spot_img
Home Blog Page 2081

ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ଧକ୍କାରେ ଯୁବକ ଆହତ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ଧକ୍କାରେ ଯୁବକ ଆହତ । ହେମଗିରି ଥାନା କନିକାରେ ଘଟିଛି ଦୁର୍ଘଟଣା । ବିଧାୟିକା କୁସୁମ ଟେଟେଙ୍କ ଘନିଷ୍ଟ ସହଯୋଗୀ ରୁବୀ ନାଏକ , ତାଙ୍କ ସ୍ବାମୀଙ୍କ ସହ କନିକାରେ ପ୍ରଚାର ବେଳେ ବାଇକକୁ ଧକ୍କା ଦେଲା ପ୍ରଚାର ଗାଡ଼ି।  ବାଇକ୍ ଆରୋହୀ ଅସିତ୍ ଭୋଇ ଆହତ ହୋଇଛନ୍ତି । ଆହତ ଅସିତ୍ କୁ ପ୍ରଥମେ କନିକାରେ ପ୍ରାଥମିକ ଚିକିତ୍ସା ପରେ ବେଲପାହାଡ଼ ସ୍ଥାନାନ୍ତର  କରାଯାଇଛି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ଜମୁଛି ବର୍ଷାଙ୍କ ପ୍ରଚାର

ଯାଜପୁର: ଅସହ୍ୟ ଗ୍ରୀଷ୍ମ ତାତି ପାଇଁ ବଦଳୁଛି ନିର୍ବାଚନ ପ୍ରଚାର । ପ୍ରାର୍ଥୀମାନେ ଦିନ ଅପେକ୍ଷା ରାତିରେ ପ୍ରଚାର କରୁଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ପାର୍ଥୀ ବର୍ଷା ପ୍ରିୟଦର୍ଶିନୀ ରାତିରେ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ବଡ଼ଚଣା ବ୍ଲକର ଦର୍ପଣ ପଞ୍ଚାୟତରେ ବର୍ଷା ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ଦର୍ପଣ ପଞ୍ଚାୟତ ର ଇଷ୍ଟଦେବୀ ମାଆ କୋଟ୍ରାଖି ଙ୍କୁ ଦର୍ଶନ କରିବା ସହ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚାନା କରିଥିଲେ । ବର୍ଷାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଡ଼ଚଣା ବ୍ଲକ ବିଜେଡି ସଭାପତି, ଦର୍ପଣ ପଂଚାୟତ ର ସରପଞ୍ଚଙ୍କ ସହ ବଡ଼ଚଣା ବିଜେଡିର ବହୁ ନେତୃବୃନ୍ଦ ପ୍ରଚାରରେ ସାମିଲ ହୋଇଥିଲେ।

କାଳୁ କମ୍ପନରେ ଥରଥର ଓଡ଼ିଶା ବିଜେପି

ଭୁବନେଶ୍ବର: କାଳୁ କମ୍ପନରେ ଥରଥର ଓଡ଼ିଶା ବିଜେପି । ଇସ୍ତଫା ଦେବାକୁ ଯାଇଥିବା କାଳୁ ଖଣ୍ଡାୟତରାୟଙ୍କୁ ସମୟ ମାଗିଲା ଦଳ । ରାଜ୍ଯ ବିଜେପି ସଭାପତି ୪୮ ଘଣ୍ଚା ସମୟ ମାଗିଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଗତକାଲି ଶକ୍ତି ପ୍ରଦର୍ଶନ କରି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ସମାଲୋଚନା କରିଥିଲେ କାଳୁ । ୨ କୋଟି ଟଙ୍କା ନଦେବାରୁ ଅପରାଜିତା ଟିକେଟ କାଟିଥିବା କାଳୁ ଆଣିଥିଲେ ସଂଗୀନ ଅଭିଯୋଗ । ଅପରାଜିତାଙ୍କୁ ଜଣେ ଲାଞ୍ଚୁଆ ନେତ୍ରୀ କହିବା ସହ ଏଥର ନିର୍ବାଚନ ଜିତିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି କାଳୁ ଚେତାବନୀ ଦେଇଥିଲେ । ଆଜି କର୍ମୀଙ୍କ ସହ ପାର୍ଟି ଅଫିସକୁ ଇସ୍ତଫା ଦେବାକୁ ଯାଇଥିବାବେଳେ  ଦଳୀୟ ନେତା ତାଙ୍କୁ ଅଟକାଇବା ସହ ରାଜ୍ଯ ସଭାପତି ନିଷ୍ପତ୍ତିର ପୁନଃବିଚାର ପାଇଁ ୪୮ ଘଣ୍ଟା ସମୟ ଲାଗିଥିବା ସୂଚନା ମିଳିଛି । ସେ ବିଜେପିରେ ରହିବେ କି ନାହିଁ ୪୮ ଘଣ୍ଟା ପରେ ସ୍ପଷ୍ଟ ହେବ ବୋଲି କାଳୁ କହିଛନ୍ତି । ପ୍ରାର୍ଥୀ ନବଦଳିରେ ସ୍ବାଧୀନ ଭାବେ ଲଢିବେ ବୋଲି କାଳୁ ସ୍ପଷ୍ଟ କରିଛନ୍ତି ।

ନଜର ପକାନ୍ତୁ ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳି

ନନ୍ଦିଘୋଷ ବ୍ୟୁରୋ: ଖରାର ମାତ୍ରା ବଢିଚାଲିଥିବା ବେଳେ ଦକ୍ଷ ଭାବେ ବିଦ୍ୟୁତର ବ୍ୟବହାର କରିବା ଆମର ପ୍ରାଥମିକତା ହେବା ଉଚିତ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ ଚାହିଦାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳି ଜାରି କରାଯାଇଛି । ଏହି ସମୟରେ ବିଦ୍ୟୁତ୍ ଚାହିଦା ରେ ବୃଦ୍ଧି ଯୋଗୁଁ ଫ୍ୟୁଜ୍ ଉଡିଯିବା, କେବୁଲ୍ କିମ୍ବା ଜଏଣ୍ଟ ରେ ଅସୁବିଧା, ଟ୍ରାନ୍ସଫର୍ମର ଓଭରଲୋଡିଂ ଭଳି ବିଭିନ୍ନ ଆହ୍ଵାନ ପାଇଁ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।

ବିଦ୍ୟୁତ୍ ଲାଇନରୁ ବେଆଇନ ଭାବେ ହୁକ ପକେଇ ବିଦ୍ୟୁତ ସଂଯୋଗ ନେବା ଦ୍ଵାରା ବିଦ୍ୟୁତ ଭିର୍ତ୍ତିଭୂମି ଦୁର୍ବଳ ହେବା ସହିତ ହଟ ସ୍ପଟ୍ ସୃଷ୍ଟି କରିଥାଏ ଯାହା ପରବର୍ତୀ ସମୟରେ ବ୍ରେକଡାଉନ ଏବଂ ବିପଦର ମୁଖ୍ୟ କାରଣ ପାଲଟିଥାଏ । ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଭାରତୀୟ ବିଦ୍ୟୁତ୍ ଅଧିନିୟମ, 1956 ର ଧାରା 135 ଅନୁଯାୟୀ ବେଆଇନ ହୁକ ପକାଇବା କେବଳ ଆଇନ ବିରୋଧୀ ନୁହେଁ, ଏହା ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ସମାଜ ପାଇଁ କ୍ଷତି ଘଟାଇଥାଏ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଇତ୍ଵବାନ ଭାବେ ବିଦ୍ୟୁତ୍ ବ୍ୟବହାର କରିବା ଆମ ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ । ଆମେ ଅତ୍ୟାବଶ୍ୟକ ବିଦ୍ୟୁତ ବ୍ୟବହାରକୁ ପ୍ରାଥମିକତା ଦେଇ, ବିଦ୍ୟୁତ ଅପଚୟରୁ ଦୂରେଇ ରହି ଏବଂ ଦକ୍ଷ ବିଦ୍ୟୁତ ପରିଚାଳନା କରି ଗ୍ରୀଡ୍ ଉପରେ ଚାପ ହ୍ରାସ କରିପାରିବା ।

ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ ଯେ ବିଦ୍ୟୁତ୍ ବ୍ୟବହାର ସହିତ ଜଡିତ କୌଣସି ଅନଧିକୃତ କାର୍ଯ୍ୟକଳାପରୁ ଦୟାକରି ଦୂରେଇ ରୁହନ୍ତୁ ଏବଂ ବିଦ୍ୟୁତ୍ ନିୟମାବଳୀକୁ ସମର୍ଥନ କରି ଆମ ସମାଜର ସୁରକ୍ଷା ପାଇଁ ଆମ ସହିତ ହାତ ମିଳାନ୍ତୁ । ଆସନ୍ତୁ ସମସ୍ତେ ଏକାଠି ହୋଇ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା । ଆପଣଙ୍କ ସହଯୋଗ ଆମପାଇଁ ମୁଲ୍ଯବାନ ଅଟେ।

ପାତ୍ରପୁର ବ୍ଲକ ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ, ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ । ବ୍ରଜଘାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ପାତ୍ରପୁର ଗ୍ରାମର ୫୫ ବର୍ଷୀୟ ସୀମା ସାହୁ । ବଜ୍ରାଘାତରେ ଶଙ୍କର ସାହୁ, ପଦ୍ମା ସାହୁ ଆହତ ହୋଇଛନ୍ତି । ରାଶି ଅମଳ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ଅଚାନକ ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି l ଫଳରେ ଚନ୍ଦ୍ରଗିରି, ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି l ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଛି l ତେଵେ ବର୍ଷା ଯୋଗୁଁ ପ୍ରଚଣ୍ତ ରୌଦ୍ର ତାପରୁ ଲୋକେ ତ୍ରାହି ପାଇଛନ୍ତି l

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନୂଆପଡ଼ା: ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ। କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମିନାକ୍ଷୀ ଦାସ। ଅଭିଯୁକ୍ତ ଜଣକ ବୋଡ଼େନ ଥାନା ବାଗୋଲର ଗାଁର ଦ୍ରୋଣ ପହରିଆ। ୨୦୧୭ ମସିହାରେ କାଠଫାର ଗାଁର ଜଣେ ଝିଅକୁ ସାମାଜିକ ପ୍ରଥା ଅନୁସାରେ ବାହାଘର ପୂର୍ବରୁ ଆଣି ଘରେ ରଖିଥିଲେ । କିନ୍ତୁ ପରେ ସେ ଝିଅକୁ ହତ୍ୟା କରିଥିଲେ । ଏନେଇ ବୋଡେନ ଥାନାରେ ଅଭିଯୋଗ ହୋଇଥିଲା । ଆଜି ୧୧ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଥିବା ନେଇ ଆଇନଜୀବୀ କାର୍ତ୍ତିକେସ୍ବର ମହାରଣା ପ୍ରକାଶ କରିଛନ୍ତି।

ମଙ୍ଗଳବାର ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ ଦାସ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ। ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ରାଲିରେ ହଜାର କର୍ମୀ ଯୋଗଦେବେ। ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ପ୍ରଣବଙ୍କ ପ୍ରଚାର ଓ ସଭାରେ ହଜାର ହଜାର ଲୋକଙ୍କ ଉପସ୍ଥିତି ବିଜେଡିର ଶକ୍ତିକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାରକୁ ଆହୁରି ଜୋରଦାର କରିବ ବିଜେଡି ।

ଆସନ୍ତାକାଲି ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲେ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ପାରମ୍ପରିକ ଆସନ ହିଞ୍ଜିଳିରୁ ନବୀନ କରିବେ ନାମାଙ୍କନ। ଷଷ୍ଠଥର ପାଇଁ ଏହି ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି । ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ନାମାଙ୍କନ ପାଇଁ  ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ ନବୀନ। ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ମାଆଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ। ୧୨ଟା ୩୫ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ଯମାନେ ଉପସ୍ଥିତ ରହିବେ।

୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ପାଇଁ ଲଢୁଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ ।  ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ। ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ। ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ଯ ପ୍ରାର୍ଥୀ ହୋଇଛନ୍ତି ।

ପୁଣି କଂଗ୍ରେସ ଭବନରେ ହାଇଡ୍ରାମା, ଟିକେଟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: କଂଗ୍ରେସ ଭବନରେ ଟିକେଟ ଆଶାୟୀଙ୍କ ଅଭିନବ ପ୍ରତିବାଦ। ଆସ୍କା ଅଂଚଳର ଜଣେ  ଟିକେଟ ପାଇଁ ଆଶାୟୀ ଥିବା ନେତା ଭିମ୍ ଲିକୁଇଡ୍ ଦେହରେ ପକେଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ବେଶ କିଛି ସମୟ ଧରି ୫ରୁ ୬ଜଣ ସମର୍ଥକଙ୍କ ସହ ଆଶାୟୀ ବ୍ୟକ୍ତି ଏପରି ପ୍ରତିବାଦ କରିଥିଲେ । ପରେ କଂଗ୍ରେସ ଭବନରେ ଥିବା କିଛି ଯୁବନେତା  ପ୍ରତିବାଦ କରୁଥିବା ଲୋକଙ୍କୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ  ପିଟିଥିଲେ  । ଯାହା ୨୦୨୪ ରାଜନୀତିରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା କଂଗ୍ରେସ ଭବନରେ । ପରେ ପୋଲିସ କଂଗ୍ରେସ ଭବନରେ ପହଞ୍ଚି ଘଟଣାର ତନାଘନା କରିବା ସହ କଂଗ୍ରେସ ଭବନର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ୨୦୨୪ ଟିକେଟ ବଣ୍ଟନ ଓ ଟିକେଟ ପାଇବା ପରେ ପ୍ରାର୍ଥୀ ଟିକେଟ କଟିବାକୁ ନେଇ କଂଗ୍ରେସ ଭବନରୁ ତୃଣମୂଳସ୍ତର ଯାଏ  ହାତ ଶିବିରରେ ଅସନ୍ତୋଷ ବଢିବାରେ ଳାଗିଛି ।

ପାଲଲହଡ଼ାରେ ସରଗରମ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପାଇଁ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୈତିକ ପରିବେଶ। ଚାଲିଛି ଜୋରଦାର ପ୍ରଚାର । ହେଉଛି ତ୍ରିମୁଖୀ ଲଢ଼େଇ। ବିଗତ ୩ଟି ନିର୍ବାଚନରେ ବିଜେଡିର ଗଡ଼ ଥିବା ଏହି ନିର୍ବାଚନମଣ୍ଡଳୀରେ ଏଥର କିଏ ଜିତିବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।

୨୦୦୯ରୁ ବିଜେଡିର ଗଡ଼ ଭାବରେ ପରିଚିତ ଅନୁଗୁଳ ଜିଲ୍ଲା ପାଲଲହଡ଼ା  ବିଧାନସଭା ନିର୍ବାଚନମଣ୍ଡଳୀ । ପାଲଲହଡ଼ା ବ୍ଲକର ୨୭ଟି ପଞ୍ଚାୟତ ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତକୁ ନେଇ ଏହା ଗଠିତ  । ଏଠାରେ ଅଛନ୍ତି ୧ ଲକ୍ଷ ୭୭ ହଜାର ୯୨୨ ଭୋଟର । ପୁରୁଷ  ୯୦ ହଜାର ୯୫୨, ମହିଳା ୮୬ ହଜାର ୯୫୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ୧୫ ଜଣ ଅଛନ୍ତି । ନୂତନ ଭାବେ ମତଦାନ କରିବେ ୯ ହଜାର ୯୫୮ ଜଣ ଯୁବ ଭୋଟର । ଏଠାରେ ତ୍ରିମୁଖୀ ତ୍ରିମୁଖୀ ଲଢ଼େଇ ହେଉଛି  । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ମୁକେଶ କୁମାର ପାଲ । ବିଜେପିରୁ ଅଶୋକ ମହାନ୍ତି ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଫକୀର ସାମଲ । ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ପାଣି ୪୦ ହଜାର ୯୮୦ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ୩୫ ହଜାର ୫୧୩ ଓ  କଂଗ୍ରେସରୁ ବିବୁଧେନ୍ଦ୍ର ପ୍ରତାପ ଦାଶ ପାଇଥିଲେ ୨୧ ହଜାର ୨୫୮ ଭୋଟ।  ୨୦୧୪ରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ୪୪ ହଜାର ୨୬୪  ଭୋଟ ପାଇ ଜିତିଥିଲେ । ବିଜେପିର ଅଶୋକ ମହାନ୍ତି  ୩୮ ହଜାର ୯୭୦ ଓ କଂଗ୍ରେସର ସୁବୋଧ ପାଣିଙ୍କୁ ୧୮ ହଜାର ୪୮୭ ଭୋଟ ମିଳିଥିଲା । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୁକେଶ କୁମାର ପାଲ ୫୯ ହଜାର ୩୫୦ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଅଶୋକ ମହାନ୍ତି ୫୩ ହଜାର ୧୩୬ ଓ କଂଗ୍ରେସର ସୁବ୍ରତ ଗଡ଼ନାୟକଙ୍କୁ ୧୨ ହଜାର ୨୬୬ ଭୋଟ ମିଳିଥିଲା । ଏଥର ଭଲ ପ୍ରାର୍ଥୀ ଓ ଅଞ୍ଚଳର ବିକାଶକୁ ଦେଖି ଭୋଟ ଦେବେ ବୋଲି ଭୋଟରମାନେ କହିଛନ୍ତି ।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ପାଲଲହଡ଼ା ଅଞ୍ଚଳ ବିକାଶର ଶୀର୍ଷ ଛୁଇଁଛି । ରାସ୍ତାଠାରୁ ଆରମ୍ଭ କରି, ଡାକ୍ତରଖାନା, ସ୍କୁଲ , ଖେଳ ପଡ଼ିଆ, ମନ୍ଦିର ଆଦିର ବିକାଶ ହୋଇଛି। ଏହା ହିଁ ପାଲଟିଛି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ।