spot_img
Home Blog Page 206

ହକ ପାଇଁ ହଲ୍ଲାବୋଲ, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ଦାବି

ବ୍ରହ୍ମପୁର : ହକ ପାଇଁ ହଲ୍ଲାବୋଲ । ବ୍ରହ୍ମପୁର ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ଅଗରେ ଶ୍ରମିକଙ୍କ ଆନ୍ଦୋଳନ । କିଏ ବିବାହ ସହାୟତା ପାଇଁ ଆବେଦନ କରି ସହାୟତା ରାଶି ପାଇ ନାହାନ୍ତି ତ ଆଉ କିଏ ମୃତ୍ୟୁ କାଳୀନ ସହାୟତା ରାଶି, ପରିଚୟ ପତ୍ର ପାଇଁ ଆବେଦନ କରି ନିରାଶ ହୋଇଛନ୍ତି । ଦେଢ଼ ବର୍ଷ ହେଲା ଆବେଦନ କରି ନିରାଶ ହେବାକୁ ପଡିଛି ବୋଲି ଅଭିଯୋଗ ହୋଇଛି ।  ନିୟମାନୁଯାୟୀ ସବୁ କାଗଜ ପତ୍ର ଠିକ ଥିଲେ ମଧ୍ୟ ସହାୟତା ରାଶି ମିଳିନି । କିଛି ଜଣଙ୍କ କାଗଜ ପତ୍ର ଠିକ ନଥାଇ ମଧ୍ୟ ସହାୟତା ରାଶି ପାଇସାରିଛନ୍ତି । ଆବେଦନ ବେଳେ ଦୁଇ ହଜାର ଟଙ୍କା ଦିଆଯାଇଥିବା ବେଳେ ଏବେ ଆହୁରି ୧୦ ହଜାର ଟଙ୍କା  ଅଧିକାରୀ ମାନେ ମାଗୁଥିବା ଗୁରୁତର ଅଭିଯୋଗ କରିଛନ୍ତି ନିର୍ମାଣ ଶ୍ରମିକ।

ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟରେ ଟଙ୍କା ନଦେଲେ କାମ ହୁଏ ନାହିଁ ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ ରାଜ କୁମାର ମହାପାତ୍ର। ଟଙ୍କା ଦେଲେ ଆବେଦନ କରିଥିବା ହିତାଧିକାରୀଙ୍କୁ ସହାୟତା ରାଶି ଦିଆ ଯାଉଛି ବୋଲି ଅଭିଯୋଗ କରିଛି ଜୟ ଜଗନ୍ନାଥ ନିର୍ମାଣ ଶ୍ରମିକ ସଙ୍ଘ । ତୁରନ୍ତ ସହାୟତା ରାଶି ପ୍ରଦାନ କରା ନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି  । ସେପଟେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତି ହୀନ ଓ ମିଥ୍ୟା ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। କିଏ ଦଲାଲ…? ବ୍ୟବସ୍ଥାରେ କିଛି ତ୍ରୁଟି ରହୁଛି ନା ହିତାଧିକାରୀଙ୍କୁ ବିଭ୍ରାନ୍ତ କରାଯାଉଛି…? କେବେ ପାଇବେ ସହାୟତା ରାଶି, ତା ଉପରେ ରହିଛି ସମସ୍ତଙ୍କ ନଜର ।

ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ପ୍ରୋ ଟି-ଟ୍ବେଣ୍ଟି ଫଟାଫଟ୍ କ୍ରିକେଟ

କଟକ : ଓଡିଶା ପ୍ରୋ ଟି ଟ୍ବେଣ୍ଟି ଫଟାଫଟ୍ କ୍ରିକେଟ ।   ବାରବାଟୀ ଷ୍ଟାଡିୟମ ଆଉ କିଛି ସମୟ ପରେ ଆରମ୍ଭ ହେବ ପ୍ରଥମ ମ୍ୟାଚ । ଦଶ ଦିନ ଧରି ହେବାକୁ ଥିବା ଏହି ପେଶାଦାର କ୍ରିକେଟ ଲିଗରେ ଓଡିଶାର ଶ୍ରେଷ୍ଠ ୧୨୦ ଖେଳାଳୀ ଭାଗ ନେଉଛନ୍ତି । ରାଜ୍ୟର ଛଅ ବଡ ସହରର ନାମକୁ ନେଇ ଛଅ ଟିମ ଗଢାଯାଇଛି ।  ପ୍ରତି ଟିମରେ ୨୦ଜଣ ଲେଖାଏଁ ଖେଳାଳୀଙ୍କୁ ସ୍ଥାନ ଦିଆ ଯାଇଛି। ଟିମ ଗୁଡିକ ହେଉଛି କଟକ ପାନ୍ଥର୍ସ, ସମ୍ବଲପୁର ୱାରିୟର୍ସ, ପୁରୀ ଟାଇଟେନସ୍, ଭୁବନେଶ୍ବର ଟାଇଗର୍ସ, କେନ୍ଦୁଝର ମିନର୍ସ, ରାଉରକେଲା ଷ୍ଟିଲସ।  ସଂଧ୍ଯାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯରେ ଲିଗ ଉଦଘାଟନ କରାଯାଇଛି ।

ଛଅ ଟି ଯାକ ଟିମର ଅଧିନାୟକ ଭାବେ ଓଡିଶାର ଛଅ ଷ୍ଟାର ଖେଳାଳୀ ରହିଛନ୍ତି । ସ୍ଵସ୍ତିକ ସାମଲ, ସନ୍ଦୀପ ପଟ୍ଟନାୟକ, ଆଶୀର୍ବାଦ ସ୍ବାଇଁ, ସୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଛଅଟି ଦଳର ଅଧିନାୟକ କରାଯାଇଛି। ନିଲାମ ଜରିଆରେ ଅଧିନାୟକ ବା ମରକ୍ବି ଖେଳାଳୀ ୧,୨୫,୦୦୦ ଟଙ୍କାରେ ଚୁକ୍ତିବଦ୍ଧ ହୋଇ ଥିବା ବେଳେ ଗ୍ରେଡ ଏ ଖେଳାଳୀ ୧ଲକ୍ଷ, ଗ୍ରେଡ-ବି ୭୫ ହଜାର, ଗ୍ରେଡ-ସି ୫୦ ହଜାର ଓ ଗ୍ରେଡ ଡି ଖେଳାଳୀ ୪୦ ହଜାର ଟଙ୍କା ମୂଲ୍ଯରେ ଦଳରେ ସାମିଲ ହୋଇ ଛନ୍ତି। ଏହି ଲିଗ ଓଡିଶାର  ଖେଳାଳୀଙ୍କୁ ନିଜ ପ୍ରଦର୍ଶନ ଦେଖାଇବା ପାଇଁ ଭଲ ସୁଯୋଗ ହେବ ବୋଲି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇର୍ଫାନ ପଠାନ କହିଛନ୍ତି। ଏହି ଫଟାଫଟ୍ କ୍ରିକେଟକୁ ଦର୍ଶକ ୧,୩,୫ ନମ୍ବର ଗ୍ୟାଲେରୀରେ ବିନା ଦେୟରେ ଦେଖି ପାରିବେ।

ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ, ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’

ଭୁବନେଶ୍ୱର : ଦର୍ଶକଙ୍କ ମନମୋହିଲା ‘ମାଟିର ମଣିଷ’। ପୁଣି ରଙ୍ଗମଞ୍ଚରେ ଉଜ୍ଜୀବିତ ହେଲା ଗୀତିନାଟ୍ୟ। କଟକର ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ବିହାର’ ପକ୍ଷରୁ  ରବୀନ୍ଦ୍ର ମଣ୍ଡପରେ ଗୀତିନାଟ୍ୟ ‘ମାଟିର ମଣିଷ’ ପରିବେଷିତ ହୋଇଯାଇଛି। ଗୀତିନାଟ୍ୟଟି ଥିଲା ପ୍ରଖ୍ୟାତ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ କାଳଜୟୀ ରଚନା ‘ଅମର’ ଉପନ୍ୟାସର ରୂପାନ୍ତର ।  ଏହାକୁ ଗୀତିନାଟ୍ୟର ରୂପ ଦେଇଥିଲେ ସ୍ବର୍ଗତ ଗୁରୁ ନାରାୟଣ ସିଂହ । ନାଟକର ନିର୍ଦ୍ଦେଶନା ଦେଇଥିଲେ ଚୌଧୁରୀ ଭାରତୀକୃଷ୍ଣ ଦାଶ । ବହୁଦିନ ତଳୁ ଗୀତିନାଟ୍ୟର ଯୁଗ ଶେଷ ହୋଇ ଯାଇଥିଲେ ମଧ୍ୟ ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଚିତ୍ର । ଗୀତିନାଟ୍ୟର ବାଦ୍ୟ-ସଂଗୀତ ଓ ଗୀତଗୁଡ଼ିକ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରିଥିଲା। କଳାକାରମାନଙ୍କ ପୌରାଣିକ ଯୁଗର ବେଶଭୂଷା ଓ ନିଖୁଣ ଅଭିନୟ ବି ଦର୍ଶକଙ୍କୁ ବିମୋହିତ କରିଥିଲା ।

‘ମାଟିର ମଣିଷ’ ଭାଇ ଭାଇର କାହାଣୀକୁ ନେଇ ଆଧାରିତ । ପୈତୃକ ସମ୍ପତି ପାଇଁ ଭାଇ ଭାଇରେ ଲାଗୁଛି ଲଢେଇ । ଶେଷରେ ତ୍ୟାଗ ଆଗରେ ବନ୍ଧା ପଡ଼ିଯାଇଛି ଲୋଭ । ବଡ଼ ଭାଇକୁ ଠିକ୍ ବୁଝିଛି ସାନ ଭାଇ। ଶେଷରେ ପୁଣି ସମ୍ପତି ଲୋଭ ଛାଡ଼ି ଭାଇ ଭାଇର ସେଇ ନିବିଡତାରେ ବାନ୍ଧି ହୋଇପାରିଛନ୍ତି । ଏଭଳି କିଛି ଛାଇ ଆଲୁଅ ଓ ପ୍ରେମ ପ୍ରତାରଣା ଛଳନାକୁ ନେଇ ଏହି ଗୀତିନାଟ୍ୟ ଦର୍ଶକଙ୍କୁ ଆନ୍ଦୋଳିତ କରିଛି । ଓଡ଼ିଶାର ପ୍ରାଚୀନ କଳା ସାହିତ୍ୟ କେବେ ମରିପାରେନା ତାହା ସବୁବେଳେ, ସବୁକାଳେ ଚିରସବୁଜା । ସ୍ବର୍ଗତ ଗୁରୁ ନାରାୟଣ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ଆଜି ସନ୍ଧ୍ୟାରେ ପରିବେଷଣ ହେବ ଗୀତିନାଟ୍ୟ ‘କୀଚକ ବଧ’।

ସାରା ରାଜ୍ୟରେ ସାର ପାଇଁ ଘାଣ୍ଟି ହେଲେଣି ଚାଷୀ…

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ସାର ସଙ୍କଟ । ସବୁଠି ଲାଗୁଛି ଲମ୍ବା ଲାଇନ । ବସ୍ତାଏ ସାର ପାଇଁ ନାକେଦମ୍ ଚାଷୀ । କୋରାପୁଟ ଜିଲ୍ଲାରେ ଉତ୍କଟ ରୂପ ଧାରଣ କରିଛି ସାର ସମସ୍ୟା । ରାତି ଉଜାଗର ହୋଇ ଚାଷୀ ନିରାଶ । ଏପରି ସ୍ଥଳେ ଓଡ଼ିଶା କୃଷି ଶିଳ୍ପ ନିଗମ-OAICର ଗେହ୍ଲା ପୁଅ ସାଜିଛନ୍ତି ବେସରକାରୀ ଡିଲର୍ସ । ଅଲଗା ଲ୍ୟାମ୍ପସକୁ ଅଣଦେଖା କରି ସିଂହଭାଗ ସାର ନିର୍ଦ୍ଦିଷ୍ଟ ଡିଲର୍ସକୁ ଦିଆଯାଉଛି । ଚାଷୀଙ୍କୁ ଚଢ଼ାଦରରେ ସାର ବିକିବା ପରେ ଭାଗବଣ୍ଟା ହେଉଛି ଲାଭାଂଶ ଟଙ୍କା । ଅଥଚ ଏହାର ଯାଞ୍ଚ ହେଉନି । ଜିଲ୍ଲା କୃଷି ବିଭାଗ ସବୁ ଜାଣି ଅନ୍ଧାରରେ ବାଡ଼ି ବୁଲାଉଛି । ଚଳିତ ଥର ସାର ଅଭାବ ପରିସ୍ଥିତି ସୃଷ୍ଟି ହେବା ପରେ ସାର ବଣ୍ଟନରେ ଚାଲିଥିବା ପ୍ରିୟାପ୍ରୀତି ଘଟଣା ପଦାକୁ ଆସିଛି । ଓଡ଼ିଶା କୃଷି ଶିଳ୍ପ ନିଗମର କୋରାପୁଟ କାର୍ଯ୍ୟାଳୟରେ ପଞ୍ଜୀକରଣ କରିଛନ୍ତି ଜିଲ୍ଲାର ୩୬ ଡିଲର । ହେଲେ କୃଷି ଶିଳ୍ପ ନିଗମକୁ ମିଳିଥିବା ମୋଟ ସାର ମଧ୍ୟରୁ ୯୦ ପ୍ରତିଶତ ସାର ୪ଟି ନିର୍ଦ୍ଦିଷ୍ଟ ଡିଲରଙ୍କୁ ବିକ୍ରି ପାଇଁ ଦିଆଯାଇଛି । ଅନ୍ୟ ୩୨ ଡିଲରଙ୍କୁ ଗୋଟିଏ, ଦୁଇ ଟ୍ରକ୍ ସାର ଦେଇ କାମ ଚଳାଇ ଦିଆଯାଇଛି । ଯାହା ବ୍ୟବସାୟୀ ଓ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ସ୍ପଷ୍ଟ ପ୍ରମାଣ କରିଛି । ଏପଟେ ସାର ପାଇଁ ନାରାୟଣପାଟଣା ଓ କୋଟପାଡ ଲ୍ୟାମ୍ପସ ଆଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ଚାଷୀ ।

ଓଡ଼ିଶା କୃଷି ଶିଳ୍ପ ନିଗମ ନିୟମାନୁଯାୟୀ ଡିଲର୍ସ ପ୍ରଥମେ ଟଙ୍କା ଡିପୋଜିଟ୍ କରିବା ପରେ ସାର ଓଏଆଇସି ଗୋଦାମରୁ ଉଠାଇବା କଥା । କିନ୍ତୁ ବିଭାଗୀୟ ଅସାଧୁ କର୍ମଚାରୀ ବେସରକାରୀ ଡିଲରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ପ୍ରଥମେ ସାର ଦେଇ ପରେ ଟଙ୍କା ସଂଗ୍ରହ କରିଛନ୍ତି । ଏପଟେ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ କହିଛନ୍ତି ଜିଲ୍ଲାରେ ସାର ଅଭାବ ନାହିଁ । ଓଏଆଇସି ପକ୍ଷରୁ ସାର ବଣ୍ଟନରେ ହୋଇଥିବା ପକ୍ଷପାତିତାର ତଦନ୍ତ କରାଯିବ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ସେବା ସମବାୟ ସମିତି ସାମ୍ନାରେ ସାର ପାଇଁ ରାତିରେ ଶୋଇଲେ ଚାଷୀ । ସେପଟେ ଖଲିଙ୍ଗି ସୋସାଇଟିରେ ଧାଡ଼ିରେ ଠିଆ ହୋଇ ତିନି ଜଣ ମହିଳା ଅଚେତ ହୋଇ ପଡ଼ିଛନ୍ତି । ଅନୁଗୁଳ ଜିଲ୍ଲା ବାଗଡ଼ିଆ ସୋସାଇଟିରେ ବି ଚାଷୀ ଲମ୍ବା ଲାଇନ ଲଗାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି- କେବେ ସୁଧୁରିବ ସାର ସମସ୍ୟା ? ଚାଷୀଙ୍କୁ ଏତେ ଅଣଦେଖା କାହିଁକି ?

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ନୂଆ ମେଡିକାଲରେ ଚିକିତ୍ସା, ପୁରୁଣା ମେଡିକାଲରେ ସିଟି ସ୍କାନ

ଭଦ୍ରକ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ନୂଆ ମେଡିକାଲରେ ଚିକିତ୍ସା । ପୁରୁଣା ମେଡିକାଲରେ ସିଟି ସ୍କାନ । ପୂର୍ବ ସରକାରଙ୍କ ସମୟରେ ଭଦ୍ରକ ଗେଲପୁରଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଥିଲା । ଡେରିରେ ହେଲେ ମଧ୍ୟ ରଙ୍ଗ ବଦଳାଇ ଗତ ଅଗଷ୍ଟ ୪ରେ ପୁରୁଣା ମେଡିକାଲ ନୂଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେଡିକାଲ ସ୍ଥାନାନ୍ତରଣକୁ ଦେଢ ମାସ ପୂରିବାକୁ ବସିଲାଣି ହେଲେ ସିଟି ସ୍କାନ ସେବା ସ୍ଥାନାନ୍ତରଣ କରାଯାଇନାହିଁ । ଫଳରେ ସିଟି ସ୍କାନ ପାଇଁ ରୋଗୀଙ୍କୁ ନୂଆ ମେଡିକାଲରୁ ୫ କିଲୋମିଟର ଦୂରରେ ଥିବା ପୁରୁଣା ମେଡିକାଲକୁ ଆସିବାକୁ ପଡୁଛି । ନୂଆ ମେଡିକାଲରୁ ପୁରୁଣା ମେଡିକାଲକୁ ବସ ଚଳାଚଳ ସୁବିଧା ନଥିବାରୁ ଅଟୋରେ ଶହଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତୁରନ୍ତ ସିଟି ସ୍କାନ ସେବା ନୂଆ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।

ପୂର୍ବ ସରକାରଙ୍କ ସମୟରେ ମେଡିକାଲ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ନୂତନ ସରକାର ଆସିବା ପରେ ମେଡିକାଲ ସ୍ଥାନାନ୍ତର ପାଇଁ ଅହେତୁକ ବିଳମ୍ବ କରିଥିଲେ । ବିଳମ୍ବ ସତ୍ତ୍ୱେ ନୂତନ ମେଡିକାଲକୁ ସିଟି ସ୍କାନ ସେବା ସ୍ଥାନାନ୍ତର ନହେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଅନ୍ୟପଟେ ସିଟି ସ୍କାନ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି । ଯଥାଶୀଘ୍ର ଏହା ସ୍ଥାନାନ୍ତର ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସ୍ୱାସ୍ଥ୍ୟ ବିଭାଗର ଖମାଖିଆଲି ନୀତି ପାଇଁ ଉପଯୁକ୍ତ ସରକାରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ସରକାର କେବେ ଏହା ଉପରେ ନଜର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଗଜପତି ଜିଲ୍ଲାରେ ବିଲୁପ୍ତ ହେବାକୁ ବସିଲେଣି ବିରଳ ବନ୍ୟପ୍ରାଣୀ

ଗଜପତି : ଗଜପତି ଜିଲ୍ଲାରେ ସକ୍ରିୟ ଜଙ୍ଗଲ ତସ୍କର । ବଳି ପଡୁଛନ୍ତି ନିରୀହ ପଶୁ । ବିଲୁପ୍ତ ହେବାକୁ ବସିଲେଣି ବିରଳ ବନ୍ୟପ୍ରାଣୀ । କ୍ଷୁଣ୍ଣ ହେବାରେ ଲାଗିଛି ପରିବେଶ ସନ୍ତୁଳନ । ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତା ।  ତଥ୍ୟ ମୁତାବକ ୨୦୨୩ ରୁ ୨୦୨୫ ମଧ୍ୟରେ ଚନ୍ଦ୍ରଗିରି ବନାଞ୍ଚଳରେ ୩ଟି, ମହେନ୍ଦ୍ର ବନାଞ୍ଚଳରେ ୩ଟି, ରା. ଉଦୟଗିରି, ରାମଗିରି ଏବଂ ଦେବଗିରି ବନାଞ୍ଚଳରେ ଗୋଟିଏ ଲେଖାଏଁ ପଶୁ ହତ୍ୟା ମାମଲା ରୁଜୁ ହୋଇଛି । ଯେଉଁଥିରେ ୨୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ତଦନ୍ତ ସମୟରେ ଏମାନଙ୍କ ସହ ବିଭିନ୍ନ ରାଜ୍ୟର ଦଲାଲମାନଙ୍କ ଲିଙ୍କ ଥିବା ଜଣାପଡ଼ିଛି ।

‎ ପଶୁ ଶିକାର ଘଟଣାକୁ ଅନୁଧ୍ୟାନ କଲେ ଦୁଇଟି ପ୍ରମୁଖ କାରଣ ସ୍ପଷ୍ଟ ହେଉଛି । ବିଶେଷ କରି ବନ୍ୟପ୍ରାଣୀଙ୍କ ମାଂସକୁ ପାରମ୍ପରିକ ଖାଦ୍ୟ ଭାବେ ନେଇ ପଶୁ ହତ୍ୟା କରାଯାଉଥିବା ବେଳେ ପଶୁର ମାଂସ, ଚମଡା ଆଦି ବିକି ଅର୍ଥ ଆଦାୟ କରିବାକୁ ଶିକାର ମଧ୍ୟ କରାଯାଉଛି । ଖାଲି ସେତିକି ନୁହଁ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କର ପଶୁର ଚମଡା, ଦାନ୍ତ, ମାଂସ ଆଦି ଏଠାରୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଗତ କିଛି ଦିନ ପୂର୍ବେ ଏକ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବନବିଭାଗ । ଏହି ଗ୍ୟାଙ୍ଗ ମଧ୍ୟରେ ଗଜପତି ଜିଲ୍ଲା ମୋହନା ଥାନା ଗୋଛାଗୁଡ଼ାର ୭ ଜଣ ଶିକାରୀ ରହିଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବାଘ ଛାଲ, ୨ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ଟି ଫାଶ ଜବତ କରିଛି ବନବିଭାଗ । ପଶୁ ଶିକାର ରୋକିବା ପାଇଁ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ରହିଛି।

କାକଟପୁରର ମା’ ମଙ୍ଗଳା ଓ ବଡମ୍ବାର ମା’ ଭଟାରିକାଙ୍କ ପୀଠରେ ଚାଲିଛି ଷୋଳପୂଜା

କୋଣାର୍କ : ସଜେଇ ହୋଇଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ । ଲାଗୁଛି ଭକ୍ତଙ୍କ ଗହଳି । ଘଣ୍ଟଘଣ୍ଟା ହୁଳହୁଳିରେ କମ୍ପୁଛି ପରିବେଶ । ଧୂପ ଦୀପ ନୈବେଦ୍ୟ ଦେଇ ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଶାରଦୀୟ ଦୁର୍ଗାପୂଜା ପାଇଁ ମାଆଙ୍କ ପୀଠରେ ଚାଲିଛି ଶୋଡଶ ଉପଚାର ପୂଜା । ମାଆ ମୂଳାଷ୍ଟମୀ ଦିନଠୁ ଶୟନ ତ୍ୟାଗ କରନ୍ତି । ମାଆଙ୍କୁ ଜାଗ୍ରତ କରିବା ପାଇଁ ମୂଳାଷ୍ଟମୀରୁ ମାଆଙ୍କ ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମାଙ୍କୁ ଦିବ୍ୟ ସୁଗନ୍ଧ ଜଳରେ ୧୦୮ ଥର ସ୍ନାନ କରାଯାଏ । ଷୋଡଶ ଉପଚାର ପୂଜା ସମୟରେ ପଞ୍ଚମୀ ଦିନ ମା’ଙ୍କୁ ତୀର କମାଣ ବେଶ, ଷଷ୍ଠୀ ଦିନ କାତି ଖର୍ପର, ସପ୍ତମୀ ଦିନ ସିଂହ ବାହିନୀ, ଅଷ୍ଟମୀ ଦିନ ମହିଷା ମର୍ଦିନୀ ଓ ନବମୀ ଦିନ ମହା ସରସ୍ବତୀ ବେଶରେ ସଜ୍ଜିତ କରାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମନ୍ଦିରରେ ଚଣ୍ଡୀପାଠ କରାଯାଏ।

ସେପଟେ ଚଳଚଞ୍ଚଳ ହୋଇଉଠିଛି କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବା ମାଆ ଭଟାରିକାଙ୍କ ପୀଠ । ମାଆଙ୍କ ପୀଠରେ ଚାଲିଥିବା ଷୋଳ ଦିନାତ୍ମକ ପୂଜାର ଆଜି ଚତୁର୍ଥ ଦିନ । ଆଜି ମାଆ ଭକ୍ତ ମାନଙ୍କୁ ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ ଦର୍ଶନ କରି କୃତାର୍ଥ ମଣୁଛନ୍ତି ଭକ୍ତ ।

ଗତ ୫ ଦିନ ହେଲା ସ୍କୁଲରେ ଛାତ୍ରୀଙ୍କୁ ଲାଗୁଛି ଭୂତ !

ପାରାଦୀପ : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ କୁଞ୍ଜକୋଠୀ ପଞ୍ଚାୟତ ନୀଳକଣ୍ଠେଶ୍ୱର ଉଚ୍ଚବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ । ଗତ ୫ ଦିନ ହେଲା ସ୍କୁଲରେ ଛାତ୍ରୀ ମାନଙ୍କୁ ଲାଗୁଛି ଭୂତ । ହଠାତ୍ ପିଲାମାନେ ବେହୋସ୍ ହୋଇପଡ଼ିବା ସହିତ ବାଉଳା ଚାଉଳା ହେଉଛନ୍ତି । ଗୁଣିଆ ଡାକି ଝାଡ଼ିବା ପରେ ସ୍ବାଭାବିକ ହେଉଛନ୍ତି ପିଲା । ଗୁଣିଆ ଝାଡ଼ିବା ବେଳେ ପିଲାମାନେ ଝାଡୁକୁ ଧରି ଦୌଡୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆଜିର ବିଜ୍ଞାନ ଯୁଗରେ ଏଭଳି ଘଟଣା ବିଶ୍ବାସ ଯୋଗ୍ୟ ନହେଲେ ମଧ୍ୟ ଏହା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଅବିଭାବକମାନେ ଭୟରେ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଭୟ କରୁଛନ୍ତି । ଗତ ୫ ଦିନ ଭିତରେ ୧୦ ରୁ ୧୧ ଜଣ ପିଲାଙ୍କୁ ଏହିପରି ଭୁତ ଲାଗିଥିବା କୁହାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେର ଜଣେ ଯୁବକ ଗୁଣି ଶିଖୁଛନ୍ତି ଏବଂ ସିଏ ହିଁ କରାଉଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ତେବେ ଘଟଣାକୁ ନେଇ ସ୍କୁଲ ଶିକ୍ଷକ ସ୍ଥାନୀୟ ମେଡିକାଲକୁ ଯୋଗାଯୋଗ କରିଥିଲେ । ମେଡିକାଲରୁ ଏକ ଡ଼ାକ୍ତରୀ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଛାତ୍ରୀ ମାନଙ୍କୁ ପରୀକ୍ଷା କରିଛନ୍ତି । ସମସ୍ତେ ସୁସ୍ଥ ଥିବା ଡ଼ାକ୍ତରୀ ଟିମ୍ ପକ୍ଷରୁ କୁହାଯାଇଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପିଲାମାନେ ଏଭଳି ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।…

ଟ୍ରମ୍ପ ବଢାଇଲେ ଟିକଟକ୍ ବ୍ୟାନର ସମୟସୀମା, ଘୋଷଣା କଲେ ନୂଆ ତାରିଖ

ନନ୍ଦିଘୋଷ ବ୍ୟୁରୋ : ଟିକଟକକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ଘୋଷଣା କରିଛଡ଼୍ତି । ସେ ଟିକଟକ୍ ବନ୍ଦର ସମୟସୀମାକୁ ବଢାଇଛନ୍ତି । ଏହା ସହ ଏକ ନୂଆ ତାରିଖ ଘୋଷଣା କରିଛନ୍ତି । ଆମେରିକାରେ ସୋସିଆଲ ମିଡିଆ ଆପ୍ ଟିକଟକ ବନ୍ଦର ଅବଧିକୁ ବଢାଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ।

ଟ୍ରମ୍ପ ମଙ୍ଗଳବାର ଦିନ ଚତୁର୍ଥ କାର୍ଯ୍ୟକାରୀ ଆଦେଶ ଜାରି କରିଛନ୍ତି । ଆମେରିକୀୟ କମ୍ପାନୀ ବିକ୍ରୟ କିମ୍ବା ପ୍ରତିବନ୍ଧକ ସମ୍ନା କରିବାକୁ ସମୟସୀମା ବୃଦ୍ଧି କରାଯାଇଛି  ।  ଏହାର ମୂଳ ସମୟସୀମା ଚଳିତ ବର୍ଷ ଜାନୁଆରୀ ୧୯ ତାରିଖ ଥିଲା । ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ  ।

ଏହି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ସେ ଶୁକ୍ରବାର ଦିନ ଚୀନ ରାଷ୍ଟ୍ରପତିଙ୍କ ସହ ଟକଟକ ସମ୍ପର୍କରେ ଆଲୋଚନା କରିବେ । କିଛି କମ୍ପାନୀ ଏହି ଆପକୁ କିଣିବାକୁ ଚାହୁଁଛନ୍ତି , ସମ୍ଭାବ୍ୟ ଆବେଦନକାରୀଙ୍କ ନାମ ଖୁବଶିଘ୍ର ଘୋଷଣା କରାଯିବ  ।

ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ଟିକଟକର ଏହି ସମୟସୀମାକୁ ତିନି ଥର ବୃଦ୍ଧି କରିଛନ୍ତି । ପ୍ରଥମଥର ପାଇଁ ଟ୍ରମ୍ପ ଜାନୁଆରୀ ୨୦ରେ ଏକ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ । ଏହାପରେ ଆମେରିକାରେ ଟିକଟକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଦ୍ବିତୀୟ ଥର ପାଇଁ ଅଗଷ୍ଟ ମାସରେ ଏହାର ସମୟସୀମା ବୃଦ୍ଧି କରାଯାଇଥିଲା ।  ଯେତେବେଳେ ଆମେରିକୀୟ କମ୍ପାନୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା ଚାଲିଥିଲା । କିନ୍ତୁ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଚୀନ ପଛଘୁଞ୍ଚା ଦେଇଥିଲା । ଏହାପରେ ତୃତୀୟ ଥର ପାଇଁ ଟ୍ରମ୍ପ ଜୁନରେ ସମୟସୀମା ୯୦ ଦିନ ପାଇଁ ବଢାଇଥିଲେ ।

ଟିକଟକ ହେଉଛି ଚୀନ କମ୍ପନୀ ବାଟଡ୍ୟାନ୍ସର । ଆମେରିକାକୁ ଲାଗୁଛି କି, ଏହି ଆପ ବ୍ୟବହାରକାରୀଙ୍କ ଡାଟା ଚୀନ ସରକାରଙ୍କୁ କାଳେ ଦେଇଦେବ । ଏହି ଆପକୁ ଆମେରିକା ଅସୁରକ୍ଷିତ ମନେକରେ । ତେଣୁ ବାଟଡ୍ୟାନ୍ସ ଆମେରିକାର ଏକ କମ୍ପାନୀକୁ ତାର ଅଧିକାର ଦେବାକୁ କହୁଛି । ସେଥିପାଇଁ ଟିକଟକକୁ ବ୍ୟାନ କରାଯାଇଛି ।

ଡିଜେ ଗାଡି ପାଇଁ ଲାଗିଲା କଟକଣା….

ଭୁବନେଶ୍ବର : ଡିଜେ ଗାଡ଼ିକୁ ନେଇ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ । ମୋଟର ଯାନର ମୂଳ ଢାଞ୍ଚାକୁ ମନଇଚ୍ଛା ବଦଳାଇପାରିବେ ନାହିଁ ମାଲିକ । ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି କରାଯାଇଛି । STA କହିଛି, ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ପଦକ୍ଷେପ ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ବେଆଇନ ଡିଜେ ଗାଡ଼ି ଯୋଗୁଁ ହୋଇଥିବା ଅନେକ ଅଘଟଣକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ଡିଜେ ଗାଡ଼ିର ବେଆଇନ ଭାବେ ଢାଞ୍ଚାରେ ପରିବର୍ତ୍ତନ, ଗାଡ଼ିର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ, ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ କରୁଥିବା ବେଆଇନ ଆଲୋକ ରୋକିବା ନିମନ୍ତେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପରିବହନ ବିଭାଗ। ଏ ନେଇ ସର୍କୁକାଲ ଜାରି କରାଯାଇଛି। ଆଗକୁ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ଅଭିଯାନ ଆରମ୍ଭ କରାଯିବ। ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ପରିବହନ ବିଭାଗ ଅନୁରୋଧ କରିଛି ।