର ଧମକି ପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ଦାଦା ଦେବ ହସ୍ପିଟାଲ , ଦିଲ୍ଲୀ କ୍ୟାନ୍ସର ଇଷ୍ଟିଟ୍ୟୁଟ୍  ଏବଂ ଜିଟିବି ହସ୍ପିଟାଲକୁ ଏପରି କଲ୍ ମଧ୍ୟ ଆସିଥିବା ଅଭିଯୋଗ ହୋଇଛି ।

ଏପରି ଧମକପୂର୍ଣ୍ଣ କଲ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି । ଦିଲ୍ଲୀ ପୋଲିସ ସହ ଅଗ୍ନିଶମ ବିଭାଗ ଟିମ୍ ଆଲର୍ଟ ହେବା ସହ ସର୍ଚ୍ଚ ଅପରେସନ ଜାରି କରିଛି । ପୂର୍ବରୁ ମେ’ ୧୨ରେ ମଧ୍ୟ ୮ ସିଟି ହସ୍ପିଟାଲ  ଏବଂ ଇନ୍ଦିରାଗାନ୍ଧି ଅନ୍ତରାଷ୍ଟ୍ରୀୟ ଏୟାରେପୋର୍ଟରେ ମଧ୍ୟ ଏପରି ଧମକପୂର୍ଣ୍ଣ କଲ୍ ଆସିଥିଲା  । କିନ୍ତୁ କଲ୍ ଯାଞ୍ଚ ହେବା ପରେ ଏସବୁ ନକଲି ବା ଫେକ୍ କଲ୍  ବୋଲି ଜଣାପଡିଥିଲା ।

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ। ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ଜୁନ ପହିଲାରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ। ଏହାସହ ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୭୩.୯୭ ପ୍ରତିଶତ ମତଦାନ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ଏବେ ଷ୍ଟ୍ରଙ୍ଗରୁମରେ ଇଭିଏମ୍। ମତଦାନ କେନ୍ଦ୍ରରୁ ଇଭିଏମ ଗୁଡ଼ିକୁ ଅଣାଯାଇ କଡ଼ା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲଢ଼ୁଥିବା ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ରହିଛି। ୭୩.୯୭ ପ୍ରତିଶତ ରହିଛି ଭୋଟହାର।

ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ ଭୋଟ ହୋଇଛି। କୋରାପୁଟରେ ୭୬.୯୮ପ୍ରତିଶତ, କଳାହାଣ୍ଡିରେ ୭୫.୭୧ ପ୍ରତିଶତ ଓ ବ୍ରହ୍ମପୁରରେ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ନୂଆପଡ଼ାରେ ୭୩.୮୭ ପ୍ରତିଶତ, ଭବାନୀପାଟଣାରେ ୭୩.୮୦ ପ୍ରତିଶତ, ବିଷମକଟକରେ ୭୭.୯୩ ପ୍ରତିଶତ ଭୋଟ ହୋଇଛି। ସେହିଭଳି ଛତ୍ରପୁରରେ ୬୩.୨୦ ପ୍ରତିଶତ, ଚିକିଟିରେ ୬୩.୨୧ ପ୍ରତିଶତ, ଚିତ୍ରକୋଣ୍ଡାରେ ୭୪.୦୮ ପ୍ରତିଶତ ଭୋଟିଂ ହୋଇଛି। ଡାବୁଗାଁରେ ୮୫.୨୦ ପ୍ରତିଶତ, ଧର୍ମଗଡ଼ରେ ୭୮.୮୫ ପ୍ରତିଶତ, ଦିଗପହଣ୍ଡିରେ ୬୨.୭୩ ପ୍ରତିଶତ, ଗୋପାଳପୁରରେ ୬୦.୪୧ପ୍ରତିଶତ ମତଦାନ ରହିଛି। ଗୁଣପୁରରେ ୭୨.୫୩ ପ୍ରତିଶତ, ଜୟପୁରରେ ୭୭.୪୮ ପ୍ରତିଶତ, ଝରିଗାଁରେ ୮୪.୨୨ ପ୍ରତିଶତ , ଜୁନାଗଡ଼ରେ ୭୮.୯୦ ପ୍ରତିଶତ ଭୋଟ ସଂଗ୍ରହ କରାଯାଇଛି। ସେହିଭଳି ଖରିଆରରେ ୭୬ ପ୍ରତିଶତ, କୋରାପୁଟରେ ୭୬.୨୮ ପ୍ରତିଶତ ମତଦାନ ହୋଇଛି। କୋଟପାଡ଼ରେ ୮୩.୯୨ ପ୍ରତିଶତ, ଲକ୍ଷ୍ମୀପୁରରେ ୮୧.୭୧ ପ୍ରତିଶତ, ମାଲକାନଗିରିରେ ୬୬.୬୦ ପ୍ରତିଶତ ଭୋଟିଂ ହୋଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୭ ହଜାର ପୋଲିସ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ ୬୬ ପ୍ଲାଟୁନ ଆର୍ମଡ ପୋଲିସ ମୁତୟନ କରାଯାଇଥିଲା। ଜୁନ ୪ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। ୭ ହଜାର ୩୦୩ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ମତଦାନ ସାବ୍ଯସ୍ତ କରିଥିଲେ ଜନତା। ଭୋଟିଂ ପାଇଁ ମହିଳା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ଗ୍ରହଣ କରାଯାଇଥିଲା । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଏକ ହଜାର ୨୭୬ ଆଦର୍ଶ ବୁଥରେ ଭୋଟ ଦେଇ ଉତ୍ସାହିତ ଥିଲେ ଭୋଟର। ଜନତାଙ୍କ ସହ ଲାଇନରେ ରହି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିଲେ ପ୍ରାର୍ଥୀ ଓ ନେତା । ନିଜ ନିଜ ନିର୍ବାଚନମଣ୍ଡଳିରେ ପରିବାର ସହ ଭୋଟ ଦେଇ ମତାଧିକାର ସାବ୍ଯସ୍ତ କରିଛନ୍ତି। ଏହି ପର୍ଯ୍ଯାୟରେ ଲୋକସଭା ଆସନ ପାଇଁ କୋରାପୁଟରୁ ୧୧ ଜଣ, ନବରଙ୍ଗପୁରରୁ ୪, କଳାହାଣ୍ଡିରୁ ୧୧, ବ୍ରହ୍ମପୁରରୁ ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ଇଭିଏମରେ ସିଲ୍ ହୋଇଛି ।

୨୦୧୯ରେ ଧର୍ମେନ୍ଦ୍ର ମିଛୁଆ ଥିଲେ,ଏଥର ତାଙ୍କର ପଦୋନ୍ନତି ହୋଇ ସୁପର ମିଛୁଆ ହୋଇଛନ୍ତି : ବିଜେଡି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ କଲା ବିଜେଡି । ୨୦୧୯ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଛୁଆ ଭାବେ ଜାଣୁଥିଲେ । ଏଥର ତାଙ୍କର ପଦୋନ୍ନତି ହୋଇ ସୁପର ମିଛୁଆ ହୋଇଛି । ତିନି ଦିନ ତଳେ ସେ ଏକ ପ୍ରେସ ମିଟ କରି କହିଥିଲେ ଯେ ନବକଳେବର କାମ ପାଇଁ କେନ୍ଦ୍ର ସରକାର ୫୦ କୋଟି ଟଙ୍କା ଦେଇଥିଲେ । କିନ୍ତୁ ଏହା ମିଛ ବୋଲି କହିଛି ବିଜେଡି ।

ଏକ ପ୍ରେସମିଟରେ ବିଜେଡି କହିଛି, ITDC ମାଧ୍ୟମରେ ୧୦ କୋଟି ଟଙ୍କା ଦେଇଥିଲେ । ଏଥିରୁ ମାତ୍ର ୬.୫୦ କୋଟି ଖର୍ଚ୍ଚ କରାଯାଇଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଯେଉଁ ସହଯୋଗ କଥା କହୁଛନ୍ତି, ତାହା ମିଛ ଓ ଭ୍ରମାତ୍ମକ । ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଜଗନ୍ନାଥଙ୍କୁ କେତେ ମିଛ କହିବେ ? ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଗନ୍ନାଥ, ସଂସ୍କୃତି କଥା କହୁଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଥିଲେ ସେମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରନ୍ତି । ପରେ କହିଲେ ସମର୍ଥନ କରୁଛନ୍ତି । ଏହି ଦୋମୁହାଁ ନୀତି ଉପରେ ରାଜ୍ୟବାସୀ ହସୁଛନ୍ତି । ଏହି ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରିବା ବେଳେ କେନ୍ଦ୍ର ମନ୍ତ୍ରୀ ଅଣ୍ଡା ମାଡ଼ କରାଇଲେ । ଧର୍ମେନ୍ଦ୍ର କଣ କରୁଛନ୍ତି କଣ କହୁଛନ୍ତି ଜାଣି ପାରୁ ନାହାନ୍ତି । ଶ୍ରୀଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛି ବିଜେଡି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ମିଥ୍ୟା ଅପପ୍ରଚାର ଛାଡନ୍ତୁ ବୈଜୟନ୍ତ : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ 5T  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍। ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି, କିଛି ଦିନତଳେ ବିଜେପି ନେତା ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାରା ଓଡ଼ିଶାବାସୀ ଅନେଇକି ବସିଥିଲେ କିଛି ଗୋଟେ ଘୋଷଣା ହେବ। ଏମାନେ ଆସିକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେ ଖବର  ଥିଲା। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଶୁଣିବାକୁ ମିଳୁଥିଲା। ଆମ ସମସଙ୍କୁ ବହୁତ ଖୁସି ଲାଗୁଥିଲା। ହେଲେ ସେମାନେ ଆସି ପ୍ରମାଣ ଦେଲେ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାଇକମାଣ୍ଡ ନିଷ୍ପତ୍ତି କରିବେ।

କଂଗ୍ରେସ ନେତୃତ୍ଵ ଭଳି ହାଇକମାଣ୍ଡ ନିଷ୍ପତ୍ତି ନେବ। ସେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ, ସେ ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟୀ ରହିବେ ନାହିଁ। ହାଇକମାଣ୍ଡ ପାଖରେ ଉତ୍ତରଦାୟୀ ରହିବେ। ସେ ଓଡ଼ିଶାର ହକ ପାଇ  ଲଢି ପାରିବେନି ରାଜନୀତି କରିବେ। ଯଦି ଦମ ଅଛି ତେବେ ବିରୋଧୀ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରୁନ୍ତି। ମହାପ୍ରଭୁଙ୍କର କାମରୁ ଆରମ୍ଭ କରି ଅନେକ ବଡ଼ ପ୍ରସଙ୍ଗରେ ଅପପ୍ରଚାର କରିବା ଠିକ ନୁହଁ।

ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି, କେନ୍ଦ୍ରାପଡ଼ା ପାର୍ଲାମେଣ୍ଟ ପ୍ରାର୍ଥୀ ଅଶାଳୀନ, ଅଭଦ୍ର ଭାଷା ବ୍ୟବହାର କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ଵାସ୍ଥ୍ୟ ନେଇ ଗୁଜବ କରି ଆସୁଛନ୍ତି। ତାଙ୍କର ରାଜନୀତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଜବ କରିବା। ୨୦୧୪ରୁ କହି ଆସୁଛନ୍ତି, କେନ୍ଦ୍ରାପଡ଼ାବାସୀ ଆପଣଙ୍କୁ ଭଲ ଭାବେ ଚିହ୍ନିଛନ୍ତି। ଗତ ଥର ଯେତିକି ଭୋଟରେ ଆପଣଙ୍କୁ କେନ୍ଦ୍ରାପଡ଼ାବାସୀ ପରାସ୍ତ  କରିଥିଲେ ଏଥର ଆହୁରି ଅଧିକ ଭୋଟରେ ପରାସ୍ତ କରିବେ। ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଗୁଜବ କରିବା ଛାଡନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ।

ଜଣେ ରାଜନେତା ଭାବେ ରାଜ୍ୟର ଉନ୍ନତି, ଶିଳ୍ପ, ଭିତ୍ତିଭୂମି, ଯୁବଶକ୍ତି, ମହିଳା ସଶକ୍ତୀକରଣ ଉପରେ ଆଲୋଚନା କରିବା କଥା। ଏକଦା ଆପଣ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ଥିଲେ। ଏପରି ଗୁଜବ ଆପଣ କିପରି କରି ପାରୁଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ବୈଜୟନ୍ତ ପଣ୍ଡା ତାଙ୍କର ସ୍ଵାସ୍ଥ୍ୟ ନେଇ ଗୁଜବ ପ୍ରଚାର କରୁଛନ୍ତି। ଏଥିରୁ ଲଜ୍ଜାଜନକ ସାର୍ଟିଫିକେଟ ଆପଣଙ୍କ ଲାଗି କଣ ହୋଇପାରେ। ରାଜନୀତିରେ କଣ କହିବାର ଅଛି କହନ୍ତୁ, ବ୍ୟକ୍ତିଗତ ସ୍ତରକୁ ଯାଆନ୍ତୁ ନାହିଁ। ଆପଣଙ୍କ ପାଇଁ ଭଲ ନାହିଁ। ମହାନାୟକଙ୍କ ସହ ଆପଣ ଯାହାବି ସମ୍ପର୍କ ରଖିଥିଲେ। ଆପଣଙ୍କୁ ବିନମ୍ରତା ସହ ଅନୁରୋଧ କରିବି ରାଜନୀତିରେ ଏଇଟା ଭଲନାହିଁ।

ଓଡ଼ିଶାରେ ନବୀନ ହାୱା ଚାଲିଛି, ପୁରା ଜୋଶରେ ନବୀନ ହାୱା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଓଡ଼ିଶାବାସୀଙ୍କ ଭଲପାଇବା ନେଇ ବିଜେଡି ୨୮ ଆସନରୁ ୨୪ ଆସନରେ ବିଜୟୀ ହେବ ବୋଲି ପାଣ୍ଡିଆନ କହିଛନ୍ତି।

ପ୍ରେମ ପାଇଁ ରାଜନୀତି ଛାଡିଦେଇଥିଲେ ସୁଶୀଲ ମୋଦି

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିର ଜଣାଶୁଣା ଚେହରା ତଥା , ଜଣେ ବରିଷ୍ଠ ରାଜନେତା ସୁଶୀଲ ମୋଦି ଆଉ ନାହାନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ  ସୁଶୀଲ କୁମାରଙ୍କର ୭୨ ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କର ଅନେକ ରାଜନୈତିକ କାର୍ଯ୍ୟ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଆସୁଥିଲେ । କିନ୍ତୁ ସେ କେବଳ ରାଜନୀତି ପାଇଁ ନୁହେଁ ବରଂ ତାଙ୍କ ଲଭ୍ ଷ୍ଟୋରୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହୁଥିଲେ ।

ବିହାରର ପୁଅ ଏବଂ ମୁମ୍ୱାଇର ଝିଅ । ଦୁହେଁ ମୁମ୍ୱାଇରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନରେ ଦେଖା ହୋଇଥିଲେ । କିନ୍ତୁ କାହାକୁ ବା ଜଣାଥିଲା ଏହି ଏହି ୧୪୦୦ କିମି ଦୂର ରାସ୍ତା ଦୁହିଁଙ୍କ ଜୀବନ ବଦଳାଇଦେବ । ଏହି କାହାଣୀ ଫିଲ୍ମ ପରି ଲାଗୁଥିଲେ ମଧ୍ୟ ଏହା ପ୍ରେମ କାହାଣୀ ସତ  ଏବଂ ଏହି କାହାଣୀ ସୁଶୀଲ କୁମାର ମୋଦି ଏବଂ ତାଙ୍କ ପତ୍ନୀ ଜେସୀ ଜୋର୍ଜଙ୍କର ।

କୁହାଯାଏ କି ଦୁହେଁ ଏହି ଟ୍ରେନରେ ଏକାଠି ଅନେକ ଦିନ ଧରି ଯିବା ଆସିବା କରିଥିଲେ ଏବଂ ସେହି ଠାରୁ ହିଁ ତାଙ୍କ ପ୍ରେମ ଆରମ୍ଭ ହୋଇଥିଲା  । ଏପରିକି  ଦୁହେଁ ଦୁହିଁଙ୍କୁ ପ୍ରେମ ପତ୍ର ଲେଖୁଥିଲେ । କିନ୍ତୁ ଦୁହେଁ ଅଲଗା ଅଲଗା ଧର୍ମର ହୋଇଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।

ଘର ଲୋକଙ୍କ ବିରୋଧ ବ୍ୟତୀତ ସୁଶୀଲ ମୋଦି ଆରଏସଏସ  ସହ ଜଡିତ ଥିବାରୁ ତାଙ୍କ ପ୍ରେମରେ ବଡ଼ ବାଧା ସୃଷ୍ଟି ହୋଇଥିଲା  । କିନ୍ତୁ ସେ ଏଠାରେ ରାଜନୀତିକୁ ଛାଡି ପ୍ରେମକୁ ବାଛି ଥିଲେ । ସେ ଆରଏସଏସ  ଛାଡି ୧୯୮୬ ମସିହାରେ ପ୍ରେମ ବିବାହ କରିଥିଲେ  । ତାଙ୍କ ବିବାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ବଡ଼ ନେତା ସାମିଲ ହୋଇଥିଲେ ।

ବିବାହ ପରେ ସେ ରାଜନୀତି ଠାରୁ କିଛି ଦିନ ଦୂରେଇ  ରହିଥିଲେ । ଏହା ପରେ ସେ ଏକ କମ୍ପ୍ୟୁଟର ଇନଷ୍ଟିଟ୍ୟୁଟ୍ ଖୋଲିଥିଲେ । କିନ୍ତୁ ଏଥିରେ ସେ ବେଶୀ ଦିନ ଧରି ରହିପାରି ନଥିଲେ। ଏହାପରେ ୧୯୯୦ ମସିହାରେ ସେ ବିଧାନସଭା ପହଞ୍ଚି ଯାଇଥିଲେ। ସୁଶୀଲ ମୋଦି ବିହାରର ଉପ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ପତ୍ନୀ ଏକ କଲେଜରେ ଅଧ୍ୟାପିକା ଥିଲେ ।

ପ୍ରଥମ ପର୍ଯ୍ୟାୟ ଭୋଟର ୨୮ ଆସନରୁ ୨୪ରେ ଜିତିବ ବିଜେଡି଼,କାର୍ତ୍ତିକ ପାଣ୍ଡିଆନଙ୍କ ଦୃଢୋକ୍ତି

ନନ୍ଦିଘୋଷ ବ୍ୟୁରୋ : ସୋମବାର ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ୭୪ ପ୍ରତିଶତ ଭୋଟ୍ ହୋଇଥିବା ନିର୍ବାଚନ କମିଶନ ସୂତ୍ରରୁ ପ୍ରକାଶ । ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ସହିତ ଆସିଛି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବୟାନ । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ସବୁ ପର୍ଯ୍ୟୟରେ ବିଜେଡି ଆଗରେ ରହିବ । ବିଶେଷକରି ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେଡି କ୍ଲିନ୍ ସ୍ୱିପ୍ କରିଛି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ସ୍ୱିପ୍

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିଛି,ସେଥିରୁ ବିଜେଡି ୨୪ ଆସନ ଜିତିବ ବୋଲି ଦମ୍ଭୋକ୍ତି ରଖିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ,ସବୁ ପର୍ଯ୍ୟାୟ ଭୋଟରେ ବିଜେଡି ଆଗୁଆ ରହିବ । ତେଣିକି ତାହା ପ୍ରଥମ, ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ହେଉ । ତେବେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୨୮ ବିଧାନସଭା ଆସନ ପାଇଁ ଭୋଟ୍ ହୋଇଛି ସେଥିରୁ ୨୪ ଆସନ ବିଜେଡି ଜିତିବ ବୋଲି ସେ କହିଛନ୍ତି । । ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ । ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ।
ଲୋକଙ୍କ ଭଲପାଇବା ହିଁ ଆମକୁ ଦୃଢ ବିଶ୍ୱାସ ଦେଉଛି । ଖରାରେ ଘଣ୍ଟା ଘଣ୍ଟା ଧରି ଲୋକେ ଆପେକ୍ଷା କରିଥାନ୍ତି , ଯାହା ଆମକୁ ଓଡ଼ିଶାବାସୀଙ୍କ ପାଇଁ ଲଢିବାକୁ ଶକ୍ତି ଦେଇଥାଏ ଏବଂ ଓଡ଼ିଶାର ବିକାଶ ଆଗକୁ ନେବାକୁ ପାଇଁ ସାହାସ ଦେଇଥାଏ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଗାଜା ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ, ଜାତିସଂଘ ପାଇଁ କରୁଥିଲେ କାମ

ନୂଆଦିଲ୍ଲୀ : ଗାଜା ଯୁଦ୍ଧରେ ବଳି ପଡୁଛନ୍ତି ଭାରତୀୟ ।  ପୁଣି ଜାତିସଂଘ ପାଇଁ କାମ କରୁଥିବା ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଜାର ରଫାରେ ମିଳିତ ଜାତିସଂଘର ଏକ ଗାଡିକୁ ନିଶାନା କରି ଆକ୍ରମଣ ହୋଇଥିଲା । ଯେଉଁଥିରେ ଜାତିସଂଘର ସୁରକ୍ଷା ବିଭାଗ (ଡିଏସଏସ)ର ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣାରେ ଏଯାଏଁ ମୃତ ଭାରତୀୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ ସେ ଭାରତୀୟ ସେନାର ପୂର୍ବତନ ସୈନିକ ଥିବା ଅନୁମାନ କରାଯାଉଛି ।

ଅନ୍ୟପକ୍ଷେ ଜାତିସଂଘର ମହାନିର୍ଦ୍ଦେଶକ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍  ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି  ଏବଂ ଏହି ଆକ୍ରମଣକୁ ନିନ୍ଦା କରିବା ସହ ପୂରା ଘଟଣାର ଯାଞ୍ଚ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ସେ ମୃତ ଭାରତୀୟଙ୍କ ପରିବାର ପାଇଁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, ଗାଜାରେ ହେଉଥିବା ଆକ୍ରମଣରେ କେବଳ ନାଗରିକ ନୁହଁନ୍ତି ଏପରିକି ମାନବୀୟ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ଯୁଦ୍ଧ ବିରାମ ଏବଂ ସେ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସେ ପୁନର୍ବାର ଅପିଲ କରିଛନ୍ତି ।

ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ୪୪ଡିଗ୍ରୀ ପାର୍ ହେବ ପାରଦ

ନୂଆଦିଲ୍ଲୀ : ତାତିରେ କଲବଲ ହେବ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ । ଦେଶର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ସପ୍ତାହରେ ଦିଲ୍ଲୀରେ ୪୪ଡିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବ । ପୂର୍ବ ସପ୍ତାହରେ କେତେବେଳେ  ଖରା ତ କେତେବେଳେ ଛାଇ ଏବଂ ମୌସୁମୀ ବର୍ଷା ଲାଗି ରହିଥିଲା  । କିନ୍ତୁ ଏବେ ରାଜ୍ୟରେ ଭୀଷଣ ଖ୍ରୀଷ୍ମ ପ୍ରବାହ ସହ ଅଂଶୁଘାତର ସମ୍ଭାବନା ଅଧିକ ରହିଛି , ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସଚେତନତା ଜାରି କରାଯାଇଛି । ଆସନ୍ତା ସପ୍ତାହ ପାଗ ଶୁଷ୍କ ରହିବ ବୋଲି ସୂଚନା ରହିଛି ।

ମଙ୍ଗଳବାର ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଥିବା ବେଳେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି । ମେ’ ୧୨ରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଥିବାରେ ଜଣାପଡିଛି । ଅନ୍ୟପକ୍ଷେ ପୁରା ସପ୍ତାହ ଏହି ପରି ତାତି ଲାଗି ରହିବାର ସମ୍ଭାବନା  ନେଇ ଆଇଏମଡି ପକ୍ଷରୁ ସୂଚନା ରହିଛି  ।

ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ନୂଆଦିଲ୍ଲୀ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା କର୍କଟ ରୋଗ କାରଣରୁ ସେ ଅସୁସ୍ଥ ଥିଲେ। ମାସେ ହେଲାଣି ସେ ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ସୁଶୀଲ ମୋଦିଙ୍କ ଦେହାନ୍ତ ଖବରରେ ସାରା ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏକ୍ସରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସୁଶୀଲଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ପାଟନା ଆସିବ  । ତାଙ୍କୁ ପ୍ରଥମେ ଏୟାରପୋର୍ଟରୁ ତାଙ୍କ ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ , ଏହାପରେ ବିଜେପି କାର୍ଯ୍ୟାଳୟରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ ।