spot_img
Home Blog Page 2051

ପାର୍କରେ ଲୋକଙ୍କୁ ଭେଟିଲେ, ପାଦ ଛୁଇଁ ଆଶିର୍ବାଦ ନେଲେ ମନ୍ମଥ ରାଉତରାୟ

ଭୁବନେଶ୍ଵର: ବିଜେଡି ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ନିର୍ବାଚନୀ ଅଭିଯାନ। ଫରେଷ୍ଟ ପାର୍କରେ ବୁଲି ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବକ ମାନଙ୍କୁ ସାକ୍ଷାତ କଲେ ମନ୍ମଥ। ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମନ୍ମଥ ରାଉତରାୟ।

ଭୁବନେଶ୍ଵର ମେୟର ସୁଲୋଚନା ଦାସଙ୍କ ସହ ମିଶି ଫରେଷ୍ଟ ପାର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ବୁଲି ବୁଲି ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଯୁବକ ମାନଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ଅର୍ପଣ କରିଛନ୍ତି। ଟ୍ରାକ ପ୍ୟାଣ୍ଟରେ ଲୋକଙ୍କ ସହ ଖେଳିବା ସହିତ ବ୍ୟାୟମ ମଧ୍ୟ କରିଛନ୍ତି।

ବରିଷ୍ଠ ନାଗରିକ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଲୋଡିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗକୁ ନେବା ପାଇଁ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇଛନ୍ତି। ଲୋକଙ୍କ ଭଲ ପାଇବା, ସମର୍ଥନ ଓ ବିକାଶ ଧାରା ବିପୁଳ ବିଜୟ ଦେବ ବୋଲି କହିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଜେପିରେ ଅପରାଜିତାଙ୍କୁ ଜୋରଦାର ବିରୋଧ

ବାଲିପାଟଣା: ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ବିଜେପିର ଗୋଷ୍ଠୀ କନ୍ଦଳ। ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଜେପିରେ ଦେଖାଦେଇଛି ପୁନର୍ବାର ଅସନ୍ତୋଷ। ଚଳିତ ନିର୍ବାଚନରେ ବିଜେପି ଅରବିନ୍ଦ ଢ଼ାଲିଙ୍କୁ ଟିକେଟ ଦେବାରୁ କର୍ମୀ ଏବଂ ସମର୍ଥକଙ୍କ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

ଅପରାଜିତାଙ୍କ ବିରୋଧରେ ସ୍ଲୋଗାନ ଦେଇ ଶତାଧିକ ଅସନ୍ତୁଷ୍ଟ ବିଜେପି କର୍ମୀ ପ୍ରତିବାଦ କରିଥିଲେ। ଗତକାଲି ସନ୍ଧ୍ୟାରେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବାଲିପାଟଣା ବ୍ଲକ ଦନାପଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ବିଜେପି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ। ଆଇନ ଶୃଙ୍ଖଳା ଦୁଷ୍ଟିରୁ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।

ବୋରୱେଲକୁ ଖସିଲା ୨ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ: ବୋରୱେଲକୁ ଖସିଲା ଶିଶୁ। କର୍ଣ୍ଣାଟକ ତାଲୁକ ଜିଲ୍ଲାର ଲଚୟାନ ଗାଁରେ ଏକ ବୋରୱେଲକୁ ଖସି ପଡିଛି ୨ ବର୍ଷର ଶିଶୁ। ପିଲାଟି ବୋରୱେଲର ୧୬ ଫୁଟ ଭିତରେ ଫସି ରହିଥିବା ଜଣାପଡିଛି। ଶିଶୁକୁ ଉଦ୍ଧାର ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା।

କର୍ଣ୍ଣାଟକ ପୋଲିସ ସହ ଅନ୍ଯ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବୋରୱେଲ ନିକଟରେ ଏକ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳାଯାଉଛି। ଶିଶୁକୁ ଉଦ୍ଧାର ଲାଗି ଜୋରଦାର ଉଦ୍ୟମ ଚାଲିଛି। ଘର ପାଖରେ ଏହି ବୋରୱେଲ ଥିବା ବେଳେ କୌଣସି କାରଣବଶତଃ ଶିଶୁଟି ଖସିପଡିଥିଲା। ବୋରୱେଲରୁ ଶିଶୁର କାନ୍ଦ ଶୁଭିବା ପରେ ଲୋକେ ଏ ବିଷୟରେ ଜାଣିଥିଲେ। ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି ରେସକ୍ଯୁ ଅପରେସନ।

ଫୁଲବାଣୀ ବନ ବିଭାଗକୁ ବଡ ସଫଳତା, ଶିକାରୀ ଗିରଫ

ଫୁଲବାଣୀ: ଫୁଲବାଣୀ ବନ ବିଭାଗକୁ ବଡ ସଫଳତା। ଶିକାରୀ ଗିରଫ। ସୁଡୃକୁମ୍ପା ରେଞ୍ଜ ଅଧୀନରେ ଥିବା ଡୋଙ୍ଗା ସାଗରଖିତ ଜଙ୍ଗଲରେ ଶିକାରୀ କ୍ଯାମ୍ପ ନେଇ ସୂଚନା ପାଇଥିଲା ବନ ବିଭାଗ। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁରା ଟିମ୍। ପେଟ୍ରୋଲିଂ ଟିମ୍ ଦେଖି ୬ ଜଣ ଶିକାରୀ ଦୌଡି ପଳାଇଥିଲେ।

କ୍ୟାମ୍ପରୁ ମୃତ ଶମ୍ବର ମୁଣ୍ଡ, ୪ କୋଜି ଶମ୍ବର ମାଂସ, ଏକ ମୃତ ମାଙ୍କଡକୁ ଜବତ କରାଯାଇଛି। ଏଥି ସହ ପାଞ୍ଚଟି ଟାଙ୍ଗିଆ, ୪ଟି ଛୁରୀ ସହ ଶିକାର ପାଇଁ ବ୍ୟବହୃତ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି ବନ ବିଭାଗ। ବନ ବିଭାଗ କାବୁ କରିଥିବା ଶିକାରୀ ରମେଶ ଭେଙ୍ଗରାକୁ ଅଟକ ରଖି ପଚରାଉଚରା କଲାପରେ ସମସ୍ତ ଶିକାରୀଙ୍କ ଘର ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି। ରମେଶ ମୁର୍ମୁକୁ ଅଧିକ ପଚରାଉଚରା ପରେ ଫୁଲବାଣୀ ଏସଡିଜେଏମ୍ କୋର୍ଟକୁ ପଠାଯାଇଛି।

୬୦ ଫୁଟ ତଳକୁ ଖସିଲା ବୋଲେରୋ, ଜଣେ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ପାଡେର ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୬୦ ଫୁଟ ତଳକୁ ଖସିଲା ବୋଲେରୋ। ଓଡିଶାରୁ ୩୦ ଜଣ ଶ୍ରମିକ ବିଜୟୱାଡା ଏକ ବୋଲେରୋରେ ଯାଉଥିବା ବେଳେ ପାଡେର ଘାଟିରେ ଭାରସାମ୍ୟ ହରାଇ ପାହାଡ଼ରୁ ପ୍ରାୟ ୬୦ ଫୁଟ ତଳକୁ ଖସିଲା ଗାଡ଼ି।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବୋଲେରୋରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ପାଡେର ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ଯୁ ଘଟିଛି। ଆହାତ ୨୮ ଜଣଙ୍କର ମେଡିକାଲରେ ଚିକିତ୍ସା ଜାରି ରହିଛି। ସମସ୍ତେ ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ପାଡାଙ୍ଗି ଗ୍ରାମ ବୋଲି ଜଣାପଡିଛି।

ବନ୍ଧୁକ ମୁନରେ ଲୁଟିନେଲେ ସୁନା ଅଳଙ୍କାର

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ନିକଟରେ ବଡ଼ଧରଣର ଲୁଟ୍। ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ହୋଇଛି ଏହି ବଡ଼ଧରଣର ଡକାୟତି। ସୁନା ଦୋକାନୀ ମାଲିକ ପ୍ରଫୁଲ୍ଲ ମହାପାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ଶହ ଗ୍ରାମ ସୁନା ସହ ୬ କିଲୋ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ।

ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିବା ଜଣାପଡିଛି। ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପିପିଲି SDPO ଓ ଡେଲାଙ୍ଗ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଲୁଟ୍ ମାମଲାରେ ସାମିଲ ସନ୍ଦେହରେ ଜଣକୁ ଅଟକ ରଖିଛି ପୋଲିସ।

ଆସନ୍ତା ୬ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର: ଜଳୁଛି ସାରା ଓଡିଶା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ପାରେ ବୋଲି ଅନୁମାନ କରାଯାଇଛି। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ରୁ ୪ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ନୟାଗଡ, ବୌଦ୍ଧ, କନ୍ଧମାଳ, କଟକ, ଯାଜପୁର ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି ଓ ନୟାଗଡରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି।

ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬, ୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଦିଲ୍ଲୀରେ ମହିଳାଙ୍କ ପ୍ରତିନିଧିତ୍ବ ନେଇ ନୈରାଶ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଫେଲ୍ ମାରିଛି ମହିଳା ବିକାଶ ସ୍ଲୋଗାନ। ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ପ୍ରତିନିଧିତ୍ବ ନେଇ ନୈରାଶ୍ୟଜନକ ତଥ୍ୟ। ୧୯୫୧ ମସିହାଠାରୁ ବର୍ତ୍ତମାନ ଯାଏ ମାତ୍ର ୯ ଜଣ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ସୁଚେତା କ୍ରିପାଳିନୀ, ସୁଷମା ସ୍ବରାଜ, ମୀରା କୁମାର, କ୍ରିଷ୍ଣା ତିରଥ, ମୀନାକ୍ଷୀ ଲେଖି ପ୍ରମୁଖ।

ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ୧୭ଟି ଲୋକସଭା ନିର୍ବାଚନରେ ମହିଳାଙ୍କ ଏହି ନଗଣ୍ଯ ପ୍ରତିନିଧିତ୍ବ ମହିଳା ସଶକ୍ତିକରଣ ନାରାର ବାସ୍ତବ ଚିତ୍ର ପ୍ରତିଫଳିତ କରିଛି। ୧୯୭୧, ୧୯୯୬ ଓ ୧୯୯୮ରେ ଦୁଇ ଜଣ ଲେଖାଏ ମହିଳା ସାଂସଦ ହୋଇଥିବାବେଳେ ଅବଶିଷ୍ଟ ନିର୍ବାଚନରେ ଜଣେ ଲେଖାଏ ମହିଳା ସାଂସଦ ହୋଇଛନ୍ତି । ୧୯୫୧ ଓ ୧୯୫୭ରେ ନୂଆଦିଲ୍ଲୀ ଆସନରୁ ସୁଚେତା କ୍ରିପଲାନୀ ବିଜୟୀ ହୋଇଥିଲେ। ୧୯୬୭ରେ ଦିଲ୍ଲୀର ଲୋକସଭା ଆସନ ସଂଖ୍ୟା ୭କୁ ବୃଦ୍ଧି ପାଇଥିଲା।୧୯୬୭ ପରଠାରୁ ଦିଲ୍ଲୀରୁ ୧୦୦ରୁ ଅଧିକ ସାଂସଦ ହୋଇଛନ୍ତି। ମାତ୍ର କେବଳ ୯ ଜଣ ମହିଳା ସାଂସଦ ହୋଇଛନ୍ତି। ୧୯୭୧ରେ ନୂଆଦିଲ୍ଲୀରୁ ମୁକୁଲ ବାନାର୍ଜୀ ଓ ଚାନ୍ଦିନୀଚୌକରୁ ସୁଭଦ୍ରା ଯୋଶୀ ନିର୍ବାଚିତ ହୋଇଥିଲେ।

୧୯୬୨, ୧୯୬୭, ୧୯୭୭, ୧୯୮୦, ୧୯୮୯ ଓ ୧୯୯୧ରେ କେହି ମହିଳା ନିର୍ବାଚିତ ହୋଇ ନଥିଲେ। ୧୯୮୪ରେ କାରୋଲବାଗରୁ ସୁନ୍ଦରବତୀ ନଓ୍ବାଲ, ୧୯୯୬ ଓ ୧୯୯୮ରେ ସାଉଥ ଦିଲ୍ଲୀରୁ ବିଜେପିର ସୁଷମା ସ୍ବରାଜ ଓ ୧୯୯୬ ଓ ୧୯୯୮ରେ କାରୋଲବାଗରୁ କଂଗ୍ରେସର ମୀରା କୁମାର ବିଜୟୀ ହୋଇଥିଲେ। ୧୯୯୯ରେ କାରୋଲବାଗରୁ ବିଜେପିର ଅନୀତା ଆର୍ଯ୍ୟ, ୨୦୦୪ ଓ ୨୦୦୯ରେ ନର୍ଥଓ୍ବେଷ୍ଟ ଦିଲ୍ଲୀରୁ କଂଗ୍ରେସର କ୍ରିଷ୍ଣା ତିରଥ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ଦିଲ୍ଲୀରୁ ବିଜେପିର ମୀନାକ୍ଷୀ ଲେଖି ନିର୍ବାଚିତ ହୋଇଥିଲେ।

ଦିଲ୍ଲୀ ଇତିହାସ କହୁଛି- ସୁଚେତା କ୍ରିପାଳିନୀ, ମୀରା କୁମାର, ସୁଷମା ସ୍ବରାଜ, କ୍ରିଷ୍ଣା ତିରଥ ଓ ମୀନାକ୍ଷୀ ଲେଖି ଦୁଇ ଥର ଲେଖାଏ ସାଂସଦ ହୋଇଛନ୍ତି। ୨୦୧୯ ନିର୍ବାଚନରେ ମୋଟ ୧୬୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ ଥିଲେ ୧୬ ଜଣ ମହିଳା ପ୍ରାର୍ଥୀ। ହେଲେ କେବଳ ଜଣେ ମହିଳା ମୀନାକ୍ଷୀ ଲେଖି ବିଜୟୀ ହୋଇଥିଲେ। ନର୍ଥଇଷ୍ଟ ଦିଲ୍ଲୀରେ ବିଜେପିର ମନୋଜ ତିଓ୍ବାରୀଙ୍କଠାରୁ ହାରିଯାଇଥିଲେ ତିନି ଥରର ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ। ଦିଲ୍ଲୀର ଭୋଟର ସଂଖ୍ଯା ପ୍ରାୟ ଦେଢକୋଟି । ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ଯା ୬୭ ଲକ୍ଷ ୩୦ ହଜାର।

ବିଆରଏସ ନେତ୍ରୀ କେ. କବିତାଙ୍କୁ ଆଜି ମିଳିବ କି ଜାମିନ?

ନୂଆଦିଲ୍ଲୀ: ଆଜି ଅଦାଲତରେ ହେବ ବିଆରଏସ ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନର ଶୁଣାଣି। ଆବେଦନର ଶୁଣାଣି କରିବେ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ। କବିତାଙ୍କ ଲାଗି ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି। ଆସନ୍ତା ଏପ୍ରିଲ ୧୬ରେ ପୁଅଙ୍କର ପରୀକ୍ଷା ଥିବାରୁ ତାଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି ଦିଆଯାଉ ବୋଲି ଆବେଦନ କରିଛନ୍ତି କବିତା।

ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ ୯ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଥିଲେ ସ୍ବତନ୍ତ୍ର ଜଜ କାବେରୀ ବାଓ୍ବେଜା। ପୂର୍ବରୁ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ ଏହି କିକବ୍ଯାକ ଗ୍ରହଣ କରାଯାଇଥିଲା ଏବଂ କିକବ୍ଯାକ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି। ବର୍ତ୍ତମାନ ତିହାର ଜେଲରେ ୧୪ ଦିନ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି କବିତା।

ଛତ୍ରପୁର ବିଜେପିରେ ବିଦ୍ରୋହର ନିଆଁ

ବ୍ରହ୍ମପୁର: ଟିକେଟ ବଣ୍ଟାକୁ ନେଇ ବିଜେପିରେ ବିଦ୍ରୋହର ନିଆଁ । ଧର୍ମଶାଳା, ଜଟଣୀ, ଚୌଦ୍ବାର କଟକ ପରେ ଏବେ ଟିକେଟ ବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି । କୃଷ୍ଣଚନ୍ଦ୍ର ନାୟକଙ୍କୁ ଛତ୍ରପୁର ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଘୋଷଣା ପରେ ଏବେ ବିଜେପିରେ ବିଦ୍ରୋହ ହୋଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ବନମାଳୀ ସେଠୀଙ୍କୁ ଦଳ ଟିକେଟ ନଦେଇ କୃଷ୍ଣଚନ୍ଦ୍ରଙ୍କୁ ଦଳ କାହିଁକି ଟିକେଟ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି  ବନମାଳୀଙ୍କ ସମର୍ଥକ । ୨୦୧୭ ମସିହା ବିଜେଡି ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀଦତ୍ତ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ବୋଲି କହିଛନ୍ତି ବନମାଳୀଙ୍କ ସମର୍ଥକ । ଏନେଇ ଆଜି ୩ ହଜାର ସମର୍ଥକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଗାମୀ ଦିନରେ ବିଜେପି ବନମାଳୀଙ୍କୁ ଟିକେଟ ନଦେଲେ ହଜାର ହଜାର ସମର୍ଥକ ବିଜେପିରୁ ଇସ୍ତଫା ଦେବାସହ ବନମାଳୀ ସେଠୀଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବନମାଳୀ ସେଠୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେ଼ଇ ହେବ ବୋଲି ସମର୍ଥକ କହିଛନ୍ତି।