ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତିକ ନିଶାଦ୍ରବ୍ଯ ଚୋରାଚାଲାଣ ଘଟଣାରେ ଗିରଫ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଡ୍ଯୁସର। ନାର୍କୋଟିସ୍କ କଣ୍ଟ୍ରୋଲ ବ୍ଯୁରୋ- ଏନସିବି ଓ ଦିଲ୍ଲୀ ପୋଲିସ ସ୍ପେସାଲ ସେଲ ପକ୍ଷରୁ ହୋଇଥିବା ମିଳିତ ଚଢାଉରେ ଧରାପଡିଛି ହାଇପ୍ରୋଫାଇଲ ଡ୍ରଗ୍ସ ରାକେଟ। କେବଳ ଭାରତରେ ନୁହେଁ, ନ୍ଯୁଜିଲ୍ଯାଣ୍ଡ, ଅଷ୍ଟ୍ରେଲିଆ ଓ ମ୍ଯାଲେସିଆରେ ଚାଲିଥିଲା ଏହି ରାକେଟ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୫୦ କେଜି ସୁଡୋଫେଡ୍ରିନ। ଏହି ରାସାୟନିକ ପଦାର୍ଥ ଅତି ବିପଜ୍ଜନକ ତଥା ଅତ୍ୟଧିକ ଆଡିକ୍ଟିଭ ସିନ୍ଥେଟିକ ଡ୍ରଗ ପ୍ରସ୍ତୁତିରେ ବ୍ଯବହାର ହ ୋଇଥାଏ। ବିମାନ ଓ ମାଲବାହୀ ଜାହାଜରେ ଖାଦ୍ଯ ସାମଗ୍ରୀ ଆକାରରେ ଏହି ସାମଗ୍ରୀକୁ ରପ୍ତାନି କରାଯାଉଥିଲା। ସୁଡୋଫେଡ୍ରିନ କିଲୋଗ୍ରାମ ପିଛା ଦେଢ କୋଟି ଟଙ୍କା ହୋଇଥାଏ। ଏହି ଆନ୍ତର୍ଜାତିକ ନିଶାଦ୍ରବ୍ଯ ରାକେଟକୁ ଧରିବା ଲାଗି କିଛି ଦିନ ଧରି ଯୋଜନା ଚାଲିଥିଲା। ଜେରାବେଳେ ସେମାନେ କହିଥିଲେ- ଗତ ୩ ବର୍ଷ ଧରି ସେମାନେ ଏହି ରାକେଟ ଜରିଆରେ ୩ ହଜାର ୫୦୦ କିଲୋଗ୍ରାମ ସୁଡୋଫେଡ୍ରିନ ରପ୍ତାନି କରିଥିଲେ ଯାହାର ମୂଲ୍ଯ ୨ ହଜାର କୋଟି ଟଙ୍କା ହେବ।
କଂଗ୍ରେସ-ଆପ୍ ଆସନ ବୁଝାମଣାକୁ ନେଇ ଗୁଜରାଟରେ ଝଡ଼
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ଦିଲ୍ଲୀ ଓ ଗୁଜରାଟରେ ଆପ୍ ସହ ଆସନ ବୁଝାମଣା ପରେ କଂଗ୍ରେସର ତୁଙ୍ଗ ନେତା ସମାନ୍ୟ ଆଶ୍ବସ୍ତ ହୋଇଥିଲେ । ହେଲେ ଏହି ଆସନ ବୁଝାମଣା କଂଗ୍ରେସ ପାଇଁ ଏକ ଝଡ଼ ନେଇ ଆସିଛି । ଆଉ ଏହିଝଡ଼ ଗୁଜରାଟରୁ ସୃଷ୍ଟି ହୋଇଛି । ନିଜର ଦୁର୍ଗ ବୋଲି କୁହାଯାଉଥିବା ଭାରୁଚ ଲୋକସଭା ଆସନକୁ କଂଗ୍ରେସ ଆପ୍ ପାଇଁ ଛାଡି ଦେବାକୁ ନେଇ ସୃଷ୍ଟଇ ହୋଇଛି ବିବାଦ ।
ଏହି ନିର୍ବାଚନ ମଣ୍ଡଳୀଟି ସ୍ବର୍ଗତ ଅହମ୍ମଦ ପଟେଲଙ୍କ ପାଇଁ କଂଗ୍ରେସର ଦୁର୍ଗ ହୋଇ ରହିଥିଲା । ତେବେ କଂଗ୍ରେସ ଏହି ଆସନକୁ ଆମ୍ ଆଦମୀ ପାର୍ଟି ହାତକୁ ଟେକି ଦେବାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।
ସୂଚନାଯୋଗ୍ୟ, ଅହମ୍ମଦ ପଟେଲ ଥିଲେ ଗୁଜରାଟ କଂଗ୍ରେସର ଜଣେ ତୁଙ୍ଗ ନେତା । ସୋନିଆ ଗାନ୍ଧୀଙ୍କ ସେ ଥିଲେ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ସଚିବ । ଗାନ୍ଧୀ ପରିବାରର ବେଶ୍ ବିଶ୍ବସ୍ତ । ୩ ଥର ଲୋକସଭାକୁ ଓ ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଏହି ଆସନକୁ ଆପକୁ ଦେଇ ଦିଆଯିବାକୁ ସ୍ଥାନୀୟ କଂଗ୍ରେସ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କଂଗ୍ରେସର ଏପରି ନିଷ୍ପତ୍ତିକୁ ବିଜେପି ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇଛି ।
ସେପଟେ ଏହି ଭାଗବଣ୍ଟାକୁ ନେଇ ଭାରୁଚ ଜିଲ୍ଲା କଂଗ୍ରେସ କର୍ମୀଙ୍କ ନିକଟରେ କ୍ଷମା ମାଗିଛନ୍ତି ଅହମ୍ମଦ ପଟେଲଙ୍କ କନ୍ଯା ମମତାଜ ପଟେଲ । ସେ କହିଛନ୍ତି, ମେଣ୍ଟ ପ୍ରକ୍ରିୟାରେ ଏହି ଆସନକୁ ପାଇପାରି ନଥିବାର ଦଳୀୟ କର୍ମୀଙ୍କୁ କ୍ଷମା ମାଗୁଛି । କଂଗ୍ରେସକୁ ଏଠାରେ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରାଯିବ । ଅହମ୍ମଦଙ୍କ ୪୫ ବର୍ଷର ଲିଗାସୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ।’
କଂଗ୍ରେସର ସବୁଠାରୁ ବିଶ୍ବସ୍ତ କ୍ରାଇସିସ ମ୍ଯାନଜେର ଥିବା ଅହମ୍ମଦ ଗତ ୨୦୨୦ ନଭେମ୍ବରରେ କୋଭିଡର ଇହଲୀଳା ତ୍ଯାଗ କରିଥିଲେ । ଦିଲ୍ଲୀରେ ଆପ୍ ୪ଟି ଓ କଂଗ୍ରେସ ୩ଟିରେ ଲଢିବାକୁ ସହମତି ପ୍ରକାଶ ପାଇଛି । ଉତ୍ତରପ୍ରଦେଶରେ କଂଗ୍ରେସ ୧୭ ଓ ସମାଜବାଦୀ ପାର୍ଟି ୬୩ ଆସନରେ ଲଢିବେ । ଗୁଜରାଟରେ କଂଗ୍ରେସ ୨୪ ଆସନରେ ଓ ଆପ୍ ୨ଟି ଆସନରେ ଲଢିବେ ।
ଥାଇଲାଣ୍ଡରେ ପ୍ରଦର୍ଶିତ ହେବ BSKYରେ ଲିଙ୍ଗଗତ ସମାନତା ପୋଷ୍ଟର
ଭୁବନେଶ୍ବର: ଥାଇଲାଣ୍ଡ ଯିବେ ଷ୍ଟେଟ୍ ହେଲଥ ଆସ୍ୟୁରାନ୍ସ ସୋସାଇଟି ବା ସାହସ ପ୍ରତିନିଧି । ସ୍ବାସ୍ଥ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ୍ସପୋଜର ଭିଜିଟ୍ କରାଯିବ । ଥାଇଲାଣ୍ଡରେ ଆୟୋଜନ ହେବ ପିଏମଏସି ୨୦୨୪ । ସେଠାରେ ସେମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲିଙ୍ଗଗତ ସମାନତା ସମ୍ପର୍କରେ ପୋଷ୍ଟର ପ୍ରଦର୍ଶନ କରିବେ । ଯାହା ଉପସ୍ଥାନ ଓ ଅନ୍ୟାନ୍ୟ ନେଟଓ୍ବର୍କିଂ କାର୍ଯ୍ୟରେ ସୁବିଧା ଯୋଗାଇବ ।
ସ୍ବାସ୍ଥ୍ୟ ବିଭାଗ ଓ ଏଚଏସଟିପି ମିଶି ଏହି ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଏଚଏସଟିପି ସହାୟତାରେ ସ୍ବାସ୍ଥ୍ୟ ବିଭାଗର ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ । କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାରକୁ ଅଧିକ ସଶକ୍ତ କରିବା ପାଇଁ ହାତକୁ ନିଆଯିବ ବିଭିନ୍ନ କାର୍ଯ୍ୟକ୍ରମ । କମ୍ପ୍ରେହେନସିଭ୍ ପ୍ରାଇମେରୀ ହେଲଥ କେୟାର ସୁଦୃଢ଼ ହେଲେ, ସେକେଣ୍ଡାରୀ ଓ ଟର୍ସିଆରୀ ସ୍ତର ଉପରେ ଚାପ କମିବ । ଏହା ଜରିଆରେ ଲୋକଙ୍କ ପାଖକୁ ସହଜରେ ପହଞ୍ଚି ପାରିବ ଚିକିତ୍ସା ସୁବିଧା ।
କିଛି ଚିହ୍ନଟ ଜିଲ୍ଲାରେ ଜୁରୁରୀକାଳୀନ ଓ ଟ୍ରମା କେୟାର ସେବାକୁ ଆହୁରି ଭଲ କରିବାକୁ ପଦକ୍ଷେପ ନିଆଯିବ । ଯାହାକୁ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମନିଟର କରିବେ । ଏଚଏସଟିପି ଓ ଅତିରିକ୍ତ ଡିଏମଇଟି ନିର୍ଦ୍ଦେଶକ ମିଳିତ ଭାବେ କାମ କରି ସେସବୁ ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବେ । ଏଥିସହ ଭେକ୍ଟର ବର୍ଣ୍ଣ ରୋଗର ଶୀଘ୍ର ସର୍ଭେଲାନ୍ସ, ଚିହ୍ନଟ ଓ ଚିକତ୍ସା ସେବାକୁ ବି ସୁଦୃଢ଼ କରାଯିବ । ବିନା ପ୍ରେସକ୍ରମିସନରେ ଔଷଧ ନ ଦେବା ନିୟମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ।
ରାଜଧାନୀରେ ବିଜେଡିର ବିଶାଳ ମହିଳା ସମାବେଶ, ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ନେଲେ ସଙ୍କଳ୍ପ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଜେଡି ପକ୍ଷରୁ ବିଶାଳ ମହିଳା ସମାବେଶ । ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ।
ଏକାମ୍ର ଭୁବନେଶ୍ବରରେ ଆୟୋଜିତ ହି ବିଶାଳ ମହିଳା ସମାବେଶରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ଅନେକ ଦଳୀୟ ନେତା ଓ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସମାବେଶରେ ଆଲୋଚନା କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଜନସେବା ଜାରି ରଖିବାକୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଆଗକୁ ନିର୍ବାଚନ ଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି ।
ଇଜିଏମ ପ୍ରସ୍ତାବକୁ ନେଇ ବାୟଜୁ ରବୀନ୍ଦ୍ରନ ଖପ୍ପା, କହିଲେ- ମୁଁ ସିଇଓ ଅଛି, ରହିବି
ନୂଆଦିଲ୍ଲୀ: ବାୟଜୁସରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଅର୍ଥ ହେରଫେର ଅଭିଯୋଗରେ ଫସିଥିବା ଏହି କମ୍ପାନୀର ଫାଉଣ୍ଡର ଓ ସିଇଓ ବାୟଜୁ ରବୀନ୍ଦ୍ରନଙ୍କୁ ବାହାର କରିବାକୁ ଇଜିଏମରେ ପ୍ରସ୍ତାବ ପାରିତ ହୋଇଛି । ଏହାକୁ ନେଇ ରବୀନ୍ଦ୍ରନ ପୂରା ଖପ୍ପା ଥିବା ବେଳେ କହିଛନ୍ତି, ମୁଁ ସିଇଓ ଅଛି ଓ ଆଗକୁ ବି ରହିବି । ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ । ଗତ ଶୁକ୍ରବାର ଏକ ବୈଠକରେ ବାୟଜୁସ ନିବେଶଙ୍କ ଏକ ଦଳ ରବୀନ୍ଦ୍ରନ ଓ ତାଙ୍କ ପରିବାରକୁ କମ୍ପାନୀରୁ ବାହାର କରିବାକୁ ପ୍ରସ୍ତାବ ପାରିତ କରିଥିଲେ ।
ରବୀନ୍ଦ୍ରନଙ୍କ ଉପରେ ମିସ୍ ମ୍ୟାନେଜମେଣ୍ଟ ଆରୋପ
ବାୟଜୁସର ସଙ୍କଟ କମ ହେବାର ନା ନେଉନି । ଗୋଟିଏ ପଟେ ନିବେଶକ ଫର୍ମ ପ୍ରୋସସ କମ୍ପାନୀର ମୂଲ୍ୟାଙ୍କନ ୨୨ ବିଲିୟନ ଡଲାରରୁ କମାଇ ୫.୧ ବିଲିୟନ ଡରାଲ କରିଦେଇଛି । ଅନ୍ୟପଟେ ଶୀର୍ଷ ନେତୃତ୍ବ ଉପରେ ମିସ୍ ମ୍ୟାନେଜମେଣ୍ଟ ଅଭିଯୋଗ ଲଗାଇ କମ୍ପାନୀରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଶୁକ୍ରବାର ହୋଇଥିବା ବାୟଜୁସ ଇଜିଏମରେ Investors Prosus, General Atlantic ଓ Peak XV ପରି ବଡ଼ ସେୟାର ହୋଲ୍ଡର୍ସ କମ୍ପାନୀର ଫାଉଣ୍ଡର ବାୟଜୁ ରବୀନ୍ଦ୍ରନ ଏବଂ କୋ ଫାଉଣ୍ଡର ଦିବ୍ୟା ଗୋକୁଲନାଥ ଏବଂ ତାଙ୍କ ଭାଇ ରିଜୁ ରବୀନ୍ଦ୍ରନଙ୍କୁ ବୋର୍ଡରୁ ହଟାଇବାକୁ ପ୍ରସ୍ତାବ ପାରିତ କରିଛନ୍ତି ।
କମ୍ପାନୀରୁ ବିଦା ହେବା ଖବର ଆସିବା ପରେ ଏହାର ଜବାବ ରଖିଛନ୍ତି ବୟଜୁ ରବୀନ୍ଦ୍ରନ । ନିବେଶକଙ୍କୁ ଏକ ପତ୍ର ଲେଖି ରବୀନ୍ଦ୍ରନ ବୟାନ ଜାରି କରିଛନ୍ତି । ଏଥିରେ ସେ ସିଇଓ ଭାବେ ନିଜ ସ୍ଥିତି ସ୍ପଷ୍ଟ କରିବା ସହ କହିଛନ୍ତି, ସଙ୍ଗଠନ ଭିତରେ ସବୁକିଛି ଠିକ୍ ଅଛି । କମ୍ପାନୀରୁ ବିଦା ହେବାକୁ ନେଇ ସେ ଲେଖିଛନ୍ତି, ‘ମୁଁ ଆପଣମାନଙ୍କୁ କମ୍ପାନୀର ସିଇଓ ଭାବେ ଏହି ପତ୍ର ଲେଖୁଛି । ଆପଣମାନେ ଗଣମାଧ୍ୟମରେ ଯାହା ପଢ଼ିଛନ୍ତି ତାହାର ବିପରୀତ ମୁଁ ସିଇଓ ଭାବେ ରହିବି । ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ ଏବଂ ପୂର୍ବ ବୋର୍ଡ ବି ରହିବ ।’ ଶୁକ୍ରବାରକୁ ହୋଇଥିବା ବୈଠକକୁ ସେ ତମାସା କହି କଟାକ୍ଷ କରିଛନ୍ତି ।
ହୁତି ବିଦ୍ରୋହୀଙ୍କ ଉପରେ 7 ଦେଶର ସେନାଙ୍କ ଏକକାଳୀନ ଆକ୍ରମଣ
ନୂଆଦିଲ୍ଲୀ: ୟମନରେ ହୁତି ବିଦ୍ରୋହୀଙ୍କ ୧୮ ଠିକଣାରେ ଆମେରିକା ସମେତ ୭ ଦେଶର ସେନାଙ୍କ ଏୟାର ଷ୍ଟ୍ରାଇକ୍ । ଆମେରିକା ଓ ବ୍ରିଟେନ ନେତୃତ୍ବରେ ଏହି ଆକ୍ରମଣ କରାଯାଇଛି । ଆମେରିକୀ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି, ୟମନ ରାଜଧାନୀ ସନାରେ ହୁତି ବିଦ୍ରୋହୀଙ୍କ ଆଡ୍ଡା ଉପରେ ଏହି ଆକ୍ରମଣକରାଯାଇଛି । ଯେଉଁଥିରେ ବିଦ୍ରୋହୀଙ୍କ ୧୮ଟି ଠିକଣା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।
ଆମେରିକା ପକ୍ଷରୁ କୁହାଯାଇଛି, ହୁତି ବିଦ୍ରୋହଈ ମାଲବାହୀ ଜାହାଜକୁ ଟାର୍ଗେଟ କରିବା ସହ ୟମନକୁ ଦିଆଯାଉଥିବା ମାନବୀୟ ସହାୟତାକୁ ମଧ୍ୟ ଅଟକାଇବାକୁ ଉଦ୍ୟମ କରୁଥିଲେ । ଏହାର ପ୍ରତିବାଦରେ ଏହି ଆକ୍ରମଣ କରାଯାଇଛି । ଆମେରିକା ଓ ବ୍ରିଟେନ ସହ ଏହି ଆକ୍ରମଣରେ ଆଷ୍ଟ୍ରେଲିଆ, ବହରିନ, କାନ୍ନାଡା, ଡେନମାର୍କ, ନେଦରଲାଣ୍ଡ ଓ ନ୍ୟୁଜିଲାଣ୍ଡ ସେନା ସାମିଲ ହୋଇଥିଲେ ।
ଆମେରିକା ନେତୃତ୍ବ ହୁତିଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ବିଶେଷ ଦେଖିବାକୁ ମଳୁନାହିଁ । ଆକ୍ରମଣ ସତ୍ତ୍ବେ ହୁତିଙ୍କ ଆକ୍ସନ କମିବାର ନାଁ ନେଉନାହିଁ । ଯାହା ବିଶ୍ବ ବାଣିଜ୍ୟକୁ ପ୍ରଭାବିତ କରିଥିବାବେଳେ ସିପିଂ ଦର ମଧ୍ୟ ବଢ଼ିଯାଇଛି । ହୁତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ୭ଟି ଦେଶର ଏକ ମିଳିତ ବିବୃତ୍ତି ଆସିଛି । ଏଥିରେ କୁହାଯାଇଛି, ୟମନର ୭ଟି ସ୍ଥାନରେ ଏହି ଆକ୍ରମଣ କରାଯାଇଛି । ଯେଉଁଥିରେ ହୁତିଙ୍କ ୧୮ଟି ଠିକଣା ସମ୍ପୂର୍ଣ୍ଣ ନଷ୍ଟ ହୋଇଟାଯାଇଛି ।
ଆମେରିକା ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି, ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କୁ ଦମନ କରିବା । ଯଦି ହୁତି ବିଦ୍ରୋହୀ ସେମାନଙ୍କ ଆକ୍ରମଣ ବନ୍ଦ ନ କରନ୍ତି, ଏହାର ପରିମାଣ ଭୟାବହ ହେବ । ହୁତି ବିଦ୍ରୋହୀ ମଧ୍ୟ ପୂର୍ବ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛନ୍ତି ଓ ୟମନ ତଥା ଅନ୍ୟ ଦେଶଙ୍କୁ ଦିଆଯାଉଥିବା ମାନବୀୟ ସହାୟତାକୁ ପ୍ରଭାବିତ କରୁଛନ୍ତି ।

