କଣ୍ଟାମାଳ : କଣ୍ଟାମାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ୍। ସାଧାରଣ ସଭାକୁ ଉଦବୋଧନ ଦେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ୍। ବହୁତ ଦଳ ଆସିବେ, ଅନେକ ପ୍ରତିଶ୍ରୁତି ଦେବେ। କିନ୍ତୁ ବିଜେଡି ଲୋକ ସମସ୍ୟାର ତୁରନ୍ତ କରିବେ ସମାଧାନ। ଯାହା ସବୁ ଅଭିଯୋଗ ଅଛି, ତାହା ତୁରନ୍ତ ପୂରଣ କରାଯିବ। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ବଡ଼ ବ୍ୟବଧାନରେ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍। ମତଦାନ ହାର ବଢ଼ାଇବାକୁ କହିଛନ୍ତି ପାଣ୍ଡିଆନ୍। ସାଧାରଣ ସଭାରେ ଦେଖିବାକୁ ମିଳିଥିଲା ହାଜର ହଜାର ଲୋକଙ୍କର ସମାଗମ । ସମସ୍ତେ ଚାହିଁ ରହିଥିଲେ କାର୍ତ୍ତିକ ପାଣ୍ଡିଆନଙ୍କୁ ଦେଖିବା ପାଇଁ ।
ବିଜେଡିରେ ମିଶିଲେ କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା
ଭୁବନେଶ୍ୱର: ବିଜେଡିରେ ମିଶିଲେ ଶ୍ରୀୟା ସମ୍ବେଦନା। ସେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଥିଲେ। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ଝିଅ ଶ୍ରୀୟା ସମ୍ବେଦନାଙ୍କ ସହ ଅନେକ ନେତା ଆଜି କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳର ସାଂସଦ ସସ୍ମିତ ପାତ୍ର ସ୍ବାଗତ କରିଥିଲେ।
ଶ୍ରୀୟା ସମ୍ବେଦନା କହିଛନ୍ତି, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛୁ। ମୁଖ୍ୟମନ୍ତ୍ରୀ ଲୋକଙ୍କ ଜନ୍ମରୁ ମୃତ୍ୟୁ ଯାଏଁ ଅନେକ ଯୋଜନା କରିଛନ୍ତି। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିଛନ୍ତି। ମହିଳା ସଶକ୍ତିକରଣକୁ ଶ୍ରୀୟା ପ୍ରଶଂସା କରିବା ସହିତ ଏହାକୁ ଆହୁରି ଆଗକୁ ନେବା ପାଇଁ କାମ କରିବେ ବୋଲି କହିଛନ୍ତି।
‘ଧର୍ମେନ୍ଦ୍ରଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ, ଦେହରେ ଯାଉନି ପୁରୀ ପରିକ୍ରମା ଓ ସମଲେଇ ପ୍ରକଳ୍ପ’
ସମ୍ୱଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କଡ଼ା ସମାଲୋଚନା। ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୋଧରେ ବିଷୋଦଗାର କରୁଛନ୍ତି। ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ ବୋଲି ଭାବୁଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ। ତେବେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ ଯେ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍, ଲଜକୁ ଠିଆ କରିବେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର୍ଯ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ କେନ୍ଦ୍ରମନ୍ତ୍ରୀ।
ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି ବୋଲି କହିଛନ୍ତି ପ୍ରଣବ। ମା’ ସମଲେଇଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି ଧର୍ମେନ୍ଦ୍ର। ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର୍ଯ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ରଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ ବୋଲି କହିଛନ୍ତି ପ୍ରଣବ। ଯଦି ସତ୍ ସାହାସ ଅଛି, ତେବେ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର୍ଯ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ। ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ଧର୍ମେନ୍ଦ୍ର କେବେ ଭୁଲି ପାରିବେ ନାହିଁ କହିଛନ୍ତି ପ୍ରଣବ।
ରାଜ୍ଯରେ ବଦଳିବ ପାଗ, କାଲିଠାରୁ ବଢ଼ିବ କାଳବୈଶାଖୀ ବର୍ଷା
ଭୁବନେଶ୍ୱର: କାଲିଠାରୁ ବଢ଼ିବ କାଳବୈଶାଖୀ ପ୍ରଭାବ। ପ୍ରବଳ ଝଡ଼ ବର୍ଷା ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି ବେଗରେ ପବନ ବହିବ। ଆସନ୍ତା ୬ ଏବଂ ୮ ତାରିଖରେ ହେବ ସାଂଘାତିକ ସ୍ଥିତି। ଦୁଇଦିନ ପାଇଁ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସତର୍କତା ପରେ ଏସଆରସିଙ୍କ ନିର୍ଦ୍ଦେଶ। ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। କାଳବୈଶାଖୀ ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ଝଡବର୍ଷା ନେଇ ଆସନ୍ତା ୮ ତାରିଖରେ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ପ୍ରଭାବରେ କମିବ ଦିନର ତାପମାତ୍ରା। ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାତି।

