spot_img
Home Blog Page 2079

ଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ: ଡକ୍ଟର ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ। ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ନେଇ ପ୍ରେସମିଟ୍ କରି ସୂଚନା ଦେଇଛି ବିଜେଡି। ଗତ ୫୦ ବର୍ଷରେ ୪୧ ଥର ପ୍ରାକୃତିକ ବିପର୍ଯ୍ୟୟ ହୋଇଛି। ୧୮ ଥର ମରୁଡି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟି ନୀତି ସଫଳ  ହୋଇଛି। ସେଥିପାଇଁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରାଯାଇଛ। ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେଇ ଆସେନି। ହେଲେ ପ୍ରାରମ୍ଭିକ ସତର୍କତା ସୂଚନା ପାଇଁ ବାଲେଶ୍ୱର, ଗଞ୍ଜାମ, ପୁରୀରେ ୧୬୦ଟି ଟାଓ୍ବାର ବ୍ୟବସ୍ଥା କରାଯାଇଛି। ୪ଟି ସ୍ଥାନରେ ସ୍ଥାପନ ହୋଇଛି ଡପଲର ରାଡାର।

ସେହିପରି କୋଭିଡକୁ ସଫଳ ଭାବେ ମୁକାବିଲା କରିଥିଲେ ରାଜ୍ୟ ସରକାର। ଯାହା ମୃତ୍ୟୁ ହୋଇଥିଲା, କ୍ଷତିପୂରଣକୁ ବୈଷୟିକ ପଦ୍ଧତିରେ ଦିଆଯାଇଥିଲା। ବଜ୍ରପାତରେ ଅନେକ ପ୍ରାଣ ହରାଉଛନ୍ତି। ରାଜ୍ୟ ସରକାର ନିଜ ଆଡୁ ୮ଟି କ୍ଷେତ୍ରରେ ସହାୟତା ଦେଉଛନ୍ତି। ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଫଣ୍ଡ କରାଯାଇଛି। ସଫଳ ଭାବେ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶାକୁ ପୁରସ୍କୃତ କରାଯାଇଛି। ୪୦ ହଜାର ୭୦୦ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ନେଇଥିବା ବେଳେ ୧୮ ହଜାର ବାତ୍ୟା ଆଶ୍ରୟସ୍ଥଳୀ ଅଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର।

ଆମେରିକାରେ ବ୍ରିଜ୍ ଭୁଶୁଡିବା ଘଟଣା; ଜାହାଜରେ ଥିବା ଭାରତୀୟ କ୍ରୁ ମେମ୍ବରଙ୍କୁ ‘ହିରୋ’ ଆଖ୍ୟା ଦେଲେ ଗଭର୍ଣ୍ଣର

ବାଲଟିମୋର: ଆମେରିକା ବାଲଟିମୋରରେ ଥିବା ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜରେ ମାଡ଼ ହୋଇ ନଦୀକୁ ଖସିପଡିଥିବା କଣ୍ଟେନର ଜାହାଜରେ ଥିବା ସମସ୍ତ ୨୨ ଜଣ ସଦସ୍ୟ ଭାରତୀୟ ବୋଲି ଜାହାଜ ପରିଚାଳନା କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ସେମାନେ ସମସ୍ତେ ନିରାପଦ ଓ ସୁସ୍ଥ ଅଛନ୍ତି। ମେରିଲ୍ୟାଣ୍ଡ ଗଭର୍ଣ୍ଣର ୱେସ ମୋର୍ କହିଛନ୍ତି ହେ, ବ୍ରିଜରେ ଧକ୍କା ହେବା ପୂର୍ବରୁ କ୍ରୁ ମେମ୍ବର ଆଲର୍ଟ ଦେଇଥିଲେ । ଫଳରେ ବ୍ରିଜର ଉଭୟ ପାର୍ଶ୍ୱରୁ ଯାତୟାତ ବନ୍ଦ କରିଦିଆଯାଇଥିଲା । ଫଳରେ ଅନେକ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ଯେଉଁଥିପାଇଁ ଭାରତୀୟ କ୍ରୁଙ୍କୁ “ହିରୋ” ବୋଲି ଆଖ୍ୟା ଦେଇଛନ୍ତି ଗଭର୍ଣ୍ଣର।

ବ୍ରିଜରେ ଧକ୍କା ହେବାର କିଛି ମିନିଟ୍‌ ପୂର୍ବରୁ ଜାହଜ ପକ୍ଷରୁ ଆଲର୍ଟ କଲ୍‌ ଜାରି କରାଯାଇଥିଲା। ଫଳରେ ତୁରନ୍ତ ବ୍ରିଜର ଉଭୟ ପାର୍ଶ୍ୱର ଟ୍ରାଫିକକୁ ବନ୍ଦ କରି ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ ୯୪୮ ଫୁଟର କଣ୍ଟେନର ଜାହାଜ ବ୍ରିଜ୍ ସହିତ ଧକ୍କା ହେବା ପରେ ଏକାଧିକ ଗାଡି ପାଣିରେ ପଡ଼ିଯାଇଥିଲା। ସେପଟେ ଧକ୍କା ଦେଇଥିବା ଜାହାଜର କ୍ରୁ-ମେମ୍ବରଙ୍କ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଉଲ୍ଲେଖଯୋଗ୍ୟ, ବାଲଟିମୋଟର ପଟାପସୋ ନଦୀରେ ମାଲବାହୀ ଯାଜାଜ ବ୍ରିଜ ତଳ ଦେଇ ଯିବାବେଳେ ବ୍ରିଜର ଏକ ପିଲାରକୁ ଧକ୍କା ଦେଇଥିଲା। ଏହାପରେ ବ୍ରିଜ ନଦୀକୁ ଧସି ପଡିଥିଲା। ଦୁର୍ଘଟଣା ପରେ ନଦୀକୁ ଖସି ପଡିଥିବା ଲୋକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି। ଡାଇଭିଂ ଟିମ ସହ ଲୋକଙ୍କୁ ଠାବ ଲାଗି ଚାଲିଛି ସର୍ଚ୍ଚ ଅପରେସନ। ପୋଲିସ ଓ ଫାୟାର ଟିମ ରେସକ୍ଯୁ ଅପରେସନରେ ମୁତୟନ ହୋଇଛନ୍ତି।

ପଟାପସୋ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଲମ୍ବ ୩ କିଲୋମିଟର ହୋଇଥିବାବେଳେ ବ୍ରିଜ ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୦ ଶ୍ରମିକ କାମ କରୁଥିଲେ। ଏକାଧିକ ଗାଡି ବ୍ରିଜକୁ ଖସି ପଡିଥିବାରୁ ଅନେକ ଲୋକଙ୍କ ମୃତ୍ଯୁ ଆଶଂକା କରାଯାଉଛି। ବ୍ରିଜ ଧସିବା ପରେ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା। ବ୍ରିଜ ଦୁର୍ଘଟଣାକୁ ମେରିଲ୍ଯାଣ୍ଡ ଗଭର୍ଣ୍ଣର ଏମର୍ଜେନ୍ସି ଜାରି କରିଛନ୍ତି। ଅପରପକ୍ଷେ ବାଲଟିମୋର ଆମେରିକାର ପଣ୍ୟବାହୀ ଜାହାଜ କାରବାରର ଏକ ପ୍ରମୁଖ କେନ୍ଦ୍ର ଭାବେ ବେଶ ପରିଚିତ।

ଦୋଳ ମେଳଣ ବେଳେ ଅଘଟଣ; ଡିଜେ ବନ୍ଦ କରିବାରୁ ପୋଲିସକୁ ଆକ୍ରମଣ

ଡେରାବିଶ: ଡେରାବିଶ ବ୍ଲକ ସଦର ଥାନା ଅନ୍ତର୍ଗତ ହରିଅଙ୍କ ଗାଁରେ ଦୋଳ ମେଳଣ ବେଳେ ସୃଷ୍ଟିହେଲା ଅପ୍ରିତିକର ପରିସ୍ଥିତି। ଦୋଳ ମେଳଣ ଡିଜେ ବନ୍ଦ କରିବାରୁ ପୋଲିସକୁ ଗୋଟିଏ ଗୋଷ୍ଠୀର ଆକ୍ରମଣ ଅଭିଯୋଗ ହୋଇଛି। ଏହା ସହ ଖବର ସଂଗ୍ରହ ବେଳେ କିଛି ସାମ୍ବାଦିକଙ୍କ ମୋବାଇଲ ଓ କ୍ୟାମେରା ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ବିଳମ୍ବିତ ରାତ୍ରି ସମୟରେ ସମ୍ପୃକ୍ତ ଗାଁର ଦୋଳମେଳଣ ଅତ୍ୟଧିକ ସାଉଣ୍ଡରେ ଡିଜେ ବଜାଇ ମେଳଣ ପଡିଆକୁ ଆସୁଥିଲା। ଏହି ସମୟରେ ପୋଲିସ ପହଞ୍ଚି ଡିଜେ ବନ୍ଦ କରିବାକୁ ଚେଷ୍ଟା କରିଥିଲା। ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପୋଲିସକୁ ଆକ୍ରମଣ କରିଥିଲେ କିଛି ଯୁବକ । ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

OSRTC ବସ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ବଲାଙ୍ଗୀର: ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକରେ ଦୁର୍ଘଟଣା। OSRTC ବସ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ ସୋନପୁର ଜିଲ୍ଲା ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲିର ନରେଶ ସାହୁ। ଦୁଇ ଯୁବକ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ।

ଘଟଣାସ୍ଥଳରେ ପୁଇଁନ୍ତଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ବାଇକରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ବସ୍ ଧକ୍କା ଦେଇଥିଲା। ପୋଲିସ ମୃତଦେହ ଜବତ କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସ୍ ଡ୍ରାଇଭର ତରଭା ଥାନାରେ ଆତ୍ମସମର୍ପଣ କରିଛନ୍ତି।

ଅନୁଗୁଳ ପୋଲିସକୁ ବଡ ସଫଳତା; ଧରାପଡିଲା ମୋଟରସାଇକେଲ ଚୋର ଗ୍ଯାଙ୍ଗ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସକୁ ବଡ ସଫଳତା। ଧରାପଡିଲା ମୋଟରସାଇକେଲ ଚୋର ଗ୍ଯାଙ୍ଗ। ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ଚୋରା ମୋଟର ସାଇକେଲ ଜବତ କରିଛି ପୋଲିସ । ଅନେକ ଦିନ ହେଲା ସହରର ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ ଚୋରି ହେଉଥିବା ବେଳେ ଏହା ପୋଲିସ ପାଇଁ ବଡ ଚ୍ଯାଲେଞ୍ଜ ସୃଷ୍ଟି କରିଥିଲା।

ଅଭିଯୋଗ ଆଧାରରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଟିମ ତଦନ୍ତ କରି ଚୋରି ହୋଇଥିବା ୬ଟି ମୋଟର ସାଇକେଲ ଜବତ କରିବା ସହ ଏହି ଚୋରିରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ହୁଲୁରିସିଂହାର ଟୁଟୁ ନାୟକ, ରାଜ କିଶୋର ଭୋଇ, ସୁକାନ୍ତ ଭୋଇ, ବିକ୍ରମପୁର ଥାନା କର୍ଣ୍ଣପୁର ଗାଁର ବରୁଣ ବାରିକ, ଜରପଡା ଥାନା ସାନହିଂସର ଗାଁର ଜିତେନ୍ଦ୍ର ପ୍ରଧାନ, ନିଶା ଥାନା ଝିଣ୍ଟିପାଳ ଗାଁର ନିରାକାର ଜେନା, ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଞ୍ଚଳର ଟୁକୁନା ମଲ୍ଲିକ। ସେମାନଙ୍କ ନିକଟରୁ ଏକ ମାଷ୍ଟର କି’ ଜବତ ହୋଇଛି। ମୋଟରସାଇକେଲ ଖୋଲି ଚୋରି କରୁଥିଲେ।

ସମ୍ବଲପୁର ବୋମାମାଡ଼ ଘଟଣାରେ ପୋଲିସର ତଦନ୍ତ ଜାରି

ସମ୍ବଲପୁର: ସମ୍ବଲପୁରରେ ବୋମାମାଡ଼ ଘଟଣାର ତଦନ୍ତ କରୁଛି ପୋଲିସ। କିଏ ଓ କାହିଁକି ବୋମା ପକାଇଲା ସେନେଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଗତକାଲି ସମ୍ବଲପୁର ପୀରବାବା ଛକରେ ରାତିରେ ବୋମାମାଡ଼ ହୋଇଥିଲା। ଏକ ବୁଲେଟ୍ ଉପରକୁ ଦୁର୍ବୃତ୍ତ ବୋମା ପକାଇ ଫେରାର ହୋଇଯାଇଥିଲେ । କୌଣସି ଅପ୍ରିତିକିର ପରିସ୍ଥିତିକୁ ଏଡାଇବା ପାଇଁ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି ପହଞ୍ଚି ତଦନ୍ତ କରିଛନ୍ତି। ଉତ୍ତ୍ଯକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିଛି।

କିଏ ଓ କାହିଁକି ବୋମାମାଡ଼ କରିଛି ସେନେଇ କୌଣସି ସୂଚନା ମିଳିପାରିନି । ବୋମାମାଡ଼ରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି । ସହରରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଓ ଏସପି ଅପିଲ କରିଛନ୍ତି।

କାଲିଠୁ ପୁଣି ବଢିବ ତାତି, ଏସବୁ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ରହିବା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଶୁଖିଲା ପାଗ ସହ ଆକାଶ ମେଘମୁକ୍ତ ରହିବ। କାଲିଠୁ ପୁଣି ତାତି ବଢି ଅଧିକାଂଶ ସହରର ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା ୩୯ ଡିଗ୍ରୀ ରହିବ।

ଫଳରେ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ । ଆଇଏମଡିର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା।

ରାଜ୍ୟରେ ମେଘମୁକ୍ତ ଆକାଶ ସମେତ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କତା ଜାରି କରାଯାଇଛି।

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।

ଋଷ ରାଷ୍ଟ୍ରପତିଙ୍କୁ ISIS-K ସଙ୍ଗଠନର ଧମକ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ISIS-K ସଙ୍ଗଠନର ଧମକ। ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ଧମକ ଦେଇ ଏକ ପୋଷ୍ଟର ଜାରି କରିଛି ଏହି ଆତଙ୍କବାଦୀ ସଙ୍ଗଠନ। ପୋଷ୍ଟରରେ କଳା ମୁଖା ପିନ୍ଧା ଆତଙ୍କବାଦୀ ହାତରେ ଛୁରୀ ଦେଖାଇ ଧମକ ଦେବାର ଫଟୋ ରହିଛି। ଏହି ଫଟୋ ତଳେ ଧମକ ଦେବାର ଲେଖା ଉଲ୍ଲେଖ ରହିଛି। ଆଫଗାନିସ୍ଥାନରେ ସକ୍ରିୟ ISIS ଖୋରାସନ ୟୁନିଟ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ଯା ଧମକ ଦେଇଛି ଆଇଏସଆଇଏସ। ଆଗକୁ ଆହୁରି ହମଲା କରି ଅଧିକ ସଂଖ୍ୟକ ଋଷ ନାଗରିକଙ୍କୁ ହତ୍ଯା କରିବାକୁ ଚେତାବନୀ ଦେଇଛି ଆଇଏଲଆଇଏସ। ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରୋଭିନ୍ସ ସମ୍ପର୍କରେ ଥିବା ଅଲ୍ ଅଜିମି ପକ୍ଷରୁ ପ୍ରକାଶିତ ସଂସ୍ଥା ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି। ଗତ ମାର୍ଚ୍ଚ ୨୨ରେ ହୋଇଥିବା ମସ୍କୋ ଆକ୍ରମଣକୁ ଉଲ୍ଲେଖ କରି ପୁଣି ଥରେ ଜୋରଦାର ହମଲା କରିବାକୁ ଚେତାବନୀ ଦେଇଛି ISIS।

ଗତ ୨୨ ତାରିଖରେ ମସ୍କୋର କନସର୍ଟ ସେଣ୍ଟର ଆକ୍ରମଣରେ ୧୩୭ ଜଣଙ୍କ ମୃତ୍ଯୁ ଘଟିଛି। ଏହି ଆକ୍ରମଣ ପରେ ନିଜକୁ ଦାୟୀ କରିଥିଲା ଆଇଏସଆଇଏସ-କେ ସଂଗଠନ। କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଛି ISIS-K। ଋଷର ବିଭିନ୍ନ ନୀତିକୁ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି। ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ନେଇ ସଂଗଠନ ଅଭିଯୋଗ କରି ଆସୁଛି। କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଙ୍ଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଙ୍ଗଠନ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ମିଳିବ କି ଆଶ୍ୱସ୍ତି?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫ ମାମଲାରେ ଆଜି ହେବ ଶୁଣାଣି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ହେବ ଶୁଣାଣି। ଗିରଫକୁ ଚ୍ଯାଲେଂଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ଜଷ୍ଟିସ ସ୍ଵର୍ଣ୍ଣକାନ୍ତ ଶର୍ମା ଆବେଦନର ଶୁଣାଣି କରିବେ। ସକାଳ ସାଢେ ୧୦ଟାରେ ମାମଲାର ଶୁଣାଣି ହେବ। ଗତ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡିର ନୋଟିସ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ କେଜରିୱାଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନନେବା ସହ ପୂର୍ବରୁ ଦେଇଥିବା ସମନ ଉପରେ ରହିତାଦେଶ ଜାରି କରିବାକୁ ଦାବି କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟ ।

ସେତେବେଳେ କେଜରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି।